ପାର୍ଥକ୍ୟ
ପାର୍ଥକ୍ୟ
: ତୁମେ କହିଲେ କିଛି ଯାଏ ଆସେ ନାହିଁ, ତୁମେ ହସିଲେ କିଛି ଯାଏ ଆସେ ନାହିଁ l ମୁଁ ଯଦି ହସିକି ପଦେ କହିଦେଲି ବେଦ ଅଶୁଦ୍ଧି ହୋଇଗଲା l ମୁଁ କ’ଣ ଏତେ ହୀନମନ୍ୟ ?
: ମୁଁ କିଛି କହିଲି ? ପତିଦେବ କହିଲେ l
: ନା ! କହିବା କ’ଣ ଦରକାର ? ତୁମ ମୁହଁର ଭାଷାରୁ ମୁଁ ଗୋଟି ଗୋଟି କରି
ପଢିପାରୁଛି l
: ବୋଉ କ’ଣ କହିଲା ? ତୁମେ କ’ଣ କହିଲ ?
: ମାଇକ୍ରୋୱେଭ୍ ଦେଖୁଥିଲେ l ମୁଁ କହିଲି, ସେଥିରେ ଲାଗିବନି l ଆଉ ତୁମ ବୋଉ କ’ଣ କହିଲେ ? କହିଲେ, ମୁଁ କ’ଣ ବୋକୀ ହେଇଛି ?
: ତା’ ପରେ ତୁମେ ଛଳେଇ କହିଲ, ନାଃ l ଭାରୀ ଚାଲାକ l ଏପରି ବୋଉକୁ କହିବା କ’ଣ ଠିକ୍ ହେଲା ?
: ଭୁଲଟା କ’ଣ କହିଲି ? ଯେଉଁ ଦିନ ମାଇକ୍ରୋୱେଭ୍ ଆସିଲା, ତୁମ ବୋଉ ଯେତେବେଳେ ପଚାରିଲେ, ସେଟ
ା କ’ଣ ଟିlଭିl ? ତୁମେ ବାପ – ପୁଅ ଦୁହେଁ ହସୁଥିଲ କି ନାହିଁ ? ଏବେ ମୁଁ ହସି ଦେଲି ଯେ ସୃଷ୍ଟି ପ୍ରଳୟ ହୋଇଗଲା l ସକାଳୁ ସକାଳୁ ସେଇ କଥାକୁ ନେଇ ଡଃ ପ୍ରଶାନ୍ତ ଆଉ ତାଙ୍କର ଶ୍ରୀମତୀ ଦୀପାଙ୍କ ମଧ୍ୟରେ ଲାଗିଛି ଯୁକ୍ତି ତର୍କ l
କଥାଟାକୁ ସରଳ ଭାବେ ବୁଝେଇବା ପାଇଁ ଡାକ୍ତର ବାବୁ ଚେଷ୍ଟା କଲେ l
: ଦେଖ ଦୀପା ! ସବୁ କଥାର ଅନେକଗୁଡିଏ ପାର୍ଶ୍ୱ ଅଛି l କିଏ କେମିତି ଗ୍ରହଣ କଲା ? ସରଳତା, ଅଜ୍ଞତା ଓ ମୂର୍ଖତା l ତିନିଟିଯାକ ଅଲଗା ଅଲଗା କଥା l ବାବା ଆଉ ମୁଁ ହସିଥିଲୁ ସେ ଦିନ ବୋଉର ସରଳତା ଦେଖି l ମୁଁ ଯଦି ତୁମକୁ ସିଟି ସ୍କାନିଙ୍ଗ୍ ମେସିନକୁ ଅପରେଟ୍ କରିବାକୁ କୁହେ, ତୁମେ ପାରିବ ? ମୁଁ ଯଦି ତୁମ ହାତରେ ଦୁଇଟା ଛୁରୀ ଦେଇ ଅପରେସନ୍ କରିବାକୁ କହିବି, ତୁମେ ପାରିବ ?
: ନା………………
: ସେଇଟା ତୁମର ମୂର୍ଖାମୀ ନୁହେଁ l ଅଜ୍ଞତା l ସମସ୍ତେ ସବୁ କଥା ଜାଣି ନ ଥାନ୍ତି l ୟା ବୋଲି କ’ଣ ସମସ୍ତେ ମୂର୍ଖ ? ଆମେ ହସିଥିଲୁ ସେ ଦିନ ବୋଉର ସରଳତା ଦେଖି l ଆଉ ତୁମେ ନିଜକୁ ମହାଜ୍ଞାନୀ ମନେ କରି, ବୋଉର ସରଳତାକୁ ମୂର୍ଖାମୀର ରୂପ ଦେଇ ବିଦ୍ରୁପ କଲ l ଏହାକୁ ଅଭଦ୍ରାମୀ କହନ୍ତି l