Binaya Bhusan Panigrahi

Inspirational

4.3  

Binaya Bhusan Panigrahi

Inspirational

ପାର୍ଶଲ

ପାର୍ଶଲ

6 mins
1.6K


ସ୍ୱଳ୍ପ ସମୟ ଭିତରେ ମନ ପସନ୍ଦର ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ରୁ ନିଜ ପସନ୍ଦିଲା ଖାଦ୍ୟ ରିହାତି ଦରରେ ଯୋଗାଇ ଦେଉଥିବା ଅନ ଲାଇନ ସଂସ୍ଥା 'ସର୍ଭିଙ୍ଗ ଫାଷ୍ଟ' ର ମୋବାଇଲ ଆପ ଖୋଲି ଖେଳାଇ ଖେଳାଇ ରେସିଡେନ୍ସ ଠାରୁ ବାର-ତେର କିଲୋମିଟର ଦୂରରେ ଥିବା ନାମୀ ରେଷ୍ଟୁରାଣ୍ଟ ' ଫୁଡ୍ସ ହେଭେନ' ର ଖାଦ୍ୟ ତାଲିକା(ମେନୁ) ଭିତରୁ ଅନୁମାନ ଲଗାଇ କମ ତେଲମସଲା ଯୁକ୍ତ ଦୁଇ ପ୍ରକାରର ବ୍ୟଞ୍ଜନ ଓ ତିନିପଟ ତନ୍ଦୁରି ରୋଟିର ଅର୍ଡର ପ୍ଲେସ କରିସାରିବା ପରେ ପରେଶ ବାବୁଙ୍କ ମୁଣ୍ଡ ଭିତରେ ହତାତ୍ ଗୋଟେ ଅନିସନ୍ଧିତ୍ସୁ ଚିନ୍ତାଧାରା ମୁଣ୍ଡ ଟେକିଲା। ସେ ପ୍ଲେସ କରିଥିବା ଅର୍ଡର ର ସମୁଦାୟ ମୂଲ୍ୟ ତିନିଶହ ଷାଠିଏ ଟଙ୍କା। ପଚାଶ ପ୍ରତିଶତ ରିହାତି ପରେ ଅର୍ଡରର ମୂଲ୍ୟ ହେଲା ଶହେଅଶି ଟଙ୍କା ମାତ୍ର। ଅଧ ଘଣ୍ଟାଏରୁ ପଇଁଚାଳିଶ ମିନିଟ ଭିତରେ ବରାଦ ଦିଆ ଖାଦ୍ୟ ଘରେ ଆସି ପହଞ୍ଚି ଯିବ । ଯିବା ଆସିବା ପାଇଁ ମୋଟର ସାଇକେଲରେ ଅତି କମରେ ଚାଳିଶି ଟଙ୍କାର ପେଟ୍ରୋଲ ପୋଡିବ ହିଁ ପୋଡିବ। ଖାଦ୍ୟର ପ୍ୟାକିଂ ଖର୍ଚ୍ଚ ଅଛି। ସେବାରେ ନିୟୋଜିତ କର୍ମଚାରୀକୁ ମଧ୍ୟ ମାସିକ ଦରମା କିମ୍ବା ଦୈନିକ ମଜୁରୀ ଦେବାକୁ ପଡୁଥିବ। ରେଷ୍ଟୁରାଣ୍ଟ ବାଲା ଲିଷ୍ଟ ପ୍ରାଇସ ଉପରେ କେତେ ଖୋସାମତ ଏବଂ ବେଳେବେଳେ ତର୍କବିତର୍କ ପରେ ଅତୀବେଶୀରେ ଦଶ ରୁ ପନ୍ଦର ପ୍ରତିଶତ ରିହାତି ଦେଇ ମୁହଁ ଆମ୍ବିଳା କରେ। ସେ'ତ ଆଉ ଏମାନଙ୍କୁ ଖୁସି ମନରେ ସିଧାସିଧା ଅଧା ଦାମରେ ଖାଦ୍ୟ ଦେଇଦେଉ ନଥିବ ! ଏହି ବେପାର କରୁଥିବା ଅନ ଲାଇନ ସଂସ୍ଥା ମଧ୍ୟ ତା'ର ପୈତୃକ ସମ୍ପତ୍ତି ବିକିଭାଙ୍ଗି ସର୍ବସାଧାରଣଙ୍କ ସେବା ପାଇଁ ବଜାରକୁ ବାହାରି ନଥିବ ନିଶ୍ଚୟ। ତେବେ, ଏସବୁ କେମିତି ସମ୍ଭବ ? ବିନା ଲାଭରେ ବେପାର ଏବଂ ବିନା ଆୟରେ ଡୋରଷ୍ଟେପ ସେବା ପ୍ରଦାନ କରିବା ବିଷୟଟି ତାଙ୍କ ଭାବନାକୁ ଗୋଳମାଳିଆ କରି ପକାଇଲା।

ପିନ୍ଧିଥିବା ବରମୁଣ୍ଡା କୁ ନ ବଦଳେଇ ତରବରରେ ବ୍ୟାନିୟନ ଟା ଗଳେଇ ଦେଇ ଡୋର ଲାକ କରିଦେଇ ବାଇକରେ ଷ୍ଟାର୍ଟ ଦେଲେ ପରେଶ ବାବୁ। ତାଙ୍କୁ ଯଥାଶୀଘ୍ର ସମ୍ଭବ ଫୂଡ୍ସ ହେଭେନ ରେଷ୍ଟୁରାଣ୍ଟ ପାଖରେ ପହଁଚିବାର ଥିଲା।

ଏ.ଜି. ଅଫିସର ସିନିଅର ସେକ୍ସନ ଅଫିସର ପରେଶ ମହାପାତ୍ର ତାଙ୍କର ଯୁବାବସ୍ଥାରୁ ଏଯାବତ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ରେ ଅଧିକ ତେଲମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଖୁସି ପାଆନ୍ତି ନାହିଁ। ତା'ସହିତ ବାସନକୁସନ ର ପରିଚ୍ଛନ୍ନତା, ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ପରିବା ପତ୍ରର ଗୁଣାତ୍ମକ ମାନ, ରୋଷେୟାର ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ଇତ୍ୟାଦି ଅନେକ ବିଷୟକୁ ବିଚାର କରିବା ପରେ ତାଙ୍କ ମନରେ ସେଇସବୁ ସ୍ଥାନରେ ଖାଇବା ପ୍ରତି ଆଗ୍ରହ ନାହିଁ। ହୋଟେଲ-ରେଷ୍ଟୁରାଣ୍ଟ ରେ ପ୍ରସ୍ତୁତ ହେଉଥିବା ଖାଦ୍ୟସାର ରହିତ ତଥା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଖାଦ୍ୟ ନ ଖାଇବା ପାଇଁ ପିଲାମାନଙ୍କୁ ଯେତେ ବୁଝାଇଲେ ମଧ୍ୟ ସେମାନେ ସେଥିରୁ ନିବୃତ କରି ପାରନ୍ତିନାହିଁ ନିଜକୁ। ତେବେ, ଏଇ ଗ୍ରୀଷ୍ମ ଅବକାଶରେ ଯେଉଁ ଆଠ-ଦଶ ଦିନ ପାଇଁ ପତ୍ନୀ ଓ ପିଲାମାନେ ଗାଁଆ କୁ ,ମାମୁଁ-ମଉସା ଘରକୁ ଯାଆନ୍ତି ସେଇ ସମୟରେ ଯେଉଁଦିନ ରୋଷେଇ କରିବା ସମ୍ଭବପର ନହୁଏ ସେଦିନ ବାଧ୍ୟହୋଇ ବାହାରେ ସେଇସବୁ ହୋଟେଲ-ରେଷ୍ଟୁରାଣ୍ଟ ରେ ବସି ଖାଇବାକୁ ପଡେ କିମ୍ବା ପାର୍ଶଲ ଧରି ଆସିବାକୁ ପଡେ। ଏବେ ଏଇସବୁ ଅନଲାଇନ ଫୁଡ଼ ସପ୍ଲାଏ ବ୍ୟବସ୍ଥା ଆରମ୍ଭ ହେଇଯିବାପରେ ଆଜି ପ୍ରଥମ ଥର ପାଇଁ ସେ ଏହାର ସଦୁପଯୋଗ କରିବା ଆରମ୍ଭ କରୁକରୁ ନିଜ ଭିତରେ ନିଜେ ଛନ୍ଦି ହେଇ ଯାଇଛନ୍ତି।

'ଫୁଡ୍ସ ହେଭେନ' ରେଷ୍ଟୁରାଣ୍ଟ ପାଖରେ ପହଞ୍ଚି ବାଇକରେ ଷ୍ଟାଣ୍ଡ ଲଗାଇ ଦେଇ ସିଧା ଯାଇ ପହଁଚିଲେ କାଉଣ୍ଟର ପାଖରେ। ପ୍ରବଳ ଭିଡ ଭିତରେ ତାଙ୍କ ଆଖି କାହାକୁ ଗୋଟେ ଖୋଜିଲା ଖୋଜିଲା ଆଖିରେ ଚାହିଁସାରି ଗୋଟେ କଡରେ ଭିଡ଼ ଠେଲି ଆଗକୁ ଯିବାକୁ ଉଦ୍ୟମ କରୁଥିବା ଜଣେ ଯୁବକ ଉପରେ ନିବଦ୍ଧ ହେଲା। ଯୁବକ ଜଣକ ପିନ୍ଧିଥିବା ଶସ୍ତା ବ୍ଲେଜର ଉପରେ ଲେଖାଥିଲା 'ସର୍ଭିଙ୍ଗ ଫାଷ୍ଟ",ବାଁ ହାତରେ ଥିଲା ଗୋଟେ ସ୍ମାର୍ଟଫୋନ ଏବଂ ଇଅର ଫୋନ ସଂଯୁକ୍ତ କରୁଥିଲା କାନ ସହ ସ୍ମାର୍ଟଫୋନ କୁ। ବେକ ଟେକି କାଉଣ୍ଟର ଆଡକୁ ଚାହିଁ ଅପେକ୍ଷାକୃତ ଉଚ୍ଚ ସ୍ୱରରେ ଯୁବକ ଜଣକ କହିଲେ " ଭାଇ,ସର୍ଭିଙ୍ଗ ଫାଷ୍ଟ,ଅର୍ଡର ନଂ ଇଲେଭେନ। ଟିକେ ଜଲଦି କର ,ଆଉମାତ୍ର ଫିଫ୍ଟିନ ମିନିଟସ ରହିଲା। ଲାସ୍ଟ ଅର୍ଡର,କ୍ୟାନ୍ସଲ ହେଇଗଲେ ହାତରୁ ବାଜିଯିବ।"

କ୍ୟାଶିୟର ସାଙ୍ଗେ ସାଙ୍ଗେ ସର୍ଭିସ ବୟକୁ ଆଦେଶ ଦେଲେ "ଆରେ ଏଇ ବାଙ୍ଗୁର, ଏସ.ଏଫ. ପାର୍ଶଲ ଆଗେ ଦେଇସାରି ଯାହା କରୁଛୁ କର।"ଠିକ ତା'ର ପର ମୁହୂର୍ତ୍ତରେ ବାଙ୍ଗୁର ପାର୍ଶଲ ଉପରକୁ ଟେକିଧରି କହିଲା,"ଏସ.ଏଫ.,ଏସ.ଏଫ., ନିଅ-ଧର ତମ ପାର୍ଶଲ।" ପ୍ରବଳ ଖୁସିରେ ଆଗକୁ ଝୁଂକିପଡି ବାଙ୍ଗୁର ହାତରୁ ପାର୍ଶଲ ଝାମ୍ପିଆଣି ବାଇକ ପାଖକୁ ଝପଟି ଆସିଲେ ଯୁବକ ଜଣକ। କଣ୍ଟେନର ଭିତରେ ପାର୍ଶଲ କୁ ଯତ୍ନରେ ରଖି ବାଇକରେ ଷ୍ଟାର୍ଟ ଦେବା ପୂର୍ବରୁ ମୋବାଇଲରେ ଟାଇମ କନ୍ଫର୍ମେସନ ପାଇଁ ସ୍କ୍ରୀନ ଟଚ କଲେ। ପରେଶ ବାବୁ ତାଙ୍କ ଆଡକୁ ଯିବାକୁ ବାହାରି ଦୁଇତିନି ପାଦ ଆଗେଇବା ପୂର୍ବରୁ ବାଇକରେ ଷ୍ଟାର୍ଟ ଦେଇ ତୀର ବେଗରେ ଆଗକୁ ଛୁଟାଇ ଦେଲେ ଯୁବକ। ପରେଶ ବାବୁ ମଧ୍ୟ କାଳ ବିଳମ୍ବ ନକରି ବାଇକ ଷ୍ଟାର୍ଟ କରି ଯୁବକଙ୍କ ପଛେ ପଛେ ଆଗକୁ ବଢିଲେ। ଯୁବକଙ୍କ ବାଇକର ସ୍ପୀଡ ଏତେ ଅଧିକ ଥିଲା ଯେ ମିନିଟିଏ ରୁ ଦେଢ଼ ମିନିଟ ଭିତରେ ପରେଶ ବାବୁଙ୍କୁ ବହୁତ ପଛରେ ପକେଇ ଦେଇ ଆଖି ସାମ୍ନାରୁ ଅଦୃଶ୍ୟ ହେଇଗଲେ। ନିଜ ମପାଚୁପା ଅନ୍ଦାଜ ରେ ଡ୍ରାଇଭିଂ କରୁଥିବା ବେଳେ ଭାବୁଥିଲେ," ଶହେଅଶି ଟଙ୍କାର ଅର୍ଡର ଗୋଟେ ସର୍ଭ କରିଦେଲେ ଏହି ଯୁବକ ଜଣଙ୍କୁ କେତେବେଶି ଆୟ ହେଇଯିବ ଯେ ସେଥିପାଇଁ ସେ ନିଜର ଜୀବନକୁ ଏମିତି ବାଜି ଲଗାଇ ଦେଉଛି !"

ପରେଶ ବାବୁ ରେସିଡେନ୍ସ ପାଖରେ ପହଞ୍ଚିବା ର ବେଶକିଛି ସମୟ ପୂର୍ବରୁ ଯୁବକ ଜଣକ ସେଠି ପହଞ୍ଚି ,କେତେଥର ଘରର କଲିଂ ବେଲ ମାରି,ଫୋନ କରି କୌଣସି ରେସପନ୍ସ ନପାଇ ଗେଟ ସାମ୍ନାରେ ବ୍ୟସ୍ତତାର ସହ ପଦଚାରଣ କରୁଥିଲେ। ବାଇକର ଷ୍ଟାର୍ଟ ବନ୍ଦ କରିବା ମାତ୍ରେ ଯୁବକ ପଚାରିଲେ," ଏକ୍ସକ୍ୟୁଜ ମି ସାର, ଏଇଟା ପରେଶ ମହାପାତ୍ରଙ୍କ ଘର ?"

-"ୟେସ, ମୁଁ ପରେଶ ମହାପାତ୍ର, ଅର୍ଡର ମୋର ଥିଲା।"

-" ସାର, ଆପଣଙ୍କୁ ମୁଁ ଫୁଡ୍ସ ହେଭେନ ପାଖରେ ..."

- "ହଁ, ମୁଁ ସେଇଠୁ ଆସିଲି। ତମେ ମୋ ଆଗେ ଆଗେ ଆସିଲ।"

ଯୁବକଙ୍କ ଦୃଷ୍ଟିରୁ ଅନେକ ଗୁଡ଼ାଏ ପ୍ରଶ୍ନବାଚୀ ପରେଶ ବାବୁଙ୍କ ଆଖିକୁ ଛୁଇଁ ନିଶବ୍ଦରେ ଫେରିଗଲେ।

ଗେଟ ର ତାଲା ଖୋଲିସାରି ଭିତରକୁ ପାଦ ବଢ଼େଇବା ସଙ୍ଗେସଙ୍ଗେ ପରେଶ ବାବୁ କହିଲେ,"ପାର୍ଶଲ ନେଇ ଭିତରକୁ ଆସ।"

ଯୁବକ ଜଣକ କିଛି ନ ବୁଝିପାରିଲା ଭଳି ଚାହିଁ ରହିଥିବାର ଦେଖି ସେ ପୁଣିଥରେ କହିଲେ " ଆରେ, ତମକୁ ପାର୍ଶଲ ନେଇ ଭିତରକୁ ଆସିବା ପାଇଁ କହିଲି ପରା !"

- "ସାର,ଏଇଠୁ ରିସିଭ କରିନିଅନ୍ତୁ ପ୍ଲିଜ। ଘର ଭିତରକୁ ଯିବାପାଇଁ ଆମକୁ ପରମିଶନ ନାହିଁ।"

-" ମୁଁ ପରମିଶନ ଦେଉଛି ତ,ଅସୁବିଧା କୋଉଠି ରହିଲା? କମ ଇନ।"

ବାଧ୍ୟହୋଇ ପାର୍ଶଲ ଧରି ଭିତରକୁ ଆସିବାକୁ ହେଲା। ଡ୍ରଇଂ ରୁମରେ ପଡିଥିବା କାଚ ଟେବୁଲ ଉପରେ ରଖିସାରି ଉପର ପକେଟ ରୁ ଫୋନ ବାହାର କରି ପରେଶ ବାବୁଙ୍କ ଆଡକୁ ଦେଖାଇ କହିଲେ"ସାର, ଫିଡ଼ବ୍ୟାକ ପ୍ଲିଜ।" ତାଙ୍କ ହାତରୁ ଫୋନ ନେଇ ଫିଡ଼ବ୍ୟାକ ପଏଣ୍ଟ ବାବଦରେ ଦଶ ରୁ ଦଶ ଦେଇସାରି ଫୋନ ଫେରାଇ ଦେଲେ ପରେଶ ବାବୁ। ସ୍ମିତ ହସି, ଧନ୍ୟବାଦ ଜଣାଇ ସାରି ଯୁବକ ପଛକୁ ବୁଲି ଚାଲିବାକୁ

ଆରମ୍ଭ କରିବା ପୂର୍ବରୁ ପରେଶ ବାବୁ କହିଲେ,"କାଉଣ୍ଟର ପାଖରେ କହୁଥିଲ ଯେ ଏଇଟା ତମର ଆଜିପାଇଁ ଲାସ୍ଟ ଅର୍ଡର ଥିଲା !"

-" ୟେସ ସାର। ଆଜିପାଇଁ ଆଉ ମୋ ପାଖରେ କୌଣସି ଅର୍ଡର ପେଣ୍ଡିଙ୍ଗ ନାହିଁ। ।"

-"ତେବେ ଯିବାପାଇଁ ଏତେ ତରତର ହେଉଛ କାହିଁକି? ଅନ୍ତତଃ ପାଞ୍ଚ ମିନିଟ ତ ବସି ପାରିବ। କିଛି କଥା ପଚାରିଥାନ୍ତି ଭାବୁଥିଲି।"

-"ଠିକ ଅଛି, ପଚାରନ୍ତୁ ସାର। "

ସୋଫା ଉପରେ ବସି କାଚ ଟେବୁଲ ସଂଲଗ୍ନ ସୋଫା ଉପରେ ବସିବା ପାଇଁ ଯୁବକଙ୍କୁ ଇସାରା ଦେଲେ ପରେଶ ବାବୁ। ଏଥର କୌଣସି ପ୍ରତିବାଦ ନକରି ସୋଫା ଉପରେ ବସି ପଡିଲେ ଯୁବକ।

-" ଆଛା, ତମ ନାଁ କଣ ୟଙ୍ଗମ୍ୟାନ୍?"

-" ସୋମେଶ, ସୋମେଶ ଶତପଥି ସାର।"

-"ହଁ ,ସୋମେଶ, ଅର୍ଡର ପ୍ଲେସ କରିବା ପରଠାରୁ ଏପର୍ଯ୍ୟନ୍ତ ଭାବୁଥିଲି ତମକୁ ଗୁଡାଏ ପ୍ରଶ୍ନ ପଚାରିବା ପାଈଁ। ଏବେ କିନ୍ତୁ ମୂଳ ପ୍ରଶ୍ନ ସବୁକୁ ବାଦ ଦେଇ ତମକୁ ତମର ପେସା ସମ୍ବନ୍ଧିତ କିଛି ବ୍ୟକ୍ତିଗତ ପ୍ରଶ୍ନ ପଚାରିବା ପାଇଁ ଚାହୁଁଚି। ଇଫ ୟୁ ଡୋଣ୍ଟ ମାଇଣ୍ଡ..."

ସାମାନ୍ୟ ଅପ୍ରସ୍ତୁତ ଅନୁଭବ କରୁଥିଲେ ମଧ୍ୟ ନିଜକୁ ସହଜ କରେଇ ନେଇ ସୋମେଶ କହିଲେ ," ନଥିଙ୍ଗ ଟୁ ମାଇଣ୍ଡ ସାର।ତେବେ ଟିକେ ଶୀଘ୍ର ପଚାରନ୍ତୁ ପ୍ଲିଜ଼। ମୋତେ ସାଢ଼େଦଶଟା ସୁଦ୍ଧା ଘରେ ପହଞ୍ଚିବାକୁ ପଡିବ ଏନିହାଓ।"

-" ଓକେ, କଉଁଠି ରହୁଛ ଏବଂ ଘରେ ଆଉ କିଏସବୁ ଅଛନ୍ତି?"

- " ଓଲ୍ଡ ଟାଉନ ରେ ସାର। ଘରେ ବାପା, ମାଆ ଆଉ ମୋର ସାନ ଭଉଣୀଟିଏ ଅଛନ୍ତି।"

-" ସେମାନେ କଣ କେହି କିଛି କାମ କରନ୍ତି ନା ନାହିଁ?"

ସୋମେଶ ଏ ପ୍ରଶ୍ନର ଜବାବରେ କେବଳ ଖୋଲା ହସଟିଏ ହସିଲା ଯେଉଁଥିରେ ହସ ମାତ୍ରାଧିକ ଭାବେ କମ ଓ କାରୁଣ୍ୟ ବହୁତ ବେଶୀ ଭରି ରହିଥିଲା। ତାପରେ ବି ପରେଶ ବାବୁଙ୍କ ଆଖିରେ ସେ ପଚାରିଥିବା ପ୍ରଶ୍ନର ଉତ୍ତର ପାଇଁ ଅପେକ୍ଷା କୁ ବୁଝିପାରି ଆଖିକୋଣ ରୁ ନାକପାଖ ଦେଇ ବହି ଆସୁଥିବା ହସ କୁ ରୁମାଲରେ ପୋଛୁପୋଛୁ ସୋମେଶ କହିଲା," ସାର, ବାପା ମୋର ପାରାଲିସିସ ପେସେଣ୍ଟ,ବୟସ ପଞ୍ଚସ୍ତରୀ ପ୍ଲୁସ। ମାଆ ଦଶବର୍ଷ ତଳୁ ସ୍ପାଇନାଲକର୍ଡ଼ ଇଂଜୁରୀ ଯୋଗୁଁ ଅକର୍ମଣ୍ୟ,ତା'ପରେ ଦୁଇବର୍ଷ ତଳୁ ଆଖିକୁ କିଛି ଦିଶୁନାହଁ। ଆଉ ସାନ ଭଉଣୀ ସୀମା, ଗୋଟେ ସରକାରୀ କଲେଜରେ ପ୍ଳସ ଟୁ ରେ ପଢେ। ବାପା-ମାଆଙ୍କ ପାଇଁ ମୋଠାରୁ କିଛି କମ କରେନାହିଁ ସିଏ। ମୁଁ ଯେତେ ମନା କଲେ ବି ଟିଉସନ କରି ଘର ଚଳେଇବା ପାଇଁ ମୋତେ ସାହାଯ୍ୟ କରେ। ତା,ସହ ଦିନ ବେଳାର ରୋଷେଇ ମଧ୍ୟ କରେ। ପଢିବାପାଇଁ ସମୟ ଟିକେ ପାଇନାହିଁ ବୋଲି ରାତି ରୋଷେଇଟା ମୁଁ କରିଦିଏ।"

-" ରାତିରେ ରୋଷେଇ କରିବା କଣ ଦରକାର,ତମେ ତ ଫେରିଲା ବେଳେ ଘରକୁ ପାର୍ଶଲ ନେଇଯାଇ ପାରନ୍ତ ? ତମପାଇଁ ଆହୁରି ରିହାତି ଥିବ।"

ଏଥର ସୋମେଶ ନିଜକୁ ଅଟକାଇ ନପାରି ମନଖୋଲି ଖୁବ ଜୋର ରେ ହସି ଉଠିଲା। ମୁହୂର୍ତ୍ତକ ପାଇଁ ବଳ ପୂର୍ବକ ହସ ରୋକି କହିଲା," କେବେକେବେ ନୁହେଁ ସାର, ସବୁଦିନ ମୁଁ ପାର୍ଶଲ ନିଏ ।କିନ୍ତୁ ମୋ ନିଜ ଘରକୁ ଥରେ ବି ନୁହେଁ,ଆପଣ ମାନଙ୍କ ପରି ଅର୍ଡର କରିଥିବା ବାବୁ ଓ ମେମ ମାନଙ୍କ ଘରକୁ ଯଉଁମାନଙ୍କ ପାଖରେ ପାର୍ଶଲ ପହଞ୍ଚାଇ ଦେଲେ ମୋତେ ମୋ ଫୁଏଲ ଚାର୍ଜ, ସହ କମିଶନ ମଧ୍ୟ ମିଳିଯାଏ।" କହିସାରିବା ପୁଣିଥରେ ସାମାନ୍ୟ ହାଲକା ହସ ହସିଲା ସେ। ଏବେ ତା ହସ ଭିତରେ କେବଳ ଖାଣ୍ଟି ହସ ଥିଲା । ବହୁତ ଦିନ ପରେ ତା ନିଜର ସେଇ ଅନ୍ତର ଖୋଲା ହସକୁ ସେ ନିଜେ ବି ବିଶ୍ୱାସ କରି ପାରିଲାନି ବୋଧେ। ହଠାତ ନିଆଁରେ ପାଣି ପଡ଼ିଲା ପରି ଚୁପ ହେଇଯିବା ସଙ୍ଗେ ସଙ୍ଗେ କଣ୍ଠଘଣ୍ଟାକୁ ଚାହିଁ ସ୍ପ୍ରିଂଗ ଭଳି ଉଠି ଠିଆ ହେଲା ଏବଂ ନମସ୍କାର ଜଣାଇ ଅନ୍ୟ କୌଣସି ପ୍ରଶ୍ନକୁ ଅପେକ୍ଷା ନକରି ଲମ୍ବା ଲମ୍ବା ପାଦ ପକାଇ ଗେଟ ଆଡକୁ ଅଗ୍ରସର ହେଲାବେଳେ ତା ମୁହଁରେ ବିବ୍ରତ ଭାବ ସ୍ପଷ୍ଟ ହେଇ ଉଠୁଥିଲା।

ସୋମେଶ ବାଇକରେ ଷ୍ଟାର୍ଟ ମାରି ସାରିଥିଲା,ପରେଶ ବାବୁ କାଚଟେବୁଲ ଉପରୁ ଉଠେଇ ଆଣିଥିବା ପାର୍ଶଲ କୁ ଶୋମେଶ ହାତକୁ ନଦେଇ ବାଇକର ହ୍ୟାଣ୍ଡେଲ ରେ ଯତ୍ନରେ ଟଙ୍ଗେଇ ଦେଇ କହିଲେ ," କାଲିଠାରୁ ରାତି ରୋଷେଇ କରିବନାହିଁ।ପ୍ରତିଦିନ ଘରକୁ ଫେରିଲା ବେଳକୁ ଫୁଡ୍ସ ହେଭେନ ରୁ ତମପାଈଁ ଥିବା ପାର୍ଶଲ ନେବାକୁ ନଭୁଲ ଯେମିତି। "

ସୋମେଶ କିଛି ବୁଝିପାରୁଥିଲା କି ବୁଝି ପାରୁନଥିଲା କେଜାଣି,ବାଇକର ବେଗ ବଢ଼େଇ ଟିକେ ଆଗକୁ ଯାଇ ବୁଲାଣି ରାସ୍ତାରେ ମୋଡ ଭାଙ୍ଗି ଦ୍ରୁତ ଗତିରେ ଆଗକୁ ମାଡି ଚାଲିଲା।

ପରେଶ ବାବୁ ଘର ସାମନା ବତୀଖୁଣ୍ଟ ତଳେ ଖୁଣ୍ଟଟିଏ ଭଳି ଠିଆହୋଇ ଅନ୍ଧାର ଆଡକୁ ଳମ୍ବେଇ ଦେଇଥିଲେ ତାଙ୍କର ପ୍ରଶ୍ନିଳ ଚକ୍ଷୁ ଦ୍ୱୟକୁ। ତାଙ୍କର ପ୍ରତ୍ୟେକ ପ୍ରଶ୍ନର ଗୋଟିଗୋଟି ଉତ୍ତର ମିଳିଯାଉଥିଲା ତାଙ୍କୁ ନିଜ ପ୍ରଶ୍ନ ମାନଙ୍କ ଭିତରୁ।

-----------©---------

ରଚନା:ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ ବଜାର,ଭଦ୍ରକ

୯୯୩୭୫୪୮୪୩୧,୯୪୩୮୬୭୦୧୨୦

binayabhusan_s@yahoo.co.in


Rate this content
Log in

Similar oriya story from Inspirational