ଯାଃ ଦେବୀ ସର୍ବ ଭୂତେଷୁ
ଯାଃ ଦେବୀ ସର୍ବ ଭୂତେଷୁ
ଯାଃ ଦେବୀ ସର୍ବ ଭୂତେଷୁ
ଆଜି ମହାଷ୍ଟମୀ।ଦୁଇ ଦିନ ପରେ ଦଶହରା।ଖୁସିର ପବନ ବୋହୁଛି ସମସ୍ତଙ୍କ ମନକୁ ଛୁଇଁ ଛୁଇଁ।ଏମିତି ଏକ ପରିବେଶ , ଭାଷା ନାହିଁ ବର୍ଣ୍ଣନା କରିବା ପାଇଁ । ମୁର୍ତ୍ତି,ମେଢ,ଆଲୋକ,ସାଜ ସଜ୍ଜା,ନେଇ ବିଭିନ୍ନ ଦର୍ଶକଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ।ଅଭିଜିତ ଏ ସବୁ କିଛି ଜାଣି ପାରେ ନାହିଁ କି ଦେଖି ପାରେ ନାହିଁ! ଭିଡ ଭିତରେ ସେ ଜାଣି ଜାଣି ପଶି ଯାଏ ତା' ଇପ୍ସିତ ଲକ୍ଷ ପରି ପୂରଣ କରିବା ପାଇଁ, ତା' ସହଚର ମାନଙ୍କ ସହିତ । ସେମାନଙ୍କ ଆଖି ଖୋଜି ବୁଲେ ସୁନ୍ଦରୀ ମାନଙ୍କୁ ।
ସହର ର ଅନୁଷ୍ଠିତ ହେଉଥିବା ଡଜନ ରୁ ବେଶୀ ହେବ ମୁର୍ତ୍ତି,ମେଢ, ସାଜ ସଜ୍ଜା ଆଲୋକ କୁ ସେମାନେ କମ ଦେଖନ୍ତି, ବେଶି ଦେଖନ୍ତି, ବେଶୀ ଖୋଜନ୍ତି ସୁନ୍ଦରୀ ମାନଙ୍କୁ। ବାରମ୍ବାର ସେ ଦେବୀଙ୍କ ଆଡୁ ଦୃଷ୍ଟି ଫେରେଇ କେନ୍ଦ୍ରିତ କରନ୍ତି ଜିନସ୍ ପିନ୍ଧା ତରୁଣୀ ଙ୍କୁ।
ସେଇ କ୍ରମରେ ଆଦ୍ୟା ଅଭିଜିତ ର ଆଖି କୁ ଫାଙ୍କି ପାରି ନଥିଲା। ତା'ପାଖ ପହଞ୍ଚି ଯାଇ ତା'ମୁହଁ କୁ ଚାହିଁ ରହିଥିବା ବେହିଆ କୁ ଆଦ୍ୟା କହେ,"ଦେବୀଙ୍କୁ ଦେଖ।ମତେ ନୁହେଁ।ଆଖି ବୁଜି ଜୁହାର କରି କୁହ ହେ ଦେବୀ!। ଜାଣତରେ ହେଉ କି ଅଜାଣତରେ ମୁଁ ଯେଉଁ ଦୋଷାଦୋଷ କରିଛି ମତେ ମାର୍ଜନା କର। ସୁନ୍ଦରୀ ଝିଅଙ୍କୁ ତମେ ସବୁବେଳେ ଦେଖି ପାରିବ,ମଲରେ, ହଲରେ; ଚାରିଆଡେ। ମାଆ ଦୁର୍ଗା ତ ବର୍ଷ ରେ ଥରେ ଆସନ୍ତି।"
ଝିଅ ପଟେଇବା ରେ ଧୁରନ୍ଧର ଅଭିଜିତ ହସି ହସି କହିଲା,
"ଦେବୀଙ୍କ ମୁହଁ ତମ ମୁହଁ ପରି ହେଇନି କାହିଁକି! ଏତେ ମଣ୍ଡପ ଦେଖିଲି ,ତମେ କିନ୍ତୁ ଅପ ରୂପା।"
ମୁହଁ ଟାକୁ ମୋଡି ଆଦ୍ୟା ତାକୁ ଛାଡି ଅନ୍ୟ ଏକ ମୂର୍ତ୍ତି ଦେଖିବା ପାଇଁ ସେ ରାସ୍ତା ପାର କରିବା ସମୟରେ ତା'ପିଛା କରୁଥିବା ଅଭିଜିତ ମହିଷାସୁର ପରି ବିରାଟକାୟ ଟ୍ରକ ମୁହଁ ରୁ ଆଦ୍ୟା ଯୋଗୁ ହିଁ ବଞ୍ଚି ଯାଇଥିଲା। ସେ ଦ୍ରୁତ ଗତିରେ ଡିଆଁ ମାରି ,ତାକୁ ସଡକ କଡକୁ ଟାଣି ନେଇଥିଲା। ପାଷାଣ ହୃଦୟ ତା'ର ତରଳି ଯାଇଥିଲା । ନିତି ଏତେ ଝିଅ ମାନଙ୍କ ସହିତ ସମ୍ପର୍କ ରଖୁଥିବା ଅଭିଜିତ ତାକୁ ସାଲ୍ୟୁଟ କଲା। ସେଇ ଦିନ ର ଘଟଣା ଠାରୁ ଆଦ୍ୟା କୁ ତାର ବହୁତ ମନ ମାନି ଯାଇଥିଲା । ଏପରି ସୁନ୍ଦରୀ ସାହସୀ ତାହାର ହିଁ ଦରକାର। ତାକୁ ସେ ବ୍ୟବହାର କରିବ ନିଜ ବ୍ୟବସାୟ ବୃଦ୍ଧି ନିମନ୍ତେ । ତାକୁ ସନ୍ତୁଷ୍ଟ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେବ। ସେ କାହାରି ନୁହେଁ, କାହାକୁ ସେ ଭଲପାଏ ନାହିଁ। ଜଣେ ହିଁ ତା' ଜୀବନ କୁ ବରବାଦ୍ କରି ଦେଇଛ, ତାକୁ ମଦୁଆ କରିଛି। ସେଇ ଦିନ ଠାରୁ ତରୁଣୀ ମାନଙ୍କ ପ୍ରତି ତା'ର ଘୃଣା ଭାବ ସୃଷ୍ଟି ହୋଇଛି। ସେ କୋଉଠି ଅଛି ସେ ଜାଣେନା କିନ୍ତୁ ତାକୁ ସେ ଦେଖେଇ ଦେବାକୁ ଚାହେଁ ଶତ ଶତ ସୁନ୍ଦରୀ ତା'ନିର୍ଦ୍ଦେଶ ରେ କେମିତି ନାଚନ୍ତି। ତା'ପାଦ ଚୁମନ୍ତି ।ତାକୁ ସେ ଭଲରେ ବଞ୍ଚିବା ଲାଗି ଦେବନି,ତା'ନିଦ ହଜେଇ ଦେବ।ଦିନ ଆସିବ ସେ ତା' ଭୁଲ ବୁଝି ପାରିବ ।
ଅଭିଜିତକୁ ତା' ଭାଵନା ରାଇଜ ରୁ ଫେରି ଆସି ଆଦ୍ୟା କୁ ଚାହିଁ କହିଲା,
" ତମେ ନଥିଲେ ଆଜି ମୋର ଏଇ ରକ୍ତ ମାଂସ ରେ ଗଢା ହୋଇଥିବା ଶରୀର ଟା ନ ଥାଆନ୍ତା? ନିଜ ଜୀବନ କୁ ପାଣି ଛଡେଇ ସେଇ ବିଶାଳକାୟ ବାର ଚକିଆ ଟ୍ରକ ଆଗକୁ ଡେଇଁ ପଡି ମତେ ବଞ୍ଚେଇ ନ ଥିଲେ ମୁଁ ପଞ୍ଚ ଭୂତ ରେ ଲୀନ ହୋଇ ଯାଇ ଥାନ୍ତି। ସୁନ୍ଦରତା ଅବୟବ ରେ ନଥାଏ, ଥାଏ ହୃଦୟରେ।"
ତା' ପ୍ରଶସ୍ତି କୁ କାନ ଡେରି ନ ଶୁଣି ଆଦ୍ୟା କହିଲା,"ଏଇଟା ମୋ ସହଜାତ ଗୁଣ। ମୁଁ କାହାକୁ ବିପଦ ରେ ଛାଡି ଦେଇ ଚାଲି ଯାଇ ପାରେନି।ମୁଁ ଗଛ ଚଢା ଓ ପାହାଡ ଚଢା ରେ ପାରଙ୍ଗମ।ଜଣେ ଉଚ୍ଚକୋଟୀର ଧାବିକା, ସନ୍ତରଣ ରେ ପଟୁ। ମହାନଦୀ କୁ ଲମ୍ଫ ଦେଇ ଅତଳ ତଳ ପାଣି ରେ ସନ୍ତରଣ କରି କେତେ ଜୀବନ ବଞ୍ଚେଇଛି। ସମସ୍ତେ ନିଜ ପାଇଁ ଜିଅଁନ୍ତି।ମୋ ଜୀବନ କିନ୍ତୁ ଅନ୍ୟ ପାଇଁ ସମର୍ପିତ। ସେଇ କ୍ରମରେ ତମକୁ ମରଣ ମୁହଁ ରୁ ଘେନି ଆଣି ନୂଆ ଜୀବନ ଦେବା ମୋ ପାଇଁ ନୂତନତ୍ବ ନୁହେଁ। ଭଲ କାମ ଟିଏ କରି ଦେଲେ ଜଣେ ଭଲ ପାଇବ ହିଁ ପାଇବ। ଚାହିଁବ ବି ମତେ ପାଇବା ଲାଗି। ମୁଁ ଜଣେ ,ପଣେ ଲୋକଙ୍କର କେମିତି ହେବି?"
"କାହାର ହୁଅ ନ ହୁଅ ମୋର ହେବ। ଆଜିଠାରୁ ତମ ପାଇଁ ଯାହା ଦରକାର କରିବି।ତମେ ମତେ ଛାଡି ରହି ପାରିବନି।"
ଏତିକି କହିଦେଇ ସେ ତା'ମୁହଁ କୁ ଚାହିଁଲା।ଟିକେ ଟିକେ ହସୁଥିଲା ସେ । ବାଃ ଚମତ୍କାର। ଶିକାର ତା' କବଜାରେ । ସଂପୂର୍ଣ୍ଣ ଭାବେ ତା' ଜାଲରେ ପଡିବା ପର୍ଯ୍ୟନ୍ତ ତାକୁ ଅପେକ୍ଷା କରିବାକୁ ପଡିବ। ସେ ଯିବା ପୂର୍ବରୁ ଫୋନ ନମ୍ବର ଓ ସଂପୂର୍ଣ୍ଣ ଠିକଣା ଥିବା କାର୍ଡ ଟିଏ ତାକୁ ଦେଇ ଯାଇଥିଲା।
ଆଦ୍ୟା ର ଖବର ସେ ରଖିଥାଏ। ତା'ର କାର୍ଯ୍ୟ ସୂଚି ଅଭିଜିତ ର ସହାୟକ ମାନେ ତାକୁ ଅବଗତ କରାନ୍ତି। ସେ ଏକ ଇଂରାଜୀ ମିଡିଆ ସ୍କୁଲରେ ଚାକିରି କରେ। ସହର ରେ ଏକ ଗଳିରେ ତା'ର ଘର। ତା' ପଛକୁ ପଛ ଆହୁରି ଦୁଇ ଜଣ ଭାଇ ଅଛନ୍ତି।ନିମ୍ନ ମଧ୍ୟବିତ୍ତ ପରିବାର। ବାପାଙ୍କର ଏକ ପ୍ରେସ ଅଛି। ସଂଧ୍ୟାରେ ସେଠି ସେ କାମ କରେ।
ସେଥିରୁ ସେ ବୁଝିପାରେ, ଆଦ୍ୟା ର ଅଭାବ ତାକୁ ନିକଟବର୍ତ୍ତୀ କରାଇବ ତା' ସହ। ଏଇଟା ଗୋଟେ ଭଲ ସୂଚନା। ସ୍କୁଲ ଯେତିକି ଦିଏ ତା'ଠାରୁ ବେଶୀ ଦେବା ପାଇଁ ତା'ସାଙ୍ଗରେ କଥା ବାର୍ତ୍ତା ହେବା ଦରକାର ଭାବି ତାକୁ ଅନୁସରଣ କରି ପ୍ରାତଃ ଭ୍ରମଣ ସମୟରେ ତାକୁ ଦେଖା କଲା;ଚମକି ପଡିବା ପରି କରି କହିଲା,"ତମେ ସକାଳେ ଚାଲ କି! ମୁଁ ବି ଚାଲେ ଏଇ ରାସ୍ତାରେ। କାଇଁ କେବେ ବି ଦେଖା ହୁଏନି ?"
"ଦେଖା ହୁଏନି,ମୁଁ କ'ଣ କରି ପାରିବି?"
ଏତିକି କହି ସେ ଚାଲି ଯାଉଥିଲା। ତାକୁ ଅଟକେଇ ପଚାରିଲା ,"ବାଇ ଦି ୱେ ତମେ କ'ଣ କର? ତମ ପରିବାର ,ଭାଇ ଭଉଣୀ ଇତ୍ୟାଦି....।"
"ତମକୁ ସେଥିରୁ କ'ଣ ମିଳିବ?"ତା'ମୁହଁ କୁ ଚାହିଁ ତାକୁ ସେ ପଚାରିଲା।
ହତୋତ୍ସାହିତ ନ ହୋଇ ସେ ସାମାନ୍ୟ ହସି କହିଲା," ତମେ ଯାହା କରୁଚ ମାନେ ଚାକିରିଟିଏ ତ କରିଥିବ,ସେ ଚାକିରି ରୁ ଯେତିକି ଦରମା ପାଉଛ ତା'ଠାରୁ ଅଧିକ ଦେଲେ ମୋ ଅନୁଷ୍ଠାନ ରେ ଚାକିରି କରିବ?" ପ୍ରଶ୍ନ ଥିଲା ସଂକ୍ଷିପ୍ତ।
ସାମାନ୍ୟ ବିବ୍ରତ ହୋଇ ଆଦ୍ୟା ପଚାରିଲା,"ତମ ଅନୁଷ୍ଠାନ ମାନେ? ଖୋଲି କରି କୁହ।"
"ହଁ ମୋ ବାପାଙ୍କର ଶେଷ ଇଚ୍ଛା ସେଇୟା ଥିଲା । ତା'ପାଇଁ ଅଲଗା ଫଣ୍ଡ ବି ରଖି ଯାଇ ଛନ୍ତି। ଏଇ ଅନୁଷ୍ଠାନର କାମ ହେଲା, ବିଧବା, ସ୍ବାମୀ ପରିତ୍ୟକ୍ତ,ପ୍ରେମିକ ଠାରୁ ଧୋକା ଖାଇ ଅର୍ଦ୍ଧ ପାଗଳୀ ମାନଙ୍କର ଥଇଥାନ କରିବା। ସେମାନଙ୍କର ଯତ୍ନ ନେବା, ସେମାନଙ୍କ ସହ ମିଶି ଗଳ୍ପ,ଗୀତ ମାଧ୍ୟମରେ ସେମାନଙ୍କୁ ଖୁସି କରିବ ଏମିତି ସବୁ କାମ ଆଉ...।"
"ଠିକ୍ ଅଛି ମୁଁ ଜଣେଇବି,"କହି ସିଏ ତାକୁ ଛାଡି ଆଗକୁ ପାଦ ରଖିଲା।
"ବାଃ, ଏଥର ବି କୃତକାର୍ଯ୍ୟ।" ଅଭିଜିତ ଦ୍ରୁତ ଗତିରେ ଅନ୍ୟ ଏକ ରାସ୍ତା ରେ ଚାଲିଲା।
ଦିନେ ଦି'ଦିନ ପରେ,"ହଁ ମୁଁ ରାଜି"ବୋଲି ଆଦ୍ୟା ଫୋନ କରି କହିଲା ଅଭିଜିତ କୁ। ତା'ପୂର୍ବରୁ ସେ ତା'ର ଇସ୍ତଫା ପତ୍ର ଚାକିରି କରୁଥିବା ସ୍କୁଲ କୁ ପଠେଇ ଦେଇ ଥିଲା।
"ତମ ପାଖରେ କାର୍ଡ ରେ ଥିବା ଠିକଣା ଅନୁସାରେ ଆସି ମତେ ଦେଖା କର।"ଫୋନ ବିଯୋଗ ହେଇଥିଲା।
ଆସିବାବେଳେ ତା'ସାଙ୍ଗରେ କେହି ନଥିଲେ ବି ତା'ମନୋବଳ ଥିଲା। ଯେ କୌଣସି ପରିସ୍ଥିତି କୁ ମୁକାବିଲା କରିବା ପାଇଁ ସାହସ ଥିଲା ତା'ର।
ଷ୍ଟେସନ ଛକରେ ଅବସ୍ଥିତ ଅଫିସ୍ ରେ ପହଞ୍ଚି ସେ କଲିଙ୍ଗ ବେଲ ଚିପିଲା। ଦ୍ବାର ଖୋଲିଲା ଜଣେ ବିଶାଳକାୟ ଲୋକ। ତାକୁ ଚାହିଁ ସେ ନିଶ ସାଉଁଳୁ ଥିଲା।ଓଠରେ ଜିଭ ଲଗେଇ ଚାଟୁ ଥିଲା।କ୍ଷଣକରେ ସେ ଦୃଢ ହୋଇ ଯାଇ ଭିତର କୁ ପଶିଲା।
ଚକ ଲାଗିଥିବା ଚଉକି ରେ ବସି ସେ ଚକ୍ର ପରି ବୁଲୁ ଥିଲା ଅଭିଜିତ।
ଆଦ୍ୟା ଯାହା ଦେଖୁଥିଲା ତାକୁ ସତ ପରି ଲାଗୁ ନ ଥିଲା ।ସେ ଦିନ ମହାଷ୍ଟମୀ,ଅନ୍ୟ ଦିନ ପ୍ରାତଃ ଭ୍ରମଣ ର ଅଭିଜିତ ଏବଂ ଆଜିର ଅଭିଜିତ ଭିତରେ ଆକାଶ ପାତାଳ ପାର୍ଥକ୍ୟ। ସିଗାରେଟ ଧୂଆଁ ରେ ପରିପୂର୍ଣ୍ଣ କୋଠରି ଟିରେ ନିଶ୍ଵାସ ନେବାରେ ଅସୁବିଧା ଲାଗୁ ଥିଲା ତାକୁ।
ସେ ସେମିତି କିଛି ସମୟ ଠିଆ ହୋଇ,ଅନୁମତି ମାଗିଲା,"ମୁଁ ବସି ପାରିବି ?"
"ବସ ବସ। ସୋରି, ମୁଁ ଗୋଟେ ବଡ ଚିନ୍ତା ରେ ବୁଡି ଯାଇଥିଲି। ହଁ ତମେ ତ ଆସିଗଲ ଆଉ ଚିନ୍ତା କ'ଣ?ତମ ଡିଉଟି ଆଜି ଠାରୁ ଆରମ୍ଭ। ସୁନା ପରି ଚକ୍ ଚକ୍ କରୁଥିବା ଡିଜିଟାଲ ୱାଚ ଦେଖି ସେ କହିଲା,"ଏଇ ତ ଗାଡି ପହଞ୍ଚି ଯିବ। ତୁମେ ପ୍ଲାଟଫର୍ମ ଭିତର କୁ ଯାଅ; ରିସିଭ୍ କରିବ କୋଲକାତା ରୁ ଆସୁଥିବା କିଛି ତରୁଣୀ ଙ୍କୁ।ମୁଁ ଗୋଟେ ଆଇ.ଡି. କାର୍ଡ ଦେଉଛି ସେଇ ଝିଅ ମାନଙ୍କୁ ଦେଖେଇଲେ ସେମାନେ ତମକୁ ଅନୁସରଣ କରିବେ। ସେମାନେ ଗୋଟିଏ ରଙ୍ଗର ଶାଢୀ ପିନ୍ଧି ଥିବେ ଚିହ୍ନିବାରେ ଅସୁବିଧା ହେବନି। ଯାଅ।"
"ତାପରେ କ'ଣ କରିବି?" ସନ୍ଦିଗ୍ଧ ଆଦ୍ୟା ପଚାରିଲା।
"ଦୁଇ ତିନିଟି କଳା କଲର ର କାର ସେମାନଙ୍କୁ ନେଇଯିବ। ତା ପରର କାମ ମୁଁ କହିବି।ଏବେ ଏତିକି କାମ।"
ଆଦ୍ୟା ତା'କଥା ପାଳନ କରିବ କି ନାହିଁ ଭାବୁ ଭାବୁ ଆ.ଡି ଟି ଧରି ଏକ ନମ୍ବର ପ୍ଲାଟଫର୍ମ ରେ ପହଞ୍ଚିବା ବେଳକୁ, ହାଉଡା-ପୁରୀ ଡାଉନ୍ ଟ୍ରେନ ଲାଗି ଯାଇଥିଲା । ସେ ଚଟାପଟ ନିର୍ଦ୍ଧାରିତ ବଗି କୁ ଉଠି ଯାଇ, ଏକା ରଙ୍ଗର ଶାଢୀ ପିନ୍ଧି ଆସିଥିବା ସତର ରୁ କୋଡିଏ ବର୍ଷ ର ଝିଅ ମାନଙ୍କୁ ଆଇ. ଡି. ଦେଖେଇ ପ୍ଲାଟଫର୍ମ କୁ ଓହ୍ଲେଇ ଆଣିଲା। ସେମାନେ ଭୟ ଭୀତ ଦିଶୁଥିଲେ।
ତା'ଆଗରେ ଜଳ ଜଳ ଦିଶୁଥିଲା ।କଥା କିଛି ଅଲଗା।କିନ୍ତୁ ସେ ଆଉ ପଛକୁ ଫେରି ଯିବନି। ପ୍ରକୃତ ସତ୍ୟ ସମସ୍ତଙ୍କ ଆଖି ଆଗକୁ ଆଣିବ।
ସେମାନେ ଯିବା ପରେ ଏଇ ସିଡି ଚଢ଼ିଲା ଅଭିଜିତ ରୁମ ପହଞ୍ଚିବା ପାଇଁ। ପରଦା ଆଡେଇ ଭିତର କୁ ପଶି ପଚାରିଲା,"ଆଜି ରାତିରେ ଆଉ କି କାମ ରହିଲା?"
"ତମେ ଶତକଡା ଶହେ ରଖି ପାଶ କରିଛ। ଏବେ ଯାଇ ପାର । ପାଞ୍ଚ ହଜାର ଟଙ୍କା ର ଚେକ ଧର । ଏଇଟା ଅଗ୍ରୀମ।ବାକି କୋଡିଏ ହଜାର ମାସ ଶେଷରେ। କାଲି ଏଇ ସମୟରେ ଆସିବ। ଆଜି ଯେଉଁ କାମ କଲ କାଲି ଠିକ୍ ସେଇ କାମ। ତମେ ଆସି ପାର।"
ଅଟୋ ରେ ବସିବା ବେଳେ ଆଦ୍ୟା ଭାବୁଥିଲା ଏହାର ଚେର ବହୁ ଭିତରକୁ ଲମ୍ବିଛି। ତାକୁ ସପ୍ତ ତାଳ ଭେଦ କରିବାକୁ ହେବ। ଯୋଉ ଝିଅ ମାନଙ୍କୁ ଟ୍ରେନ ରୁ ଖଲାସ କରି ଆଣିଲା,ସେମାନେ କୋଉଠୁ ଆସିଛନ୍ତି?ସତରେ କ'ଣ ଏଇ ଅଭିଜିତ ଏତେ ମହାନ;ସେ ଯାହା କହିଲା ସବୁ ସତ? ଡ୍ରେସ କୋଡ କାହିକିଁ? କଳା କାର ଗୁଡିକରେ ସେଇ ଝିଅ ମାନ କୋଉଠି କୁ ଗଲେ? ଏକା ସମୟରେ ଏତେ ଗୁଡାଏ ପ୍ରଶ୍ନର ଉତ୍ତର ତା'ମସ୍ତିସ୍କ ର ସ୍ନାୟୁ ଗୁଡିକୁ ଉତ୍ତେଜିତ କରୁଥିଲା। ସେ ଆଶାବାଦୀ ଯେ ସବୁ ପ୍ରଶ୍ନର ଉତ୍ତର ଧିରେ ଧିରେ ତାକୁ ମିଳିଯିବ।
ତାପର ଦିନ ଆଦ୍ୟା ଅଫିସ ନ ଯାଇ ସିଧା ଷ୍ଟେସନ କୁ ଯାଇ ହାୱଡା-ପୁରୀ ଡାଉନ୍ ଟ୍ରେନକୁ ଅପେକ୍ଷା କରିଥିଲା।ଆସିଗଲା ଟ୍ରେନ। ସେ ପୂର୍ବ ଦିନ ପରି ସାଙ୍କେତିକ ଚିହ୍ନ ଦେଖେଇ ସୁପର ସୁନ୍ଦରୀ ମାନଙ୍କୁ କାର ପର୍ଯ୍ୟନ୍ତ ନେବା ବେଳେ ପଚାରିଲା," ତମେ ସବୁ ପହଞ୍ଚିବାର ଠିକଣା ଜାଣିଛ?"
ସେମାନେ କିଛି କହୁ ନଥିଲେ କେବଳ ଇଆଡେ ସିଆଡେ ଭୟଭୀତ ହୋଇ ଚାହୁଁଥିଲେ । ସେଇ ସମୟରେ ରେଲୱେ ପୁଲିସ କୁ ଦେଖି ଜଣକ ପାଟିରୁ ଆପଣା ଛାଏଁ ବାହାରି ପଡିଲା "ପୁଲିସ"।
ଆଦ୍ୟା ଚମକି ପଡି ଚାରିଆଡେ ଚାହିଁଲା। ପୁଲିସ ସେମାନଙ୍କ ଆଡକୁ ମାଡି ଆସୁଥିଲା।କିନ୍ତୁ ସେତେବେଳ କୁ ସେମାନେ ପ୍ଲାଟଫର୍ମ ବାହାରେ।ସେମାନେ ଦ୍ରୁତ ଗତିରେ କାର ଭିତରକୁ ପଶି ଯାଇଥିଲେ।
କାର ଷ୍ଟାର୍ଟ କରିବା ପୂର୍ବରୁ ଆଦ୍ୟା ଡ୍ରାଇଭର କୁ ପଚାରିଲା,"ଭାଇ,ଏମାନଙ୍କୁ କୋଉଠି କୁ ନେଇ ଯାଉଛ?"
"ମୁଁ ସେ ଜାଗାର ନାଁ ଜାଣିନି। ମାଲିକ କୁ ପଚାରିବ। ତମ କାମ ଏବେ ଶେଷ ହୋଇ ଯାଇଛି। ମାଲିକକୁ ଯାଇ କହି ଦିଅ ।"
ଝିଅ ମାନଙ୍କର ପୁଲିସ ଭୟ, ଦ୍ରୁତ ଗତିରେ କାର ଭିତରକୁ ପଶିଯିବା, ଡ୍ରାଇଭର ର ଆତଙ୍କିତ ଚେହେରା;ଏ ସବୁ ମିଶି ଯିବା ବଳକୁ ସେ ଗୋଲକ ଧନ୍ଦାରେ ପଡି ଯାଇଥିଲା। ସେ ଅଭିଜିତ କୁ ଦେଖାକରି ତା'କାମ ସରିଛି କହି ତଳକୁ ଆସିଲା।କାର ନମ୍ବର ମନେ ରଖି ଥିବାରୁ ସେଇ କାର ପିଛା କରିବା ପାଇଁ ଗୋଟେ କାର କୁ କହିବାରୁ ସେ ପଚାରିଲା,"କଳା ରଙ୍ଗର କାର ଟି? ନାଇଁ ସେ ଖତରନାକ୍ ଡ଼୍ରାଇଭରର ପିଛା ସେ କରି ପାରିବନିନି। ଗୁଳିରେ ମତେ ସେ ଉଡେଇ ଦବ।"
ଏମିତି କିଛିଦିନ ଗଲାପରେ ଆଦ୍ୟା ତା' ହାତରେ ଦୁଇଶ ଟଙ୍କା ଗୁଞ୍ଜି ଦେଇ କହିଲା,"ଭାଇ, ମତେ ତମେ ତମ ସାଙ୍ଗରେ ନ ନେଲେ ବି ଠିକଣା କହି ଦିଅ।"
ଡ୍ରାଇଭର ଭାବିବା ପାଇଁ କି ଟିକେ ସମୟ ନେଇ କହିଲା,"ହଉ ତମେ ଗାଡିରେ ବସ ତମକୁ ସେ ଅନ୍ଧାରିଆ ଗଳି ମୁଣ୍ଡରେ ଛାଡି ଦେବି। ତମେ ଦୂରରୁ ଥାଇ ଦେଖିବ ସେଇ ଘରଟି କୁ। ମୁଁ ଏମାନଙ୍କୁ ଛାଡି ଦେଇ ଆସିଲେ, ତମକୁ ଯେଉଁ ଠାରୁ ଆଣିଥିଲି ସେଇଠି ପହଞ୍ଚେଇ ଦେବି।"
ଆଦ୍ୟା ଗାଡିରେ ବସିଗଲା। ଗଳି ମୁଣ୍ଡରେ ତାକୁ ଛାଡି ସେଇ ଝିଅ ମାନଙ୍କୁ ସାଙ୍ଗରେ ନେଇ ଗୋଟେ କୋଠା ଆଗରେ ଠିଆ ହୋଇ ସେମାନଙ୍କୁ ଇଙ୍ଗିତରେ ସବୁ ବୁଝେଇ ଦେବା ର ଅବସରରେ ଆଦ୍ୟା ଲୋକେସନ ସୁଟିଂ କରି ନେଇଥିଲା।ତାକୁ ଅଫିସ ତଳେ ଓହ୍ଲେଇ ଦେଇ ସେ ପଳେଇଲା। ସେ ବୁଝି ସାରିଥିଲା ଏବେ ଠାରୁ ତା'ଭୂମିକା କ'ଣ ହେବ।
ସେ ପରଦା ଟେକି ଅଭିଜିତ ର କୋଠରୀ ରେ ପ୍ରବେଶ କରୁ କରୁ ହାତ ଟେକି, "ହାଏ ଡିଅର" କହି ତା ଅତି ନିକଟ କୁ ଯାଇ ହସ୍ତ ମର୍ଦନ କରି କହିଲା,"ନିଦ ଭରା ରାତି, ମଧୁଝରା ଜହ୍ନ" ସତରେ ଚାହୁଁ ଚାହୁଁ ପାର୍ବଣ ର ରଙ୍ଗିନ ରାତି ସରି ଯାଉଛି,ଆମେ ତାକୁ ଏଞ୍ଜୟ୍ କରି ପାରୁନି। ଚାଲନା ମୁଁ ତୁମର ଅଭିସାରିକା ସାଜି ତମ ସହିତ ରାତି ବିତେଇ ବି।"
ଅଭିଜିତ ଇଷତ ହସି କହିଲା,"ମୁଁ କ'ଣ ମନା କରୁଚି? କିନ୍ତୁ କାମ ଚାପ ବହୁତ। ଆମ ଜୀବନରେ କେତେ ପାର୍ବଣ ଆସିବ। ଆଜି ମୁଁ ପ୍ରସ୍ତୁତ ନୁହେଁ। ପ୍ଲିଜ ଆଜି ଦିନଟା ଛାଡ଼ିଦିଅ।"
ସେ ତା'ମୁହଁ ରେ 'କିସ୍' ଟିଏ ଦେଉ ଦେଉ ଆଦ୍ୟା ତା' କବଳରୁ ମୁକ୍ତ ହୋଇ ଆସିଥିଲା। ଡ୍ର ଖୋଲି ସେ ଗୋଟେ ଟଙ୍କା ବିଡା ତା' ହାତରେ ଧରେଇ ଦେଇଥିଲା ଅଭିଜିତ।
ଏବେ ଏଣିକି ସେ ଦୁହେଁ ପରଷ୍ପର ସହ ସହଜ ଭାବରେ ମିଳାମିଶା ମିଶା କରୁଥିଲେ। ପାର୍ଟି, ପିକନିକ ଯାଉଥିଲେ।ଧୀରେ ଧୀରେ ସେ ଅଭିଜିତ ର କଳା ସାମ୍ରାଜ୍ୟ ଭିତର କୁ ପ୍ରବେଶ କରି ଜାଣିବାକୁ ପାଇଥିଲା ପୁରୀ-ହାୱଡା ଏକ୍ସପ୍ରେସ ରେ ଆସୁଥିବା ଝିଅମାନେ ସଂଧ୍ୟାରେ ପହଞ୍ଚି ପାହାନ୍ତିଆ ପଳେଇ ଯାନ୍ତି।ସେମାନଙ୍କୁ ମୋଟା ଅଙ୍କ ର ଟଙ୍କା ନେଇ ଯୌନ କର୍ମ ରେ ଲିପ୍ତ ରହୁଥିଲେ। ଦଲାଲ ମାନେ ସେମାନଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ଏଇ ଘୃଣ୍ୟ କାମରେ ନିଯୁକ୍ତ କରୁଥିଲେ। ସେମାନେ ଥିଲେ ରାତ୍ରି ର ଯାତ୍ରୀ। ଅନିଚ୍ଛା ସମୟ କ୍ରମେ ଇଚ୍ଛା ରେ ପରିଣତ ହୋଇଥିଲା। ଏତେ କମ ସମୟ ଭିତରେ ଦେହ ବିକି ହଜାର ହଜାର କମେଇବା ସେମାନଙ୍କୁ ସ୍ବପ୍ନ ପରି ଲାଗୁଥିଲା। ମନ୍ତ୍ରୀ ନେତା ମାନେ ମାଲେମାଲ ହେଉଥିଲେ ପାର୍ବଣ ଉପଲକ୍ଷେ।ପୁଲିସ କୁ ବି ସନ୍ତୁଷ୍ଟ କରି ରଖୁଥିଲା ଅଭିଜିତ।ପୁଲିସ କାହାର ନୁହେଁ। ସେ ଦିନ ଆଦ୍ୟା ତାହା ପ୍ରମାଣ କରିଥିଲା ସେଦିନ। ସ୍ପଟ୍ ରେ ଦଲାଲ ଏବଂ ସେଇ ଝିଅ ମାନଙ୍କୁ ଧରେଇ ସେ ପୁଲିସ କୁ ଧମକ ଦେଇଥିଲା ,"ଏମାନଙ୍କ ବିରୁଦ୍ଧରେ ଯଦି କିଛି କାର୍ଯ୍ୟାନୁଷ୍ଠାନ ନ ହୁଏ ତାହେଲେ ମୁଁ ଡିଆଇଜି କୁ ଫୋନ କରିବି।"
ଅଭିଜିତ ର କାର୍ଯ୍ୟାଳୟ ରେ ପ୍ରବେଶ କରି ତାକୁ ଗିରଫ କରିଥିଲା ପୁଲିସ।ସିଜ କରିଥିଲା ତା'ର ବ୍ୟାଙ୍କ ଆକାଉଣ୍ଟ କୁ।
ସେ ପୁଲିସ ଜିପ ରେ ବସି ଯିବା ବେଳେ ତାକୁ ଆଦ୍ୟା କହିଲା,"ବନ୍ଧୁ ମୋର ଏଇ ଦଶହରା ଉପହାର କୁ ସାଦରେ ଗ୍ରହଣ କରିବ।"
... ... ...... ।
