ପାଞ୍ଚ କିଲୋ ଚାଉଳ, ପାଞ୍ଚଶହ ଟଙ୍କା
ପାଞ୍ଚ କିଲୋ ଚାଉଳ, ପାଞ୍ଚଶହ ଟଙ୍କା
ଆଜି ବି ମେହୁଲ୍ ଆସିଥିଲା ଆମ ଘରକୁ.... ସବୁଥର ପରି ପାଞ୍ଚ ଶହ ଟଙ୍କା ଆଉ ପାଞ୍ଚ କିଲୋ ଚାଉଳ ଥୋଇ ଦେଇଗଲା ଘର ଭିତରେ। ଭିତରକୁ ଆସେନି ସେ। ବାହାରେ ଛିଡ଼ା ହୋଇ ଡାକେ, ପଲବୀ ! ଚାଉଳ ଆଉ ଟଙ୍କା ଥୋଇ ଦେଇଛି ଦ୍ଵାର ମୁହଁରେ । ଉଠେଇ ନେ। ମାସକୁ ଥରେ ଆସେ ସେ ଆମ ଘରକୁ । ତା ଆଗକୁ ମୁଁ କେବେ ଆସେନି। ଭାରି ଭୟ। ଗାଆଁ ଲୋକଙ୍କ ମୁହଁରେ ବାଡ ବତା ନାହିଁ। ତିଳକୁ ତାଳ କରି କହିବେ। ସେଇଥି ପାଇଁ ମେହୁଲ୍ ଡାକିଲେ ବି ମୁଁ ବାହାରକୁ ଆସେନି। ଭିତରେ ବସିଥାଏ, ଝର୍କା ଦେଇ ଅନାଏ ବାହାରକୁ। ଡାକେ ବାଟ ଚାଲି ଯାଇଥାଏ ସେତେବେଳକୁ। ଟଙ୍କା ଆଉ ଚାଉଳ ଦ୍ଵାର ମୁହଁରୁ ଉଠେଇ ଭିତରକୁ ନେଇ ଆସିଲି।
ବାପା ନାହାନ୍ତି, ବୋଉ ବଞ୍ଚିବା ନ ବଞ୍ଚିବା ସମାନ। ଖାଲି ରାତିଟାକୁ ବାଦ ଦେଲେ ବସି ରହିଥାଏ ଦଉଡ଼ିଆ ଖଟ ଉପରେ। ଜୁଳୁ ଜୁଳୁ କରି ଚାହିଁ ରହିଥାଏ ମୋ ମୁହଁକୁ। କଥା କହି ପାରେନି। ମେହୁଲର ବାପା କୁଆଡେ଼ ଦୁଷ୍କର୍ମ କରିଥିଲା ମୋ ବୋଉ ସହିତ। ଅତ୍ୟଧିକ ଭୟରେ ବାକଶକ୍ତି ହରେଇ ବସିଥିଲା ମୋ ବୋଉ, ସେଇଦିନ ସେଇ ଭୟଙ୍କର ରାତିରେ। ମୁଁ କୁଆଡେ ବହୁତ ଛୋଟ ଥିଲି ସେତେବେଳେ। ଗାଆଁରେ ପଞ୍ଚାୟତ ବସିଥିଲା। ମୋ ବୋଉ ବଞ୍ଚିଥିବା ଯାଏ ପାଞ୍ଚ କିଲୋ ଚାଉଳ ଓ ପାଞ୍ଚ ଶହ ଟଙ୍କା ପ୍ରତିମାସ ପାଇବ ସେ ମେହୁଲ୍ ଘରୁ। ମେହୁଲର ବାପା ମାଆ ମରି ଗଲେଣି କେବେଠୁ। ସର୍ତ୍ତ ଅନୁସାରେ ମେହୁଲ୍ ଭରୁଛି। କିଛି ବାଦ ବିବାଦ ନାହିଁ। ଗାଆଁ ମୁଖିଆ ମଝିରେ ମଝିରେ ଆସି ପଚାରି ଯାଏ, ମେହୁଲ୍ ଘରୁ ଚାଉଳ ଆଉ ଟଙ୍କା ଠିକ୍ ଠାକ୍ ଆସୁଛି ତ !! ନ ହେଲେ କହିବ ।
ଆଜି ଅଲଗା ଲାଗୁଥିଲା ମେହୁଲ୍। ତା ଡାକ ଭିତରେ ନିଖୁଣ ଅସହାୟତା ଥିଲା। କାହିଁକି କେଜାଣି ?? ମେଘମାଳା ବାର୍ତ୍ତା ନେଇ ଆସେ ଆକାଶ ପାଇଁ, କିଛି କଥା ଆକାଶର ମନକୁ ଛୁଇଁଯାଏ। ଆଉ କିଛି ଶବ୍ଦ ପାହାଡ ଦେହରେ ଲାଖିଯାଏ ଯେ ଫେରି ପାରେନି। କିଛି ମୁହୂର୍ତ୍ତ ସ୍ମୃତି ହୋଇ ରହିଯାଏ ହୃଦୟରେ। ବହୁତ ଅଲଗା ଥିଲା ମେହୁଲର ଶବ୍ଦ ସଂଯୋଜନା, କାହିଁକି କେଜାଣି !!
ଝର୍କା ଦେଇ ଅନେଇଲି ମେହୁଲକୁ। ଖଣ୍ଡେ ଦୂର ଚାଲି ଯାଇଥିଲା ସେ । ଚାଉଳ ବେଗଟିକୁ ଉଠେଇ ନେଲା ବେଳକୁ ଦେଖିଲି, ଚିଠିଟିଏ ତା ଭିତରେ। ବୋଉ ଜାଣି ପାରିଲାନି, ଚିଠିଟିକୁ ନେଇ ଝୁମ୍ପୁଡ଼ି ପଛରେ ଥିବା ସଜନା ଗଛକୁ ଡେରି ପଢିଲି।
ପଲବୀ ! ଘଟଣାଟି ଘଟିଲା ବେଳକୁ ତୁ ବହୁତ ଛୋଟ ଥିଲୁ। ମୁଁ ମୋ ବୋଉର ହାତ ଧରି ଛିଡା ହୋଇଥିଲି ପଞ୍ଚାୟତ ବିଚାର ଭିତରେ। ତୁ ତୋ ବୋଉ କୋଳରେ ଶୋଇ ପଡିଥିଲୁ, ସ୍ପଷ୍ଟ ମନେ ଅଛି। ଯୁକ୍ତି ବାଢୁଥିଲେ ତୋ ବାପା ନିଃସହାୟ ସୈନିକ ପରି। ସ୍ଵାଭାବିକ, ସବୁ ତୋ ମାଆ ସପକ୍ଷରେ କହୁଥିଲେ ସେ। ମୋ ବାପା ପଥର ପାଲଟି ଯାଇଥିଲେ ସମ୍ପୂର୍ଣ୍ଣ ଭାବରେ। ସର୍ବସମ୍ମତି କ୍ରମେ ସ୍ଥିର ହେଲା ତୋ ବୋଉ ବଞ୍ଚିଥିବା ଯାଏ ଆମ ଘରୁ ମାସକୁ ପାଞ୍ଚ ଶହ ଟଙ୍କା ଆଉ ପାଞ୍ଚ କିଲୋ ଚାଉଳ ତୋ ଘରେ ପହଞ୍ଚିବ ନିଃସର୍ତ୍ତରେ। ମୋ ବାପା ମାଆ ମରି ଗଲେଣି କେବେଠୁ। ତୋ ଘରକୁ ଚାଉଳ ଆଉ ଟଙ୍କା ପଠେଇବା ଦାୟିତ୍ଵ ନ୍ୟସ୍ତ ହୋଇଛି ମୋ ଉପରେ। କେତେ ଜନ୍ମ ଲାଗିବ କେଜାଣି ଏଇ ମହାପାପର ପ୍ରାୟଶ୍ଚିତ ପାଇଁ। ଅନେକ ପିତା ଗଛର ଫଳ ମିଠା ବୋଲି ଶୁଣିଛି। ଦର୍ସ୍ୟୁ ରତ୍ନାକରରୁ ବାଲ୍ମୀକି ପର୍ଯ୍ୟନ୍ତ କାହାଣୀ ଭିତରେ ହଜି ଯାଇ ଯୁକ୍ତାତ୍ମକ ଢଙ୍ଗରେ ଜୀବନକୁ ଅନୁଧ୍ୟାନ କରେ, ତଥାପି ମୋତେ କେହି ମୁଣ୍ଡ ଟେକି ଚାହିଁବାର ଦେଖିନି। ବାପାଙ୍କ କୁକର୍ମର ଫଳ ମୁଁ ଭୋଗୁଛି। ମୁଁ ଜାଣିନାହିଁ ମୋର ଭୁଲ କୋଉଠି ??
ପଲବୀ ! ଯେତେ ବଡ ହେଇଥାଏ ବାପାଙ୍କ ପ୍ରତି ସେତେ ଘୃଣା ଧୀରେ ଧୀରେ ମୋ ଭିତରେ ଜମାଟ ବାନ୍ଧୁଥିଲା। କଣ ଆଉ କରିଥାନ୍ତି, ବାପା ତ ! ଅନୁତାପର ନିଆଁରେ ଜଳି ଜଳି ପାଉଁଶ ହୋଇ ଯାଉଥିଲେ ସେ। ଗର୍ବ, ଅହଙ୍କାର ସବୁ ତାଙ୍କ ଭିତରେ ଚୂରମାର ହେଇ ଯିବାର ଅତି ପାଖରୁ ଦେଖିଛି। ଖାଲି ବଞ୍ଚିବାକୁ ହୁଏ ବୋଲି ବୋଉର ନିଃଶ୍ୱାସ ପ୍ରଶ୍ଵାସ ଚାଲିଥିଲା, ବାସ୍। ମୁଣ୍ଡ ଉଠାଇ ବାପାଙ୍କୁ ଦେଖେନି, ନା ବାପାଙ୍କର ସତସାହାସ ଥାଏ ଆମ ଦୁହିଁଙ୍କୁ ଅନେଇବା ପାଇଁ। ଗୋଟାଏ ଭୁଲ ଦୁଇଟି ପରିବାରକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା ପଲବୀ। ଆମ ପରିବାର ଆଉ ତୋ ପରିବାର...
ଦୁଇଟି ପରିବାର ଏମିତି ବଦନାମ ହେଲା ଯେ ନା ତୁ ବାହା ଗଲୁ ନା ମୋତେ କିଏ ବାହାହେଲା। ବୟସ ବି କାହିଁ ? ସମୟ କଣ କାହାକୁ ଅପେକ୍ଷା କରେ ?
ପ୍ରତିଦିନ ଯେତେବେଳେ ଗାଈ ଚରେଇ ଆମ ଘର ଆଗ ଦେଇ ଫେରୁ ଘରକୁ, ତୋ ମୁହଁ ଉପରେ ଅସହାୟତାକୁ ଦେଖେ ମୁଁ ଆମ ଘର ଝର୍କା ଦେଇ । ଭାବେ ତୋ ସାଥିରେ କିଛି କଥା ହେବି, କିଛି ଆଶ୍ୱାସନା ଦେବି। ଭୟ କରେ, କିଏ କଣ କହିବ। ଆମ ଘର ଆଗରେ ସରପଞ୍ଚର ଘର। ଦିନ ସାରା ପୋଲିସ ପରି ଅନେଇ ବସିଥାଏ ସେ ଆମ ଘରକୁ।
ତୋ ମୁହଁ ଉପରେ ବୟସ ତା'ର ସାମ୍ରାଜ୍ୟ ବିସ୍ତାର କରି ଚାଲି ଥିଲେ ବି କାହିଁକି କେଜାଣି ତୋ ଆଖିର ଆଶେ ପାଶେ ଲାଖି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୟସ କାବୁ କରି ପାରିନି।
କିଛି କହିବା ଆଗରୁ ଛାତି ଭିତରଟା କୋଚା ମୋଚା ହୋଇ ଯାଉଛି ପଲଵୀ। ବାପାଙ୍କୁ ନେଇ କଳଙ୍କିତ ଇତିହାସର ପୃଷ୍ଠା ସବୁ ମୋ ଆଖି ଆଗରେ ଖୋଲିଯାଏ, ପଢ଼ିବାକୁ ଇଚ୍ଛା ନ ଥାଇ କି ବି...। ପ୍ରଳୟକାରୀ ଭୂମିକମ୍ପ ଫାଟ ସୃଷ୍ଟିକରେ, କିଛି ସ୍ମୃତିକୁ ଗ୍ରାସ କରିନିଏ ନିଜ ଭିତରେ। ଆଉ କିଛି ଯନ୍ତ୍ରଣା ଓ ବେଦନାର ସ୍ମୃତି ଛାଡିଯାଏ ସେ ଭୂଇଁ ଉପରେ, ଯୁଗ ଯୁଗ ପାଇଁ।
ଗୋଟେ କଥା କହିବି ପଲବୀ ! ଅଧିକାର ବାହାରେ କଥାଟି। ସାହାସ ବି ହେଉନି କେମିତି କହିବି। ତୋ ଅସହାୟତାର ସୁବିଧା ସୁଯୋଗ ଓ ଫାଇଦା ଉଠାଉଛି ବୋଲି ଭାବିବୁ ନାହିଁ। କାହିଁକି କେଜାଣି ତୋତେ ଦେଖିଲେ ମନ ଭିତରେ ଶୀତଳତା ଭରିଯାଏ !! ମୁଁ ତୋତେ ବାହା ହେବାକୁ ଚାହୁଁଛି !!!!!
ଜାଣିଛି, ଗାଆଁ ଲୋକେ ଜଳିବେ। କହିବେ, ବାପାଙ୍କ ଦଣ୍ଡ ଭୋଗୁଥିବା ପୁଅଟାର କେମିତି ସାହସ ହେଲା, କୁକର୍ମରେ ଶିକାର ହୋଇଥିବା ପରିବାର ସହିତ ସମ୍ପର୍କ ବାନ୍ଧିବାକୁ। ଭୟ ନାହିଁ, ଯୋଧପୁର ଛାଡି ଆମେ ଜଇସାଲ୍ମାର ଚାଲିଯିବା। ଶୁଣିଛି, ଓଟ ମାନଙ୍କ ରକ୍ଷଣା ବେକ୍ଷଣ ପାଇଁ ଲୋକ ଦରକାର ହୁଏ ସେଇଠି।ଆମେ ଦୁହେଁ କାମ କରି ପେଟ ପୋଷିବା।
ଆଗ ମାସ ପାଞ୍ଚ ତାରିଖରେ ମୁଁ ଟଙ୍କା ଆଉ ଚାଉଳ ଦେବାକୁ ଆସିବି। ତୋ ଘର ଦ୍ଵାର ଆଗରେ ନାଲି ମନ୍ଦାରଟିଏ ପଡି ଥିବାର ଦେଖିଲେ ମୁଁ ଜାଣିବି ତୁ ମୋ କଥାରେ ରାଜି ବୋଲି...ତା ପରେ କେହି ଜାଣିବେ ନାହିଁ, ସବୁ ବ୍ୟବସ୍ଥା ମୁଁ କରିବି, ତୋ ବୋଉ ବି ରହିବେ ଆମ ସାଥିରେ । ଯଦି ନାଲି ମନ୍ଦାର ପଡି ନ ଥାଏ, ଜାଣିବି ତୁ ରାଜି ନୁହଁ। ସମ୍ପର୍କଟା ଖାଲି ପାଞ୍ଚ କିଲୋ ଚାଉଳ ଓ ପାଞ୍ଚ ଶହ ଟଙ୍କା ଭିତରେ ସୀମିତ ହୋଇ ରହିବ, ବାସ୍। ମାସରେ ଥରେ ଆସି ଏମିତି ଚାଉଳ ଓ ଟଙ୍କା ଦେଇ ଯାଉଥିବି। ପ୍ରତିଶୋଧର ପ୍ରଶ୍ନ ଉଠୁନି !! ପ୍ରତିଶୋଧ ନେବା ପାଇଁ ନା ଶକ୍ତି ଅଛି, ନା ଅଧିକାର ଅଛି ମୋ ପାଖରେ...ଭାବି ଦେଖ୍...
ମେହୁଲ୍
ଚିଠିଟି ସମ୍ପୂର୍ଣ୍ଣ ଭିଜି ଯାଇଥିଲା ସେତେବେଳକୁ। ମୋ ଆଖି ଲୁହରେ। ବୋଉକୁ ସବୁ କଥା କହିଲି, ମୁଣ୍ଡ ହଲେଇ ହଁ ଭରିଲା। ନିଃସହାୟ ଏକ ଝିଅର ଭବିଷ୍ୟତ ପାଇଁ ବୋଉମାନେ ପରିସ୍ଥିତି ସଙ୍ଗେ ସାଲିସ କରିବା ପାଇଁ ବ୍ୟଗ୍ର ହୋଇ ଉଠନ୍ତି, କାହିଁକି କେଜାଣି ? ସ୍ନେହୀ ମାଆ ବେଙ୍ଗର ପେଟ ବି ଫାଟିଯାଏ, ଛୁଆ ବେଙ୍ଗର ଖୁସି ପାଇଁ। ବୋଉମାନଙ୍କ ଏମିତି ଅନେକ ବଳିଦାନ ଗଳ୍ପ ବାପା ମୋତେ କହୁଥିଲେ, ପିଠି ଉପରେ ହାତ ଥାପୁଡେଇ... ଥାପୁଡେଇ।
ପାଞ୍ଚ ତାରିଖ, ସକାଳୁ ଉଠି ଗାଧୋଇ ପାଧୋଇ ନୂଆ ଘାଗରା, ଚୋଲି ଓ ଓଢ଼ଣି ପିନ୍ଧି ପାଖ ବଗିଚାରୁ ନାଲି ମନ୍ଦାରଟିଏ ତୋଳି ଦ୍ଵାର ଆଗରେ ରଖିଦେଲି।
ମେହୁଲ୍ କେତେବେଳେ ଚାଉଳ ଆଉ ଟଙ୍କା ରଖି ଦେଇ ଯାଇଛି, ମୁଁ ଜାଣି ପାରିଲିନି। କାହିଁ ମେହୁଲ୍ କିଛି କହିଲା ନାହିଁ ଯେ। ମନ ତାର ବଦଳିଗଲା ବୋଧହୁଏ..
ବୋଉକୁ ଧରି ବହେ କାନ୍ଦିଲି। ମାସେ କେମିତି କଟିଗଲା, ଜାଣି ହେଲାନି। ଆଖି ବନ୍ଦ କରି ଦୌଡୁ ଥିଲି ସ୍ୱପ୍ନର ଜଙ୍ଗଲରେ। ମତୁଆଲା ପ୍ରଜାପତି ପରି ସ୍ୱପ୍ନ ଦେଖୁଥିଲି ମେଘ ଆର ପାଖ ପୃଥିବୀର, କିନ୍ତୁ ଏ କଣ ! ଅଦିନିଆ ମେଘ ଆସି ସବୁ ଉଜାଡି ଦେଲା ।
ରାତି ଏଗାର, କବାଟରେ ଠକ୍ ଠକ୍ ଶବ୍ଦ ଶୁଣି ଭୟରେ ଥରିଲି। ମେହୁଲର କଥା ଶୁଭିଲା। ବୋଉ ପାଖରେ ଥାଏ। ହାତଠାରରେ କହିଲା ଏମିତି ଦିନେ ରାତିରେ ତା ବାପା ପଶି ଆସିଥିଲା ଆମ ଘରକୁ। କିଛି ହେବନି ବୋଉ, ମେହୁଲ୍ ସେମିତି ନୁହଁ। କବାଟ ଖୋଲି ଦେଲି। କୁର୍ତ୍ତା, ପାଇଜାମା ଓ ପଗଡ଼ିରେ ଚିହ୍ନିବା କଷ୍ଟ ହେଲା ମେହୁଲକୁ। ହସିଦେଲା, ମୁଁ ବି ହସିଦେଲି..
*****
ଜଇସାଲମାର ପେସେଞ୍ଜର ଛୁକ ଚ୍ଛୁକ୍ କରି ଚାଲିଥିଲା ଦୃତ ଗତିରେ, ବୋଉ ଶୋଇ ଯାଇଥିଲା ନିଶ୍ଚିନ୍ତରେ ଟ୍ରେନ ଝର୍କାକୁ ଡେରି ହୋଇ। ମେହୁଲ୍ ବୋଧହୁଏ ମୋ ବୋଉର ମୁହଁକୁ ଅନେଇ ତା ବାପାଙ୍କ କୁକର୍ମ ପାଇଁ ପ୍ରାୟଶ୍ଚିତ କରୁଥିଲା ମନେ ମନେ। କୁକର୍ମର ଶିକାର ହୋଇ ନିଷ୍ପେସିତ ଜଣେ ମହିଳା ଅତ୍ୟାଚାରୀର କୁଳାଙ୍ଗାର ପୁଅକୁ କ୍ଷମା ଯାଚି ନିଜ ଅସହାୟ ଝିଅର ହାତ ଧରେଇ ଦେବା ଭିତରେ ଏକ ମହାନ୍ ବ୍ୟକ୍ତିତ୍ଵର ପ୍ରତିଷ୍ଠା କରି ସାରିଥିଲା ସେ ତା ଅଜାଣତରେ। ମୋ ବୋଉ ଭିତରେ ନିଜ ବୋଉକୁ ଦେଖୁ ଥିଲା ମେହୁଲ୍। ମୁଁ ମେହୁଲ୍ କାନ୍ଧ ଉପରକୁ ଆଉଜି ଅନ୍ଧାରୁଆ ଗାଆଁ ଭିତରେ ଛୋଟ ଛୋଟ ଆଲୁଅବତୀ ପଛକୁ ଗତି କରୁଥିବାର ଦେଖୁଥିଲି। ଗାଆଁର ବିକଟାଳ ସ୍ମୃତି ସବୁ ହଜି ଯାଉଥିଲେ ହାତ ପାଆନ୍ତାର ଅନ୍ଧାର ଭିତରେ। ଖାଲି ସ୍ୱପ୍ନ ଦେଖୁଥିଲି ମୁଁ ଆସନ୍ତା କାଲିର...
