Subal Mohapatra

Inspirational Thriller

3  

Subal Mohapatra

Inspirational Thriller

ପାଲଟା ବାଘ

ପାଲଟା ବାଘ

3 mins
7.2K



ବି.ଦ୍ର.:- ପାଲଟା ବାଘ -- ତନ୍ତ୍ର ବଳରେ, ନିଜ ଇଛା ଅନୁସାରେ ମଣିଷରୁ ବାଘ ଓ ବାଘରୁ ମଣିଷ ହେବା I


ବା'ଆ ଏବେ ତିନିଦିନ ହେଲା ନିଇତି ମାଉଁସ ନେଇକି ଆସୁଛି I ଟିକେ ଟିକେ ସନ୍ଦେହ ହେଉଥିଲା କୁନାର I ତାଙ୍କ ଘରେ କେବେ ଖାଇବାକୁ ନଥାଏ I ଅଧାଦିନ ଚୁଲି ଜଳେନି I ଦୋକାନରୁ ଆଣିଲେ ରୋଷେଇ ହୁଏ I ସେ ପୁଣି ସନ୍ଧ୍ୟାରେ I ସକାଳୁ କେବେ ଭାତ କେବେ ଅବା କଞ୍ଚା ତୋରାଣି ଟିକେ ମିଳେ I ସାତପ୍ରାଣୀ କୁଟୁମ୍ବ I ବଡଭାଇ ତା ଅକର୍ମଣ୍ୟ, ଶେଯରୁ ଉଠି ପାରେନି I ଶେଯ କହିଲେ ଛିଣ୍ଡା ବସ୍ତା ତିନି ଖଣ୍ଡ I ସବୁ ଜିନିଷ ମା କରେ ତାର I ମା ବାବୁ ଘରେ କୁକୁର ମଇଳା ସଫାକରେ I ଗଛରେ ପାଣି ଦିଏ I ଦାଣ୍ଡ ଝାଡୁ କରେ ଆଉ ମଇଳା ସବୁ ବାହାରେ ଫିଂଗେ I ଜେଜୀ କାମକୁ ପାରୁନି I ଲିତା ଆଉ ଟୁଟୁ ସାନ ସାନ ଦି ଟା I କୁନାର ବୟସ ଆଠ କି ନଅ ହେବ I ଟିକେ ଟିକେ ବୁଦ୍ଧି ଶୁଦ୍ଧି ହେଲାଣି I ଆଗରୁ ଖାଇବାକୁ ମିଳୁ ନଥିଲା I ଏବେ ମାଉଁସ ମିଳୁଛି ସବୁଦିନ I ତାଙ୍କ ଘରଟା ଗାଁ ମୁଣ୍ଡ ପୋଖରୀ ପାଖରେ, ତେବେ ଗାଁଠୁ ଦୂର I ଏକୁଟିଆ ଘର I ଏପଟକୁ କେହି ଆସନ୍ତିନି I ଛୋଟ ଜାତି ତାଙ୍କର I 


ବା'ଆର କାମ କହିଲେ ବାହା, ବ୍ରତ, ମୃତକରେ ଢୋଲ ବଜାଏ I ପାଇଖାନା ଟାଙ୍କି ସଫା କରେ I କେବେ ଗାଈ ବଳଦ ମରିଗଲେ ତାଙ୍କୁ ଘିନି ଆସେ I ଚମଡା ଉତ୍ତାରି, ଢୋଲ ପାଇଁ ସଜ କରେ I ସେଦିନ ତାଙ୍କ ଘରେ ମାଉଁସ ଭୋଜି ହୁଏ I ଏବେ କିନ୍ତୁ ସବୁଦିନ ହଉଛି I ବା'ଆ କୁଆଡୁ ଆଣୁଛି ସବୁଦିନ ମାଉଁସ? ଏ ମାଉଁସଟା ଆଗ ମାଉଁସ ପରି ଲାଗୁନି I ଏଟା ଭଲ ମାଉଁସ I ମା ଆଉ ବା'ଆ କଣ ସବୁ ଫୁସୁ ଫୁସୁ ହଉଥିଲେ I ତାକୁ ଶୁଭୁ ନଥିଲେ ବି ସେ ଜାଣି ପାରୁଥିଲା ଏଇ ମାଉଁସ ବିଷୟରେ ହିଁ କଥାବାର୍ତା ଚାଲିଛି I "ହଉ ଚାଲୁ I ମୋର କଣ ଯାଏ " କହି ସେ ଟୁଟୁ ସହ ଖେଳିବାକୁ ଲାଗିଲା I 


ସେଦିନ ରାତିକରୁ ନିଦ ଭାଙ୍ଗିଗଲା ତାର I ପେଣ୍ଟଟା ଓଦା ଓଦା ଲାଗୁଛି I ପେଣ୍ଟରେ ବୋଧେ ସୁ ସୁ ହେଇ ଯାଇଛି I ମା ସକାଳୁ ପୁଣି ପିଟିବ I ଉଠି ଦେଖିଲା ରାତି ଆହୁରି ପାହିନି I ବେଳ ଅଛି I ଅଧା ମୁତାରେ ଟା ନିଦ ଭାଙ୍ଗି ଯାଇଛି I ଆହୁରି ମୁତ ଲାଗୁଥିଲା ତାକୁ I ଉଠିକି ବାହାରକୁ ଆସିଲା I ଗୁହାଳ ଘରେ ଖଡଖଡ ଶୁଣି ଡରିଗଲା ସେ I ଜେଜୀଠୁ ଶୁଣିଛି, ପାହାନ୍ତି ପହରେ ଭୁତ ଡାକନ୍ତି I କେବେ ତୋଟା ଆଡେ ତ କେବେ ବିଲ ଆଡେ ନେଇ ଯାନ୍ତି I ଡରରେ ତଣ୍ଟି ଶୁଖି ଆସୁଥାଏ ତା'ର I ଛେପ ଢ଼ୋକି, ଆସ୍ତେ ଆସ୍ତେ, ଗୋଡ ଚିପି ଚିପି ସେ ପୁଣି ତା ଶେଯ ଆଡେ ମୁହେଁଇଲା I କାହାର ଗୋଟେ ପାଟି ଶୁଭିଲା I ବା'ଆ ପାଟି ପରି ଲାଗୁଥାଏ I ପୁଣି ଫୁସୁ ଫୁସୁ I ସେ ଏବେ କାନ ଡ଼େରିଲା I ବା'ଆ ସହ ଆଉ ଦି ଜଣ ଲୋକ ବି ଥାନ୍ତି I ତିନି ଜଣ ଯାକ ବାଘ ବେଶ ହେଇ ଥାନ୍ତି I ଏମାନେ ସବୁ ଗାଁ ଯାତ୍ରାରେ ବାଘ ପାର୍ଟ କରନ୍ତି I ବାଘନାଚ କରନ୍ତି I ବା'ଆ ଢୋଲ ବଜାଏ I କିନ୍ତୁ ଆଜି ବା'ଆ କିଆଁ ବାଘ ହେଇଛି? କୁନା ବୁଝି ପାରୁ ନଥିଲା କିଛି I 


ତିନି ଜଣ ଗୁହାଳରୁ ବାହାରି ଯିବା ପରେ ସେ ପୁଣି ଆସି ଶୋଇ ପଡିଲା I ହେଲେ ମନ ଭିତରେ ପ୍ରଶ୍ନ ମାନ ଗୋଳେଇ ଘଣ୍ଟି ହେଉ ଥାନ୍ତି I ନିଦ ହଉ ନଥାଏ I କନ୍ଥାଟା ଉପରେ ପଡି ସେ ଏକଡ ସେକଡ ହେଲା I କିଛି ସମୟ ପରେ ପୁଣି ଫୁସୁ ଫୁସୁ ଶୁଭିଲା I ସେ ଜଳା ଦେଇ ବାହାରକୁ ଡୁଙ୍ଗିଲା I କିଛି ଦୂରରେ ତିନି ଜଣ ବସି ମାଉଁସ ଭାଗ କରୁଥାନ୍ତି I ମେଣ୍ଢା ଛାଲଟା କିଛି ଦୂରରେ ପଡିଥାଏ I ଭାଗ ସରିଲା ପରେ ମେଣ୍ଢା ଛାଲ ତାକୁ ମାଟିରେ ପୋତି ଦେଇ ସମସ୍ତେ ନିଜ ନିଜ ଘରକୁ ଗଲେ I ବା'ଆ ଆସି ଚୁପ ଚାପ ଶୋଇ ପଡିଲା I  


ସକାଳୁ ସକାଳୁ ଦି ଟଙ୍କା ଧରି ସେ ବରା ଖାଇବାକୁ ବାବୁଲା ଦୋକାନକୁ ଯାଇଥିବା ବେଳେ ଲୋକେ କଥା ହଉଥିଲେ, "ଅଜଣା ଜନ୍ତୁ ତ ଆଗରୁ ଖାଲି ମେଣ୍ଢା କଲିଜା ଖାଉଥିଲା I ଏବେ ମେଣ୍ଢାକୁ ଧରି ଜଙ୍ଗଲ ଆଡେ ପଳାଉଛି I ଶିମିଳିପାଳରୁ ଲୋକ ଆସି ଯେଉଁ ସି ସି ଟିଭି ଲଗେଇ ଥିଲେ, ସେଥିରେ ବାଘ ପରି ଗୋଟେ ଜନ୍ତୁର ଫୋଟୋ ଉଠିଛି I ସେ କେତେବେଳେ ଦି ଗୋଡରେ ଚାଲୁଛି ତ, କେତେବେଳେ କଙ୍ଗାରୁ ପରି ଡେଉଁଛି ଆଉ କେତେ ବେଳେ କୁକୁର ପରି ଚାରି ଗୋଡ଼ରେ ଚାଲୁଛି I ମଣିଷ ପରି ହାତ ଗୋଡ ତା'ର I ମୁହଁ ବି ମଣିଷ ପରିକା I ସେ ବୋଧେ କେଉଁ ଅଜଣା ଗ୍ରହରୁ ଆସିଥିବା ଏଲିଅନ କିମ୍ବା କିଏ ଗୁଣି କରି ଥିବା ପାଲଟା ବାଘ" I 


କୁନା ଏବେ ବୁଝି ପାରୁଥିଲା ପାଲଟା ବାଘର ଅର୍ଥ ...--X--


ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା 

ଦୂରଭାଷ - ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com



Rate this content
Log in

Similar oriya story from Inspirational