STORYMIRROR

Manash ranjan Pattanayak

Inspirational

3.8  

Manash ranjan Pattanayak

Inspirational

ପାଗଳୀ

ପାଗଳୀ

7 mins
654


ଝିପିଝିପି ବର୍ଷା ଚାଲିଥାଏ। କାଁ ଭାଁ ଲୋକ ଗୋଟେ ଗୋଟେ ରାସ୍ତାରେ ଯାଉଥାନ୍ତି। ସ୍କୁଲ ଆଗରେ ଝଙ୍କାଳିଆ ବରଗଛ ତଳେ ସେ ବସିଛି। ଓଦା ହୋଇ ତାର ଛିଣ୍ଡା ଲୁଗାଟି ଅଧା ଭିଜିଯାଇଛି। କିଏ ଗଣ୍ଡେ ମୁଢି ଜରିରେ ଦେଇଛି। ମନକୁ ମନ ହସି ହସି ଖାଉଛି। ପାଖରେ ଚିରା ଗଣ୍ଠିଲିଟି ପଡିଛି। ବାଳ ଆଗକୁ ଉଡୁଛି। ତାର ମୁହଁଟା ଭଲ ରୂପେ ବାରି ହେଉନି। ଦୁଇଜଣ ଛୋଟ ପିଲା ତା ପାଖକୁ ଗଲେ। ଇଏ ପାଗଳୀ କଣ ଖାଉଛୁ? ବରା ଖାଇବୁ? ପାଗଳୀକୁ ବଢାଇଲେ। ସେ ସେଠାରୁ ଉଠିପଡି ନିଜ ଗଣ୍ଠିଲି ଜାକି ସେହି ଝିଟିଝିପି ବର୍ଷାରେ ଆଗକୁ ଗଲା। ପଛରୁ ସେହି ଦୁଇଟି ପିଲା ଡାକିଲେ,ଓଦା ହଅନି ପାଗଳୀ। ସେ ସ୍କୁଲ ବାରଣ୍ଡାକୁ ଚାଲିଯାଆ। ମୋ ପୁଅ ଖାଉଥିଲା,ତୁମେ କଣ ପାଇଁ ଆସିଛ ତୁମେ ତାର ମୁଢିତକ ଖାଇଦେବ। ତାକୁ ମୁଁ ଅନ୍ୟ ଜାଗାରେ ନେଇ ଖାଇବାକୁ ଦେବି। ତୋ ପୁଅ କିଏ? ହେଇଟି ଦେଖ କହି ଖଣ୍ଡେ ହାତେ ଲମ୍ବର ପୋଡା କାଠ ଦେଖାଇଲା।ଛୋଟ ପିଲା ଦୁହେଁ ଫେଁ ଫେଁ କରି ହସିଲେ। ପାଗଳୀ ଆଗକୁ ଗଲା ବେଳେ ତାର ଛିଣ୍ଡା ଲୁଗାର ପଣତକାନି ଘୋଷାରି ହୋଇ ରାସ୍ତାରେ ଯାଉଥାଏ।


      ବୋଧହୁଏ ସେହି ସହରରେ ଭୋଜିଭାତ ହୋଇଥିଲା କାହାର ପୂର୍ବ ରାତିରେ। ଗୋଟିଏ ଭଙ୍ଗା ବ୍ରିଜ୍‌ ତଳେ ବଳକା ବାସି ଭାତ ଓ ଡାଲି କିଛି ମାତ୍ରାରେ ପଡିଥାଏ। ଦୁଇତିନୋଟି ବୁଲା କୁକୁର ଅତି ଆନନ୍ଦରେ ଲାଞ୍ଜ ହଲାଇ ସେଗୁଡିକ ଖାଉଥାନ୍ତି। ପାଗଳୀ ବ୍ରିଜ୍‌ ତଳକୁ ଗଲା। ହେଇ ପାଖେଇଲ ଶୀଘ୍ର ପାଖାଅରେ,ମୋ ପୁଅ ସକାଳୁ ଗାଧୋଇ ସାରିଛି। କିଛି ଖାଇନି। ମତେ ଭାତ ମାଗୁଥିଲା।ଭାତ ଖାଇ ସେ ବିଲକୁ ଯିବ। ମୁଁ ଭାତ ନେବି। ମଣିଷକୁ ପାଖରେ ଦେଖି କୁକୁରମାନେ ପାଖେଇଗଲେ। ଏକ ଚିରା ଛିଣ୍ଡା ଜରି ଭିତରେ ଦିଆଞ୍ଜୁଳା ଭାତ ପୁରାଇ ମୋ ପୁଅ ଖାଇବ କହି ରାସ୍ତା ପାର ହେଉଥାଏ। ବାଇକ୍‌ର ହ୍ୟାଣ୍ଡେଲ୍‌ ତା ଦେହରେ ପିଟି ହେଲା।ଛିଟିକି ଯାଇ ପାଞ୍ଚ ସାତ ହାତ ଦୂରରେ ପଡିଲା। କିଛି ଲୋକ ତାକୁ ଘେରିଗଲେ। ବାଇକ୍‌ ଚଳାଉଥିବା ଯୁବକ ଜଣକ ନିଜ ବାଇକ୍‌ ଷ୍ଟାଣ୍ଡ୍‌ ମାରି ତା ପାଖକୁ ଗଲେ। ଜଣେ ଲୋକ ଉକ୍ତ ଯୁବକଙ୍କୁ କହନ୍ତି,ଆହେ ବାବୁ ତୁମେ ଏ ବୁଢୀକୁ ଧକ୍କା କରିଦେଲ। ନା ମଉସା,ମୁଁ ବାରମ୍ବାର ହର୍ଣ୍ଣ ଦେଉଥାଏ।ଭାବିଲି ମୁଁ ଗଲାପରେ ସେ ରାସ୍ତା ପାରି ହେବ ହଠାତ୍‌ ମୋ ବାଇକ୍‌ ଆଗକୁ ଧାଇଁ ଆସିଲା। ସେ ଆଜ୍ଞା ପାଗଳୀ ମାଇପି,ତାର କଣ ଆମ ପରି ବୁଦ୍ଧି ଅଛି? ଦେଖ ବାବୁ ମୁଣ୍ଡ ଫାଟି କେଡେ ଜୋରରେ ରକ୍ତ ବୋହୁଛି,ପୁଣି ବେହୋସ ଅଛି। କିଏ ଟିକେ ପାଣି ଦିଅ। ଯୁବକ ତାଙ୍କ ବ୍ୟାଗ୍‌ ଭିତରୁ ପାଣି ବୋତଲ କାଢି ବଢାନ୍ତି। ଲୋକମାନେ ଜମା ହୋଇ ହୋ ହଲ୍ଲା କରୁଥାନ୍ତି। କିଛି ବ୍ୟକ୍ତି ଏକ ଅଟୋ ଅଟକାଇ ବୁଢୀକୁ ତା ଭିତରକୁ ନେଲେ। ରାସ୍ତା ସେପାଖ ଗଛ ମୂଳରୁ ତାର ଗଣ୍ଠିଲି ଓ ହାତେ ଲମ୍ବର ପୋଡା କାଠଟେ ଆଣି ତା ପାଖେ ଥୋଇଲେ। ଯୁବକଙ୍କୁ କହନ୍ତି ତୁମେ ଆମ ସହ ଆସ ବାବୁ,ଡାକ୍ତରଖାନା ପାଗଳୀକୁ ନେବା।ଠିକ୍‌ଅଛି ଆଜ୍ଞା,ଚାଲନ୍ତୁ,ବାଇକ୍‌ ଷ୍ଟାର୍ଟ କରି ଯୁବକ ପଛେ ପଛେ ଗଲେ।


    ଡାକ୍ତରଖାନା ବାରଣ୍ଡାରେ ବୁଢୀକୁ ଶୁଆଇଦିଆଗଲା। ପାଖରେ ଯୁବକ ବସିଥାନ୍ତି। ଡାକ୍ତର ଆସି ଚେକ୍‌ କଲେ। ବେଡ୍‌କୁ ନେବାକୁ କହିଲେ। ସଙ୍ଗରେ ଆସିଥିବା ଲୋକମାନେ ବେଡ୍‌ ଉପରେ ତାକୁ ଶୁଆଇ ଦେଇ ଯେ ଯାହା ବାଟରେ ଗଲେ। ଯୁବକ ଜଣକ ଏକଲା ତା ପାଖରେ ଥାନ୍ତି।ଡାକ୍ତର ଆସି କହନ୍ତି ଆଙ୍କର ରକ୍ତ ନିହାତି ଦରକାର,କିଏ ଜଣେ ରକ୍ତ ଦେଲେ ଆମେ ବ୍ଲଡ୍‌ ବ୍ୟାଙ୍କରୁ ରକ୍ତ ଆଣିପାରିବା। ମୁଁ ଦେବି ସାର୍‌। ରକ୍ତ ଦେଲାବେଳେ ଯୁବକ ଭଗବାନଙ୍କୁ ମନେ ମନେ ପ୍ରର୍ଥନା କରୁଥାନ୍ତି,ପ୍ରଭୁ ଜଗନ୍ନାଥ ସେ ପାଗଳୀଟା ଭଲ ହେଇଯାଉ। ତାର ଚେତା ଫେରାଇଦିଅ। କିଛି ସମୟ ପରେ ବୁଢୀଠାରେ ରକ୍ତ ଓ ସାଲାଇନ୍‌ ଯୋଡାଗଲା। ସାର୍‌ ଏ ପାଗଳୀର କିଛି ହେବନି ତ? ଦେଖୁନାହାନ୍ତି କେବଳ ହାଡ ଦିଖଣ୍ଡ,ରକ୍ତ ବହୁତ କମ ଦେହରେ ଅଛି,ସେଥିରେ ମୁଣ୍ଡ ଫାଟି ସିଭିୟର ବ୍ଲିଡିଂ ହୋଇଛି। ତୁମେ ଭୟ କରନି,କିଛି ହେବନି,ତୁମ ମୋବାଇଲ ନଂ ମତେ ଦିଅ। ଆବଶ୍ୟକ ହେଲେ ମୁଁ ତୁମକୁ ଡାକିବି। ସାର୍‌ ମୁଁ ଏଇଠି ବସିଛି,ଚେତା ଫେରିଲେ ଯିବି। ମୋ ବାଇକ୍‌ ଧକ୍କାରେ ଛିଟିକି ପଡିଗଲା। ଆପଣ ଯେତେ ଖର୍ଚ୍ଚ ହେବ କୁହନ୍ତୁ,ସବୁ ଖର୍ଚ୍ଚ ମୁଁ ବହନ କରିବି। ଡାକ୍ତର ଠିକ୍‌ଅଛି କହି ତାଙ୍କର ଚାମ୍ବରକୁ ଗଲେ।


        ରକ୍ତ ଓ ସାଲାଇନ୍‌ ଚାଲିଥାଏ। ପାଗଳୀର ଚେତା ଫେରିଲା। ମୋ ପୁଅ ଖାଇନି,ଭାତ ଖାଇବ କହି ବେଡ୍‌ରୁ ଉଠୁଥାଏ।ଶୋଇପଡେ କହି ଉକ୍ତ ଯୁବକ ତାକୁ ଶୁଆଉଥାନ୍ତି,ବଡପାଟିରେ ଡାକ୍ତରଙ୍କୁ ଡାକ ମାରିଲେ। ଡାକ୍ତର ଆସିଲେ। ଦେଖନ୍ତୁ ସାର୍‌ ପାଗଳୀ ଯିବାକୁ ଉଦ୍ୟତ ହେଉଛି। ତାକୁ ଇଂଜେକ୍‌ସନ ଫୋଡିଲେ।ଥ୍ୟାଙ୍କ ଗଡ୍‌ କହିଲେ। ବୁଝିଲ ଆଉ ଭୟ ନାହିଁ। କାଲି ସକାଳ ସୁଧା ଦେହ ଉନ୍ନତି ହେବ। ସାର୍‌ ଆପଣ ପୋଲିସ୍‌ ଇନଫର୍ମ କରିଛନ୍ତି? ଡାକ୍ତର ହସିଲେ। ଡରୁଛନ୍ତି କାହିଁକି,ଆଗ ପଟ ମୁଣ୍ଡ ଫାଟି ଥିଲା।ଷ୍ଟିଜ୍‌ ସରିଛି,କିଛି ରିସ୍କ୍‌ ନାହିଁ। ତେଣୁ ପୋଲିସକୁ ଜଣାଇବା ଆବଶ୍ୟକ ନାହିଁ। ଆଛା ତୁମେ କଣ କରୁଛ? ମୁଁ ସିଭିଲ୍ ଇଂଜିନିୟର ଅଛି,ଏଇ ସହରରେ ମୋର ଫାଷ୍ଟ ପୋଷ୍ଚିଂ। କେଉଁଠି ରହୁଛନ୍ତି? ପୂର୍ତ୍ତ ବିଭାଗ ଅଫିସ ତରଫରୁ କ୍ବାଟର ମିଳିଛି ସାର୍‌। ତୁମେ ଏଥର ଘରକୁ ଯାଅ,କାଲି ସକାଳେ ଆସିଲେ ବିଲିଂ କରିବା କହି ଡାକ୍ତର ଯାଆନ୍ତି। ଯୁବକ ନିଜର ଚଷମା ଓ ବ୍ୟାଗ୍‌ ଧରି ବାହାରନ୍ତି। ପାଖ ବେଡ୍‌ ନିକଟକୁ ଗଲେ। ଜଣେ ବୟସ୍କ ଲୋକ ତାଙ୍କର ରୋଗୀକୁ ଜଗି ବସିଥାନ୍ତି। ମଉସା ତୁମ ପାଖ ବେଡ୍‌ରେ ମୋ ରୋଗୀ ଅଛି,ରାତିରେ ଦରକାର ହେଲେ ଦୟାକରି ଡାକ୍ତରଙ୍କୁ ଡାକିବେ। ନଚେତ୍ ମୋ ଫୋନ ନଂମ୍ବର ରଖ। ମତେ ଟିକେ ଫୋନ କରିବ। ସେ ବୟସ୍କ ଲୋକ ପାଗଳୀ ଖଟିଆ ପାଖକୁ ଆସିଲେ,ପାଗଳୀ ନିଦରେ ଶୋଇଥାଏ। ହେ ବାବୁ,ଏ ବୁଢୀକୁ ମୁଁ ଜାଣିଛି। ତୁମେ ଜାଣିଛ ମଉସା? ହଁ… ମୋ ସମୁଦି ଘର ପାଖର। ମୋ ଝିଅର ଖୁଡୀଶାଶୁ ହିସାବ ହେବ। ଭାରି ହସକୁରି ମାଇପିଟା ଥିଲା। ବିଚରା ଗୋଟିଏ ବୋଲି ପୁଅ ଥିଲା,ସେ ମରିଗଲା! ସେ ଦିନୁ ପାଗଳୀ ହୋଇ ଏଣେତେଣେ ବୁଲିଲା। ଯାହାହେଉ ଦୁଖିନୀ ମଲ୍ଲୀବୋଉ ସମୁଦୁଣୀକୁ ଦେଖିଲି। ମଉସା ଏ କିପରି ପାଗଳୀ ହେଲା?ଶୁଣିବ ବାବୁ ମଲ୍ଲୀବୋଉର ବେଦନା?


    ଆଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ। ପୁଅଟି ମାସକର ହୋଇଥିଲା ମଲ୍ଲୀବୋଉ ସମୁଦୁଣୀର ସ୍ବାମୀ ମରିଗଲେ। ସେମିତି କିଛି ଜମିଜୁମା ନଥିଲା। ପର ଘରେ ପାଇଟି କରି ଚଳେ। ବଡ ଝିଅର ନାଁ ଥିଲା ମଲ୍ଲୀ। ତେଣୁ ତାଙ୍କ ଗାଁ ଲୋକ ମାନଙ୍କ ଆଖିରେ ଥିଲା ସେ ମଲ୍ଲୀ ବୋଉ। ସାହା ଥିଲା କେବଳ ଏକଇର ବଳା ବିଶିକେଶନ ପ୍ରଫୁଲ୍ଲ।ଝିଅଟିକୁ କମ୍‌ ବୟସରେ ବିଭା ଦେଲା।ଝିଅ ବାହା ପରେ କିଛି ଦିନ ତା ଶାଶୁଘରେ ଭଲରେ ରହିଲା।ଯାହାକୁ ବାହାହେଲା ସେ ପୁଅ ରାଜ୍ୟ ବାହାରେ ରହି କାମଧନ୍ଦା କରି ପେଟ

ପୋଷେ। କିଛି ଦିନ ପରେ ତାର ଦେହ ଖରାପ ହେବାକୁ ଲାଗିଲା। ନିଜ ଘରକୁ ଚାଲି ଆସିଲା। ପର ଘରେ ମଜୁରିଆ ହୋଇ ଚଳେ। ବେଶୀ ବେଶୀ ଦେହ ଖରାପ ହେଲା। କାମଧନ୍ଦା ଆଉ କରିପାରିଲା ନାହିଁ। କଟକ ବଡ ମେଡିକାଲ ଯାଇ ଦେହର ପରୀକ୍ଷା ନିରୀକ୍ଷା କଲା। ତାର ଏଡ୍‌ସ ରୋଗ ଜଣାପଡିଲା। ଗାଁ ଲୋକ ତାକୁ ବାଛନ୍ଦ କଲେ। ବଡ କଲବଲ ହୋଇ ପ୍ରାଣ ଛାଡିଲା। ତାପରେ ମଲ୍ଲୀ ବିଧବା ହେଲା। ତାର ଶାଶୁଘର ଲୋକ ନରଖି ତାକୁ ବାପଘରକୁ ପଠାଇଦେଲେ। ସେ ଆସି ତା ବୋଉ ଓ ଭାଇ ପାଖେ ରହିଲା। ଆସ୍ତେ ଆସ୍ତେ ମଲ୍ଲୀର ଦେହ ଭଲ ରହିଲା ନାହିଁ। ବିଭିନ୍ନ ରୋଗ ଆକ୍ରମଣ କରୁଥିଲା। ତାର ରକ୍ତ ଏଚ୍‌. ଆଇ.ଭି ସଂକ୍ରମଣ ହୋଇଛି ଯାହା ରକ୍ତ ପରୀକ୍ଷାରୁ ନିର୍ଣ୍ଣୟ ହେଲା। ମଲ୍ଲୀ ମାନସୀକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲା ଦଉଡ଼ା ଲଗାଇ ଦେଇ। ମଲ୍ଲୀ ବୋଉ ଭାଙ୍ଗି ପଡିଲା। ତା ପୁଅ ପ୍ରଫୁଲ୍ଲ ଏଯୁଗର ଶ୍ରୀକୃଷ୍ଣ,ଦୁଽଖ କାହାର ସହି ପାରେନାହିଁ। ହଳପାଳ କରି ଚାଷକାମ ଦ୍ବାରା ଚଳୁଥିଲା ମାଆ କୁ ପୋଷୁଥିଲା।ତାଙ୍କ ପାଖ ଗାଁ ର ଗୋଟେ ଝିଅ ଠିକ୍‌ କରି ବୋହୁ କଲା। ସେ ଝିଅ କିଛି ଦିନ ପ୍ରଫୁଲ୍ଲ ପାଖରେ ରହିଲା। ଉଦଣ୍ଡି ପ୍ରକୃତିର ଝିଅଟି ଥିଲା। ମାଆ ପୁଅକୁ ହଇରାଣ ହରକତ କରେ।ଶାଶୁକୁ ପ୍ରାୟ ସମୟ ବାତିଆବାଡି କରେ। ତଥାପି ସବୁ ଦୁଃଖ ଯନ୍ତ୍ରଣାକୁ ଚାପି ଧରି ଏ ବୁଢୀ ତା ବୋହୁକୁ ଭାରି ଭଲପାଏ। ପ୍ରଫୁଲ୍ଲକୁ ସର୍ବଦା ଶିଖାଏ ଆମେ ଯାଇ ବାହାରେ ରହିବା। ବୁଢୀ ଯାହା କରୁଛି କରୁ। ଆମର ଯା ଆସେ ନାହିଁ। ପ୍ରଫୁଲ୍ଲ ତା ବୋଉକୁ ଛାଡି ଯାଇ ପାରିବ ନାହିଁ କହେ,ଶେଷରେ ପ୍ରଫୁଲ୍ଲ ସ୍ତ୍ରୀ ପ୍ରଫୁଲ୍ଲକୁ ଛାଡି ତାଙ୍କ ଗାଁ ର ଆଉ ଜଣେ ବିବାହିତ ଲୋକକୁ ଦ୍ବିତୀୟ ହୋଇ ଚାଲିଗଲା। ବୋହୁ ଏପରି ନିନ୍ଦନୀୟ କାର୍ଯ୍ୟ କଲା,ତାହା ଜାଣି ମଧ୍ୟ ମଲ୍ଲୀ ବୋଉ ଧୈର୍ଯ୍ୟ ହରା ହୋଇ ନଥିଲା। ମୁଁ ଯାଇ ବୁଝାଇଥିଲି,ସେ ବୋହୁ ଯାଉ। ଆମ ପୁଅକୁ ତେଇଶି କି ଚବିଶ ବର୍ଷ ହେବ,ଆମେ ଆଉ କେଉଁଠି ପ୍ରଫୁଲ୍ଲ ପାଇଁ ଭଲ ପ୍ରସ୍ଥାବ ଦେଖି ତାକୁ ପୁନଃ ବିବାହ କରିବା। ଦେଖୁନ ବାବୁ ଭାଗ୍ୟର ଖେଳ। ପ୍ରଫୁଲ୍ଲ ବିଲରେ ହଳ କରୁଥିଲା। ଚଡଚଡି ମାରିଲା ତାରି ଉପରେ ପଡିଲା। ସେଇଠି ବିଲରେ ବଳଦ ସହ ଟଳି ପଡିଲା। ମଲ୍ଲୀ ବୋଉର ସବୁ ସାହା ଭରଷାକୁ ଭଗବାନ ଛଡାଇ ନେଲେ। ବି. ଡି. ଓ ଦୁଇହଜାର ଟଙ୍କା ରେଡକ୍ରସରୁ ଦେଲେ। ପୁଅର ଜୁଈ କାଠ ଖଣ୍ଡେ ମଶାଣିରୁ ଆଣି ଧରି ବୁଲିଲା। ସେଇଦିନ ଠାରୁ ପାଗଳୀ ହୋଇଗଲା। ଗାଁ ଗଣ୍ଡା ଛାଡି ପଳେଇଲା। ଯିଏ ଯାହା ଖାଇବାକୁ ଦେବ ସେଇ ପୋଡା କାଠ ଖଣ୍ଡକୁ ଦେବ। ଯୁବକ ଜଣକ ନିର୍ବାକ୍ ହୋଇ ଶୁଣୁଥିଲେ। ରୁମାଲ କାଢି ନିଜ ଆଖିରୁ ଲୁହ ପୋଛିଲେ। ହସ୍‌ପିଟାଲରୁ ନିଜ ବାଇକ୍‌ ନେଇ କ୍ବାଟରକୁ ଗଲେ।


ରାତି ଗୋଟାଏ ହେବ,ସାହି ଯୁବକ ଆଖିରେ ନିଦ ଆସୁନି। ପାଗଳୀ କଥା ମାନସ ପଟକୁ ଆସୁଥାଏ। ପାହାନ୍ତା ପ୍ରହରକୁ ନିଦ ଆସିଯାଇଛି। ସେ ସ୍ବପ୍ନ ଦେଖନ୍ତି,ତାଙ୍କ ଘର ଦୁଆର ମୁହଁରେ ପାଗଳୀ ଠିଆ ହୋଇଛି। ତା ପୁଅକୁ ମାଗୁଛି ,ବାବୁ ତୁ ମତେ ଡାକ୍ତରଖାନା ନେଇ ଭଲ କରିଛୁ। ତୁ ଇଛା କଲେ ମୋ ପୁଅକୁ ମତେ ଆଣି ଦେଇ ପାରିବୁ। ହଁ ହଁ,ହଁ ମୁଁ ନିଶ୍ଚୟ ତୋ ପୁଅକୁ ଫେରାଇ ଆଣିବି। ଆସେ…. । ମୋ ଘରେ ଏଇଠି ବସି ଥାଆ। ମୁଁ ଯାଉଛି ତୋ ପୁଅକୁ ଖୋଜି ଆଣିବି। ଯୁବକ ହଠାତ୍ ଖଟରୁ ଉଠି ବସିଲେ। ସ୍ବପ୍ନଟିଏ ସେ ଦେଖୁଥିଲେ,ନିଶ୍ଚିତ ହେଲେ। ପାଖ କୃଷ୍ଣଚୂଡା ଗଛରୁ ଚଢେଇ ମାନଙ୍କ କିଚିରି ମିଚିରି ଶଦ୍ଦ ଭାସି ଆସୁଥାଏ। ନିଜର ଦୈନଦିନ ନିତ୍ୟକର୍ମ ସାରି ସିଧା ଯାଇ ପହଞ୍ଚିଗଲେ ଡାକ୍ତରଖାନାରେ।


      ସାର୍‌ ମନସ୍କାର,ସେ ପଗଳୀ ଦେହ କେମିତି ଅଛି? ସେ ଚାଲିଗଲା। ଯୁବକ ଆଶ୍ଚର୍ଯ୍ୟ ହୋଇ ଅନାଇଲେ। ରାତି ତିନିଟା ଯାଏଁ ଥିଲା,ମୁଁ ତାକୁ ନିଶା ଇଂଜେକସନ ଦେଇ ସଂଧ୍ୟା ଠାରୁ ଶୁଆଇଦେଇଥିଲି। ତାର କିଛି ଇଣ୍ଟରନାଲ ପ୍ରୋବ୍ଲେମ୍‌ ନଥିଲା,ନିଶା ଛାଡିବା ପରେ ତାକୁ ଫ୍ରୀ ଲାଗିଥିବ। ତା ପାଖ ବେଡ୍‌ ଆଟେଣ୍ଡାଣ୍ଟକୁ କହିଲା,ମୋ ପୁଅ କିଛି ଖାଇନି କଣ ଆଣିଲେ ସେ ଖାଇବ କହି କହି ବାହାରକୁ ଚାଲିଗଲା। ଆପଣ ଯାଆନ୍ତୁ କାଉଣ୍ଟରରେ ପେମେଣ୍ଟ ଦେବେ। ୟେସ୍‌ ସାର୍‌। ଯୁବକ ପେମେଣ୍ଟ ଦେଇ ୱାର୍ଡ ଭିତର ପାଗଳୀ ଖଟିଆ ପାଖକୁ ଗଲେ।ଖଟିଆ ଉପରେ ଖଣ୍ଡେ ଅଧା ପୋଡା ହାତେ ଲମ୍ବର କାଠଟେ ପଡିଛି। ଯୁବକ ଖଟିଆରେ ବସି ସେ କାଠଟିକୁ ଏପଟ ସେପଟ କରୁଥାନ୍ତି। ପାଗଳୀ ନଇଁ ନଇଁ ପଶିଆସିଲା ୱାର୍ଡ ଭିତରକୁ। ମୋ ପୁଅ ଖାଇବ,ତାକୁ ଭୋକ ହେଉଛି। ଗତ କାଲି ଠାରୁ ଉପାସ ଅଛି। କେଉଁ ଦୋକାନୀ ବୋଧେ ଅନୁଗ୍ରହ ଦେଖାଇ ପୁରି ଦିଖଣ୍ଡ ଦେଇଛି।ଖଲିପତ୍ରରେ ଧରିଛି।


      ହେଇଟିରେ ମୋ ଧନ ଉଠିଲାଣି। ମୁଁ ଭାବିଲି ଖଟରେ ଶୋଇଥିବ! ଆଇଲୁ ବାପ ମୁଁ ତତେ ଖୋଇଦେବି। ନିଜ ଅପରିଷ୍କାର ହାତରେ ଯୁବକକୁ ପୁରି ଖୁଆଇବାକୁ ଚେଷ୍ଟା କରେ ପିଠି ଆଉଁସି ଦିଏ। ତୁ ଖାଇଦେ ଧନ। ମୋ ଧନଟା କହି ପୁଣି ଯୁବକର ପିଠି ଓ ମୁଣ୍ଡ ଆଉଁସି ଦିଏ। ମତେ ଛାଡି ତୁ କୁଆଡେ ଯିବୁନି ପୁଅ। ମାଆ… ମୁଁ ତତେ ଛାଡି କୁଆଡେ ଯିବିନି । ତୋରି ପାଖରେ ରହିବି। ପାଗଳୀ କାନ୍ଦି କରି କହେ,ସେଦିନ କେତେ ନେହୁରା ହେଲି ସେମାନଙ୍କୁ,ସମସ୍ତଙ୍କୁ ମନାକଲି,ମୋ ଧନଟା ବର୍ଷାରେ ଭିଜି ଯାଇଅଛି। ବାଧାରେ ଶୋଇପଡିଛି। ତତେ ନେଇ ସିଧା ଚାଲିଗଲେ। ମୁଁ ଜାଣିଥିଲିରେ ପ୍ରଫୁଲ୍ଲ ତୁ ଦିନେ ନା ଦିନେ ମୋ ପାଖକୁ ଫେରିବୁ। ସେତେବେଳେ ଡାକ୍ତର ଆସି ବେଡ୍‌ ପାଖେ ଠିଆ ହୋଇଥାନ୍ତି। ବୁଝିଲେ ଆଜ୍ଞା,ବୁଢୀର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ କିଛି ସ୍ନାୟୁ ଆକ୍ଟିଭ୍‌ ହୋଇଛି। ମୁଁ ଭାବୁଛି ଯଦି ସଠିକ୍‌ ଟ୍ରିଟିମେଣ୍ଟ କରାଯିବ ପାଗଳୀ ନିଶ୍ଚିତ ଭାବେ ଭଲ ହୋଇଯିବ। ପାଗଳୀ ଡାକ୍ତରଙ୍କ ପାଖକୁ ଆସିଲା,ହେ ଧଳା ପିଅଣ୍ଟ ଜାମା ପିନ୍ଧା ଲୋକ,ମୋ ପୁଅକୁ କଣ କହୁଛ? ମୁଁ ତାକୁ ସେମାନଙ୍କ ସହ ଯିବାକୁ ଛାଡିବିନି କହି ଦୁଇ ହାତରେ ଯାକି ଧରିଲା। ମାଆ… । ଆସିଲୁ ମାଆ ଆମେ ଏଥର ଘରକୁ ଯିବା। ନାହିଁରେ ପୁଅ,ସେ ଗାଆଁ କୁ ଯିବାନି,ତତେ ସେମାନେ ଦେଖିଲେ ପୁଣି ଥରେ ବାଉଁଶ ଭାଡି ତିଆରି କରିବେ। ପାଳ ଦଉଡିରେ ବାନ୍ଧି ଦେବେ। ଗାଆଁ ମଶାଣିକୁ ଟେକି ନେଇ ଜବରଦସ୍ତି ନିଆଁ ଲଗାଇଦେବେ। ତୁ ଆଜି ଠାରୁ ମୋ ପାଖେ ରହିବୁ। ସ୍ବୟଂ ଯମରାଜ ଚାହିଁଲେ ମଧ୍ୟ ମାଆ ପାଖରୁ ତା ପୁଅକୁ ଆଉ ଅଲଗା କରି ପାରିବେ ନାହିଁ। ଜନମରୁ ମାଆ ଛେଉଣ୍ଡ ଥିବା ଏଇ ପୁଅଟିକୁ ଜଗନ୍ନାଥ କୃପା କରି ଗୋଟେ ମାଆ ଦାନ ଦେଇଛନ୍ତି। ଏ ଯୁବା ବୟସରେ ତୋ ପରି ମାଆର ସ୍ନେହ,ଆଦର,ସ୍ପର୍ଶ ମତେ ଆତ୍ମହରା କରୁଛି। ଏଇ ଅପୂର୍ବ ଦୃଶ୍ଯକୁ ୱାର୍ଡ ଭିତର ସମସ୍ତ ରୋଗି,ଡାକ୍ତର,ଆଟେଣ୍ଡାଣ୍ଟ ଦେଖୁଥାନ୍ତି। ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ଯରେ ମଥାପାତି ପ୍ରଣାମ ଜଣାନ୍ତି। ଯୁବକ କାର୍‌ ପାଖକୁ ଆସନ୍ତି। ପଛ ଡୋର୍‌ ଖୋଲନ୍ତି। ନିଜେ ବସି,ପାଗଳୀକୁ ନିଜ ପାଖରେ ବସାଇ ଡ୍ରାଇଭରକୁ କହନ୍ତି ଯିବା ପାଇଁ। ଡାକ୍ତରଖାନା ଗେଟ୍‌ ବାହାରି କାର୍‌ଟି ସହର ରାସ୍ତା ଦେଇ ଗଡି ଚାଲେ ।


Rate this content
Log in

Similar oriya story from Inspirational