Manash ranjan Pattanayak

Others

4.5  

Manash ranjan Pattanayak

Others

କୋଣାର୍କ ସୂର୍ଯ୍ୟ ମନ୍ଦିର ଚାରୁକଳା

କୋଣାର୍କ ସୂର୍ଯ୍ୟ ମନ୍ଦିର ଚାରୁକଳା

7 mins
776



ବିଶ୍ବ ପ୍ରସିଦ୍ଧ ଐତିହ୍ୟ ସଂପୂର୍ଣ୍ଣ ସୂର୍ଯ୍ୟ ମନ୍ଦିର ଯାହା ୧୨୦୦ ରୁ ୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣାଧିନ ତାହା ଆଜି ବିଶ୍ବ ବାସୀଙ୍କୁ ସ୍ତବିଭୂତ କରେ କାରଣ କଳା ମୁଗୁନି ପଥରରେ ମନୋରମ କାରୁକାର୍ଯ୍ୟ ନିହାଣ ମୁଗୁର ଦ୍ବାରା ବାରଶହ ଶିଳ୍ପୀଙ୍କ ଦ୍ବାରା ବାର ବର୍ଷ ସମୟ ପର୍ଯ୍ୟନ୍ତ ଚାଲିଥିଲା।ଉତ୍କଳୀୟ ଶିଳ୍ପୀଙ୍କର ନିପୂଣତା ଓ ଭାବାବେଗ କେତେ ଉଚ୍ଚ ଶ୍ରେଣୀର ଥିଲା ତାହାର ପଟ୍ଟାନ୍ତର ନାହିଁ। ଗଙ୍ଗ ବଂଶର ରାଜା ଲାଙ୍ଗୁଡା ନରସିଂହ ଦେବ (୧୨୩୬-୧୨୬୪)ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ ସମୟରେ ଉକ୍ତ ସୂର୍ଯ୍ୟ ମନ୍ଦିର ନିର୍ମାଣ ହୋଇଥିବାର ଇତିହାସ ପୃଷ୍ଠାରୁ ଜଣାପଡେ। ବୃହତ ବୃହତ ପଥର ଖଣ୍ଡମାନ,ତାହା ପୁଣି କିପରି ସେ ଜାଗାକୁ ଅଣାଗଲା ଓ ଏତେ ବଡ ବିଶାଳ ମନ୍ଦିର କାରୁକାର୍ଯ୍ୟରେ ବିମଣ୍ଡିତ ହୋଇ ଦଣ୍ଡାୟମାନ ହେଲା ଯଦି ଏବେକାର ଶିଳ୍ପୀ,ବୈଜ୍ଞାନିକ,ଇଞ୍ଜିନିଅର ଚିନ୍ତା କରିବେ ତାହା ସେମାନଙ୍କୁ ସ୍ବପ୍ନ ସଦୃଶ ପ୍ରତୀୟମାନ ହେବ। ବାଲେଶ୍ବର ଜିଲ୍ଲାର ସୁଦୀର୍ଘ ପର୍ବତମାଳା ନୀଳଗିରି ପର୍ବତରୁ ସେହି କଳା ମୁଗୁନି ପଥର ଖଣ୍ଡ ସବୁ ଆସିଥାଇପାରେ। ରାଜାଙ୍କ ଡାକରାରେ ଓଡିଶା ପ୍ରଦେଶର ପୁରପଲ୍ଲୀ ମାନଙ୍କରୁ ଅଭିଜ୍ଞ ନିପୂଣ ପଥର କାରିଗର ମାନଙ୍କୁ ଏକଜୁଟ କରି ସେମାନଙ୍କୁ ଅଣାଯାଇ ଚନ୍ଦ୍ରଭାଗା ନଦୀ ତଟଦେଶ ସମୁଦ୍ର ସଂଲଗ୍ନ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ବଦ୍ଧ ପରିକର ହେଲେ। ସେତେବେଳର ଯୁଗରେ ଯାନ,ବାହାନ ସୁବିଧା ନଥିଲା। କିପରି ଏତେ ସଂଖ୍ୟକ ପଥର ଆସି କୋଣାର୍କ ଠାରେ ପହଂଚିଥାଏ ତାହା କେବଳ ପ୍ରଶ୍ନବାଚୀ ଛଡା ଭାବନା କଳ୍ପନା କରିବା ଭୁଲ୍‌ ପ୍ରମାଣିତ ହେବ। ରାଜାଙ୍କ ଆଦେଶ ଅକ୍ଷରେ ଅକ୍ଷରେ ପାଳନ କରିବା ପରମ୍ପରା ଥିଲା। ନଚେତ୍ ରାଜଦଣ୍ଡର ଶିକାର ହେବାକୁ ପଡିବ। ନିଜ ନିଜର ସ୍ତ୍ରୀ,ପିଲାଛୁଆ,ଘର ସଂସାରକୁ ଜଳାଞ୍ଜଳି ଦେଇ ବିଶୁ ମହାରଣା ସହ ବାରଶହ ମହାରଣା ବସା ବାନ୍ଧିଥିଲେ ସେହି ସ୍ଥାନରେ କାରଣ ସୁନ୍ଦର କାରୁକାର୍ଯ୍ୟ ଭରା ସୂର୍ଯ୍ୟ ମନ୍ଦିର ଗଢାଇବାର ପ୍ରତିଜ୍ଞା ଥିଲା ନରସିଂହ ଦେବଙ୍କର। ବିଶ୍ବାସ ଯୋଗ୍ୟ ନିଶ୍ଚିନ୍ତ ଭାବେ ଗଙ୍ଗ ବଂଶର ରାଜା ମାନେ ଶୈବ ଓ ସୂର୍ଯ୍ୟ ଉପାସକ ଥିଲେ। ଦେବତା ଭାବେ ଶିବ ଓ ସୂର୍ଯ୍ୟଙ୍କୁ ଗ୍ରହଣ କରାଯାଇଥିଲା। ପୂର୍ବ ପ୍ରଚଳିତ ଗଙ୍ଗ ବଂଶର ରାଜତ୍ବ କାଳରେ ଉତ୍କଳ ଭୂମିରେ ଅନେକ ଶୈବପୀଠ ସ୍ଥାପନା ସହ ପୂଜାବିଧିର ନିଦର୍ଶନ ଦେଖିବାକୁ ମିଳେ। ଏକାମ୍ର କାନନ ଭୂବନେଶ୍ୱର ଠାରେ ଗଙ୍ଗ ବଂଶର ରାଜା ମାନଙ୍କ ଦ୍ବାରା ଅନେକ ପ୍ରାଚୀନ ମନ୍ଦିର ଯାହା କଳା ମୁଗୁନି ପଥରରେ ନିର୍ମିତ ହୋଇଛି ତେଣୁ ଭୁବନେଶ୍ୱରକୁ ଏକାମ୍ର କାନନ ବା ମନ୍ଦିର ମାଳନୀର ଆଖ୍ୟା ଦିଆଯାଇଅଛି।


     କୋଣାର୍କ ସୂର୍ଯ୍ୟ ମନ୍ଦିର ଚାରୁକଳା ବାସ୍ତବରେ ଲୋଭନୀୟ,କମନୀୟ,ମାଧୂର୍ୟ୍ୟ ଭରା। ଗୋଟିଏ ନିର୍ବ୍ଦିଷ୍ଟ ସମୟରେ ଯେତେ ମନ୍ଦିର ନିର୍ମାଣ ହୋଇଥିଲା ଗଙ୍ଗ ବଂଶ ରାଜା ମାନଙ୍କ ଦ୍ବାରା ତାହା କାହିଁକି ଓ କିପରି ଭଗ୍ନାଂଶରେ ରୂପାନ୍ତର ହେଲା ତାହାକୁ ନିର୍ଣ୍ଣାୟକ କରି ଯୁକ୍ତି ଉପସ୍ଥାପନ କରିବା କେବଳ ଲୋକକଥା ଭିନ୍ନ ଅନ୍ୟ କିଛି ନହୋଇପାରେ। ପ୍ରାକୃତିକ ବିପର୍ଯ୍ୟୟ ହେଉ କି କୌଣସି ବାହ୍ୟ ରାଜ୍ୟର ରାଜା ମାନଙ୍କ ଆକ୍ରମଣ ହେଉ,ତାହାକୁ ଏଡାଇ ଦିଆଯାଇନପାରେ। ତଥାପି କୋଣାର୍କ ସୂର୍ଯ୍ୟ ମନ୍ଦିର ଭଗ୍ନ ହୋଇଥିଲେ ମଧ୍ୟ ଯାହା କିଛି ରହିଯାଇଛି ତାହାକୁ ଦେଖି ବିଶ୍ବବାସୀ ବିମୁଗ୍ଧ ଓ ଭାବପ୍ରବଣ।ଶିଳ୍ପୀ ମାନଙ୍କ ଦ୍ବାରା ଯେଉଁ ନିପୂଣ କାରୁକାର୍ଯ୍ୟ ଖୋଦିତ,ତାହା ଦେଖିବା ପାଇଁ ପ୍ରତି ବର୍ଷ ପୃଥିବୀର କୋଣ ଅନୁକୋଣରୁ ପର୍ଯ୍ୟଟକ ମାନଙ୍କ ଆଗମନ ଓଡିଶାକୁ ହେବାର ମୂଖ୍ୟ କାରଣ ଅଟେ। ଅନେକ କୀର୍ତ୍ତିରାଜି ଆମ ଓଡିଶାରେ ଅଛି ସତ କିନ୍ତୁ ସୂର୍ଯ୍ୟ ମନ୍ଦିରର ଦୃଶ୍ଯ ଅତୀବ ଆଶ୍ଚର୍ଯ୍ୟଜନକ ଓ ମନମୁଗ୍ଧକର। ଏହି କଳା ମୁଗୁନି ପଥରରେ ନିର୍ମିତ ବିଶାଳ ରଥ ସଦୃଶ ମନ୍ଦିରଟି ଏତେ ସଂଖ୍ୟକ ପର୍ଯ୍ୟଟକଙ୍କ ମନ ମୋହି ପାରୁଛି ତାହାର ବିଶ୍ଲେଷଣ କରିବା କଷ୍ଟ ସାଧ୍ୟ ହେଲେ ମଧ୍ୟ କବି,ଲେଖକ,ଭାବୁକଙ୍କ ଚକ୍ଷୁରେ କିପରି ସ୍ଥାନ ଗ୍ରହଣ କରିବା ଉଚିତ ତାହା ବହୁ ପୂର୍ବରୁ ପରଖା ନିରେଖା ହୋଇସାରିଛି। ଉତ୍କଳମଣିଙ୍କ ଲେଖନୀ,ପଣ୍ଡିତ ନୀଳକଣ୍ଠଙ୍କ ଲେଖନୀ,ଖୋର୍ଦ୍ଧାର କବି ସଚ୍ଚି ରାଉତରାୟଙ୍କ ଲେଖନୀ ଏମିତି ଅନେକ ଲେଖକ,କବି,ଗବେଷକ,ନାଟ୍ୟକାର ଆଦି କୋଣାର୍କର ଚାରୁକଳା ବିଶ୍ଳେଷଣ କରି ଓଡିଆ ଜନ ମାନସରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛନ୍ତି। ସେଥିମଧ୍ୟରୁ ଗୋପବନ୍ଧୁଙ୍କ ଧର୍ମପଦ ଓ ନୀଳକଣ୍ଠଙ୍କ କୋଣାର୍କେ କାବ୍ୟ ଅନନ୍ୟା କାଳଜୟୀ କୃତି।


    ପଥର ଖଚିତ ବିଭିନ୍ନ ରକମର ଛୁଚିଂମୂନ କାର୍ଯ୍ୟ ଓ ନର୍ତ୍ତକୀର ନୃତ୍ଯ,ନାଗ କନ୍ୟା,ମତ୍ସ୍ଯ କନ୍ୟା,ଗନ୍ଧର୍ବ,ଯକ୍ଷ,କିନ୍ନର ଇତ୍ୟାଦି ମାନଙ୍କ ମୂର୍ତ୍ତି ତାହା ପୁଣି କଳା ମୁଗୁନି ପଥରରେ ନିର୍ମିତ,ବଡ ଆଚମ୍ବିତ ଓ ଶୋଭାବର୍ଦ୍ଧନୀୟ ଅଟେ। ପ୍ରସସ୍ଥ ମୂଖଶାଳା ଛୁଚିଂ ମୂନ କାରୁକାର୍ଯ୍ୟରେ ମଣ୍ଡିତ ହେବା ସହ ତତ୍ପରେ ନବଗ୍ରହ ବିଦ୍ୟମାନ। ସଭାଗୃହ ସଦୃଶ ନାଟ୍ୟ ମଣ୍ଡପ ଓ ତାର ବର୍ଦ୍ଧନୀୟ କାର୍ଯ୍ୟଶୈଳୀ,ମାୟାଦେବୀ ଙ୍କର ମନ୍ଦିରର ଭିତର ଓ ବହାର ପାର୍ଶ୍ବରେ କଳା ନିପୂଣତା ଯିଏ କେହି ଦେଖି ଆଶ୍ଚର୍ଯ୍ୟ ଓ ସ୍ତବିଭୂତ ହେବା ସ୍ବାଭାବିକ। ସୂର୍ଯ୍ୟ ମନ୍ଦିର ମୂଖଶାଳା,ମନ୍ଦିର ଚତୁପାର୍ଶ୍ବସ୍ଥ କଳା,ସଂସ୍କୃତି,ଚକ,ଘୋଡା,ହାତି ଯାହା ପଥର ନିର୍ମିତ କୀର୍ତ୍ତି ତାହା ଯିଏ କେହି ଦେଖିରେ ହଠାତ୍‌ ବିମୋହିତ ହେବ ଏବଂ ଚିନ୍ତା ପ୍ରକଟ କରିବ,ଏଗୁଡିକ କିପରି ସ୍ଥାନିତ। ସତରେ କଣ କେଉଁ ଦେବ ଦୂତ ମାନେ ଅଜଣା ରାଇଜରୁ ଆସି ତାଙ୍କ ସ୍ବ-ହସ୍ତରେ ଏଭଳି କମନୀୟ,ଶୋଭାବର୍ଦ୍ଧନକାରି ବସ୍ତୁଟିଏ ଥାପି ଯାଇଛନ୍ତି। ବରଂ ଗର୍ବ ଅହଂକାରରେ ଛାତି ଫୁଲିଯାଏ ଆମ ପୂର୍ବ ପୀଢି ମହାରଣା ଭାଇ ମାନଙ୍କ କଥା ଭାବି। ସାଧାରଣ ଜୀବନ ଯାପନ ସହ ନିହାଣ ମୁଗୁର ବ୍ୟବହାର କରି ବାର ବରଷ ଏକାକାର କରି ସେମାନେ ବ୍ରତ୍ତ ପାଳନ ସ୍ବରୂପ ଏହି ମନ୍ଦିର କାର୍ଯ୍ୟ କରାଇଥିଲେ ଦୁଽଖ ଓ ଜର୍ଜରିତ ଜୀବନ ନିର୍ବାହ କରି। ରାଜାଙ୍କର ପାଉଣା କଣ ଥିବ ତାହା ଭାବିବା ମୁସ୍କୁଲି। କେତେ ପାଉଣା ସେମାନେ ପାଇଥିବେ? ଦିନ ରାତି ଏକାଠି କରି ଲାଗି ପଡିଥିଲେ ପଥର ଖଣ୍ଡମାନଙ୍କରେ ପ୍ରାଣ ଭରି ଦେବା ପାଇଁ। ବିଶାଳ ବିଶାଳ ଘୋଡା ହାତି ମାନ କିଭଳି ହେଲା କିଏ କଲା ତାହା ପରିକଳ୍ପନାର ବିଷୟ ହୋଇପାରେ ସତ କିନ୍ତୁ ଶିଳ୍ପୀର କଷ୍ଟ ସାଧ୍ୟ ମୂହୁର୍ତ୍ତର ବିବତ୍ସ କାହାଣୀ କେତେ ରୋମାଂଚିତ ହୋଇ ନଥିବ। ନିଜ ନିଜର ପରିବାର ପରିଜନ ଠାରୁ ଦୂରେଇ ରାଜ କାର୍ଯ୍ୟରେ ଯୋଗଦେଇ କୀର୍ତ୍ତିମାନ କୀର୍ତ୍ତି ଅର୍ଜନ କରିବା ଲକ୍ଷ୍ୟ ନା ଅନ୍ୟ କିଛି ହୋଇପାରେ? ବଡ ଦାରୁଣ,କଷଣ ଜୀବନ ଜିଇଁବାର ସମୟ ଅଟେ ସେହି ବାର ବର୍ଷ। ହୀନ ମାନ୍ୟତାର ଶିକାର ହୋଇନଥିଲା ଉତ୍କଳୀୟ ଶିଳ୍ପୀ କୂଳ। ବରଂ ନିଜର କାଳକୃତିକୁ ଭାବନା ସହ ଚିତ୍ର ଦେଲା ନିର୍ଜିବ ପଥର ଠାରେ। ଜୀବନ ଭରି ଦେଲା ତା ଠାରେ। ପଥର ଉପରେ ପଥର ଖଂଜି ଆଗେଇ ନେଲା ବୃହତକାୟ ମନ୍ଦିରଟିଏ ପାଇଁ ଏବଂ ତାର ସ୍ବପ୍ନ ବାସ୍ତବ ହେଲା ଓ ଚନ୍ଦ୍ରଭାଗା ନଦୀତଟ ଦେଶେ,ସମୁଦ୍ର ସୀମାକୁ ଲାଗି ଆବିର୍ଭାବ ହେଲା ବସ୍ତ୍ର,ମୁକୁଟ ପରିଧାନ ଯୁକ୍ତ ନରସିଂହ ଦେବଙ୍କ ଆହ୍ବାନରେ ଓଡିଆ ମୂକସାକ୍ଷୀ ସୂର୍ଯ୍ୟ ମନ୍ଦିର। ଯିଏକି କଳା,ସଂସ୍କୃତିର ବାର୍ତ୍ତା ବାଣ୍ଟୁଛି ସାରା ପୃଥିବୀର କୋଣ ଅନୁକୋଣରେ। ଏକଦା ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନିତ କୋଣାର୍କ ମନ୍ଦିର କଣ ସେଥିରୁ ନିବୃତ ରହିଲା ତାହା ପ୍ରଶ୍ନବାଚୀ ଅଟେ। ସେଥିପାଇଁ ଦାୟୀ କିଏ?ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଥିବା ସେହି ମନ୍ଦିରଟି କଣ ପାଇଁ ଦିନକୁ ଦିନ ରୁଗ୍‌ଣ ହୋଇଯାଉଛି? ଉତ୍କଳବାସୀଙ୍କ ଗାରିମା ବଡିମା ସହ ଯୋଡି ହୋଇ ରହିଥିବା ଉକ୍ତ ମନ୍ଦିରଟିର ଭଗ୍ନ ଅବଶେଷାଂଶ ପ୍ରତ୍ୟେକ ଦେଶରେ ଆମ ଚାରୁକଳା ଦିଗ୍‌ଦର୍ଶନ ଦେଇପାରଛି।


     ନୃତ୍ୟାଙ୍ଗନା ନର୍ତ୍ତକୀ ସହ ବିଭିନ୍ନ ଶୈଳୀର କାମପଧିକ ଦୃଶ୍ଯ ଖୋଦିତ ହୋଇଛି ପଥର ଶିଳାରେ। କଣ ପାଇଁ ଶିଳ୍ପୀ କୂଳ ଏପରି ଅଶ୍ଳୀଳତା ଚିତ୍ରଣ କରିଯାଇଛନ୍ତି ସେହି ମନ୍ଦିର ପୃଷ୍ଠ ଭାଗରେ? କଣ ମହା ରାଜାଙ୍କର ଆଦେଶ ଥିଲା ନା ଭିନ୍ନ କିଛି ଥିଲା? ନିରୁତ୍ତର ହେବାର ପ୍ରଶ୍ନ ନାହିଁ। ଯେତେବେଳେ ଏହି ଐତିହ୍ୟ ରାଜ ନିର୍ମାଣ ହେଲା ସେ ପୁରାତନ ଯୁଗରେ ସାଧାରଣତଃ ପଥର ନିର୍ମିତ ପାତ୍ରର ଯଥେଷ୍ଟ ପ୍ରଚଳନ ଥିଲା। ବାଲ୍ୟ ବିବାହର ପ୍ରଥା ମଧ୍ୟ ପ୍ରଚଳିତ। ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକର ଶିକାର ହେବାକୁ ପଡୁଥିଲା ଜନ ସମାଜକୁ। କ୍ରମବର୍ଦ୍ଧିଂଶୁ ସଂଖ୍ୟା ନଥିଲା। ରାଜା ମାନେ ତାଙ୍କର ସାମ୍ରାଜ୍ୟ ବଢାଇବା ପାଇଁ ନିଶ୍ଚିତ ରୂପେ ଜନ ସଂଖ୍ୟା ବୃଦ୍ଧି ହେବାର ଗୁରୁତ୍ତ୍ବାରୋପ କରୁଥିବେ। ଚିକିତ୍ସା ବିଜ୍ଞାନର ସଫଳ ରୂପାୟନ ହୋଇପାରିନଥିଲା। ଯାହା ଫଳରେ ନାନାଦି ରୋଗ ହୋଇ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଜୀବିକା ନିର୍ବାହ କରିବା ଅତ୍ୟନ୍ତ କଷ୍ଟ ସାଧ୍ୟ ହେଇଥିବ। ଅକାଳରେ ଜୀବନ ନଷ୍ଟ ହେବାର ଅନେକ ଦୃଷ୍ଟାନ୍ତ ଉପଲବ୍ଧ। କାମଶାସ୍ତ୍ର ଗ୍ରନ୍ଥ ଯାହା ମହର୍ଷି ବାତ୍ସାୟନଙ୍କ ଦ୍ବାରା ପ୍ରଣୀତ ଓ ସଂସ୍କୃତ ଭାଷାରେ ଲିଖିତ ତାହାର ମାଧ୍ୟମ ଜନ ସମାଜକୁ ଗ୍ରହଣ କରିବାକୁ ପଡିଥାଏ। ଆମ ଓଡିଆ ଭାଷା,ସଂସ୍କୃତ ଭାଷାର ସମସାମୟିକ ଭାବେ ସୃଷ୍ଟି ହୋଇଥାଇପାରେ ବୋଲି ଗବେଷକଙ୍କ ଗବେଷଣାରୁ ପ୍ରାଯୁଜ୍ୟ। ବାତ୍ସାୟନ କାମଶାସ୍ତ୍ରର ଲଳିତ ଶୃଙ୍ଗାର କଳାଶିକ୍ଷା ଅନିବାର୍ଯ୍ୟ କାରଣ ବଶତଃ ସେହି ଚିତ୍ରଣ ମୂଖ୍ୟତଃ କୋଣାର୍କ ମନ୍ଦିର କାନ୍ଥ ମାନଙ୍କରେ ଖୋଦିତ ଓ ପ୍ରମାଣିତ। ଏହାର କାରଣ କଣ ହୋଇପାରେ? କାହିଁକି ରାଜା ତାଙ୍କ କାରିଗର ମାନଙ୍କୁ ଏଭଳି ଅଶ୍ଳୀଳ ଚିତ୍ରଣ ପୁଣି ଦେବ ମନ୍ଦିର ବେଢାରେ ରଖିବାକୁ ପ୍ରୋତ୍ସାହନ ଦେଉଥିଲେ ତାହାର ବିବରଣୀ ପ୍ରଦାନ ନିଶ୍ଚୟ କଣ୍ଠାଗ୍ରତ ହେବ ତଥାପି ଧର୍ମାନୁଷ୍ଠାନ ଓ ଦେବାଳୟ ଇତ୍ୟାଦି ସ୍ଥାନରେ ଏଇ ଅଶ୍ଳୀଳତା ବାତ୍ସାୟନ କାମଶାସ୍ତ୍ରର ଉପଯୋଗ ବିସ୍ମିତ କରୁଛି ବିଶ୍ବବାସୀଙ୍କୁ। ସେତେବେଳେ ଜନସଂଖ୍ୟା ବୃଦ୍ଧି ପାଇଁ ଏହାକୁ ବିଜ୍ଞାପନ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ନବ ଦମ୍ପତି ମାନେ ବିବାହ ପରବର୍ତ୍ତୀ ସମୟରେ ଦେବ ମନ୍ଦିର ଯାଇ ପୂଜାର୍ଚ୍ଚନାର ବିଧି ଏବେବି ଆମ ଦେବ ଭୂମି ଭାରତବର୍ଷରେ ପ୍ରଚଳିତ ପ୍ରଥା ଅନୁସାରେ ଗ୍ରହଣୀୟ। ସେ ଦୃଷ୍ଟିରୁ ଦମ୍ପତି ମାନେ ଏହି ଶୃଙ୍ଗାର ଦେଖିବେ ଓ ଶିଖିବା ସହ ଅଧ୍ୟୟନ ରତ ହୋଇ ସଂଭୋଗ ଜରିଆରେ ନୂତନ ସୃଷ୍ଟିଟି ସର୍ଜନା କରି ପାରିବେ କିମ୍ବା ମନ ମଧ୍ୟରେ ଏକାଗ୍ରତା ଭଗ୍ନ ସଦୃଶ ତାଙ୍କ ପାଇଁ ଶିକ୍ଷଣୀୟ,ତାହାର ପ୍ରଭେଦ ଦେବାର ଲକ୍ଷ୍ୟ ଥାଇପାରେ। 


     ବାସ୍ତବିକ ଘର ସଂସାର ଠାରୁ ଶିଳ୍ପୀ କୂଳ ବହୁତ ଦୂରରେ ରହି ହବିଷାନ୍ନ ଭୋଜନ କରି ଏକଜୁଟ ହୋଇ ସମୁହ ସ୍ରୋତରେ ସାମିଲ୍‌ ହୋଇ ଦିନ ରାତି ଏକାକାର କରି ଯେଉଁ କଳା ନିପୂଣତା ତାର ନିହାଣ ମୁଗୁର ମୁନରେ ନିର୍ଜିବ ପଥରରେ ଫୁଟାଇଥିଲା ଭିନ୍ନ ଭିନ୍ନ ଶୃଙ୍ଗାର ଶାସ୍ତ୍ରର କଳା,ସେତେବେଳେ ନିଶ୍ଚିଂତ ଭାବରେ ତାର ପ୍ରେୟସୀ ପ୍ରିୟତମା କଥା ଚକ୍ଷୁ ସମ୍ମୁଖରେ ନାଚୁଥିବ। ସେହି ନିର୍ଜନ ରାତି ମାନଙ୍କରେ ପଥର ଖଣ୍ଡମାନଙ୍କ ଠାରେ ଚିତ୍ରଣ ଆଙ୍କିଲା ବେଳେ ନିଜ ଜାଣନ୍ତ କି ଅଜାଣନ୍ତରେ ସେ ଶିଳ୍ପୀ ତାର କାଳ୍ପନିକ ସୁଖ ଖୋଜିଥିବ ନାଗ କନ୍ୟା ଓ ମତ୍ସ୍ଯ କନ୍ୟା ମାନଙ୍କ ଠାରୁ ଯାହା ପଥର ନିର୍ମିତ ଥିଲା। ସେହି କାଳ୍ପନିକ ରୂପରେ କାମନା ମେଣ୍ଟାଇବା ପାଇଁ ତା ହାତରେ ଧରିଥିବା ନିହାଣ ମୁଗୁର ବ୍ୟବହାର ଦ୍ବାରା ସୃଷ୍ଟି କରିଥିବ ସଂଭୋଗ ଭରା ଭିନ୍ନ ଭିନ୍ନ ରୂପର କାମାଶକ୍ତ ନରନାରୀ। କାମନାରେ ଉତ୍ତେଜିତ ଶିଳ୍ପୀ କିମ୍ବା କାରିଗରଟିଏ ଚିତ୍ରଣ କରିଥିବ ବାତ୍ସାୟନ କାମଶାସ୍ତ୍ରର ଲଳିତ ଶୃଙ୍ଗାର କଳା ଯାହା ପରିପୁଷ୍ଟ ହୋଇଥିବ ସେହି ନିର୍ଜିବ ପଥର ଖଣ୍ଡମାନଙ୍କ ଠାରେ ଏବଂ ସ୍ଥାପନା କରିଥିବ ତାର ପ୍ରିୟତମା ସ୍ମୃତି ଉଦ୍ଦେଶ୍ୟରେ ସେହି ବିଶାଳ ମନ୍ଦିର କାନ୍ଥ ବାଡରେ। ବିଭିନ୍ନ ପ୍ରକାରର କାମଶାସ୍ତ୍ରର ଲଳିତ ଶୃଙ୍ଗାର କଳା ଦେଖିବାକୁ ମିଳେ ସୂର୍ଯ୍ୟ ମନ୍ଦିର କାନ୍ଥରେ। ସମସ୍ତ କାମଶାସ୍ତ୍ରର ରୂପାୟନ ସ୍ବର୍ଗ ରାଜା ଇନ୍ଦ୍ରଦେବଙ୍କ ଠାରେ ଉପଲବ୍ଧ ପୌରାଣିକ ଆଧାରରେ। ତେଣୁ ରାଜାଙ୍କ ବିଶ୍ବାସ ଥାଇ ପାରେ ଯଦି ବିଭିନ୍ନ ରକମର ପୁରୁଷ ନାରୀ ସହବାସ ଚିତ୍ରଣ କରାଯାଏ ତେବେ ଇନ୍ଦ୍ରରାଜାର ବଜ୍ରାଘତରୁ ତାଙ୍କ ନିର୍ମିତ କୀର୍ତ୍ତିରାଜକୁ ରକ୍ଷା କରିହେବ। କାରଣ ଇନ୍ଦ୍ରଙ୍କ ଶରାଘାତ ସହବାସ ପୂର୍ଣ୍ଣ ମୂର୍ତ୍ତି ପାଇଁ ବିଫଳ ହେବ ଓ କୀର୍ତ୍ତିରାଜିର କିଛି କ୍ଷତି ହେବନି


     ବର୍ଷ ବର୍ଷରୁ ସଂମ୍ପର୍କ ଦୂରେଇ ରହି ବାରଶହ ଶିଳ୍ପୀ ଯେଉଁ ପ୍ରକାର ମାନସିକତା ଦେଇ ଗତି କରୁଥିବେ ତାହାର ବିଶ୍ଲେଷଣ ଯଦି ହୁଏ ତେବେ ଏଇ ସିଦ୍ଧାନ୍ତ ଆସିବ ଯେ କୌଣସି ନା କୌଣସି ମୂହୁର୍ତ୍ତରେ ତାଙ୍କର ଯୌନାଙ୍ଗ ନିଶ୍ଚିତ ରୂପେ ଆଗେବ ଭରା ଭାବେ ଉତ୍ତେଜନା ହୋଇ ଖୋଜିଥିବ ବାର ବାର ଅତି ଆପଣାର ପ୍ରିୟତମା ମାନସୀକୁ। ଯାହା ସହ ମିଳନ ହେବା କେବଳ ଭାବନା ଓ କଳ୍ପନା ହୋଇପାରେ। କିନ୍ତୁ ବାସ୍ତବତା ନାହିଁ କାରଣ ରାଜାର ଆଦେଶ ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ନହେଲା ପର୍ଯ୍ୟନ୍ତ କେହି ଘର ବାହୁଡା ହେବେ ନାହିଁ। ସେହି ମନ ମଧ୍ୟରେ ଉପୁଜିଥିବା ଶୃଙ୍ଗାର ରସର ବାସନାକୁ ଖୋଜିହୁଏ ଶିଳ୍ପୀ ଆଉ ଯେଉଁ ତୁଳୀ ଧରି ସେ ଆଙ୍କିବାକୁ ଚେଷ୍ଟା କରେ ବଗିଚା,ଫୁଲ,ନଦୀ,ସମୁଦ୍ର,ନରନାରୀ ଇତ୍ୟାଦି। ସେହି ତୁଳୀ ତାର ଅଜାଣତରେ ସେହି କାମନା ବାସନା ମଧ୍ୟରୁ ସୃଷ୍ଟି ହୁଏ ବିଭିନ୍ନ ରକମର ସହବାସ ପୂର୍ଣ୍ଣ ଚିତ୍ରାଙ୍କନ ଯାହା ନିହାଣ ମୁଗୁର ବାଜି ଶିଳ୍ପୀଙ୍କର ହସ୍ତ ଦ୍ବାରା ଅର୍କ କ୍ଷେତ୍ର କୋଣାର୍କରେ ଫୁଟି ଉଠିଲା ଯୌବନ ଭରା ରମଣୀ,ତରୁଣୀ,ନାଗ କନ୍ୟା,ମତ୍ସ୍ଯ କନ୍ୟା,ଅଶ୍ବ,ହସ୍ତି,ଚକ୍ର ଇତ୍ୟାଦି। ସେହିଠାରେ ଦେଖିବାକୁ ମିଳେ ବାତ୍ସାୟନ କାମଶାସ୍ତ୍ରର ଚିତ୍ରଣ। ମନମୁଗ୍ଧକର ଅଟେ ଉତ୍କଳୀୟ ଶିଳ୍ପୀଙ୍କର କାରୁକାର୍ଯ୍ୟ ଯାହା ପ୍ରତିଫଳନ ସହ ପ୍ରତୀୟମାନ ହୁଏ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଦେହରେ।


    ବାସ୍ତବିକ କୋଣାର୍କର ଚାରୁକଳା ଅବିଶ୍ବାସନୀୟ ଓ ଗ୍ରହଣୀୟ। କେତେ ପରକାରେ ଝୋଟି ଲଳିତ କଳା ପର୍ଯ୍ୟବେସିତ। ଏକ ସୁନ୍ଦର ରଥ ସଦୃଶ ମନ୍ଦିରଟି ଯାହାର ମୂଖ୍ୟ ମନ୍ଦିର କୌଣସି କାରଣରୁ ଭାଙ୍ଗି ପଡିଥିବାରୁ କିମ୍ବା ଭଙ୍ଗା ଯାଇଥିବା ହେତୁ କେବଳ ମୂଖ ଶାଳ ମନ୍ଦିରଟି ଦଧିନଉତି ବ୍ୟତିତ ଦଣ୍ଡାୟମାନ ଭଗ୍ନ ସ୍ତୁପ ରୂପେ ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଭ୍ରମଣରେ ଆସି ଉତ୍କଳୀୟ ଚାରୁକଳାର ଦୃଶ୍ଯ କୋଣାର୍କରେ ଦେଖି ବିମୋହିତ ହୁଅନ୍ତି। ୧୨୦୦ ରୁ ୧୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ କୀର୍ତ୍ତିରାଜି ମନ୍ଦିରଟି ତାର ଗାରିମା ଓ ଚାରୁଚିତ୍ର ବଜାୟ ରଖି ଆମ ଓଡିଶାକୁ ବିଶ୍ବ ଦରବାରରେ ପରିଚିତ କରାଇ ପାରିଛି।


   ମୂଖ୍ୟ ଶିଳ୍ପୀ ବିଶୁ ମହାରଣାଙ୍କ ସୁପୁତ୍ର ଧରମା ଶିଳ୍ପୀ ନଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ସେଠାରେ ପହଂଚି ମନ୍ଦିର ମୁଣ୍ଡି ମାରି ସେହି ମନ୍ଦିରକୁ ପୂର୍ଣ୍ଣାଙ୍ଗ କରିଥିଲେ ଯାହା ବିଭିନ୍ନ ଲେଖକଙ୍କ ଲେଖନୀ ମୂନରେ ଲିଖିତ ଓ ବର୍ଣ୍ଣିତ। ସତରେ ବାର ବରଷର ଧରମା ପିତା ଆଦେଶ ମାନି ସବୁ ଦିନ ପାଇଁ ବଳୀଦାନ ଦେଇ ଛାଡିଗଲା ଶିଳ୍ପୀକୂଳ ଓ ଉତ୍କଳ ପାଇଁ ଅନେକ ଅନେକ ଯଶ କୀର୍ତ୍ତି।ଧାର୍ମିକ ଭାବନା ଦୃଷ୍ଟିରୁ ସେହି ମନ୍ଦିରରେ କୌଣସି ମୂର୍ତ୍ତି ପୂଜା ପାଉ ନଥିଲେ ମଧ୍ୟ ତାର ଚାରୁକଳା ପୂଜା କରୁଥିବ ଧରମାକୁ ଯିଏ ପ୍ରାଣଭରି ଦେଇଥିଲା ସେମାନଙ୍କ ଠାରେ।ଧରମାର ସ୍ପର୍ଶେ ଜୀବନ୍ତ ହେଲା ଅର୍କକ୍ଷେତ୍ରର ରଥ ସଦୃଶ ମନ୍ଦିରଟି ଯାହା ସୂର୍ଯ୍ୟ ମନ୍ଦିର ଭାବେ ପ୍ରକ୍ଷାତ।ଭଗବାନ୍‌ ସୂର୍ଯ୍ୟ ଙ୍କର ଅନେକ ମୂର୍ତ୍ତି ମନ୍ଦିର ଉପରିଭାଗ ମାନଙ୍କରେ ଚାରି ପାଖରେ ବସା ଯାଇଛି। ଏଥିରୁ ସ୍ପଷ୍ଟ ଗଙ୍ଗ ବଂଶର ରାଜା ଲାଙ୍ଗୁଡା ନରସିଂହ ଦେବ ତାଙ୍କର ଉପାସକ ଥିଲେ। ସେଇ ଦୃଷ୍ଟିରୁ ତାଙ୍କ ଜନ୍ମଦାତ୍ରୀ ମାତାଙ୍କର ଅଭିଳାଷ ପୂରଣ ନିମନ୍ତେ ଶିବେଇ ସାଆନ୍ତରାଙ୍କ ପ୍ରେରଣାରେ ଅର୍କ କ୍ଷେତ୍ରରେ ଆରମ୍ଭ ହୋଇଥିବ ସୂର୍ଯ୍ୟ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା।



Rate this content
Log in