Kanan Bala Nayak

Tragedy

3  

Kanan Bala Nayak

Tragedy

ପାଗଳୀ

ପାଗଳୀ

6 mins
705


ବିଶିଷ୍ଟ ସମାଜସେବୀ ଡକ୍ଟର ଅପର୍ଣ୍ଣା ଦାସ ସେଦିନ କୌଣସି ଏକ କାମରେ ନିଜ ଗାଡିରେ ଯାଉଥିବା ସମୟରେ, ହଠାତ୍ ତାଙ୍କର ନଜର ପଡିଲା ରାସ୍ତା କଡରେ ଜମା ହୋଇଥିବା ଭିଡ ଉପରେ । କଣ ହୋଇଛି ବୋଲି ଭାବି ସେ ଗାଡିକୁ ରାସ୍ତା କଡ଼ରେ ଛିଡା କରି, ଭିଡକୁ ଆଡେଇ ଆଗକୁ ଆଗେଇ ଗଲେ। ଦେଖିଲେ ପଞ୍ଚାବନ ଛଅପନ ବୟସର ସ୍ତ୍ରୀ ଲୋକଟିଏ। ପିନ୍ଧା ଶାଢୀଟି ଠାଏ ଠାଏ ଛିଣ୍ଡି ଯାଇଛି। ଆଉ ଉପସ୍ଥିତ ଜନତା ପାଗଳୀ ପାଗଳୀ ଚିତ୍କାର କରି ତା ଉପରକୁ ଟେକା ପଥର ମାଡ କରି ଚାଲିଛନ୍ତି। ଡକ୍ଟର ଅପର୍ଣ୍ଣା ସ୍ତ୍ରୀ ଲୋକଟି ପାଖକୁ ଝଡ଼ ବେଗରେ ଆଗେଇ ଗଲେ ଆଉ ତାକୁ ନିଜ ଛାତି ଉପରେ କୁଣ୍ଢାଇ ଧରି ଯୋରରେ ଚିତ୍କାର କରି ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହିଲେ ଆପଣ ମାନେ ଏତେ ଅସମ୍ବେଦନ ଶୀଳ କେମିତି ହୋଇ ଯାଉଛନ୍ତି? ଆପଣ ମାନଙ୍କ ଭିତରେ ଥିବା ମଣିଷ ପଣିଆ କଣ କୁଆଡେ ମରି ହଜି ଗଲାଣି? ନିଜେ କହୁଛନ୍ତି ପାଗଳୀ ବୋଲି, ଆଉ ତାକୁ ଆକ୍ରମଣ କରି ଚାଲିଛନ୍ତି? ସେଇ ସମୟରେ ଭିଡ ଭିତରୁ ଜଣେ ସ୍ତ୍ରୀ ଲୋକ ବାହାରି କହିଲେ, ମାଡାମ ଏ ପାଗଳୀ କଣ ଆପଣଙ୍କର କିଛି ବନ୍ଧୁ ବାନ୍ଧବ ହେବ? ନ ହେଲେ ଆପଣ ତା ପାଇଁ ଏମିତି ଓକିଲାତି କରୁଛନ୍ତି କାହିଁକି? ଆପଣ ଦେଖିନାହାଁନ୍ତି ସେ କେମିତି ମୋର ଛଅବର୍ଷର ପୁଅକୁ ଭିଡି ଧରିଥିଲା। ପିଲାଟା ମୋର ପୁରା ଅଣନିଶ୍ବାସୀ ହୋଇଯାଇଛି। ଦେଖୁ ନାହାଁନ୍ତି ସେ କେମିତି ଭୟରେ ବଡରା ପତ୍ର ଭଳି ଥରୁଛି। ଡକ୍ଟର ଅପର୍ଣ୍ଣା ଦେଖିଲେ ଛଅ ସାତ ବର୍ଷର ପିଲାଟିଏ, ସେ ମହିଳାଙ୍କୁ ଭିଡି ଧରି ଛିଡା ହୋଇଛି । ଆଉ ତା ହାବ ଭାବରୁ ଜଣା ପଡୁଛି ସତରେ ସେ ଯୋରରେ ଭୟ ପାଇ ଯାଇଛି। ଡକ୍ଟର ଅପର୍ଣ୍ଣା ସ୍ତ୍ରୀ ଲୋକଟିକୁ ଲକ୍ଷ୍ୟ କରି କହିଲେ ମୁଁ ଆପଣଙ୍କର ମାନସିକ ସ୍ଥିତି ବୁଝି ପାରୁଛି।ହେଲେବି ଆପଣ କୁହନ୍ତୁ ଜଣେ ମାନସିକ ବିକୃତ ରୋଗୀକୁ ଏ ଭଳି ସମସ୍ତେ ମିଶି ଅମାନୁଷିକ ଭାବରେ ଆକ୍ରମଣ କରିବା ଟା କଣ ଠିକ କଥା?ଆପଣଙ୍କ ପିଲାକୁ ତ ସେ ଶାରୀରିକ ଭାବରେ କିଛି କ୍ଷତି ଘଟାଇ ନାହିଁ । ପିଲାଟା ଖାଲି ଟିକେ ଡରି ଯାଇଛି ଯାହା। ହେଲେ ଆପଣ ମାନେ ଯେମିତି ସଙ୍ଘବଦ୍ଧ ହୋଇ ଏ ସ୍ତ୍ରୀ ଲୋକ ଟିକୁ ଆକ୍ରମଣ କରୁଛନ୍ତି ସେ ବଞ୍ଚିବତ? ତା ଦେହରେ କଣ ଜୀବନ ନାହିଁ? ଜଣେ କଣ ଜନ୍ମରୁ ଏମିତି ପାଗଳୀ ହୋଇ ଜନ୍ମ ହୋଇଥାଏ?

ପରିବେଶ ଓ ପରିସ୍ଥିତିରେ ପଡି ମଣିଷ ପାଗଳ ହୁଏ। କିଏ ଜାଣେ ଇଏ କେଉଁ ପରିସ୍ଥିତିରେ ପଡି ତାର ମାନସିକ ସନ୍ତୁଳନ ହରାଇ ବସିଛି? ଆଉ କାଲି ଆମ ମାନଙ୍କ ଭିତରୁ କାହା ସହ ଏମିତି ପରିସ୍ଥିତି ହେବନି ବୋଲି? ଆଉ ଆପଣ ମୋ ସହ ତାଙ୍କର ଯେଉଁ ସମ୍ପର୍କ କଥା କହୁଛନ୍ତି, ମୋର ତାଙ୍କ ସହିତ ମାନବିକତାର ସମ୍ପର୍କ ଅଛି। ସମ୍ପର୍କ ସବୁବେଳେ କଣ ରକ୍ତ ଗତ ହେବା ଜରୁରୀ? ମଣିଷ ସହିତ କଣ ମଣିଷର କିଛି ସମ୍ପର୍କ ନାହିଁ? ଅପର୍ଣ୍ଣା ଙ୍କ କଥା ଶୁଣି ସେଠାରେ ଜମା ହୋଇଥିବା ଲୋକମାନେ ଯିଏ ଯାହା ରାସ୍ତାରେ ଚାଲିଯାଇଥିଲେ। ଆଉ ସେ ସ୍ତ୍ରୀ ଲୋକ ଜଣକ ମଧ୍ୟ ତାଙ୍କ ପୁଅକୁ ଧରି ସେଠାରୁ ଅଦୃଶ୍ୟ ହୋଇ ଯାଇଥିଲେ।ଅପର୍ଣ୍ଣା ସ୍ତ୍ରୀ ଲୋକଟି ପାଇଁ କଣ ବ୍ୟବସ୍ଥା କରିବେ ଭାବି ତାକୁ ନିଜ ଗାଡି ପାଖକୁ ନେଇ , ଗାଡି ଭିତରୁ ପାଣି ବୋଟଲ ଓ ଫାଷ୍ଟଏଡ୍ ବକ୍ସ ବାହାର କରି ତା ମୁଣ୍ଡରୁ ବାହାରୁ ଥିବା ଧାର ଧାର ରକ୍ତକୁ ଫୋଛୁ ଥାଆନ୍ତି, ହଠାତ୍ ଜଣେ ଷାଠିଏ ବାଆଷଠି ବର୍ଷର ଲୋକଙ୍କୁ ତାଙ୍କ ଆଡ଼କୁ ଦୌଡି ଦୌଡ଼ି ଆସିବାର ଦେଖିବାକୁ ପାଇଲେ। ପୁରୁଷ ଲୋକ ଜଣକ ଅପର୍ଣ୍ଣା ଙ୍କୁ ଆଶ୍ଚର୍ଯ୍ୟ ଜନକ ଚାହାଣୀରେ ଚାହିଁ ପଚାରିଲେ କଣ ହୋଇଛି ତାର? ତା ମୁଣ୍ଡରୁ ଏମିତି ରକ୍ତ ଝୁରୁଛି କାହିଁକି? ମୁଁ ତାକୁ ଘରେ ବାହାରେ କେତେ ଆଡେ ଖୋଜିଲିଣି। ସେ ଏଠି ପହଞ୍ଚିଲା କେମିତି?ଅପର୍ଣ୍ଣା କହିଲେ ମୁଁ ସମାଜସେବୀ ଡକ୍ଟର ଅପର୍ଣ୍ଣା ଦାସ। ହେଲେ ଆପଣ କିଏ?ଏ ସ୍ତ୍ରୀ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ କଣ? ଆପଣ ଦେଖୁଛନ୍ତି ୟାଙ୍କର ମସ୍ତିଷ୍କ ସନ୍ତୁଳନ ଠିକ୍ ନାହିଁ। ତା ପରେ ବି ଆପଣ ତାଙ୍କୁ ଏକୁଟିଆ ବାହାରକୁ ଛାଡି ଦେଇଛନ୍ତି।ମୁଁ ଯଦି ଠିକ୍ ସମୟରେ ପହଞ୍ଚି ନ ଥାଆନ୍ତି ତେବେ ଉତ୍ଯକ୍ତ ଜନତା ହୁଏତ ଆଜି ୟାଙ୍କର ପ୍ରାଣ ନେଇ ଯାଇ ଥାଆନ୍ତେ। ପୁରୁଷ ଲୋକ ଜଣକ କହିଲେ ମାଡାମ ମୋ ନାଁ ଗଣେଶ। ମୁଁ ପାଖ ସ୍କୁଲରେ ପିଅନ ଚାକିରିଟିଏ କରିଥିଲି। ଦୁଇ ବର୍ଷ ହେଲା ଅବସର ନେଇଛି। ଆଉ ଇଏ ମୋ ସ୍ତ୍ରୀ ମାଳତୀ। ଦୀର୍ଘ ସତର ବର୍ଷ ତଳର କଥା। ମୁଁ, ମୋ ସ୍ତ୍ରୀ ମାଳତୀ ଓ ଛଅବର୍ଷର ଏକ ମାତ୍ର ପୁଅ ମଣ୍ଟୁ। ଚାକିରି ସହ ପୈତୃକ ସମ୍ପତ୍ତିରୁ ଯାହା ଆୟ ହୁଏ ସେଥିରେ ବେଶ ହସ ଖୁସିରେ ଚଳୁଥିଲୁ। ପୁଅଟି ମୋର ଭାରି ଚଗଲା ଆଉ ଖେଳ ପ୍ରୀୟ। ତାର ସବୁଠାରୁ ପ୍ରୀୟ ଖେଳ ହେଲା ଲୁଚକାଳି। ସେ ସବୁବେଳେ ତା ମାଆ ସହ ଲୁଚକାଳି ଖେଳିବା ପାଇଁ ଭଲ ପାଏ। ବେଳେ ବେଳେ ଏମିତି ଯାଗାରେ ଯାଇ ଲୁଚିଯାଏ ଯେ, ତା ମାଆ ତାକୁ ଜମାରୁ ଖୋଜି ପାଏନା। ଆଉ ରାଗି ଯାଇ ଯେତେବେଳେ ବିରକ୍ତ ହୋଇ ପାଟି କରିବା ଆରମ୍ଭ କରେ, ସେତେବେଳେ ସେ ଲୁଚିଥିବା ଯାଗାରୁ ବାହାରି ଆସି ତା ମାଆକୁ ପଛ ପଟୁ କୁଣ୍ଢାଇ ଧରେ, ଆଉ କହେ ମାଆ ମୁଁ ତୁମକୁ ଡରାଇ ଦେଲିନା? ଆଉ ଜୋରରେ ହୋହୋ ହୋଇ ହସେ। ଦିନକର କଥା ମୁଁ କିଛି ଗୋଟେ କାମରେ ସହରକୁ ଯାଇଥାଏ। ମଣ୍ଟୁଆ ମାଳତୀ ସହ ଘର ବାରଣ୍ଡାରେ ବସି ଖେଳୁ ଥାଏ। ସେଇ ସମୟରେ କିଛି କୁଣିଆ ଆସି ଘରେ ପହଞ୍ଚିଲେ।

ମାଳତୀ କୁଣିଆ ମାନଙ୍କୁ ଦେଖି ତାଙ୍କ ଚର୍ଚ୍ଚାରେ ଲାଗି ଯାଇଥାଏ । ହଠାତ୍ ଦେଖିଲା ମଣ୍ଟୁଆ ଖେଳୁଥିବା ଯାଗାରେ ନାହିଁ। ମାଳତୀ ଭାବିଲା ମଣ୍ଟୁଆ ବୋଧେ ତା ସହ ଲୁଚକାଳି ଖେଳୁଛି। ସେଥିପାଇଁ ସେ ସେଇଭଳି କାମରେ ମାତି ରହି ପାଟି କରି କହିଲା ମଣ୍ଟୁଆ କେଉଁଠି ଅଛୁ ବାହାରି ଆସ କହୁଛି। ମୁଁ ପରା କାମରେ ବ୍ଯସ୍ତ ଅଛି। ତୋ ପଛରେ ଗୋଡାଇ ପାରିବିନି କହି ଦେଉଛି। ଦୁଇ ତିନି ଥର ପାଟି କରିବା ପରେ ବି ମଣ୍ଟୁଆ କିନ୍ତୁ ତା ମାଆ ପାଖକୁ ଆସି ନଥିଲା। ଏତେ ଥର ଡାକ ପକାଇବା ପରେ ବି ମଣ୍ଟୁଆକୁ ଆସିବାର ନ ଦେଖି, ମାଳତୀ ଓ ଆସିଥିବା କୁଣିଆ ମାନେ ବ୍ଯସ୍ତ ହୋଇ ତାକୁ ଏଣେ ତେଣେ ଖୋଜିବାକୁ ଲାଗିଲେ। ଘରେ, ବାହାରେ, ପଡୋଶୀ ମାନଙ୍କ ଘରେ ଖୋଜାଖୋଜି କରିବି ତାକୁ କୁଆଡେ ନପାଇ, ମୋ ପାଖକୁ ଫୋନ୍ କଲେ। ସହରରେ କାମ ଅଧାଛାଡି ମୁଁ ତୁରନ୍ତ ଗାଁକୁ ଫେରିଲି ଆଉ ମଣ୍ଟୁଆକୁ ଖୋଜିବାକୁ ଲାଗିଗଲି। ପାଖ ପଡିଶା ମଧ୍ୟ ଆମ ସହ ମଣ୍ଟୁଆକୁ ଖୋଜିବାକୁ ଲାଗିଗଲେ। ହେଲେ ସଂନ୍ଧ୍ଯା ହେଲା ପଛେ ମଣ୍ଟୁଆର କିଛି ସନ୍ଧାନ ମିଳିଲା ନାହିଁ। ମନକୁ ପାପ ଛୁଇଁଲା। ମାଳତୀ କାନ୍ଦି କାନ୍ଦି ଚେତାଶୂନ୍ଯ ହୋଇ ପଡୁଥାଏ। ସେଇ ସମୟରେ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିବା ଜଣେ ମହିଳା ଧଇଁ ସଇଁ ହୋଇ ଦୌଡି ଦୌଡ଼ି ଆସି କହିଲେ ଗାଁ ପୋଖରୀରେ କଣ ଗୋଟେ ଭାସିବାର ଦେଖାଯାଉଛି।ଆମେ ସମସ୍ତେ ଅଣ ନିଶ୍ବାସୀ ହୋଇ ପୋଖରୀ ଆଡକୁ ଦଉଡିଲୁ। ସେତେବେଳକୁ କିନ୍ତୁ ଅନେକ ଡେରି ହୋଇ ଯାଇଥିଲା। ମଣ୍ଟୁଆର ଶରୀରକୁ ପାଇଲୁ ସିନା କିନ୍ତୁ ତା ଦେହରେ ଆଉ ପ୍ରାଣ ନ ଥାଏ। ସେ ସେତେବେଳକୁ ସଲୀଳ ସମାଧି ନେଇ ସାରିଥାଏ। ମଣ୍ଟୁଆର ପ୍ରାଣହୀନ ଶରୀରକୁ ଦେଖି ମାଳତୀ ମୁଣ୍ଡ ପିଟି କାନ୍ଦି କାନ୍ଦି କହୁଥାଏ ମୁଁ ଅଲକ୍ଷଣୀ, ପୋଡା ମୁହିଁ କଣ କଲି। ନିଜ ହାତରେ ନିଜ ପିଲା ଟାକୁ ମାରି ଦେଲି। ମୁଁ ଯଦି ତା ଖେଳ କୁ ଖେଳ ବୋଲି ନ ଭାବି ଠିକ୍ ସମୟରେ ତାକୁ ଖୋଜି ଥାଆନ୍ତି, ତେବେ ଆଜି ମୋ ଧନ ମୋତେ ଏମିତି ଏକା କରି ଚାଲି ଯାଇ ନ ଥାଆନ୍ତା। ଏମିତି ବାହୁନି ବାହୁନି ମାଳତୀ ଚେତାଶୂନ୍ଯ ହୋଇଗଲା। ଆଉ ଚେତା ଫେରିବା ବେଳକୁ ତାର ମାନସିକ ସନ୍ତୁଳନ ବିଗିଡି ଯାଇଥାଏ। ସେ କାହାକୁ ଆଉ ଚିହ୍ନି ପାରୁ ନଥାଏ। ମଣ୍ଟୁଆର ପ୍ରୀୟ ଲୁଚକାଳି ଖେଳଟା ଆମ ସମସ୍ତଙ୍କ ପାଇଁ କାଳ ପାଲଟି ଯାଇଥିଲା। ସେ ସବୁଦିନ ପାଇଁ ଆମ ସମସ୍ତଙ୍କ ସହିତ ଲୁଚକାଳି ଖେଳି ଆର ପାରିକୁ ଚାଲି ଯାଇଥିଲା। ଦିଦି ସେଦିନ ପାଖରୁ ଆଜି ଯାଏ ମାଳତୀକୁ ଅନେକ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇ ସାରିଲାଣି। କିନ୍ତୁ ଫଳ କିଛି ହେଉନି। ସମୟ ସତର ବର୍ଷ ଆଗକୁ ଆଗେଇ ଯାଇଥିଲେ ମଧ୍ୟ, ମାଳତୀ ସେଇ ସତର ବର୍ଷ ତଳେ ଅଟକି ଯାଇଛି । ଆଉ ସବୁ ବେଳେ ଖାଲି ସେଇ ଗୋଟାଏ କଥା ଦୋହରାଇ ଚାଲିଛି। ମୋ ମଣ୍ଟୁଆ ମୋ ସହ ଲୁଚକାଳି ଖେଳୁଛି। ଦେଖିବ କିଛି ସମୟ ପରେ କେମିତି ଦୌଡି ଦୌଡ଼ି ଆସି ମୋତେ କୁଣ୍ଢାଇ ଧରିବ ଆଉ କହିବ ମାଆ ମୁଁ ତୋତେ ଡରାଇ ଦେଲିନା। ଆଉ ତା ବୟସର ଯେ କୌଣସି ପିଲାକୁ ଦେଖିଲେ ତାକୁ ମଣ୍ଟୁଆ ବୋଲି ଭାବି କୁଣ୍ଢାଇ ଧରୁଛି। ତାର ମାନସିକ ସନ୍ତୁଳନ ବିଗିଡିବା ପରଠାରୁ ମୋତେ ଘର ବାହାର ସବୁ କାମ କରିବା ପାଇଁ ପଡୁଛି। ଆଜି ମଧ୍ୟ କାମରେ ବ୍ଯସ୍ତ ଥିବା ବେଳେ ସେ କେତେ ବେଳେ ଘରୁ ବାହାରକୁ ବାହାରି ଆସିଛି ମୁଁ ଜାଣି ପାରିନି। ଯାହା ହେଉ ଆପଣଙ୍କ ଯୋଗୁଁ ଆଜି ସେ ଗୋଟିଏ ବଡ଼ ଦୁର୍ଘଟଣାରୁ ବଞ୍ଚି ଗଲା।ଆଉ ତାର ପ୍ରାଣ ରକ୍ଷା ହୋଇ ଗଲା । ତା ଛଡା ମୋର ଆଉ କିଏ ଅଛି ଯେ? ପାଗଳୀ ହେଉ ପଛେ ମୋ ପାଖରେ ଅଛି। ତେଣୁ ଆପଣଙ୍କୁ କଣ କହି ଧନ୍ୟବାଦ ଦେବି ବୋଲି ଜାଣି ପାରୁନାହଁ। ତା ପାଇଁ ଆଜି ଆପଣଙ୍କର ଅନେକ ମୂଲ୍ୟବାନ ସମୟ ନଷ୍ଟ ହେଲାଣି। ହଉ ଆମେ ଏବେ ଆସୁଛୁ କହି ଗଣେଶ ମାଳତୀକୁ ଧରି ତାଙ୍କ ଘର ଅଭିମୁଖେ ଆଗକୁ ଆଗେଇଲେ। ଅପର୍ଣ୍ଣା ନିଜ ଗାଡିର ଷ୍ଟିଅରିଂ ଧରି ଭାବୁଥିଲେ ପ୍ରକୃତରେ ପାଗଳ କିଏ? ସାମାନ୍ୟ ଲୁଚକାଳି ଖେଳରୁ ନିଜର ଏକ ମାତ୍ର ପୁତ୍ରକୁ ହରାଇ ମାନସିକ ସନ୍ତୁଳନ ହରାଇ ଥିବା ଗୋଟିଏ ହତଭାଗୀ ମା ନାଁ? ତାକୁ ମାନସିକ ରୋଗୀ ବୋଲି ଜାଣି ମଧ୍ୟ ସଙ୍ଘବଦ୍ଧ ଭାବେ ତାକୁ ଆକ୍ରମଣ କରି ଲହୁ ଲୁହାଣ କରିଥିବା ସଂମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କ ଯୁକ୍ତ ଏଇ ସମବେତ ଜନତା?


Rate this content
Log in

Similar oriya story from Tragedy