ନ୍ୟାୟ ଅପେକ୍ଷାରେ
ନ୍ୟାୟ ଅପେକ୍ଷାରେ
ଦୀପାବଳୀ ସନ୍ଧ୍ୟା ଘର ପୁରା ସୁସଜ୍ଜିତ ହୋଇଛି। ହଠାତ୍ ଆଶାଙ୍କ ମାଆ ( ବୋଉ) ଆଶା ଆଶା ଡାକି ଡାକି ଆଶାଙ୍କ ରୁମକୁ ପ୍ରେବଶ କଲେ। ଦେଖିଲେ ରୁମରେ ଅନ୍ଧାର କରି ବସିଛନ୍ତି ଆଶା।
ବୋଉ: ଆରେ ତୁ ବାହାରିବୁ ନାହିଁ କି। ତୋ ଦିଦି ଲିସା ଆଉ ଝିଆରୀ ରିଧି ପରା ତୋତେ ଅପେକ୍ଷା କରିଛନ୍ତି।
ଆଶା : ନା ବୋଉ ମୁଁ ଯିବି ନାହିଁ।
ବୋଉ : କଣ ପାଇଁ ଯିବୁ ନାହିଁ?
ଆଶା : ତୁମେ କଣ ଜାଣି ନାହଁ କଣ ହେଇଛି ?
ବୋଉ : ଆରେ ସମସ୍ତେ ଘରେ ଦୀପ ଜଳାଉଛନ୍ତି। ପୂଜା କରୁଛନ୍ତି। ଏକତ୍ର ବୁଲୁଛନ୍ତି ଆଉ କେତେ ବାଣ ଫୁଟୁଛି। ଚାଲ ଦୀପଟିଏ ହେଲେ ଜଳାଇବୁ ଆଉ ବେଳକୋନୀ ରେ ବସି ଦେଖିବୁ। ବାହାର ଟା କେତେ ସୁନ୍ଦର ଦେଖା ଯାଉଛି।
ଆଶା ଯିବା ପାଇଁ ମନା କରି ଦେଲେ।
ଆଶାଙ୍କ ବଡ ଭଉଣୀ ଲିସା ଆଉ ଝିଆରୀ ରିଧି ବି ଆସି ତାଙ୍କୁ ବାହାରକୁ ବାରମ୍ବାର ଡାକିଲେ। ହେଲେ ଆଶା କହିଲେ ନା ତୁମେ ସବୁ ଜାଣିଛ ଆଜିଦିନରେ ଗତ ବର୍ଷ କଣ ହୋଇଛି ? ମୁଁ ଯିବି ନାହିଁ।
ଲିସା : ତୁ ପରା ମାଆଙ୍କର ପୂଜା କରୁ। ଆଉ ମା କାଳୀ ବି ତ ତାଙ୍କ ରୂପ ହେଲେ ତୁ ଆଜି ତାଙ୍କ ପାଖରେ ଦୀପଟିଏ ବି ଜଳାଇବୁ ନାହିଁ।
ଆଶା : ମୋତେ ଦୟା କରି ଏକୁଟିଆ ଛାଡି ଦିଅ।
ବୋଉ, ଲିସା, ରିଧି ବିରକ୍ତ ହୋଇ ପଳାଇଲେ।
ଆଶା ରୁମରେ ଏକୁଟିଆ ବସି ଆଖି ଲୁହ ପୋଛୁ ଥାଆନ୍ତି। ତାଙ୍କର ଆଶା ଆଉ ସପନ ସବୁ ସପନରେ ରହିଗଲା।
ଅତୀତ ଭାବନାରେ ଆଶା:
ତିନି ବର୍ଷ ତଳର କଥା ଗଗନ ସହ ଆଶାର ବିବାହ ଠିକ ହେଲା। ବିବାହ ସ୍ଥିର ହେଲା ପରେ ଗଗନ ଓ ଆଶା ଉଭୟ ଫୋନରେ କଥା ହେଲେ। ଗଗନ ବହୁତ ଶ୍ରଦ୍ଧାରେ ଆଶାଙ୍କ ସହ କଥା ହେଲେ ଯେମିତି ଦୁନିଆରେ ତାଙ୍କ ଠାରୁ ଆଉ କେହି ଭଲ ନାହାଁନ୍ତି।
ସେପଟେ ଆଶାଙ୍କ ଶଶୁର ରମେଶ ବାବୁ ସବୁ ଦିନ ଆଶାଙ୍କ ସହ ଫୋନରେ କଥା ହେଲେ। ସେ ସବୁବେଳେ କହିଲେ ତୁ ତୋର ବାପା ମାଆ ଙ୍କୁ ଛାଡି ଆସିଲେ ବି ଏଇଠି ତୋର ବାପା ମାନେ ମୁଁ ଅଛି ନା। ତୁ ମୋ ଘରର ଲକ୍ଷ୍ମୀ। ମୋର ଆଉ କଣ ଦରକାର। ତୋର ଶାଶୁ ନ ଥିଲେ କଣ ହେଲା ମୁଁ ତୋର ବାପା ବି ଆଉ ମାଆ ବି। ଏମିତି ସ୍ନେହଭରା କଥାରେ ଆଶାଙ୍କ ମନ ଖୁସି ହୋଇ ଯାଉଥିଲା।
ବିବାହ ଆଗରୁ ଆଉ ପରେ ବି କିଛି ନା କିଛି ବାହାନାରେ ଗଗନ ଆଉ ତାଙ୍କ ବାପା ଟଙ୍କା ମାଗିଛନ୍ତି। ଅସୁବିଧା ଅଛି ଭାବି ଆଶାର ବାପା ସେମାନଙ୍କୁ ଦେଇଛନ୍ତି।
ଯେତେ ଦିନ ପର୍ଯ୍ୟନ୍ତ ଆଶାଙ୍କର ବାପା ଦେଇ ଚାଲିଛନ୍ତି ଆଶା ଆଉ ତାଙ୍କ ବାପଘର ଲୋକେ ଭଲ। ବାରମ୍ବାର ଟଙ୍କା ମାଗିବାରୁ ଆଶାଙ୍କ ମନରେ ଯୌତୁକ କଥା ଆସିଲା। ତେଣୁ ସେ ବେଳେ ବେଳେ ଏ ସବୁ ପ୍ରତିକାର କଲେ।
ଯେଉଁ ଶଶୁର ପାଇଁ ଆଶା ଥିଲେ ଘରର ଲକ୍ଷ୍ମୀ ତାଙ୍କ ପାଇଁ ଆଜି ସେ ଘରର ଅଯୋଗ୍ୟ ବୋହୂ। ସ୍ୱାମୀ ଗଗନ ଯିଏ ଦିନେ କହୁଥିଲେ ଆଶା ତାଙ୍କ ଜୀବନ ବୋଲି ଆଜି ଆଶା ହୋଇଗଲେ ତାଙ୍କ ପାଇଁ ଅଦରକାରୀ ବସ୍ତୁ। ଯେତେବେଳେ ସେତେବେଳେ ମଦ ପିଇ ଆସି ଚଉଦ ପୁରୁଷ ନା ଧରି ଦି ଅକ୍ଷରରେ ଗାଳି ଆଉ ମାଡ।
ଆଶା ମାଆ ଦୁର୍ଗାଙ୍କର ବଡ ଭକ୍ତ ଥିଲେ। ସେ ସବୁବେଳେ ଭାବୁ ଥିଲେ ଯେ ଦିନେ ନା ଦିନେ ତାଙ୍କ ଶଶୁର ଆଉ ସ୍ୱାମୀ ପରିବର୍ତ୍ତନ ହେବେ। ମନରେ ଶ୍ରଦ୍ଧା ନେଇ ପୂଜା କରୁଥିଲେ। ସ୍ତ୍ରୀ ଆଉ ବୋହୂ ହେବାର ସମସ୍ତ କର୍ତ୍ତବ୍ୟ କରି ଥିଲେ। ହେଲେ ତା ପରିଣାମ ସ୍ବରୂପ କୋଳି ଝଗଡା, ମାଡ ଆଉ ନିନ୍ଦା ଅପମାନ ସହି ଥିଲେ। ସ୍ୱାମୀ ଗଗନର ଅବହେଳା ପାଇଁ ମାତୃ ସୁଖରୁ ବି ବଞ୍ଚିତ ହୋଇଲେ ଆଶା।ହୃଦୟର କୋହ ନୀରବତାରେ ଆଖିର ଲୁହ ହୋଇ ବହି ଯାଇଛି। ତଥାପି ହାର ନ ମାନି ସେ ସଂଘର୍ଷ କରି ଚାଲି ଥିଲେ।
ଲକ୍ଷ୍ମୀ ପୁରାଣ ପଢିଲା ବେଳେ ଭାବନ୍ତି କାଶ ତାଙ୍କ ସ୍ୱାମୀ ବି ଭଲ ହୋଇ ଯାଆନ୍ତେ କି। କାରଣ ସେ ତାଙ୍କ ସ୍ୱାମୀ ଆଉ ଶଶୁରଙ୍କ ହୃଦୟର ସହ ଆପଣାଇ ଥିଲେ। ଶଶୁର ଘରେ ନେଇ ଲକ୍ଷ୍ମୀ ମାଆଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ।
ଗତ ବର୍ଷ ଦୀପାବଳୀ ଦିନ ସମସ୍ତଙ୍କ ଘରେ ଦୀପ ଜାଳି ଖୁସି ହେଉଥିଲେ। ବାଣ ଫୋଟକା ଫୁଟୁ ଥିଲା।ହେଲେ ଆଶାଙ୍କ ଜୀବନରେ ଦୀପାବଳୀ ଅମାବାସ୍ୟା ପରି ଦୁଃଖର ଅମାବାସ୍ୟା ମାଡି ଆସୁଥିଲା। ଆଶା ବି ଦୀପ ଜଳେଇ ସ୍ୱାମୀ ଗଗନର ଅପେକ୍ଷାରେ ବସି ଥାଆନ୍ତି। ଶଶୁର ବୁଲିବା ପାଇଁ ଯାଇ ଥାନ୍ତି।
ରାତି ନଅଟା ପାଖାପାଖି ଗଗନ ମଦ ପିଇ ଆସି ଆଶାଙ୍କୁ ବାଡେଇବାକୁ ଲାଗିଲେ ଏବଂ ଶେଷରେ ଆଶାଙ୍କ ଖରାପ ଭିଡିଓ କରି ଭାଇରାଲ କରିବାର ଧମକ ମଧ୍ୟ ଦେଇ କହିଲେ ଡିଭର୍ସ ନ ହେଲେ ଟଙ୍କା ଆଣି କି ଦେ। ତାପରେ କଣ ହେଲା କେଜାଣି ହଠାତ୍ ଉଠି ଆସି ସେ ଆଶାଙ୍କ ନାକ ଆଉ ତଣ୍ଟି ଚିପି ମାରିବାକୁ ଚେଷ୍ଟା କଲେ। କେବଳ ଗଗନ ବହୁତ ନିଶାରେ ଥିବାରୁ ଆଶା ତାଙ୍କୁ ଠେଲି ଦେଇ ସେ ଘରୁ ଦୌଡି ପଳାଇଲେ ପଡିଶା ଘରକୁ।ଏବେ ତାହା କେସ ଚାଲିଛି।
ବର୍ତ୍ତମାନ :
ଆଶା ଏବେ ବାପ ଘରେ। ଆଶାଙ୍କ ମନରେ ସେଇ ପ୍ରଶ୍ନ ସବୁବେଳେ ଯେ ଯେତେବେଳ ଜଗନ୍ନାଥ ପ୍ରଭୁ ଲକ୍ଷ୍ମୀ ମାଆଙ୍କୁ ଘରୁ ବାହାର କରି ଦେଇ ଥିଲେ ମାଆ ପ୍ରଭୁଙ୍କୁ ଉଚିତ ଶିକ୍ଷା ଦେଇ ତାଙ୍କ ଭୂଲକୁ ସ୍ୱୀକାର କରାଇ ଥିଲେ। ନାରୀର ସମ୍ମାନ ପାଇଁ ଉଦାହରଣ ସାଜି ଥିଲେ। ହେଲେ ଦୀପାବଳୀରେ ତ ମାଆ ଲକ୍ଷ୍ମୀଙ୍କ ପୂଜା ହୁଏ ସେହି ଦିନ ଗୋଟିଏ ବୋହୂକୁ ମାରି ଦେବା ପାଇଁ ବସିଥିଲେ , ବୋହୂ ଫେରି ଆସି ବାପ ଘରେ କଣ ମାଆ ସେ ଘରର ଲକ୍ଷ୍ମୀ ସହ ନ୍ୟାୟ କରିବେ ନାହିଁ ? କଣ ସେ ଦିନ ମାଆ ଦୁର୍ଗା ତାଙ୍କ ଭକ୍ତ ମାନେ ଆଶାଙ୍କ ଡାକ ବାଣ ଫୋଟକା ଶବ୍ଦରେ ଶୁଣି ପାରିଲେ ନାହିଁ। କେମିତି ସେ ଏତେ ବଡ ଅନ୍ୟାୟ ହେବା ପାଇଁ ଦେଲେ ?କଣ ଆଶାଙ୍କୁ ନ୍ୟାୟ ମିଳିବ ? ଆଉ ଯଦି ଏ ଜନ୍ମର କର୍ମଫଳ ତେବେ ଭୂଲ କଣ ସ୍ୱାମୀ ଆଉ ଶଶୁର ଘରକୁ ହୃଦୟର ସହ ଆପଣାଇ ନେବା ନା ନିଜେ ଭଲ ବୋଲି ଅନ୍ୟକୁ ଭଲ ଦୃଷ୍ଟି ରେ ଦେଖିବା?
ସେଇ ସବୁ ପ୍ରଶ୍ନଗୁଡିକୁ ନେଇ ଆଶା ଅଭିମାନ ମାରି ଦୀପାବଳୀ ମାନୁ ନାହାଁନ୍ତି। ପୁଣି ମନକୁ ବୁଝାଇଛନ୍ତି ଯେ ଏ ସବୁ ବୋଧେ ଗତ ଜନ୍ମର କର୍ମଫଳ।
ଶେଷରେ ସେ ଯାଇ ଠାକୁର ଘରେ ମାଆଙ୍କ ପାଖରେ ଦୀପଟିଏ ଜଳାଇଛନ୍ତି ସେଇ ପ୍ରଶ୍ନର ଉତ୍ତରରେ ଆଉ ନ୍ୟାୟର ଅପେକ୍ଷାରେ। ଦୀପ ପରି ଭିତରୁ ଜଳୁ ଥିବା ଆଶାଙ୍କୁ କଣ ନ୍ୟାୟ ମିଳିବ ତ?
ଭବିଷ୍ୟତ ହିଁ କହିବ ଦୁନିଆରେ ନ୍ୟାୟ ଅଛି ନା ନାହିଁ। ଏ କଳି ଯୁଗରେ ଅନ୍ୟାୟ ପାଖରେ ଧର୍ମ ହାରିଯିବ ନାହିଁ ତ। ମାଆଙ୍କ ଉପରେ ଭରସା କରି ଆଶା ଏବେ ସେଇ ପ୍ରଶ୍ନର ଉତ୍ତର ଅପେକ୍ଷାରେ ଆଉ ନ୍ୟାୟ ଅପେକ୍ଷାରେ...!!
