Sonali Garnayak

Drama

4.5  

Sonali Garnayak

Drama

ନୂଆ ବୋହୂ -୩

ନୂଆ ବୋହୂ -୩

9 mins
377


ଶନି ଥରେ ଯାଇ ଶୋଭାକୁ କହିଲା ତୁ ମୋ ସହ ଏତେ ମିଶୁଛୁ ତୁ କଣ ମୋତେ ବେଷ୍ଟଫ୍ରେଣ୍ଡ କରିପାରିବୁନି, ଶୋଭା ରାଗିଯାଇ କହିଲା ଦେଖ ସାଙ୍ଗ ହୋଇ ରହ ଆଗକୁ ବଢିବାକୁ ଚେଷ୍ଟାକରନି ।କାହିଁକି ମୁଁ ତୋ ବେଷ୍ଟଫ୍ରେଣ୍ଡ ହୋଇପାରିବିନି? ଉତ୍ତର ଦେବାକୁ ମୁଁ ବାଧ୍ୟ ନୁହଁ !ମୋତେ କହିବୁନି ତୋ ଆଉ କାହାକୁ କହିବୁ ଶନି ପଚାରିଲା ।ଶୋଭା ଟିକିଏ ଶାନ୍ତ ହୋଇ ଯାଇ ସମସ୍ତେ ଜୀବନରେ ଅନ୍ତରଙ୍ଗ ବନ୍ଧୁ ହୋଇପାରନ୍ତିନି, କିଛି ଲୋକଥାନ୍ତି କିଛି ସ୍ନେହ ଥାଏ ଆଉ କିଛି ସ୍ମୃତି ଥାଏ ଯାହା ହୃଦୟରେ ସବୁଦିନ ପାଇଁ ରହିଯାଇଥାଏ ।ମୋ ପାଇଁ ବନ୍ଧୁତ୍ୱର ମୂଲ୍ୟ ସ୍ବର୍ଗୀୟ, ଜଣକୁ ହୃଦୟରୁ ବାଦ ଦେଇକି ଆଉ ଜଣଙ୍କୁ ସ୍ଥାନ ଦେଇପାରିବିନି ।କିଏ ସେ? ଶନି ପଚରିଲା, ସେ ମୋ ନୂଆବୋହୂ !ଶୋଭା ଉତ୍ତର ଦେଲା ।

ଶନି :ନୂଆବୋହୂ !

ଶୋଭା :ହଁ 

ତାହା ସହ ଘଟିଥିବା ସବୁ କଥା ସେ ଶନିକୁ କହିଲା, ସବୁ କଥା ଶୁଣିକି ଜାଣିପାରିଲା ଶୋଭା କାହିଁକି ସବୁଦିନ ଚୁପଚାପ ବସେ, ଚିନ୍ତା କରନି ସବୁଠିକ୍ ହୋଇଯିବ ଦିନେ ନା ଦିନେ କହି ସାହସ ଦେଉଥାଏ ।ଶୋଭା କୁହେ ହଁ ନିଶ୍ଚୟ ଦିନେ ନା ଦିନେ ସବୁଠିକ୍ ହୋଇଯିବ କିନ୍ତୁ ମୁଁ ଆଉ ସେଦିନ ନଥିବି !ଏମିତି ଭାବରେ ଶନି ଆଉ ଶୋଭା ଭିତରେ ବନ୍ଧୁତା ଦୃଢ଼ ହେବାକୁ ଲାଗିଥାଏ ।ଶୋଭା ନିତି ଜଗନ୍ନାଥଙ୍କ ପାଖରେ ତା ନୂଆବୋହୂ ପାଇଁ ଫୁଲ ଛଡେଇ ଆସେ ଆଉ କୁହେ ମୋ ନୂଆବୋହୂ ତମକୁ ଲାଗିଲେ ।କୁମାର ପୂର୍ଣ୍ଣିମା ଦିନ ବି ମାନସିକ କରିଥାଏ ମୋ ନୂଆବୋହୂ କୋଳକୁ ଛୁଆଟିଏ ଆସିଲେ ତା ନୂଆବୋହୂ ପାଞ୍ଚବର୍ଷ  ଯାଏଁ ଏ ଓଷା କରିବ ।ଏମିତି ଭାବରେ ଚାଲିଥାଏ ଶୋଭାର ଜୀବନ ବ୍ୟସ୍ତ ଭିତରେ ନିଜକୁ ବୁଡେଇ ଦିଏ କିନ୍ତୁ କେଉଁଠି ନା କେଉଁଠି ତା ନୂଆବୋହୂ ତାର ବହୁତ ମନେ ପଡେ !

      ଦିନେ ସକାଳେ ଶୋଭାର ଭାଇ କଲ୍ କରି ଜଣାଇଲେ ଯେ ତା ନୂଆବୋହୂକୁ ହସ୍ପିଟାଲ ନିଆଯାଇଛି, ଶୋଭା ଜଗନ୍ନାଥଙ୍କୁ ଡାକୁଥାଏ ତା ନୂଆବୋହୁର ଡେଲିଭରି ଭଲରେ ହୋଇଯାଉ ।ତା ପର ଦିନ ଖୁସି ଖବର ମିଳିଲା ପୁଅ ହୋଇଛି ତା ଭାଇର, ଶୋଭାର  ଖୁସିରେ ପାଦ ତଳେ ଲାଗୁନଥାଏ ଏ ଖୁସିରେ ସେ ତା ସାଙ୍ଗମାନଙ୍କୁ ପାର୍ଟି ଦେଇଥିଲା ।କେବେ ସେ ପୁଅକୁ ଦେଖିବ,  କେମିତି ହୋଇଥିବ ସେ ତା ଭାଇ ଭଳି ନା ତା ନୂଆବୋହୂ ଭଳି ।କଲେଜରେ ପରୀକ୍ଷା ଥିବା ହେତୁ ଶୋଭା ଘରକୁ ଯାଇପାରେନାହିଁ କିନ୍ତୁ ସବୁଦିନ ଫୋନ୍ କରି ଭାଇଙ୍କୁ ପୁଅ କଥା ପଚାରୁଥାଏ ।ଏକୋଇଶି ଦିନ ପରେ ପୁଅର ଏକୋଇଶିଆ ତା ମା ଆଉ ଭାଇ କହିଛନ୍ତି ଯେମିତି ହେଲେ ଆସିବୁ କିନ୍ତୁ ମନେ ମନେ ଶୋଭା ବହୁତ ମନଦୁଃଖ କଲା ତା ନୂଆବୋହୂ ଥରେ ଫୋନ୍ କରିକି ଡାକିପାରିଥାନ୍ତା ।ସେ କଣ ଏତେ ଭୁଲ କରିଛି ଯେ ଆଉ କେବେ ବି ତା ନୂଆବୋହୂ କଥା ହେବନି ତା ସହ? ପୁଣି ମନକୁ ବୁଝେଇନେଲା ସେ ଛୁଆଟା କୁ ଥରେ ଯାଇ ଦେଖିଆସିବ ସେ ତାର କଣ କରିଛି ଜଯେ !ତାକୁ ଟିକିଏ କୋଳରେ ଧରିକି ଗେଲ କରିବ ।ଶୋଭା ଘରକୁ ଗଲା ପୁଅକୁ ଦେଖିବାର ଇଚ୍ଛା ଏବଂ ଭାଇକୁ ରାକ୍ଷୀ ବାନ୍ଧିବା କାର୍ଯ୍ୟ ସମାପ୍ତ କରି ପୁଣି ହଷ୍ଟେଲ ଫେରିଆସିଲା । 

       ଶୋଭାର ଗ୍ରାଜୁଏସନ ସରିଯାଇଥାଏ ଆଉ ସେତେବେଳେକୁ ଶୋଭାର ନୂଆବୋହୂ ଆଉ ପୁଅ ଭାଇ ସହ ଚାକରୀ ଜାଗାକୁ ଚାଲିଯାଇଥାନ୍ତି ।ଘରେ ସେ ଆଉ ତା ବାପା ମା  ଏବଂ ସେ, ତା ମା ସମସ୍ତ ଘର କାର୍ଯ୍ୟରେ ବ୍ୟସ୍ତ ଥାନ୍ତି ବାପା ତାଙ୍କ କାମରେ ବ୍ୟସ୍ତ ଶୋଭା ରହିଯାଇଥିଲା ଘରେ ଏକୁଟିଆ ସବୁବେଳେ ତା ଭାଇଙ୍କୁ ଫୋନ୍ କରି ତା ନୂଆବୋହୂ ଏବଂ ପୁଅର ଭଲ ମନ୍ଦ କଥା ବୁଝେ, ହେଲେ ଦିନେ ବି ହେଲେ ତା ନୂଆବୋହୂ ତା ସାଙ୍ଗରେ କଥା ହୁଅନ୍ତିନି ।ଶୋଭାକୁ ବହୁତ କଷ୍ଟ ହୁଏ, ସେ ଏମିତି କଣ ଭୁଲ୍ କରିପକେଇଛି ଯେ ତା ନୂଆବୋହୂ ତା ସହ ସବୁଦିନ ପାଇଁ କଥାହେବା ବନ୍ଦ କରିଦେଇଛି ।ଏଥର ନୂଆବୋହୂ ଘରକୁ ଆସିଲେ ନିଶ୍ଚୟ ତାକୁ ବୁଝେଇନେବ ବୋଲି ଭାବୁଥାଏ ଶୋଭା ।

      ଶୋଭା ତା ଜୀବନରେ ଏକା ଥିଲା ଭଲ ଥିଲା ତାର ପ୍ରତି କଥାରେ ଯତ୍ନ ନେବା ତା ମନକୁ ବୁଝିପାରୁଥିବା ଭଳି ସାଙ୍ଗଟିଏ ବି କେହିନଥିଲେ ।ସେ ତା ବହିକୁ ନେଇ ବଞ୍ଚେ ବିଭିନ୍ନ ପ୍ରକାରର ଉପନ୍ୟାସରେ ଭର୍ତି କରିଦେଇଥିଲା ତା ଶୋକେଶକୁ ଆଉ ସମସ୍ତଙ୍କୁ କୁହେ "ବହିଠାରୁ ଭଲ ସାଙ୍ଗ କେହିହୋଇପାରିବେନି କିନ୍ତୁ ତା ନୂଆବୋହୂ ତା ଜୀବନକୁ ଆସିବାପରେ ତା ଜୀବନର ସମସ୍ତ ନିୟମ ବଦଳିଯାଇଥିଲା ଅନ୍ତରଙ୍ଗ ବନ୍ଧୁତାର ମୂଲ୍ୟ ବୁଝିପାରିଥିଲା, ସ୍ନେହ ପ୍ରେମରେ ହିଁ ମଣିଷ ବାନ୍ଧିହୋଇଥାଏ ଯେମିତି ତା ନୂଆବୋହୂ ତାକୁ ଦେଇଥିଲା ତା ମନର ପ୍ରତିଟି ଦୁଃଖ ଆଉ ସୁଖର ସାଥି ହୋଇଥିଲା ନୂଆବୋହୂ ଯଉ ନୂଆବୋହୂ ତା ଆଖିରେ ଲୁହଟୋପେ ଦେଖିପାରୁନଥିଲା ଆଜି କେମିତି ଏତେ ଅନୁରୋଧ କଲାପରେ ବି ସେ ତରଳୁନି !ଏ ସବୁ ଭଲ ପାଇବାଥିଲା ନା ସ୍ୱାର୍ଥପୂରଣ କରିବାର ଏକ ବାହାନା, ତା ନୂଆବୋହୂ ଏତେ ବଦଳିଯିବ ବୋଲି ଶୋଭା କେବେ ସ୍ବପ୍ନରେ ବି ଭାବିନଥିଲା ।ତା ଭାଇ ଘରେ ନଥିବା ବେଳେ ପ୍ରତିମୁହୂର୍ତରେ ତା ନୂଆବୋହୂର ସାଙ୍ଗ ହୋଇଥିଲ ସେତ କେବେ ତା ଆଡୁ କହିନଥିଲା ବରଂ ତା ନୂଆବୋହୂ ନିଜ ଆଡୁ ବନ୍ଧୁତ୍ୱର ହାତ ବଢ଼ିଥିଲେ ।ତା ନୂଆବୋହୂ ତାକୁ ଯେତିକି ଭଲପାଏ ସେ ବି ତା ନୂଆବୋହୂକୁ ତାଠୂ ଅଧିକ ଭଲପାଏ, ଆଜି କଣ ପାଇଁ ତା ହାତ ଛାଡିଦେଲେ ତା ନୂଆବୋହୂ ସବୁ ସ୍ୱାର୍ଥପୂରା ହୋଇଗଲା ବୋଲି ।ତା ନୂଆବୋହୂ ଭଲପାଇବା ଶିଖେଇବା ସହ ସ୍ୱାର୍ଥପରତା ବି ହେଲେ ଶିଖେଇଦେଇଥାନ୍ତା ।

       ହେଲେ ବି କେବେ ଭୁଲ୍ବୁଝିନି ଶୋଭା ତା ନୂଆବୋହୂକୁ ମନେ ମନେ ନେଇକି ହୁଏତ ତା ବନ୍ଧୁତା ତୁଲାଇବାରେ କେଉଁଠି ଭୁଲ୍ ରହିଯାଇଛି, ହଉ କେତେଦିନ ରାଗିବ ଦିନେ ନା ଦିନେ ତା ନୂଆବୋହୂ ନିଶ୍ଚୟ କଥା ହେବ ।ଏ ସବୁ ପରେ ଶୋଭା ତା ଜୀବନରେ ଆଗକୁ ବଢ଼ିସାରିଥିଲା ସେ ଆଇଏସ ପରୀକ୍ଷା ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଇଥିଲା, ତା ମାର ଅନିଚ୍ଛାସ୍ୱତେ ଆଉ ତା ବାପାଙ୍କ ସାହସରେ ଘରୁ ବାହାରିଯାଇଥିଲା ।ଏକ ବର୍ଷ ପାଇଁ ପ୍ରସ୍ତୁତି କରି ପରୀକ୍ଷା ଦେଇ ଘରକୁ ଆସିଥିଲା ।ତା ନୂଆବୋହୂ ମଧ୍ୟ ଥରେ କିମ୍ବା ଦୁଇଥର କଥା ହୋଇଥିଲେ ଆଉ ସେଦିନ ଶୋଭାର ଖୁସି କହିଲେ ନସରେ ।ସେ ଦିନ ପରୀକ୍ଷାଫଳ ଆସିବାରଥାଏ ଶୋଭା ଯାଇ ଠାକୁର ଘରେ ବସିଥାଏ ତା ଭାଇ ଫୋନ୍ କରି ରେଜଲ୍ଟ ଜଣାଇଲେ ଯେ ଶୋଭା ଆଇଏସ ପରୀକ୍ଷାରେ ବାରତମ ସ୍ଥାନ ଅଧିକାର କରିଛି ।ବାପା, ମା ଶୁଣିକି ତାଙ୍କ ଖୁସିରେ ସୀମା ନାହିଁ, ସେଦିନ କିନ୍ତୁ ତା ନୂଆବୋହୂ କଲ୍ କି ବଧେଇ ଜଣେଇଥିଲା ।କିଛି ମାସ ଟ୍ରେନିଂ ପରେ ଶୋଭା ହୋଇଯାଇଥିଲା ଆଇଏସ ।ନୂଆଘର, ନୂଆ ଗାଡି, ଚାକର ବାକର ସବୁକିଛି ତାକୁ ମିଳିଥିଲା, ବାପା ମାକୁ ନେଇ ଚାଲିଯାଇଥିଲା ନୂଆବଙ୍ଗଳାକୁ ।ସେ ଭାଇକୁ କହିଥିଲା ମଧ୍ୟ ନୂଆବୋହୂ ଆଉ ପୁଅକୁ ନେଇ ଆସିବାକୁ ଘରକୁ ବାପା ମାଙ୍କ ସହ କିଛିଦିନ ରହି ଆସିବେ, ପ୍ରାୟତଃ ଦୁଇବର୍ଷ ପରେ ସେ ତା ନୂଆବୋହୂକୁ ଦେଖିବ ତା ଖୁସି କହିଲେ ନ ସରେ ।ସେ ଚେଷ୍ଟା ମଧ୍ୟ କରୁଥାଏ ଦଶହରା ଛୁଟି ଭିତରେ ସବୁ କାମ ସାରି ଅଧିକରୁ ଅଧିକ ସମୟ ତା ନୂଆବୋହୂ ସହ କଟେଇବ ଆଇଏସ ଅଫିସର ହୋଇକି ନୁହେଁ ପୂର୍ଵରୁ ଥିବା ଭଲ ବନ୍ଧୁ ଭଳି ।

     ଶେଷରେ ଶୋଭାର ଭାଇ ଆଉ ନୂଆବୋହୂ ସ୍ଥିର କଲେ ଦଶହରା ଛୁଟି ଯାଇ ତାଙ୍କ ବାପା ମାଙ୍କ ପାଖରେ ରହି ଆସିବେ ।ଶୋଭା ଭାଇ, ନୂଆବୋହୂ ଆଉ ପୁଅ ପ୍ରଥମ କରି ତା ଘରକୁ ଆସୁଛନ୍ତି ।ସବୁଜିନିଷ ସାଜସଜା ହେବା ଦରକାର, ମାକୁ କହିଦେଇଥିଲା ତା ନୂଆବୋହୂ ଯେମିତି ପ୍ରଥମକରି ତାଙ୍କ ଘରେ ପାଦରଖିଥିଲା ବେଳେ ଯେମିତି ପାଛୋଟି ଅଣିଥିଲୁ ଆଜି ଏ ନୂଆଘରେ ପାଦରଖିବା ବେଳେ ତା ଲକ୍ଷ୍ମୀସାନ୍ତାଣିକୁ ପାଛୋଟି ଆଣିବୁ ।ଚାକର, ଚାକରାଣୀମାନଙ୍କୁ ତା ଭାଇ ଆଉ ନୂଆବୋହୂର ମନ ପସନ୍ଦର ଖାଇବା ଜିନିଷ ତିଆରି ପାଇଁ ଅଡ଼ର୍ର ଦିଆ ଯାଇଥିଲା ଚପରାଶିକୁ ମଧ୍ୟ ଷ୍ଟେସନ ଗାଡି ଦେଇକି ପଠାଯାଇଥିଲା ତା ଭାଇ ଆଉ ନୂଆବୋହୂକୁ ନେଇଆସିବା ପାଇଁ ।ଶେଷରେ ଶୋଭାର ଭାଇ ଆଉ ନୂଆବୋହୂ ଆସି ଘରେ ପହଞ୍ଚିଲେ, ଶୋଭା ମନେ ମନେ ଭାବୁଥାଏ କେମିତି ଯିବ ତା ନୂଆବୋହୂ ସାମ୍ନାକୁ କଣ କହିବ ତାକୁ ତା ନୂଆବୋହୂ ଯଦି ତା ସହ କଥା ନ ହୁଏ !ଭାଇ କିନ୍ତୁ ଘରେ ପହଞ୍ଚୁ ପହଞ୍ଚୁ ଡ଼ାକ ପଡିଲା ଆଇଏସ ମାଡାମ କେଉଁଠି ଅଛନ୍ତି? କଣ କାମରେ ବ୍ୟସ୍ତ କି ତଳକୁ ଆସନ୍ତୁ ।ଶୋଭା କିଛି ନଭାବି ତଳକୁ ଦୌଡ଼ି ଗଲା ଆଉ ଯାଇକି ତା ଭାଇକୁ ଜୋରରେ କୁଣ୍ଡେଇ ପକେଇଲା, ଯେମିତି କେତେ ବର୍ଷରୁ ଆତୁର ଥିଲା ରକ୍ତ ସମ୍ପର୍କ ।ତା ନୂଆବୋହୂ କୋଳରୁ ପୁଅକୁ ନେଇ ଶୋଭା ଅସରନ୍ତି ସ୍ନେହ ବର୍ଷେଇ ଥିଲା ଏବଂ ତା ନୂଆବୋହୂ ତାକୁ ପଚାରିଥିଲା ମଧ୍ୟ କେମିତି ଅଛ? ତା ଭିତରେ ସେ ଦେଖିବାକୁ ପାଇଲା ତା ବାପା ମା କେତେ ଖୁସି ସେମାନଙ୍କୁ ଦେଖିକି ଯେମିତି ଅନ୍ଧକୁ ନୟନ ମିଳିଯାଇଛି ।ଭାଇ ମଧ୍ୟ ବହୁତ ଖୁସି ଏତେ ଦିନ ପରେ ତାଙ୍କ ବାପା ଆଉ ମାକୁ ଦେଖିକି, ସେହି ପରିବେଶ ଦେଖି ମନେ ମନେ ଶୋଭା ଜଗନ୍ନାଥଙ୍କୁ ଡାକୁଥିଲା ତା ପରିବାରକୁ ଏମିତି ଖୁସିରେ ରଖିଥାଅ ।ଶୋଭା ଲକ୍ଷ୍ୟ ମଧ୍ୟ କରୁଥିଲା ଧୀରେ ଧୀରେ ତା ନୂଆବୋହୂର ବ୍ୟବହାରରେ ପରିବର୍ତନ ଦେଖାଯାଉଛି, ଆଗ ଭଳି ନହେଲେ ମଧ୍ୟ ଶୋଭା ତା ନୂଆ ବୋହୂ ପାଖରେ ସହଜ ଏବଂ ସଳଖ ହୋଇପାରିଛି ।

     ମଝିରେ ଦିନେ ଅଚାନକ ଶୋଭାର ଭାଇ ଶୋଭା ରହୁଥିବା ରୁମ୍ କୁ ପଶିଗଲେ ସେଠି ଶୋଭା କିଛି ବହି ପଢୁଥିଲ ଏବଂ ସେ ଘରର କାନ୍ଥରେ ମରାଯାଇଥିବା ସବୁ ଫୋଟକୁ ଦେଖିଲେ ଯେଉଁଠି ଥିଲା ତା ବାପା, ମା, ଭାଇ ଆଉ ନୂଆବୋହୂର ଫୋଟୋ ସବୁ କିଛି ସାଇତି ରଖିଥିଲା ସେ, ତା ସହ ତା ନୂଆବୋହୂ ତାକୁ ଦେଇଥିବା ପ୍ରତ୍ୟେକ ଜିନିଷ ।ହଠାତ୍ ତା ନୂଆବୋହୂ ସେ ରୁମ୍ କୁ ଯାଇ ଏ ସବୁ ଦେଖିଥିଲା ଠିକ୍ ସେହି ସମୟରେ ଶୋଭା ସେଠୁ ଉଠି ଚାଲିଆସିଲା ବେଳେ ଶୁଣିଲା ତା ଭାଇ ତା ନୂଆବୋହୂକୁ କହୁଥିଲେ ଦେଖିଲ ତାକୁ ଏତେ କଷ୍ଟ ଦେବାପରେ ବି ସେ ତମକୁ କେତେ ଭଲ ପାଏ !ଖାଲି ଏ କାନ୍ଥରେ ନୁହଁ ସେ ତା ଛାତି ତଳେ ବି ତମ ବନ୍ଧୁତ୍ୱର ସ୍ମୃତି ସାଇତି ରଖିଛି ।

     ସେ ଛୁଟି ଭିତରେ ସେ କିଛି ସମୟ କାଟିଥିଲା ତା ନୂଆବୋହୂ ସହ ରୋଷେଇ କରିବାରେ, ଛୁଟି ସରିବା ପରେ ସେମାନେ ବାହାରିଲେ ତାଙ୍କ କର୍ମ କ୍ଷେତ୍ରକୁ କହୁଥିଲେ ବାପା ମାଙ୍କୁ ନେଇଯିବା ପାଇଁ ତାଙ୍କ ସହ କିନ୍ତୁ ମନା କରିଥିଲା ଶୋଭା ବାହାର ଜାଗା ଛୋଟ ଘର ନେଇକି ରହୁଛ କାହିଁକି ଅସୁବିଧାରେ ରହିବ ବରଂ ବାପା ମା ଏଇଠି ଥାନ୍ତୁ ତମେ ମଝିରେ ମଝିରେ ଆସି ଦେଖିଯିବ ।ଏଥିରେ ସମତି ପ୍ରଦାନ କରିଥିଲେ ତା ବାପା ମା ।ସେଦିନ ସକାଳୁ ବାହାରିଯାଇଥିଲେ ଶୋଭାର ଭାଇ ଆଉ ତା ନୂଆବୋହୂ କାହିଁକି କେଜାଣି ଶୋଭାର ଇଚ୍ଛା ନଥାଏ ସେମାନଙ୍କୁ ଛାଡିବାକୁ ଲାଗୁଥିଲା ଏଇଟା ଯେମିତି ଶେଷ ଦେଖା ଦୁଇ ବୁନ୍ଦା ଲୁହ ଝରି ଆସିଥିଲା ତା ଗାଲ ପାଖକୁ, ତାଙ୍କ ପଛେ ପଛେ ସେ ବି ବାହାରିଯାଇଥିଲା ତା ଅଫିସ ।

    ଶୋଭାର ସେଦିନ ଅଫିସରେ ଥାଏ ତା ମୁଣ୍ଡ ବୁଲେଇବାକୁ ଲାଗିଲା ଏବେ କିଛି ଦିନ ହବ ତାକୁ ମଧ୍ୟ୍ୟ ବହୁତ ଦୁର୍ବଳ ଲାଗୁଥିଲା ସେ ଭାବିନିଏ ଅଫିସରେ କାମ ଅଧିକା କରିବା ହେତୁ ତାକୁ ସେମିତି ଲାଗୁଛି ।ସେଦିନ ମିଟିଙ୍ଗିରେ ଥିବା ବେଳେ କାଶ ହୋଇକି ସେଥିରୁ ବ୍ଲଡ଼ ପଡ଼ିବାକୁ ଲାଗିଲା, ସେ ହସ୍ପିଟାଲ ଯାଇ ବ୍ଲଡ଼ ଟେଷ୍ଟ କରି ଜାଣିଲା ଯେ ତାକୁ "ଲାଷ୍ଟେ ଷ୍ଟେଜ ଅଫ ବ୍ଲଡ଼ କ୍ୟାନ୍ସର "।ଶୋଭାକୁ ଲାଗିଲା ଯେମିତି ତା ପାଦ ତଳୁ ମାଟି ଖସିଯାଉଛି ତା ଉପରେ ଆକାଶ ଛିଡି ପଡୁଛି, ସ୍ବପ୍ନରେ ମଧ୍ୟ୍ୟ ମୃତ୍ୟୁର କଳନା କରିନଥିଲା ସେ !ଆଜି ତା ସହ କଣ ହେବାକୁ ଯାଉଛି?

      ହସ୍ପିଟାଲରେ ଅପେକ୍ଷା କରିଥାଏ ଶୋଭା ରିପୋର୍ଟ ଧରିକି ତା ନମ୍ବର ଆସିବାପରେ ଭିତରକୁ ଗଲା ଆଉ ଯାହାକୁ ସେ ଦେଖିଲା ପୁରା ପୁରୀ ଆଶ୍ଚର୍ଯ୍ୟ ହୋଇଗଲା ।ହଁ ସେଠିଥିଲା ତା କଲେଜ ବେଳର ସାଙ୍ଗ ଶନି !ଗ୍ରାଜୁଏସନ ପରେ ଦୁହେଁ ଅଲଗା ଅଲଗା ରାସ୍ତାରେ ପାଦ ରଖିସାରିଥିଲେ ତ ଆଜି ଜଣେ ଡାକ୍ତର ଆଉ ଜଣେ ଆଇଏସ ।ଶନି ତା ରିପୋର୍ଟ ଦେଖି କହିଥିଲା ମେଡ଼ିସିନ ଖାଅ ଆଉ ନିଜ ଦେହର ଯତ୍ନ ନେ, ଆଉ କଣ ମେଡ଼ିସିନ ଖାଇଲେ ମୁଁ ବଞ୍ଚିଯିବି?  ଶୋଭା ପଚାରିଥିଲା, ସେ କଥା ନୁହଁ ।କେତେ ଦିନ ମୋ ପାଖରେ ଅଛି? ମାତ୍ର ମାସେ ହଁ ତୋତେ କିନ୍ତୁ ପନ୍ଦରଦିନ ପରେ ଆସିକି ଆଡମିଟ ହେବାକୁ ପଡିବ ।ହଁ ସମୟ ପାଇଲେ ଟିକିଏ ମୋ ଅଫିସକୁ ଆସିବୁ କିଛି କାମ ଅଛି ତୋ ପାଖରେ ଶୋଭା କହିଥିଲା ଶନିକୁ ।

      ଶେଷରେ ଶୋଭାର ଶେଷ ସମୟ ନିକଟତର, ସେ ହସ୍ପିଟାଲ ବେଡ଼ରେ ଏବେ, ତା କହିବା ଅନୁଯାଇ ଶନି ତା ବାପା ମାକୁ ଖବର ଦେଇଥିଲା ।ତା ମା ଏକଥା ଶୁଣି ଥରକୁ ଥର ବେହୋସ ହେଉଥାନ୍ତି ତାରି ପାଖରେ ଦିନ ରାତି ଜଗି ରହିଥାନ୍ତି ଦୁହେଁ, ଶୋଭା ଦେହ ଦିନକୁ ଦିନ ବେଶୀ ଖରାପ ହୋଇଚାଲିଲା ।ସେ ତା ମାକୁ କହିଥିଲା ତା ନୂଆବହୁକୁ ଖବର ଦେବା ପାଇଁ ତାରି ପାଖରେ ଆସି ପହଂଚିବ, ଥିରି ଥିରି ଆଖି ଖୋଳୁଥାଏ ତା ନୂଆବୋହୂ ପ୍ରତୀକ୍ଷାରେ ହେଲେ ତା ଇଚ୍ଛା ଇଚ୍ଛାରେ ରହିଗଲା ତା ନୂଆବୋହୂ ପହଁଚିବା ପୂର୍ବରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିସାରିଥିଲା ହଁ ଯିବା ପୂର୍ବରୁ ତା ମା କୁ କହିଥିଲା ତା ନୂଆବୋହୂକୁ କହିବ ସେ ନିଶ୍ଚୟ ମଶାଣି ଯିବ ଆଉ ତାକୁ ପ୍ରତିମୁହୂର୍ତରେ ଭଲ ପାଉଥିବା ଏ ଶରୀରଟାକୁ ଜାଳିବାର ନିଶ୍ଚୟ ଦେଖିବ ।ତା ନୂଆବୋହୂ ଆସି ପହଁଚିଲା ବଂଚିଲାବେଳେ ଯଉ ଇଚ୍ଛା ରଖିଥିଲା ତା ଶବକୁ ନୂଆବୋହୂ ତା କୋଳରେ ଜାଗା ଦେଲା ଏବଂ ଶେଷରେ ଶବ ସତ୍କାର ହେଲା ।ସେ ମଶାଣିରେ ଶନି ତା ନୂଆବୋହୂକୁ କିଛି କୋର୍ଟପେପର ତା ସହ ଶୋଭାର ହାତଲେଖା ଚିଠି ବଢ଼େଇଦେଲା, ତାକୁ ଖୋଲି ଦେଖିବାରୁ ଶୋଭା ତା ସମସ୍ତ ସମ୍ପତି ତା ନୂଆବୋହୂ ନାମରେ କରିଦେଇଯାଇଛି ଆଉ ହାତ ଲେଖା ଚିଠି :

ନୂଆବୋହୂ, 

    ତମେ ମୋ ଜୀବନକୁ ଆସିବାପରେ ମୁଁ ସମ୍ପୂର୍ଣ ବଦଳିଯାଇଥିଲି, ସବୁବେଳେ ବାପା ମାଙ୍କ ଆଶ୍ରୟ ତଳେ ରହୁଥିବା ପିଲାକୁ ଜୀବନ ବଞ୍ଚିବାର ମାଧ୍ୟମ ସାଜିଥିଲ ।ମନୁଷ୍ୟ ଜୀବନରେ ବନ୍ଧୁତ୍ୱ ମୂଲ୍ୟ କେତେ ଆଉ ବନ୍ଧୁତ୍ୱ ମଣିଷକୁ କେତେ ଉପରକୁ ନେଇପାରେ ତାର ଆଭାସ ଦେଇଥିଲ ।ପବିତ୍ର ସମ୍ପର୍କର ମୂଲ୍ୟବୋଧ ଜଣାଇଥିଲ, ଏକା ଏକା ଚାଲୁଥିବା ରାସ୍ତାର ପଥିକ ସାଜିଥିଲ ।ମାତୃତ୍ୱର ସ୍ନେହ ମମତାରେ ଏମିତି ବାନ୍ଧିଦେଇଥିଲ ଯେ ସେ ପଣତକାନି ଛାଡି ଚାଲିଯିବାର ଅଭିପ୍ରାସ ନଥିଲା ।ତମ ବିନା ଏ ଦୁନିଆ ମୋତେ ଅନ୍ଧାରଲାଗେ ନୂଆବୋହୂ, ତମେ ଦିନେ ହାତ ଛାଡି ଯିବ ତାର କଳନା କେବେ ମୋର ନଥିଲା ।ତମ ପାଖରେ କରିଥିବା ଭୁଲ୍ ର ସନ୍ଧାନ ଆଜି ଯାଏଁ ମୁଁ ପାଇନି, ଯଦିବି ଭୁଲ କରିଥିଲି ଶାସନ କରିଥାନ୍ତ, ଆକଟ କରିଥାନ୍ତ କିନ୍ତୁ ଯେଉଁ ହାତରେ ଜୀବନ ସାରା ରହିବାର ପ୍ରତିଜ୍ଞା କରିଥିଲ ସେହି ହାତକୁ କାଢ଼ିଦେଲ ।ସେଥିପାଇଁ ବି ବହୁତ ଧନ୍ୟବାଦ ଯାହା ଫଳରେ ସ୍ୱାର୍ଥପର ଦୁନିଆକୁ ମୁଁ ଚିନ୍ହି ପାରିଛି, ଏକା ଏକା ନିଜ ଜୀବନର ଯୁଦ୍ଧକୁ ଆହ୍ୱାନ କରିପାରିଛି ।ନିଜ ଲୋକ ହାତ ଛାଡିଦେଲେ ବି ବଞ୍ଚବାର କୌଶଳ ଶିଖିଛି, ନିଜ ଜନ୍ମ କଲା ମାକୁ ଛାଡିଦେଲେ ଆଉ କେହି ଏଠି ନିଜର ନୁହଁ ବୋଲି ଚି଼ହେଁଇ ଦେଇଛ ।ଯେତିକି ଦିନ ବି ସ୍ନେହ ମମତା ଡୋରିରେ ବାନ୍ଧିଥିଲ ସେଥିପାଇଁ ଅଶେଷ ଧନ୍ୟବାଦ, ଯେତିକି ସମୟବି ମୋ ହାତଧରି ଚାଲିଥିଲ ଜୀବନସାରା ଋଣୀ ମୁଁ ତୁମ ପାଖରେ ।ପ୍ରତି ମୁହୂର୍ତରେ ମୁଁ ତୁମକୁ ମନେପକାଏ, ତମର ପ୍ରତିଟି ଦୂରତା ମୋତେ ଯନ୍ତ୍ରଣା ଦିଏ, କେବେ କେବେ ହୃଦୟର କଷ୍ଟ ଆଖିର ଲୁହ ହୋଇ ଝରିଯାଏ ।ତା ପରେବି ମୋ ନୂଆବୋହୂ ମୋ ପାଇଁ ମୋ ଲକ୍ଷ୍ମୀସାନ୍ତାଣି, ମୁଁ ତମକୁ ଦିନେ ପଚାରିଥିଲି ନା ଭାଉଜ ଯଦି ମୁଁ କେବେ ଡାକ୍ତରଙ୍କ ଯନ୍ତ୍ର ବିଧରେ ଶୋଇଥିବି ତମେ କଣ କରିବ? ତମେ ତାର ଉତ୍ତର ଦେଇଥିଲ ମୁଁ ତମକୁ ଉଠେଇ ଆଣି ସେଠି ନିଜେ ସୋଇପଡ଼ିବି, ଆଜି ମୁଁ ଶୋଇଛି ବୋହୂ ତମେ କିନ୍ତୁ ଉଠେଇଆଣିପାରିବନି ।ତମେ ଦେଇଥିବା ପ୍ରତିଟି ଜିନିଷ  ସ୍ମୁତିଶାଳା ହୋଇକି ପଡିଛି, ସେ ନିର୍ଜୀବ ରୁମ୍ ରେ ତମେ ପୁଣି ଜୀବନ ଦେବ ନୂଆବୋହୂ ।ମୋ ବାପା, ମା, ଭାଇ ତମକୁ ଲାଗିଲେ, ପୁଅକୁ ବହୁତ ପଢେଇବ ସେ ବି ଯେମିତି ଆଇଏସ ଟେ ହୋଇକି ମୋ ଅଧୁରା କାର୍ଯ୍ୟ ପୁରା କରିବ ।ଆଉ ହଁ ମୋ ସବୁ ଜନ୍ମଦିନରେ ତମ ଗଭାରେ ଗୋଲାପ ସଜେଇବ ଏତିକି ତମ ପାଖରେ ଅନୁରୋଧ ।

                                                 । ଇତି ।

                                                  ଶୋଭା 

ମଶାଣିରେ ଜଳିଯାଇଛି ଶୋଭାର ଶରୀର ତା ସହ ଭଲପାଇବା, ବନ୍ଧୁତା, ସ୍ନେହର ଛିଟା ସବୁକିଛି ପାଉଁଶ ହୋଇଯାଇଛି ସେ ମଶାଣି ନିଆଁରେ ।କିନ୍ତୁ ଆଜି ଝୁରୁଛି ତା ନୂଆବୋହୂ ତାକୁ !ପ୍ରତି ସମ୍ପର୍କର ମୂଲ୍ୟଥାଏ, ତାକୁ କେବେ ଛୋଟ ଛୋଟ ଭୁଲ ପାଇଁ ଭାଙ୍ଗିଦିଅନି କିଏ ଜାଣେ ତା ସହ ତମର ଶେଷ ଦେଖା ହୋଇପାରେ ।

          "ବନ୍ଧୁତ୍ୱ ମୂଲ୍ୟ ସର୍ବଶ୍ରେଷ୍ଠ ଏ ଦୁନିଆରେ "


Rate this content
Log in

Similar oriya story from Drama