Bikesh Sahu

Inspirational Abstract Others

5.0  

Bikesh Sahu

Inspirational Abstract Others

ନିସ୍ୱାର୍ଥ ପ୍ରେମ

ନିସ୍ୱାର୍ଥ ପ୍ରେମ

9 mins
7.7K


ଚାରିଆଡେ ସୂର୍ଯ୍ୟଙ୍କ ଆଧିପତ୍ୟ । ସମୟର ତାଳେ ତାଳ ଦେଇ ସୂର୍ଯ୍ୟ ଦେବ ଆଗକୁ ଆଗକୁ ମାଡିଚାଲିଛନ୍ତି ।ସମୟ ପାଖାପାଖି ଦିନ ଦଶଟା ହୋଇସାରିଥାଏ କିନ୍ତୁ ସମଗ୍ର ସହର ଜଳିଲା ପରି ମନେ ହେଉଥାଏ । ପ୍ରାୟ ରାସ୍ତାଘାଟରେ ସ୍କୁଲ ଓ କଲେଜ ଛାତ୍ର ମାନଙ୍କୁ ଛାଡିଦେଲେ ଲୋକଙ୍କ ଭିଡ଼ ସେତେଟା ନ ଥିଲା ।

ସେଦିନ ବି ସତିଆ ଠିକ ସମୟରେ ଘରୁବାହାରି ପଡିଲା ନିଜ ଠେଲାଟାକୁ ସାଥିରେ ଧରି କଲେଜ ଛକ ଆଡକୁ । ସବୁଦିନ ଭଳି ଆଜିବି ଠେଲାରେ ଥୁଆ ହୋଇଥାଏ ହାତତିଆରି ଗୁପଚୁପ ପୁଣି ତାରି ସାଥିରେ ସିଝା ଚଣା,ଭୁଜା ଓ କେତେ ଗୁଡିଏ ଆସବାବ ପତ୍ର । ଆସିକି ପ୍ରତିଦିନ ଯେଉଁଠାରେ ସେ ଠେଲା ଛିଡାକରେ ସେଇଠି ଠେଲା ଟା ରଖିଲା । ସମସ୍ତେ ତା ଗୁପଛୁପ କୁ ଭାରି ଭଲପାଆନ୍ତି ଏମିତିକି ମୁଁ ମଧ୍ୟ । କାହିଁକିନା ଗୁପଚୁପଟା ସେ ନିଜ ହାତରେ ତିଆରିକରେ । ତା ଗୁପଚୁପ ପରି ସେ ବି ଜଣେ ଭଲ ମଣିଷ । ଅନୁମାନରୁ ଜଣାଯାଏ ତାର ବୟସ ପାଖାପାଖି ତିରିଶି ଖଣ୍ଡେ ହୋଇଯିବ ହେଲେ ଏ ଯାଏ ସେ କୁଆଁରା । ଘରେ ତା ବୁଢ଼ୀ ମା କୁ ଛାଡିଦେଲେ ଦୁନିଆରେ ଆଉ ନିଜର ବୋଲି ତାର କେହିନାହିଁ ।ସବୁବେଳେ ତା ମୁହଁରେ ସ୍ମିତ ହସ ଲାଗିରହିଥାଏ । କେବେ ବି ମୁ ତା ମୁହଁରେ ମଳିନ ତା ଲକ୍ଷ୍ୟକରି ନି ଏଇ ଦୁଇବର୍ଷର ଜାଣିବା ଭିତରେ । ମୋତେ ସେ ଭାରି ସ୍ନେହ କରେ ଏତେଦିନ ଭିତରେ କେବେ ହେଲେ ମୋଠୁ ସେ ଟଙ୍କା ଟିଏ ବି ନେଇନି ।ଯେତେ ଯାଚିକି ଦେଲେ ବି ସେ ମନାକରିଦିଏ । ସବୁଦିନ ଆମେ ଭଲ ମନ୍ଦ କଥା ହେଉ । ବେଳେବେଳେ ନିଜ କଲେଜ ଜୀବନର କଥା ଗୁଡିକ ମଧ୍ୟ ସେ କହିବସେ । ଛୋଟ ଭାଇ ପରି ମୋତେ ସ୍ନେହ ସରାଗ କରେ । ମୁଁ ବି ତାକୁ ଦାଦା ବୋଲି ଡାକେ । ଏମିତି ବିତିଚାଲି ଥାଏ ସମୟ ।

      ଏମିତି ଏକ ଦିନର କଥା । ମୁଁ କଲେଜ ରୁ ଫେରିଆସି ଠେଲା ପାଖରେ ଭଲ ମନ୍ଦ କଥା ହେଉଥାଉ ।କଥା ହେବା ଛଳରେ ମୁଁ ତାକୁ ବାହାହେବା ବିଷୟରେ ପଚାରିଦେଲି ।କିନ୍ତୁ ସେ କିଛି କହିଲା ନାହିଁ । ମୁଁ ଅନୁଭବ କରୁଥାଏ ତାଙ୍କ ଆଖି ଦୁଇଟି ଅଶ୍ରୁରେ କେମିତି ଢଳ ଢଳ ହେଉଥାଏ ।ସତେକି ନଦୀର ବନ୍ୟା ଜଳ ପରି ।କିଛି ସମୟ ସେ ଚୁପ ହୋଇଗଲା । ବୋଧେ ସେ କଣ ଭାବୁଥିଲେ । ମୁଁ ତା କାନ୍ଧରେ ହାତରଖି ପଚାରିଲି କ'ଣ ହେଲା କିଛି କହିଲ ନି ଯେ ....? ଆଖିରୁ ଲୁହ ସବୁ ଗାମୁଛାରେ ପୋଛି ଦେଇ ଆରମ୍ଭ କରିଦେଲା ତା ର ସେଇ ପୁରୁଣା ଅତୀତର ସ୍ମୃତି ସବୁକୁ । ତା ରି ସାଥିରେ ତାର ପ୍ରଥମ ପ୍ରେମ କଥା ।

 ଜନ୍ମ ହେବା ମାତ୍ରେ ମାଆ କୁ ହରେଥିଲା । ବାପା ଥିଲେ ରୋଗୀଣା ।ସତିଆ କୁ ପାଞ୍ଚ ବର୍ଷ ହେଇଛି କି ନାଇଁ ସେ ବି ତାକୁ ଛାଡି ଚାଲିଗଲେ ।ଏତେବଡ଼ ଦୁନିଆରେ ନିଜର କହିଲେ ତାର ବୁଢ଼ୀ ମାଆ ଙ୍କୁ ଛାଡିଦେଲେ ଆଉ କେହି ନାହାନ୍ତି । ଛୋଟ ବେଳୁ ମାଆ ବାପା ଙ୍କୁ ହରାଇ ମା ସ୍ନେହ ସେ ଜାଣିନଥିଲା ।ତା ବୁଢୀମା ତାକୁ ଅତୀଯତ୍ନ ରେ ପାଳନ କରି ଛୋଟ ଟିରୁ ବଡ଼ଟିଏ କଲେ । ଏମିତିକି ଗାଁ ସ୍କୁଲରେ ତାକୁ ନା ଲେଖେଇଦେଇ ।ତାର ସବୁ ଅସୁବିଧା ବୁଝିଲେ ।ଛୋଟ ବେଳୁ ସତିଆ ଶାନ୍ତ ,କୋମଳ ଓ ଖୁବ ବୁଦ୍ଧିଆ ଥିଲା ।ପଢାପୁଢିରେ ସେ ସବୁ ବେଳେ ଆଗୁଆ ।ବଡ଼ ମାନଙ୍କୁ ଖୁବ ସମ୍ମାନ କରୁଥିଲା ।ଶେଷରେ ସପ୍ତମ ଶ୍ରେଣୀରେ ପ୍ରଥମ ସ୍ଥାନରଖି ସେ ଉତ୍ତୀର୍ଣ୍ଣ ହୋଇ ଗାଁ ହାଇସ୍କୁଲ ରେ ନାମ ଲେଖାଇଲା । ପାଠ ପଢା ସାଥିରେ ତା ବୁଢୀମାର କାମରେ ମଧ୍ୟ ସେ ସାହାଯ୍ୟ କଲା ।ଶେଷକୁ ସ୍କୁଲରେ ସବୁଠାରୁ ଅଧିକ ନମ୍ବର ରଖି ସେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ।ଏହା ଜାଣିବା ପରେ ବୁଢ଼ୀର ଖୁସି କହିଲେ ନ ସରେ । ଏତେ କଷ୍ଟ ସହି ସତିଆ କୁ ପଢ଼ାଇବାର ଶ୍ରମ ସାର୍ଥକ ହେଲା ।ବୁଢ଼ୀ ବ୍ୟାଙ୍କ ରେ ରଖିଥିବା ପଇସା ବାହାର କରି ପାଖ ସହରର କଲେଜରେ ନାମ ଲେଖାଇଦେଲା। ଗାଁରୁ ଦୁଇ କିଲୋମିଟର ଦୂରରେ କଲେଜ । ପ୍ରତିଦିନ ସତିଆ ସାଇକେଲରେ ଯିବା ଆସିବା କରେ । ଘରୁ କଲେଜ ଯିବାକୁ ପ୍ରାୟ ଘଂଟାଏ ଲାଗିଯାଏ । ଏମିତି ଚାଲିଥାଏ ।କଲେଜରେ ବି ସତିଆ ର ସରି କେହି ନ ଥିଲେ । ସବୁ କାମରେ ସେ ଆଗୁଆ ।

        ଏମିତି ଏକ ଦିନର କଥା ଆକାଶରେ ମେଘ ମାନଙ୍କ ଭିଡ଼ ।ଘଡ଼ଘଡ଼ି ଓ ବିଜୁଳି ର ଶବ୍ଦ ଚାରିଆଡେ ପ୍ରକମ୍ପିତ କରିଦେଉଥିଲା । ତା ସାଥିରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଥାଏ । ଏତିକି ବେଳେ ସତିଆ କଲେଜ ସାରି ଫେରୁଥାଏ । ବର୍ଷରେ ସେ ସମ୍ପୂର୍ଣ୍ଣ ଭିଜିଯାଇ ଥାଏ ।ତା ଓଦା ପୋଷାକ ରୁ ପାଣି ଝରୁଥାଏ । ହେଲେ ବର୍ଷା ଛାଡିବାର ନା ନେଉନଥାଏ । ସତିଆର ଦେହ ଶୀତରେ ଥରୁଥାଏ । ସାଇକେଲ ଟାର ବେଗ ଆହୁରି ଜୋର ରେ ବାଡେଇ ଦେଉଥାଏ । ହଠାତ ତା ନଜର ରେ ପଡିଲା ଏକ ଝାଟିମାଟିର କୁଡ଼ିଆ ଘର ଟିଏ । ସତିଆ ଘର ପାଖକୁ ଗଲା ।ତାକୁ ଭୟ ବି ଲାଗୁଥାଏ ।ସାଇକେଲ ଟା କୁ ବାହାରେ ଛିଡ଼ା କରିଦେଇ କବାଟ ତାକୁ ବାଡେଇଲା ।

 କିଏ ଅଛନ୍ତି ....? କବାଟ ଟିକିଏ ଖୋଲିବେ କି....? ଅତି ଧୀର କଣ୍ଠରେ ସତିଆ ଡାକ ଛାଡ଼ିଲା ।

ଭିତରୁ ପ୍ରତିଉତ୍ତର ରେ ଶୁଭାଗଲା....ହଁ....ହଁ....ଟିକିଏ ରୁହନ୍ତୁ....। ଅତି କୋମଳ କଣ୍ଠ ।

    ସତିଆ ଚମକି ପଡିଲା । ଆବାଜରୁ ସେ ବୁଝି ସାରିଥିଲା ସେଇଟା ଗୋଟିଏ ଝିଅର କଣ୍ଠ ସ୍ୱର । କିଛି ସମୟ ପରେ କବାଟ ଟା ଖୋଲି ।ଅତି ଧୀର କଣ୍ଠରେ ଝିଅଟିଏ କହିଲା । କ'ଣ କିଛି ଦରକାର...?

ସତିଆ ଟିକିଏ ଚୁପରହି । ଝିଅ ଟିକୁ ଦେଖିଲା ବୟସ ପାଖାପାଖି ଅଠର ବର୍ଷ ହେବ ।ପୂଣ୍ଣିମାର ଜହ୍ନପରି ତାର ମୁହଁରେ ଉଜ୍ଜଳତା । ହାତ ଗୁଡିକ ସତେକି ଗୋଲାପ ଫୁଲଠୁ ବି ଆହୁରି କୋମଳ ।ଆଖି ଦୁଇଟି ନୀଳ କଇଁ ପରି ଦେଖାଯାଉଥିଲା।କହିବାକୁ ଗଲେ ଝିଅଟି ଗୋଟିଏ ଚାଉଳରେ ଗଢ଼ା ।ତାର ହତରେ ମାଟି ଲାଗିଥାଏ ବୋଧେ କିଛି ମାଟିକାମ କରୁଥିଲା 

ଝିଅଟି ପୁଣି ଥରେ ପଚାରିଲା.........।

ହଁ.....ହଁ....ନା......ନା........।ବ....ର୍ଷା.....ହେଉଛି ତ ଟିକିଏ ଅନୁମତି ଦେଲେ ବର୍ଷା କମିବା ଯାଏ ମୁଁ ଅପେକ୍ଷା କରନ୍ତି ।ସତିଆ ଟିକିଏ ଖନେଇ କି କହିଲା ।

ଝିଅଟି ଭିତର କୁ ଆସିବାର ଅନୁମତି ଦେଲା ।ସେଇ ଦିନ ହିଁ ସାବିତ୍ରୀ ସହିତ ତାର ପ୍ରଥମ ଦେଖା । କହିବା ସାଥିରେ ତା ମୁହଁରେ ସଚ୍ଚା ପ୍ରେମର ଆଭା ମୁଁ ଅନୁଭବ କରୁଥିଲି । ଆଖିରୁ ଆଦିନିଆ ଶ୍ରାବଣର ଧାର ବନ୍ଧ ଭାଙ୍ଗି ବୋହି ଚାଲିଥାଏ ।ଗାମୁଛାରେ ଲୁହ ପୋଛି । ପୁଣି ଆରମ୍ଭ କରିଦେଲା ।

  ବର୍ଷାରେ ସମ୍ପୂର୍ଣ୍ଣ ଥରୁଥିବା ଦେଖି ସାବିତ୍ରୀ ଗାମୁଛାଟି ବଢ଼େଇ ଦେଲା ସତିଆ ଆଡକୁ । ବିଛଣାରେ ତାର ମଦୁଆ ବାପା ଟାଙ୍କେ ପିଇ ଶୋଇ ପଡିଥାଏ । ଘୁଙ୍ଗୁଡ଼ିରେ ଘରଟା ଉଠୁଥାଏ ପଡୁଥାଏ । ଏପଟେ ସାବିତ୍ରୀ ମୂର୍ତ୍ତି ଓ କଣ୍ଡେଇ ତିଆରି କାମରେ ଲାଗିପଡିଥାଏ । ପାଖରେ ଥିବା ଭଙ୍ଗା ଚୌକିରେ ସତିଆ ବସିପଡିଲା । ତା ଆଖି ସାବିତ୍ରୀ କୁ ହିଁ ଚାହିରହିଥାଏ ।ଯେତେ ଚେଷ୍ଟା କଲେ ବି ସେ ନଜର ଫେରେଇ ପାରୁନ ଥାଏ ।

ହଠାତ ଶୁଭିଲା ବାବୁ...!! ଏକ କରୁଣ ସ୍ୱର , ସତିଆ ଟିକିଏ ଚମକି ପଡିଛି ।

ତା ପାଟିରୁ ବାହାରି ପଡ଼ିଲା....ଅସ୍ପଷ୍ଟ ସ୍ୱର.....ହଁ...ହଁ........।

ସତିଆ ଜାଣିପାରିଲା ଝିଅଟିର ସ୍ୱର । ତା’ ପରେ କହିଚାଲିଲା ଝିଅଟି ତାର କରୁଣ କାହାଣୀ । ଜନ୍ମ ହୋଇ ଦୁଇ ମାସ ଗଲା ପରେ ତା ମାଆ ସବୁଦିନ ପାଇଁ ତାକୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛି । ତା ବାଆ ସେଇ ଦିନ ଠୁ ମଦପିଇବା ଆରମ୍ଭ କରିଦେଲା ।କେତେ କଷ୍ଟରେ ତାକୁ ଲାଳନ ପାଳନ କଲା ।ଦଶ ବର୍ଷରୁ ଏ ଯାଏଁ ସେ ମୂର୍ତି ଓ କଣ୍ଢେଇ ଗଢି ଘର କରଣା ସାଥିରେ ବାଆ ର ମଦ ଖର୍ଚ୍ଚ ତୁଲାଇ ଆସୁଛି ।କେଉଁଦିନ ଗୋଟିଏ ତ ,କେଉଁଦିନ ଦୁଇଟି ,ତ ଆଉ କେଉଁ ଦିନ କିଛି ବି ବିକ୍ରି ହୋଇପରେନି । ସେଥିରୁ ଯାହା ମିଳେ ତା ବାଆ ସବୁ ଛଡେଇ ନେଇ ଯାଏ । ଯେତେ ମନା କଲେବି ସେ କିଛି ଶୁଣେନି ।ବେଳେ ବେଳେ ତାକୁ ନିର୍ଧୁମ ମାଡ଼ମାରେ । ଏମିତି କହୁକହୁ କାନ୍ଦିପକାଇଲା ସାବିତ୍ରୀ ।ସତେକି ତା ହୃଦୟରେ ଜମାଟ ବାନ୍ଧି ଥିବା ସବୁ ତକ କୋହ ଲୁହ ହୋଇ ବୋହିଯାଉଛି । ସତିଆ ବି ତା ସାଥିରେ କାନ୍ଦି ପକାଇଲା । ତା ପାଖକୁ ଯାଇ ଆଖିରୁ ଲୁହତକ ପୋଛି ଦେଲା । ତାକୁ ବୁଝେଇଲା । ଏତିକି ବେଳକୁ ବର୍ଷା ପ୍ରାୟ କମି ସାରିଥାଏ । ବାହାରେ ଘନ ଅନ୍ଧକାର ମାଡି ଆସୁଥାଏ । ସେଇ ଦିନ ସତିଆ ସାବିତ୍ରୀ କୁ ବିଦାୟ ମାଗି ଚାଲି ଆସିଲା ଘରକୁ । ସେଦିନ ଆଉ ତା ଆଖିରେ ନିଦ ହେଲାନି ।ସବୁ ବେଳେ ଖାଲି ତାକୁ ସାବିତ୍ରୀ କଥା ହିଁ ମନେ ପଡୁଥାଏ । ଏପଟେ ସାବିତ୍ରୀ ଅବସ୍ଥା ବି ଠିକ ସେଇଆ । ଯେମିତି ତାକୁ ଲାଗିଲା ତାର ନିଜର ବୋଲି କିଏ ଜଣେ ଅଛି । ସେ ବି ସତିଆ କଥା ହିଁ ଭାବୁଥାଏ ।

    ସେଇ ଦିନଠୁ ସତିଆ କିଛିଟା ବଦଳି ଗଲା ।ସବୁ ବେଳେ ସାବିତ୍ରୀ କଥା ହିଁ ଭାବୁଥାଏ ।ସାବିତ୍ରୀକୁ ଟିକିଏ ଦେଖିବା ପାଇଁ ସେ ଅଧୀର ହୋଇ ପଡୁଥାଏ ।ସେ ବୁଝି ସାରିଥିଲା ସାବିତ୍ରୀ କୁ ସେ ଭଲ ପାଇ ବସିଛି । ହେଲେ ସାବିତ୍ରୀ ମନରେ କଣ ଅଛି ସେ ଜାଣିନି । ରାତି ଦିନ ଖାଲି ସାବିତ୍ରୀ କଥା ହିଁ ସେ ଭାବୁଥାଏ ।କେମିତି ତାକୁ ତା ମନ କଥା କହିବ କିଛି ବୁଝିପାରୁନ ଥାଏ ।

    ଦିନକର କଥା ସତିଆ କଲେଜରୁ ଫେରୁଥାଏ । ସହରର ଶେଷ ମୁଣ୍ଡରେ ଦେଖିଲା ଝିଅ ଟିଏ କଣ୍ଡେଇ ବିକ୍ରି କରୁଛି ।ସତିଆ ଜୋରରେ ସାଇକେଲ ଚଳେଇ ପାଖରେ ପହଞ୍ଚି ଦେଖିଲା ସେ ହେଉଛି ସାବିତ୍ରୀ ଯାହା ଠାରେ ସେ ନିଜ ହୃଦୟ ବିକି ସାରିଛି । ହେଲେ ସେ ପାଖକୁ ଗଲା ନାହିଁ କାଲେ ସେ ଖରାପ ଭାବିବ । ଦୂରରୁ ଅତି ନିରୀହ ଭାବରେ ଏକ ମନ ଏକ ଲୟରେ ଅନେଇ ରହିଥାଏ ସାବିତ୍ରୀ କୁ ।ନିଜକୁ ହଜେଇ ଦେଇଥାଏ ସାବିତ୍ରୀ ପାଖରେ । ଏମିତି କିଛି ସମୟ ଗଲାପରେ ସାବିତ୍ରୀ ସତିଆ କୁ ଦେଖି ଦେଇଛି । ପାଖକୁ ଆସି ଅତି ଧୀର ସ୍ୱରରେ କହିଲା ।

ବାବୁ..!.....ବାବୁ..!

ସତିଆ ଚମକି ପଡିଲା ।ଦେଖିଲା ତା ମୁହଁ ଆଗରେ ତା ହୃଦୟର ରାଜକୁମାରୀ ଠିଆ ହୋଇଛି । ସେ କ'ଣ କରିବ କିଛି ବୁଝି ପାରୁନ ଥାଏ । ଟିକିଏ ଚୁପ ରହି ଗଲା ସତିଆ ।

ସତିଆର ନୀରବତା ଦେଖି ପୁଣି ସାବିତ୍ରୀ କହିଲା ।କ'ଣ ହେଲା ବାବୁ ଚିହ୍ନି ପାରିଲେ ନି ବୋଧେ..... ।ମୁଁ ସାବିତ୍ରୀ ...।ଯାହା ଘରେ ଆପଣ ସେଇ ବର୍ଷା ଦିନ ଆଶ୍ରୟ ନେଇ ଥିଲେ ।

ହଁ......ହଁ....। ଚିହ୍ନି ପାରିଲି । ତୁମକୁ କେମିତିବା ମୁଁ ଭୁଲି ପାରିବି ଯେ ...। ସତିଆ ର ପାଟି ଖନେଇ ଯାଉଥାଏ । କ'ଣ କହିବ ସେ କେଉଁଠୁ ଯେ ସେ ଆରମ୍ଭ କରିବ କିଛି ବୁଝିପାରୁନ ଥାଏ। କେମିତି ସେ ତା ମନ କଥା ସାବିତ୍ରୀ କୁ କହିବ ସେ ଜାଣି ପାରୁନ ଥାଏ । ଯେତେ ଚେଷ୍ଟା କଲେ ମଧ୍ୟ ସତିଆ କିଛି କହି ପାରିଲା ନାହିଁ ।ଗୋଟିଏ ଛୋଟ କଣ୍ଢେଇ ନେଇ ସେ ଦିନ ସେ ଚାଲିଗଲା ଘର କୁ । କିନ୍ତୁ ସାବିତ୍ରୀ ବୁଝି ସାରିଥିଲା ସତିଆ ତାକୁ ଭଲ ପାଉଛି ।ସାବିତ୍ରୀ ମଧ୍ୟ ସତିଆ କୁ ପ୍ରଥମ ଦେଖାରେ ପସନ୍ଦ କରିବାରେ ଲାଗିଥିଲା । ସତିଆ କୁ ନେଇ ଅନେକ ସ୍ୱପ୍ନ ଦେଖୁଥିଲା ସେ । କିନ୍ତୁ ତା ବାଆ କ'ଣ ତା ସ୍ୱପ୍ନ ସାକାର ହେବାକୁ ଦେବ...?? ବୁଢା ମଦୁଆ ବାଆ କଥା ଭାବି ସେ ଚୁପ ରହିଯାଉଥିଲା ।

     ସେମିତି ଅନେକ ଦିନ ଚାଲିଗଲା । ସତିଆ ବହୁତ ଦିନ ହୋଇଗଲାଣି ଆଉ ସାବିତ୍ରୀ କୁ ଦେଖିନି । ଦିନେ ସେ ତା ଘରକୁ ଯାଇ ତାକୁ ମନ କଥା କହିବା କୁ ସ୍ଥିର କଲା । କଲେଜ ରୁ ଶୀଘ୍ର ବାହାରି ପଡି ସବିତ୍ରୀର ସେଇ କୁଡ଼ିଆ ଘର ଆଡ଼କୁ ଅଗ୍ରସର ହେଲା । କିନ୍ତୁ ଦେଖିଲା ଘର ତାଲା ପଡିଛି ।ସତିଆ କିଛି ବୁଝି ପାରିଲାନି । ସାବିତ୍ରୀର ଏମିତି ଅଚାନକ କୁଆଡେ ଚାଲିଯିବା କଥା ସତିଆ କୁ ଭାରି ବ୍ୟତିବ୍ୟସ୍ତ କରିପକାଉଥାଏ । ଏ ପଟେ ତା ପରୀକ୍ଷା ।ବୁଝି ପାରୁନଥାଏ ସେ କଣ କରିବ । ସାବିତ୍ରୀ କୁ ବହୁତ ଖୋଜିଲା । ହେଲେ କୋଉଠି ବି ସେ ପାଇଲା ନି । ସବୁ ବେଳେ ତା ମନରେ ସାବିତ୍ରୀ ପାଇଁ ଅନେକ ଅବାନ୍ତର ପ୍ରଶ୍ନ ସବୁ ଉଙ୍କି ମାରୁଥାଏ । ଏଇସବୁରେ ଚିନ୍ତା କରୁ କରୁ ପରୀକ୍ଷା ଚାଲି ଆସିଲା । କିନ୍ତୁ ସତିଆ ର ମନ ସେଠି ନ ଥାଏ । ସବୁବେଳେ ସେ ସାବିତ୍ରୀ କଥା ହିଁ ଭାବୁଥାଏ । ଯେଉଁଠି ପାଇଁ ତା ପରୀକ୍ଷା ଭଲ ହେଲା ନି । ବହୁତ କଷ୍ଟରେ ପାସ କଲା ସେ ହେଲେ ସେଥି ପ୍ରତି ତାର ଖାତିର ନାହିଁ । ପାଗଳ ପରି ସେ କେବଳ ସାବିତ୍ରୀ କୁ ଖୋଜିଚାଲିଥାଏ ।

    ଦିନକର କଥା ସତିଆ ସହରରେ ବୁଲୁଥିବା ବେଳେ ତା ଅନତି ଦୂରରେ ଜଣେ ଭଦ୍ର ମହିଳା ସହ ତାର ଦେଖା ହୋଇଗଲା ଯିଏକି ଲାଲ ଶାଢ଼ୀ ସାଙ୍ଗକୁ ଓଢଣା ଦେଇ ଡାକ ଛାଡୁଥାନ୍ତି ଖେଳନା...... ନେବ .....ଖେଳନା......ଖେଳନା....। ସତିଆ କୁ ସ୍ୱର ଟି ଚିହ୍ନା ଚିହ୍ନା ଲାଗିଲା ।ଦୁଇ ହାତ ମୁଠେଇ ଦୌଡ଼ିବା ରେ ଲାଗିଲା ସତିଆ । ଆସି ପହଞ୍ଚି ଦେଖେତ ସେ ହେଉଛି ତା ସାବିତ୍ରୀ । ସେ ବିଶ୍ୱାସ କରିପାରୁନ ଥାଏ । ପାଖକୁ ଯାଇଛି .....।ଅତି ଧୀର କଣ୍ଠରେ କହିଲା ସାବିତ୍ରୀ .....। ସାବିତ୍ରୀ ବି ସତିଆକୁ ଦେଖିଛି । କିଛି ସମୟ ଦୁହେଁ ଦୁହିଁଙ୍କୁ ନିର୍ବାକ ଓ ନିସ୍ତବ୍ଧ ହୋଇ ଚାହିଁରହିଥାନ୍ତି । ସତିଆ ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ । ସାବିତ୍ରୀ ବି ଆଉ ନିଜକୁ ସମ୍ଭାଳି ପାରିନି । ତାରି ଆଖିରୁ ବି ଧାର ଧାର ଲୁହ ବନ୍ଧ ଭାଙ୍ଗିବୋହିଚାଲିଥାନ୍ତି ।

ତୁମେ ଏତେ ଦିନ କୋଉଠି ଥିଲ ....?..ମୁଁ ତୁମକୁ କେତେ ନ ଖୋଜିଛି....? ସତିଆ ପଚାରିଲା ଅତି କରୁଣ ସ୍ୱରରେ ।

ସାବିତ୍ରୀ କିଛି ନ କହି କେବଳ କାନ୍ଦୁଥାଏ । କେମିତି ବା ସେ କହନ୍ତା ଯେ ସେ ଆଉକାହାର ହୋଇସାରିଛି । ଅତି ବିକଳ କଣ୍ଠରେ ସାବିତ୍ରୀ କାନ୍ଦିବାରେ ଲାଗିଥାଏ । କେଉଁ ସାହସରେ ବା ସେ କହନ୍ତା ତା ବାଆ ତାକୁ ପରକରି ଚାଲିଯାଇଛି ତାକୁ ଆଉ କାହା ହାତରେ ଟେକିଦେଇ । ଆଜି ସେ ଆଉ କାହାର ସ୍ତ୍ରୀ ବୋଲି । କେମିତି ସେ ଏକଥା ସତିଆ ଆଗରେ କହିବି କିଛି ବୁଝିପାରୁନ ଥାଏ ।

ସତିଆ ପୁଣି ଥରେ ପଚାରିଛି । ତୁମେ କିଛି କହୁନ କାହିଁକି....?

ସାବିତ୍ରୀ ତଥାପି କିଛି ନ କହି କେବଳ କାନ୍ଦୁଥାଏ । କ'ଣ କରିବ କିଛି ବୁଝି ନ ପାରି ମୁଣ୍ଡରୁ ହଠାତ ଓଢଣା କାଢି ଦେଇଛି ସାବିତ୍ରୀ ।

ଯେତେ ବେଳେ ସତିଆ ସାବିତ୍ରୀ ମଥାର ସିନ୍ଦୁର ଦେଖିଦେଇଛି ସତେକି ତା ପଦତଳୁ ମାଟି ଖସି ଗଲାପରି ମନେ ହେଲା । ତା ମୁଣ୍ଡରେ ବଜ୍ର ପାତ ହେଲା ପରି ତଳେ ପଡ଼ିଗଲା ।ସବୁ ଆଶା ତା ଆଶାରେ ହିଁ ରହିଗଲା । ଧୂଳି ସାତ ହୋଇଗଲା ତାର ସବୁ ସ୍ୱପ୍ନ । ସେଇ ଦିନଠୁ ଆଜି ଯାଏଁ ତା ହୃଦୟରେ ସେ ସାବିତ୍ରୀ କୁ ହିଁ ଭଲ ପାଉଛି ଆଉ ଭଲ ପାଉଥିବ ମଧ୍ୟ ।

     ଏମିତି କହୁ କହୁ ତା ଆଖିରୁ ଝରି ଯାଉଥାଏ ଶ୍ରାବଣ ପରି ଅମାନିଆ ଲୁହ ସବୁ । ଏପଟେ ସମୟ ଦି’ଟା ପାଖାପାଖି ହୋଇସାରିଥାଏ । ସତିଆର ଦୁଃଖ ଦେଖି ମୋ ଆଖିରୁ ବି ଝରିଗଲା ଦୁଇବୁନ୍ଦା ଅଶ୍ରୁ । ସତରେ କେତେ ମହାନ ହୃଦୟର ମଣିଷ ଟିଏ ସେ । ହୃଦୟରେ ଏତେ ଦୁଃଖ ଚାପିରଖି ସେ କେମିତି ସବୁବେଳେ ହସଖୁସିରେ ବଞ୍ଚୁଛି । ସେଇ ଦିନ ମୁଁ ଠିକ ବୁଝି ପାରିଲି ପ୍ରକୃତ ପ୍ରେମ କ'ଣ ? କେବଳ ଲୋକ ଦେଖାଣିଆ ପ୍ରକୃତ ପ୍ରେମ ନୁହେଁ ।ହୃଦୟର ବନ୍ଧନ ହିଁ ପ୍ରକୃତ ପ୍ରେମ । ଯାହା କେବେ ଭାଙ୍ଗେ ନି ବଞ୍ଚି ଥିବା ଯାଏ ହୃଦୟରେ ଚିରସ୍ରୋତା ନଈ ପରି କୁଳୁକୁଳୁ ନାଦରେ ବୋହି ଚାଲିଥାଏ ସବୁଦିନ ପାଇଁ । ଯେଉଁ ପ୍ରେମ ପାଇଁ ସତିଆ ଆଜୀବନ କୁଆଁରା ରହି ପ୍ରତିଟି ସମୟ ସାବିତ୍ରୀର ମଙ୍ଗଳ ମନାସି ଭଗବାନଙ୍କୁ ଡାକୁଛି ତାର ହସ ଖୁସି କାମନା କରି । ଏ ବୋଧେ ନିସ୍ୱାର୍ଥ ପ୍ରେମ......ହଁ..ଏ ବୋଧେ ନିସ୍ୱାର୍ଥ ପ୍ରେମ ......।

      

   


Rate this content
Log in

Similar oriya story from Inspirational