ଦଂଶନ
ଦଂଶନ


କେତେ ଗୁଡିଏ ମିଛ ସମ୍ପର୍କର
ନାଗଫାଶ ବନ୍ଧନରେ ବନ୍ଦି ଆଜି ମୁଁ ।
ଯେଉଁଠି ପ୍ରତିଥର
ବିଷାକ୍ତ ହେଉଛି ମୋ ସର୍ବାଙ୍ଗ
ନିଶ୍ଚେତ ହେଉଛି ମୋ ଚୈତନ୍ୟ
ସେମାନଙ୍କର ଛଳନା, ପ୍ରତାରଣାର
ବିଷାକ୍ତ ଚୋଟରେ ।
ସେଇଥି ପାଇଁ ତ ନିସ୍ତେଜ ଆଜି ମୁଁ ।
ମୋ ଦେହ, ମନ, ଆତ୍ମା
ପ୍ରତ୍ୟେକର ଅଣୁ ଅଣୁରେ
ସେମାନେ ଉଦ୍ଗାରିଥିବା ବିଷ
ସେମାନେ ଦଂଶିଥିବା କ୍ଷତ ।
ଏବେ ବୃଥା ସବୁ ଝଡ଼ା, ଫୁଙ୍କା ବାହ୍ୟ ଉପଚାର
ନା ଏଠି କାମ କରୁଛି ଅରଖ,
କି ଦୁଦୁରାର କ୍ଷୀର ।
କେବଳ
ସଂଚରି ଚାଲିଛି ବିଷ ମୋ ସର୍ବାଙ୍ଗରେ
ମିଶି ଚାଲିଛି ମୋ ରକ୍ତରେ, ମୋ ମେଦରେ
ମୋ ଶରୀରର ହାଡ଼, ମାଂସ ତନ୍ତ୍ରୀ ତନ୍ତ୍ରୀରେ
ଏବେ ଏଇତ ବୋହିଲାଣି ମୋ ନାସାରୁ
ଖର ନିଶ୍ୱାସ ପ୍ରଶ୍ୱାସ ।
ଜାଣେ ମୃତ୍ୟୁ ଏବେ ସୁନିଶ୍ଚିତ ।
ତଥାପି ସଙ୍ଘର୍ଷ ମୋ ଅବ୍ୟାହତ
ଜୀବନର ସଂଜୀବନି ମନ୍ତ୍ର ପାଠେ
କାଳେ ମୁହିଁ ହୋଇବି ଅମର ।