ନିରୋଳା ପ୍ରେମ
ନିରୋଳା ପ୍ରେମ
ପିଲାଦିନେ ମୋ ମନରେ ଅତିମାତ୍ରାରେ ପ୍ରଭାଵ ପକାଇଥିଲା 'ମାଂସର ବିଳାପ' ନାଟକରେ ଜଲି ଓ ଡୋରାଙ୍କ ବନ୍ଧୁତ୍ୱ। ପଶୁହେଲେ ମଧ୍ୟ ଡୋରା ଜଲିକୁ ଝୁରି ଝୁରି ଜୀବନ ଦେଲା।ମୋର ପିଲା କଅଁଳ କୋମଳ ମନ ଆଶ୍ଚର୍ଯ୍ୟ ହେଲା ଏବଂ ଖୋଜିଥିଲା କଣ ସତରେ ଏଇ ବନ୍ଧୁତା ଯାହା ପାଇଁ ଜଣେ ଅନ୍ୟ ଜଣଙ୍କୁ ମରିବାକୁ ପଡେ। ସତରେ କେମିତି ପ୍ରେମ ଇଏ ?
କର୍ଣ୍ଣ ଜୀବନ ଦେଲା ବନ୍ଧୁତା ପାଇଁ।ଗରିବ ସୁଦାମା ସୁନା ପଲଙ୍କରେ ଶୋଇଥିଲା ବନ୍ଧୁତା ହେତୁ।ଜିମ୍ ପୋଲିସ ଅଫିସର ବନ୍ଦୀ କରି ନଥିଲା କୁଖ୍ୟାତ ଆନ୍ତର୍ଜାତୀୟ ଚୋରବବ୍କୁ ବନ୍ଧୁତା ଖାତିରିରେ।ବିଭୀଷଣ ଲଙ୍କାରେ ରାଜା ହେଲା ରାମଙ୍କ ବନ୍ଧୁତା ନେଇ। ବନ୍ଧୁତା ଚାରି ଯୁଗେ ଚିର ଅମର।ସଚରାଚର ବନ୍ଧୁତା ପ୍ରେମରେ ବନ୍ଧା।ବନ୍ଧୁତା କି ବୁଢା ଟୋକାଙ୍କ ପର୍ଯ୍ୟନ୍ତ ସଭିଙ୍କର ସବୁ ସମୟରେ ମନ ଚାହିଁଥାଏ।ବନ୍ଧୁତା ନିରୁତା,ନିରୋଳା ପ୍ରେମ।
ସେ ହେଉ ବାଲି ଘର ଖେଳ ,ସ୍କୁଲ ଯିବା ବେଳ,କି ସଂସାର୍ ସଉଦା ;ବନ୍ଧୁଟିଏ ଲୋଡିଥାଏ ପ୍ରତ୍ୟେକ ଜୀଵ।ପଶୁ ପକ୍ଷୀ ମଧ୍ୟ ବନ୍ଧୁର ଆବଶ୍ୟକତା କରନ୍ତି।ଦଳ ହୋଇ ଉଡିବା,ଖାଦ୍ୟ ଖୋଜିବା ,ବସା ବାନ୍ଧିବା ଆଦି କାମ କରନ୍ତି ବନ୍ଧୁ ମାନଙ୍କ ସହ।କୁକୁର,ମାଙ୍କଡ଼,ହାତୀ,ବାଘ,ସିଂହ ବନ୍ୟ ଜନ୍ତୁ ବି ସାଙ୍ଗ ହୋଇ ଦଳ ବଦ୍ଧ ଭାବେ ରୁହନ୍ତି।କାଉ,ବଗ,ଶୁଆ ଓ ଅନ୍ୟ ପକ୍ଷୀ ମାନେ ଗୋଟିଏ ଜାଗାରେ ସାଙ୍ଗ ହୋଇ ରହିବାକୁ ପସନ୍ଦ କରନ୍ତି। ବିପଦ ଆପଦରେ ଏକତ୍ରିତ ହୋଇ ମୁକାବିଲା କରନ୍ତି। ଶତ୍ରୁକୁ ସଂଘ ବଦ୍ଧ ଭାବେ ଆକ୍ରମଣ ବି କରନ୍ତି।
ମଣିଷ ସବୁ ଜୀଵ ମଧେ ସାର୍।ତା କଥା ବନ୍ଧୁତା କ୍ଷେତ୍ରରେ ସପୂର୍ଣ୍ଣ ନିଆରା। ବନ୍ଧୁ ପାଇଁ ବନ୍ଧୁତା ଖାତିରିରେ ଜୀବନ ଦେବାକୁ ବି ପଛାଏ ନାହିଁ ସେ।ବନ୍ଧୁ ପାଇଁ ସେ ଅସାଧ୍ୟ ସାଧନ କରୁ ପାରେ।ଭାଙ୍ଗି ପଡୁଥିବା ଅଣ୍ଟାର ଆସାରା ବାଡ଼ି ହୁଏ ବନ୍ଧୁ।ବନ୍ଧୁର ସେହ୍ନ,ମମତା ଜୀବନ ପାଇଁ ଆମୂଲ୍ୟ।ସ୍ୱର୍ଗୀୟ ବନ୍ଧୁତାର ଅନୁଭବ।ବନ୍ଧୁତା ମହୁଠାରୁ ମିଠା,ସ୍ବପ୍ନ ଠାରୁ ସିନ୍ଦୁର,ଇନ୍ଦ୍ରଧନୁ ଠୁ ବି ରଙ୍ଗୀନ।ଦୁଃଖ ବାଣ୍ଟି ମନ ହାଲକା ହୋଇଯାଏ ବନ୍ଧୁ ପାଖେ। ସୁଖ ବଖାଣି ବଣ୍ଡୁ ପାଖେ ଖୁସି ହୁଏ ମଣିଷ। ମଣିଷ ଜନ୍ମ ହୁଏ ସ୍ୱାଧୀନ ହୋଇ।ମାତ୍ର ଜନ୍ମ ହେଉ ହେଉ ସେ ଅନ୍ୟର ଆଶ୍ରା ଲୋଡ଼େ ବଂଚିବା ପାଇଁ। ସଂଗ୍ରାମ କରେ ପିଲା ନିଜର ଭାଵ ପ୍ରକାଶ ନକରି ପାରି ଅନ୍ୟ ପାଖେ କେବଳ କାନ୍ଦ ମାଧ୍ୟମରେ।
କୁନି କୁନି ପାଦରେ ଚାଲି ଶିଖେ,ଦରୋଟି ଭାଷାରେ କଥା କୁହେ। କଣ୍ଢେଇ ଧରି ଖେଳେ।ଏଇଠି ଖୋଜେ ଗୋଟେ ବନ୍ଧୁ।ତା ସରଳ ମନକୁ ଅଜାଡି ଦେବା ପାଇଁ,ତା ସହ କଣ୍ଢେଇ ଧରି ଖେଳିବା ପାଇଁ,ବାଲି ଘର କରି ମିଛିମିଛିକା ବୋହୁ ବୋହୁ କା ଖେଳରେ ବର କନିଆଁ ହେବା ପାଇଁ ତାର ଅନେକ ସାଥୀ ହୋଇଯାଆନ୍ତି। ପିଲା ଦିନର ଅଧିକାଂଶ ସମୟ ସେ ତା ସମ ବୟସ୍କ ସାଙ୍ଗ ଗହଣ ବହୁତ ଖୋଜେ।ଖେଳ କୁଡ଼ ଏକା ଏକା କରି ହୁଏନି କି ଏକା ଖେଳିବାରେ ମଜା ନଥାଏ।ଶ
ୈଶବର ସାଙ୍ଗ ଅତ୍ୟନ୍ତ ନିଃସ୍ୱାର୍ଥପର ହୋଇଥାନ୍ତି।
ପିଲା ବଡ଼ ହୁଏ;ସ୍କୁଲ ଯାଏ।ଏଠାରେ ବି ସେ ସାଙ୍ଗ ଖୋଜେ।ଏକା ସ୍କୁଲ ଯିବା କି ଏକା କୌଣସି କାର୍ଯ୍ୟ ସେ କରିବାକୁ ଭଲ ପାଏନା।ସାମୁହିକ ଓ ସଂଘବଦ୍ଧ କାର୍ଯ୍ୟ କରିବାକୁ ଖୁବ ଭଲ ପାଏ।ସ୍କୁଲ ଜୀବନ ସାଙ୍ଗ ନିହାତି ନିରୋଳା।
ଆହୁରି ବଡ଼ ହୁଏ;ସଂସାର ସଉଦା ଓ ଜୀବନ ସଉଦା କରିପାଇଁ ସାଥିଟିର ଏକାନ୍ତ ଆବଶ୍ୟକହୁଏ। ପାହାଡ଼ ପରି ସମସ୍ୟା ଟପି ଯିବାର ଦକ୍ଷତା ରଖେ ଉପଯୁକ୍ତ ସାଥିଟିଏ ପାଖରେ ଥିଲେ।ଜୀବନ ହସେ, ବାସେ ମନ ଲାଖି ଜୀବନ ସାଥି ମିଳିଗଲେ।ଦୁହେଁ ଗୋଟିଏ ବାଇକ ର ଦୁଇ ଚକ ହୋଇ ଗଡାଇ ନିଅନ୍ତି ବଂଶ,ବଢ଼ାଇ ଦିଅନ୍ତି ଜୀବନ।ସାଥି ହୋଇ ଚାଲନ୍ତି।ଯେତେ ଝଡ଼ ଝଞ୍ଜା ଆସିଲେ ସବୁ ଦୁହେଁ ମୁଁଣ୍ଡ ପତାଇ ସହି ନିଅନ୍ତି।ଜଣେ ସାଥି ହୋଇ ଚାଲୁ ଚାଲୁ ହଜି ଗଲେ ଆଉ ଜଣଙ୍କର ଡେଣା କଟିଯାଏ।
ଶେଷରେ ଜୀବନେ ଶେଷ ସୋପାନ ଆସେ।ସବୁଠାରୁ ଏଇ ବୟସ ଜୀବନ ସାଥୀକି ଢେର ଖୋଜେ। କାହିଁକି ନା ଏକା ବଂଚିବା,କି ଚାଲିବା ଅସମ୍ଭବ ହୋଇ ପଡେ ଏଇ ସମୟରେ।ବୟସଟି ରଦି କାଗଜ ଓ ଜୀବନ ଅଚଳି ମୁଦ୍ରା ହୋଇଯାଇଛନ୍ତି ସେତେବେଳେ।ପାର୍କରେ,ମର୍ନିଂ କି କଫି ସଫରେ ସମ ବୟସ୍କ ବୃଦ୍ଧଓ ବୁଦ୍ଧା ଅଜସ୍ର ଆନନ୍ଦ ପାଆନ୍ତି ନିଜ ନିଜ ଜୀବନ।ପିଲାମାନଙ୍କ ଅଣ ଦେଖା ଅବହେଳା ବାଣ୍ଟନ୍ତି ବନ୍ଧୁ ସଂଗେ।
କୃଷ୍ଣ ଓ ସୁଦାମା,କର୍ଣ୍ଣ ଓ ଦୁର୍ଯ୍ୟୋଧନ ଙ୍କ ପରି ବନ୍ଧୁତା ଏଯାଏ ଉଦାହରଣ ସମାଜରେ।ପ୍ରକୃତ ବନ୍ଧୁର ବନ୍ଧୁତା ଭାଗ୍ୟରେ ଥିଲେ ମିଳେ।ବନ୍ଧୁତା କେବଳ ଦେଇ ଜାଣେ ଫେରସ୍ତ କିଛି ଚାହେଁ ନାହିଁ।ପ୍ରକୃତ ବନ୍ଧୁ ଦୁଃଖ,ସୁଖ,ଏପରିକି ମରଣ କାଳରେ ପାଖରେ ଠିଆ ହୁଏ।ବନ୍ଧୁତା ମଧୁର,ସୁନ୍ଦର,ସତ୍ୟ ଓ ଶିବ।ମୁଠେ ସମ୍ମୋହନ,ଟିପେ ଖୁସି,ଆଞ୍ଜୁଳାଏ ହସ ଗାଁର ନାମ ବନ୍ଧୁତା।
ସେମିତି ନିର୍ମଳ ବନ୍ଧୁଟିଏ ମୋ ଜୀବନରେ ଆସିଥିଲେ ଯିଏ ମୁଁ ଭାଙ୍ଗି ଯାଉଥିବା ସମୟରେ, ଯେତେବେଳେ ମୋତେ ମୋ ବାପା ମା ଏକା କରି ଆର ପାରିକୁ ଚାଲିଗଲେ। ବାପା ମା ମୋର ଥିଲେ ପ୍ରକୃତ ବନ୍ଧୁ।ସେମାନଙ୍କୁ ହରାଇ ଅସହାୟ ହୋଇ ଉବୁଡୁବୁ ହେଲା ବେଳେ ସେ ମୋତେ ସାହାରା ଦେଲେ।ମୋ ପାଖେ ପାଖେ ଛାଇ ପରି ରହି ସବୁକିଛି ଶିଖାଇ ମୋତେ ସମାଜରେ ଜଣେ କରି ଠିଆ କରାଇଲେ।ତାଙ୍କ ବନ୍ଧୁତା,ମହତ ପଣିଆଁ ମୋ ଜୀବନର ପାରିଜାତ ହୋଇ ଫୁଟିଲା।ବୟସାଧିକ ହୋଇ ଯାଉଥିଲେ ବି ବିବାହ ହେଉ ପାରୁ ନଥିଲା।'ଅମୀୟ' ମୋ ଜୀବନରେ ଅମୀୟ ଢାଳି ମୋତେ ଆପଣେଇ ନେଲା ବିନା ଦ୍ବିଧାରେ।ମୁଁ ଏବେ ପୃଥିବୀର ସବୁଠାରୁ ସୁଖୀ ମଣିଷ।ସତରେ ବନ୍ଧୁତା ନିହାତି ନିରୋଳା ପ୍ରେମ ଟୋପେ।