Satyabati Swain

Inspirational

4.5  

Satyabati Swain

Inspirational

ନିରୋଳା ଖୁସି

ନିରୋଳା ଖୁସି

2 mins
24.7K



ମୁଁ ରହି ପାରେନି ମୋ ଅକ୍ତିଆରରେ ତାକୁ ଦେଖିଲେ।ହାତ ଗୋଡ଼ ଖୁଜୁରିବୁଜୁରୁ ହୁଅନ୍ତି।ସେ ମୋତେ ସତେକି ଆଖି ମାରି ଡାକେ।ଆ ମୋତେ ଛୁଉଁ ;ଟିକେ ଆଉଁସୁ କୁହେ।ସୁଦୁ ଫୁଲେଇ ଟା କି ରଙ୍ଗ କାଢେ ମୋ ଆଗେ।ତା ରଙ୍ଗ ଢଙ୍ଗ ,ମୂର୍କି ହସା,ସର୍ ସର୍ ଶବ୍ଦ,ଟିଙ୍ଗି ଟିଙ୍ଗି ଗୀତ ବାଉଳା କରେ ମୋତେ।ମାତ୍ର ପାଞ୍ଚ ବର୍ଷରୁ ମୁଁ ତା ପ୍ରେମରେ।


ତା ଯୋଗୁ ବହୁବାର ଗାଳି ଖାଏ।ଏମିତି ବି ମାଡ଼ ବି ଖାଇଛି ତା ପାଇଁ।କିନ୍ତୁ ଛାଡିନି ତାକୁ ଭଲ ପାଇବା।ଲୁଚି ଲୁଚି ତାକୁ ଭଲ ପାଇଛି।ଛକି ଛକି ଥିବି,ଟିକେ ନେଇ ଯାଏ ବାଡ଼ି ପଟକୁ ତାକୁ।ଖେଳେ ଟିକେ ତା ସହ।ତାକୁ ଗଡାଉ ଗଡାଉ ପଡ଼ିଯାଏ।ସେ ଖଣ୍ଡିଆ ହୁଏ,ତା ସହ ମୁଁ।ମୋ ଖଣ୍ଡିଆ ଅପେକ୍ଷା ତା ଖଣ୍ଡିଆ ଟା ଭାଇଙ୍କ ଆଖିରେ ଆଗ ପଡେ।ମୋ ଖଣ୍ଡିଆ ପୋଡ଼ା ସାଙ୍ଗକୁ ଭାଇଙ୍କ ଗାଳି ଲୁଣ ଲଙ୍କା ପଶି ଜଳିଲା ପରି ଲାଗେ।


ତେବେ ବି ସେ ମୋତେ ଭଲ ଲାଗେ।ତାକୁ ଭଲ ପାଇଲି ବୋଲି ଲୋକେ କହିଲେ ଅଣ୍ଡିରି ଚଣ୍ଡି।


ମୋ ଭଲ ପାଇବା ଚିଜଟି ଭାଇଙ୍କର ଭାରି ପସନ୍ଦ।ସେ କାହାକୁ ତାଙ୍କ ପସନ୍ଦ ଜିନିଷଟିରେ ହାତ ଲଗାଇ ଦିଅନ୍ତି ନାହିଁ।ନୂଆ ନୂଆ ଷ୍ଟାଇଲିଷ୍ଟ୍ ସାଇକେଲ୍ ଚଳାଇବା ତାଙ୍କର ଭାରି ପସନ୍ଦ।ବର୍ଷକୁ ଦି ତିନିଟା ସାଇକେଲ୍ କିଣୁଥିଲେ।ପୁରୁଣା ଟିକୁ ଅଧା ଦାମ୍ ରେ ଦେଇ ପୁଣି ନୂଆଟିଏ କିଣୁଥିଲେ।ଭାଇ ଘରେ ନଥିଲେ ମୁଁ ତାକୁ ଗେଲ କରୁଥିଲି।ତାଠାରୁ ଉଚ୍ଚତାରେ ଅନେକ ଛୋଟ ହେଲେ ମଧ୍ୟ,କୁନ୍ଥେଇଁ ମୁନ୍ଥେଇଁ ତାକୁ ଗଡାଉଥିଲି।କେବେ କେବେ ସେ ପଡି ଯାଇ ଖଣ୍ଡିଆ ହେଉଥିଲା।ହ୍ୟାଣ୍ଡେଲ ବଙ୍କା ହୋଇଯାଉଥିଲା।ଚେନ୍ ଖସୁଥିଲା।ମୋ ପିଠିରେ ବସୁଥିଲା ଧୁମ୍ ଧୁମ୍।


ଭାଇ ଯେଉଁଠି ଚାବି ଲୁଚାଇଲେ ବି ମୁଁ ଯେମିତି ହେଲେ ଖୋଜି ନେଉଥିଲି ତାକୁ।ବନ୍ଧୁ ବାନ୍ଧବ କେହି ସାଇକେଲ୍ ଟିଏ ଆଣି ଆମ ଦାଣ୍ଡରେ ରଖିଲେ ମୁଁ ଅତି ଖୁସି ହୋଇ ଗଡାଉଥିଲି।ବନ୍ଧୁ ଘରକୁ ଆସିଛନ୍ତି ଯେତିକି ଖୁସି ନ ହେଉଥିଲି ସେ ସାଇକେଲ୍ ଆଣିଛନ୍ତି ଭାବି ତା ଠାରୁ ଅଧିକ ଖୁସି ହେଉଥିଲି।


ପ୍ରଥମେ ଖାଲି ଗଡାଉଥିଲି।ତାପରେ ଗୋଡ଼ ଗଳାଇ ହପିଙ୍ଗ୍ କରି ଗୋଟିଏ ଗୋଡ଼ରେ ପେଡାଲ ମାରି ଛୋଟାଙ୍କ ପରି ଚଲଉ ଚଡଲଉ ଦି ଗୋଡ଼ିଆ ତଳୁଆ ଚଲେଇଲି।ତାପରେ ହଠାତ୍ ଦିନେ ସିଟ୍ ରେ ବସି ଚଳାଇଲି।ଓଃ କି ଖୁସି ସେଦିନ ଦେଖିବ ମୋର।ଲାଗିଲା ଅତି ଗୋଟେ ମୋ ଦେଇ ଅସମ୍ଭବ ମନେ ହେଉଥିବା କାମ କରି ଦେଇଛି କି?ପିନା,ମୁନୀ,ଲୁସି,ଗୁଡି ସମସ୍ତଙ୍କୁ କହି ବୁଲିଲି ଏ....ହେ ମୋର ଉପରିଆ ସାଇକେଲ୍ ହୋଇଗଲା ଏ.. ଏ ।


ପ୍ରଥମେ ପ୍ରଥମେ ଆଗକୁ ନ ଚାହିଁ ଗୋଡ଼ ପେଡାଲକୁ ଚାହୁଁଥିଲି।କେତେ ପଡିଛି,ଖଣ୍ଡିଆ ହୋଇଛି ତାର ହିସାବ ନାହିଁ।କିନ୍ତୁ ଛାଡିନି ତାକୁ ଭଲ ପାଇବା।ଦିନେ ଆଗରୁ ଟେକର୍ ଟିଏ ଆସୁଥିବା ଦେଖି ଭମରା ମଉସାଙ୍କ ବାଉଁଶ ଖୁଣ୍ଟ ଧରୁ ଧରୁ ସେ ଖୁଣ୍ଟମୋ ସହ ଭାଙ୍ଗି ଚାଲିଗଲା ଅନେକ ଦୂର୍।ଯେଉଁ କଳି ସେ ଲଗାଇଲା ମୋ ମା ସଂଗେ।ଭାଇ ମାଇଲେ ମୋତେ।ଭଲ କି ଶିଖିନୁ,ରାସ୍ତାକୁ କାଇଁକି ଯାଉଥିଲୁ କହିଲେ।ଆଉ ଦିନେ ଶଶୀ ସାର୍ ମୋ ଆଡକୁ ଆସୁଥିବା ଦେଖି ଏମିତି ଆଗ ଚକ ମୋଡି ଦେଲି ଯେ ରାସ୍ତାରେ ଗଦା ହୋଇଥିବା ବାଲିରେ ଘୁଷୁରି ଗଲି କୋଷେ।ପ୍ରବଳ ମାତ୍ରାରେ ଗୋଡ଼ ହାତ ଛିଡ଼ିଗଲା।ସାଇକେଲ୍ ହୋଇଗଲା ଧନୁ।


ଆମ ଗାଁ ଟି ଅତି ନିପଟ ମଫସଲରେ।ମୁଁ ଏଇ ସାଇକେଲ୍ ଚଲାଇଲି ବୋଲି ସମସ୍ତେ ଡାକିଲେ ଅଣ୍ଡିରି ଚଣ୍ଡି।ମୁଁ ଥିଲି ଆମ ଗାଁର ପ୍ରଥମ ସାଇକେଲ୍ ଚଢାଳି ଝିଅ।


ଏବେ କିନ୍ତୁ ସମୟ ବଦଳି ଯାଇଛି।ଝିଅଟିଏ ପ୍ଲେନ ଚଲାଇଲେ ବି କେହି ଅଣ୍ଡିରିଚଣ୍ଡି କହୁ ନାହାନ୍ତି;ବରଂ ସାବାସୀ ଦେଉଛନ୍ତି।ଆଉ ମୁଁ ଷାଠିଏ ସ୍ପୀଡ୍ ରେ ଆକ୍ଟିଭା ଚଳାଇଲା ବେଳେ ସେଇ ଖୁସି ମିଳୁନାହିଁ ଯାହା ଭାଇଙ୍କ ସାଇକେଲ୍ ଲୁଚେଇ ନେଇ ଚଳାଇଲା ବେଳେ ମିଳୁଥିଲା।


ଅଳ୍ପକେ ସନ୍ତୁଷ୍ଟ ସେଇ ପିଲା ମନଟି ବଡ଼ ହେଲା ପରେ କୁଆଡେ ହଜିଗଲା ଯେ ଯେତେ ଖୋଜିଲେ ମିଳୁନି।ମିଳୁନି ସେଇ ପିଲା ଦିନ "ନିରୋଳା ଖୁସି" ଟିପେ।




Rate this content
Log in

Similar oriya story from Inspirational