Rabinarayan Senapati

Tragedy Crime Inspirational

4  

Rabinarayan Senapati

Tragedy Crime Inspirational

ନିର୍ବାକ

ନିର୍ବାକ

10 mins
635



ଯୁବକ, ଚେସ ଖେଳାଳି। ସେଇଟି ତାଙ୍କ ବୃତ୍ତି। ମୁମ୍ବାଇ ସହରର ସର୍ବ କନିଷ୍ଠ ଗ୍ରାଣ୍ଡମାଷ୍ଟର। ମାତ୍ର ପାଞ୍ଚବର୍ଷର ଅଧ୍ୟବସାୟ ତାଙ୍କୁ ଜଣେ ସୌଖିନ ଚେସ୍ ପ୍ରେମୀରୁ ପହଞ୍ଚାଇ ପାରିଛି ଚରମ ସୋପାନରେ। ଏ ସମୟତକ ସେ ନିର୍ବାକ। ଜଣାନାହିଁ ଏହା ଇଛାକୃତ କିମ୍ବା ସେ ଅତିକ୍ରମ କରିପାରିନାହାନ୍ତି ଗଭୀର ମାନସିକ ଆଘାତକୁ। କେବେ କେବେ ସେ ହସିଦେଇ ହୋଇଯାଆନ୍ତି ଗମ୍ଭୀର। ସେ ହସିଲେ ମନେହୁଏ କିଛି କହିବେ, କିନ୍ତୁ ନା, ତାଙ୍କ ପରବର୍ତ୍ତୀ ଆଚରଣ ଜଣାଏ ସତେ ଅବା ସେ ଅପରାଧୀ। ହସିବାଠୁ ବଡ ଅପରାଧ କିଛି ନାହିଁ।


ସେ ଅର୍ଜୁନ, ନିକୋଲାସଙ୍କ ଘନିଷ୍ଠ ସାଥୀ ଅର୍ଜୁନ।


ଜାହାଜର ବିଳାସପୂର୍ଣ୍ଣ ହଲରେ ଚାଲିଛି ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା। ସୁଇସ୍ ରାଉଣ୍ଡ ରବିନ ଲିଗ୍ ପ୍ରକାରେ ଖେଳ। ଆଠଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଅର୍ଜୁନ କନିଷ୍ଠତମ ଓ ଏଲୋମାନ୍ୟତା(ରେଟିଂ) ତାଙ୍କର ସବୁଠୁ କମ। ଅନ୍ୟ ସମସ୍ତେ ଚବିଶି ଶହ ଉପରେ ଥିବାବେଳେ ସେ ଏହି ମାତ୍ର ହାସଲ କରିଛନ୍ତି ତେଇଶି ଶହ ରେଟିଂ। ତେବେ ତାଙ୍କର ପ୍ରବେଶ ହୋଇଛି ବଣୁଆ ପତ୍ର (ୱଇଲ୍ଡ କାର୍ଡ) ହିସାବରେ, ଯେହେତୁ ଗତବର୍ଷ ତାଙ୍କର ମାନ୍ୟତା ବୃଦ୍ଧିର ମାତ୍ରା  ଖୁବ୍ ବେଶୀ। ଯେକୌଣସି ପ୍ରତିଯୋଗିତାରେ ସେ ଓଲଟପାଲଟ କରୁଛନ୍ତି ଉଚ୍ଚତର ଖେଳାଳିଙ୍କୁ ହରାଇ କିମ୍ବା ବାଜି ଆମିମାଂସିତ ରଖି। ତାଙ୍କ ଚର୍ଚ୍ଚା ସବୁଠୁ ଅଧିକ। 


ଏ ଚର୍ଚ୍ଚା ଖେଳରେ ସୀମିତ ନୁହେଁ।


ବାତାୟନ ମଧ୍ୟ ଦେଇ ସେ ଅନାଇ ରହିଛନ୍ତି ନୀଳ ପାରାବାରକୁ। ଚାଲଟିଏ ଚଳାଉଛନ୍ତି ପୁଣି ଯେମିତି ହଜି ଯାଉଛନ୍ତି ସମୁଦ୍ରର ବିଶାଳତା ମଧ୍ୟରେ, ଖୁବ୍ ବେପରୁଆ କିନ୍ତୁ ବିନୟୀ। ଯେମିତି ସେ ପ୍ରତିଯୋଗୀଙ୍କୁ କହି ଦେଉଛନ୍ତି, -ତୁମେ ଯେତେବଡ ଖେଳାଳି ହୁଅ ପଛେ ଚଲାଇବ କେବଳ ଗୋଟିଏ ଚାଲ୍। ସେ ଚାଲ୍ ବିପକ୍ଷରେ ଅନେକ ସମ୍ଭାବ୍ୟ ଚାଲ୍ ମଧ୍ୟରୁ ସର୍ବଶ୍ରେଷ୍ଠଟି ବାଛିବା ଅସମ୍ଭବ ନୁହେଁ। 


ସମସ୍ତଙ୍କର କେମିତି ଏକ ଧାରଣା, ତାଙ୍କ ନୀରବତା ଆଣି ଦେଇଛି ବିପୁଳ ଦକ୍ଷତା, ନୀରବତାର କାରଣ ଯାହା ହେଉନା କାହିଁକି।


ହଠାତ ସେ ଯେମିତି ସମୁଦ୍ର ସହ ଅତି ଅନ୍ତରଙ୍ଗ ହୋଇଗଲେ। ଖେଳ ଭୁଲିଗଲେ, ଆଖିରୁ ତାଙ୍କର ଦୁଇଧାର ଲୁହ ଗଡି ପଡିଲା। ଚେସ୍ ଘଡି ଟିକ୍ ଟିକ୍ ହୋଇ ଚାଲୁଛି, ଅର୍ଜୁନଙ୍କ ସମୟକୁ ଖାଇଖାଇ। ସାମ୍ନା ଖେଳାଳି ତାଙ୍କ ବାପା ବୟସର। ସେ ଅର୍ଜୁନଙ୍କ ପାଇଁ ବିଚଳିତ ହୋଇ ପଡିଲେ। ତାଙ୍କୁ ସ୍ମରଣ କରାଇ ଦେଲେ ଯେ ସେ ସମୟ ବରବାଦ କରୁଛନ୍ତି। ଧନ୍ୟବାଦ ସୂଚକ ହସଟିଏ ହସି ଅର୍ଜୁନ ବାଜି ଆମିମାଂସିତ ରଖିବାର ପ୍ରସ୍ତାବ ଦେଲେ ଯଦିଓ ତାଙ୍କ ସପକ୍ଷରେ ଯାଉଥିଲା ଖେଳ। ପ୍ରତିଯୋଗୀ ଖୁସି ମନରେ ରାଜି ହୋଇଗଲେ।


ଅର୍ଜୁନ ନିଜ ରୁମକୁ ଚାଲିଗଲେ।


ସ୍ମୃତି ସବୁ ମେଳି ବାନ୍ଧି ପହଞ୍ଚିଲେ। ଏହା ମଧ୍ୟରେ ବର୍ଷ ପାଞ୍ଚଟି ଅତିକ୍ରାନ୍ତ। ଏମିତି ସମୁଦ୍ର ମଧ୍ୟରେ ଏକ ବିଳାସପୂର୍ଣ୍ଣ ନାତିବୃହତ ଜାହାଜ ମଧ୍ୟରୁ ଗିରଫ ହୋଇଥିଲେ ଅର୍ଜୁନ ଓ ତାଙ୍କ ସାଥୀ ନିକୋଲାସ ଓ ସୁଶ୍ରୀ ସମେତ ଆହୁରି କେତେଜଣ। 


ନିକୋଲାସଙ୍କ ପିତା ସେଲସିୟସ ଦେଶର ପ୍ରମୁଖ ଚଳଚ୍ଚିତ୍ର ଷ୍ଟୁଡିଓ "କଲର କ୍ରାଫ୍ଟ"ର ମାଲିକ ତଥା ବିଶିଷ୍ଟ ଉଦ୍ୟୋଗପତି। ଦେଶର ଶୀର୍ଷ ଧନୀକ ଦଶଜଣଙ୍କ ମଧ୍ୟରେ ତାଙ୍କ ନାମ। ସିନେମା, କ୍ରୀଡା, ବିମାନ ଚଳାଚଳ ଓ ଫେସନ ଜଗତର ପୁଞ୍ଜିପତି ସେ। ଅର୍ଜୁନଙ୍କ ପିତା ଧର୍ମାବ୍ରତ ଏକ ପ୍ରମୁଖ ଘରୋଇ ବ୍ୟାଙ୍କର ମାଲିକ, ଏମିତି ସେମିତି ବ୍ୟାଙ୍କ ନୁହେଁ ପୁଞ୍ଜିପତି ମାନଙ୍କ ବ୍ୟାଙ୍କ। ତାଙ୍କର ଜଣେ ମୂଖ୍ୟ ଗରାଖ ହେଲେ ସେଲସିୟସ। ଦୁହିଁଙ୍କ ସମ୍ପର୍କ ବୃତ୍ତିଗତ କିନ୍ତୁ ଦୁହିଁଙ୍କ ପୁତ୍ର ମାନଙ୍କ ସମ୍ପର୍କ ଘନିଷ୍ଠ ଓ ଅନ୍ତରଙ୍ଗ। ଉଭୟ ପୁତ୍ର ବିଶାଳ ବାଣିଜ୍ୟର ଭବିଷ୍ୟତ ଦାୟାଦ ହୋଇଥିବା ସେମାନଙ୍କ ସମ୍ପର୍କର ହେତୁ ନୁହେଁ। ସେମାନେ ସହପାଠୀ। ଅନେକ ସହପାଠୀଙ୍କ ମଧ୍ୟରୁ ଦେଖାଯାଏ କିଛି କିଛି ହୋଇଯାନ୍ତି ଯୋଡି। ଜଣଙ୍କୁ ଦେଖିଲେ ବୁଝିହେବ ଯେ ଆରଜଣଙ୍କ ନିଶ୍ଚିତ ସେଇଠି ଥିବ। ନିକୋଲାସ ଓ ଅର୍ଜୁନଙ୍କ ସମ୍ପର୍କ ସେମିତି। ଦୁହେଁ କିନ୍ତୁ ସମାନ ପ୍ରକାରର ଯୁବକ ନୁହନ୍ତି। ଉଭୟଙ୍କ ସ୍ବଭାବ ପରସ୍ପର ବିପରୀତ। ନିକୋଲାସ ବେଶ୍ ରଙ୍ଗଢଙ୍ଗିଆ ଉନ୍ମୁଖ ବ୍ୟକ୍ତିତ୍ୱର ହୋଇଥିବା ବେଳେ ଅର୍ଜୁନ ନମ୍ର, ଭଦ୍ର, ଶାଳୀନ ଓ ଅନ୍ତର୍ମୁଖୀ। ପ୍ରତି ନୂଆକଥା ଓ କାମରେ ଧସେଇ ପଶିଯିବା ଓ ସବୁ ପରିସ୍ଥିତିରେ ନିଜେ ଆଗରେ ରହିବା ନିକୋଲାସଙ୍କ ଚରିତ୍ର ହୋଇଥିବା ବେଳେ ଅର୍ଜୁନଙ୍କ ସ୍ବଭାବ ହେଲା ଭାବିବା, ପରଖିବା ଓ ପ୍ରତି କଥାକୁ ସନ୍ଦେହ ଚକ୍ଷୁରେ ଦେଖିବା। ସେ ସର୍ବଦା ବନ୍ଧୁଙ୍କୁ ସତର୍କ କରନ୍ତି, 'ବୁଝି ବିଚାରି କାମ କଲେ, ପ୍ରମାଦ ନପଡଇ ଭଲେ'ର ଚଳନି ତାଙ୍କର। ହେଲେ ନିକୋଲାସ ସେତେବେଳକୁ ନୂଆ କଥାରେ ସାମିଲ ହୋଇସାରିଥାନ୍ତି। ନିକୋଲାସ ଆକ୍ସିଲେରେଟର ହେଲେ ଅର୍ଜୁନ ବ୍ରେକ୍। କିନ୍ତୁ କୌଣସି ପରିସ୍ଥିତିରେ ଅର୍ଜୁନ ଛାଡନ୍ତି ନାହିଁ ନିକୋଲାସଙ୍କ ସାଥୀ। ଖୁବ୍ ଯୁକ୍ତିତର୍କ ମଧ୍ୟ କରନ୍ତି ନାହିଁ। ଏଣୁ ଉଭୟଙ୍କ ସମୁଦାୟ ଚଳନି ବେଶୀ ଭାଗ ଢଳିଥାଏ ନିକୋଲାସଙ୍କ ପ୍ରକାରେ।


ଆଦ୍ୟଯୌବନର ବୟସ, ନିକୋଲାସ ମଉଜ ମଜଲିସରେ ମାତିଲା ବେଳେ ଇଛା ବିପରୀତେ ଅର୍ଜୁନ ସାଥିରେ ଥାଆନ୍ତି। ନିକୋଲାସଙ୍କ ମାଆ ଲକ୍ଷ୍ମୀଙ୍କର ଏକ ବିଶ୍ୱାସ, ଏ ଅର୍ଜୁନ ପୂର୍ବ ଜନ୍ମରେ ଥିଲା ନିକୋଲାସର ଭାଇ କିମ୍ବା ତାଙ୍କ ନିଜ ପୁତ୍ର। ଅର୍ଜୁନଙ୍କୁ ସେ ପୁତ୍ରବତ୍ ଭଲ ପାଆନ୍ତି। ଲକ୍ଷ୍ମୀଙ୍କର ମନେ ହୁଏ ସାଥିରେ ଅର୍ଜୁନ ଥିଲେ ନିକୋଲାସ କେବେ ମଧ୍ୟ ଝୁଣ୍ଟିବେ ନାହିଁ। ସେ ନିକୋଲାସଙ୍କୁ ସର୍ବଦା ଶିକ୍ଷା ଦିଅନ୍ତି ଅର୍ଜୁନଙ୍କ ପ୍ରକାରେ ହେବା ପାଇଁ।


ଅର୍ଜୁନଙ୍କ ମାଆ ଜସମିନ ଅନୁରୂପ ଭାବେ ନିକୋଲାସଙ୍କୁ ଆପଣାର ପୁଅ ଭଳି ଭାବନ୍ତି, ପ୍ରଚୁର ଭଲପାଆନ୍ତି। ସେ ଭାବନ୍ତି ନିକୋଲାସ ନଥିଲେ ତାଙ୍କ ଶାନ୍ତ ସରଳ ପୁଅକୁ ସମସ୍ତେ ଠକି ଦିଅନ୍ତେ, ସବୁଠି ତା ଭାଗ ବୁଡନ୍ତା। ସତେ ଅବା, ସେ ଯଦି କିଛି ସ୍ମାର୍ଟ ହୋଇଛି କେବଳ ନିକୋଲାସଙ୍କ ପାଇଁ।


ଧର୍ମାବ୍ରତ କିନ୍ତୁ ଶୃଙ୍ଖଳା ଓ ସଂସ୍କାରର ପୃଷ୍ଠପୋଷକ। ବାରମ୍ବାର ସେ ଜସମିନ ଓ ଅର୍ଜୁନଙ୍କୁ ସତର୍କ କରାନ୍ତି। ନିକୋଲାସଙ୍କ ହାବଭାବ ତାଙ୍କର ପସନ୍ଦ ନୁହେଁ। ବାସ୍, ସେତିକିରେ ତାଙ୍କ ଦାୟିତ୍ୱ ସରିଯାଏ, ସର୍ବଦା ବ୍ୟସ୍ତ ବାପା ସେ। 


ଅର୍ଜୁନ କଣ ବା କରନ୍ତେ, ନିକୋଲାସଙ୍କୁ ଦଣ୍ଡେ ନଦେଖିଲେ ତାଙ୍କୁ ଭଲ ଲାଗେନାହିଁ। ସବୁବେଳେ ତାଙ୍କୁ ଆକଟ କରନ୍ତି ଯେଉଁ କାମରେ ତାଙ୍କ ବିବେକ ଅନୁମୋଦନ ନଥାଏ। ନିକୋଲାସ ମାନନ୍ତି ନାହିଁ। 


ବୟସର ଏକ ବିଶେଷ ପ୍ରଭାବ ଥାଏ। ବୟସ ଭିଡି ନେଇଯାଏ ତା ରାଜୁତିର ନାନା ଅଞ୍ଚଳକୁ; ଖେଳକୁଦ, ନାଚଗୀତ, ସଙ୍ଗ ଆସର ଓ ଆହୁରି ଅନେକ କିଛି। ନିବିଡ ଏକାକାର ବନ୍ଧୁତ୍ୱ ମଧ୍ୟରେ ନିଜର ଏକକ ବ୍ୟକ୍ତିତ୍ବ ସ୍ଥାନ ଖୋଜେ। ଅର୍ଜୁନଙ୍କ ସେ ସ୍ଥାନ ସୁରକ୍ଷା ବଳୟ ମଧ୍ୟରେ ଥାଏ। କିନ୍ତୁ ନିକୋଲାସଙ୍କ ଫାଟକ ସବୁ ମେଲା। ଅର୍ଜୁନ ଯଥା ସମ୍ଭବ ଜଗୁଆଳି। 


ଯୁବକ ଓ ଯୁବତୀମାନେ ବୟସର ରୋଷଣୀରେ ସ୍ବଭାବିକ ଯୋଗ ଦିଅନ୍ତି, ବନ୍ଧୁ ହୋଇଯାନ୍ତି। ତନ୍ମଧ୍ୟରୁ ବିଶେଷ ବନ୍ଧୁ ହୋଇଯାନ୍ତି ନିକୋଲାସ ଓ ସୁଶ୍ରୀ। ସମ୍ବନ୍ଧ ଗଢିଉଠେ। ଅର୍ଜୁନ ସାକ୍ଷୀ ମାତ୍ର। ଏ ସମ୍ବନ୍ଧଟିର ସାମାଜିକ ପୃଷ୍ଠାରେ ଅର୍ଜୁନ ରହିଥାନ୍ତି। କିନ୍ତୁ କ୍ରମଶଃ ଏକ ଗୋପନୀୟ ପୃଷ୍ଠା ମଧ୍ୟ ଲେଖା ହେଉଥାଏ ତହିଁରେ ଅର୍ଜୁନଙ୍କର ଦଖଲ ନଥାଏ। ଅର୍ଜୁନ ଈର୍ଷା କରନ୍ତିନି କିନ୍ତୁ କିଞ୍ଚିତ୍ ଅସହାୟ ଓ ଶଙ୍କିତ ମନେକରନ୍ତି। ତାଙ୍କ ଏକଚାଟିଆ କାରବାରରେ ଯେମିତି ଏହା ବ୍ୟାଘାତ। ଅର୍ଜୁନଙ୍କ ଅଜଣାତରେ ନିକୋଲାସଙ୍କ ଦୁର୍ଗତି ହେବ ନାହିଁ ତ! 


ସମୟ ବିତିଯାଏ।


ଉଭୟ ବନ୍ଧୁଙ୍କ ବନ୍ଧୁତା ଆଉ ଏକକୁ ଆରେକ ହୋଇ ରହେନା। ଏହା ଯେମିତି ଏକ ବୃତ୍ତ ଯାହାର କେନ୍ଦ୍ରରେ ନିକୋଲାସ। ନିକୋଲାସଙ୍କୁ ସର୍ବଦା ନଜରରେ ରଖି ବୃତ୍ତର ପରିଧିରେ ଘୁର୍ଣ୍ଣାୟମାଣ ଅର୍ଜୁନ। ସତେ ଏକ ମହାଜାଗତିକ ଶକ୍ତି ଏ ଅବିଛିନ୍ନ ସମ୍ପର୍କର ହେତୁ ଓ ଧାରକ। ଅର୍ଜୁନ ଦାୟିତ୍ୱର ବଡଭାଗ ହେବାରେ ବ୍ରତୀ। ନିଜର ସ୍ବାର୍ଥ ଓ ସତ୍ତା ପ୍ରତି ବେଖିଆଲ ସେ। 


ଅନେକ ଆକଟ ସତ୍ତ୍ୱେ ସେ ନିକୋଲାସଙ୍କୁ ଅଟକାଇ ପାରନ୍ତି ନାହିଁ ଅନେକ ବିଶୃଙ୍ଖଳ ଆଚରଣରୁ ଓ ଅନେକ ରଙ୍ଗୀନ ଆସରଠୁ। ଛାଇ ପ୍ରକାରେ ସାଥୀ ଦିଅନ୍ତି। ଛାଇର ଆପଣା ଗତିବିଧି ନିଜ ନିୟନ୍ତ୍ରଣରେ ନଥାଏ। କେବେ କେବେ ଛୋଟମୋଟ ଅସୁବିଧାରେ ପଡନ୍ତି। ବଡଲୋକଙ୍କ ସନ୍ତାନ ଯେହେତୁ, ଏ ଛୋଟ ଘଟଣା ମଧ୍ୟ ଚର୍ଚ୍ଚିତ ହୋଇଯାଏ। ସେଲସିୟସ ଏସବୁକୁ ହାଲୁକା ହିସାବରେ ନିଅନ୍ତି। ପିଲାଲୋକ ବଳେ ଠିକ୍ ହୋଇଯିବେ। ବିଖ୍ୟାତ ଲୋକର ପୁଅ ବୋଲି ପିଲାଙ୍କ ସ୍ବାଛନ୍ଦ୍ୟ ଅପହୃତ ହୋଇନଯାଉ। କିନ୍ତୁ ଧର୍ମାବ୍ରତ ହୁଅନ୍ତି କ୍ଷୁବ୍ଧ। ଅର୍ଜୁନଙ୍କୁ ତାଗିଦ କରନ୍ତି, ତାଙ୍କ ଗତିବିଧିରେ ଅଙ୍କୁଶ ଲଗାନ୍ତି, ହାତପାଣ୍ଠି ବନ୍ଦ କରନ୍ତି। ଜସମିନଙ୍କୁ ଦାୟୀ କରି ଘରେ ପ୍ରଳୟ କରନ୍ତି।


ଅର୍ଜୁନ ଥରୁଟିଏ ମଧ୍ୟ କହନ୍ତି ନାହିଁ ଯେ ସେ ନିର୍ଦୋଷ ଛାଇ ମାତ୍ର। ବନ୍ଧୁଙ୍କ ଅପେକ୍ଷା ସେ ମହତ, ଏହା ଜଣାଇବା ତାଙ୍କ ସ୍ବଭାବ ବିରୁଦ୍ଧ। ବନ୍ଧୁଙ୍କ ଏଭଳି ମହାନତାରେ ନିକୋଲାସ ବିବ୍ରତ ହୁଅନ୍ତି, ଦୁଃଖ ପ୍ରକାଶ କରନ୍ତି, ଜସମିନ ମାଉସୀଙ୍କ ପାଖରେ ଶପଥ କରନ୍ତି ଆଉ ଭୁଲ୍ ହେବନାହିଁ। ଅଳି କରନ୍ତି ଅର୍ଜୁନଙ୍କ ଅବାରିତ ବନ୍ଧୁତା। 


କିଛିଦିନ ସୁନାପିଲା, ପୁଣି କିଛିଦିନ ପରେ ସୁନାରେ ଖାଦ ମିଶେ।


ହଠାତ ସବୁକିଛି ଓଲଟପାଲଟ ହୋଇଯାଏ। 


ମୁମ୍ବାଇ ମହାନଗରୀ ସହ ସାରାଦେଶ ଓ ବିଦେଶରେ ଚହଳ ପଡିଯାଏ ଗଭୀର ସମୁଦ୍ରରେ ଏକ କ୍ରୁଜରେ ଚାଲିଥିବା ରଙ୍ଗୀନ ଆସର ଉପରେ ଜାତୀୟ ନିଶା ନିୟନ୍ତ୍ରଣ ବଳର ଚଢାଉ। ବିପୁଳ ନିଶାଦ୍ରବ୍ୟ ଜବତ। ନିକୋଲାସ, ଅର୍ଜୁନ ଓ ସୁଶ୍ରୀଙ୍କ ସହ ଅନେକ ଗିରଫ। 

ଗଣମାଧ୍ୟମକୁ ମିଳିଗଲା ଚର୍ଚ୍ଚା। ତହୁଁ ବଳିଗଲା ସାମାଜିକ ଗଣମାଧ୍ୟମ। ବଡଲୋକଙ୍କ କଥା ଯେତେବେଳେ।


ସେବେଠୁ ଅର୍ଜୁନ ନିର୍ବାକ।


ସେ ଝଅଟ ନିଜ ଦେହରେ ଗଳାଇ ଦେଇଥିଲେ ନିକୋଲାସଙ୍କ ବ୍ୟାଗ। ନିକୋଲାସ ଯେତେ ଘୋଷାରିଲେ ମଧ୍ୟ ଦେଲେନାହିଁ। ବ୍ୟାଗସବୁ ଜବତ ହେଲା। ଏହି ବ୍ୟାଗ ଲେଖାହେଲା ଅର୍ଜୁନଙ୍କ ନାମରେ। ଏ ବ୍ୟାଗରୁ ଡ୍ରଗ୍ସ ସମେତ ବହୁତ କିଛି ପାଇଲା ନିୟନ୍ତ୍ରଣ ବଳ। 


ସେଲସିୟସ ଓ ଧର୍ମାବ୍ରତଙ୍କୁ ଘେରିବାକୁ ଚଷ୍ଟାକଲେ ଗଣମାଧ୍ୟମ। ଉଭୟଙ୍କ ଆଚରଣରେ ଥିଲା ଅନେକ ଭିନ୍ନତା। ସେଲସିୟସ ଲାଗିପଡିଲେ କେମିତି ନିକୋଲାସଙ୍କୁ ଜାମିନରେ ଆଣିବେ। ଧର୍ମାବ୍ରତ ଭାଙ୍ଗିପଡିଲେ। ଜସମିନ ଯେତେ ବୁଝାଇଲେ ଅବା କନ୍ଦାକଟା କଲେ ମଧ୍ୟ ସ୍ବାମୀ ଏ ମାନସିକ ଆଘାତରୁ ମୁକୁଳି ପାରିଲେ ନାହିଁ। କୌଣସି ଆଇନ ସହାୟତା ଦେଲେ ନାହିଁ କିମ୍ବା ଜସମିନଙ୍କୁ ଏପାଇଁ ଅନୁମତି ଦେଲେ ନାହିଁ। ଗଣମାଧ୍ୟମରେ କହିଲେ, କର୍ମ ଅନୁସାରେ ଫଳ ମିଳିବ। 


ଗଣମାଧ୍ୟମ ତାଙ୍କୁ ସଚ୍ଚା ମଣିଷ ଭାବେ ପ୍ରଚାର କଲା। ଅନେକ ଲୋକ ବାଃ ବାଃ କଲେ। 


କିଛି ଲୋକ ଏତାଦୃଶ କାର୍ଯ୍ୟକୁ ନାପସନ୍ଦ ମଧ୍ୟ କଲେ। ସେମାନେ କହିଲେ ସେ ତାଙ୍କ ପିତୃଧର୍ମ ପାଳନ କରୁନାହାନ୍ତି, ଜସମିନଙ୍କ ମାତୃହୃଦୟର ବିଳାପକୁ ଅବଜ୍ଞା କରିବା ଅତ୍ୟନ୍ତ ଅମାନବୀୟ। ଧର୍ମାବ୍ରତ କିନ୍ତୁ ଅଟଳ। ସତେ ଅବା ସେ ତ୍ୟେଜ୍ୟପୁତ୍ର କରିଦେଇଛନ୍ତି।


ଜସମିନ ଏ ବିପଦ ବେଳେ କେବଳ ଗୋଟିଏ କାମ କରିପାରିଲେ। ଲକ୍ଷ୍ମୀଙ୍କୁ ଫୋନକରି କହିଲେ, ମୋ ପୁଅ ତୁମ୍ଭକୁ ଲାଗିଲା।


ଆଉ ଏକ ରାସ୍ତା ଖୋଲାଥାଏ। ନିକୋଲାସଙ୍କ ଭଉଣୀ ସିଲେଷ୍ଟି ଓ ଅର୍ଜୁନଙ୍କ ଭଉଣୀ ରେଖା ପରସ୍ପର ଘରକୁ ଯିବା ଆସିବା କରୁଥାନ୍ତି। ସେ ଦୁହେଁ ଧର୍ମାବ୍ରତଙ୍କୁ ଅଳି କଲେ ଅର୍ଜୁନଙ୍କ ପାଇଁ ଲଢିବା ପାଇଁ, କନ୍ଦାକଟା କଲେ କିନ୍ତୁ କିଛି ଫଳ ମିଳିଲାନି। ରେଖା ଓ ଜସମିନଙ୍କ ଶତ ଅନୁରୋଧ ଧର୍ମାବ୍ରତଙ୍କୁ ପ୍ରଭାବିତ କରିପାରିଲା ନାହିଁ।


ଯେମିତି ବାପାକୁ ସେମିତି ପୁଅ। ଅର୍ଜୁନ ସମ୍ପୂର୍ଣ୍ଣ ନିର୍ବାକ ହୋଇଗଲେ। ପୋଲିସ କୌଣସି କଥା ଆଦାୟ କରିପାରିଲା ନାହିଁ। ସେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା ମଧ୍ୟ କଲେନାହିଁ। ରକ୍ଷା; ଖୁବ୍ ଚର୍ଚ୍ଚିତ ଘଟଣା ହୋଇଥିବାରୁ ପୋଲିସ ନିର୍ଯାତନା ଦେଇ କଥା ଆଦାୟ କରିବା ସମ୍ଭବ ହେଲାନାହିଁ।


ନିକୋଲାସଙ୍କ ବିରୁଦ୍ଧରେ ସେମିତି କିଛି ପ୍ରମାଣ ବାହାରିଲା ନାହିଁ। ସେ ଓ ସୁଶ୍ରୀ ଜାମିନ ପାଇଗଲେ। ଅର୍ଜୁନ ରହିଲେ ହାଜତରେ। ନିକୋଲାସ, ସିଲେଷ୍ଟି ଓ ଲକ୍ଷ୍ମୀଙ୍କ ଚାପରେ ସେଲସିୟସ ଲାଗିପଡିଲେ ତାଙ୍କୁ ମୁକୁଳେଇବାରେ। ବଡ ବିଚିତ୍ର ପରିସ୍ଥିତି। ଯଦି ସତ୍ୟ ଉଦଘାଟିତ ହୁଏ ପୁତ୍ର ନିକୋଲାସ ପାଇବେ ଦଣ୍ଡ। ଯଦି ସତ୍ୟକୁ ଲୁଚାଇ ଦିଆଯାଏ, ନିର୍ଦ୍ଦୋଷ ବନ୍ଧୁପୁତ୍ର ମୁକୁଳିବା ସମ୍ଭବ ନୁହେଁ। ଦେଶର ସବୁଠୁ ବିଚକ୍ଷଣ ଓକିଲ ଏ କେଶ୍ ଲଢିବେ। ଓକିଲାତିନାମାରେ ଅର୍ଜୁନ ଦସ୍ତଖତ ଦେଲେନାହିଁ। ସେ ବାଟ ବନ୍ଦ ହୋଇଗଲା। 


 ନିକୋଲାସ ଇଛା କଲେ ପୋଲିସକୁ କହିବାକୁ ଯେ ବନ୍ଧୁ ତାଙ୍କର ନିର୍ଦ୍ଦୋଷ। ତେବେ, ଓକିଲଙ୍କର ମତ ଥିଲା; ନିକୋଲାସ ଏମିତି କେବେ କହିବେ ନାହିଁ ଯେ ଜବତ ବ୍ୟାଗ ଅର୍ଜୁନର ନୁହେଁ ତା ନିଜର। ତାଙ୍କ କହିବା କଥା, ସତ୍ୟ ତା ଛାଆଁକୁ ପ୍ରକଟିତ ହେବ କିନ୍ତୁ କେବଳ ମିଥ୍ୟାକୁ ସତ୍ୟ କରିବାକୁ ବୁଦ୍ଧି ଦରକାର। ସେ ବୁଝାଇଦେଲେ ନିକୋଲାସ ଦୋଷମୁକ୍ତ ହେଲାପରେ ଅର୍ଜୁନଙ୍କ ପାଇଁ ବାଟ ବାହାର କରିବା କଷ୍ଟ ହେବନି।


ଏମିତି ଧର୍ମସଂକଟରେ ରହିଲେ ନିକୋଲାସ ଓ ଅକାରଣେ ହାଜତ ମଧ୍ୟରେ ତାଙ୍କ ହୃଦୟର ବନ୍ଧୁ ଅର୍ଜୁନ।


ଅର୍ଜୁନ ସିନା ଓକିଲ ନିଯୁକ୍ତ କଲେନାହିଁ କିନ୍ତୁ ସରକାରୀ ବ୍ୟବସ୍ଥାରେ ତାଙ୍କୁ ଓକିଲ ମିଳିଲେ। ପ୍ରାୟ ତିନିମାସ ହାଜତରେ ରହିବା ପରେ ଯାଇ ଅର୍ଜୁନଙ୍କୁ ଜାମିନ ମିଳିଲା। 


ଅର୍ଜୁନ ଯିବେ କୁଆଡେ। ସ୍ବଗୃହ ଯିବା ସମ୍ଭବ ହେଲାନାହିଁ, ସେ ସୁନାପୁଅ, ପିତାଙ୍କ ଉପରେ ରୋଷ କରିନଥିଲେ କିନ୍ତୁ ପିତାଙ୍କ ପରବର୍ତ୍ତୀ ଆଚରଣ କଣ ହେବ ତାହା ଆକଳନ କରିପାରୁନଥିଲେ। ବନ୍ଧୁ ଅର୍ଜୁନଙ୍କ ଘରକୁ ଯିବାକୁ ସେ ଚାହିଁଲେ ନାହିଁ। ସହର ଛାଡି କୌଣସି ଦୂର ଯାଗାକୁ ଚାଲିଯିବାକୁ ତାଙ୍କ ମନ କହୁଥିଲା କିନ୍ତୁ ସେପାଇଁ ଥିଲା ଆଇନଗତ ପ୍ରତିବନ୍ଧକ। ସେ ହସିଦେଲେ, ହସର ବ୍ୟାଖ୍ୟା ଥିଲା ବରଂ ବନ୍ଦୀ ଜୀବନ ଭଲ, ସମାଜଠାରୁ ସୁରକ୍ଷା। କେଜାଣି କାହିଁକି ଏ ଦୁଃସମୟରେ ତାଙ୍କ ପିଲାଦିନର ଚେସ ପ୍ରଶିକ୍ଷକ ଅବଦୁଲ ସାରଙ୍କ ପାଖକୁ ସେ ଚାଲିଗଲେ। ଗୁରୁ, ଏ ସମ୍ପୂର୍ଣ୍ଣ ଅସହାୟ ଶିଷ୍ୟଙ୍କୁ ଆବୋରି ନେଲେ। ଆଶ୍ରୟ ଦେଲେ। କାମଦେଲେ ତାଙ୍କ ଏକାଡେ଼ମୀରେ। ଥାନାରେ ତାଙ୍କ ଠିକଣା ଲେଖାହେବାରେ କୌଣସି ଆପତ୍ତି ନଥିଲା ତାଙ୍କର। ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଲା। ନିଶାକାରବାରରେ ଜଡିତ ଜଣେ ଅପରାଧୀ ଯୁବକଙ୍କୁ ସେ ଆଶ୍ରୟ ଦେଲେ କାହିଁକି? ଅନେକ ମନଗଢା ଗପ ଯୋଡାହେଲା। 


ସବୁକୁ ସହିନେଲେ ଅବଦୁଲ। ଶରଣାଗତଟି ତାଙ୍କର ଶିଷ୍ୟ। ଏକ ଅଦ୍ଭୁତ ଅବସ୍ଥାରେ ପଡିଯାଇଛି। ହୁଏତ ବାକଶକ୍ତି ଫେରିପାଇବା ପାଇଁ ଚିକିତ୍ସା ଦରକାର। ଚିକିତ୍ସା ପାଇଁ ଅର୍ଜୁନ ଅମଙ୍ଗ।


ନିକୋଲାସ ସମେତ ସମସ୍ତ ବନ୍ଧୁଙ୍କ ଠାରୁ ସମ୍ପର୍କ ଛିନ୍ନ। ପୁଣିଥରେ ଚେଷ୍ଟା କରାଗଲା ଓକିଲ ନିଯୁକ୍ତି ପାଇଁ। ଅର୍ଜୁନଙ୍କ ପାଇଁ ଲଢିବାକୁ ସେଲସିୟସଙ୍କ ଓକିଲଙ୍କ ଓକିଲାତି ନାମାରେ ଦସ୍ତଖତ ଦେବାକୁ ଅବଦୁଲ ମଧ୍ୟ ରାଜି କରାଇପାରିଲେ ନାହିଁ ତାଙ୍କୁ। ସେପଟେ ତାଙ୍କ ନିର୍ବାକ ଅବସ୍ଥାକୁ ନେଇ ନୂଆ ଦଫା ଲଗାଇଥିଲେ ପୋଲିସ ଯେ ସେ ଯାଞ୍ଚ ପ୍ରକ୍ରିୟାକୁ ଅସହଯୋଗ କରୁଛନ୍ତି। ଡାକ୍ତରୀ ପରୀକ୍ଷା କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲା ନାହିଁ କି ସେ ସତରେ ନିର୍ବାକ ହୋଇଯାଇଛନ୍ତି କିମ୍ବା ଅଭିନୟ କରୁଛନ୍ତି।


କିନ୍ତୁ ଏକ ନୂତନ ରାସ୍ତାରେ ସେ ଏବେ ପଥିକ। ଚେସ୍।


ଆଜି ଜାହାଜର ସେ ବିଳାସମୟ କୋଠରୀରେ ବସି ଗ୍ରାଣ୍ଡ ମାଷ୍ଟର ଅର୍ଜୁନ ସବୁ ସ୍ମୃତିକୁ ଜୀବନ୍ୟାସ ଦେଉଛନ୍ତି।


ମକଦ୍ଦମା ଆଗେଇ ଚାଲିଲା। ଧର୍ମାବ୍ରତ ନିର୍ବିକାର, ଅର୍ଜୁନ ନିର୍ବାକ, ଜସମିନ ବିଳାପରତ, ସେଲସିୟସ ଅସହାୟ, ତାଙ୍କ ଓକିଲଙ୍କ ତାଗିଦ ଯେ ନିକୋଲାସ ତାଙ୍କ ଯୋଜନାକୁ ସାହାଯ୍ୟ କରିବେ। ଆଉ ମା ଲକ୍ଷ୍ମୀ? ସେ ପୂଜାପାଠରେ ବ୍ୟସ୍ତ। ନିକୋଲାସ ମାଆଙ୍କ ମୁହଁକୁ ଅଧିକାଂଶ ସମୟ ବଲବଲ ହୋଇ ଅନାନ୍ତି, ସେ କଣ ଚାହୁଁଛନ୍ତି ବୁଝିପାରନ୍ତି ନାହିଁ। ଜସମିନଙ୍କୁ ଦେଖା କରିବାକୁ ଅନୁମତି ମିଳେନି ତାଙ୍କୁ। କେବଳ ସମୟେ ସମୟେ ଦୁଇମାତା ପରସ୍ପର କଥାହୁଅନ୍ତି। ପ୍ରକୃତ ଘଟଣା ଜସମିନ ଜାଣନ୍ତି ନାହିଁ। ଲକ୍ଷ୍ମୀ ସାହସ ଜୁଟାଇ ପାରନ୍ତି ନାହିଁ କହିବାକୁ ଜସମିନଙ୍କୁ ଯେ ଆପଣାର ପୁତ୍ର ପାଇଁ ତାଙ୍କ ପୁତ୍ର ଆଜି ଭୋଗୁଛି। ସୁଶ୍ରୀ ମାଧ୍ୟମରେ ସମସ୍ତ ତଥ୍ୟ ଜାଣନ୍ତି ସେଲିଷ୍ଟି ଓ ରେଖା। କିନ୍ତୁ ସେମାନଙ୍କ କଥାରେ ଗୁରୁତ୍ୱ ଦିଅନ୍ତି ନାହିଁ ଧର୍ମାବ୍ରତ।


ଯେଉଁଦିନ ନିକୋଲାସଙ୍କ ବୟାନ ଅଦାଲତରେ ନିଆଯିବ ତା ପୂର୍ବ ଦିନ ଓକିଲବାବୁ ତାଙ୍କୁ ସମ୍ପୂର୍ଣ୍ଣ ବୁଝାଇଦେଲେ କଣ ସେ କହିବେ, କଣ ତାଙ୍କୁ ଜେରା କରାଯାଇପାରେ ଓ କି ଉତ୍ତର ସେ ରଖିବେ। ନିକୋଲାସ ଆଜ୍ଞାଧିନ ଭାବେ ସବୁ ଶୁଣୁଥାନ୍ତି ଓ ରାଜି ହେଉଥାନ୍ତି। ଓକିଲବାବୁ ଆଶ୍ବସ୍ତ। 


ନିକୋଲାସ ଅଦାଲତ ଯିବାପୂର୍ବରୁ ମାଆଙ୍କ ସହ ପୂଜାପାଠ କଲେ। ଆଖି ଉଭୟଙ୍କର ଛଳଛଳ। 


- ମା, ମୋର କର୍ତ୍ତବ୍ୟ?

- ଅକ୍ଷର ହେଉ ପୂଣ୍ୟ ଜଗତେ ଧର୍ମର ହେଉ ଜୟ।

 

ପୁତ୍ର ମାତାଙ୍କୁ ଆଲିଙ୍ଗନ କଲେ, ଚରଣ ଛୁଇଁ ବୀରଦର୍ପରେ ଆଗେଇ ଗଲେ ଅଦାଲତକୁ। 


ନିକୋଲାସ ବୟାନ ଦେଲେ। ବ୍ୟାଗ ଅର୍ଜୁନଙ୍କର ନୁହେଁ ତାଙ୍କ ନିଜର। ତା ମଧ୍ୟରେ କଣ କଣ ସବୁ ରଖିଥିଲେ ତାହାର ଟିକିନିଖି ହିସାବ ଦେଲେ। ବ୍ୟାଗରୁ ଆବିଷ୍କୃତ ଏକ ନିର୍ଦ୍ଦିଷ୍ଟ ଚିପ୍ସର ପାଶୱର୍ଡ କହିଲେ ଏବଂ କେଉଁ କୋଡ ଶବ୍ଦର ଅର୍ଥ କଣ ତାହା ବି କହିଲେ। ତାଙ୍କ ଓକିଲ ମୁଣ୍ଡରେ ହାତ ଦେଲେ। ସରକାରୀ ଓକିଲଙ୍କର ଆଉ କିଛି ପଚାରିବାର ନଥିଲା। ହାକିମ ମହାଶୟ ଏସବୁର ସଠିକ କି ନୁହେଁ ପରଖିବା ପାଇଁ ନିର୍ଦ୍ଦେଶ ଦେଇ ଅଦାଲତ ସ୍ଥଗିତ ରଖିଲେ। ନିକୋଲାସ ବିଜୟ ଦର୍ପରେ ଫେରିଲେ। 


ମାମଲାର ସମସ୍ତ ଦିଗ ତର୍ଜମା କଲାପରେ ଅଦାଲତ ନିକୋଲାସଙ୍କୁ ତିନି ବର୍ଷ ସଶ୍ରମ ସଜା ଘୋଷଣା କଲା। ଅର୍ଜୁନ ନିର୍ଦ୍ଦୋଷରେ ଖଲାସ ହେଲେ।


ପୁଣି ଉପର ଓ ତା ଉପର ଅଦାଲତରେ ଅପିଲ କରାଗଲା। ସମୟ ଗଡି ଗଡି ଚାଲିଲା। ସଜ୍ଜା କାୟମ ରହିଲା। ଘଟଣାର ପ୍ରାୟ ଦୁଇବର୍ଷ ପରେ ନିକୋଲାସ କଏଦୀ ହୋଇ ଭିତରକୁ ଗଲେ। ସାମାନ୍ୟତମ ଦୁଃଖ ନଥିଲା।


ଧର୍ମାବ୍ରତଙ୍କ ପିତୃତ୍ବ କେଡେ ଅସହାୟ! ସେ ଗୋଟାଏ ଅମାନବୀୟ ବିବେକ ଓ ନୀତିର ଜିଦ୍ ବଳରେ ଆଜି ପୁତ୍ରଶୋକରେ ସନ୍ତପିତ। ତାଙ୍କୁ ମୁଣ୍ଡରେ ବସାଇଥିବା ସମାଜ ଏବେ ତାଙ୍କୁ ସମାଲୋଚନା କଲା। 


ଅର୍ଜୁନ ଫେରିଲେ ନାହିଁ ସ୍ବଗୃହକୁ, ନିକୋଲାସ ପତ୍ର ଲେଖି ଅନୁରୋଧ କରିବା ସତ୍ତ୍ୱେ। ସୁଶ୍ରୀ, ସିଲେଷ୍ଟି ଓ ରେଖାଙ୍କ ଅନୁନୟ ସେ ଶୁଣିଲେ ନାହିଁ। ଗୁରୁ ଅବଦୁଲଙ୍କ ପ୍ରୟାସ ମଧ୍ୟ ନିଷ୍ଫଳ ହେଲା। ଧର୍ମାବ୍ରତ ଓ ଜସମିନଙ୍କ ନେହୁରା ମଧ୍ୟ ଅକାମୀ ହୋଇଗଲା। ସେଲସିୟସ ଓ ଲକ୍ଷ୍ମୀ ତାଙ୍କୁ ବୁଝାଇଲେ କିନ୍ତୁ ସେ ମଙ୍ଗିଲେ ନାହିଁ। ସେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି, ତାଙ୍କ ପାଇଁ ଆଉ କୌଣସି କଟକଣା ନାହିଁ। ଅବଦୁଲଙ୍କ ଘର ଛାଡି ସ୍ବାଧୀନ ବିଚରଣ କରୁଛନ୍ତି।


ସମୟ ଏସବୁ ସମାଧାନ କରିବ ଏହି ଆଶାରେ ସମସ୍ତେ ଅପେକ୍ଷା କରିବା ସାର ହେଲା।


ଧର୍ମାବ୍ରତ ଧର୍ମଦ୍ରୋହୀ। ତାଙ୍କର ଅନେକ ପରିବର୍ତ୍ତନ ହୋଇଥିଲା। ବାରମ୍ବାର ସେ ସ୍ବୟଂ ଯାଉଥିଲେ ଜେଲକୁ ବନ୍ଧୁପୁତ୍ର ନିକୋଲାସଙ୍କୁ ଦେଖା କରିବାକୁ। ସେ ବୁଝି ସାରିଥିଲେ କିଛି ଭୁଲଭଟକା କରିଥିବା ସତ୍ତ୍ୱେ ନିକୋଲାସ ତାଙ୍କ ବନ୍ଧୁ ଧର୍ମ ପାଳନ କରିଛନ୍ତି। ସତ୍ୟର ପକ୍ଷ ନେଇଛନ୍ତି। ସେମିତି ତାଙ୍କ ଦୁଇ ପରିବାରର ଅନ୍ୟମାନେ। କେବଳ ସେ ନିଜେ ଆପଣାର ପିତୃଧର୍ମରେ ଅବହେଳା କରିଛନ୍ତି। ଗୋଟିଏ ପୁଅ ଜେଲର ଚାରିକାନ୍ଥ ମଧ୍ୟରେ ଆଉ ଗୋଟିଏ ପୁଅ ନିଜ ଇଛାରେ ବରଣ କରିଛି ଏକପ୍ରକାର ନିର୍ବାସନ ଦଣ୍ଡ। 


ଗୋଟିଏ ଦିନ ଗୋଟିଏ ଯୁଗ ମନେ ହୋଇଛି। ଛାତିକୁ ପଥର କରି ଏ ଯୁଗ ସବୁ ପାରହେବା ବ୍ୟତୀତ ଉପାୟ କଣ ଅଛି ଯେ?


ଜାହାଜର କୋଠରୀରେ ଅର୍ଜୁନ ହିସାବ କରୁଛନ୍ତି, ଚେସର ଚାଲ ନୁହେଁ, ନିକୋଲାସଙ୍କ ଫେରିବା ଦିନର ହିସାବ। ଜେଲ ମଧ୍ୟରେ ତାଙ୍କ ଉତ୍ତମ କାର୍ଯ୍ୟପାଇଁ ସରକାର ତାଙ୍କୁ ପ୍ରାୟ ଛଅ ମାସ ଆଗରୁ ମୁକ୍ତ କରୁଛି ଏବର୍ଷ ସ୍ବାଧୀନତା ଦିବସରେ। ଉଭୟ ପରିବାରର ସମସ୍ତ ସଦସ୍ୟ ସେଠାରେ ଉପସ୍ଥିତ। ଆଶା, ଅର୍ଜୁନ ନିଶ୍ଚିତ ଆସିବେ। ଅର୍ଜୁନ ଆସି ପହଞ୍ଚିଲେ। ସାମ୍ବାଦିକ ମାନଙ୍କୁ ସେଲସିୟସ ନାସ୍ତିବାଣୀ ଶୁଣାଇଲେ। ଗ୍ରାଣ୍ଡମାଷ୍ଟର ଅର୍ଜୁନ ସହଜେ ନିର୍ବାକ। ଧର୍ମାବ୍ରତ କିନ୍ତୁ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି। ବନ୍ଧୁତାର ମର୍ଯ୍ୟାଦା ଉଭୟ ପୁତ୍ର କିଭଳି ରକ୍ଷା କଲେ ତାହା ତାଙ୍କ ଉତ୍ତର ମାନଙ୍କର ମୂଖ୍ୟାଂଶ। 


ହସି ହସି ନିକୋଲାସ ବାହାରି ଆସିଲେ। ଦୁଇବନ୍ଧୁ ପରସ୍ପର ଆଲିଙ୍ଗନ କଲେ। ଉଭୟ ବନ୍ଧୁ ପ୍ରଥମେ ପ୍ରଣାମ କଲେ ଧର୍ମାବ୍ରତଙ୍କୁ ତାପରେ ସେଲସିୟସ ଓ ମାତା ମାନଙ୍କୁ। ଅର୍ଜୁନଙ୍କ ଆଚରଣରେ କୌଣସି ଅଭିମାନ ନଥିଲା। ନିର୍ବାକର ବାକଶକ୍ତି ଫେରିଆସେ ଏକ ବାପା ଡାକରେ। ସମସ୍ତଙ୍କ ମନରେ ଖେଳିଗଲା ଆନନ୍ଦର ତରଙ୍ଗ। ସମସ୍ତେ ସାଥୀ ହୋଇ ପହଞ୍ଚିଲେ ଧର୍ମାବ୍ରତଙ୍କ ପ୍ରାସାଦରେ ଯେଉଁଠି ଆୟୋଜିତ ହୋଇଥିଲା ଏକ ସ୍ବାଗତ ଉତ୍ସବ। ତେବେ ଏହାଥିଲା କେବଳ ଦୁଇ ପରିବାରଙ୍କ ମଧ୍ୟରେ ସୀମିତ। ଅବଦୁଲ ସାର ଆସିଥିଲେ ବିଶେଷ ଅତିଥି ହୋଇ। ଗଭୀର କୃତଜ୍ଞତା ଜଣାଉଥିଲେ ଧର୍ମାବ୍ରତ ତାଙ୍କୁ। 


ମନେହେଉଥିଲା ସବୁଠୁ ବେଶୀ ଖୁସି ହୋଇଥିଲେ ଘରର ପାଳିତ କୁକୁର ଦୁଇ ଆଲ୍ଫା ଓ ବିଟା। ବହୁତ ଦିନପରେ ସେମାନେ ଦେଖୁଛନ୍ତି ଏକସଙ୍ଗେ ନିକୋଲାସ ଓ ଅର୍ଜୁନଙ୍କୁ। ରଡିକରି ଚଢିଯାଉଛନ୍ତି ସେମାନଙ୍କ ଉପରେ, ସତେ ଅବା ପଚାରୁଛନ୍ତି ,"କୁଆଡେ ଯାଇଥିଲ ଏତେ ଦିନ, ଆମ ମାଆଙ୍କୁ କାହିଁକି ଦେଲ ଦୁଃଖ?"


ମୂହୁର୍ତ୍ତରେ ମଣିଷ ଏକ ଯୁଗକୁ ଭୁଲିଯାଏ। ମନେହୁଏ କିଛି ବି ଘଟିନଥିଲା। ସମୟ ଆଗକୁ ଚାଲେ ସ୍ବଭାବିକ; ସୁଖ ଦୁଃଖ, ହାନୀ ଲାଭ, ଜୟ ପରାଜୟ, ମାନ ଅଭିମାନ, ଦାୟିତ୍ୱ କର୍ତ୍ତବ୍ୟ ଓ ସ୍ନେହ ଶ୍ରଦ୍ଧାରେ। ଦାୟାଦ ମାନେ ଦାୟିତ୍ୱ ନିଅନ୍ତି, ଉପର ପିଢ଼ି ନିଅନ୍ତି ଅବସର। ଝଡପରେ ପୁଣି ମଣିଷ ବଳଗୋଟାଏ। 



Rate this content
Log in

Similar oriya story from Tragedy