STORYMIRROR

Priyadarshini Mishra

Inspirational

3  

Priyadarshini Mishra

Inspirational

ନିର୍ବାଚନ

ନିର୍ବାଚନ

2 mins
510


     ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ।ସରପଞ୍ଚ ସୌମ୍ୟ ବାବୁଙ୍କର ନିଃଶ୍ବାସ ମାରିବା ପାଇଁ ମଧ୍ୟ ତର ନାହିଁ।ଥରେ ସରପଞ୍ଚ ହୋଇ ତିନି ପୁରୁଷ ପାଇଁ ଧନ ସଞ୍ଚି ସାରିଛନ୍ତି।ଆଉ ଥରେ ସରପଞ୍ଚ ହୋଇଗଲେ ସାତ ପୁରୁଷ ପାଇଁ ଧନ ସଞ୍ଚି ହୋଇପାରିବ।ସେହି ଆଶାରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ସୌମ୍ୟ ବାବୁ। କିନ୍ତୁ ଗତ ଥର ଅପେକ୍ଷା ଏଥର ତାଙ୍କ ବିରୋଧୀ ହଵା ଗାଁରେ ବେଶୀ। ତାଙ୍କୁ ଅପେକ୍ଷାକୃତ ଅଧିକ ସଚେତନ ରହିବାକୁ ହେବ।କଳେ ବଳେ କୌଶଳେ ନିର୍ବାଚନ ଜିତିବାକୁ ପଡିବ।ଅର୍ଥବଳ କାମ ନକଲେ ବାହୁବଳ ପ୍ରୟୋଗ କରିବାକୁ ପଡିବ।ତେବେ ସୌମ୍ୟ ବାବୁ କଦାପି ପଛଘୁଞ୍ଚା ଦେବେ ନାହିଁ। ସରପଞ୍ଚ ଥିବାବେଳେ ତାଙ୍କ ନାଁରେ ଦୁର୍ନୀତିର ଅଭିଯୋଗ ଆସିଥିଲା।ତେବେ ନିଜ ପାରିବାର ପଣ ଯୋଗୁଁ ସେ ସବୁଥିରୁ ଛାଡ଼ ପାଇଗଲେ।ଏଥର ତାଙ୍କ ବିପକ୍ଷରେ ସେଭଳି ଟାଣୁଆ ପ୍ରତିଯୋଗୀ ମଧ୍ୟ ନାହାଁନ୍ତି।ତେବେ ଜନାଦେଶ ନିଜ ସପକ୍ଷରେ କରିବା ପାଇଁ ତାଙ୍କୁ ସତର୍କ ରହିବାକୁ ହେବ।

      ସୌମ୍ୟ ବାବୁଙ୍କ ବିପକ୍ଷରେ ଲଢ଼ୁଥିବା ସାବିତ୍ରୀ ମାଉସୀ ଗାଁରେ ସମସ୍ତଙ୍କ ପାଖରେ ସମସ୍ତଙ୍କ ପ୍ରିୟ ସାବି ନାନୀ ଭାବେ ସୁପରିଚିତ।କିନ୍ତୁ ରାଜନୀତି ରେ ନବାଗତା।ଗାଁ ମହିଳାଙ୍କୁ ନେଇ ଏସ.ଏସ. ଜି ଗଠନ କରି ସେମାନଙ୍କୁ ରୋଜଗାର କ୍ଷମ କରିବାର ଶ୍ରେୟ ସାବି ନାନୀର।ମହିଳାମାନେ ରୋଜଗାରକ୍ଷମ ହେବା ଦ୍ୱାରା ସେମାନଙ୍କ ପରିବାରର ସ୍ଥିତି ସୁଧୁରିବା ସଙ୍ଗେ ସଙ୍ଗେ ମହିଳାମାନେ ବାହାର ଦୁନିଆ ବିଷୟରେ ଅବଗତ ହୋଇପାରିଛନ୍ତି। ଭଲ ମନ୍ଦ ବୁଝିପାରିଛନ୍ତି। ସେସବୁର ଶ୍ରେୟ ସେମାନେ ସାବି ନାନୀକୁ ହିଁ ଦିଅନ୍ତି।

       ବର୍ତ୍ତମାନ ନିର୍ବାଚନ ପାଇଁ ଗାଁରେ ସରଗରମ ପ୍ରଚାର ଚାଲିଛି। ଆସନ୍ତାକାଲି ପ୍ରଚାର ଶେଷ ହୋଇଯିବ। ଉଭୟ ସୌମ୍ୟ ବାବୁ ଓ ସାବି ନାନୀ ପ୍ରଚାରରେ ବ୍ୟସ୍ତ। ନିଜ ନିଜର କାର୍ଯ୍ୟପନ୍ଥା ବିଷୟରେ ଲୋକଙ୍କୁ ଜଣାଇ ଭୋଟ ଭିକ୍ଷା କରୁଛନ୍ତି। ପ୍ରଚାର ସରିଲା ପରେ ସୌମ୍ୟ ବାବୁ ନିଜ ଚେଲାମାନଙ୍କ ଗହଣରେ ବସି ଆଲୋଚନା କରୁଥିବା ବେଳେ ସମସ୍ତେ ସାବି ନାନୀର ଲୋକପ୍ରିୟତା ବିଷୟରେ କହିଲେ।ତେଣୁ ଭୋଟ ଆଗ ଦିନ ରାତିରେ ପ୍ରତି ଘରକୁ ବସ୍ତାଏ ଚାଉଳ ଓ ହଜାରେ ଟଙ୍କା ଦେବାର ବ୍ୟବସ୍ଥା କରାଗଲା। ସବୁ ଜିନିଷ ପାଇ ଲୋକେ ସୌମ୍ୟ ବାବୁଙ୍କୁ ଭୋଟ ଦେବା ପାଇଁ ରାଜି ହୋଇଗଲେ।

        ନିର୍ବାଚନ ସରିଗଲା । ସୌମ୍ୟ ବାବୁ ନିଜ ବିଜୟ ନେଇ ସୁନିଶ୍ଚିତ ଥିଲେ। ତେବେ ଫଳାଫଳ ଶୁଣି ତାଙ୍କର ପାଦ ତଳୁ ମାଟି ଖସିଗଲା।ସାବି ନାନୀ ବିଜୟୀ ହୋଇଥିଲା। ଲୋକମାନେ ସୌମ୍ୟ ବାବୁଙ୍କ ଠାରୁ ଚାଉଳ ଓ ଟଙ୍କା ପାଇଥିଲେ ମଧ୍ୟ ତାଙ୍କ ଭଲ ମନ୍ଦ ବୁଝିପାରୁଥିବା ସାବି ନାନୀକୁ ହିଁ ଭୋଟ ଦେଇ ଜୟ ଯୁକ୍ତ କରାଇ ଥିଲେ। ଏହାହିଁ ପ୍ରକୃତ ଗଣତନ୍ତ୍ର। ଏହାହିଁ ପ୍ରକୃତ ଜନାଦେଶ।ସୌମ୍ୟ ବାବୁ ମଧ୍ୟ ଏହି କଥା ହୃଦୟଙ୍ଗମ କରିପାରୁ ଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Inspirational