Satyabati Swain

Inspirational

4.6  

Satyabati Swain

Inspirational

ନୀରବ ଝଡ଼

ନୀରବ ଝଡ଼

4 mins
526


ବୟସ କେତେବେଳ ସମୟ ଆଙ୍ଗୁଠି ଫାଙ୍କରେ ଗଳି ପଡିଲା ଜଣା ପଡିଲା ନାହିଁ।ଗୋଟେ ଅଦମ୍ୟ ନିଶାରେ ଦୌଡୁ ଦୌଡୁ ହୋଇଗଲା ମଧ୍ୟାହ୍ନ।ମୁଣ୍ଡ ଉପରେ ଧୂ ଧୂ ଖରା।ବିକଳ ମଧ୍ୟାହ୍ନ ଖୋଜୁଛି କଅଁଳ ଖରାର ଉଷୁମ ଅନୁଭବ।ମୁଁ ନିଳିମା ଚୌଧୁରୀ ;ନଳୀ ଅନେଇଁଲି ଟିକେ ପଛକୁ।


ମଧ୍ୟାହ୍ନ ଅନେଇଁଲା ସକାଳକୁ। କଅଁଳ ଖରା ବିଛେଇ ପଡିଛି। ଛୋଟ ଘର। ଘର ଆଗେ ଚଉରା ମୂଳ ଚାନ୍ଦିନୀ। ତିନୋଟି ପିଲା ;ଦୁଇ ପୁଅ ଓ ଗୋଟେ ଝିଅ ଲୁଚା ଲୁଚି,ଅନ୍ଧ ପୁଟୁଳି ଖେଳ ଖେଳି ଦୌଡା ଦୌଡ଼ି ହେଉଛନ୍ତି।


ଆରେ.... ଆରେ... ଝିଅଟି ପଡିଗଲା। ଇସ୍!ଆଣ୍ଠୁ ଛିଣ୍ଡି କେତେ ରକ୍ତ ବୋହୁଛି ଆକୁଳରେ କାନ୍ଦି ଉଠିଲା ମା। ଚିକୁ ଭାଇ ପେଲି ଦେଲା। ଚିକୁ ଖତେଇ ହୋଇ କହୁଛି ଭଲ ହେଲା ଲୋ ନଳୀ। ଏତେ ଖାଉଛୁ,କୁଆଡେ ଯାଉଛି ତୋ ବଳ ନିକୁ ଭାଇ ନଳୀ କୁ ଉଠାଇ ଆଉଁସି ଦେଇ କହିଲା ଦେଖିଲୁ ଚିକୁ କେତେ ରକ୍ତ


ଚିକୁ ଖତେଇ ହେବା ବନ୍ଦ କରି ଧାଇଁ ଆସି ମୋ ଗୋଡ଼ ତା ଆଣ୍ଠୁ ଉପରେ ଥୋଇ ଫୁଙ୍କି ପକାଉଲା ଓ ବିକାଳିଆ ହୋଇ କହିଲା" ମା ଦଉଡ଼ି ଆସ ନଳୀ ଆଣ୍ଠୁ ଛିଣ୍ଡି ରକ୍ତ ବୋହୁଛି।"


ବିରି ଚାଉଳ ବଟା ଛାଡି ଏଁ... କଣ କହିଲୁ ନଳୀ ଆଣ୍ଠୁ ଛିଣ୍ଡି ଗଲା ହେ ଭଗବାନ କେତେ କହିଲି ଏମିତି କିଛି ଖେଳ ଖେଳନି ଯେଉଁଥିରେ ଖଣ୍ଡିଆ ଖାବରା ହେବ। ଶୁଣୁଛ ମୋ କଥା...ଡେଟଲ୍ ଆଣେ ନିକୁ। ଆରେ ହେ ଚିକୁ ବାପାଙ୍କୁ ଖବର ଦେ। ଗଜ୍ କନାଟା ଆଣେ ଜଲ୍ଦି। ବେଟାଡିନ୍ ଅଏଣ୍ଟମେଣ୍ଟ୍ ଆଣେ ଧନ...କେତେ ରକ୍ତ ବୋହୁଛି। ଏ ମା ମୁଁ କଣ କରିବି?? ଦେଖୁଛ ରୋଗୀଣା ପିଲାଟା। କାହିଁକି ଲାଗୁଛ ତା ସହ।


ଆଉ ତୁ ମୋତେ ଲକ୍ଷ୍ୟ କରି ମା କହିଲା" ପଳେ ମାଂସ ନାହିଁ ଦେହରେ,ତାଙ୍କ ସଂଗେ ଖେଳିବୁ । କାଇଁ ଏମିତି ଦୌଡା ଦୌଡ଼ି ହେଉଥିଲୁ କହିଲୁ ନଳୀ। ମୁଁ କାମ କରିବି ନା ତୁମ କଥା ବୁଝିବି। ଏବେ ସନ୍ଧ୍ୟା ହୋଇଯିବ। ଘର,ଦାଣ୍ଡ ଓଳା ହୋଇନି। ଗୋରୁ ଦାଣ୍ଡରୁ ଆସି ନାହାନ୍ତି। କାଇଁକି ଏମିତି ହଇରାଣ କରୁଛ ମୋତେ"।


ମୋ କାନ୍ଦ ସେ ଯାଏ ବନ୍ଦ ହୋଇ ନଥାଏ। ଆଣ୍ଠୁ ପୋଡାକୁ ମା କଥା ଆହୁରି ମୋତେ କଂଦେଇ ଦେଉଥାଏ। ଚିକୁ ଭାଇ ଅପରାଧୀ ପରି ମୁଣ୍ଡ ତଳକୁ କରି ଠିଆ ହୋଇଥାଏ। ନିକୁ ଭାଇ ମୋ ପିଠି ଥାପୁଡ଼େଇ କହୁଛି ,କିଛି ହୋଇନି ମଳି ଚମ ଟିକେ ଆଂଚୁଡ଼ି ହୋଇ ଯାଇଛି। ମା ଔଷଧ ଲଗାଇ ଦେଲାଣି,ପଟି ବାନ୍ଧିଲାଣି। ମୋ ସୁନା ଭଉଣୀ ଗୋଡ଼ ଏଥରକ ଭଲ ହୋଇଯିବ।"


ମୁଁ କିନ୍ତୁ କାନ୍ଦୁଥାଏ ଉଁ ଉଁ,ପୋଡ଼ୁଛି;ମା।ମା କାନ୍ଧରେ ପକାଇ କହୁଛି "ନାଇଁ କିଛି ମୋ ସୁନାର। କାଲିକୁ ଠିକ୍ ହୋଇଯିବ। ଏବେ ମୋ ରାଣୀ କଣ୍ଢେଇ ଚେୟାରରେ ବସିବ। ମୁଁ ସଞ୍ଜ ଦେବି ଦେଖିବ। ବସିବୁ ନା ଧନ।


ମୁଣ୍ଡ ଟୁଙ୍ଗାରୀ ମୁଁ ହଁ କୁହେ। ମା ତରବରରେ ଦାଣ୍ଡମୁଣ୍ଡ ଓଳାଇ ପକାଏ। ଲୁଗା ବଦାଳି,ସଞ୍ଜ ଦିଏ। ଚିକୁଭାଇ ଓ ନିକୁ ଭାଇ ମୋ ଦୁଇ ପାଖେ ରହି ହସ କଥା କୁହନ୍ତି। ମୁଁ ଯେପରି କାନ୍ଦ ବନ୍ଦ କରିବି ଏବଂ ମା କାମ କରିବାରେ ମୋ କାନ୍ଦ ବ୍ୟାଘାତ ସୃଷ୍ଟି କରିବ ନାହିଁ।


ବାପା ଆସିଲେ ମୁଁ ସାକୁଳେଇ ହେବି;ମୋ ଗୋଡ଼ ଦେଖାଇବି। ବାପା କୃତ୍ରିମ ରାଗ ଦେଖାଇ କହିବେ "କାଇଁ ଗଲା ସେ ବଦମାସ ଚିକୁ। ଆରେ ହେ ଚିକୁ...କାଇଁକି ମାରୁଛୁ ମୋ ମା କୁ !!ଦେଖୁଛି ରହ ତୋତେ। ମାରି ମାରି ତୋ ପିଠି ଫଟାଉଛି।" ମୁଁ କହିବି ଚିକୁ ଭାଇ ମୋତେ କଣ ମାରିଛି କି?ମୁଁ ଚଉରା ଉପରୁ ପଡି ଗଲି ନା.....ଚିକୁ ଭାଇର ଦୋଷ ନାହିଁ। ବାପା ଅଭିନୟ କରି କହିବେ। ଓହୋ ଏମିତି କଥା!ମୁଁ ଭାବିଲି ଚିକୁ ଟା ଦୁଷ୍ଟ ଟା ତ....ତାପରେ ବାପା କାନ୍ଧରେ ବସାଇ ବୁଲେଇ ଠାକୁର ଗଲେ ଭୋଗ ଖାଇବେ ଢାଉଁ ଢାଉଁ କହି ଘର ସାରା ବୁଲିବେ। ଚିକୁ ଭାଇ ଓ ନିକୁ ଭାଇ ତାଳି ମାରି ପଛେ ପଛେ ଦୌଡୁଥିବେ। ମୁଁ ଖିଲି ଖିଲି ହୋଇ ହସି ଉଠିବି। ଏମିତି ହସ କାନ୍ଦରେ ସବୁବେଳେ ହେଉଥାଏ ଆମ ଘର ଘୋ ଘୋ। ତିନିଟା ପିଲା ଆମେ ତିନିଶହ ପିଲା ପରି ଆମେ ଘର ଉଠାଉ ପକାଉ।


ଅତି ଦୁର୍ବଳ ଆଉ ରୋଗୀଣା ହେତୁ ମୋ ନାକ ଅଗରେ ରାଗ। ଟିକେ ଟିକେ କଥାରେ ରାଗିଯାଏ ଓ ଆଖି ଆଗରେ ଯାହା ପାଏ ଫୋପାଡି ଭାଙ୍ଗିଦିଏ। ଦିନକର ଘଟଣା। ମା ବାଡ଼ି ପଡେ ଶାଗ କିଆରୀରେ ପାଣି ଦେଉଥାଏ। ମୋତେ ଚିକୁ ଭାଇ ଚିଡ଼େଇଲା "ନଳୀ.... ପେଣ୍ଟ ପଡୁଛି ଗଳି"। ଧେଡି...,ଚାଲୁଛି ଅଣ୍ଟା ମୋଡି"। ମୁଁ ବାପାଙ୍କ ଟେବୁଲ ପାଖରେ ଠିଆ ହୋଇ ଥିଲି। ଚିକୁ ଭାଇ କଥାରେ ଅତ୍ୟଧିକ ଚିଡିଗଲି ଓ ବାପାଙ୍କ ହାତ ବନ୍ଧା ଘଡି ଉଠାଇ ଫିଙ୍ଗି ଦେଲି। ଚୁନା ହୋଇଗଲା ସିମେଣ୍ଟ ଚଟାଣରେ ଘଣ୍ଟାଟି।


ମା ଆସି ଏସବୁ ଦେଖିଲା ଆଉ ଆକୁଳ ହୋଇ କହିଲା "କଣ କଲୁ!! ବାପାଙ୍କ ଅତି ପ୍ରିୟ ଚିଜଟି ପକାଇ ଭାଙ୍ଗି ଦେଲୁ!! କାହିଁକି ତୋର ଏତେ ରାଗ। ଏଡେ ବକଟେ ପିଲା ହେବ ନାହିଁ,ରାଗ ଦେଖେଉଛି। କେତେ ଜିନିଷ ଭାଙ୍ଗିଲଣୁ ହିସାବ ରଖିଛୁ। ଏ କଣ ଭଲ ପିଲାଙ୍କ କାମ। ବାପା କେତେ ଭଲ ପାଆନ୍ତି ଏ ଘଣ୍ଟାକୁ। ତୁମ ଜେଜେ ଏଇଟିକୁ କଲେଜ ଯିବାର ପ୍ରଥମ ଦିନ ତୁମ ବାପାଙ୍କୁ ଦେଇଥିଲେ। କେବେଠାରୁ ଜେଜେ ମରିଗଲେଣି।ବାପା ଏଇଟିକୁ ସାଇତି ରଖିଛନ୍ତି। କୁହନ୍ତି ଏଥିରେ ତାଙ୍କ ବାପା ଅଛନ୍ତି। ଆଜି ଆସିଲେ କେତେ ମନ କଷ୍ଟ କରିବେ


ବାପା ଆସିଲା ପରେ ମା ଘଣ୍ଟା ଭାଙ୍ଗିବା କଥା କେମିତି କହିବ ବୁଝି ପାରିଲା ନାହିଁ। ଆମେ ତିନିହେଁ ପୁରା ଚୁପ୍ ଚାପ୍ ଥିଲୁ। ବାପା କିଛି ଗୋଟେ ଅଘଟଣର ଆଶଙ୍କା କରି କହିଲେ" ଆଜି କଣ ଲଙ୍କାରେ ହରି ଶବ୍ଦ।" ମାଡ଼ ଗୋଳ,କେସ୍ କୁସା,ପାଟିତୁଣ୍ଡ କିଛି ନାହିଁ। କଥା କଣ??


ମା ନ ଶୁଣିଲା ପରି ଚା ଆଣି ବାପାଙ୍କୁ ଚଟ୍ କରି ଦେଇ ପଳାଇଲା। ବାପା ମୋ ପାଖେ ଆସି ଗେହ୍ଲେଇ ହୋଇ ପଚାରିଲେ କଣ ହୋଇଛି କି ମା ମୋତେ ପଚାରିବାର କାରଣ। ମୁଁ ମିଛ ଆଦୌ କୁହେନି। ଏଣୁ କଥା ଆଦାୟ କରିବାର ଥିଲେ ବାପା ହିଁ ମୋତେ ଅସ୍ତ୍ର କରନ୍ତି। ଏଥରକ କିନ୍ତୁ ବାପାଙ୍କ କଥା ଶୁଣି ମୁଁ ଭେଁ କିନା କାନ୍ଦି ଉଠିଲି। ବାପା ଆଶ୍ଚର୍ଯ୍ୟ ହୋଇଗଲେ ମୋ କାନ୍ଦିବା ଦେଖି। ମୁଁ ଲୁହ ଛଳ ଛଳ ଆଖିରେ କହିଲି ମାରିବ ନାହିଁ ତ


ନା ରେ ମା କଣ ହୋଇଛି କହ।


ସତରେ ମାରିବ ନାଇଁ....


ନା ତୁ କହ ତ ଆଗ।


ବାପା ମୁଁ ତୁମ ପ୍ରିୟ ଘଡି ଫୋପାଡ଼ି ଭାଙ୍ଗି ଦେଇଛି।


ଆଁ......ମୋ ଘଡି କାଇଁ ଦେଖି। ଖାଲି ଡାଇଲି ଟା ଆଣି ନିକୁ ଭାଇ ଦେଖାଇଲା। ବାପା ଘଡିର ଅବସ୍ଥା ଦେଖି ଅସହାୟ ଦେଖା ଗଲେ। ଭଙ୍ଗା ଘଡିଟି ନେଇ ଚୁପ୍ ଚାପ୍ ଚାଲିଗଲେ ଛାତ ଉପରକୁ। ସେ ଦିନ ଠାରୁ ଆଠ ଦିନ ପର୍ଯ୍ୟନ୍ତ ଘରେ କାହା ସଂଗେ କଥା ହେଲେନି। ମନ ମାରି ରହିଲେ। ଘରେ ଆମର ବହୁଥିଲା ଗୋଟେ "ନୀରବ ଝଡ଼"। ସେ ଝଡରେ ମୋଡି ମାଡ଼ି ଭାଙ୍ଗି ଯାଉଥିଲୁ ଆମେ ତିନି ଭାଇ ଭଉଣୀ ଓ ମା। ମୋତେ ଭାରି କଷ୍ଟ ଦେଲା ବାପାଙ୍କ ନୀରବତା


ସେଇଦିନଠାରୁ ମୋ ରାଗିବା କି କେଉଁ ଜିନିଷ ଫିଙ୍ଗା ଫିଙ୍ଗି କରିବା ପୁରା ପୁରି ବନ୍ଦ ହୋଇଗଲା। ମୋ ବାପାଙ୍କ ଗୁମ୍ ସୁମ ଭାଵ,ଅସହାୟ ଆଖି ମୋତେ ବହୁତ ଦୁଃଖ ଦେଲା। ଜଣଙ୍କ ନୀରବତା ଏତେ ମାତ୍ରାରେ ସାଙ୍ଘାତିକ ହୋଇ ପାରେ ମୁଁ ପିଲା ହେଲେ ବି ବୁଝି ପାରିଥିଲି। ବୁଝି ପାରିଥିଲି ସେ ଘଡିର ମୂଲ୍ୟ ମୋ ବାପାଙ୍କ ପାଖେ କେତେ ବଡ଼ ଥିଲା।


ଆଉ ଏସବୁ କେବଳ ମୋ ରାଗ ଯୋଗୁଁ ହୋଇଥିଲା। ଏଣୁ ସେଇଦିନଠୁ ସେ ଖରାପ ପ୍ରକୃତିଟିକୁ ମୁଁ ସବୁଦିନ ମୋ ଭିତରୁ କାଢ଼ିଦେଲି। ବାପାଙ୍କ ପାଖକୁ ଡରି ଗଲି ନାହିଁ ଦିନାକେତ। ମୋ ଦୁଇ ଭାଇ ବି ସମ୍ପୁର୍ଣ୍ଣ ବଦଳି ଗଲେ।


ବଡ଼ ହେଲା ପରେ ଆମ ବାପାହସି ହସି କୁହନ୍ତି "ମୋ ବାପା ଥିଲେ ମୋ ପିଲା ମାନଙ୍କୁ ଯେମିତି ସଂସ୍କାରୀ,ସଣ୍ଠଣା ଶିଖାଇ ଥାଆନ୍ତେ,ନଥାଇ ବି ତାଙ୍କ ଘଡି ଟି ମୋ ପିଲାଙ୍କୁ ସେମିତି ଗଢି ଦେଲା।"।


ଆଜି ମୁଁ ଓ ମୋ ଭାଇ ମାନେ ଘର ସଂସାର କରି ମା ବାପା ହୋଇସାରିଲୁଣି;କିନ୍ତୁ ଭୁଲିନୁ ସେଇ ଘଡି ଭଙ୍ଗା ଦିନରବାପାଙ୍କ "ନୀରବ ଝଡ"ର କାହାଣୀକୁ ଏ ପର୍ଯ୍ୟନ୍ତ।


Rate this content
Log in

Similar oriya story from Inspirational