ନୀଳନୟନା
ନୀଳନୟନା
ନୀଳନୟନା… ଫୁ… ଏଇଟା ପୁଣି ଗୋଟେ ନାଁ ଯେ ! କିନ୍ତୁ ସେଇଟା ହିଁ ତାର ନାଁ ଥିଲା... ନୀଳନୟନା l ବିଶେଷ ସୁନ୍ଦରୀ ନଥିଲେ ବି ଅସୁନ୍ଦରି ନଥିଲା ସେ l ମଧ୍ୟମ ଧରଣର ସ୍ୱାସ୍ଥ୍ୟ ସାଙ୍ଗକୁ କଳା ମଚ ମଚ ଦୁଇଟି ବେଣୀ ବାନ୍ଧି ଆସିଥିଲା ଆମ ସ୍କୁଲରେ ଜଏନ କରିବା ପାଇଁ l ସେ ବର୍ଷ ଆମର ନାଇନ୍ତ କ୍ଲାସ ଓ ସେ ଆସି ଆମ ସେକ୍ସନରେ ବସିଲା l ତାକୁ ଦେଖିଲେ କେମିତି ଗୋଟେ ରାଗ ମାଡୁଥିଲା ମୋତେ l କାହିଁକି ମୁଁ ଜାଣେନାହିଁ l କେତେବେଳେ ତାକୁ ଅତ୍ୟନ୍ତ ଗର୍ବୀ ତ କେତେବେଳେ ଫୁଲେଇ ବୋଲି ଭାବୁଥିଲି l
ତା ନାଁ ରେ ଥରେ ଅଧେ ବନାନୀ ସାମ୍ନାରେ ଗପି ଥିବି ମଧ୍ୟ l
--ଦେଖନା ଶବ୍ଦ ରୂପ ଧାତୁ ରୂପ ଗୁଡାକ ଘୋଷି ଦେଇ ଆସିଛି ବୋଲି ମଣିଷ ମାନୁନାହିଁ l
--ଆରେ ସିଏ ଭୁଲ କଲେ ସଂସ୍କୃତ ସାର କିଛି କହୁ ନାହାନ୍ତି କିନ୍ତୁ ଆମେ କଲେ ପୁଣି କାନ ଧରି ବେଞ୍ଚ ଉପରେ ଠିଆ ହେବା l କାହିଁକି ଜାଣୁ ? ତାର ସାରଙ୍କ ସାଙ୍ଗେ ଚକ୍କର ଅଛି ପରା l ବନାନୀ ଫୁସଫୁସ ହୋଇ ଗୋଟିଏ ଅତି ସିକ୍ରେଟ କଥା କହିଲା ପରି ମୁଖ ଭଙ୍ଗୀ କରୁଥିଲା l
ଏକଥା ଶୁଣି ମୁଁ ଡରି ଯାଇଥିଲି l ସମସ୍ତେ ଏଣୁ ତେଣୁ ଗପିବେ ଶେଷରେ ମୋ ନାଁ ପଡିବ କଣ ନାଁ ଗୀତା କହୁଥିଲା ବୋଲି l ତେଣୁ ତୁରନ୍ତ ସେହି ସ୍ଥାନ ଛାଡି ଚାଲି ଆସିଲି l ଆଉ କେବେ ବି ନୀଳାକୁ ନେଇ ଖରାପ କଥା କହିନାହିଁ l କ୍ରମଶଃ ମୋ ମନରେ ଅଙ୍କୁରିତ ହୋଇଥିବା ଇର୍ଷାର ବୀଜଟି ଧୀରେ ଧୀରେ ହିଂସାର ଆକାର ଧାରଣ କରିବା ପୂର୍ବରୁ ତା ପ୍ରତି ଆକୃଷ୍ଟ ହେବାରେ ଲାଗିଥିଲି ମୁଁ l
ତାର ଅତି ସାଧା ସିଧା ବେଶ ଭୁଷାରେ କଣ ଥାଏ ନା ମୋତେ ବି ସେମିତି ସଜେଇ ହେବାକୁ ମନ ହୁଏ l ତାର ଖାଇବା ଆଇଟମ ତାର ବହିର ମଲାଟ ସବୁ କିଛି ମୋତେ ତା ଆଡକୁ ଆକୃଷ୍ଟ ହେବାକୁ ବାଧ୍ୟ କରେ l କଥା କଥାକେ
--ଗୀତା ଆଜି ମୁଁ ହୋମ ୱାର୍କ କରିନି କଣ କରିବି ଲୋ.. ଗୀତା ମୁଁ ଆଜି ଟିଫିନ ଆଣିନାହିଁ… ତୋ ଟିଫିନରୁ ଅଧେ ଦେବୁ ନା ମୋତେ ? ମୁଁ ବାହାର ଜିନିଷ ଖାଇଲେ ଝାଡା ହୁଏ ତ ସେଥିପାଇଁ...କହି ଫିକ କରି ହସିଦେବ l ଆମ୍ବୁଲକୁ ଟାକରା ଫୁଟାଇ ଓ ତୋରାଣିକୁ ହାପୁଡି କି ଖିଆ ଯିବାର ଅଲିଖିତ ନିୟମ ସବୁ ମୁଁ ତାହାଠୁ ହିଁ ଶିଖିଥିଲି l
ସେ ଖରାବଳେ ସ୍କୁଲକୁ ପଖାଳ ନେଇ ଆସିଥାଏ l ଭାତ ସବୁ ସିଏ ଖାଇ ସାରିଲେ ତୋରାଣି ଯାକ ମୁଁ ପିଏ ତେଣୁ ମୁଁ ମୋର ଟିଫିନ ସବୁଯାକ ନଖାଇ ପେଟ ଖାଲି ରଖିଥାଏ ଖାସ ତାର ତୋରାଣି ପିଇବା ପାଇଁ l ତା ଟିଫିନରେ ଥିବା ଖଟା ତୋରାଣିର ବାସ୍ନା ମୋତେ ମତୁଆଲା କରିବା ପାଇଁ ଯଥେଷ୍ଟ ଥିଲା l ତା ନଖର ନେଲପଲିସ ଠାରୁ ଆରମ୍ଭ କରି ମୁଣ୍ଡରେ ଲଗାଉଥିବା ବାସନା ତେଲ ପର୍ଯ୍ୟନ୍ତ ସବୁ ଜିନିଷକୁ ମୁଁ ଅନୁକରଣ କରିଥାଏ l କିନ୍ତୁ କ୍ଲାସରେ ଫାଷ୍ଟ ହେଉଥିବା ଇପ୍ସିତା ଭଲ ଗୀତ ଗାଉଥିବା ସୁପ୍ରଭା କିମ୍ବା ଡ୍ରଇଂରେ ଅଧିକା ନମ୍ବର ରଖୁଥିବା ଅନାମିକା କାହାର ମାନ୍ୟତା ମୋ ପାଖେ ନଥାଏ l କେବଳ ନୀଳନୟନା ହିଁ ଅହରହ ମୋର ଚତୁଃର୍ପାର୍ଶ୍ରେ ବିଚରଣ କରୁଥାଏ l
ଏମିତିରେ ତାର ସବୁ କଥା ମୋତେ ଭଲ ଲାଗେ କେବଳ ଗୋଟିଏ କଥାକୁ ଛାଡି l ସେଇଟା ହେଲା ପ୍ରତ୍ୟେକ କଥାର ଶେଷରେ 'ଲୋ ' ଲଗାଏ ସେ l
ସ୍କୁଲ ସରିଲା ପରେ ଆମର କଲେଜ ସବୁ ଅଲଗା ଅଲଗା ହୋଇଗଲା l ତା ପରେ ତା ବିଷୟରେ କେତେ ଥର ମୁଁ ଭାବିଥିବି କିନ୍ତୁ ପଢାପଢିରେ ବ୍ୟସ୍ତ ଥାଇ ତା ସହ ଆଉ ଦେଖା ହୋଇ ପାରିନାହିଁ l ସମୟ କାହାରିକୁ ଅପେକ୍ଷା କରେ ନାହିଁ l ପାଠ ସରିଲା ପରେ ମିତ୍ରଭାନୁଙ୍କୁ ବିବାହ କରି ମୁଁ ଅନ୍ୟ ସହରକୁ ଆସିଗଲି l ଏଇ ସହରରେ ମିତ୍ରଭାନୁଙ୍କ ନିଜର ଏକ ବଡ଼ ହସ୍ପିଟାଲ ଅଛି l ଗୋଟିଏ ବୋଲି ଝିଅ ଏବେ ଆମେରିକାରେ ଗବେଷଣା ରତ l ମିତ୍ରଭାନୁ ହସ୍ପିଟାଲ କାମରେ ବ୍ୟସ୍ତ l ସୁତରାଂ ମୁଁ ଏକୁଟିଆ ବସି ମାଛି ମାରିବା କଥା l
ଏବେ କିନ୍ତୁ ଫେସବୁକ ହ୍ୱାଟ୍ସଅପ କେତେ କଣ ବାହାରିଲାଣି ଯା ହେଉ ସମୟ କଟି ଯାଉଛି l କେତେଜଣ ପୁରୁଣା ସାଙ୍ଗ ଏଇ ସୋସିଆଲ ମିଡ଼ିଆରେ ଦେଖା ହେଲେଣି l ଆମେ ତିନି ଚାରିଜଣ ପୁରୁଣା ସାଙ୍ଗ ମିଶି ହ୍ୱାଟ୍ସଅପରେ ଗାର୍ଲ ସ୍କୁଲର ଯେଉଁ ଛୋଟିଆ ଗ୍ରୁପଟି କରିଥିଲୁ ତାହା ଏବେ ଏକ ମହାଦ୍ରୁମରେ ପରିଣତ ହେଲାଣି l ସଭ୍ୟାମାନଙ୍କ ସଂଖ୍ୟା ଦିନକୁ ଦିନ ବ
ଢ଼ିବାରେ ଲାଗିଛି l କେତେ ଥର ନୀଳନୟନା ସମ୍ପର୍କରେ ସମସ୍ତଙ୍କୁ ପଚାରିଥିବି କେହି କିଛି କହିପାରନ୍ତି ନାହିଁ l
ହଠାତ ସେଦିନ ବନାନୀ ସାଙ୍ଗେ ଚାଟିଂ କରୁ କରୁ ସେ କହିଲା ଯେ ନୀଳାର ନମ୍ବର ତା ପାଖରେ ଥିଲେ ବି ସେ କାହାକୁ ଦେବାକୁ ମନା କରିଛି l ତେଣୁ ଗ୍ରୁପରେ ତାକୁ ମିଶେଇ ନାହାନ୍ତି l ନୀଳନୟନାକୁ ପଚାରି ବନାନୀ ତା ନମ୍ବର ମୋ ପାଖକୁ ହ୍ୱାଟ୍ସଅପ କରିଥିଲା l ସାଙ୍ଗେ ସାଙ୍ଗେ ଫୋନ ଲଗାଇଲି l କେମିତି ଦିଶୁଥିବ ଏବେ l କଣ କରୁଥିବ l ଏବେ ବି କଣ ସେମିତି ଥିବ ? ମୁଁ ଗୀତା କହୁଛି ବୋଲି କହିବାରୁ ସେପଟୁ ଶୁଭିଲା
--ହଁ ଲୋ ଗୀତା ଏତେ ଦିନ ପରେ କେମିତି ଏ ସାଙ୍ଗ ମନେ ପଡିଗଲା ଲୋ ତୋର l
--ତୁ ନମ୍ବର କାହିଁକି ଦେବାକୁ ମନା କରିଛୁ l
--ସକାଳ ସନ୍ଧ୍ୟା ଟିଉସନ ପିଲାଙ୍କୁ ନେଇ ମୁଣ୍ଡ ବାୟା l ଟାଇମ କାହିଁ ଯେ ଏ ସବୁରେ ଲାଗିବି କହ l ମୋ ପରିବାର କଥା ବିସ୍ତୃତ ଭାବରେ କହି ସାରିଲା ପରେ ମୁଁ ପଚାରିଲି ଆଉ ତୋ ଫ୍ୟାମିଲି କଥା କହିଲୁ ନାହିଁ ତ l ତୋ ପିଲାମାନେ କଣ ପଢୁଛନ୍ତି ତୋ ହଜବ୍ୟାଣ୍ଡ କୋଉଠି ଅଛନ୍ତି l ସେ କହିଲା ଯେ ସେ ଅବିବାହିତା l ଆଶ୍ଚର୍ଯ୍ୟ ଲାଗିଲା ଶୁଣିକି l କାହିଁକି ସଂସାର ପ୍ରତି ଏତେ ବୈରାଗ୍ୟ ?
--ଆରେ ବୈରାଗ୍ୟ ଫୈରାଗ୍ୟ କିଛି ନାହିଁ ମ l ବର ଖୋଜୁଛି ମିଳିଲେ ହେବି ଲୋ ! ମୋତେ ହସ ଲାଗିଲା ଶୁଣିକି l ଏ ବୟସରେ ନୀଳା ପୁଣି ବର ଖୋଜୁଛି ?
--ମଜା ବୋଲି ଭାବେନା ଲୋ l ସତ କଥା l ଆମ କଲେଜର ଅମ୍ଲାନକୁ ଭଲପାଉଥିଲି ପରା l ତାକୁ ନେଇ ସଂସାର ଗଢ଼ିବାକୁ ସ୍ବପ୍ନ ଦେଖୁଥିଲି l ସେ ବି ମୋତେ ଭଲପାଉଥିଲା l କଲେଜ ପଢା ସାରି କେବଳ ମୋଅରି ପ୍ରରୋଚନାରେ ହିଁ ସେ ଓଏଏସ ପରୀକ୍ଷା ଦେଲା ଓ ପାଇଲା ବି l ପାଇଲା ପରେ ମୋତେ ନେଇ ସଂସାର ଗଢ଼ିବାକୁ ଆଉ ଚାହିଁଲା ନାହିଁ ସେ l ମୁଁ କୁଆଡେ ତା ସହ ପାଦକୁ ପାଦ ମିଳାଇ ଚାଲି ପାରିବି ନାହିଁ l ସେଥିପାଇଁ ତାର ଜଣେ ବ୍ୟାଚମେଟକୁ ବାହା ହୋଇଗଲା ଲୋ ସିଏ l
--ଧୋକାବାଜ କୋଉଠିକାର l ତାଆରି ପାଇଁ ତୁ ଆଜିଯାଏଁ ସିଙ୍ଗଲ ଅଛୁ ?
--କିଏ କହିଲା ? ମୋଟେ ନୁହଁ l ହେଲେ ସତ କହୁଛି ଲୋ ସେତେବେଳେ କିନ୍ତୁ ମୋତେ ମରିଯିବାକୁ ମନ ହୋଇଥିଲା l ପରେ ଭାବିଲି ଯେ କୋଟି କୋଟି ଲୋକଙ୍କ ଭିତରୁ ଜଣେ ଛାଡିଦେଲା ବୋଲି କଣ ମୁଁ… l ଏବେ ବି ଭଲ ବର ଭଲ ଘର ମିଳିଲେ ମୁଁ ବାହା ହୋଇଯିବି l ମୁଁ ତୋ ପରି ଆଦୌ ନୁହଁ l
ସାପ ଦେଖିଲା ପରି ଚମକି ପଡ଼ିଥିଲି ମୁଁ l ମୋ ପରି ନୁହଁ ମାନେ ସେ ମୋ ଅତୀତ ବିଷୟରେ ସବୁ ଜାଣିଛି ନା କଣ l ଅୟସକାନ୍ତ ସହ ବ୍ରେକଅପ ହେଲା ପରେ ମୁଁ କେମିତି ଗୁଡ଼ାଏ ନିଦ ବଟିକା ଖାଇ ଦେଇଥିଲି l ମିତ୍ରଭାନୁ ହିଁ ମୋର ଟ୍ରିଟମେଣ୍ଟ କରି ମୋ ଜୀବନ ବଞ୍ଚାଇ ଥିଲେ ଓ ଭଲପାଇ ବସିଥିଲେ l ପରିଶେଷରେ ସବୁ ଜାଣି ସାରି ମଧ୍ୟ ମୋତେ ସାରା ଜୀବନ ପାଇଁ ଜୀବନ ସାଥି କରିବାକୁ ଚାହିଁଥିଲେ l କେତେ ସମୟ ରହି ସେ ପୁଣି କହିଲା l
--ତୋ ବିଷୟରେ ଶୁଣି ସେଦିନ ବହୁତ କାନ୍ଦିଥିଲି ଲୋ ମୁଁ l ଗୀତା ପରି ସାହସୀ ଝିଅ ଏମିତି କାହିଁକି କଲା l ତୋ ସ୍ୱାମୀ ଦେବତା ଲୋ ଦେବତା l ତୋତେ କେତେ ଭଲ ପାଉଛନ୍ତି ଦେଖ l ତାଙ୍କୁ କେବେ ବି ଆଡେଇବୁ ନାହିଁ ଲୋ l ଆଉ ହଁ ମୋତେ ବି ଟ୍ୟୁସନ କରି କରି ପିଲାଙ୍କ କେଚେରେ ମେଚେରେ ଶୁଣି ଶୁଣିକି ବୋର ଲାଗିଲାଣି l ଯାହା ହାଣ୍ଡିରେ ଚାଉଳ ପକାଇଥିବି ସେ ଦିନେ ନା ଦିନେ ମୋତେ ମିଳିବ ଲୋ ମିଳିବ l ଦେଖିବୁ ରହିଥା l
ସ୍କୁଲରେ ଯାହାକୁ ମୁଁ ଅନୁକରଣ କରୁଥିଲି ଅତିକ୍ରାନ୍ତ ବୟସରେ ବି ତାଠୁ ଅନେକ କିଛି ଶିଖିବାର ଅଛି ବୋଲି ଭାବୁଥିଲି l ଯଦି ସେ ମୋ ଜୀବନରେ ରହିଥାନ୍ତା ମୁଁ ଏମିତି ଜୀବନ ହାରିବା ଭଳି ଦୁଃସାହସ କେବେ ବି କରିନଥାନ୍ତି l କେତେ ଅୟସକାନ୍ତ ଆସନ୍ତୁ ଯାଆନ୍ତୁ ମୁଁ ଖାତିର ବି କରିନଥାନ୍ତି l
--ନୀଳା ! ତୋତେ ହାତକୁ ଦୁଇ ହାତ କରି ସାରିଲେ ଯାଇ ମୋର ଛୁଟି l ଭଗବାନ କରନ୍ତୁ ଏ ଶୁଭ କାର୍ଯ୍ୟଟି ମୋଅରି ହାତରେ ହିଁ ସମ୍ପର୍ଣ୍ଣ ହେଉ l ଫୋନରେ ଥାଇ ବି ନୀଳନୟନା ଓରଫ ନୀଳାର ଲଜ୍ୟାନ୍ନତ ଆଖି ଦୁଇଟିରେ ମୋ ପ୍ରତି ଅନେକ ସ୍ନେହ ଓ ଶୁଭେଚ୍ଛା ଦେଖିବାକୁ ପାଉଥିଲି l