Arabinda Rath

Horror Tragedy

4.0  

Arabinda Rath

Horror Tragedy

ନୀଳଲକେଟ୍

ନୀଳଲକେଟ୍

11 mins
254



ହାତରେ ଏକ ନୀଳ ଲକେଟ ଧରି ମିତା ସେତେବେଳକୁ କାନ୍ଦି କାନ୍ଦି ନୟାନ୍ତ ହୋଇ ସାରିଥିଲା। କ'ଣ ହେବ ତାର ପରବର୍ତ୍ତୀ ପଦକ୍ଷେପ ସେ ବିଷୟରେ ସେ ଭାବି ଚାଲିଥିଲା। ଏହା ସେହି ନୀଳ ଲକେଟ ଯାହା ସେ ଅନେକ ବର୍ଷ ତଳେ ତାର ସବୁଠାରୁ ପ୍ରିୟ ସାଙ୍ଗ ମଧୁ କୁ ଦିନେ ଉପହାର ସ୍ବରୂପ ଦେଇଥିଲା। 


ସୁନାଚେନ୍ ରେ ହୃଦୟ ଆକୃତିର ନୀଳ ପଥରବସା ସେ ଲକେଟ ଟି ଅନେକ ବର୍ଷ ବିତିଯିବା ପରେ ମଧ୍ଯ ତା ଚମକ ହରାଇ ନ ଥିଲା। ଏ ଭିତରେ ଅନେକ ଦିନ ବିତି ଗଲାଣି ସତ କିନ୍ତୁ ଏବେ ମଧ୍ଯ ତା ମନରେ ବିଗତ ଦିନର ସ୍ମୃତି ତାଜା ହୋଇ ରହିଛି। ଖାସ୍ ମଧୁ ର ବାହାଘରରେ ଉପହାର ଦେବା ପାଇଁ ସେ ଏ ଲକେଟ କୁ କେତେ ଆଗ୍ରହରେ ତିଆରି କରିଥିଲା। ଆଉ ମଧୁ--- ସେ ତ ଏତେ ସୁନ୍ଦର ଲକେଟ କୁ ଦେଖି ଖୁସିରେ ଝୁମି ଉଠିଥିଲା। ସେଦିନ ମଧୁ କଥା ଦେଇଥିଲା, ସେ ସଦାବେଳେ ଏ ଲକେଟ୍ କୁ ତା ପାଖରେ ରଖିବ। ସତରେ, ବାହାଘର ଦିନ ମଧୁ ବେକରେ ଝୁଲିଥିବା ସେ ନୀଳ ଲକେଟ୍ କୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ଓ ମଧୁ ପ୍ରତି ଲୋକଙ୍କୁ କହୁଥିଲା ସେଇ ଗୋଟିଏ କଥା- - - ମୋ ପ୍ରାଣଠାରୁ ଅଧିକ ପ୍ରିୟ ମୋ ସାଙ୍ଗ ମିତା ର ଭଲପାଇବାର ନିଦର୍ଶନ ଏଇ ଲକେଟ୍। 

ଏସବୁ ଦେଖି ସେଦିନ ମିତା ବେଶ୍ ଗର୍ବିତ ଅନୁଭବ କରୁଥିଲା। ଦିନପରେ ଦିନ ବର୍ଷ ପରେ ବର୍ଷ ବିତି ଚାଲିଲା। ମିତା ବାହାଘର ପରେ ବିଦେଶ ଚାଲିଗଲା। ତା ସ୍ବାମୀ ବିଦେଶରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରନ୍ତି। କେବେ କେମିତି ବାପଘରକୁ ବୁଲି ଆସିଲେ ମଧୁ ସହ ଦେଖା ହୁଏ। ଘଣ୍ଟାଘଣ୍ଟା ଧରି ସେମାନେ ଛାତ ଉପରେ ବସି ଗପ କରନ୍ତି। କଲେଜ ଦିନର ଗପରୁ ଆରମ୍ଭ କରି ଶାଶୁଘର ଗପ,କିଛି ବି ବାଦ୍ ଯାଏନି। ଯୋଗ ଏପରି ଥିଲା ଯେ ମିତାର ବାପା ଚାକିରି ରୁ ଅବସର ନେବା ପରେ ଏକ ଘର କିଣିଲେ ଓ ତାହା ଥିଲା ମଧୁର ଶ୍ବଶୁର ଘର ପାଖରେ। । ଇତି ମଧ୍ଯରେ ମିତାର ଶାଶୁ ଶ୍ବଶୁରଙ୍କ ଦେହାନ୍ତ ହୋଇ ଯାଇଥିଲା ଓ ସେମାନେ ରହୁଥିବା ଘର ଭଡା ଲାଗି ଯାଇଥିଲା। ତେଣୁ ଓଡିଶା ଆସିଲେ ମିତା,ସ୍ବାମୀ ଓ ପିଲାମାନେ ତା ବାପଘରେ ହିଁ ରହୁଥିଲେ। ମଧୁ ସହ ଦେଖା ବି ହୋଇ ଯାଉଥିଲା ଓ ପୁରୁଣାଦିନର ଘଟଣା ସବୁ କୁ ମନେ ପକାଇ ସେମାନେ ବେଶ୍ ଆମୋଦିତ ହୋଇ ଉଠୁଥିଲେ। ସ୍ବାମୀଙ୍କ କାର୍ଯ୍ଯବ୍ଯସ୍ତତା ପାଇଁ ଅନେକ ଦିନ ଧରି ମିତା ବାପଘରକୁ ଆସି ପାରି ନ ଥିଲା ସେଦିନ ଘରେ ପହଞ୍ଚିଲା ମାତ୍ରେ ସେ ପ୍ରଥମେ ମଧୁ ପାଖକୁ ଯିବା ପାଇଁ ବାହାରିଲା। 

କିନ୍ତୁ ବାପାମାଆ ଉଭୟ କହିଲେ- - ଏବେ ତ ଆସିଲୁ, ଖାଇପିଇ ବିଶ୍ରାମ କରି ସାଷ୍ଟାମ ହେଲା ପରେ ମଧୁ ପାଖକୁ ଗଲେ ହେବନି? କେତେ ଦୂରରେ ସେ ରହୁଛି ଯେ ଏତେ ବ୍ଯସ୍ତ ହୋଇ ପଡୁଛୁ। ମନେମନେ ହସିଲା ମିତା, ବାପାମାଆ କାହୁଁ ବୁଝିବେ ସେମାନଙ୍କର ବନ୍ଧୁତ୍ବର ଗଭୀରତା। ତା ପରଦିନ ସ୍ବାମୀ ପୁଅ କୁ ଧରି ଅନ୍ଯ ଏକ ସହରକୁ ଗଲେ କୌଣସି ଏକ ଜରୁରୀ କାମରେ। ଦିନ ସାରା ତାଙ୍କ ଘରକୁ ଅନେକ ବନ୍ଧୁବାନ୍ଧବ ଆସିଲେ ମିତା କୁ ଦେଖା କରିବାକୁ। ତେଣୁ ସେ ମଧୁ ପାଖକୁ ଯାଇ ପାରି ନଥିଲା। ଯାହାହେଲେ ବି ସେଦିନ ସଂନ୍ଧ୍ଯାରେ ମଧୁ ପାଖକୁ ଯିବ ବୋଲି ତା ବାପାମାଆଙ୍କୁ ଜଣାଇ ବିଶ୍ରାମ ନେବାକୁ ଚାଲିଗଲା। 

ଅବେଳରେ ମାଆ ତାକୁ ଉଠାଇ କହିଲେ- - ମିତା ତୁ କିଛି ସମୟ ଘରେ ରହ। ଏବେ ଖବର ଆସିଲା ଯେ ନରିକାକାଙ୍କ ଦେହ ବହୁତ ଖରାପ। ସେ ଏବେ ମେଡିକାଲରେ। ଏ ସମୟରେ ତାଙ୍କ ପାଖରେ ଛିଡା ନହେଲେ ଲୋକେ ନାନା କଥା କହିବେ। ମୋ ସୁନା ଟା ପରା। ଆମେ ଚଞ୍ଚଳ ଫେରି ଆସିବୁ। ତା ପରେ ତୁ ମଧୁ ପାଖକୁ ଚାଲିଯିବୁ। ମିତା କୌଣସି ଉତ୍ତର ଦେବା ପୂର୍ବରୁ ସେମାନେ ତରତର ହୋଇ ବାହାରି ଗଲେ। 

ମିତା ହାତରେ ଚାହାକପ୍ ଧରି ଗୁମସୁମ ହୋଇ ବସିଥିଲା। ଅଚାନକ ଦମକଳ ଓ ପୋଲିସ ଗାଡି ସାଇରନ୍ ର ବିକଟ ସ୍ବରରେ ସେ ଚମକି ଉଠିଲା। ସେତିକିବେଳେ କବାଟରେ କାହାର ମୃଦୁ ଆଘାତ ଶୁଭିଲା। କୌଣସି ମତେ ନିଜକୁ ପ୍ରକୃତିସ୍ଥ କରି ବଡ ସନ୍ତର୍ପଣରେ ସେ କବାଟ ଖୋଲିଲା। ତା ସାମନା ରେ ଛିଡା ହୋଇଥିଲା ମଧୁ। ତା ମୁହଁର ଅର୍ଦ୍ଧାଧିକ ଅଂଶ କୁ ପିନ୍ଧିଥିବା ଶାଢୀରେ ଘୋଡାଇ ରଖିଥିଲା ମଧୁ। ମିତା ବିଶ୍ବାସ କରି ପାରୁ ନ ଥିଲା ଯେ ମଧୁ ତା ପାଖକୁ ଆସିଛି। କାରଣ ସେ ଆସିବା ଖବର ମଧୁ ପାଖରେ ନ ଥିଲା। ମିତା ଭାବିଥିଲା ଏମିତି ଅଚାନକ ତା ପାଖକୁ ଯିବ ଓ ମଧୁ କୁ ଚମକାଇ ଦେବ। ଖୁସିରେ ଗଦଗଦ ହୋଇ ମିତା କହିଲା 

- - ଆରେ ମଧୁ ତୁ ! କେମିତିି ଜାଣିଲୁ ତୁ ଯେ ମୁଁ ଆସିଛି ବୋଲି। ଆରେ ତୋ ପାଖକୁ ଯାଇ ସରପ୍ରାଇଜ୍ ଦେବାକୁ ଭାବିଥିଲି, ମାତ୍ର ତୁ ମୋତେ ଚମକାଇ ଦେଲୁ। ଏମିତି ମୁହଁ କାହିଁକି ଶୁଖାଇଛୁ ଯେ। ମୋ ସୁନ୍ଦରୀ ସାଙ୍ଗ ମୁହଁରେ ଏମିତି ଉଦାସିଆ ଭାବ ମୋତେ ଯମା ଭଲ ଲାଗେନି। ତୋର ସେ ଲକ୍ଷେ ଟଙ୍କିଆ ହସ କୁଆଡେ ଲିଭିଗଲା । ଗୋଟେ ନିଶ୍ବାସ ରେ ମିତା କହିଗଲା।

- - ଆରେ ମୋତେ ଘରକୁ ଡାକିବୁ ନା ବାହାରେ ସବୁ କଥା ହୋଇଯିବୁ। କ୍ଷୀଣ ସ୍ବରରେ କହିଲା ମଧୁ।

ଅଳ୍ପ ସମୟ ଭିତରେ ହାତରେ ଚାହା କପ୍ ଧରି ଦୁଇସାଙ୍ଗ ଛାତ ଉପରକୁ ଚାଲିଗଲେ।

ଛାତ ଉପରେ ଗପର ପସରା ମେଲି ହୋଇ ସାରିଥିଲା। ମିତା କହି ଚାଲିଥିିଲା ତା ପରିବାର ବିଷୟରେ। ସ୍ବାମୀଙ୍କ ଚାକିରି,ପୁଅର ପାଠପଢା,ବିଦେଶ ରହଣୀ ର ଅନୁଭୁତି,ତା ଦେହ ଖରାପ କଥା ଓ ଆହୁରି କେତେ କ'ଣ। ଅନ୍ୟ ପକ୍ଷରେ ମଧୁ ଗୁମସୁମ ହୋଇ ବସି ରହିଥିଲା ଓ ଏକ ଲୟରେ ଚାହିଁ ରହିଥିଲା ଏକ ନିର୍ଦ୍ଦିଷ୍ଟ ଦିଗକୁ। ମିତା ପଚାରିବାରେ କହିଲା- - ସେପଟେ ପରା ମୋ ଘର,ତୁ କଣ ଭୁଲି ଯାଇଛୁ କି। ଝିଅ କୁ ପଡୋଶୀ ଘରେ ଖେଳିବାକୁ ଛାଡିଦେଇ ଆସିଛି, ଭାବୁଛି କଣ କରୁଥିବ ସେ।

- - ଆଲୋ ହୁଣ୍ଡୀ, ଝିଅକୁ ସିନା ସାଙ୍ଗରେ ଆଣି ଥାଆନ୍ତୁ। ତାକୁ ଏକୁଟିଆ କାହିଁକି ଘରେ ଛାଡି ଆସୁଥିଲୁ।

- - ଆଣି ଥାନ୍ତି ଯେ କିନ୍ତୁ ……. ଚୁପ୍ ହୋଇଗଲା ମଧୁ ଓ କାନ୍ଦିବାକୁ ଲାଗିଲା।

ମିତା ବ୍ଯସ୍ତ ହୋଇ ପଚାରି ଚାଲିଲା- କ'ଣ ହୋଇଛି ମଧୁ। କାନ୍ଦୁଛୁ କାହିଁକି। ତୁ ଭଲ ରେ ଅଛୁ ତ। ତୋ ସ୍ବାମୀଙ୍କ ସହ ପାଟିତୁଣ୍ଡ ହୋଇଛି ନା କଣ? ଦୟାକରି ମୋତେ କହ, ନ ହେଲେ ମୁଁ ଜାଣିବି କେମିତି। ମୋ ପାଖରେ ନ ବସି ଏମିତି ଦୂରେଇ କାହିଁକି ରହୁଛୁ। ଏତିକି କହି ଲୁହ ପୋଛିବାକୁ ମିତା ହାତ ବଢାଇଲା। 

ମାତ୍ର ମଧୁ ନିଜକୁ ଆହୁରି ଦୂର କୁ ଘୁଞ୍ଚାଇନେଇ କହିଲା - - ମିତା, ବାହାଘର ପରେ ମୋ ଜୀବନ ପୁରା ବରବାଦ ହୋଇଗଲା। ସେମାନେ ମିଳିମିଶି ମୋତେ ନର୍କ ଯନ୍ତ୍ରଣା ଦେଇ ଚାଲିଛନ୍ତି ଓ ମୁଁ ସହିବାକୁ ବାଧ୍ଯ । କିଛିକ୍ଷଣ ପାଇଁସ୍ତମ୍ଭୀଭୂତ ହୋଇଗଲା ମିତା। କାରଣ ସେ ଭାବୁଥିଲା ମଧୁ ନିଜ ପରିବାରରେ ଅତି ଖୁସି ରେ ରହୁଛି। ସେ ଏପରି ଅବସ୍ଥାରେ ରହୁଛି ବୋଲି ତା ମାଆ ମଧ୍ଯ କେବେ କହି ନଥିଲେ। ସେତେବେଳକୁ ଅନ୍ଧାରର ଆସର ଧିରେ ଧିରେ ଜମି ଚାଲିଥିଲା। ତେଣୁ ମଧୁ ର ମୁହଁ ଭଲରେ ଦିଶୁ ନ ଥିଲା। କିନ୍ତୁ ମିତା ଅନୁଭବ କରି ପାରୁଥିଲା ଯେ ମଧୁ ବଡକଷ୍ଟରେ କଥା ହେଉଥିଲା ଓ ଯନ୍ତ୍ରଣାରେ ଆତୁର ହେବାପରି ଲାଗୁଥିଲା।

ମଧୁ କୋହଭରା କଣ୍ଠରେ ଥରିଥରି କହିଚାଲିଥିଲା ତା ଉପରେ ଘଟି ଚାଲିଥିବା ଅମାନବୀୟ ଯନ୍ତ୍ରଣାର କାହଣୀ।

ପିଲା ଭଲ ଚାକିରି କରିଛି ବୋଲି ମଧୁର ବାହାଘର ସେହି ଯାଗାରେ ସ୍ଥିର ହୋଇଥିଲା। କେବେ ଦିନେ ହେଲେ ବାପାଙ୍କ ଆଦେଶ ଅମାନ୍ଯ କରି ନ ଥିବା ମଧୁ ହସିହସି ବାପାଙ୍କ ନିଷ୍ପତ୍ତି କୁ ଗ୍ରହଣ କରି ଶାଶୁଘରକୁ ଗଲା। ସାମର୍ଥ୍ଯ ଅନୁସାରେ ତା ବାପା ବରପକ୍ଷକୁ ମୋଟା ଅଙ୍କର ଟଙ୍କା,ଗହଣାଗାଣ୍ଠି ଓ ଅନ୍ଯାନ୍ଯ ଜିନିଷପତ୍ର ଯୌତୁକ ଆକାର ରେ ଦେଇଥିଲେ। ବାହାଘର ପରେ ସବୁକିଛି ଭଲରେ ଚାଲିଲା । କିନ୍ତୁ ପରେ ଜଣା ପଡିଲା ଯେ ମଧୁର ସ୍ବାମୀ ବିନୋଦ କୌଣସି ଚାକିରି କରିନାହିଁ ଓ ମିଛ କଥା କହି ବାହା ହୋଇଛି। ମଧୁ ପ୍ରବଳ ବିରୋଧ କରିଥିଲା ଓ ତା ବାପାମାଆଙ୍କୁ କାନ୍ଦିକାନ୍ଦି ସବୁ ଜଣାଇଥିଲା। କିନ୍ତୁ ବୋହି ଯାଇଥିବା ପାଣି କୁ କିଏ ବା ରଖିପାରିବ। ପ୍ରଥମେ ବିନୋଦ ବଡ ସଙ୍କୋଚ କରି ମଧୁ କୁୁ ଟଙ୍କା ମାଗିବାକୁ ଆରମ୍ଭ କଲା। ତା ମୁଣ୍ଡରେ ହାତ ରଖି ଅନେକ ଥର ଶପଥ କରି କହିଲା ଯେ ଟଙ୍କା ପାଇବା ପରେ କୌଣସି ବ୍ଯବସାୟ ଆରମ୍ଭ କରି ନିଜ ଗୋଡରେ ଛିଡା ହେବ। ମଧୁର ବାପା ବହୁକଷ୍ଟରେ ଟଙ୍କା ଯୋଗାଡ କରି ଜ୍ବାଇଁ ହାତରେ ଟେକି ଦେଲେ। ମାତ୍ର ସେ ଦାନ ସବୁ ଅପାତ୍ରରେ ଗଲା। ସାଙ୍ଗସାଥୀଙ୍କ ସହ ମଉଜ ମଜଲିସ କରି ବିନୋଦ ସବୁ ଟଙ୍କା ଅଳ୍ପ ଦିନରେ ସାରି ଦେଇ ପୁଣି ଥରେ ମଧୁ ଆଗରେ ହାତ ପତେଇଲା। ଏମିତି ବେଶ୍ କିଛିଦିନ ଚାଲିଲା। ଅବସ୍ଥା ଏପରି ହେଲା ଯେ ମଧୁ ର ବାପା ଜମିବାଡି ବିକ୍ରି କରି ବିନୋଦ କୁ ଟଙ୍କା ଦେବାକୁ ବାଧ୍ଯ ହେଲେ। ଅୟସ କରି ସବୁ ଟଙ୍କା ସାରିବା ପରେ ପୁଣି ବିନୋଦ ଯେତେବେଳେ ଟଙ୍କା ମାଗିଲା ମଧୁ ଜୋରଦାର ବିରୋଧ କଲା। କିନ୍ତୁ ଫଳ ଓଲଟା ହେଲା। ପ୍ରଥମଥର ପାଇଁ ବିନୋଦ ତା ଉପରେ ହାତ ଉଠାଇଲା ଓ ଟଙ୍କା ନ ଆଣିଲେ ପରିସ୍ଥିତି ଖରାପ ହେବ ବୋଲି ଧମକ ଦେଲା। କେବଳ ବିନୋଦ କାହିଁକି ତା ବାପାମାଆ ମଧ୍ଯ ମଧୁକୁ ଯନ୍ତ୍ରଣା ଦେବାରେ ଲାଗିଗଲେ। ବାଡିଆପିଟା କରିବା,ଓପାସରେ ରଖିବା, ନାନା କଟୁକଥା କହି ଗାଳିଦେବା ନିତିଦିନିଆ ହୋଇଗଲା । ମଧୁ ର ବାପାମାଆ ଅନେକ ଥର ବିନୋଦ କୁ ବୁଝାଇଲେ ଓ ଝିଅ ଉପରେ ଅତ୍ଯାଚାର ନ କରିବାକୁ ନେହୁରା ହେଲେ। ବିନୋଦ ର କୌଣସି ପରିବର୍ତ୍ତନ ହେଲାନାହିଁ ବରଂ ସେ ଅଧିକ ଉଗ୍ର ହୋଇଉଠିଲା। ଏଥର ସବୁଦିନ ମଦ ପିଇ ବିନୋଦ ଘରକୁ ଆସିଲା ଓ ବିଭିନ୍ନ ଉପାୟରେ ମଧୁ ଉପରେ ଅତ୍ଯାଚାର କରିବାରେ ଲାଗିଲା। ସେ ଏତେ ମାତ୍ରାରେ ହିଂସ୍ର ହୋଇ ଯାଇଥିଲା ଯେ ମଧୁର ହାତଗୋଡ ବାନ୍ଧି ତା ଦେହ ସାରା ସିଗାରେଟ୍ ଚେଙ୍କ ଦେଉଥିଲା। ଯନ୍ତ୍ରଣାରେ ମଧୁ ଚିତ୍କାର କଲେ ତାକୁ ଆନନ୍ଦ ମିଳୁଥିଲା। କେବଳ ସେତିକି ନୁହଁ ସେ ଜବରଦସ୍ତି ମଧୁ କୁ ମଦ ପିଆଉଥିଲା ଓ କିଛି ସମୟ ପରେ କାହିଁକି ମଦ ପିଇଲୁ କହି ବାଡାଉଥିଲା। ଝିଅର ଏ ଦୁରାବସ୍ଥା ଦେଖି ମଧୁର ବାପା ଆତ୍ମହତ୍ଯା କଲେ । ଏକମାତ୍ର ଝିଅର ଏପରି ଅବସ୍ଥା ଓ ସ୍ବାମୀଙ୍କ ଆତ୍ମହତ୍ଯା ପରେ ମଧୁ ର ମାଆ ସମ୍ପୂର୍ଣ୍ଣ ଭାଙ୍ଗି ପଡିଲେ। ନାନା ଦୁଶ୍ଚିନ୍ତା ରେ ତାଙ୍କ ଦେହ ଖରାପ ହେବାକୁ ଲାଗିଲା । ବିଚାରି ମଧୁ କାକୁତି ମିନତି ହୋଇ ମାଆଙ୍କ ପାଖକୁ ଯିବାକୁ ଅନୁମତି ମାଗିଲା। ମାତ୍ର ତା ଶାଶୁଘର ଲୋକେ କୌଣସି ନା କୌଣସି ବାହାନା ଦେଖାଇ ତାକୁ ଛାଡିଲେନି। କୌଣସି ଚିକିତ୍ସା ଓ ଯତ୍ନ ନ ପାଇ ମଧୁର ମାଆ ହଠାତ୍ ଇହଧାମ ତ୍ଯାଗ କଲେ। ମଧୁ ଭାଗ୍ଯରେ ତା ମାଆଙ୍କର ଶେଷ ଦର୍ଶନ ମଧ୍ଯ ଲେଖା ନ ଥିଲା। ବିନୋଦ ର ହାତ ଗୋଡ ଧରି ମଧୁ ବହୁତ କାନ୍ଦିଲା,ନେହୁରା ହେଲା ତା ମାଆକୁ ଶେଷଥର ପାଇଁ ଦେଖିବାକୁ। ମାତ୍ର ବିନୋଦ ର ନୃଶଂସ ହୃଦୟ ତରଳି ନ ଥିଲା- - ସେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଚାଲିଗଲା । ସାରା ରାତି ମଧୁ ତା ମାଆଙ୍କ ଫଟୋକୁ ଧରି କାନ୍ଦିକାନ୍ଦି ରହିଲା।

ବାପାମାଆଙ୍କ ମୃତ୍ଯୁ ପରେ ମଧୁ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଥିଲା। ତା'ର କେହି ସାହା ଭରସା ନ ଥିଲେ। ଏମିତି ଆଖି ଲୁହ ପିଇପିଇ ଦିନ ବିତାଇ ଚାଲିଥିବା ବେଳେ ତା କୋଳମଣ୍ଡନ କରିଥିଲା ଏକ କନ୍ଯା ସନ୍ତାନ। ଗୋଟିଏ ଚାଉଳରେ ଗଢା ତା ରୂପ ଦେଖି ମଧୁ ସବୁ ଦୁଃଖ ପାଶୋରି ଯାଉଥିଲା। କିନ୍ତୁ କାହିଁକି ଝିଅ ଜନ୍ମ କଲା ବୋଲି ତା ଉପରେ ଆରମ୍ଭ ହୋଇଯାଇଥିଲା ନାହିଁ ନ ଥିବା ଯାତନା। ମାଡ ଗାଳି ଖାଇଖାଇ ତା ଦେହ ପଥର ପାଲଟି ସାରିଥିଲା ଓ ଆଖିରୁ ଲୁହ ମଧ୍ଯ ଶୁଖି ଯାଇଥିଲା। ଏବେ ମାଡ ଖାଇ ସେ କାନ୍ଦୁ ନ ଥିଲା ବରଂ ହସୁଥିଲା ନିଜ ଫଟା କପାଳର ଦୁର୍ଦ୍ଦଶା ଦେଖି। ତାକୁ ସମସ୍ତେ ପାଗଳ ବୋଲି କହିବା ଆରମ୍ଭ କରି ଦେଇଥିଲେ। ଅନେକ ସମୟରେ ସେ ନିଷ୍ପାପ ଝିଅ କୁ କୋଳ ରେ ଧରି ଘଣ୍ଟା ଘଣ୍ଟା ଧରି ବସି ରହୁଥିଲା। ସେତେବେଳେ ସେ କାହା କଥା ଶୁଣୁ ନ ଥିଲା। ଯିଏ ଯେତେ ଡାକିଲେ ବା ବାଡେଇଲେ ସେ ପଥର ପରି ଅବିଚଳିତ ହୋଇ ବସି ରହୁଥିଲା।  

ଦିନେ ବିନୋଦ ବର୍ବରତାର ଚରମସୀମା ଅତିକ୍ରମ କରିଗଲା। ଝିଅଟି କିଛି ନ ଖାଇ ଭୋକରେ ବିଳାପ କରୁଥିଲା ଓ ମଧୁ ଘର କାମରେ ବ୍ଯସ୍ତ ଥିଲା। କାହିଁକି ଏତେ କାନ୍ଦୁଛି ବୋଲି ବିନୋଦ ରାଗରେ ଜର୍ଜରିତ ହୋଇ ନିଷ୍ପାପ ଶିଶୁ ଟିକୁ ଜୋର ରେ ଗୋଇଠା ମାରିଦେଲା । ହଠାତ ପିଲାଟିର କାନ୍ଦ ବନ୍ଦ ହୋଇଗଲା ଓ ସେ ନିସ୍ତେଜ ହୋଇ ପଡିଗଲା। କଣ ହେଲା ବୋଲି ଚିତ୍କାର କରି ମଧୁ ଦୌଡି ଆସିଲା। ସେତେବେଳକୁ ବିନୋଦ ଶିଶୁଟି ମରିଗଲା ଭାବି ତାକୁ ଗୋଡରେ ଓଲଟ ପାଲଟ କରି ଦେଖୁଥାଏ । ମଧୁ ଘଟଣା ବିଷୟରେ ଜାଣି ପାରି ବିନୋଦ ଗାଲରେ ଚାପୁଡା ପରେ ଚାପୁଡା ମାରି ଚାଲିଲା। ଭଗବାନଙ୍କ କୃପାରୁ କିଛି ସମୟ ପରେ ଶିଶୁଟିର ହୋସ ଆସିଲା ଓ ସେ କାନ୍ଦିବା ଆରମ୍ଭ କଲା। ମଧୁଠାରୁ ମାଡ ଖାଇବା ପରେ ଅପମାନରେ ଜର୍ଜରିତ ବିନୋଦ ଘର ଛାଡି ବେଶ୍ କିଛି ଦିନ ବାହାରେ ରହିଲା। ସେ ଫେରିବା ବେଳକୁ ତା ସାଙ୍ଗରେ ଥିଲା ମଧୁ ର ସଉତୁଣୀ। ସେଦିନ ତା ଅଧିକାର ବଞ୍ଚାଇବାକୁ ମଧୁ ଚିତ୍କାର କଲା, ବିଦ୍ରୋହ କଲା,ବିକଳ ପ୍ରର୍ଥନା କଲା - - ମାତ୍ର ସବୁ ଚେଷ୍ଟା ବିଫଳ ହେଲା। ସଉତୁଣୀ ଆସିବା ପରେ ମଧୁ ଆଉ ସେ ଘରର ବୋହୁ ପରି ଚଳୁ ନ ଥିଲା ,ବରଂ ସେ ଚାକରାଣି ପାଲଟି ସାରିଥିଲା। ଘରର ଯାବତୀୟ କାମ କରିବା ସହିତ ଶାଶୁ ଶ୍ବଶୁର ସ୍ବାମୀ ଓ ସଉତୁଣୀ ସେବା ରେ ସେ ଲାଗି ରହିଥିଲା। ତା ପାଉଣା ଥିଲା କେବଳ ଦୁଇ ଓଳି ଖାଇବା। ସେତିକି ଖାଇଲେ ତ ପିଲା ପାଇଁ କ୍ଷୀର ଟିକେ ଯୋଗାଇ ଦେଇ ପାରିବ। ଅବସ୍ଥା ଏପରି ହୋଇ ସାରିଥିଲା ଯେ ସେ ଦିନଦିନ ଧରି ଓପାସ ରହୁଥିଲା ଓ ତା ପିଲା ଭୋକବିକଳରେ ରାହା ଛାଡି କାନ୍ଦି ଚାଲୁଥିଲା। ମଧୁ ସ୍ବପ୍ନରେ ମଧ୍ଯ ଭାବି ନ ଥିଲା ଯେ ତା ଭାଗ୍ଯ ଏପରି ଦୁର୍ଦ୍ଦଶା ଲେଖାଥିଲା। ବେଳକାଳ ଉଣ୍ଡି ସଉତୁଣୀ ମଧୁ ନାମରେ ଖଚ ଚୁଗୁଲି କରିବାରେ ହେଳା କରୁ ନ ଥିଲା। ବିଭିନ୍ନ ଉପାୟରେ ସେ ମଧୁ କୁ ହଇରାଣ କରିବାରେ ଲାଗି ରହିଥିଲା। ଜଣେ ନାରୀ ହୋଇ ମଧ୍ଯ ତା ପ୍ରକୃତ୍ତି  ଭୀଷଣ ନିଷ୍ଠୁର ଥିଲା। ବିନା କାରଣରେ ସେ ମଧୁର ଝିଅକୁ ବାଡିଆପିଟା କରୁଥିଲା ଓ ପିଲାଟି ବିକଳ ହୋଇ କାନ୍ଦିଲେ ସେ ଅଶେଷ ଶାନ୍ତି ପାଉଥିଲା।

ଆଉ କିଛି ଶୁଣିବାକୁ ଧର୍ଯ୍ଯ ନ ଥିଲା ମିତା ର। ମଧୁ ର କାହାଣୀ ଶୁଣି ତା ରକ୍ତ ଗରମ ହୋଇଗଲା ଓ ମନରେ କୋହ ର ଜୁଆର ଉଠିବା ଆରମ୍ଭ ହୋଇ ଯାଇଥିଲା। ସେ ବିକଳ ହୋଇ କହିଲା – - ମଧୁ,ତୁ ଏତେ ଅତ୍ଯାଚାର ସହିଲୁ ,ଦିନେ ହେଲେ କାହା କୁ ଜଣାଇଲୁନି କାହିଁକି। ଅତି କମ୍ ରେ ପୋଲିସ କୁ ତ ଖବର ଦେଇ ଥାଆନ୍ତୁ। 

ଦୀର୍ଘ ନିଶ୍ବାସ ପକାଇ ମଧୁ କହିଲା- - କାହାକୁ କଣ କହିବି ? କିଏ ବିଶ୍ବାସ କରିବ ମୋ କଥା। ମୋ ଶାଶୁଘରର ସବୁ ଲୋକ ଭଦ୍ର ଲୋକ ଓ ସମସ୍ତଙ୍କ ପାଇଁ ମୁଁ ଏକ ପାଗଳୀ। ଜଣେ ପାଗଳୀ ଲୋକର କଥା କୁ କିଏ ବା କାହିଁକି ଗୁରୁତ୍ବ ଦେବ। ବାହାଘର ପରଠାରୁ ସ୍ବାଧୀନତା ବୋଲି କିଛି ଅଛି ବୋଲି ମୁଁ ଭୂଲିଯାଇଛି। ଘରର ଚାରି କାନ୍ଥ ଭିତରେ ହିଁ ମୋ ସମଗ୍ର ପୃଥିବୀ। ଘର ଏରୁଣ୍ଡୀ ବନ୍ଧ ଡେଇଁବାର ଅଧିକାର ମୋର ନାହିଁ। 

ମିତା କିଛି କହିବାକୁ ଚାହୁଁଥିଲା ମାତ୍ର ମଧୁ ନିଜପାଖରେ ଯତ୍ନ ସହକାରେ ଲୁଚାଇ ରଖିଥିବା ଏକ ନୀଳ ଲକେଟ ମିତା ହାତକୁ ବଢାଇଦେଇ କହିଲା- - ତୋର ମନେ ଅଛି ମିତା ଏ ଲକେଟ୍ ତୁ ମୋତେ ମୋ ବାହାଘର ଦିନ ଦେଇଥିଲୁ। ଦେଖ୍,ଆଜି ଯାଏ ମୁଁ ତାକୁ ମୋ ପାଖରେ କେତେ ଯତ୍ନରେ ରଖିଛି। ଏ ଲକେଟ ମୋ ବେକରେ ଥିଲେ ଲାଗେ ତୁ ମୋ ପାଖରେ ଅଛୁ। ମୋର ବହୁତ ଇଚ୍ଛା ଯେ ମୋ ଅନ୍ତେ ଏ ଲକେଟ କୁ ମୋ ଝିଅ ପିନ୍ଧୁ। ମାତ୍ର ମୋ ସଉତୁଣୀ ମୋ ପାଖରୁ ଏ ଲକେଟ ଛଡାଇନେବାକୁ ଅନେକ ଥର ଚେଷ୍ଟା କଲାଣି। ଏପରି କି ବିନୋଦ କୁ ମିଛସତ କହି ଅନେକ ଥର ମାଡ ମରାଇ ସାରିଲାଣି। ମୁଁ କିନ୍ତୁ ସେମାନଙ୍କୁ ଏ ଲକେଟ ଛୁଆଁଇ ମଧ୍ଯ ଦେଇନାହିଁ। ମୋ ଝିଅ 

ପିନ୍ଧିବ ଏ ସୁନ୍ଦର ଲକେଟ୍। ଏବେ ତୋ ପାଖରେ ଥାଉ, ତୁ ନିଜ ହାତରେ ମୋ ଝିଅ ବେକରେ ପିନ୍ଧେଇବୁ ଓ ତାକୁ ତୋ ଝିଅ ପରି ଦେଖିବୁ। 

ଏତିକି କହି ସାରିବା ବେଳକୁ ମଧୁ ର କଣ୍ଠ ସ୍ବର ବିକୃତ ଶୁଭିବାକୁ ଲାଗିଲା। ସେ ବ୍ଯସ୍ତ ହୋଇ ତା ଶାଶୁ ଘର ଆଡକୁ ଦେଖିବାକୁ ଲାଗିଲା। ସେତିକି ବେଳକୁ ମିତା ନାକ ରେ ବାଜିଲା ପୋଡି ଯାଇଥିବା ମାଂସର ଉତ୍କଟ ଗନ୍ଧ। ସେ ବ୍ଯତିବ୍ଯସ୍ତ ହୋଇ ପଚାରିଲା- - ମଧୁ ତୋତେ ମାଂସ ପୋଡିଯିବାର ଗନ୍ଧ ଜଣା ପଡୁଛି? ମଧୁ କିଛି କହିବାକୁ ଚେଷ୍ଟା କରୁଥିଲା ମାତ୍ର କହି ପାରିଲାନି। କେବଳ ଗଁ ଗଁ ଶବ୍ଦ ଶୁଭିଲା। କଲିଂ ବେଲ୍ ଅନବରତ ବାଜିବା ଶୁଣି ମଧୁ କୁ ଟିକେ ଅପେକ୍ଷା କରିବାକୁ କହି ମିତା ତରତର ହୋଇ ତଳକୁ ଗଲା। କବାଟ ଖୋଲିବା ବେଳକୁ ତା ବାପାମାଆ ମୁହଁ ଶୁଖାଇ ଛିଡା ହୋଇଛନ୍ତି। ବ୍ଯସ୍ତ ହୋଇ ମିତା ପଚାରିଲା- - କଣ ହୋଇଛି ଯେ, ନରିକାକା ଠିକ୍ ଅଛନ୍ତି ତ? ମିତାର ମାଆ 


କହିଲେ- - ମୋ ଧନ ଟା ପରା, ମୁଁ ଯାହା କହିବି ଶୁଣିବା ପରେ ବ୍ଯସ୍ତ ହୋଇ ପଡିବୁନି। ମାଆଙ୍କ ପାଖରୁ ଏପରି ଶୁଣି ମିତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା। କାରଣ ତା ସ୍ବାମୀ ଓ ପୁଅ ଅନ୍ଯ ସହର କୁ ଯାଇଥିଲେ। ସେ କିଛି ପଚାରିବା ପୂର୍ବରୁ ମିତାର ମାଆ କହିଲେ- - ତୋ ସାଙ୍ଗ ମଧୁ ………

- - - ମଧୁ, ଆରେ ମାଆ ତୁମେ ଯିବାର କିଛି ସମୟ ପରେ ମଧୁ ମୋ ପାଖକୁ ଆସିଲା। ଆମେ ଦୁଇ ଜଣ ଛାତ ଉପରେ ବସି ସେତେବେଳୁ ଗପ କରୁଛୁ। କଲିଂ ବେଲ ବାଜିବାରୁ ମୁଁ ତଳକୁ ଆସିଲି,ଏବେ ବି ମଧୁ ଛାତ ଉପରେ ବସିଛି।

ମଧୁର ମାଆ ହଠାତ୍ କାନ୍ଦି ଉଠି କହିଲେ- - ତୁ ଏ କଣ କହୁଛୁ ମିତା, ମଧୁ ତୋ ପାଖକୁ କେମିତି ଆସିବ? ଆମେ ଯିବାର କିଛି ସମୟ ପରେ ମଧୁର ଶାଶୁଘର ଲୋକେ ତାକୁ ଘର ଭତରେ ବନ୍ଦ କରି ପେଟ୍ରୋଲ ପକେଇ ଜାଳି ଦେଇଛନ୍ତି। ଛଟପଟ ହୋଇ ପ୍ରାଣ ବଞ୍ଚାଇବାକୁ ବିଚାରି ବହୁତ ଚେଷ୍ଟା କଲା ମାତ୍ର ପାରିଲାନି। ଦମକଳ ଆସି ପହଞ୍ଚିବା ବେଳକୁ ଏତେ ସୁନ୍ଦର ଝିଅଟା ଶେଷରେ ଏକ ପୋଡା ମାଂସପିଣ୍ଡୁଳା ପାଲଟି ସାରିଥିଲା। ବାହାଘର ପରଠାରୁ ଶ୍ବଶୁରଘର ଲୋକେ ତାକୁ କେତେ ଯନ୍ତ୍ରଣା ଦେଇଛନ୍ତି ତାର ହିସାବ ନାହିଁ। ସେସବୁ ତୋତେ ପରେ କହିବି। ଭଗବାନଙ୍କ କୃପାରୁ ମଧୁର ଝିଅ ପାଖ ଘରକୁ ଖେଳିବାକୁ ଯାଇଥିଲା ନହେଲେ ତାକୁ ବି ଏ ଅସୁର ମାନେ ଛାଡି ନ ଥାଆନ୍ତେ। ଖବର ପାଇ ପୋଲିସ୍ ଆସି ମଧୁର ସ୍ବାମୀ,ଶାଶୁ ଶ୍ବଶୁର ଓ ସଉତୁଣୀକୁ ହତ୍ଯା ଅପରାଧରେ ଗିରଫକରି ଜେଲକୁ ନେଇ ସାରିଲେଣି। 

ମାଆ କ'ଣ ସବୁ କହି ଚାଲିଥିଲେ ସେସବୁ ଶୁଣିବାର ଧର୍ଯ୍ଯ ନ ଥିଲା ମିତାର। ସେ ପଡିଉଠି ଦୌଡିଲା ଛାତ ଉପରକୁ। ଛାତ ଉପରେ କେହି ବି ନ ଥିଲେ, କେବଳ ଥିଲା ଦୁଇଟି ଚାହା କପ୍। ଗୋଟିଏ କପ୍ ଖାଲିଥିଲା ଓ ଅନ୍ଯ କପ୍ ରେ ଚାହା ଥିଲା। ପାଗଳଙ୍କ ପରି ମିତା ଛାତ ଉପରେ ଦୌଡି ଖୋଜି ଚାଲିଥିଲା ମଧୁ କୁ। କିଛି ସମୟ ପୂର୍ବରୁ ମଧୁ ଯେଉଁ ଆଡକୁ ଚାହିଁ ରହିଥିଲେ ସେ ଦିଗ କୁ ନିରେଖି ଦେଖିଲା ମିତା। ସେ ଦେଖିପାରୁଥିଲା ଏକ ଘର ପାଖରେ ଲୋକଙ୍କ ଗହଳି ଓ ସେହି ଘର ଭିତରୁ ଉଠୁଥିବା ଧୂଆଁର ଏକ ପତଳା ଆକୃତି କୁ। ମିତାର ମାଆ କିଛି ବୁଝିପାରୁ ନ ଥାଆନ୍ତି। ସେ କେବଳ ପଚାରି ଚାଲିଥାଆନ୍ତି- – କ'ଣ ହୋଇଛି ତୋର ମିତା, ତୁ ଏମିତି କାହିଁକି ହେଉଛୁ। ମଧୁ ମରି ସାରିଛି, ସେ ତୋ ପାଖକୁ କେମିତି ଆସିବ।

- - ମୁଁ ମିଛ କହୁନି ମାଆ। ସେ ମୋ ପାଖକୁ ଆସିଥିଲା। ମୋ ପାଖରେ ବସି ତା କଷ୍ଟର ପ୍ରତ୍ଯକଟି ଘଟଣା କହିଲା। ତୋତେ ବିଶ୍ବାସ ହେଉନି ଯଦି ଦେଖ୍ ଏ ନୀଳ ଲକେଟ୍ କୁ ଯାହା ମୋତେ ସେ ଦେଇଥିଲା ତା ଝିଅ କୁ ଦେବା ପାଇଁ । ମିତା ଓ ତା ମାଆ ସେ ନୀଳ ଲକେଟ୍ କୁ ଚାହିଁ ରହିଥିଲେ। ମଧୁ ର ଶାଶୁ ଘରୁ ଉଠୁଥିବା ଧୂଆଁ ଧିରେ ଧିରେ ଲିଭି ଆସୁଥିଲା ସେତେ ବେଳକୁ।


Rate this content
Log in

Similar oriya story from Horror