STORYMIRROR

Anuradha Nath

Inspirational

3  

Anuradha Nath

Inspirational

ନୀଳ ଶାଢ଼ୀ

ନୀଳ ଶାଢ଼ୀ

2 mins
272

ସବୁଦିନ ପରି ସେଦିନ ମଧ୍ୟ ଵୋଉ ନୀଳ ଶାଢ଼ୀଟି ପିନ୍ଧିଥିଲା । ଭଲ ଲୁଗା କହିଲେ ଏଇ ନୀଳ ଶାଢ଼ୀ ଖଣ୍ଡିକ।

କେଵେ ମଧ୍ୟ ନୂଆ ଲୁଗା ସେ କିଣେନି। ମାଉସୀ ମାନଙ୍କ ପୁରୁଣା ଲୁଗାରେ ତାର ହୋଇଯାଏ।

କେତେ ଥର ଵୋଉକୁ ନେଇ ଶାଢୀ ଦୋକାନ ଯାଇଛି। କିନ୍ତୁ ଵୋଉ କିଛି ନା କିଛି ଵାହାନା କରି ଫେରି ଆସେ। ଏମିତି କି ଜଦି ମୁଁ କେଵେ ନୂଆ ଶାଢୀ ଖଣ୍ଡେ କିଣିକି ଦିଏ। ସେ ମୁଁ ଅଫିସ୍ ଗଲାପରେ ତାକୁ ଫେରାଇ ମୋ ପାଇଁ ପ୍ୟାଣ୍ଟ ସାର୍ଟ କିଣିଦିଏ ।

ସେ ଶାଢୀ କୁଆଡେ ମୋ ଆଈ, ମୋ ଵୋଉର ଵାହାଘରରେ ଦେଇଥିଲା। ଵାହାଘରର କିଛି ବର୍ଷ ପରେ ଵାପା ପାରିବାରିକ ଜଞ୍ଜାଳରୁ ମୁକ୍ତ ହେବା ପାଇଁ କୁଆଡ଼େ ଚାଲିଗଲେ। କେହି କେହି କହନ୍ତି ସେ ସନ୍ୟାସୀ ହୋଇ ଯାଇଛନ୍ତି। ଆଉ କେହି କେହି କୁହନ୍ତି ସେ କୁଆଡ଼େ ନାମ ପରିବର୍ତ୍ତନ କରି ଆଉ ଜଣେ ମହିଳାଙ୍କ ସହ ରହୁଛନ୍ତି। ଛୋଟ ବେଳୁ ଵୋଉ ପର ଘରେ କାମ କରି ସେ ମତେ ଅଫିସର୍ କରିଛି। ଆଜି ମୁଁ କିଛି ଦେବାକୁ ଚାହିଁଲେ ସେ ନେଉ ନାହିଁ ।

ସେଦିନ କେତେକରି କହିଥିଲି, ମୋ ଅଫିସ୍ ର ବଡ ବଡ କର୍ମଚାରୀ ଆସିଵେ, ମୁଁ ଦେଇଥିବା ନୂଆଁ ପାଟଟି ପିନ୍ଧିଦେଵୁ। କିନ୍ତୁ ସେଦିନ ମଧ୍ୟ ସେ ତା ଜିଦ୍ ରେ ଅଟଳ ।

ଯେତେବେଳେ ଵୋଉ ମୋ ପାଖକୁ ଆସି କହିଲା ଖାଇଲୁଣି କି ଧନ। ସେତେବେଳେ ମୋ ରାଗ ଚଢିଗଲା ପଞ୍ଚମକୁ। କହିଲି, ମୁଁ ଖାଇଲି ନଖାଇଲି ତୋର କଣ ଗଲା ? ତୁ କେଵେ ମଧ୍ୟ ମୋର ମୁହଁରେ ହସ ଦେଖିବାକୁ ଚାହୁଁନାହିଁ। ସେଥିପାଇଁ ଆଜି ମଧ୍ୟ ସେ ପାଟ ଶାଢ଼ୀକୁ ଛାଡି ଏଇ ନୀଳ ଶାଢ଼ୀଟି ପିନ୍ଧିଛୁ । କେତେକରି କହିଥିଲି ମୋ ଅଫିସ୍ ର ବଡ କର୍ମଚାରୀ ମାନେ ଆସିଵେ। ଯଦି ତୋର ପିନ୍ଧିଵାର ନଥିଲା, ହଁ କାହିଁକି ହଁ କରିଥିଲୁ। ଵୋଉ କିଛି ନକହି ଚାଲିଗଲା। କିଛି ସମୟ ପରେ ମୋ ଝିଅ ଲିଆ ଆସି କହିଲା ଯାଣିଛ ଵାପା ଆଜି କଣ ହୋଇଛି?

ତମେ ଜେଜେମାଙ୍କୁ ନୂଆଁ ଶାଢୀଟି ଦେଇଥିଲ, ସେଇଟା ଜେଜେମା ପିନ୍ଧିଥିଲା। ଆଈ ଆଉ ମାମା ଜେଜେମା ଠାରୁ ନେଇଗଲେ। ଆଈ କହୁଥିଲେ,ସମୁଦୁଣୀ ତମର ଆଉ କଣ ବୟସ ଅଛି ଯେ ଏ ପାଟ ପିନ୍ଧିବ , ମୋ ଝିଅକୁ ଏଇଟା ଵେଶ୍ ଭଲ ମାନିଵ। ତା ପରେ ଜେଜେମା ଶାଢୀଟି ଖୋଲି ମାମାକୁ ଦେଇଦେଲା।

ମୁଁ ଏତିକି କଥା ଶୁଣି ଦଉଡିଲି ଵୋଉ ପାଖକୁ। ଆଉ କହିଲି ମୋ ଵୋଉ ବହୁତ ସୁନ୍ଦର, ଲକ୍ଷ ଲକ୍ଷ ପାଟ ଶାଢ଼ୀ ତା ଆଗରେ କିଛି ନୁହେଁ। ମୋ ଆଖିରୁ ଲୁହ ଵୋହିଗଲା। ଆଉ ସେ, ତା ନୀଳ ଶାଢ଼ୀ କାନିରେ ମୋ ଲୁହ ପୋଛି ଦେଲା।

ଆଜି ସେ ଘଟଣା ବହୁ ବର୍ଷ ବିତି ଗଲାଣି। ଵୋଉ ମଧ୍ୟ ଏ ଦୁନିଆରେ ନାହିଁ। ତଥାପି ଆଲମିରାରେ ସାଇତା ତା ନୀଳ ଶାଢ଼ୀକୁ ସ୍ପର୍ଶ କଲେ ଲାଗେ ଆଜି ଵି ସେ ତା ପଣତରେ ମତେ ଜାବୁଡ଼ି ଧରିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational