Pramod Kumar Jena

Inspirational

3  

Pramod Kumar Jena

Inspirational

ନେଲେ ଦେଲେ ବନ୍ଧୁ ସୁନ୍ଦର

ନେଲେ ଦେଲେ ବନ୍ଧୁ ସୁନ୍ଦର

2 mins
604



       ଏ ମାଷ୍ଟ୍ରଙ୍କୁ ବାହା ହେଲେ ସୁବିଧା ଯେତିକି, ଅସୁବିଧା ସେତିକି । ଘରୁ ବାହାରିଲେ ହଜାରେ ଜୁହାର, ଦି ହଜାର ସଲାମ । କିନ୍ତୁ, ଅସୁବିଧାଟା ହେଲା ଭାଷଣ । ଇଚ୍ଛା ଥିଲେ ଶୁଣ, ନ ଥିଲେ ବି ଶୁଣ । ଅବଶ୍ୟ ଏମାନଙ୍କ ପାଖରେ ଅକାଟ୍ୟ ଯୁକ୍ତି ଥାଏ । ସବୁ ଶୁଣିବା ପରେ ଲାଗେ, ସବୁ କଥାଗୁଡିକ ଠିକ୍ । ଗୋଟେ ବି ଅବାନ୍ତର ଲାଗେନା । ବରଂ ଆମର ପ୍ରଶ୍ନ, ଆମର ସନ୍ଦେହ ସବୁ ଅମୂଳକ ଲାଗେ । ଭାଷଣଠୁ ବେଶି ଶିକ୍ଷକଙ୍କ ନିମନ୍ତ୍ରଣ । କାହାର ବାହାଘର, କାହାର ବ୍ରତଘର, କାହାର ପିଲା ଏକୋଶିଆ, କାହାର ସ୍ୱନକ୍ଷତ୍ର......। ସବୁଥିରେ ଯୋଗ ଦେବାକୁ ପଡିବ । ଆମେ ପରା ଶିକ୍ଷକ । ସମାଜକୁ ଆଉ କ’ଣ ଶିକ୍ଷା ଦେବାର ଅଛି । ସେଥିପାଇଁ ଆମେ ଶିକ୍ଷକଙ୍କ ପତ୍ନୀମାନେ ଭାବୁ ଏ ପ୍ରାଣୀଗୁଡିକ ଅନ୍ୟ ଏକ ପୃଥିବୀର । ସବୁ ଭୋଜିକୁ ଯିବା କ’ଣ ନିହାତି ଦରକାର ? ଆଉ କ’ଣ ଆଗ ଭଳି ସ୍ୱାସ୍ଥ୍ୟ ଅଛି ? ବେଶୀ ମିଠା, ତେଲ, ମସଲା କ’ଣ ଭଲ ? ଯଦି ବାରଣ କରିବ, କହିବେ ଆରେ ଶ୍ରୀମତି ! ସେଇଟା ଡାକ୍ତରଙ୍କ କାମ । ତାଙ୍କୁ ତାଙ୍କ କାମ କରିବାକୁ ଦିଅ ।


ଆଜି ସେହି ଅବସ୍ଥା । ଜଣେ ଛାତ୍ରଙ୍କ ପୁଅର ସ୍ୱନକ୍ଷତ୍ର । ଗାଡିରେ ବସି ସାରିଲେଣି । ଡ୍ରାଇଭର୍ ହର୍ଣ୍ଣ୍ ବଜାଉଛି । ଆରେ ବାବା ! ସବୁ ଘରର ଝର୍କା କବାଟ ବନ୍ଦ କରିବାକୁ ପଡିବ । ତାଲା ଦେବାକୁ ପଡିବ । ସବୁ ଆଡେ ତ ଚୋର । ବେଶି ପ୍ରସାଧାନ ନ କଲେ ବି କିଛିଟା ତ କରିବ ? ଯେତେହେଲେ ପ୍ରଫେସରଙ୍କ ସ୍ତ୍ରୀ । ଆମେ ତ ଆଉ ପୁରୁଷ ନୁହେଁ ଯେ, ଯା’ହେଲେ ଦୁଇ ଖଣ୍ଡ ଗଳେଇ ହେଇଗଲେ ଚଳିବ । ମନେ ମନେ କହିଚାଲିଲେ ପ୍ରଫେସର୍ ପଟ୍ଟନାୟକଙ୍କ ପତ୍ନୀ । ଶେଷରେ ଯାଇ ବସିଲେ ପ୍ରଫେସରଙ୍କ ସହ ପଛ ସିଟରେ । ପଚାରିଲେ ପ୍ୟାକେଟ୍ ଆଣିଛ ? କେତେ ରଖିଲ ? ପ୍ରଫେସର୍ କିଛି ଉତ୍ତର ଦେବା ପୂର୍ବରୁ ଶ୍ରୀମତି କହି ଚାଲି ଥାଆନ୍ତି, ନିମନ୍ତ୍ରଣ କରିବ, ଆଉ ପ୍ୟାକେଟ୍ ଉପରେ ନଜର ରଖିବ । ଟିକେ ହସି ପ୍ରଫେସର୍ କହିଲେ, ସରିଲା……? ନା ଆଉ କିଛି ବାକି ଅଛି ?


       : ଗୋଟେ ପ୍ରହସନ ଚାଲିଛି । ଗର ଗର ହେଉଥାନ୍ତି ଶ୍ରୀମତି ।

       : ଦେଖ ଶ୍ରୀମତି ! ଏଇଟା କିଛି ପ୍ରହସନ ନୁହେଁ । ଆଗେ କ’ଣ ନଥିଲା ? ବରଂ ବେଶି ଥିଲା । ଲୋକେ ବେଭାର ହିସାବରେ ଡାଲି, ଚାଉଳ, ପରିବା, ଟଙ୍କା, ସୁନା, ବାସନ-କୁସନ ମଧ୍ୟ ଦେଉଥିଲେ । ଏଇଟା ଆମର

ସାମାଜିକ ପରମ୍ପରା । ସେତେବେଳେ ଏହାକୁ ସାମୂହିକ ଦାୟିତ୍ୱ ହିସାବରେ ତୁଲାଉଥିଲେ । ଏବେ ସମୟ ବଦଳିଯାଇଛି । ସମୟର ସାଙ୍ଗେ ସାଙ୍ଗେ ସବୁ କିଛି ବଦଳି ଯାଇଛି । ପରବର୍ତ୍ତୀ ସମୟରେ ଏଇଟା ଉପହାର । ଏବେ ଏଇଟା ପ୍ୟାକେଟରେ ପରିବର୍ତ୍ତିତ ହୋଇ ଯାଇଛି । ଏଇଟା ଖରାପ ନୁହେଁ । ଯେଉଁମାନେ ଆମକୁ ନିମନ୍ତ୍ରଣ କରୁଛନ୍ତି, ସେମାନେ ଆମକୁ ତାଙ୍କର ବନ୍ଧୁ ବୋଲି ଭାବୁଛନ୍ତି । ଯଦି ଆମେ ଯାହା ଦେବା, ସେଥିରେ କିଛି ସ୍ନେହ ଆଉ ଆଶୀର୍ବାଦ ଦେବା, ତାହା ଅମୃତ ହୋଇଯିବ । ଯଦି ଆମେ ଘୃଣା ଆଉ ଦ୍ୱେଷରେ ଦେବା, ତେବେ ତାହା ବିଷ ହୋଇଯିବ ।


       ମୋ ବୋଉ କହୁଥିଲା, ଖାଲି ନେଲେ ଭଲ ନୁହେଁ କି ଖାଲି ଦେଲେ ବି ଭଲ ନୁହେଁ । ନେଲେ ଦେଲେ ବନ୍ଧୁ ସୁନ୍ଦର ।

      



Rate this content
Log in

Similar oriya story from Inspirational