STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ନାରୀ

ନାରୀ

1 min
400


ଦୀପାବଳୀ ରେ ମାଆ ଦିଲ୍ଲୀରେ ଥିଲା. ଦିଲ୍ଲୀରେ ଦୀପାବଳୀ ପାଳନ ସମ୍ପୂର୍ଣ୍ଣ ନିଆରା ଥିଲେ ବି ଖାନନଗରରେ ଥିବା ଗୃହ ଗୁଡିକ ଆଲୋକିତ ହୋଇଥିବା ଦେଖି ମାଆ ଖୁସି ହୋଇଥିଲା. ଯଥାବିଧିପୂର୍ବକ କାଉଁରିଆ କାଠି ଯୋଗାଡ଼ କରି ତୁଳସୀ ଚଉରା ମୂଳେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆ ଜାଳି ବାପାଙ୍କ ହାତକୁ ବଢ଼େଇ ଦେଇ ସେସବୁ କହୁଥିଲା, ବଡ଼ବଡ଼ୁଆ ହେ ଅନ୍ଧାରେ ଆସି ଆଲୋକେ ଯାଅ.... ମୋ ପରିବାରକୁ ସହାୟ ହୁଅ. 

  ହେଲେ ଅଁଳାନବମୀରେ ମାଆ ଖୋଜି ହେଉଥିଲା ଅଁଳା ଗଛ, ଚିନ୍ତିତ ହୋଇପଡିଲା ମାଆ, ଖୋଜିହେଉଥିଲା ରାଧାକୃଷ୍ଣ ମନ୍ଦିର. ରାଧାକୃଷ୍ଣଙ୍କ ଫୋଟୋ ପୂଜା କରି, ରାଧାଙ୍କ ପାଦ ଦର୍ଶନ କରିବା ସୌଭାଗ୍ୟ ସିନା ମିଳିଗଲା ତାକୁ ହେଲେ ଅଁଳା ଗଛ ଖୋଜା ଚାଲିଥାଏ . ଶେଷକୁ ବହୁ କଷ୍ଟରେ ଚାନ୍ଦିନୀଚୌକରୁ ମିଳିଗଲା ଅଁଳା ଗଛ ତ କି ଖୁସି ମାଆର, ଅଳ୍ପ ଜାଗାରେ ଜରି ମଧ୍ୟରେ ମାଟି ଭରି ଅଁଳା ଗଛ ଲଗେଇ ପୂଜା କରି ସାରି ସନ୍ତୁଷ୍ଟ ହେଲା ମାଆ l

  ପ୍ରଥମାଷ୍ଟମୀ ପାଖେଇ ଆସୁଛି, ଏଵେ ମାଆ ହଳଦୀପତ୍ର ଖୋଜିବ, ବନ୍ଦାପନା ପାଇଁ ସବୁ ମିଳିଯିବ ହେଲେ ବାପା ପୁଅ ହଳଦୀପତ୍ର କୋଉଠୁ ପାଇବେ ଚିନ୍ତାରେ ଥିଲା ବେଳେ ହିନ୍ଦୁ ପଡୋଶୀଙ୍କ ସହ ସାଙ୍ଗ ହୋଇ ତାଙ୍କଠୁ ହଳଦୀ ପତ୍ର ପାଇ ଖୁସିରେ ପିଠା କରି ବନ୍ଦାପନା କରିଥିଲା l

  କାର୍ତ୍ତିକପୂର୍ଣ୍ଣମୀରେ କଦଳୀପାଟୁକାରେ ଡ଼ଙ୍ଗା କରି ଭସାଇଥିଲା ପାଣି କୁଣ୍ଡରେ, ଆଉ ସେହି ଦିନ ବାପା ଓ ପୁଅ ସହ ଯାଇଥିଲା ସ୍ୱାମୀନାରାୟଣଙ୍କ ମନ୍ଦିର ବା ଅକ୍ଷରଧାମ, ସେଠାରେ ଆଲୋକ ଓ ପାଣିର ଅଦ୍ଭୁତ ସଂଯୋଗରେ ସୃଷ୍ଟିରେ ଚମତ୍କୃତ ହୋଇ ବି ପଚାରୁଥିଲା, ଏଠାରେ ଡ଼ଙ୍ଗା ଭସାଇବା ସୁବିଧା ନାହିଁ? ଆଉ ମନେ ପକାଉ ଥିଲା ପୁରୀର ମାର୍କଣ୍ଡ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ, ଶ୍ଵେତଗଙ୍ଗା, ମଣିକର୍ଣ୍ଣିକା ଆଦି ପଞ୍ଚୁତୀର୍ଥକୁ. ପରମ୍ପରା ଓ ସଂସ୍କୃତି ନାରୀମାନଙ୍କର ଯେ ଅସ୍ଥିମଜ୍ଜାଗତ, ଏକଥା ବୁଝିବାକୁ ବାପା ପୁଅଙ୍କୁ ସମୟ ଲାଗିନଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational