ନାରୀ ଓ ନପୁଂସକ
ନାରୀ ଓ ନପୁଂସକ
: ' କ'ଣ ଭାଇ ! ଏତେ ଦିନେ କେମିତି ମୋ କଥା ମନେ ପଡ଼ିଲା ?' ସମ୍ବିତର ଫୋନ ରିସିଭ୍ କରୁକରୁ କହିଲା ସରିତ୍।
: ' ମୋତେ ଜଣେ ନପୁଂସକର ମାନେ ପଚାରୁଥିଲା।ସେଇଠୁ ତୋ କଥା ମନେ ପଡିଗଲା। ' ସମ୍ବିତ କହିଲା।
: ' କ'ଣ କହିଲୁ ତୁ ? '
: ' କ'ଣ ଆଉ କହିବି ! ତୁ କେମିତି ବାହା ହେବାକୁ ରାଜି ନ ଥିଲୁ, ତୋ ଭାଇ ତତେ ବାଧ୍ୟ କଲେ, ତୁ ବାହା ହୋଇଗଲୁ,ତୋ ସ୍ତ୍ରୀ ତୋ ସାଙ୍ଗରେ ସବୁରାତି ଝଗଡ଼ା କଲା, ଶେଷରେ ସେ କେମିତି ସବୁଦିନ ପାଇଁ ବାପଘରକୁ ଚାଲିଗଲା - ସେଇ ସବୁ କଥା କହିଲି।ସେ ବୁଝିଗଲା।'
: ' କ'ଣ ବୁଝିଲା ସେ ? '
: ' ବୁଝିଲା ନପୁଂସକ ଗୋଟେ ଅଯୋଗ୍ୟ, ସଚ୍ଚୋଟ ଓ ଉଦାସ ପୁରୁଷ। '
: ' ଠିକ୍ ବୁଝିଛି ସେ।ହେଲା, ଘରକୁ କେବେ ଆସୁଛୁ ? '
: ' ଦେଖିବା - - - -, ଆସନ୍ତା ମାସରେ ଯିବି ଭାବିଛି। '
ଏତିକି କଥାରେ ଫୋନ କଟିଗଲା।
ଘରେ ସମ୍ବିତର ସୁନ୍ଦରୀ ସ୍ତ୍ରୀ ଆଳ୍ପନା।ସବୁଦିନେ ଆଳ୍ପନା ପାଖକୁ ଯାଏ ସରିତ୍।ପାଖରେ ବସି ଗପେ।ରୂପ ଗୁଣର ପ୍ରଶଂସା କରେ।ସମ୍ବିତକୁ ଗୋଟେ ଖୁବ୍ ଭଲ ପିଲା ବୋଲି କହେ।
ଦିନେ ସମ୍ବିତର କଥା ପଡୁପଡୁ ଆଳ୍ପନା କହିଲା - ' କେମିତି ପୁରୁଷ କେଜାଣି ! ମାସ ମାସ ଧରି ଘରକୁ ଆସିବା ନାଁ ଧରୁନାହାନ୍ତି।'
ସରିତ୍ କହିଲା - ' ସେମିତି କିଛି ନୁହେଁ।ହୁଏତ କାର୍ଯ୍ୟ ଚାପ ଯୋଗୁଁ ଆସି ପାରୁନଥିବ। '
ଆଳ୍ପନା ମୁର୍କି ହସଲା।ଭୋକିଲା ଆଖିରେ ସରିତ୍ ଆଡ଼କୁ ଚାହିଁଲା।ହେଲେ ସରିତ୍ ଯେତେବେଳେ ଘରକୁ ଫେରିବାକୁ ଉଠିଲା, କିଛି କହିଲା ନାହିଁ।
ଏମିତି ଚାଲିଥିଲା।
ଦିନେ ରାତିରେ ସରିତ୍ ଘରକୁ ଫେରିବାକୁ ଉଠିଲା ବେଳେ ଆଳ୍ପନା ସାହସ କରି ହସହସ ହୋଇ କହିଲା - ' କେବେ ତ ଦିନେ ମୋ ପାଖରେ ରହିବାକୁ ମନ କରୁନା ? ଦେଖୁଛି ତୁମ ସାଙ୍ଗ ଠାରୁ ତୁମେ ଆହୁରି ଭଲ ।ଆଉ କେହି ପୁରୁଷ ହୋଇଥିଲେ - - - - ,ଛାଡ଼ ସେକଥା। '
ସରିତ୍ କହିଲା - ' ହଁ,ତୁମେ ଠିକ୍ କହିଛ।ଜଣେ ପୁରୁଷ ସେପରି କରିପାରେ।ହେଲେ ଜଣେ ନପୁଂସକ ସେପରି କରିପାରିବନି।ଭାବିନିଅ ମୁଁ ଜଣେ ନପୁଂସକ। '
କଥାଟା କହିଦେଇ ଚଟକିନା ଉଠିଆସିଲା ସରିତ୍।
ଆଳ୍ପନା ପାଇଁ ସରିତ୍ ର ଏହି କଥାଟା ସେଦିନ କେମିତି କଡା ଆଉ ଅବୁଝା ହୋଇ ରହିଗଲା।
: ' ସମ୍ବିତକୁ ନପୁଂସକର ମାନେଟା ଆଳ୍ପନା ପଚାରିନାହିଁ ତ ! '
ଆଳ୍ପନାକୁ ସନ୍ଦେହ ପରିସରକୁ ଆଣିଲା ସରିତ୍।ତାକୁ ପୂରା ଲାଗିଲା କି ଆଳ୍ପନା ହିଁ ସମ୍ବିତକୁ ନପୁଂସକର ମାନେ ପଚାରିଛି।
ସଙ୍ଗେସଙ୍ଗେ ଆଳ୍ପନା ପାଖରେ ପହଞ୍ଚିଲା ସରିତ୍।
ସରିତ୍ କିଛି ପଚାରିବା ଆଗରୁ ଆଳ୍ପନା କହିଲା - ' ପୁରୁଷ କେବେ ନିଜକୁ ନପୁଂସକ ସାବ୍ୟସ୍ତ କରିପାରେନା,ବରଂ ନପୁଂସକ ନିଜକୁ ପୁରୁଷ ସାବ୍ୟସ୍ତ କରିପାରେ।ତାହା ତୁମେ ପ୍ରମାଣ କରି ଦେଖାଇ ପାରିଛ,ସରିତ୍।ତୁମକୁ ଶତ ଧନ୍ୟବାଦ।ମୋର ଭୁଲ୍ ପାଇଁ ମୁଁ ଦୁଃଖିତ।ମତେ କ୍ଷମା କରିଦବ। '
ଆଳ୍ପନା ତା'ର କଥା ସାରିଦେଇ ସରିତ୍ ଆଡୁ ମୁହଁ ବୁଲାଇ ଦେଲା।ଦୁଃଖୀ ଦିଶିଲା।
ସରିତ୍ ର ମୁହଁଟି ଦୁଃଖ ଓ ଅଭାବବୋଧରେ ଝାଉଁଳିଗଲା।