Kanan Bala Nayak

Tragedy

2.8  

Kanan Bala Nayak

Tragedy

ନାଲି ଶାଢୀ

ନାଲି ଶାଢୀ

3 mins
2.6K


ରାସ୍ତା ଉପରେ ଶାଢୀ ବାଲାଟା ଡାକି ଡାକି ଯାଉଛି ଶାଢୀ ନେବ ଶାଢୀ। ରଙ୍ଗ ବେରଙ୍ଗୀ ନାଲୀ, ନେଳି ଶାଢୀ। ସୋମବାର ଦିନ ସାବିତ୍ରୀ ବ୍ରତ। ପ୍ରତେକ ଓଡ଼ିଆ ସଧବା ନାରୀଙ୍କ ପ୍ରତିକ୍ଷିତ ପର୍ବ। ନିଜର ସତ୍ବୀତ୍ବ ବଳରେ ସାବିତ୍ରୀ ତାଙ୍କର ସ୍ବାମୀଙ୍କୁ ଏଇ ଦିନ ଯମରାଜାଙ୍କ କବଳରୁ ରକ୍ଷା କରିଥିଲେ ବୋଲି, ପ୍ରତ୍ୟେକ ହିନ୍ଦୁ ନାରୀ ବିଶେଷ କରି ଓଡ଼ିଶାର ସମସ୍ତ ସଧବା ନାରୀ ନିଜ ସ୍ବାମୀଙ୍କର ଲମ୍ବା ଆୟୁଷ ପାଇଁ ସେ ଦିନ ବ୍ରତ ପାଳନ କରନ୍ତି।

ସବୁ ସ୍ତ୍ରୀ ଲୋକଙ୍କ ପରି ମୋ ବୋଉ ମଧ୍ୟ ବାପାଙ୍କ ଲମ୍ବା ଆୟୁଷ ପାଇଁ ବ୍ରତ ପାଳନ କରି ଥାଆନ୍ତି। ଆଉ ବ୍ରତ ସରିବା ପରେ ନାଲୀ ରଙ୍ଗରେ ସୁନେଲୀ ବର୍ଡର ଥିବା ଶାଢୀଟିଏ ପିନ୍ଧି ବାପାଙ୍କୁ ପ୍ରଣାମ କରି କହନ୍ତି, ତୁମେ ମୋତେ ଆଶୀର୍ବାଦ କର ମୁଁ ଯେମିତି ତୁମ ହାତରୁ ସିନ୍ଦୂର, ଚୁଡି ଓ ଶାଢୀ ପିନ୍ଧି ସ୍ବର୍ଗଦ୍ବାରକୁ ଯାଏ। ନାଲୀ ବାନ୍ଧିଣି ଶାଢୀ ପ୍ରତି ବୋଉର ଭାରି ଦୁର୍ବଳତା।

ବାପା କହନ୍ତି ତୁମକୁ କଣ ଆଉ କିଛି ମାଗିବାର ନାହିଁ। ସବୁ ଥର ଖାଲି ସେଇ ଆଶୀର୍ବାଦ ମାଗୁଛ। ଆମେ ଦୁଇ ଜଣ ପରା ଦୁଇଟି ଶରୀର ଗୋଟିଏ ଆତ୍ମା, ତେଣୁ ଯଦି କେବେ ଯିବା ସାଙ୍ଗ ହୋଇଯିବା। ଆମ ପରିବାର କହିଲେ ବାପା, ମାଆ, ଦୁଇ ଭଉଣୀ ଓ ଏକମାତ୍ର ପୁଅ ମୁଁ ସମ୍ଭବ। ବାପା ଗାଁ ପାଖ ପ୍ରାଥମିକ ବିଦ୍ୟାଳୟରେ କିରାଣୀ ଚାକିରିଟିଏ କରନ୍ତି।

ମୋର ସେତେବେଳେ +2 ସେକେଣ୍ଡ ଇଅର। ସବୁ ବର୍ଷ ପରି ସେ ବର୍ଷ ମଧ୍ୟ ସାବିତ୍ରୀ ବ୍ରତ ପୂର୍ବରୁ ଗାଁକୁ ଆସୁଥିବା ଫେରିବାଲାଟି ଆମ ଗେଟ୍ ସାମ୍ନାରେ ଡାକ ଦେଲା। ନୂଆ ବୋଉ ସାବିତ୍ରୀ ବ୍ରତ ଆସିଲାଣି ପରା । ତୁମର ମନ ପସନ୍ଦର ବାନ୍ଧିଣି ନାଲି ଶାଢୀଟିଏ ଆଣିଛି ରଖିବ ନାହିଁ। ବୋଉ ବାହାରକୁ ବାହାରି କହିଲା ଏଥର ପୁଅର ଫର୍ମ ଫିଲପ୍ ଅଛି। ତେଣୁ ଶାଢୀ ରଖିବି ନାହିଁ। ଝିଆରୀ ବାହାଘର ବେଳେ ଗୋଟେ ଶାଢୀ ଦେଇଛନ୍ତି ସେଇଥିରେ ଚଳେଇ ନେବି। ସେ ବର୍ଷ ବାପା ତିନି ମାସ ଧରି ଦରମା ପାଇ ନ ଥିଲେ। ତା ଉପରେ ମୋର ଫର୍ମ ଫିଲପ୍।

ଫେରିବାଲା କହିଲା ମୁଁ କଣ ତୁମକୁ ଏବେ ପଇସା ମାଗୁଛି।ପରେ ଦେଇ ଦେବନି। ତୁମେ ବୋହୂ ହୋଇ ଏ ଗାଁକୁ ଆସିବା ପର ଠାରୁ ପରା, ପ୍ରତ୍ୟେକ ସାବିତ୍ରୀରେ ଏଇ ଶାଢୀ ମୋ ପାଖରୁ ନିଅ। ଏ ଥର ନ ନେଲେ ମୋତେ ଭଲ ଲାଗିବନି। ବୋଉ କିନ୍ତୁ ମୋର ପ୍ରଚଣ୍ଡ ସ୍ବାଭିମାନୀ। ପାଖରେ ପଇସା ନଥିଲେ ଉପାସରେ ଶୋଇ ଯିବ ପଛେ, କାହାଠୁ ଟଙ୍କାଟେ ଧାର ନେବନି। ତେଣୁ ସେ ନାନା କଥା କହି ବୁଝାଇ ଶୁଝାଇ ଫେରିବାଲାକୁ ଫେରାଇ ଦେଇଥିଲା।

ତା ପର ଠାରୁ କୌଣସି ନା କୌଣସି କାରଣରୁ ବୋଉ ସାବିତ୍ରୀ ଅମାବାସ୍ୟାରେ ଆଉ ତା ମନ ପସନ୍ଦର ନାଲୀ ଶାଢୀଟିଏ କିଣି ପାରେନି। ସବୁ ବେଳେ କିଛି ନା କିଛି ଖର୍ଚ୍ଚ ଲାଗି ରହେ। ଆଉ ବୋଉ କିଏ ବନ୍ଧୁ ବାନ୍ଧବ ଦେଇଥିବା ଶାଢୀରେ ଚଳାଇ ନିଏ।ବାପା ପଚାରିଲେ କହେ ମୋ ପୁଅ ବଡ଼ ହୋଇ ଚାକିରି କଲେ ମୋ ପାଇଁ ୟା’ ଠାରୁ ଭଲ ଶାଢୀ ଆଣି ଦେବନି। ତୁମେ ବ୍ୟସ୍ତ ହୁଅନି ଜମା।

ମୁଁ ଭଲ ନମ୍ବର ରଖି +2 ପାସ କଲି। ତା ପରେ ଇଞ୍ଜିନିୟରିଂ ପଢିଲି । ତା ପରେ ବାଙ୍ଗାଲୋରର ଗୋଟେ ଘରୋଇ କମ୍ପାନୀରେ ଉଚ୍ଚ ଦରମାରେ ଚାକିରିଟିଏ କରି ନିଜର ଘର ସଂସାର ମଧ୍ୟ କଲି। ନିଜ ଅଫିସ ଓ ଘର ସଂସାରରେ ଏମିତି ବୁଡି ରହିଲି ଯେ ବୋଉର ସେ ନାଲୀ ଶାଢୀ କଥା ମନରୁ ପୁରାପୁରି ପାଶୋରି ଦେଇ ଦେଇଥିଲି।

ଆଜି ଏତେ ବର୍ଷ ପରେ ଫେରିବାଲାର କଥା ଶୁଣି ସେ ପୁରୁଣା ସ୍ମୃତି ସବୁ ଆଖି ଆଗରେ ନାଚି ଉଠିଲା । କାଳ ବିଳମ୍ବ ନ କରି ସହରର ସବୁଠାରୁ ଭଲ ଶାଢୀ ଦୋକାନକୁ ଗଲି। ଆଉ ବୋଉ ପାଇଁ ଗୋଟେ ନାଲି ରଙ୍ଗରେ ସୁନେଲୀ ବର୍ଡର ଥିବା ଜୟପୁରୀ ପ୍ରିଣ୍ଟର ଦାମିକା ଶାଢୀଟିଏ କିଣିଲି।

ତାପରେ ଘରକୁ ଫେରି ସ୍ତ୍ରୀ ସରିତାକୁ କହିଲି ଶୀଘ୍ର ଜିନିଷ ପତ୍ର ପ୍ଯାକିଙ୍ଗ କର। କାଲି ସକାଳେ ଗାଁକୁ ଯିବା। ମୁଁ ବାପା ବୋଉଙ୍କୁ ସରପ୍ରାଇଜ୍ ଦେବାକୁ ଚାହେଁ। ମୁଁ ଟ୍ରେନ୍ ରେ ଟିକଟ କରି ଦେଇଛି। ବାଙ୍ଗାଲୋରରୁ ଆମ ଗାଁକୁ ଦୁଇ ଦିନର ରାସ୍ତା।

କେମିତି ଶୀଘ୍ର ଗାଁରେ ପହଞ୍ଚିବି ଆଉ ବୋଉକୁ ତା ପୂର୍ବ ରୂପରେ ଦେଖିବି ଭାବି ଭାବି ମୋତେ ଟ୍ରେନ୍ ରେ ଆଉ ନିଦ ହେଲାନି। ବୋଉର ସେ ନାଲୀ ଶାଢୀ ପିନ୍ଧା ରୂପଟା ଖାଲି ମୋ ଆଖି ଆଗରେ ନାଚି ଉଠୁଥାଏ।

ଠିକ୍ ସାବିତ୍ରୀ ବ୍ରତ ଦିନ ଗାଁରେ ପହଞ୍ଚିଲୁ। ସରପ୍ରାଇଜ ଦେବି ବୋଲି ଆଗରୁ କାହାକୁ କିଛି କହି ନଥିଲି। ଷ୍ଟେସନରେ ଓହ୍ଲାଇ ଅଟୋଟିଏ କରି ଗାଁକୁ ଗଲୁ।

ଘରେ ପହଞ୍ଚି ଦେଖିଲି ଘର ସାମ୍ନାରେ ଅନେକ ଲୋକଙ୍କ ଭିଡ। ମନକୁ ପାପ ଛୁଇଁଲା । କଣ ହୋଇଛି ବୋଲି ଭାବି ଘର ଭିତରକୁ ପଶି ଯାଆନ୍ତେ, ଗାଁର ଜଣେ ଖୁଡୀ କହିଲେ ତୋତେ କେତେ ଫୋନ୍ କଲୁଣି । ତୋ ଫୋନ୍ ଜମାରୁ ଲାଗୁ ନ ଥିଲା। ଶେଷ ସମୟରେ ତୋ ବୋଉ ଖାଲି ତୋତେ ଖୋଜୁଥିଲା। ମୋ ହାତରୁ ଶାଢୀଟା ଖସି ପଡିଥିଲା।

ବାପା ତ ପୁରାପୁରି ପଥର ପାଲଟି ଯାଇଥିଲେ।ମୁଁ ବାପାଙ୍କୁ କୁଣ୍ଢାଇ ଧରି କହିଲି, ବାପା ସତରେ ତୁମ ଆଶୀର୍ବାଦ କାମ କଲା। ଦେଖୁନ ସାବିତ୍ରୀଟାରେ କେମିତି ତୁମ ହାତରୁ ଶଙ୍ଖା ସିନ୍ଦୂର ପିନ୍ଧି ନୂଆ ବୋହୂ ସାଜି ସ୍ଵର୍ଗଦ୍ଵାରକୁ ଯାଉଛି। ମୋର ଖାଲି ବୋଉ କହିଥିବା କଥା ମନେ ପଡୁଥିଲା ଦେଖିବୁ, ମୁଁ ତୋ ବାପାଙ୍କ ଆଗରୁ ଚାଲିଯିବି। ମୁଁ ଗଲା ପରେ ମୋତେ ମୋ ପସନ୍ଦର ନାଲୀ ଶାଢୀ ପିନ୍ଧାଇ ବିଦା କରିବୁ। ମୁଁ ଆଣିଥିବା ଶାଢୀ ଟି ବୋଉକୁ ଘୋଡାଇ ଦେଇ କାନ୍ଦି କାନ୍ଦି କହିଥିଲି ବୋଉ ତୋ କୁଳାଙ୍ଗାର ପୁଅକୁ କ୍ଷମା କରିଦେ। ତୁ ବଞ୍ଚିଥିଲା ବେଳେ ତୋତେ, ମୁଁ ତୋ ପସନ୍ଦର ଶାଢୀଟିଏ ମଧ୍ୟ ପିନ୍ଧାଇ ପାରିଲିନି।


Rate this content
Log in

Similar oriya story from Tragedy