Bismita Sahoo

Inspirational

5.0  

Bismita Sahoo

Inspirational

ନାଲି ରିବନ

ନାଲି ରିବନ

3 mins
921


ସୁମି ଜାଣେ ତା ସ୍ବାମୀ ମନୋଜଙ୍କର ସୁନ୍ଦରୀ ମାନଙ୍କ ପ୍ରତି ଅହେତୁକ ଆକର୍ଷଣ। ସେ କେବଳ ସୁନ୍ଦରୀ ବୋଲି ମନୋଜ ଅନେକ ପ୍ରସ୍ତାବ ତ୍ୟାଗ କରି ତାକୁ ବାହା ହୋଇ ଆଣିଛନ୍ତି ବୋଲି ଶାଶୁ କୁହନ୍ତି। ନଚେତ ସୁମି ପରି ଗରିବ ଝିଅ ଏ ଘରେ ବୋହୂ ହେବା ସାତ ସ୍ବପ୍ନ।

ମାଉସୀ ଝିଅ ବାହାଘରକୁ ସୁମି ତା ମା ସାଙ୍ଗେ ଯାଇଥିଲା। ସେ ପିନ୍ଧିଥିଲା ନାଲିଆ ଫ୍ରକ ଓ ବେଣୀରେ ବାନ୍ଧିଥିଲା ଗୋଟେ ନାଲି ରିବନ। ବାହାଘରର ସାଜସଜ୍ଜା, ରଙ୍ଗ ବିରଙ୍ଗୀ ଲାଇଟରେ ସେ କେତେବେଳେ ଉଡୁଥିଲା ଚଢ଼େଇଟିଏ ହୋଇ ତା ମନ ଆକାଶରେ ତ ଆଉ କେତେବେଳେ ବେଙ୍ଗଟିଏ ସାଜି ଫୁକୁଫୁକୁ କରି ଡ଼େଉଁଥିଲା ତା ସ୍ୱପ୍ନର ଅଗଣାରେ। ମନୋଜ ଆସିଥିଲେ ବରଯାତ୍ରୀରେ। ତା ମାଉସୀ ଝିଅ ବରର ସାଙ୍ଗ ଥିଲେ ସେ। ସେଇଠୁ ତାକୁ ଦେଖି ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।

ସୁମିର ମା ଏ ବିବାହ ଖବର ଶୁଣି ଚମକି ପଡ଼ିଥିଲେ। କାହିଁ ରାମଚନ୍ଦ୍ର ତ କାହିଁ ରାମିଆ ଭଣ୍ଡାରୀ? ଏଡ଼େ ବଡ଼ ଘରେ ସେ ସମ୍ପର୍କ ବାନ୍ଧିବେ କେମିତି? ସୁମି ବାପାଙ୍କ ସୀମିତ ଆୟରେ ସେମାନେ କୌଣସି ମତେ ଚଳି ଯାଉଛନ୍ତି। ସେ ଜାଣିଛନ୍ତି ଝିଅ ତାଙ୍କର ସେଠି ବାହାହେଲେ ରାଣୀ ପରି ରହିବ। ନା ନା ରେ ବଢ଼ି ଆସିଥିବା ଝିଅଟିର ଭାଗ୍ୟ ଝଲମଲ କରିବ , କିନ୍ତୁ ତାଙ୍କ ପାଖରେ ଏତେ ପଇସା କାହିଁ ଯାନୀ ଯୌତୁକ ପାଇଁ?

ସୁମିମା'ର ମନକଥା ମନୋଜ ବୁଝି ପାରିଥିଲେ। ସେ କହିଥିଲେ ମୋର ଯୌତୁକରେ କିଛି ଦରକାର ନାହିଁ ଖାଲି ସେ ନାଲି ରିବନଟି ଦରକାର ଯୋଉଟା ତା ମାଉସୀ ଝିଅ ବାହାଘରରେ ସୁମି ବାନ୍ଧିଥିଲା। ଏ କଥା ଶୁଣି ସୁମି ଓ ତା ବାପା, ମା ହସି ହସି ବେଦମ ହେଇ ଯାଇଥିଲେ। ସେଇ ଦିନଠୁ ସୁମି ସଯତ୍ନରେ ନାଲି ରିବନ ଟିକୁ ସାଇତି ରଖିଛି। ତା ସୁନ୍ଦର କେଶରାଜି ପ୍ରତି ମନୋଜଙ୍କର ଭାରି ଲୋଭ। ସୁମି ଯେତେବେଳେ ଚାଲେ ଅଂଟା ଯାଏ ପଡିଥିବା ଲମ୍ବା ବେଣୀଟି କୁଆଡେ ଆକାଶରେ ବିଜୁଳି ପରି ଚିକ୍ ମିକ୍ କରେ ବୋଲି ମନୋଜ କୁହନ୍ତି। ସେଥିପାଇଁ ସୁମି କେବେ ବି ମନୋଜଙ୍କର ଓ ନିଜର ଏଇ କୁନ୍ତଳ ଗୁଚ୍ଛର ଅବହେଳା କରେନି।

ସମୟର ଚକ ସହିତ ତାଳ ଦେଇ ସୁମିର ଜୀବନ ରଥ ଗଡ଼ି ଚାଲିଛି। କିଛି ଦିନ ହେବ ତା'ର ତଳି ପେଟ ଓ ପିଠିରେ ଅସହ୍ୟ ଯନ୍ତ୍ରଣା। ଅନେକ ଔଷଧ ଖାଇ ଖାଇ ତାକୁ ଅରୁଚି ଲାଗିଲାଣି। ହଠାତ ମନୋଜ ଘରେ ପହଞ୍ଚି ସୁମିକୁ ଟାଣି ନେଲେ। ତାକୁ କହିଲେ କେବେଠାରୁ ସେମାନେ ବାହାରକୁ ବୁଲି ଯାଇନାହାନ୍ତି। ତେଣୁ ମୁମ୍ବାଇ ବୁଲି ଯିବା ପାଇଁ ସେ ଫ୍ଲାଇଟ୍ ଟିକେଟ୍ କରିଦେଇଛନ୍ତି। ସୁମିର ଏପରି ଅସହନୀୟ ପେଟ ଯନ୍ତ୍ରଣା ସମୟରେ ମନୋଜ କିପରି ବୁଲିଯିବା ପାଇଁ କହୁଛନ୍ତି ସେ କିଛି ବୁଝି ପାରିଲାନି। ସୁମିକୁ କିଛି ପ୍ରଶ୍ନ ପଚାରିବାକୁ ସୁଯୋଗ ନ ଦେଇ ମନୋଜ ନିଜେ ନିଜେ ଦୁହିଁଙ୍କ ବ୍ୟାଗ ସଜାଡ଼ି ଦେଲେ। ଅବିଳମ୍ବେ ସେମାନେ ପହଞ୍ଚି ଗଲେ ମାୟା ନଗରୀ ମୁମ୍ବାଇରେ।

ଦୀର୍ଘ ଦୁଇ ମାସ ପରେ ସେ ଆଜି ନିଜକୁ ଆଇନାରେ ଦେଖୁଛି ପୁଣି ଲୁଚିକି।

କିନ୍ତୁ.....କିନ୍ତୁ....ଏ କଣ? କାହିଁ ଗଲା ତାର ରେଶମୀ ବେଣୀ? କୁଆଡ଼େ ହଜିଗଲା ତାର ଗୋରା ତକ ତକ ସୁନ୍ଦରୀ ଚେହେରା? ଆଖି ଦୁଇ ପଟେ କେଡ଼େ କେଡ଼େ କଳା ଆସ୍ତରଣ। ଇସ୍ କି କୁତ୍ସିତ ରୂପ ତାର। ତାର ସାମାନ୍ୟ ଏ ପେଟ କଟା ଯେ ଭୟଙ୍କର କ୍ୟାନ୍ସର ହେଇଥିବ ସୁମି ସ୍ୱପ୍ନରେ ସୁଧା ଚିନ୍ତା କରିନଥିଲା।

ଏତେ ଅସୁନ୍ଦର ରୂପ ତାର। ମନୋଜ ଯେ ତାର ସୁନ୍ଦରୀ ରୂପକୁ ହିଁ ଦେଖି ବାହା ହୋଇଥିଲେ। ହେଲେ ଏବେ ସେ କଣ କରିବ? କୁଆଡ଼େ ଯିବ? ତାର ବେଣୀକୁ ମନଭରି ଭଲ ପାଉଥିବା ମନୋଜ ଏବେ ତାର ଲଣ୍ଡିତ ମସ୍ତକକୁ ଦେଖି କଣ ଭାବୁଥିବେ? ଏଇଥିପାଇଁ କଣ ମନୋଜ ତାକୁ ଏତେଦିନ ଯାଏ ଆଇନା ଦେଖିବାକୁ, ମୋବାଇଲ ଧରିବାକୁ ମନା କରିଥିଲେ? କେମୋଥେରାପିର ଚିକିତ୍ସା ଯୋଗୁଁ ତାର ପେଟ ଯନ୍ତ୍ରଣା ତ ବନ୍ଦ ହେଇଗଲା ହେଲେ ଏବେ ତା ଜୀବନରେ ଯେ ଅସରନ୍ତି ଯନ୍ତ୍ରଣାର ଢେଉ ଆସିବ ଆଉ ସେ ଢେଉ ତାକୁ ଭସେଇ ନେବ ଅଗାଧ ସମୁଦ୍ର ଭିତରକୁ। ଯେଉଁଠୁ ଚାହିଁଲେ ସେ ବାହାରି ପାରିବନି ଓ ସେ ଜଳସମାଧି ନେବ।

ଚିତ୍କାର କରି ଉଠିଲା ସୁମି ଭୟରେ ଶିହିରୀ ଉଠିଲା ତା ଦେହ। ଆଇନାଟିକୁ ଦୂରକୁ ଫୋପାଡ଼ି ଦେଲା। ତା ଚିତ୍କାର ଶୁଣି ଦୌଡ଼ି ଆସିଲେ ମନୋଜ। କୋଳକୁ ଟାଣି ନେଲେ। ନାଲି ରିବନଟି ତା କାନ ଦୁଇପାଖ ଉପରକୁ ନେଇ ମୁଣ୍ଡ ଉପରେ ବାନ୍ଧି ଫୁଲଟିଏ କରିଦେଲେ। କହିଲେ-

ଦେଖିଲ ସୁମି କେତେ ସୁନ୍ଦର ଛୋଟ ପିଲାଟିଏ ପରି ଦେଖାଯାଉଛ। ତୁମର ସେ ଲମ୍ବା ବେଣୀଟି ମତେ ବେଶୀ ହଇରାଣ କରୁଥିଲା। ତମେ ତାର ଯତ୍ନ ନେବାକୁ ଯାଇ ମୋର ଅବହେଳା କରୁଥିଲ। ବିନା କେଶରେ ତୁମ ମୁଣ୍ଡରେ ଏ ନାଲି ରିବନଟି ଖୁବ ମାନୁଛି। ମୁଁ ତ ଏ ନାଲି ରିବନର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତୁମକୁ ବାହା ହୋଇଥିଲି। ଭଲ ହେଇଛି ଭଗବାନ ତୁମ, ମୋ ଓ ଏଇ ନାଲି ରିବନ ମଝିରେ ପ୍ରାଚୀର ସୃଷ୍ଟି କରିଥିବା କେଶ ଗୁଡ଼ିକୁ ନେଇ ଯାଇଛନ୍ତି। ସୁମି ଆଖିରୁ ଅବାରିତ ଅଶ୍ରୁ ବୋହି ଚାଲୁଥିଲା। ସେ ନାଲି ରିବନଟିକୁ ଧରି ମନୋଜଙ୍କର ଛାତିରେ ମୁଣ୍ଡ ରଖି କେତେବେଳେ ଶୋଇଗଲା ଜାଣି ପାରିଲାନି।

(ବିସ୍ମିତା ରାଣୀ ସାହୁ)


Rate this content
Log in

Similar oriya story from Inspirational