ନାଲି ଓଢଣୀ
ନାଲି ଓଢଣୀ
ସଞ୍ଜିତ ନିଜ ପରିବାର ସହ ଘରକୁ ଫେରୁଥାଏ ତାର ଚାକିରୀ ଜାଗା ସୁରଟରୁ ଟ୍ରେନ ଦ୍ୱାରା । ପରିବାର କହିଲେ ତା ସ୍ତ୍ରୀ ନିଳିମା ଓ ଝିଅ ଅପୂର୍ବା । ରାତି ହୋଇ ସରିଥାଏ । ସାଙ୍ଗରେ ଆଣିଥିବା ପରଟା ଓ ଚିକେନ୍ କଷା ଖାଇ ବିଶ୍ରାମ ନେଉଥାନ୍ତି ବଗିରେ ସପରିବାର । ରାତି ଗୋଟାଏ କିମ୍ବା, ସାଢ଼େ ଗୋଟାଏ ସରିକି ଅପୂର୍ବାକୁ କିଛିଟା ଅଶ୍ୱସ୍ତି ଅନୁଭବ ହେଲା । ଟିକେ ଥଣ୍ଡା ପବନ ଆଶାରେ ବସିଥିବା ବଗିରେ ଥିବା ଦରଜା ଆଡକୁ ଅଗ୍ରସର ହେଲା ଅପୂର୍ବା । ଷ୍ଟେସନ ପରେ ଷ୍ଟେସନ ଅତିକ୍ରମ କରି ଟ୍ରେନ ଦ୍ରୁତ ଗତିରେ ଚାଲିଥାଏ । ଫାଟକ ପାଖରେ ଠିଆ ହୋଇଥିବା ସମୟରେ ହଟାତ ଦଲlକଏ ଥଣ୍ଡା ପବନ ବାଜି ଚାଲିଗଲା ଅପୂର୍ବା ଦେହରେ । ଟିକେ ଫୁର୍ତ୍ତି ଲାଗିଲା ତାକୁ । କିନ୍ତୁ ସେ ଏ କଣ ଦେଖୁଛି ତାର ଓଢଣୀଟି କୁଆଡେ ଗଲା? ନିଜ ଦେହ ଉପରେ ଆଖି ପଡିଲା କ୍ଷଣି ଅପୂର୍ବା ଚିନ୍ତିତ ହୋଇ ପଡ଼ିଲା । ପବନରେ କଣ ଓଢଣୀଟି ଉଡି ଗଲା । ବିଚଳିତ ହୋଇ ପଡ଼ିଲା ଅପୂର୍ବା । ବାପାଙ୍କ ପୁରୁଣା ବାକ୍ସ ଭିତରୁ ସେ ଏ ଓଢଣୀଟି ପାଇଥିଲା । ନାଲି ରଙ୍ଗର ରେଶମୀ ଓଢଣୀଟା । ଖୁବ ସୁନ୍ଦର ସୂତା କାମ ତା ଦେହରେ ହୋଇଥିଲା ବୋଲି, ଆଉ ତାକୁ ବହୁତ ସୁନ୍ଦର ଲାଗିଲା ବୋଲି ସେ ଲୁଚେଇ ନେଇ ଆସିଥିଲା ବାପାଙ୍କ ନଜର ଆଢୁଆଳରେ । ବହୁତ ରାତି ଯାଏଁ ଓଢଣୀ ଉଡି ଯାଇଥିବାରୁ ବାପାଙ୍କ ଠାରୁ ଗାଳି ଶୁଣିବାର ଚିନ୍ତାରେ, ନିଦ୍ରା ଦେବୀଙ୍କ କୋଳକୁ ସେ ଯାଇ ନଥିଲା କିନ୍ତୁ ସକାଳେ ଆଖି ଖୋଲିଲା ବେଳକୁ ଟ୍ରେନଟି ଗାଁ ପାଖ ଷ୍ଟେସନରେ ପହଞ୍ଚିସlରିଥିଲା ।
ଘରେ ପହଞ୍ଚିବା ପରେ ଯିଏ ଯାହା କାମରେ ବ୍ୟସ୍ତ ରହିଥିଲେ । ଅପୂର୍ବା ବି ଗାଁକୁ ଆସିଥିଲା ବୋଲି ତାର ଗୋଡ଼ ଖୁସୀରେ ତଳେ ଲାଗୁନଥିଲା । ଗାଁ ବୁଲା ସାରି ପୋଷାକ ସବୁ ସଜେଇ ରଖୁଥିବା ସମୟରେ ଖଟ ତଳୁ ତାର ହଜିଯାଇଥିବା ନାଲି ଓଢଣୀକୁ ପାଇ ଖୁବ ଆଶ୍ଚର୍ଯ୍ୟ ଓ ଖୁସୀ ହୋଇଯାଇଥିଲା ଅପୂର୍ବା । ଟ୍ରେନରେ ଉଡିଯାଇଥିବା ଓଢଣୀ ଏଠିକି କିପରି ଆସିଲା!!ଏହା ଭାବି ତାକୁ ଆଶ୍ଚର୍ଯ୍ୟ ଲାଗୁଥାଏ । ଯାହା ହେଉ ଠାକୁର ତା ଡାକ ଶୁଣିଛନ୍ତି ଓ ଓଢଣୀଟି ପାଇଗଲା ଭାବି ଖୁସୀ ମଧ୍ୟ ହେଇଯାଇଥିଲା ସେ । ଦିନ ଯାଇ ରାତି ହେଲା । ଖାଇ ପିଇ ସବୁ ଶୋଇବାକୁ ଗଲେ । ହଠାତ ଅପୂର୍ବା ଶୋଇଥିବା ଖଟ ତଳୁ କିଛିଟା ଆବାଜ ଆସିଲା । ନିଶବ୍ଦ ରାତି, ଟିକେ କାନ ଡେରିବାରୁ ଶୁଣା ଗଲା ଅପୂର୍ବା... ଅପୂର୍ବା... । ଏହା ଶୁଣି ଅପୂର୍ବା ଭୟରେ ଥରି ଉଠିଲା । କିଏ ତା ନାଁ ଧରି ବାରମ୍ବାର ଡାକୁଛି?ଖଟ ତଳକୁ ଧୀରେ ସେ ଚାହିଁଲା-
ଦେଖିଲା ଖଟ ତଳେ ଶୋଇଛି ଗୋଟିଏ ସୁନ୍ଦର ଝିଅ, ଦେହରେ ତାର ସେହି ନାଲି ଓଢଣୀ, ମୁରୁକି ମୁରୁକି ହସୁଥାଏ ଝିଅଟି ତାକୁ ଦେଖି । କଣ ହେଉଛି ତାକୁ କିଛି ବୁଝି ପାରୁନଥିଲା ଅପୂର୍ବl । ନିଦ ନା ସେ ଚେଇଁଛି ତାହା ବି ବୁଝି ପାରୁନଥିଲା,ନାଲି ଓଢଣୀ ଆଉ ସେ ସୁନ୍ଦର ଝିଅକୁ ଦେଖି!!ଝିଅଟି କିଏ! । ଧୀରେ ଧୀରେ ସେ ଝିଅର କଣ୍ଠ ସ୍ୱର ବଦଳି ରୁକ୍ଷ ହୋଇ ଭୟଙ୍କର ହେବାରେ ଲାଗିଥିଲା ତା ସହ ଚେହେରା ବି ଅନୁରୂପ ଭାବରେ ବଦଳି ଯାଇଥିଲା । ସେହି କଦର୍ଯ୍ୟ ରୂପକୁ ଦେଖି ଅପୂର୍ବା ସେଇଠି ବେହୋସ ହୋଇଯାଇଥିଲା ।
ପରଦିନ ସକାଳ ----
ଦିନସାରା ସବୁ ଠିକ ଠାକ ଚାଲିଥିଲା, ରାତିର କଥାକୁ ମନର ଭ୍ରମ ଭାବି ଅପୂର୍ବା ଚୁପ ରହିଥିଲା କାହାକୁ କିଛି ନ କହି । ଦିନ ଯାଇ ରାତି ଆସି ଥିଲା ଖାଇ ପିଇ ଶୋଇବାକୁ ବାହାରିଥିଲେ ସମସ୍ତେ । ଅପୂର୍ବା ସେଦିନ ଆଉ ଏକୁଟିଆ ନ ଶୋଇ ବାପା ମାଆଙ୍କ ପାଖରେ ଶୋଇଥିଲା । ଠିକ ମଧ୍ୟ ରାତ୍ରୀ ହୋଇଛି ପୁଣି ଥରେ ତାକୁ ତାର ନା ଧରି କେହି ଡାକୁ ଥିବାର ଶୁଭିଲା । ଆଖି ମଳି ମଳି ଦେଖିଲା ଅପୂର୍ବା, ପୂର୍ବ ରାତିର ସେହି ଝିଅ ତା ପାଖରେ ଠିଆ ହୋଇଛି ଏବଂ ତାକୁ ସମ୍ମୋହିତ କଲା ପରି ଡାକୁଛି । ଅପୂର୍ବା ଉଠି ବସିଲା । ସେହି ଝିଅଟି ତାକୁ ଇଙ୍ଗିତ କରୁଥାଏ ସେ ତକିଆ ଉଠା ଆଉ ତୋ ବାପାର ମୁହଁରେ ଚାପି ଧରି ତାଙ୍କୁ ମାରେ । ଅପୂର୍ବା ବି ତାର ଇଙ୍ଗିତରେ ସମ୍ମୋହିତ ହେବା ପରି ବାପାର ମୁହଁ ଉପରେ ତକିଆ ପକେଇ ଚାପିବାକୁ ଲାଗିଲା । ଗଁ ଗଁ ଆବାଜ ଶୁଣି ଅପୂର୍ବା ମା ଉଠି ପଡି ତା ହାତରୁ ତକିଆ ଛଡେଇବାରେ ଲାଗିଲେ । ତା ପରେ ଅପୂର୍ବା ବେହୋସ ହୋଇ ପଡ଼ିଥିଲା । ଅପୂର୍ବାର ଏ ପରି ଅଦ୍ଭୁତ ଆଚରଣରେ ସଞ୍ଜିତ ଓ ତାଙ୍କ ସ୍ତ୍ରୀ ବିଚଳିତ ହୋଇ ପଡିଲେ । କଣ ହେଇଛି ତାଙ୍କ ଝିଅକୁ??ସେ କାହିଁକି ଏ ପରି ବିଚିତ୍ର ଆଚରଣ କରୁଛି ??ଦିନକୁ ଦିନ ଅପୂର୍ବାର ବ୍ୟବହାରରେ ପରିବର୍ତ୍ତନ ଦେଖି ସ୍ୱାମୀ ସ୍ତ୍ରୀ ମିଶି ତାକୁ ଏକ ତାନ୍ତ୍ରିକ ନିକଟକୁ ନେଇଥିଲେ । ତାନ୍ତ୍ରିକ ଜଣକ କିଛି ବିଶେଷ ପୂଜା ପରେ ମନ୍ତୁରl ଜଳ ଫିଙ୍ଗିଥିଲେ ଅପୂର୍ବା ଉପରକୁ, ଆଉ ଅପୂର୍ବା ବି ଛଟପଟ ହେଇ ଛାଡିଦିଅ ଛାଡିଦିଅ କହୁଥାଏ ।
ତାନ୍ତ୍ରିକ ତାର ପରିଚୟ ଜାଣିବାକୁ ଜିଜ୍ଞାସା କରନ୍ତେ ପ୍ରଥମରେ ଅମଙ୍ଗ ହୋଇ ଥିଲା କିନ୍ତୁ ମନ୍ତ୍ରିତ ପିଂଛ ମୁଠା ବାଜିବା ପରେ ଦେହରେ, ଛାଟି ପିଟି ହୋଇ କହିବା ଆରମ୍ଭ କରିଥିଲା ଅପୂର୍ବା ଦେହରେ ଥିବା ସେହି ଆତ୍ମା, ତାର ଦୁଃଖଦ ଅତୀତ ବିଷୟରେ । ତାର ନାମ ଥିଲା ଅନନ୍ୟା । ପାଠ ପଢିବା ସମୟରେ ମନ ଦେଇ ବସିଥିଲା ଜଣେ ଯୁବକଙ୍କୁ । ପଢା ସରିବା ପରେ ଭଲ ପାଇବା ଦିନକୁ ଦିନ ବଢି ଗଭୀରରୁ ଗଭୀର ଆଡ଼କୁ ଗତି କରିଥିଲା, ଯାହାର ଶେଷ ପରିଣତି ବିବାହ ଥିଲା । କିନ୍ତୁ ତାଙ୍କ ବିବାହର ପ୍ରତି ବନ୍ଧକ ଥିଲା ଜାତି ପ୍ରଥା । ଯୁବକ ଜଣକ ଚାକିରୀ କରୁଥିଲେ ମଧ୍ୟ ଉଭୟ ପରିବାର ଏ ବିବାହକୁ ସ୍ୱୀକୃତି ଦେଇନଥିଲେ କାରଣ ଯୁବକ ଜଣକ ଥିଲେ ନୀଚ ଜାତିର । ତେଣୁ ପ୍ରେମିକ ଜଣକ ଅନନ୍ୟାଙ୍କୁ ଘରୁ ଲୁଚି ପଳେଇ ଯାଇ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ । ଏବଂ ଷ୍ଟେସନ ପାଖରେ ଅପେକ୍ଷା କରିବାକୁ କହିଥିଲେ । କିନ୍ତୁ ବିଳମ୍ବିତ ରାତି ଯାଏଁ ପ୍ରେମିକ ଜଣକ କଥା ଦେଇ କାହିଁକି କେଜାଣି ଆସି ପାରିନଥିଲେ । ଏପଟେ ଏକୁଟିଆ ଷ୍ଟେସନ ପାଖ ରାସ୍ତାରେ ପ୍ରେମିକକୁ ଅପେକ୍ଷା କରି କରି ଆଖିରୁ ଲୁହ ଗଡେଇ ବସିଥିବା ସମୟରେ, ଚାରିଜଣ ନରଭକ୍ଷୀ ରାକ୍ଷସଙ୍କ ହାବୁଡ଼ରେ ପଡିଯାଇଥିଲl ଅନନ୍ୟା । ନିଜର ଇଜ୍ଜତ ବଞ୍ଚାଇବା ପାଇଁ ଆଉ କିଛି ଉପାୟ ନ ପାଇ ସେ ଶେଷରେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲା ।
ଅପୂର୍ବା ଦେହରେ ଥିବା ଅନନ୍ୟାର ଆତ୍ମା ମୁହଁରୁ ସେହି କାଳ ରାତ୍ରୀର କଥା ଶୁଣି ସଞ୍ଜିତଙ୍କ ଆଖିରୁ ଟପ ଟପ ଲୁହ ଖସି ପଡ଼ିଥିଲା । କାରଣ ଅନନ୍ୟାର ପ୍ରେମିକ ଆଉ କିଏ ନଥିଲେ, ସେ ଥିଲେ ସଞ୍ଜିତ । ସେ ଦିନ ଅନନ୍ୟା ସହ ଭେଟିବାକୁ ରାତିରେ ଷ୍ଟେସନ ଆସୁଥିବା ସମୟରେ ହଟାତ କୁକୁରଟିଏ ତାଙ୍କର ଗାଡି ଆଗକୁ ଚାଲି ଆସିଥିଲା ଏବଂ ସେ ଭାରସାମ୍ୟ ହରେଇ ପଡିଯାଇଥିଲେ । ଆଉ ଚେତା ହରେଇ ପଡ଼ିଥିଲେ ରାସ୍ତା କଡରେ ବହୁତ ସମୟ ଯାଏଁ । ଚେତା ପାଇ ଷ୍ଟେସନ ପାଖକୁ ଅନନ୍ୟାକୁ ଭେଟିବାକୁ ଗଲା ସମୟରେ ଆଉ କିଛି ବାକି ନଥିଲା । ତାଙ୍କର ବିଳମ୍ବକୁ ଅନନ୍ୟା ପ୍ରତାରଣା ଭାବି ଶେଷରେ ଚଳନ୍ତା ଗାଡି ଆଗକୁ ଡେଇଁ ଆତ୍ମହତ୍ୟା କରିସାରିଥିଲା । ଏବଂ ନିଜକୁ ସେ ବହୁତ ଧିକ୍କାର କରିଥିଲେ । ସେ ଯଦି ଠିକ ସମୟରେ ପହଞ୍ଚି ପାରିଥାନ୍ତେ ତା ହେଲେ ତାଙ୍କ ଅନନ୍ୟା ଆଜି ଜୀବିତ ଥାନ୍ତl ।
ଦୁର୍ଘଟଣା ସ୍ଥଳ ଠାରୁ କିଛି ଦୂରରେ ସେ ଉପହାର ଦେଇଥିବା ନାଲି ଓଢଣୀଟି ପଡିଥିବା ଦେଖି ତାକୁ ଧରି ସଞ୍ଜିତ କାନ୍ଦି କାନ୍ଦି ଫେରିଆସିଥିଲେ । ଆଉ ସେହି ଓଢଣୀକୁ ସାଇତି ରଖିଥିଲେ ଅନନ୍ୟାର ସ୍ମୃତି ସ୍ୱରୂପ । ଆଉ ଅନନ୍ୟାକୁ ନିଜ ମନରୁ ଭୁଲାଇବା ପାଇଁ ଗ୍ରାମ ଛାଡି ଚାଲିଯାଇଥିଲେ ସୁରଟ ସବୁଦିନ ପାଇଁ ।
ଦୀର୍ଘ ବର୍ଷ ପରେ କିଛି ଗୋଟାଏ କାର୍ଯ୍ୟରେ ଗାଁକୁ ଆସୁଥିବା ସମୟରେ, ଟ୍ରେନରେ (ଯେଉଁ ଟ୍ରେନ ଆଗରେ ଅନନ୍ୟା ବହୁତ ବର୍ଷ ପୂର୍ବେ ଆତ୍ମହତ୍ୟା କରିଥିଲା) ସଞ୍ଜିତ ସହ ଅପୂର୍ବା ଓ ତାର ଅତି ପ୍ରିୟ ନାଲି ଓଢଣୀକୁ ଦେଖି ଅନନ୍ୟାର ଅତୃପ୍ତ ଆତ୍ମା ମନରେ ପ୍ରତିଶୋଧର ନିଆଁ ଜାଗିଉଠିଥିଲା କାରଣ ଅନନ୍ୟାର ଆତ୍ମା ଭାବିଥିଲା ସଞ୍ଜିତ ହିଁ ତାର ମୃତ୍ୟୁର କାରଣ । ସେ ଦିନ ସଞ୍ଜିତ ଜାଣି ଶୁଣି ଆସିନଥିଲା ତାକୁ ନେବା ପାଇଁ ଷ୍ଟେସନ ବୋଲି, ଅନନ୍ୟାର ଆତ୍ମା ଭାବି, ଅପୂର୍ବା ଦେହକୁ ଆସି ସଞ୍ଜିତ ଉପରେ ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରିଥିଲା । ସଞ୍ଜିତର କ୍ଷମା ପ୍ରାର୍ଥନା ପରେ ଅନନ୍ୟାର ଆତ୍ମା ପ୍ରକୃତ କଥା ବୁଝି ଅପୂର୍ବା ଶରୀର ଛାଡି ଚାଲିଯାଇଥିଲା ।

