STORYMIRROR

Lokanath Rath

Inspirational

3  

Lokanath Rath

Inspirational

ମୂକ୍ତ ବିହଙ୍ଗ (ତ୍ରୟୋଦଶ ଭାଗ )

ମୂକ୍ତ ବିହଙ୍ଗ (ତ୍ରୟୋଦଶ ଭାଗ )

6 mins
383

ସମୀର ସୁରକ୍ଷିତ ଭାବେ ଆସି ତାଙ୍କ ଘରେ ପହଞ୍ଚି ଗଲେ |ରାତ୍ରି ପ୍ରାୟ ନଅଟା ବାଜି ଯାଇଥିଲା, ସେଥିପାଇଁ ସେ ଅବିନାଶଙ୍କୁ ଖାଲି ଫୋନ କରି ଜଣାଇଦେଲେ ଯେ ସୁରକ୍ଷିତ ଘରେ ପହଞ୍ଚି ଯାଇଛନ୍ତି | ଅବିନାଶ ଓ ମମତା ବହୁତ ଆଶ୍ୱସ୍ତ ହେଲେ | ମମତା କହିଲେ, "ଏବେ ବାପା ଓ ମାଆ ଗାଁରେ ରହିବା ଠିକ ହେବ ନାହିଁ |କାରଣ କେତେବେଳେ ଯେ ତାଙ୍କ ଉପରେ ରାଗ ସୁଝାଇବାକୁ ମାନସ ଭାଇ କଣ କରିବ ମୋତେ ଭାବିଲା ବେଳକୁ ବହୁତ ଡର ଲାଗୁଛି | ଏବେ ମୁଁ ବି ଟିକେ ବ୍ୟସ୍ତ ରହିବି କାରଣ ଆସନ୍ତା କାଲି ଠାରୁ ଦଶମ ପରୀକ୍ଷା ଆରମ୍ଭ ହେବ |ଅରୁଣ ଓ ଅନିତାଙ୍କୁ ତାଙ୍କ ପରୀକ୍ଷା ଶେଷ ହେବାଯାଏ ମୋତେ ଟିକେ ଅଧିକ ସମୟ ଦେବାକୁ ହେବ | ଯଦି ତୁମେ ବାପାଙ୍କ ସାଙ୍ଗରେ କଥା ହୋଇ କିଛି କରି ପାରନ୍ତ ତେବେ ଭଲ ହୁଅନ୍ତା |" ମମତାଙ୍କ କଥା ଶୁଣି ଅବିନାଶ ଟିକେ ସମୟ ରହି କହିଲେ, " ଏବେ ମୁଁ ତାଙ୍କର ସୁରକ୍ଷା ବ୍ୟବସ୍ଥା କରି ଦେଇଛି | ଦୁଇ ତିନି ପରେ ମୋତେ ତୁମ ଜିଲ୍ଲାକୁ ଯିବାର ଅଛି, ତେଣୁ ସେହି ଗସ୍ତ ସମୟରେ ମୁଁ ନିଜେ ଯାଇ ବାପାଙ୍କ ସାଙ୍ଗରେ କଥା ହୋଇ ସେମାନଙ୍କୁ ଯଦି ହେବ ସାଙ୍ଗରେ ନେଇ ଆସିବି |ତୁମେ ଚିନ୍ତା କରନାହିଁ |ଏବେ ଚାଲ ସମସ୍ତେ ଖାଇବା, ରାତି ବହୁତ ହେଲାଣି |" ମମତା ଏତକ ଶୁଣି ଟିକେ ହସିଦେଇ ବାହାରି ଗଲା ଖାଇବାର ବ୍ୟବସ୍ଥା କରିବା ପାଇଁ | ପରିବାରର ସମସ୍ତେ ଏକାଠି ବସି ଖାଇଲେ |ଖାଇବା ସାରିବା ପରେ ସମସ୍ତେ ନିଜ ନିଜ କୋଠରୀକୁ ଚାଲିଗଲେ | ଅବିନାଶ ନିଜ ପଢିବା ଟେବୁଲ ପାଖରେ ବସି କିଛି ଲେଖିବାକୁ ଲାଗିଲେ | ମମତା ନିଜର ସବୁ କାମ ଶେଷ କରି ଆସି ଶୋଇବାକୁ ଗଲେ କାରଣ ଆସନ୍ତା କାଲି ଶୀଘ୍ର ଉଠି ଅରୁଣ ଓ ଅନିତାଙ୍କୁ ପରୀକ୍ଷା ପାଇଁ ପଠାଇବେ |


ସକାଳୁ ଶୀଘ୍ର ଉଠି ମମତା ନିଜର ନିତ୍ୟକର୍ମ ସାରି ସମସ୍ତଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରି ଅବିନାଶ ବାବୁଙ୍କୁ କହି ଅନାଥ ଆଶ୍ରମକୁ ବାହାରି ଗଲେ | ଏହି ବର୍ଷ ଅରୁଣ ଓ ଆରତୀ ସହିତ ଆଉ ପାଞ୍ଚ ଜଣ ବି ଦଶମ ପରୀକ୍ଷା ଦେବାକୁ ଯିବେ | ମମତା ସେଠାରେ ପହଞ୍ଚି ସବୁ ପିଲାମାନଙ୍କୁ କିଛି ବୁଝାଇ କହିଲେ |ତାଙ୍କ ସାଥିରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ବି ଉପସ୍ଥିତ ଥିଲେ | ବିଦ୍ୟାଦାତା ଗଣେଶଙ୍କ ଆରାଧନା କରି ସମସ୍ତେ ପରୀକ୍ଷା ଦେବାକୁ ବାହାରି ଗଲେ ଓ ତାଙ୍କ ସହିତ ଜଣେ ଶିକ୍ଷକ ବି ଗଲେ | ସମସ୍ତେ ଯିବା ପରେ ମମତା ବିନୟ ବାବୁଙ୍କ ସହିତ ବସି କିଛି କଥା ହେଲେ ଆଶ୍ରମ ସମ୍ବନ୍ଧରେ | ତାପରେ ସେ ନିଜେ ବୁଲି ଆଶ୍ରମର ସବୁ ବ୍ୟବସ୍ଥା ଦେଖିଲେ | ଯାହା କିଛି ତ୍ରୁଟି ଅଛି ତାକୁ ସବୁ ନିଜେ ଲେଖି ଆଣିଲେ ଅଵିନାଶଙ୍କ ସହିତ ଆଲୋଚନା କରିବାକୁ |ଆଜି ବହୁତ ଦିନ ପରେ ମମତା ଅନାଥ ଆଶ୍ରମ ଆସିଥିବାରୁ ସମସ୍ତେ ବହୁତ ଖୁସି ହେଇ ଯାଇଥିଲେ | ଆଶ୍ରମରେ ଥିବା ଅନ୍ୟ ପିଲାମାନଙ୍କ ସହିତ ମମତା ବହୁତ ସମୟ ବିତାଇବା ପରେ ଶେଷରେ ନିଜ ଚିତ୍ରକଳା ବିଦ୍ୟାଳୟକୁ ଗଲେ | ସେ ଫୋନ କରି ଅଵିନାଶଙ୍କ ଠାରୁ ବୁଝିଲେ ଯେ ଆକାଶ, ଆରତୀ ଓ ନିଜେ ଅବିନାଶ ଠିକ ଭାବରେ ଖାଇଛନ୍ତି | ନିଜ ଚିତ୍ରକଳା ବିଦ୍ୟାଳୟରେ ଦୁଇ ଘଣ୍ଟା ବିତାଇବା ପରେ ମମତା ଘରକୁ ଗଲେ |ଘରେ ପହଞ୍ଚି ରୋଷେଇ କରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାକୁ ଲାଗିଲେ |ଘରର ରୋଷେଇଆ ତାଙ୍କୁ ସାହାଯ୍ୟ ଅବଶ୍ୟ କଲେ | 


ସମୀର ବାବୁ ନିଜର କାମ ସାରି ଅସିତ ବାବୁଙ୍କ ପାଖକୁ ଗଲେ |ଯିବା ପୂର୍ବରୁ ସେ ଅବିନାଶ ବାବୁଙ୍କ ସହିତ ଫୋନ ଯୋଗେ କଥା ହୋଇ ଥିଲେ | ଅସିତ ବାବୁଙ୍କ ପାଖରେ ପହଞ୍ଚି ସମୀର ଅନାଥ ଆଶ୍ରମର ନୂତନ ଟ୍ରଷ୍ଟିମାନଙ୍କ ସମସ୍ତ କାଗଜ ତାଙ୍କୁ ଦେଇଦେଲେ | ସବୁ ଗୁଡିକ ଦେଖି ଅସିତ ବାବୁ କହିଲେ, "ଏବେ ଆଉ କିଛି ଅସୁବିଧା ନାହିଁ |ମୁଁ ଏଗୁଡିକ ଆଜି ହିଁ ଦାଖଲ କରିଦେବି | ହଁ ସେହି ଯେଉଁ ନୂତନ ସଂସ୍ଥାର ସବୁ ସରକାରୀ ଅନୁମତିର କାଗଜ ଆଉ ସାତ ଦିନ ଭିତରେ ମିଳିଯିବ | ଆଛା ସମୀର ଭାଇ ମୁଁ ଶୁଣିଲି ସେଦିନ ଅବିନାଶର ଶଳା ମାନସ କିଛି ଗଣ୍ଡଗୋଳ କରିଥିଲା ବୋଲି | ମୁଁ ଅନ୍ୟ ଗୋଟିଏ କାମରେ ସେଠାରୁ ଶୀଘ୍ର ବାହାରି ଆସିଥିଲି | ପରେ ମୋର ଜଣେ ସାଥି ମୋତେ ଏ ବିଷୟରେ କହିଲେ | ଏ ଗୁଣ୍ଡା ବିକ୍ରମ ମନ୍ତ୍ରୀ ହେବା ପରେ ଏବେ ଅନ୍ୟାୟ ଅତ୍ୟାଚାର ବହୁତ ବଢ଼ିବାରେ ଲାଗିଛି | ସେ ମାନସ ବି ତାରି କଥାରେ ନାଚୁଛି | ଆଉ ତାକୁ ସାହାଯ୍ୟ କରୁଛନ୍ତି ମାନସର ଶ୍ୱଶୁର ଅଲେଖ ବାବୁ | ଏବେ ସାବଧାନ ହୋଇ ସେମାନଙ୍କ ଠାରୁ ଦୂରରେ ରହିବା ଉଚିତ |" ସମୀର ବାବୁ ଅସିତଙ୍କ କଥା ଶୁଣି ଟିକେ ହସିଦେଇ କହିଲେ, " ଓକିଲ ବାବୁ ଏବେ ସାରା ଦେଶର ରାଜନୈତିକ ପରିସ୍ଥିତି ଏହିପରି ହୋଇ ଯାଇଛି | ଆମେ ସବୁ ନାଗରିକ ଯଦି ସଚେତନ ହେବା ଓ ନିଜ ନିଜର ଦାଇତ୍ୱ ଠିକ ଭାବରେ ବହନ କରିବା, ତେବେ ସବୁ ଅସୁବିଧାର ସମାଧାନ ହୋଇଯିବ | ଆମେ ତ କିଛି ଅନୈତିକ ବା ନିୟମ ବହିର୍ଭୁତ କାର୍ଯ୍ୟ କରୁ ନାହେଁ, ତେଣୁ ଏଥିରେ ଭୟ କରିବାର କିଛି ନାହିଁ | ତୁମେ ଏବେ ସବୁ କାର୍ଯ୍ୟକୁ ଦେଖ, ମୋତେ ଗୋଟିଏ ଅନ୍ୟ ଜରୁରୀ ଜାମରେ ଯିବାକୁ ଅଛି | ଖାଲି କାମ ହୋଇଯିବା ପରେ ମୋତେ ଅଥବା ଅବିନାଶଙ୍କୁ ଜଣାଇଦେଲେ, ଆମେ ଆସି ତୁମ ପାଖରେ ପହଞ୍ଚି ଯିବୁ |" ଏତକ କହି ସମୀର ବାବୁ ସେଠାରୁ ବାହାରି ଗଲେ |ସମୀର ଯିବା ପରେ ଅସିତ ବାବୁ ବି ନିଜର ସମସ୍ତ ନଥିପତ୍ର ଧରି କଚେରୀକୁ ବାହାରିଗଲେ |


ଅବିନାଶ ଏବେ ନୂତନ ଦାଇତ୍ୱ ନେବା ପରେ ସବୁ କିଛି କାର୍ଯ୍ୟକୁ ବୁଝିବାରେ ବ୍ୟସ୍ତ ରହୁଛନ୍ତି | ସେତିକିବେଳେ ତାଙ୍କ ନିଜସ୍ୱ ସହକାରୀ ଆସି ଜଣାଇଲା ଯେ ଗତ କାଲି ମନ୍ତ୍ରୀ ବିକ୍ରମ ଉଦଘାଟନ କରିଥିବା ଜଳଯୋଗାଣ କେନ୍ଦ୍ରର ଛାତ ଏବେ ଭୁଶୁଡି ପଡିଛି, ତେଣୁ ଏବେ ଜରୁରୀ ସଭାରେ ଯୋଗ ଦେବାକୁ ଅବିନାଶଙ୍କୁ ଡାକରା ଆସିଛି | ଅବିନାଶ କିଛି ଆଉ କହିବାର ସୁଯୋଗ ପାଇଲେ ନାହିଁ ଓ ସେହି ଜରୁରୀ ଊଚ୍ଚ ସ୍ଥରୀୟ ସଭାରେ ଯୋଗ ଦେବାକୁ ବାହାରି ଗଲେ | ଯିବା ସମୟରେ ସେ ଫୋନ କରି ମମତାଙ୍କୁ କହିଲେ, "ମୁଁ ଆଜି ଖାଇବାକୁ ଖରାବେଳେ ଆସି ପାରିବି ନାହିଁ |ଏକ ଜରୁରୀ ସଭା ପାଇଁ ଡାକରା ଆସିଲାଣି ମୁଁ ଯାଉଛି | ତୁମେ ଖାଇ ନିଅ, ମୁଁ ଫେରିଲେ ସବୁ କହିବି |" ଏତକ କହି ଅବିନାଶ ଫୋନ କାଟିଦେଲେ | କିଛି ସମୟ ପରେ ସେ ସେହି ଊଚ୍ଚ ସ୍ଥରୀୟ ସଭାରେ ଯୋଗ ଦେବାକୁ ପହଞ୍ଚି ଗଲେ | ସେହି ଊଚ୍ଚ ସ୍ତରୀୟ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ସଚିବ, ବିଭାଗୀୟ ସଚିବ, ସେହି ଜିଲ୍ଲାର ଜିଲ୍ଲାପାଳ ଆଦି ଉପସ୍ଥିତ ଥିଲେ |କିନ୍ତୁ ମନ୍ତ୍ରି ବିକ୍ରମ ଅନ୍ୟ କାର୍ଯ୍ୟକ୍ରମରେ ଗସ୍ତ କରିଥିବାରୁ ଯୋଗ ଦେଇ ନଥିଲେ |ବହୁତ ସମୟ ଧରି ଚର୍ଚ୍ଚା ହେବା ପରେ, ଶେଷରେ ନିଷ୍ପତି ନିଆଗଲା ଯେ ଅବିନାଶ ବାବୁଙ୍କ ତତ୍ୱାବଧାନରେ ଗୋଟିଏ ସମିତି ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଏହି ଘଟଣାର ତଦନ୍ତ କରି ତିନି ଦିନ ଭିତରେ ଏକ ରିପୋର୍ଟ ଦେବେ | ସେତେବେଳକୁ ସମୟ ସନ୍ଧ୍ୟା ୭ଟା ହେଇ ଯାଇଥିଲା | ଅବିନାଶ ବାବୁ ଖାଲି ଜିଲ୍ଲାପାଳଙ୍କୁ କହିଲେ, "ଆସନ୍ତା କାଲି ଦିନ ଏଗାରଟା ସମୟରେ ଆପଣ ସମସ୍ତଙ୍କୁ ଡାକନ୍ତୁ ଆପଣଙ୍କ ଅଫିସକୁ ଏବଂ ମୁଁ ବି ପହଞ୍ଚି ଯାଇଥିବି | ପ୍ରାଥମିକ ଚର୍ଚ୍ଚା କରିବା ପରେ ସେଠାରେ ଆମେ କିଛି ନିଷ୍ପତି ନେବା |" ଏତକ କହି ଅବିନାଶ ବାବୁ ନିଜ ଘରକୁ ବାହାରି ଗଲେ | ଯିବା ସମୟରେ ଖାଲି ଭାବୁଥିଲେ ଏବେକାର ଏହି ଦୁର୍ନୀତି ପରାୟଣ ରାଜନେତା, ଯନ୍ତ୍ରୀ, ଠିକାଦାର ଓ ଅନ୍ୟ ସମସ୍ତଙ୍କ ବିଷୟରେ | ଗୋଟିଏ ନୂତନ ପ୍ରକଳ୍ପ ଆରମ୍ଭ ହେବାର ଗୋଟିଏ ଦିନ ହୋଇ ନାହିଁ, ଏବେ ତାହା ଦୁର୍ଘଟଣାଗ୍ରସ୍ତ |ସେ ବହୁତ ଦୁଃଖ କରୁଥିଲେ ଆଉ ଚିନ୍ତା ମଧ୍ୟ କରୁଥିଲେ ସାଧାରଣ ଲୋକଙ୍କର ଦୁର୍ଦଶାକୁ ନେଇ | ଏତିକି ଭାବୁ ଭାବୁ ଅବିନାଶ ଘରେ ପହଞ୍ଚି ଗଲେ |


ଘର ଭିତରକୁ ଯାଇ ଅବିନାଶ ହାତ ଗୋଡ଼ ଧୋଇ ମମତାଙ୍କୁ କହିଲେ, "ମୋତେ ଟିକେ ଏବେ ଚାହା ଓ କିଛି ବିସ୍କୁଟ ଖାଇବାକୁ ଦିଅ |ରାତିରେ ମୁଁ ଆଜି ଭାତ ଖାଇବି |"ମମତା ବୁଝି ପାରୁଥିଲେ ଯେ ଅବିନାଶ ବହୁତ ଥକି ଯାଇଛନ୍ତି | ସେ ଚାହା ଓ ବିସ୍କୁଟ ଆଣି ଥୋଇ ଦେଇ ଯାଉଥିଲେ, ସେତିକିବେଳେ ଅବିନାଶ କହିଲେ, "ବସ, ଏବେ ଶୁଣ ମୁଁ ଯାହା କହୁଛି |ଗତ କାଲି ମନ୍ତ୍ରି ବିକ୍ରମ ଯେଉଁ ପ୍ରକଳ୍ପର ଉଦଘାଟନ ତୁମ ଗାଁରେ କରିଥିଲା, ଆଜି ତାହାର ଛାତ ଭୁଶୁଡି ପଡିଛି | ମୋତେ ଏହି ଘଟଣାର ଅନୁଧ୍ୟାନ କରିବାକୁ ଆସନ୍ତା କାଲି ସକାଳୁ ବାହାରି ଯିବାକୁ ହେବ |ଜିଲ୍ଲାପାଳ ଅଫିସରେ ଦିନ ଏଗାରଟା ସୁଦ୍ଧା ପହଞ୍ଚିବାକୁ ହେବ |ଦରକାର ହେଲେ ସେଠାରେ ମୋତେ ଦିନେ ଦୁଇଦିନ ରହିବାକୁ ହେବ | ଏବେ ମୁଁ ବଡ଼ ଚିନ୍ତାରେ ପଡିଛି |ମାନସର ଶ୍ୱଶୁର ଅଲେଖ ବାବୁ ତାକୁ ଠିକାରେ ନେଇ କରିଥିଲେ, ଏବେ ସେ ବହୁତ ଅସୁବିଧାରେ ପଡିବେ | ମୋତେ ଆଇନ ହିସାବରେ କାମ କରିବାକୁ ହେବ |" ମମତା ଏହି କଥା ଶୁଣି କହିଲେ, "ଏଥିରେ ବ୍ୟସ୍ତ ହେବାର କଣ ଅଛି | ଯିଏ ଦୋଷ କରିଛି ତାକୁ ଆଇନ ଅନୁଯାଇ ଦଣ୍ଡ ମିଳିବା ଦରକାର |ସିଏ ଯିଏ ବି ହେଉ, ସେଠାରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଦେଖିବାକୁ ହେବ | ତୁମେ କିଛି ଚିନ୍ତା କର ନାହିଁ |ସବୁ କାମ ଠିକ ଠିକ ହୋଇଯିବ |" ଏତକ କହି ମମତା ସେଠାରୁ ଉଠି ଚାଲିଗଲେ | କିଛି ସମୟ ପରେ ଅବିନାଶ ଫୋନ କରି ସମୀର ବାବୁଙ୍କୁ ଏ ବିଷୟରେ ଜଣାଇଲେ ଓ ବିକାଶ ବାବୁଙ୍କୁ ଫୋନ କଲେ | ବିକାଶ ବାବୁ ଫୋନ ଉଠାଉ କିଛି କହିବା ଆଗରୁ ଅବିନାଶ କହିଲେ, "ମୁଁ ଆସନ୍ତା କାଲି ଜରୁରୀ କାମରେ ଆପଣଙ୍କ ଜିଲ୍ଲାକୁ ଆସୁଛି | ଆପଣ ତ ଏବେ ଜାଣି ସାରିଥିବେ ଗତ କାଲି ଆପଣଙ୍କ ଗାଁରେ ଉଦଘାଟିତ ହୋଇଥିବା ପ୍ରକଳ୍ପର ଛାତ ଭୁଶୁଡି ଯାଇଛି, ତାହାର ଅନୁସନ୍ଧାନ ପାଇଁ ମୁଁ ଆସୁଛି | ମୁଁ ନିଶ୍ଚୟ ଆପଣଙ୍କ ପାଖକୁ ଆସିବି, କିନ୍ତୁ କେତେବେଳେ ଆସିବି ଏବେ କହି ପାରୁନାହିଁ | ସେଠାରେ ପହଞ୍ଚି ଜଣାଇବି |" ଅବିନାଶ ଏତକ କହିବା ପରେ ବିକାଶ ବାବୁ କହିଲେ, " ହଁ ବାବୁ, ତୁମେ ଆଗ ନିଜର ଦାୟିତ୍ୱକୁ ଦେଖ |ପ୍ରକୃତ ଦୋଷୀ ଯେମିତି ଦଣ୍ଡ ପାଏ |ସିଏ ଯିଏ ବି ହେଉ ତୁମେ ନ୍ୟାୟ କରିବ | କିଛି ଭାବିବାର ନାହିଁ କି ଡରିବାର ନାହିଁ |" ତାପରେ ଫୋନ କଟିଗଲା | ଅବିନାଶ ନିଜ ମନ ଭିତରେ ଥିବା ଶଙ୍କାରୁ ମୁକ୍ତ ହୋଇଗଲେ | ଏବେ ବିକାଶ ବାବୁଙ୍କ କଥା ଶୁଣି ସେ ନିଜକୁ ମୁକ୍ତ ବିହଙ୍ଗ ପରି ଆଇନ ଓ ନ୍ୟାୟର ସହିତ ସ୍ୱାଧୀନ ଭାବେ କାର୍ଯ୍ୟ କରିବାକୁ ମାର୍ଗ ପାଇଗଲେ |ଟିକେ ଆଶ୍ୱସ୍ତ ହୋଇ ସେ ମୁହଁରେ ହସ ଫୁଟାଇଲେ |



Rate this content
Log in

Similar oriya story from Inspirational