ମୂକ୍ତ ବିହଙ୍ଗ (ଭାଗ -ଚଉଦ )
ମୂକ୍ତ ବିହଙ୍ଗ (ଭାଗ -ଚଉଦ )
ପରଦିନ ସକାଳୁ ଶୀଘ୍ର ଉଠି ଅବିନାଶ ନିଜର ନିତ୍ୟକର୍ମ ସାରିବାରେ ଲାଗିଲେ | ତାହାରି ଭିତରେ ମମତା ଅବିନାଶଙ୍କ ବ୍ୟାଗ ରେ ତାଙ୍କର ଚାରି ଯୋଡ଼ା ଜାମା ପ୍ୟାଣ୍ଟ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ରଖି ସାରିଥିଲେ | ଅବିନାଶ ନିଜକୁ ପ୍ରସ୍ତୁତ କରିବା ଭିତରେ ମମତା ଗରମ ଗରମ ଜଳଖିଆ ତିଆରି କରିଦେଲେ |ଅବିନାଶ ପ୍ରସ୍ତୁତ ହୋଇ ଜଳଖିଆ ଖାଉ ଖାଉ କହିଲେ, " ମତେ ଲାଗୁଛି ମମତା, ତୁମେ ଗୋଟିଏ ସମୟ ଯନ୍ତ୍ର ବୋଧହୁଏ |ଆଜି ପର୍ଯ୍ୟନ୍ତ ମୁଁ କିଛି କହିବା ଆଗରୁ କିମ୍ବା ମାଗିବା ଆଗରୁ ଠିକ ସମୟରେ ତୁମେ ସବୁ ସଜାଡି ରଖି ଦେଉଛ | ବୁଝି ପାରୁନି ତୁମେ ଏତେ ସବୁ କାମ କେମିତି କେଜାଣି ଠିକ ଠିକ କରି ନେଉଛ ?ଏବେ ସମୟ ୭ ଟା ବାଜିଲାଣି, ମୋତେ ବାହାରିବାକୁ ହେବ, କାରଣ ସେଠି ଠିକ ଏଗାରଟା ବେଳେ ପହଞ୍ଚିବାର ଅଛି |" ଏତକ କହି ଅବିନାଶ ଖାଇବା ଶେଷ କରି ଉଠିଲେ |ସେତିକିବେଳେ ମମତା କହିଲେ, "ଏତେ ସବୁ କରିବାର ପ୍ରେରଣା ତ ତୁମେ ଦେଇ ଆସିଛ | ଏବେ ଶୀଘ୍ର ବାହାରିଯାଇ ଠିକ ସମୟରେ ପହଞ୍ଚ | କିଛି ବ୍ୟସ୍ତ ହେବାର ନାହିଁ | ବହୁତ ସମୟ ଅଛି |" ଏତକ ମମତା ଠାରୁ ଶୁଣି ଅବିନାଶ ଟିକେ ହସିଦେଲେ ଓ ନିଜ ବ୍ୟାଗକୁ ଗାଡ଼ିରେ ରଖିଲେ | ଡ୍ରାଇଭର ଆଗରୁ ପ୍ରସ୍ତୁତ ଥିଲା | ଅଵିନାଶଙ୍କୁ ନେଇ ତାଙ୍କ ଗାଡି ଆଗେଇ ଚାଲିଲା |
ଅବିନାଶ ଯିବା ପରେ ମମତା ତା ବାପା ବିକାଶଙ୍କୁ ଫୋନ କରି କହିଲା, "ବାପା, ତୁମ ଜ୍ୱାଇଁ ଏବେ ବାହାରି ଗଲେ | ସେ ବଡ଼ ବ୍ୟସ୍ତତା ଭିତରେ ଅଛନ୍ତି | ସେହି ଯେଉଁ ଜଳ ଯୋଗାଣ କେନ୍ଦ୍ରର ଘର ଭୁଶୁଡି ପଡିଛି, ସେଇଟା ତୁମ ପୁଅ ମାନସର ଶ୍ୱଶୁର ଅଲେଖ ମଉସା କରିଥିଲେ | ତୁମେ ଓ ମା ଜଗିରଖି ଚଳୁଥିବ, ବେଶି କିଛି ଅସୁବିଧା ହେଲେ ମୋ ପାଖକୁ ଚାଲି ଆସିବ |" ମମତାର ଏହି କଥା ଶୁଣି ବିକାଶ ବାବୁ କହିଲେ, " ହଁ ରେ ମା, ମୁଁ ବି ସେହି କଥା ଶୁଣୁଛି | ବଡ଼ ଲାଜ ଲାଗୁଛି ଯେ ସମୁଦି କେମିତି ଏତେ ବଡ଼ ପାପ କାମ କରି ପାରିଲେ |ମୁଁ ବୋଧହୁଏ କିଛି ପାପ କରିଥିଲି, ସେଥିପାଇଁ ଭଗବାନ ମୋତେ ଏମିତି ବନ୍ଧୁ ଦେଲେ |ତୁ ଜମା ଚିନ୍ତା କରନାହିଁ | ଆମେ ଏଠାରେ ଠିକ ଅଛୁ |ଯଦି କିଛି ଅସୁବିଧା ହେବ ନିଶ୍ଚୟ ତୋତେ ଓ ଅବିନାଶକୁ ଜଣାଇବି | ଏବେ ଯାଉଛି ତୋ ଶୋଇବା ଘରକୁ ସଫା କରି ଠିକ କରିବି, କାରଣ ଯଦି ଅବିନାଶ ଆସିବେ ତେବେ ଯେମିତି ତାଙ୍କର କିଛି ଅସୁବିଧା ନହୁଏ | ତୋ ମାଆ ତ ସେଇ କାମରେ ଲାଗିଛି |" ଏତିକି କହି ବିକାଶ ବାବୁ ଫୋନ ରଖିଦେଲେ | ମମତା ବି ଭାବିବାକୁ ଲାଗିଲା ଯଦି ଅଲେଖ ମଉସାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆଇନ ହିସାବରେ ହୁଏ ତେବେ କି ପ୍ରକାର ପରିସ୍ଥିତି ସୃଷ୍ଟି ହେବ | ସମ୍ପର୍କ ରେ ଆହୁରି ତିକ୍ତତା ଆସିବ ଆଉ ସମାଜରେ ଲୋକେ କେତେ ପ୍ରକାର କଥା ବି କହିବେ | ଶେଷରେ ନିଜର ଏହି ନକାରାତ୍ମକ ଭାବନାକୁ ସେ ନିଜ ମନରୁ ମୁକ୍ତ କରି ମୁକ୍ତ ବିହଙ୍ଗ ପରି ଉଡାଇ ଦେଲା ଓ ନିଜକୁ ନିଜର କାମ ଭିତରେ ହଜାଇ ଦେଲା |
ମମତା ନିଜର ନିତ୍ୟକର୍ମ ଶେଷ କରି ଆକାଶ ଓ ଆରତୀଙ୍କ ପାଇଁ ଖାଇବା ପ୍ରସ୍ତୁତ କଲା | ଆକାଶ ଓ ଆରତୀ ବିଦ୍ୟାଳୟ ଯିବାକୁ ପ୍ରସ୍ତୁତ ହେଲେ | ନିଜର ଖାଇବା ଖାଉ ଖାଉ ସେମାନେ ଦେଖିଲେ ମମତା କିଛି ଅନ୍ୟମନସ୍କା ହୋଇ ବସିଛି |ସେମାନେ ତାକୁ ସାହସ ଦେବାକୁ ଯାଇ କହିଲେ, "ମା, ତୁମେ କିଛି ଭାବ ନାହିଁ | ଆମ ବାପା ସବୁ କିଛି ଭଲ ଭାବରେ ସମ୍ଭାଳି ନେବେ | ଯିଏ ଯେମିତି ଭୁଲ କରିବ, ସିଏ ତାହାର ଦଣ୍ଡ ସେହି ପ୍ରକାର ପାଇବ | ସେସବୁ ଭାବି ନିଜକୁ ଦୁର୍ବଳ କରନାହିଁ |" ପିଲାମାନଙ୍କର ଏହି କଥା ଶୁଣି ମମତା କହିଲେ, "ଆରେ ନାହିଁ, ମୁଁ ଆଦୌ ଦୁର୍ବଳ ହେଇନାହିଁ | ମୁଁ ଭାବୁଥିଲି ଯେ ଏହି ଦୁନିଆ ରେ ଏବେ ମଣିଷ ଚିହିଁବା ବହୁତ କଷ୍ଟ | ତୁମେ ଏବେ ଯାଅ, ଡେରି ହେଇଜିବ |" ଆକାଶ ଓ ଆରତୀ ହସି ଦେଇ ବାହାରିଗଲେ |ମମତା ନିଜର ବାକି କାମ ସାରି ଆଗ ଅନାଥ ଆଶ୍ରମ ଗଲା |ସେଠାରେ ଅରୁଣ ଓ ଅନିତାଙ୍କ ସହିତ ଅନ୍ୟମାନଙ୍କୁ ପରୀକ୍ଷା ଦେବା ପାଇଁ ହସି ହସି ବିଦା କରିବା ପରେ ସେ ଆଶ୍ରମର ସଞ୍ଚାଳକ ବିନୟ ବାବୁଙ୍କୁ ଭେଟି କହିଲା, " ଆପଣ ଯଦି କିଛି ନ ଭାବନ୍ତି ତେବେ ଗୋଟିଏ କଥା କହିବାକୁ ଚାହୁଁଚି |"ବିନୟ ବାବୁ କହିଲେ, "ଆରେ ମୁଁ କାହିଁକି ଖରାପ ଭାବିବି ? ଆପଣଙ୍କ ଶାଶୁ ଓ ଶ୍ୱଶୁର ଏହି ଅନାଥ ଆଶ୍ରମକୁ ଗଢ଼ିଛନ୍ତି ଓ ବହୁତ ତ୍ୟାଗ ବି କରିଛନ୍ତି |ଆପଣଙ୍କ ବାପା ବି ଏହି ଆଶ୍ରମ ପାଇଁ ଅନେକ କିଛି କରିଛନ୍ତି | ଆପଣ ଯାହା କହିବେ ନିଶ୍ଚୟ ଏହି ଆଶ୍ରମର ଏହି ଅନାଥ ପିଲାମାନଙ୍କର ମଙ୍ଗଳ ପାଇଁ ହେବ |" ଏତକ ଶୁଣି ମମତା କହିଲା, "ମୁଁ ଚାହୁଁଚି ପ୍ରତ୍ୟେକ ଦିନ ଗୋଟିଏ ଘଣ୍ଟା ନବମ ଓ ଦଶମ ପଢ଼ୁଥିବା ପିଲାଙ୍କୁ ଆସି ଏଠାରେ ପଢ଼ାଇବାକୁ |ମୋର ପିଲାଦିନର ସାଙ୍ଗକୁ ପଚାରିବି, ସେ ଯଦି ରାଜି ହେବ ତେବେ ଆମେ ଦୁଇଜଣ ମିଶି ସେମାନଙ୍କୁ ପଢାଇବୁ | ମୋର ଇଚ୍ଛା ଏହି ପିଲାମାନେ ବଡ଼ ହୋଇ ନିଜ ଦକ୍ଷତା ବଳରେ ବହୁତ ସୁନାମ ଅର୍ଜନ କରନ୍ତୁ | ସେଥିପାଇଁ ସେ ଯେଉଁ ବାରଣ୍ଡା ଅଛି, ତାକୁ କାନ୍ଥ ଦେଇ ଗୋଟିଏ ହଲ ପରି କରିଦେଲେ ଭଲ ହେବ | ଆପଣ ହଁ କହିଲେ ମୁଁ ସେ ବିଷୟରେ ଅଵିନାଶଙ୍କ ସହିତ କଥା ହୋଇ କାମ କରାଇବା ଆରମ୍ଭ କରିଦେବି |"ଏତକ ଶୁଣି ବିନୟ ବାବୁଙ୍କ ଆଖିରେ ଲୁହ ଜକାଇ ଆସିଲା ଓ ସେ କହିଲେ, " ଆପଣଙ୍କ କଥା ଶୁଣି ମୋର ଆପଣଙ୍କ ଶାଶୁ ସ୍ୱର୍ଗୀୟ ଶାନ୍ତି ଦେବୀଙ୍କ କଥା ମନେ ପଡି ଯାଉଛି | ସେ ବି ଆସି ଏଠାରେ ଏହି ପିଲାମାନଙ୍କୁ ପଢ଼ାଉଥିଲେ ଆଉ ଏହିପରି ସ୍ୱପ୍ନ ଦେଖୁଥିଲେ | ବୋଧହୁଏ ଆପଣଙ୍କ ମାଧ୍ୟମ ରେ ତାଙ୍କର ଅପୁର୍ଣ ସ୍ୱପ୍ନ ପୂରଣ ହେବାର ସମୟ ଆସି ଯାଇଛି | ଆପଣ ଯାହା ଏଥିପାଇଁ କରିବାର କରନ୍ତୁ, ମୁଁ ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ |" ବିନୟ ବାବୁଙ୍କ ଠାରୁ ଏହି କଥା ଶୁଣି ମମତା ଖୁସିରେ ହସିଦେଇ ନିଜ ବିଦ୍ୟାଳୟକୁ ଗଲେ |ସେଠାରେ ପିଲାମାନଙ୍କ ସହିତ ଦୁଇ ଘଣ୍ଟା ରହି ଘରକୁ ଆସିଲେ | ହାତ ଗୋଡ଼ ଧୋଇ ଖାଇବା ଖାଇ ସାରି ନିଜ ଘରେ ଥିବା ତାଙ୍କ ଚିତ୍ରଶାଳା ଗୃହକୁ ଗଲେ | ଆଜି ଆଉ ଗୋଟିଏ ନୂତନ ଚିତ୍ରର ସେ କିଛି ସ୍କେଚ ପ୍ରସ୍ତୁତ କରିବାରେ ଲାଗିଲେ | ତାଙ୍କୁ ସମୟ ଜଣା ପଡିଲା ନାହିଁ | ଯେତେବେଳ ଘରର ଘଣ୍ଟି ବାଜିଲା, ମମତା ଦେଖିଲେ ସମୟ ଦିନ ଚାରିଟା ବାଜି ଗଲାଣି | ସେ ଯାଇ କବାଟ ଖୋଲିଲେ ଓ ଦେଖିଲେ ଅରୁଣ ଆଉ ଅନିତାକୁ | ତାଙ୍କୁ ଭିତରକୁ ଡାକି ବସାଇଲେ ଓ ଆଗାମୀ କାଲିର ପରୀକ୍ଷା ପାଇଁ ପ୍ରସ୍ତୁତ କରାଇଲେ |କିଛି ସମୟ ପରେ ଆକାଶ ଓ ଆରତୀ ବି ଆସିଗଲେ |ସେମାନଙ୍କୁ ତାଙ୍କର ଖାଇବା ଦେଇ ନିଜେ ତିନି କପ ଚାହା ଓ କିଛି ଜଳଖିଆ ଆଣି ଅରୁଣ ଓ ଅନିତା ପାଖରେ ବସିଲେ |ତାଙ୍କୁ ଜଳଖିଆ ଖାଇବାକୁ ଓ ଚାହା ପିଇବାକୁ କହିଲେ | ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ତାଙ୍କୁ ପଢାଇ ବିଦା କରିଲେ ମମତା | ସେଠାରୁ ଉଠି ହାତ ଗୋଡ଼ ଧୋଇ ଠାକୁରଙ୍କ ପାଖରେ ସନ୍ଧ୍ୟା ବତୀ ଲଗାଇ ନମସ୍କାର କଲେ |ପାଖ ଘରେ ଯାଇ ଦେଖିଲେ ଆକାଶ ଓ ଆରତୀ ନିଜ ପଢ଼ାରେ ବ୍ୟସ୍ତ |ତାଙ୍କ ସହିତ ବସି ସେମାନଙ୍କୁ ପଢ଼ାରେ କିଛି ସାହାଯ୍ୟ କଲେ | ସେତିକିବେଳେ ଅବିନାଶଙ୍କ ଫୋନ ଆସିଲା | ମମତା ଫୋନକୁ ଧରି ବାହାରକୁ ଚାଲିଗଲେ ଓ ଅବିନାଶ କହୁଥିଲେ, "ମମତା, ଏହି ଯେଉଁ କାଣ୍ଡ ଏଠାରେ ହେଇଛି, ଏଥିରେ ବହୁତ ଲୋକ ଜଡ଼ିତ | ବଡ଼ ଗଣ୍ଡଗୋଳିଆ ପରିସ୍ଥିତି | ମୁଁ ଏବେ ଯାଉଛି ଗାଆଁକୁ |ଯଦି ହେବ ବାପା ଓ ମାଆଙ୍କୁ କାଲି ଏଠାରୁ ପଠାଇ ଦେବି |ତାପରେ ମୋର ଆଇନ ହିସାବରେ ଯାହା କରିବାର ହେବ କରିବି |କାରଣ ସେମାନେ ଏଠାରେ ରହିଲେ ତାଙ୍କୁ ବିପଦ ଆସିପାରେ ଓ ମୋତେ ବି ଡରି ଡରି କାମ କରିବାକୁ ପଡିପାରେ | ମୁଁ ଯାଇ ବାପାଙ୍କୁ ସବୁ ବୁଝାଇ କହିବି ଓ ତୁମ ପାଖକୁ ସେମାନଙ୍କୁ ପଠାଇ ଦେବି |ପରେ ସବୁ କଥା କହିବି |" ଏତକ ଶୁଣି ମମତା ବଡ଼ ଚିନ୍ତାରେ ପଡିବାରେ ଲାଗିଲେ |ମନ ଭିତରେ ବହୁତ ପ୍ରକାରର ଭାବନା ଘୁରିବାରେ ଲାଗିଲା | ସେ ବ୍ୟସ୍ତ ହୋଇ ଖାଲି ଅପେକ୍ଷା କଲେ ଅବିନାଶଙ୍କ ପରବର୍ତ୍ତୀ ଫୋନକୁ, ଯାହାକୁ ଶୁଣି ହୁଏତ ତାଙ୍କର ଏହି ଭାବନା ସବୁ ମୁକ୍ତ ହୋଇ ମୁକ୍ତ ବିହଙ୍ଗ ପରି ତାଙ୍କ ମନ ପିଞ୍ଜରାରୁ ଉଡିଯିବେ |
