ମୂକଦ୍ରଷ୍ଟା ବାପା
ମୂକଦ୍ରଷ୍ଟା ବାପା
ସମୟର ସ୍ରୋତରେ ବେଳେବେଳେ କିଛି ସତ୍ୟ ବଣରେ ଫୁଟୁଥିବା ବଣମଲ୍ଲୀ ପରି ଝଡି ସେଇ ବଣ ଭିତରେ କେଉଁଠି ଲୁଚିଯାଏ l ନୂତନ ସୂର୍ଯ୍ୟର ଆଗମନ ପୂର୍ବରୁ ସେଇ ସକାଳ ସୂର୍ଯ୍ୟର ସୁନେଲି କିରଣରେ କଳାବାଦଲ ଢାଙ୍କି ହୋଇ ସବୁଦିନପାଇଁ ସେଇ ଝିଲମିଲ କିରଣକୁ ନିଜ ଅସୀମିତ ବକ୍ଷ ତଳେ ଲୁଚାଇଦିଏ l
କର୍ମତତ୍ପର ଚଳଚଞ୍ଚଳ ଜନମାନସ ଭିତରେ ନୂତନ ଗୋଲାପ କଳିକାଟିର ଫୁଟିବାର ଉତ୍ସାହ ଓ ଉଦ୍ଧିପନାକୁ ଦୂରେଇ ଦେଉଥିବା ସମୟ କେତେ ଦୂର ଠିକ ? ଆଉ ସେଇ ସମୟକୁ ଇନ୍ଧନ ଯୋଗାଉଥିବା ବ୍ୟକ୍ତିତ୍ୱମାନେ କେତେଦୂର ଠିକ ? ତା ଠାରୁ ଅଧିକ ଏମିତି ଘଟଣାକୁ ମୁକ ଭଳି ଦେଖୁଥିବା ମହାନ ବ୍ୟକ୍ତିତ୍ୱର ସମାଜରେ ପରିଚୟ କଣ ?
ମଣିଷ ନିଜର ଅନ୍ତରର ଅଭିଜ୍ଞତା ସ୍ତର ଅନୁସରଣ କରି ଦିବ୍ୟଶକ୍ତିଙ୍କ ଆରାଧନା କରିଥାଏ l ଏହି ଦିଗରେ ଆମ ଅନ୍ତରର ଜ୍ଞାନ ଯେତିକି କାମ ଦେଇଥାଏ , କୌଣସି ବାହ୍ୟ ଧର୍ମତତ୍ୱ ବା ସାମାଜିକ ନିୟମ ସେତିକି କାମ ଦେଇନଥାଏ l କିନ୍ତୁ ବେଳେବେଳେ ସେଇ ଅନ୍ତରର ଅଭିଜ୍ଞତା ନିର୍ବିକାର ହୋଇଯାଏ l ସେ ସ୍ଥାଣୁ ପରି କେବଳ ମୂକସାକ୍ଷୀଟିଏ ପାଲଟିଯାଏ l
କହିବାର ତାତ୍ପର୍ଯ୍ୟ ଏହିକି ଯେ ,
ସାଧାରଣତଃ ଘରେ ସ୍ତ୍ରୀ ଲୋକଟିଏ ଗର୍ଭବତୀ ହେବାକଥା ଶୁଣିଲେ ଶାଶୁ ଶ୍ୱଶୁର ଏବଂ ଘରର ସମସ୍ତ ପରିଜନ ଖୁସିରେ ଆତ୍ମହରା ହୋଇ କହିବୁଲନ୍ତି ଯେ , ଆମ ଘରକୁ କହ୍ନେଇ ଆସିବ, କୁନି କାହ୍ନା ଆସିବ , ହିରୋ ଆସିବ, ଏମିତି ଅନେକ କିଛି l
ଏଠି ମୋର ପ୍ରସଙ୍ଗ ଆଜିର ବାପା ମାନଙ୍କପାଇଁ !
"ବାପା ହେଉଛନ୍ତି ଏକ ଅମୁଲ୍ୟ ରତ୍ନ ଯାହାଙ୍କୁ ସାରା ବିଶ୍ୱ ପ୍ରଣିପାତ କରେ l ଆମ ସମାଜ , ସଂସ୍କୃତି , ସାହିତ୍ୟ ସମସ୍ତେ ବାପାଙ୍କୁ ଚଳନ୍ତି ଦେବତାର ଆଖ୍ୟା ଦେଇଥାନ୍ତି l
ଜଣେ ବାପାଙ୍କ କାହାଣୀ ଆରମ୍ଭ ହୁଏ ଯେତେବେଳେ ସ୍ତ୍ରୀଟିଏ ଗର୍ଭବତୀ ହୁଏ l ସେଇଠାରୁ ହିଁ ବାପା ହେବାର ପ୍ରଥମ ସୋପାନ ଆରମ୍ଭ ହୁଏ l
ପରିବାରରେ ସମସ୍ତେ ଯେତେବେଳେ ନୂତନ ଅଗନ୍ତୁକଟି ପୁତ୍ର ସନ୍ତାନ ହେବା ବିଷୟରେ କଳ୍ପନା କରନ୍ତି ଠିକ ସେତିକିବେଳେ କେବଳ ଜଣେ ବାପା ହିଁ କନ୍ୟା ସନ୍ତାନର ସ୍ୱପ୍ନ ଦେଖିଥାନ୍ତି l କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଜଣାପଡେ ଯେ ସ୍ତ୍ରୀ ଗର୍ଭରେ ଥିବା ଶିଶୁଟି କନ୍ୟା ଏବଂ ସେହି ନିରୀହ , ନିଷ୍ପାପ ଭୃଣର ହୋଇଥାଏ ନିଷ୍ଠୁର, ନିର୍ମମ ହତ୍ୟା ସେତେବେଳେ ସେଇଠି କନ୍ୟା ସନ୍ତାନର ଲାଳସା ରଖୁଥିବା ବାପାଙ୍କର ଭୂମିକା କଣ ? ସେ ବି କଣ କନ୍ୟାଭୃଣ ହତ୍ୟାରେ ଜଡିତ ଥାନ୍ତି ନାଁ କିଛି ଅଦେଖା ଚାପର ଶିକାର ହୋଇ ମୂକ ଭଳି ଘଟୁଥିବା ଭୃଣହତ୍ୟାକୁ ସମର୍ଥନ କରନ୍ତି ?
ପୂର୍ବେ ପରିବାରରେ ହେଉଥିବା ସମସ୍ତ ଘଟଣା ଓ ନିଷ୍ପତିକୁ ପରିବାରର ଯେଉଁମାନେ ବଡ , ସେମାନଙ୍କ ନିଷ୍ପତ୍ତି ଅନୁଯାୟୀ ପାଳନ କରାଯାଉଥିଲା l ପିତାମାତା ହୁଅନ୍ତୁ ବା ଶାଶୁଶ୍ୱଶୁର , ସେମାନଙ୍କୁ ସମ୍ମାନ ଦେଇ ସେମାନଙ୍କ ନିଷ୍ପତିକୁ ଗ୍ରହଣ କରାଯାଉଥିଲା l ଭୁଲ ନିଷ୍ପତି ଜାଣିବି ଲୋକମାନେ ଚୁପ ରହୁଥିଲେ l କିନ୍ତୁ ଏବେ ସମୟ ବଦଳିଛି l ବର୍ତ୍ତମାନର ପିଢ଼ି ନିଜର ଭଲମନ୍ଦ ବୁଝିବା ପାଇଁ ସମ୍ପୂର୍ଣ ସକ୍ଷମ ହେଲେଣି l ଏବେ କୌଣସି ଭୁଲ ନିଷ୍ପତିକୁ ମୁଣ୍ଡପୋତି ସହିବା ପରିସ୍ଥିତିରେ କେହି ନାହାନ୍ତି l ତଥାପି ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ସମୟରେ ଜଣେ ବାପା କାହିଁକି ମୁକଦ୍ରଷ୍ଟା ପରି ଚୁପ ରହୁଛନ୍ତି ? ନିଜର କନ୍ୟା ସନ୍ତାନକୁ ଦୁନିଆର ପ୍ରଥମ ଆଲୋକ ଅନୁଭୂତି ହେବାପୂର୍ବରୁ ସବୁଦିନ ପାଇଁ ଅନ୍ଧାରରେ ଛାଡି ଦେଉଛନ୍ତି l
ପ୍ରକୃତରେ ତାଙ୍କ ମନରେ ଥିବା କନ୍ୟା ସନ୍ତାନର ଇଛା ବାସ୍ତବ, ନା ସେ ବି ଅନ୍ୟମାନଙ୍କପରି ପୁତ୍ର ମୋହରେ ଭୁଲିଯାନ୍ତି ଭଗବାନଙ୍କର ଅତୁଳନୀୟ ସର୍ବଶ୍ରେଷ୍ଠ ସର୍ଜନାକୁ ?
ଯଦି ତାଙ୍କର କନ୍ୟାସନ୍ତାନର ସ୍ୱପ୍ନ ବାସ୍ତବ ତେବେ ସେ କଣ ପ୍ରତିବାଦ କରିନଥାନ୍ତି ? ଆଜିକାଲିର ସମାଜରେ ଯେଉଁଠି ମନରେ ଉଙ୍କିମାରୁଥିବା ଛୋଟ ଆଶାଟିଏ ପୁରାଣ ନହେଲେ ଲୋକମାନଙ୍କ ମନରେ ବିଦ୍ରୋହର ଭାବନା ଅଗ୍ନିଶିଖା ପରି ପ୍ରଜ୍ୱଳିତ ହୋଇଉଠେ , ସେଇ ସମାଜରେ ରହୁଥିବା ଜଣେ ବାପା କଣ ନିଜର ଭାବି କନ୍ୟାସନ୍ତାନର ଜୀବନ ପ୍ରତି ଆସୁଥିବା ବିପଦକୁ ଦେଖି ମଧ୍ୟ ସଫଳ ପ୍ରତିବାଦ କରିବାରେ ଅକ୍ଷମ ହୁଅନ୍ତି l କଣ ତାଙ୍କ ପ୍ରତିବାଦରେ ସେହି ବିଦ୍ରୋହର ଅଗ୍ନିଶିଖା ଉତ୍ତାପ ଏତେ କମ ଯେ ପରିବାରର ଚାପରେ ତାହା ଶୀଘ୍ର ଶୀତଳ ପଡ଼ିଯାଏ ଆଉ ସେ ପାଲଟିଯାନ୍ତି ଏକ ମୁକଦ୍ରଷ୍ଟା ?
ସଦ୍ୟ ମିଳିଥିବା ଏକ ସମ୍ବାଦନୁଯାୟୀ ସୁଦୂର ରାଜସ୍ଥାନର ଏକ ଗଳିରେ ଜଣେ ଭଦ୍ରବ୍ୟକ୍ତି ଅଳିଆ ପକାଇବା ପାଇଁ ଏକ ଡବାପାଖକୁ ଯାଉଥିବା ସମୟରେ ଉକ୍ତ ଡବା ମଧ୍ୟରୁ ଏକ ସଦ୍ୟଜାତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ କିନ୍ତୁ ଦୁଃଖର ବିଷୟ ଏହିକି ଯେ କିଛି ସମୟପରେ ସେଇ ଶିଶୁଟି ପ୍ରାଣ ହରାଇଥିଲା l ଏଠି ପ୍ରଶ୍ନ ଉଠୁଛି ଯେ ଯେତେବେଳେ ଉକ୍ତ ନବଜାତ କନ୍ୟା ସନ୍ତାନଟିକୁ ତାର ହୃଦୟହୀନ ପରିବାର ସେହି ଡଷ୍ଟବିନ ରେ ଛାଡ଼ିଗଲେ ସେତେବେଳେ ସେଇ ସନ୍ତାନର ବାପା କରୁଥିଲେ କଣ ? ଏହି ଘଟଣାଟି ଏକ ଲଜ୍ୟାଜନକ ବିଷୟବସ୍ତୁ ନୁହେଁ କି ?
ଉକ୍ତ ସନ୍ତାନଟିର ବାପା ତ ନିଶ୍ଚିତ ଭାବରେ ଅଭଗତ ଥିବେ ତାଙ୍କ ଜନ୍ମିତ ସନ୍ତାନର ବିଷୟରେ l ସେ ବି କଣ କନ୍ୟା ସନ୍ତାନ ବୋଲି ଜାଣିଶୁଣି ପିଲାଟିକୁ ଦୂରେଇଦେଲେ ? ଏହି ଅମାନୁଷିକ ପରିସ୍ଥିତିରେ ଜଣେ ବାପାଙ୍କର କର୍ତ୍ତବ୍ୟ କଣ ଏହି ଅନ୍ୟାୟକୁ ପ୍ରତିବାଦ କରିବା ଉଚିତ ନୁହେଁ କି ? କିନ୍ତୁ ଏହି କ୍ଷେତ୍ରରେ ମଧ୍ୟ ବାପାମାନେ ନିରବ ରୁହନ୍ତି l ମୁଁ ଏଠି ସବୁ ବାପା ମାନଙ୍କୁ ଦୋଷ ଦେଉନାହିଁ କେବଳ ଯେଉଁ ବାପାମାନେ ଏହି ପରିସ୍ଥିତିରେ ଚୁପ ରହୁଛନ୍ତି ସେଇମାନଙ୍କୁ ପ୍ରଶ୍ନ ବାଢୁଛି l ଏହା କଣ ନ୍ୟାୟୋଚିତ ?
ଯଦି ବାପାମାନଙ୍କର ଆସନ ଭଗବାନଙ୍କ ସମାସ୍କନ୍ଦ , ତେବେ ଭଗବାନ କଣ ମଧ୍ୟ ଏହିଭଳି ନାଁ କେବଳ ଏହା ଭଗବାନଙ୍କର ଆସନରେ ବସାଯାଇଥିବା ମୁକଦ୍ରଷ୍ଟା ବାପମାନଙ୍କର ଭୂମିକା ?
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର, ମଧୁପାଟଣା
କଟକ-753010
Email-roja.saumya@gmail.com