ମୁଠାଏ ବାଲି ଦୁଇମୁଠା ଅନ୍ଧାର
ମୁଠାଏ ବାଲି ଦୁଇମୁଠା ଅନ୍ଧାର
ଜୁଲାଇ ମାସର ହାଲୁକା ତତଲା ରାତି, କ୍ଲବଘର ଛାତଉପରେ ହେଁସଟେ ପାରି ଶୋଉଥିଲୁ ଆମେ ପାଂଚଜଣ । ମଝିରେ ବାଇନଭାଇ, ବାଁ ପଟେ ହରି ଆଉ ଲିଟୁ , ଡାହାଣ ପଟକୁ ମୁଁ ଆଉ କଟି । ଆମେ ଚାରିଜଣ ସାଂଗ, ଗାଁ ସ୍କୁଲରେ ନବମ ଶ୍ରେଣୀ । ଏକା ବାଇନଭାଇ ଆମଠୁ ଦଶ ଏଗାର ବର୍ଷ ବଡ଼ । କିନ୍ତୁ ବଡ଼ ବୋଲି ତା' ଭିତରେ ଗର୍ବ ଜମାରୁ ନାହିଁ । ସଭିଙ୍କ ସହିତ ମିଶିଯାଏ । ସେ ବୁଢ଼ାଙ୍କ ସହିତ ବିଡ଼ି ଟାଣିଦିଏ ତ, ଆମ ସହିତ କାଚବାଟି ବି ଖେଳେ । ରାତିରେ ଆମେ କ୍ଲବ୍ ଘର ଛାତ ଉପରେ ଶୋଇବା ବେଳେ, ବାଇନଭାଇ କେତେ ଜଣା-ଅଜଣା କଥା କହେ । ତା'କୁ ସବୁ କଥା ମାଲୁମ୍ । ବେହେରା ଘର ବୋହୂର ଛୁଆ କାହିଁକି ହଉନି ? ସବୁକଥାରୁ ଚୁପାଛଡ଼େଇ ପଚାରୁଥିବା ନରୁ ବାରିକ, ବାରିକ କାମ ଛାଡ଼ି , ହଲର ମେସିନ କାହିଁକି ପକେଇଲା ? ହରିମାଷ୍ଟର ଝିଅ ଭୁଏନସର୍ ରେ କ'ଣ କରେ ? କେତେ ଗପ , କେତେ କାହାଣୀ , କେତେ ରହସ୍ୟ, ସବୁ କଥା ତାକୁ ମାଲୁମ୍ । ବେଳେ ବେଳେ ବାଇନ ଭାଇର କଥା , ସମୁଦ୍ର କୂଳିଆ ଗାଁର ଛାତଉପରେ ବୋହୂଥିବା ସମୂଦ୍ର ପବନ ପରି, ଦେହକୁ ଶିହରେଇଦିଏ । ତା' କଥାରେ ତାଳଦେଇ ସମୂଦ୍ର କୂଳର ଝାଉଁବଣ ବି ଗୀତଗାଏ । ଥରେ ବାଇନ ଭାଇ କହିଲା । "ଯେଉଁବର୍ଷ ଆଶାଢ଼ରେ ମଳମାସ ପଡ଼େ । ଜଗନ୍ନାଥ ହୁଅନ୍ତି ନବକଳେବର । ସେହି ମଳମାସରେ ପଡ଼ୁଥିବା ଅମାବାସ୍ୟା ରାତିରେ, ଗୋଟେ ଅଲୌକିକ ଘଟଣା ଘଟେ ।
- କି ଘଟଣା ? ଆମେ ଆଶ୍ଚର୍ଯ୍ୟ ହୋଇ ପଚାରିଲୁ ।
ବାଇନ ଭାଇ କହିଲା ।
"ସେ ସମୂଦ୍ର ପାଖ ଝାଉଁବଣ ପାଖରେ ଯୋଉ ସବୁଠୁ ଉଚ୍ଚା ବାଲିଗଦା ଅଛି , ସେଇଠି ଗୋଟେ ବଡ୍ଡ ସିଜୁବଣ ଥିଲା । ଏବେ ସିଜୁବୁଦା ସବୁ କମିଗଲାଣି । ଅନେକ ଆଗରୁ ସେ ସିଜୁବଣ ଭିତରେ ଥିଲା ମାଁ ସିଜୁଣି ଚଣ୍ତୀ ଙ୍କ ପିଠ । ଏବେ ଆଉ ସେ ପିଠ ନାହିଁ, କିନ୍ତୁ ମାଁ ଅଛନ୍ତି , ଅଦୃଶ୍ୟରେ । "
ମଳମାସର ଅମାବାସ୍ୟା ରାତି, ଠିକ ବାରଟାରେ, ଏକୁଟିଆ, ଉଲଗ୍ନ ହେଇ, ଯିଏ ସେ ବାଲିଗଦା ଅଣ୍ତାଳିବ, ସେ ପାଇବ ଭାଗ୍ୟର ଚାବିକାଠି । "
-ଚାବିକାଠି ! ଆମେ ଆହୁରୀ ଆଶ୍ଚର୍ଯ୍ୟ ହେଇ ତା ମୁହଁକୁ ଚାହିଁଲୁ ।
ଆମେ ତା' ଅଂକାବଂକା କଥା ବୁଝିପାରୁନୁ ବୋଲି ସେ ବୋଧହୁଏ ଜାଣିପାରିଲା । କହିଲା "ସେ ବାଲି ତଳୁ ଯାହା ମିଳିବ । ପାଇଥିବା ଲୋକ ସେହି ଦରବ କୁ ନେଇ ଆଗେଇଲେ , ବିଶ୍ୱ ପ୍ରସିଦ୍ଧ ହେବ ।
ବିରବର ମହାପାତ୍ର , ପାଇଥିଲେ କଲମ ଗୋଟେ । ଏବେ ଦେଖ, ସେ ଭାରତର ବଡ଼ ଲେଖକ । କଇଁରୁ ସାହୁ ପାଇଥିଲା ତେଲ ଡବା ଟେ , ଏବେ ତା'ର ବାଲେଶ୍ୱରରେ ତିନିଟା ପେଟ୍ରୋଲ ପମ୍ପ । ଭାଲୁ ଜେନା ପୁଅ ରାକେଶ ସିରିଂଚ୍ ଟେ ପାଇଥିଲା ଯେ , ସେ' ଏବେ ଡାକ୍ତର ହେଲାଣି । "
କଟି ଅତି ଆଗ୍ରହ ରେ ପଚାରିଲା
- "ବାଇନ ଭାଇ, ସେ ମଳମାସ କେବେ ଅଛି ?
- କେବେ କ'ଣ ବେ ? ଏବେ ଚାଲିଛି ପା । ଏବର୍ଷ ନବକଳେବର ହବ ତୁ ଶୁଣିନୁ କି ! ଏହି ଅମାବାସ୍ୟା ଦିନ କେଉଁ ସାହସୀ ଲୋକର ଭାଗ୍ୟ ବଦଳିବ ଦେଖିବା ? "
ବାଇନ ଭାଇ ଆକାଶକୁ ଦେଖି-ଦେଖି କହୁଥିଲା । ଆଉ ମୁଁ କଣେଇ କଣେଇ ସେ ଝାଉଁବଣକୁ ଦେଖୁଥିଲି ।
ପରଦିନ ସ୍କୁଲ୍ ରେ ମୁଁ ଆଉ କଟି କାହାକୁ କିଛି ନକହି, ପ୍ଲାନିଂ କଲୁ । ଦୁହେଁ ଯିବା । ଉଲଗ୍ନ ହେଇ ଅଣ୍ତାଳିବା । ଯାହା ଭାଗ୍ୟରେ ଯାହା ଥିବ ଦେଖିବା ଆଉ ଅମାବାସ୍ୟା ରାତି ,
ରାତି ସାଢ଼େ ଏଗାର । ଦୁହେଁ ନିଜ ନିଜ ଘରୁ ବାହାରିଆସି, ଗାଁରୁ ସମୁଦ୍ର ଆଡ଼କୁ ଯାଇଥିବା ରାସ୍ତାର ବରଗଛ ପାଖରେ ଭେଟ ହେଲୁ । ଏରିଆ ଶୁନଶାନ୍ । ଅମାବାସ୍ୟାରେ ସମୁଦ୍ରର ଗର୍ଜନ । ଛାତିଭିତରଟା ବି ସମୁଦ୍ର ଢେଉପରି ଚଳଚଂଚଳ । ଦୁହେଁ ଦୁହିଁଙ୍କୁ ସାହସ ଦେଇ ଉଲଗ୍ନ ହେଲୁ । ଲୁଗା ସବୁ ଗଛରେ ଝୁଲେଇ ଦେଇ , ଆଗେଇଲୁ । ଅନ୍ଧାରରେ ବାଲି ଭିତରେ ହାତପୁରେଇ ଏପଟ ସେପଟ ଅଣ୍ତାଳିଚାଲିଥିଲୁ । ନା କିଛି ବି ମିଲୁନି । ଅନ୍ଧାରରେ ଅଣ୍ତାଳୁ ଅଣ୍ତାଳୁ ମୋ ହାତ କଟିର ଚଢ଼ିରେ ବାଜିଗଲା । "ଆବେ ହେଇ ତୁ ପୁରା ଲଂଗଳା ହେଇନୁ ? "ମୁଁ କଟି ଉପରେ ରାଗିକି ନିଆଁ
"ଖୋଲ୍, ସେ ଚଢ଼ିଖୋଲ୍ , ସେଥିପାଇଁ କିଛି ମିଳୁନି ଆଉ ।" କଟି ମୋ କଥାରେ ଚଢ଼ି ଖୋଲି ଫିଙ୍ଗିଦେଲା । ଆଉ ଗୋଟେ ମିନିଟ୍ ଭିତରେ
-"ପାଇଗଲି ପାଇଗଲି " କହି , ଗାଁ ଆଡ଼କୁ ଦୌଡ଼ିଲା । ମୋ ହାତରେ ସେଯାଏଁ କିଛି ବି ବାଜିନି । କିନ୍ତୁ ଏକୁଟିଆ ହେଇଯିବା ଭୟରେ ମୁଁ ବି ଦୌଡ଼ିଲି ତା' ପଛେପଛେ।
ବରଗଛ ପାଖରେ ପହଁଚି ଦେଖିଲାବେଳକୁ ଗୋଟେ ଲମ୍ବା ଛୁରୀଟେ ।" ହେଲେ ଛୁରୀ ପାଇଲେ କ'ଣ ହବ, ଏକଥା ତ ବାଇନ ଭାଇ କହି ନଥିଲା ।"କଟି କହିଲା " ଚାଲ ଯିବା, କ୍ଲବ ଘରୁ ବାଇନ ଭାଇକୁ ଉଠେଇ ପଚାରିବା ? " ବାଇନ ଭାଇ ସବୁ ଶୁଣିଲା । କହିଲା " ତୁ ଗୋଟେ ଛୁରୀ କମ୍ପାନୀର ମାଲିକ ହବୁ । ନହେଲେ ଟାଟା ଭଳିଆ ଗୋଟେ ଷ୍ଟିଲ୍ ପ୍ଲାଣ୍ଟର ମାଲିକ ହେଇଯିବୁ । ସେଦିନ ରାତି କଟିର ଟାଟା କମ୍ପାନୀ ମାଲିକ ହେବାର ରଂଗିନ ସ୍ୱପ୍ନରେ କଟିଲା, ଆଉ ମୋର କିଛି ନପାଇବାର ଅନୁଶୋଚନାରେ। ସକାଳ ହେଲା ବେଳକୁ ଗାଁ ଲୋକେ ଦଳ ଦଳ ହେଇ ସମୂଦ୍ର ଆଡ ଦୌଡ଼ୁଛନ୍ତି । ବାପା ଆସି ବୋଉ କୁ କହିଲେ " ଶୁଣିଲୁଣି ! ଗୋପାଳପୁର ପଣ୍ତାଘର ଝିଅ, ଯୋଉ ହଜିଯାଇଥିଲା ! କିଏ ଗୋଟେ ତା' ଗଳାକାଟି , ମାରି , ସିଜୁବଣ ପାଖ ବାଲିରେ ପୋତିଦେଇଥିଲା । କାଲି ରାତିରେ କୁକୁର ମାନେ ବାଲି ସବୁ ଖେଳେଇଦେଇଛନ୍ତି କି କ'ଣ, ଶବଟା ଦିଶୁଚି । "
ବୋଉ ପାଖକୁ ଲାଗି ଆସି ପଚାରିଲା
- କିଏ ମାରିଛି ?
ବାପା ଆହୁରି ଧିର କଣ୍ଠରେ କହିଲେ
- କେଜାଣେ କିଏ ମାରିଛି । କିନ୍ତୁ କହୁଛନ୍ତି , ମାରିଥିବା ଲୋକର ଚଢ଼ିଟେ ପଡ଼ିଛି ସେଇଠି । ପୋଲିସ୍, କୁକୁର ଧରି ଆସୁଛି । ସେ ଚଢ଼ି ଶୁଙ୍ଘିକି ଖୋଜିବ ।" ମୁଁ ବାପାଙ୍କ କଥା ଶୁଣି ଜୁଲାଇ ମାସର ଗରମରେ ବି ଥରୁଥିଲି । ଛୁରିଟେ ପାଇ, ଷ୍ଟିଲ ପ୍ଲାଣ୍ଟ୍ ମାଲିକ ହେବାର ସ୍ୱପ୍ନ ଦେଖୁଥିବା କଟି , କ'ଣ ଖୁନିଆସାମୀ ହବ ! ଜେଲ୍ ଯିବ ! ଆଉ ତା' ସହିତ ମୁଁ ବି ।