ଗୁପତିଘର
ଗୁପତିଘର
ଗୁପତିଘର
ସିପୁ , ରାଜ ମହାକୁଡ଼ ର ପୁଅ | ବୟସ ସ୍କୁଲ କାଗଜପତ୍ର ରେ ଦଶ କିନ୍ତୁ ପ୍ରକୃତରେ ସିପୁକୁ ବାର ବର୍ଷ ପୁରିଲାଣି | ଗାଁ ରେ ଥିବା ଦଣ୍ଡ ମୁକ୍ତ, ଭୟ ମୁକ୍ତ , ଅଣ୍ଡା ଯୁକ୍ତ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢେ | ରାଜ ମହାକୁଡ଼ର ଗୋଟିଏ ବୋଲି ପୁଅ ସେଥିପାଇଁ ବଡ ଗେଲ ବସର | ମା ବାପା ଦୁହେଁ ସିପୁକୁ ମୁଣ୍ଡରେ ବସେଇ ରଖିଛନ୍ତି |
ସିପୁ ତା ଇଚ୍ଛାରେ ଖାଏ , ତା ଇଚ୍ଛାରେ ଶୁଏ | ଇଛାରେ ଖେଳରୁ ସମୟ ହେଲେ ସ୍କୁଲ ଯାଏ | ମାଷ୍ଟର ମାନେ କେହି କିଛି କହନ୍ତି ନାହିଁ | କିଏ କହିବ କାନ୍ଥରେ ଟୋଲଫ୍ରି ନମ୍ବର ଦେଖିଦେଲେ ମାଷ୍ଟର ଛାନିଆ |
ସିପୁ ସବୁଦିନ ସକାଳେ ଉଠିବା ଆଗରୁ ରାଜ କାମକୁ ଚାଲିଯାଇଥାଏ | ରାଜର ସ୍ତ୍ରୀ ରେବ ଘର ଦୁଆର ପାଇଟିରେ ଲାଗିଥାଏ | ରାଜର ମାଁ , ମାନେ ସିପୁର ଜେଜେମା ବାଡ଼ିରେ ବସି କାହାକୁ ନା କାହାକୁ ସଂପୁଥାଏ | ସମସ୍ତେ ତାକୁ ରାଜମା ବୋଲି ଡାକନ୍ତି | ରାଜମାଙ୍କୁ ଗାଁ ସାରା ଲୋକଙ୍କ ଡର | ରାଜମାର କାହାକୁ ଡର ଭୟ ନାହିଁ | ରାଜମା ଧରାରେ କିରଣ ପଡିବା ଆଗରୁ ଉଠି ବାଡ଼ି ସାରା ବୁଲି ଆସେ | କିଏ ତା କଖାରୁ ନେଇଗଲା କି ? କିଏ ପିଜୁଳି ନେଲାକି ? ଶାଗ ବାଡ଼ି , ବାଇଗଣ ବାଡ଼ି ସବୁରେ ଆଖିପକେଇ ଆସେ | କୋଉଠି ଷଣ୍ଢ ପଶିଲାକି ? କୋଉଠି ଛେଳି ଖାଇଗଲାକି ? ଯଦି ଓଲମବିଲମ କିଛି ଦେଖେ ସେଦିନ ଆଉ କାହାର ନିସ୍ତାର ନାହିଁ | କାହା ନା ନଧରି ଶୋଧିବ | ଶୋଧି ଚାଲିଥିବା ଦିନ ସାରା କେହି ଯଦି କିଛି କହିଦେଲା ତେବେ କଥା ସରିଲା | ଏବେ ପବନ ଗଛପତ୍ରକୁ ଗାଳିଦେଉଥିବା ରାଜମା ସେହି ଲୋକର ନାଁ ନେଇ ଶୋଧିବ | ସେଥିପାଇଁ କେହି ତା ସହିତ ଲାଗନ୍ତି ନାହିଁ |
ରାଜମାର ବୟସ ତାକୁ ନିଜକୁ ବି ମାଲୁମ ନାହିଁ | କେବଳ ସେ ଏତିକି ଜାଣିଚି ମହାତ୍ମାଗାନ୍ଧୀ ଯେବେ ଭଣ୍ଡାରିପୋଖରୀ ଆସିଥିଲେ ସେହିଦିନ ତା ଜନ୍ମ | ଆଉ ମହାତ୍ମାଗାନ୍ଧୀ ଙ୍କୁ ଯୋଉଦିନ ହତ୍ୟା କରାଗଲା ତାହାର ଦୁଇଦିନ ପୂର୍ବରୁ ତା ବାହାଘର | ସତରେ ଏମିତି ହେଇଥିଲା କି ସେ ବଢ଼େଇ ଚଢେଇ କହେ ସେକଥା କେବଳ ରାଜମା ଜାଣିଥିବ | ତା ବୟସର ଲୋକ ଗାଁ ରେ ଆଉ ଦୁଇ ତିନି ଜଣ ଅଛନ୍ତି କିନ୍ତୁ ସେମାନେ କୋଉ ସବୁକଥା ମନେ ରଖିଛନ୍ତି ?
ସିପୁ ଛୋଟ ଥିଲାବେଳେ ତା ଜେଜେମା ପାଖେ ଶୁଏ | ରାଜମା ତାକୁ ଗପ କୁହେ | ରାଜାରାଣୀ ଗପ , କୁହୁକ ପେଡ଼ିଗପ, ଅସୁରାଣୀ ଗପ , କୃଷ୍ଣଜନ୍ମ ଗପ | କୃଷ୍ଣ ଜନ୍ମ ଗପ କହିବା ବେଳେ ଯେତେବେଳେ ସେ ବ୍ୟାଖ୍ୟା କରେ କଂସ କେମିତି ଦେଵକୀର ଗୋଟି ଗୋଟି ସବୁ ସନ୍ତାନକୁ ହତ୍ୟା କରୁଛି | ସେତେବେଳେ ଗପ କହୁକହୁ ରାଜମା ଆଖି ଲୁହରେ ଭରିଯାଏ | ପାଟି ଖନି ମାରେ | ରାଜମା ନିଜେ ଦେବକୀ ହେଇଯାଏ କି ଆଉ ?
ସିପୁକୁ ବେଶୀ ଭଲ ଲାଗେ ଗୁପ୍ତ ଧନ ଗପ | ଜଙ୍ଗଲ ଭିତରେ ଥିଲା ଗୁପ୍ତଧନ | ରାଜା ପଡୋଶୀ ରାଜାର ଆକ୍ରମଣକୁ ସହ୍ୟ ନକରି ପାରି ପଛଘୁଞ୍ଚା ଦେଲାବେଳେ ରାଜଦରବାରର ସବୁ ଧନ ରତ୍ନକୁ ଲୁଚେଇ ଦିଅନ୍ତି ଜଙ୍ଗଲରେ | ନକ୍ସାଟିଏ ଆଙ୍କି , ବଡ଼ ଶଙ୍ଖ ଭିତରେ ପୁରେଇ ମୁହଁ ବନ୍ଧ କରି, ସମୁଦ୍ରକୁ ଫିଙ୍ଗି ଦିଅନ୍ତି | ଠାକୁରଙ୍କୁ ଡାକନ୍ତି ଏହି ନକ୍ସା , ଏହି ଧନ ତା ପରବର୍ତୀ ଦାୟାଦ ପାଆନ୍ତୁ | ଗପ ଶୁଣୁ ଶୁଣୁ ଆଖିଲାଗିଯାଏ ସିପୁର |
ରାଜମା ସୋଉଥିବା ଘରେ ଥିଲା ସେମିତି ଏକ ଗୁପତିଘର | ମାଟି କାନ୍ଥ ଘରେ ବାଉଁଶ ଓ ତାଳ ଦଣ୍ଡା ରେ ତିଆରି କୋଠା ଉପରକୁ ଯିବାପାଇଁ ଥାଏ ମାଟି ତିଆରି ପାହାଚ | ପାହାଚଟି ଥାଏ ରାଜ ଶୋଉଥିବା ଘର ଓ ରାଜମା ଶୋଉଥିବା ଘର ମଝିରେ | ପାହାଚ ତଳେ ଥିବା ଫାଙ୍କା ଏରିଆ ରାଜମା ଶୋଉଥିବା ଘର ପଟକୁ ଖୋଲା ଥିଲା | ସେହି ଘରେ ଗୋଟେ ଛୋଟିଆ କବାଟ ଲାଗିଥିଲା | କବାଟରେ ଥିଲା ଇଂରେଜ ଅମଳର ତାଲା | ସେ ତାଲା କେବେ ଖୋଲାଯାଏ ନାହିଁ | ସେହି ଘରକୁ ସମସ୍ତେ କୁହନ୍ତି ଗୁପତିଘର |
ରାଜ ବି ହେତୁହେଲାଦିନୁ ଦେଖୁଚି ସେ କବାଟରେ ତାଲା | ସେ ଘରେ କଣ ଅଛି ସେ ବି କେବେ ଦେଖିନି କି କେବେ ତା ମା କୁ ପଚାରିନି |
ସିପୁ କିନ୍ତୁ ଭାରି ଚତୁର | ସିପୁ ଭାବୁଥିଲା ସେହି ଘରଟି ହିଁ ସେ ଶୁଣିଥିବା ଗପର ଗୁପ୍ତ ଘର | ସେ ଘରେ ଜେଜେମା ବି ସାଇତି ରଖିଛି ବହୁତ ଧନ ସମ୍ପତ୍ତି | ହୀରା, ଲୀଳା, ମୋତି ସବୁ ଅଛି ସେହି ଘରେ | ନହେଲେ ଅଷ୍ଟଧାତୁ ମୂର୍ତ୍ତି କିମ୍ବା ହନୁମାନ ପଇସା , ଯାହାର ମୂଲ୍ୟ କୋଟିରେ ହେବ | କିନ୍ତୁ ଦେଖିବ କେମିତି ? ରାଜମା ସେ ତାଲାର ଚାବି ନିଜ ଅଣ୍ଟାରେ ବାନ୍ଧି ବୁଲେ | କାହାକୁ ଛୁଇଁବାକୁ ଦିଏ ନାହିଁ | ରହସ୍ୟ , ରହସ୍ୟ ହୋଇ ରହେ |
ସିପୁ ଯେତେ ବଡ ହେଉଥାଏ ସେ ରହସ୍ୟ ସେତେ ବସା ବାନ୍ଧୁଥାଏ ତା ମନରେ | ସେ ଭାବେ ହୁଏତ ତା ଭିତରେ କୁହୁକ ପେଡି ଥିବ | ସେ ପେଡ଼ିରେ ଥିବ ଜେଜେମାଆର ଜୀବନ | ନହେଲେ ବୁଢ଼ୀ ଏତେ ବୟସ ହେଲାଣି ମରୁନି କେମିତି ?
ଦିନେ ସିପୁ ସ୍କୁଲରୁ ଜଲ୍ଦି ପଳେଇ ଆସିଥିଲା | ଦେଖିଲା ଘରେ କେହି ନାହାନ୍ତି | ଜେଜେମା ଘରେ ତାଲା ପଡିଛି | ତାଲା ଭାଙ୍ଗିଲେ ସମସ୍ତେ ଜାଣିବେ | କଣ କରିବ ଚିନ୍ତାକରି | ଗୋଟିଏ କୋଦାଳ ନେଇ ବାପା ମାଁ ଶୋଉଥିବା ଘର ପଟୁ ଗୁପତିଘର ଭିତରକୁ କାନ୍ଥ ଖୋଳିଲା | ଠିକ ବେଳକୁ ରାଜର ସ୍ତ୍ରୀ ରେବ ଆସିଗଲା ଆଉ ସିପୁ ବହେ ଛେଚା ଖାଇଲା |
ସେହିଦିନ ରାଜ ବିଲରୁ ଆସିଲା ପରେ କଥା ବଡ ହେଲା | ରାଜକୁ ରେବ ଶିଖେଇଲା , ''କହୁନ ମା କଣ ରଖିଛନ୍ତି ତା ଭିତରେ ଦେଖେଇଦେବେ | ପିଲାଟା ଆସି ଦଶ ବାର ବର୍ଷର ହେଲାଣି ତା ମୁଣ୍ଡରେ ସେଇ ଗୁପତିଘର ବସା ବାନ୍ଧିଚି | ରାତିରେ ସପନ ଦେଖୁଚି | ମା ଏମିତି କଣ ରଖିଛନ୍ତି କି ସେଠି ? ''
ସ୍ତ୍ରୀ କଥା ରେ ରାଜ ସାହସ କରି ପଚାରିଲା ମା କୁ " ମା , ସେ ଘରେ କଣ ଅଛି ଦେଖେଇଦେଉନୁ ଟିକେ ? ପିଲାଟା କେତେ ଜିଦି କରୁଛି | ''
ରାଜମା ମନା କରିଦେଲା '' ସେଠି ଯାହା ଜିନିଷ ଅଛି କେହି ଦେଖିବାକୁ କେବେ ଚେଷ୍ଟା କରିବନି | ମୁଁ ମଲାପରେ ବି ସେ ଜିନିଷ ଖୋଲିବନି | ''
କଥା ଆଗକୁ ନ ବଢେଇ ପୁଅକୁ ବୁଝେଇଦେଲା ରାଜ |
ସୂର୍ଯ୍ୟ ଉଇଁବ ଉଇଁବ ହେଉଛି | ଆକାଶର ଗୋଟିଏ କୋଣରେ କେହିଜଣେ ଡିବିରୀ ଆଲୁଅଟିଏ ଜାଳିଥିବା ପରି ଦେଖାଯାଉଛି | ସେହି ଆଲୁଅରେ ଫରଚା ମୁହଁ ଦିଶିଲାଣି | ଏବର୍ଷର ସବୁଠୁ ଅଧିକ ଶୀତୁଆ ରାତି ପାହିଗଲା | ଆକାଶରେ ମେଘନାହିଁ , କିଛି ଚଢେଇ କିଚିରି ମିଚିରି କରି ଉଡି ଯାଉଛନ୍ତି |ଝରକା ଫାଙ୍କରୁ ସେ ଚଢେଇ ମାନଙ୍କୁ ଦେଖୁଥିଲା ସିପୁ | ସିପୁ ବୁଝିପାରିନି ଏ ଚଢେଇ ମାନେ ଏତେ କଥା କଣ ହୁଅନ୍ତି ? ନା ତାଙ୍କର ବାପାଙ୍କ ପରି ଚାଷ ଟେନ୍ସନ ଅଛି ନା ମା ପରି ରୋଷେଇ ଟେନ୍ସନ ? ନା ରୋଜଗାର ଅଛି ନା ଖର୍ଚ ଅଛି | ତେବେ ସେମାନେ କଣ କଥା ହୁଅନ୍ତି ? ସବୁ ବେଳେ କିଚିରି ମିଚିରି ହେଉଥିବେ ଯେ ହେଉଥିବେ | ଏମିତିକି କେହି ଚଢେଇ ଏକୁଟିଆ ବସିଥିଲେ ବି କାଁ କାଁ ... କେଁ କେଁ .. କୁଁ କୁଁ ହେଉଥିବ | ଏକୁଟିଆ ବି ଗପୁଥିବ ନିଜ ସହ | ସିପୁ ଭାବେ ଯଦି ମୁଁ ଏମାନଙ୍କ କଥା ବୁଝି ପାରନ୍ତି ତେବେ ପଚାରନ୍ତି " ସକାଳୁ ସକାଳୁ କିଛି କାମ ନାହିଁକି ତୁମର ଖାଲି ଆମକୁ ନିଦରୁ ଉଠେଇବା କାମ ଛଡା ?
ସବୁଦିନ ପରି ରାଜ ବିଲକୁ ଗଲାଣି | ରାଜ ସ୍ତ୍ରୀ ଘର ପାଇଟି କରୁଛି | ସିପୁ ନିଦରୁ ଉଠି ଆକାଶକୁ ଚାହିଁଛି | କିନ୍ତୁ ଶୁଭୁନାହିଁ ରାଜମାର କର୍କଶ ସ୍ୱର, ତା ଅଶ୍ଳୀଳ ଗାଳି | ସିପୁ ଦେଖିଲା ରାଜମାର କବାଟ ଭିତରୁ ବନ୍ଦ ଅଛି | କବାଟ ବାଡେଇ ଡାକିଲା କିଛି ଉତ୍ତର ନାହିଁ |
ଗାଁ ସାହି ଭାଇ ଠୁଳ ହେଲେ , ରାଜ ବିଲରୁ ଆସିଲା | କବାଟ ତାଡି ରାଜମାର ମୃତ ଦେହ ବାହାର କାରଗାଲା | ରାଜ ସ୍ତ୍ରୀକୁ କାନ୍ଦ ମାଡ଼ୁନଥିଲା ବି କାନ୍ଦିବାକୁ ପଡିଲା | ନହେଲେ ଲୋକ କଣ କହିବେ !
କେହିଜଣେ କହୁଥିଲେ " ବୁଢ଼ୀଟା ଥିଲା ବୋଲି ଘରଟା ଘର ଭଳିଆ ଲାଗୁଥିଲା, ଏବେ ଘର ଖାଁ ଖାଁ ଲାଗିବ " | ସିପୁ କିନ୍ତୁ ଦେଖୁଥିଲା ରାଜମା ଅଣ୍ଟାରେ ବନ୍ଧା ଗୁପତିଘରର ଚାବିକୁ | ସେଇଟା ପାଇଗଲେ ସେ ଦେଖିବ ଗୁପ୍ତଗହାରେ ଜେଜେମା କଣ ରଖିଛି |
ବୁଢ଼ୀର କୋକେଇ ବନ୍ଧା ହେଲା | ବୁଢ଼ୀ ଘରୁ ତା ବିଛଣା , ଶାଢ଼ୀ, ମଶାରୀ, ଛତା , ସବୁ ବାହାର କରି ବୁଢ଼ୀ ସହ ଦିଆଗଲା | କେହି ଜଣେ କହିଲେ " ସେ ଛୋଟିଆ ଘର ଭିତରେ ବୁଢ଼ୀ କଣ ରଖିଛି ବାହାର କର | ଯଦି କିଛି ବୁଢ଼ୀ ସହ ଦେଲା ଭଳି ଜିନିଷ ଥିବ ଦେବ "|
ରାଜ ଅନେଇଲା ତା ସ୍ତ୍ରୀ କୁ | ଆଖିରେ ଆଖିରେ କଥା ହେଲେ | ରାଜ କହିଲା " ନା ସେଠି ସେମିତି କିଛିନାହିଁ | ସେଠି ଫାଳ, ଶାବଳ , କୋଦାଳ , ଗଇଁଟି , ଦା' ଏହି ସବୁ ଜିନିଷ ଅଛି | ରେବ କହିଲା " ମାଙ୍କର ଗୋଟେ ଚିହ୍ନ ମୁଁ ରଖିବି , ସେଇଟାକୁ ଠାକୁର ଘରେ ରଖି ପୂଜିବି | ମତେ ଏତେ ଭଲ ପାଉଥିଲେ , ତାଙ୍କ ସନ୍ତକ ଟିକେ ନରଖିଲେ ମୁଁ ପୋଡ଼ାମୁହିଁ କାହାକୁ ଝୁରିବି ? '' କାହାକୁ କିଛି ନପଚାରି ଅଣ୍ଟାରୁ ସୁତାଟା କାଟିନେଲା | ତା ସହ ଚାବିଟା ବି |
ଶବ ଉଠିଲା | ରାଜମା ରହୁଥିବା ଘରେ ଗୋବରପାଣି ପଡିଲା | ସେ ଇଂରେଜ ଅମଳ ତାଲା ଝୁଲୁଥିଲା ଗୁପତିଘର କବାଟରେ || ରାଜର ସ୍ତ୍ରୀ ଭାବୁଥିଲା " ଆଉ ତୁ କଣ ଏ ଗୁପତିଘରକୁ ସୁରକ୍ଷା ଦେଇପାରିବୁ ? ଏବେ ଭିତରେ ଯାହା ଅଛି ସବୁ ମୋର ''
ସନ୍ଧ୍ୟା ପର୍ଯ୍ୟନ୍ତ ଗହଳ ଲାଗିରହିଲା | ରାତିରେ ଦାଣ୍ଡ କବାଟରେ ତାଲା ଦେଇ ତିନିଜଣ ଆସିଲେ ଗୁପତିଘର ଖୋଲିବାକୁ | ତାଲା ଖୋଲା ହେଲା | ଟର୍ଚ୍ଚ୍ ମାରି ଗୋଟି ଗୋଟି ଜିନିଷ ବାହାର କଲା ରାଜ | ରାଜାର ସ୍ତ୍ରୀ ସେ ପାଖକୁ ଯାଉ ନଥାଏ | କାଳେ ସାପ ଥିବ କି ବୁଢ଼ୀର ଆତ୍ମା ଥିବ କି !
ସେ ଘରୁ ବାହାରିଲା ବହୁତ ଛୋଟ ଛୋଟ ଡବା | ସେଥିରେ ଥିଲା ଦେଶୀ ବୋଇତାଳୁମଞ୍ଜି , ଦେଶୀ କଲରା ମଞ୍ଜି, ଦେଶୀ କାକୁଡିମଞ୍ଜି ଏମିତି କେତେ ମଞ୍ଜି | ଚାଳିଶ କି ପଚାଶ ପ୍ରକାର ଦେଶୀ ଧାନର ବିହନ | ତିନୋଟି ଡବା ରେ ପୁରୁଣା ପଇସା | ଯାହାର ମୂଲ୍ୟ ଏବେ କିଛି ନାହିଁ | ପଛପଟକୁ ଥିଲା ଗୋଟେ କାଠ ବାକ୍ସ | ସେଥିରେ ପଡିଥିଲା ତାଲା |
ରାଜର ସ୍ତ୍ରୀ ଭାବିଲା ଏଥିରେ ନିଶ୍ଚିତ ଗୁପ୍ତ ଧନ କିଛି ଥିବ | ତାଲା ଭଙ୍ଗା ହେଲା , ଆଉ ସେଥିରୁ ଯାହା ବାହାରିଲା ତାକୁ ଦେଖି ରାଜ କୋହ ସମ୍ଭାଳିପାରିଲାନି | କାନ୍ଦି କାନ୍ଦି ଗଡ଼ିଗଲା | ରାଜାର ସ୍ତ୍ରୀ ପଚାରିଲା କଣ ହେଲା ? କାନ୍ଦୁଛ କିଆଁ ? କଣ ବାହାରିଲା ତା ଭିତରୁ ? ରାଜ ଦେଖେଇଲା , ପାଞ୍ଚଟି ପୁରୁଣା କପଡା ସେ କପଡାରେ ଲେଖା ଥିଲା ପାଞ୍ଚଟି ନାଁ | କାଳୀ, ମାଳ, ରାଧା , ମୀରା ଓ ସର | ସିପୁ ଓ ତା ମା କିଛି ବୁଝି ପାରୁ ନଥିଲେ | ସେ ବାକ୍ସରେ ଆହୁରି ଥିଲା ଗୋଟିଏ ଧୋତି ଆଉ ଗୋଟେ ହଳଦିଆ ରଙ୍ଗର ସୁତା ଶାଢ଼ୀ |
ରାଜ କହିଲା ଏହି ଧୋତି ଆଉ ଏ ଶାଢ଼ୀ ମୋ ବାପା ମାଙ୍କ ପ୍ରଥମ ସ୍ମୃତି , ଯାହାକୁ ସେ ସାଇତି ରଖିଥିଲା ଏତେ ଯତ୍ନରେ | ଆଉ ଏହି ଚିରା କପଡା ସବୁ ମୋ ଭଉଣୀ ମାନଙ୍କର | ମୁଁ ଜନ୍ମ ହେବା ଆଗରୁ ପାଞ୍ଚଟି ଝିଅ ମରିଥିଲେ ଜନ୍ମ ହେବାର କିଛି ଦିନ ଭିତରେ | ତାଙ୍କ ଘୁଅ ଲୁଗାକୁ ସାଇତି ରଖିଥିଲା ମୋ ମା | ସେମାନଙ୍କୁ ଭୁଲିପାରୁନଥିଲା ବୋଲି |
ଏତିକି ତା ସମ୍ପତ୍ତି ଏହି ସ୍ନେହ ଟିକକ | ନେଇପାରିବ ? ସମ୍ଭାଳିପାରିବ ତା ସମ୍ପତ୍ତିକୁ ? ସାଇତି ପାରିବ ତା ସ୍ମୃତିକୁ ? ଏତିକି କହି ରାଜ ମହାକୁଡ଼ ସେ ବାକ୍ସରେ ସବୁ ଜିନିଷ ଭରିଲା ଆଉ ସେ ବାକ୍ସକୁ ନିଜ ଘର ଆଲମାରୀରେ ନେଇ ରଖିଲା |
-କ୍ଷୀରୋଦ ବିହାରୀ ବିଶ୍ୱାଳ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ସୁବର୍ଣ୍ଣପୁର
ମୋ 9439987675