STORYMIRROR

KRUTIBAS NAYAK

Tragedy Classics

4  

KRUTIBAS NAYAK

Tragedy Classics

ମୁଁ କଣ୍ଡୁରୀ ଦାସ କହୁଛି

ମୁଁ କଣ୍ଡୁରୀ ଦାସ କହୁଛି

10 mins
204


ପ୍ରଫେସର କଣ୍ଡୁରୀ ଦାସ ସ୍ଥାୟୀ ଭାବରେ ମେଡ଼ିକାଲରୁ ଫେରି ଆସିଲେ । ଦାୟିତ୍ୱରେ ଥିବା ଡାକ୍ତର ଅନ୍ୟମାନଙ୍କୁ କହିଥିଲେ-"ଆଉ ଆମ ପାଖରେ କୌଣସି ଉପାୟ ନାହିଁ, କେବଳ ଆଇସିୟୁରେ ପକେଇ ରଖିବା କଥା । ଏଇଠି ରହିଲେ ଆପଣମାନେ ତାଙ୍କ ଜୀବନର ଶେଷ ମୁହୂର୍ତ୍ତଗୁଡ଼ିକୁ ଦେଖିବାକୁ ସୁଯୋଗ ପାଇଁ ନ ପାରନ୍ତି । ଯଦି ଆପଣ ଘରକୁ ନେଇଯିବେ ସେଇଠି ତାଙ୍କର ଇଚ୍ଛା ଅନୁସାରେ ସେବା କରିପାରିବେ । ଏବେ ତାଙ୍କର ଖାଇବାରେ କୌଣସି ପ୍ରକାର କଟକଣା ମଧ୍ୟ ନାହିଁ । ଯେତେବେଳେ ଯାହା ହେବାର ଥିବ, ତାହା ତ ଦେଇଯିବ । ଆପଣମାନେ ଚିନ୍ତାକରି ମୋତେ ଜଣାଇଲେ, ମୁଁ ତାଙ୍କୁ ରିଲିଭ କରିବାର ବ୍ୟବସ୍ଥା କରିବି ।"

ତାଙ୍କ ପାଖରେ ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଫେସର ପଠାଣି ପଟ୍ଟନାୟକ ବି ଥିଲେ । ସେ ମହେଶ୍ୱର ବାବୁଙ୍କୁ ଠାରିଦେଇ ଦୂରକୁ ଡାକିନେଇ ପଚାରିଥିଲେ- "କ'ଣ କରିବା ? କଣ୍ଡୁରୀ ବାବୁ ଆଉ ବେଶିଦିନ ବଞ୍ଚିବେ ନାହିଁ । ତାଙ୍କର ଜୀବନଦୀପ ଲିଭିଲିଭି ଆସୁଛି । ସେକଥା ଡାକ୍ତରମାନେ ଘୋଷଣା କରି ସାରିଲେଣି । ଆପଣ କ''ଣ ଭାବୁଛନ୍ତି ?"

ମହେଶ୍ୱର ବାବୁ ମଥା ତଳକୁ କରି କହିଲେ- "ଡାକ୍ତର ବାବୁ ଯାହା କହିଲେ- ସତକଥା । ଏଇଠି ଏକୁଟିଆ ପଡ଼ିପଡ଼ି ଯନ୍ତ୍ରଣା ପାଇବା ଅପେକ୍ଷା ତାଙ୍କ ଘରକୁ ନେଇଯିବା ଭଲହେବ । ମୁଁ ତ ଏବେ ତାଙ୍କର ସେବା କରୁଛି, ଆଉ ଶେଷ ପର୍ଯ୍ୟନ୍ତ ମୋତେ ହିଁ କରିବାକୁ ପଡ଼ିବ । ମେଡ଼ିକାଲକୁ ପ୍ରତିଦିନ ଆସି ତାଙ୍କ କଥା ବୁଝିବା ଅପେକ୍ଷା ତାଙ୍କ ଘର ବରଂ ମୋତେ ବେଶି ସୁବିଧା ହେବ । ବୁଢା ତ ଏକଜିଦିଆ ମଣିଷ । ବୁଢାର ଧନୁର୍ଦ୍ଧର ତିନିଟା ରୋଜଗାରିଆ ପୁଅ ଥାଉଥାଉ ସେ କାହାରିକୁ ଏ'ଖବର ଦେବାକୁ ମନା କରୁଛି । ମୋତେ କହୁଛି-"ଯଦି ତତେ ଖରାପ ଲାଗୁଛି, କାଲିଠାରୁ ଆଉ ଆସିବୁ ନାହିଁ । କ'ଣ ହେଇଛି କେଜାଣି ଜଣାପଡୁଛି ପୁଅ ଉପରେ ବୁଢା ଭାରି ରାଗିଛି । କିନ୍ତୁ କେବେ ବି ସେ ମନଖୋଲି ତା' ପୁଅ କି ବୋହୂଙ୍କ ବିରୁଦ୍ଧରେ କିଛି ମୋତେ କହେନାହିଁ । ସେକଥା ପଚାରିଲେ-ତାକୁ କାଳେ କଷ୍ଟହେବ ସେଇଥିପାଇଁ ମୁଁ କେବେ ସେକଥା ତାକୁ ପଚାରି ନାହିଁ । ଆପଣ ତ ଜାଣିଥିବେ କଣ୍ଡୁରୀ ଆଉ ମୁଁ ଦୁଇଜଣ ଏକାଦିନେ ଅଧ୍ୟାପକ ହେଇ ରେଭେନସା କଲେଜରେ ଜଏନ କରିଥିଲୁ । ଯେତେବେଳେ ଟ୍ରାନ୍ସଫର ହେଇଛି ଗୋଟିଏ ଅର୍ଡ଼ରରେ ଆମେ ଦୁଇଜଣଙ୍କର ହେଇଛି । ସେ ସବୁବେଳେ ମୋ ପାଖରେ କିମ୍ବା ମୁଁ ଥାଏ ତା'ପାଖରେ, ଆମେ ଦୁହେଁ କିଛି ଅଭାବ ଅନୁଭବ କରିପାରୁନା । ନୂଆ ଜାଗା ଆମକୁ ପୁରୁଣା ଜାଗା ଭଳି ଲାଗେ । ସବୁବେଳେ ପାଖାପାଖି ଆମକୁ କ୍ୱାର୍ଟର ମିଳେ । ତାଙ୍କର ପିଲା ଆଉ ମୋର ପିଲାମାନେ ଗୋଟିଏ ପରିବାରର ପିଲାବୋଲି ମନେ କରନ୍ତି । ପ୍ରିନିସପାଲ କହନ୍ତି- "ଆପଣ ଦୁଇଜଣ ଗତଜନ୍ମରେ ଦୁଇଭାଇ ଥିଲେ ।"

ମୋତେ କେହି ଘରେ ଦେଖିବାକୁ ନ ପାଇଲେ ସେ ନିଶ୍ଚିତ ହେଇଯାଉଥିଲେ ଯେ; ମୁଁ କଣ୍ଡୁରୀ ଘରେ ଥିବି ନ ହେଲେ ତାଙ୍କ ସହିତ କେଉଁ ସଭା ସମିତିକୁ ଯାଇଥିବି । ପରସ୍ପର ନାମଧରି ଆମେ ଡକାହକା ହେଉ । ପରସ୍ପର ଅଭାବ ଅସୁବିଧାକୁ ଦୂରକରୁ । ମୋର କୌଣସି ପ୍ରକାର ଦୁଃଖ-କଷ୍ଟକୁ ସେ ସହିପାରେ ନାହିଁ । ମୋର ଏକମାତ୍ର ଝିଅ ବନିତାକୁ ସେ କନ୍ୟାଦାନ କରିଥିଲା । ସେହି ସମୟରେ ମୋର ଆର୍ଥିକ ଅବସ୍ଥା ଭଲ ନ ଥିଲା । ସେକଥା ଜାଣିପାରି ସେ ତା'ର ଯାନି-ଯୌତୁକ ବାହାଘର ବାବଦକୁ ଯାହା ଦରକାର ସେ ଅକାତର ଭାବେ ଖର୍ଚ୍ଚ କରିଥିଲା । ମୋତେ କହିଥିଲା-"ମୋର ଝିଅଟିଏ ନାହିଁ, ଏ' ଜନ୍ମରେ କନ୍ୟାଦାନ କରି ନ ପାରିଲେ; ଆରଜନ୍ମକୁ ମୁଁ ଓଥଡ଼ାହେଇ ମରିବି । ତୁ ତ କନ୍ୟାରତ୍ନ ପାଇଛୁ ତୋର ଆଉ ଓଥଡ଼ା ଦୋଷ ରହିବ ନାହିଁ । ତେଣୁ ମୁଁ ବନିତାର ବାହାଘର କରିବି । ତୁ ତା'ର ମଉସା ଭଳି କାମକରି ଯାହା ପୁଣ୍ୟ ଅର୍ଜନ କରିବାର ଅଛି କରିବୁ । ଶେଷରେ ତା' କଥା ହିଁ ରହିଲା । ବାହାଘର ଦିନ ସେ କାଷ୍ଠା ଉପବାସ ରହି କନ୍ୟାଦାନ କଲା । ମୋତେ ଚିରଦିନ ପାଇଁ ଋଣୀକରି ରଖିଦେଲା । ସେହିଦିନ ମୁଁ ବେଦୀ ପାଖରେ ଅଗ୍ନିକୁ ସାକ୍ଷୀରଖି ଶପଥ ନେଇଥିଲି-"କଣ୍ଡୁରୀର ଯାହା ଯେତେବେଳେ ଦରକାର ମୁଁ ନିଶ୍ଚୟ ଦେଉଥିବି । ମୁଁ ଜାଣେ ଋଣ ସୁଝିବାକୁ ଶ୍ରେଷ୍ଠ ଉପାୟ ହେଲା-ସେବା । ସେ କଥାକୁ ମୁଁ ଆଜିଯାଏ ଭୁଲିନାହିଁ କିମ୍ବା ଭୁଲିପାରିବି ନାହିଁ । ତା'ର ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ ତା'ର ସେବା କରିବାକୁ ପ୍ରସ୍ତୁତ ରହିଛି ।"

ମହେଶ୍ୱର ବାବୁଙ୍କ ଭରସାରେ ସେଦିନ ମେଡିକାଲରୁ କଣ୍ଡୁରୀ ବାବୁ ରିଲିଭ ହେଇଯାଇଥିଲେ ।

ପଠଣି ବାବୁଙ୍କ ସହିତ ଆହୁରି କେତେଜଣ ସହକର୍ମୀ ଶୁଭେଚ୍ଛୁ ଅଧ୍ୟାପକ ମଧ୍ୟ ସେଦିନ କଣ୍ଡୁରୀ ବାବୁଙ୍କୁ ଘରବାହୁଡ଼ା ସହିତ ତାଙ୍କ ବାସଭବନକୁ ଆସିଥିଲେ । କାହାରି ମୁହଁରେ ସରସତା ନ ଥିଲା । ମହେଶ୍ୱର ବାବୁ ତାଙ୍କ ପାଇଁ ସଫା ବେଡ଼ସିଟ ବିଛେଇଦେଲେ । ଦୁଇପାଖରେ ଦୁଇଟା ବଡ଼ ତକିଆ ଆଉ ମଥା ରଖିବାକୁ ଛୋଟିଆ ପତଳା ତକିଆ ସଜେଇଦେଲେ । ଅନ୍ୟମାନଙ୍କ ସହାୟତାରେ କଣ୍ଡୁରୀ ବାବୁଙ୍କୁ ସେହି ବିଛଣାରେ ଶୁଆଇ ଦିଆଗଲା ।

ଆଶ୍ଚର୍ଯ୍ୟର କଥା, ସେହି ବିଛଣାରେ ଶୋଉଶୋଉ କଣ୍ଡୁରୀ ବାବୁ କଥା କହିବା ଆରମ୍ଭ କରିଦେଲେ-"ମହେଶ୍ୱର ! ଏବେ ମୋତେ ଟିକେ ଭଲ ଲାଗୁଛି । ସେ ଆଲମିରା ଚାବିଟା ଖୋଲ । ଉପର ଥାକରେ ମୋ ବ୍ୟାଙ୍କ ଚେକବହିଟା ଅଛି । ତାକୁ ଟିକେ ଆଣି ମୋତେ ଦେ କଲମଟା ବି ତା' ପାଖରେ ଅଛି ।"

ମହେଶ୍ୱର ବାବୁ ବିଶ୍ଵସ୍ଥ ଚାକର ଭଳି ତରବର ହେଇ ଆଲମିରା ଖୋଲି ଚେକ ବହି ଆଉ କଲମ ଆଣି ତାଙ୍କ ହାତରେ ଧରେଇ ଦେଲେ । 

କଣ୍ଡୁରୀ ବାବୁ ପୁଣି ଧୀରେ କହିଲେ-"ମୋତେ ଟିକେ ଧର ମୁଁ ବସିବି ।"

ପଠାଣି ବାବୁ କହି ପକେଇଲେ-"ସାର ଆପଣ ମୋତେ ଚିହ୍ନି ପାରୁଛନ୍ତି ତ ?"

-"କାହିଁକି ଚିହ୍ନି ପାରିବି ନାହିଁ ? ଆପଣ ପରା ଆମ କଲେଜର ପ୍ରିନ୍ସପାଲ । ମୋର ତ ଶେଷ ସମୟ ଆସିଗଲାଣି । ଆପଣ ଆସିଛନ୍ତି, ଭଲହେଲା ।"

-"ସେମିତି କୁହନ୍ତୁ ନାହିଁ ସାର ! ଆପଣ ନିଶ୍ଚୟ ଭଲ ହେଇଯିବେ ।"

 -"ହୁଁ-" କହି ସେ ଚେକ ବହିରେ ଖାଲି ଗୋଟାଏ ପରେ ଗୋଟାଏ ଦସ୍ତଖସ୍ତ କରି ପାଞ୍ଚଲକ୍ଷ ଟଙ୍କା ଉଠେଇ ଆଣିବାକୁ ମହେଶ୍ୱର ବାବୁଙ୍କୁ ଆଦେଶ ଦେଲେ ।

 ଉପସ୍ଥିତ ଲୋକମାନେ ଅବାକହେଇ ରହିଗଲେ । ବୁଢାର ଅବସ୍ଥା ଯାହା ଥିଲା, ସମସ୍ତେ ଭାବିଥିଲେ- ବୁଢା ତ କୋମାରେ ଥିଲା; ଲାଗୁଥିଲା- ସେ ଏବେ ଚାଲିଯିବ କିମ୍ବା ଯାଇ ସାରିଲାଣି; କିନ୍ତୁ ଏ କ'ଣ ଘରେ ପହଞ୍ଚୁ ପହଞ୍ଚୁ ବିଛଣାରୁ ଉଠି ଚେକବହିରୁ ପାଞ୍ଚଲକ୍ଷ ଟଙ୍କା ଉଠେଇଲାଣି । ତା'ମାନେ ବୁଢା ଏଥର ପୂରା ଭଲ ହେଇଗଲା । ଯାହାହେଉ ଭଲହେଲା ଏଥର ମହେଶ୍ୱର ବାବୁଙ୍କର ଦୁଃଖଦୂର ହେଇଯିବ ।

-"ଏତେ ଟଙ୍କା ଆଣି ମୁଁ କ'ଣ କରିବି ? ସେଇ ପାସବୁକରେ ଥାଉ । ତୁ ଭଲହେଇଗଲେ କାଢି ଆଣି ଖର୍ଚ୍ଚ କରିବୁ ।" ମହେଶ୍ୱର ବାବୁ କହିଲେ ।

-"ମୁଁ ଆଉ ଭଲ ହେବି ନାହିଁରେ- ମହେଶ୍ୱର ! ଆଜି ଦିନ ତିନିଟାରେ ମୁଁ ଆରପାରିକୁ ଚାଲିଯିବି । ବଞ୍ଚି ଥାଉଥାଉ ତୁ ଯା'-ଟଙ୍କାଟା ଉଠେଇ ଆଣ । ନହେଲେ, ବ୍ୟାଙ୍କ ବାଲା ସହଜରେ ଦେବନାହିଁ । କହିବୁ ମୁଁ ଅତିଶୟ ବେମାର । ମୋର ଟଙ୍କା ଦରକାର । ଯଦି ନ ଦିଅନ୍ତି, ମ୍ୟାନେଜରକୁ କହିବୁ ସେ ମୋ ସହିତ ଫୋନରେ କଥାହେବ ।"

-"ଏତେଗୁଡ଼ାଏ ଟଙ୍କାକୁ ମୁଁ ଏବେ ଆଣି କେଉଁଠି ରଖିବି ?"

-"ତୋ ଆକାଉଣ୍ଟରେ ରଖିଦେବୁ । ମୋର ସଂସ୍କାର କାର୍ଯ୍ୟରେ କିଛି ଲାଗିବ ଆଉ ଯାହା ବଳିଥିବ; ସେଥିରେ ମୋର ସାଙ୍ଗସାଥୀଙ୍କୁ ଡାକି ଭଲକରି ମାଛ ଭୋଜିଟି ଖାଇବାକୁ ଦେଇଦେବୁ । ଆଉ ଗୋଟିଏ ଚେକ ଧର, ମୋର ସବୁଯାକ ଟଙ୍କାକୁ ତୋ' ଆକାଉଣ୍ଟକୁ ମୁଁ ଟ୍ରାନ୍ସଫର କରିଦେଇଛି । ଏଇଟାକୁ ଡିପୋଜିଟ କରିଦେଇ ଆସିବୁ ।"

-"ନାଇଁ କଣ୍ଡୁରୀ ! ଏଇଟାକୁ ମୁଁ ଧରିବି ନାହିଁ ସେଇମିତି ଥାଉ ।"

ଏତିକି ଶୁଣି କଣ୍ଡୁରୀ ବାବୁ ଗର୍ଜି ଉଠିଲେ-"ମୁଁ ପ୍ରଫେସର କଣ୍ଡୁରୀ ଦାସ କହୁଛି, ମୋ ଆଜ୍ଞାକୁ ଅବଜ୍ଞା କରିବାକୁ ତୋତେ ସାହସ ଦେଲା କିଏ ?"

ପୁଣି ଥରେ ଉଚ୍ଚ ସ୍ୱରରେ କହିଲେ-"ମନେରଖ ମହେଶ୍ୱର ! ମୁଁ ତୋ' ସାଙ୍ଗ କଣ୍ଡୁରୀ ନୁହଁ, ମୁଁ ପ୍ରଫେସର କଣ୍ଡୁରୀ ଦାସ । ଯା- ମୁଁ ଆଦେଶ ଦେଉଛି-ଶୀଘ୍ର ଟଙ୍କାଧରି ଆସିବୁ, ଆଉ ଟ୍ରନ୍ସଫର ଡିପୋଜିଟ ବି କରି ଆସିବୁ ।"

ସ୍ତବ୍ଧ ହେଇଯାଇଥିଲେ- ଉପସ୍ଥିତ ଶୁଭେଛୁ, ଅଧ୍ୟାପକ ଓ ଅନ୍ୟ ସାହି ପଡ଼ିଶାର ଲୋକେ । ଚମକି ପଡ଼ିଥିଲେ ମହେଶ୍ୱର ବାବୁ ।

ସମସ୍ତଙ୍କ ମନରେ ଗୋଟାଏ ପ୍ରଶ୍ନ -"ଏମିତି କେମିତି ସମ୍ଭବ ହେଲା ? ବୁଢା ତ ଏବେ ବି ପୂରା ଠିକ ଅଛି, ଏତେଦିନ ଯାଏ ଆଇସିୟୁରେ କାହିଁକି ଥିଲା ?"

ଧୀରେଧୀରେ ଜଣକ ପରେ ଜଣେ ସେ ଜାଗାରୁ ଖସିବା ଆରମ୍ଭ କରିଦେଲେ । ପଠାଣି ବାବୁ ବାହାରକୁ ଡାକିନେଇ ମହେଶ୍ୱର ବାବୁଙ୍କୁ ବୁଝେଇଦେଲେ- "ସାରଙ୍କ କଥାମାନି ଏବେ ଟଙ୍କା ଉଠେଇ ଆଣି ରଖନ୍ତୁ । ପରେ ବରଂ ଆମେ ତାଙ୍କ ଆକାଉଣ୍ଟରେ ପୁଣି ଡିପୋଜିଟ କରିଦେବା ।"

ଆଦେଶ ପାଳନ କରିବା ଉଦ୍ଦେଶ୍ୟରେ ମହେଶ୍ୱର ବାବୁ ସେଠାରୁ ଚାଲିଗଲେ । ସତକୁ ସତ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଏତେଗୁଡ଼ାଏ ଟଙ୍କା ଦେବାକୁ ଅନୁମତି ବି ଦେଇଦେଇଥିଲେ । ଶେଷରେ ସେ ଟଙ୍କାକୁ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେବାକୁ ବି ରାଜି ହେଇଗଲେ ।

ମହେଶ୍ୱର ବାବୁଙ୍କର ମନେ ପଡ଼ିଗଲା କଣ୍ଡୁରୀ କହୁଥିଲା -"ଆଜି ଦିନ ତିନିଟାରେ ସେ ଆରପାରିକୁ ଚାଲିଯିବ । ସେ କ'ଣ ସର୍ବଜ୍ଞ ଯେ ନିଜ ଇଚ୍ଛାରେ ସେ ଆରପାରିକୁ ଚାଲିଯିବ ? ବେକାରିଆ ଲୋକଟା ମ ! ତା'ମୁଣ୍ଡ ଖରାପ ହେଇଗଲାଣି । ନିଜ ମୃତ୍ୟୁର ସମୟ କେଇଟା ଲୋକ ଜାଣିଥା'ନ୍ତି, କିଏ ବା ମରିବାକୁ ଚାହେଁ । ଛାଡ଼ ତା' ବାଜେକଥା । ତଥାପି ତିନିଟା ପୂର୍ବରୁ ତ ଘରେ ପହଞ୍ଚିଗଲେ ଗଲା । ମୁଁ ଗଲେ ବରଂ ସେଇଠୁ ପଠାଣି ବାବୁ ମୁକ୍ତି ପାଇବେ ।"

ସେ ତରବରହେଇ ବ୍ୟାଙ୍କରୁ ସିଧା ଚାଲିଲେ-କଣ୍ଡୁରୀ ବାବୁଙ୍କ ଘରକୁ । ଆହୁରି ପାଞ୍ଚ ମିନିଟ ଅଛି, ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିଗଲେ । ଟଙ୍କା ଉଠେଇଦେବା କଥା ସେ କଣ୍ଡୁରୀ ବାବୁଙ୍କୁ ଜଣେଇଦେଲେ । ଅଳ୍ପ ଟିକେ ହସିଦେଇ କଣ୍ଡୁରୀ ବାବୁ କହିଲେ-"ମହେଶ୍ୱର ! ମୋ ପାଖକୁ ଟିକେ ଆ - । ତୋ' ହାତଟାକୁ ମୋ ମଥା ଉପରେ ଥୋଇ ଶପଥ କର । ମୋର ମୃତ୍ୟୁ ଖବର କଦାପି ମୋର କୌଣସି କୌଣସି ପୁଅ କି ବୋହୂଙ୍କୁ ଜଣେଇବୁ ନାହିଁ । ମୋର ମୁଖାଗ୍ନି ତୁ ଦେବୁ । ସମସ୍ତ ପ୍ରେତ କର୍ମ ତୁ କରିବୁ । ଭଲକରି ମାଛ ଭୋଜିକରି ସମସ୍ତ ଜ୍ଞାତି-କୁଟୁମ୍ବକୁ ଖୁଆଇବୁ । ପ୍ରତିବର୍ଷ ମୋତେ ଶ୍ରାଦ୍ଧଦେବୁ । ମୋର ଆତ୍ମା ତୋ' ପାଇଁ ମୁକ୍ତି ପାଇବ । ପଠାଣି ବାବୁ ପ୍ରିନ୍ସପାଲ, ସବୁକଥାକୁ ସାକ୍ଷୀ ରହିଲେ । ଏବେ ତିନିଟା ବାଜିଯିବ ମୋତେ ଡାକରା ଆସିଲାଣି । ମୁଁ ଚାଲିଲି ।"

ସତକୁ ସତ କଣ୍ଡୁରୀ ବାବୁ ସବୁଦିନ ପାଇଁ ଆଖି ବୁଜିଦେଲେ । ପଠାଣି ବାବୁ ତରବର ହେଇ ଡାକ୍ତରଙ୍କୁ ଡକାଇ ପଠାଇଲେ ।

ଡାକ୍ତର ବାବୁ କହିଦେଲେ-"ସେ ଆଉ ନାହାନ୍ତି । ମହେଶ୍ୱର ବାବୁ ପିଲାଙ୍କ ଭଳି ତାଙ୍କ ଉପରେ ଲୋଟି ପଡ଼ିଲେ । କଣ୍ଡୁରୀ ! କଣ୍ଡୁରୀ ବୋଲି ଚିତ୍କାର କରି ମଥା ପିଟିଦେଲେ । ପଠାଣି ବାବୁ ଦୁଇବନ୍ଧୁଙ୍କର ଅମଳିନ ସ୍ନେହ, ପ୍ରେମ ଓ ବିଶ୍ୱାସକୁ ଦେଖି ଆଖିରୁ ଲୁହ ଝରାଉଥିଲେ । 

ଚାହୁଁଚାହୁଁ କଣ୍ଡୁରୀ ବାବୁଙ୍କ ମୃତ୍ୟୁ ଖବରଟା ବିଜୁଳି ବେଗରେ ଆଖପାଖ ଅଞ୍ଚଳରେ ପହଞ୍ଚିଗଲା । ଶେଷ ଦର୍ଶନ କରି ସେମାନେ କଣ୍ଡୁରୀ ବାବୁଙ୍କ ସଦଗୁଣ ପାଠ ପଢେଇବାର ନିଆରା ଢଙ୍ଗ ଆଉ ତ୍ୟାଗ ମନୋବୃତ୍ତିକୁ ପ୍ରଶଂସା କରି ଲୁହ ଢାଳିଦେଲେ କିନ୍ତୁ ସମସ୍ତଙ୍କର ଆଖି ଖୋଜୁଥିଲା-ତାଙ୍କର ତିନି-ତିନିଟା ରୋଜଗାରିଆ ଯୋଗ୍ୟ ପୁଅମାନଙ୍କୁ । କିନ୍ତୁ କେହି କିଛି କହି ପାରୁ ନ ଥିଲେ । 

ତାଙ୍କର ଅନ୍ତିମ ଇଚ୍ଛା ପୂରଣ କରିବା ଉଦ୍ଦେଶ୍ୟରେ ମହେଶ୍ୱର ବାବୁ ହିଁ ମୁଖାଗ୍ନି ଦେଲେ, ପ୍ରେତକର୍ମ ଧରିଲେ; ତିରଣ ଉପରେ ଶୋଇଲେ । ସିଝା ଏକବେଳିଆ ଖାଇଲେ, ଅଛୁଆଁ ହେଇ ରହିଲେ । ସାମାନ୍ୟ ନିଷ୍ଠା କମିଗଲେ କାଳେ କଣ୍ଡୁରରୀର ଆତ୍ମା ଦୁଃଖ ପାଇବ ସେଥିପାଇଁ ସେ ଅତ୍ୟନ୍ତ ନିଷ୍ଠାର ସହିତ ସମସ୍ତ ପ୍ରେତ-ନୀତି ନିୟମକୁ ପାଳନ କରୁଥା'ନ୍ତି ।

କୌଣସି ସୂତ୍ରରୁ ଖବର ପାଇ ତିନିପୁଅ ଗୋଟାଏ ଗାଡ଼ିରେ ଆସି ପହଞ୍ଚିଲେ । ସେତେବେଳକୁ ବାପାଙ୍କ ମୃତ୍ୟୁର ଦଶଦିନ ତୁଠ କାମ ଶେଷହେଇ ସାରିଥାଏ । ତାଙ୍କ ଅବର୍ତ୍ତମାନରେ ସବୁକିଛି କାମ କେମିତି ଆପେ ଆପେ ଚାଲିଛି, ତାଙ୍କୁ କାହିଁକି କେହି ଖବର ଦେଲେନାହିଁ ଏ'କଥା ପଚାରିବାକୁ କାହାରି ସାହସ ନ ଥିଲା । ଲଜ୍ଜା ଓ ସଂକୋଚରେ ନିଜର ଅପାରଗ ପଣିଆକୁ ସେମାନେ ଲୁଚେଇ ରଖିପାରୁ ନ ଥିଲେ । ପାଖ ପଡ଼ିଶା ଲୋକେ ସେମାନଙ୍କୁ ସର୍କସର ଜୋକରକୁ ଦେଖିବା ଭଳି ଚାହିଁ ରହିଥିଲେ । 

ତିନିଭାଇ ପରସ୍ପର ଭିତରେ କଥାହେଲେ- "ଯାହା ତ ହେବାର ହେଇଗଲାଣି । ଆମେ ମାନେ ପୁଅ ହିସାବରେ ବାପାଙ୍କ ଆତ୍ମାର ଶାନ୍ତିପାଇଁ ଗୋଟାଏ ମସ୍ତବଡ଼ ଭୋଜିର ଆୟୋଜନ କରିବା । ସେ ଏମିତି ଭୋଜି ହେଇଥିବ ଯେ ଆଖପାଖ ଅଞ୍ଚଳରେ କେହି କେବେ ଏମିତି ଭୋଜି କରି ନ ଥିବେ କି ଭବିଷ୍ୟତରେ ମଧ୍ୟ କରିପାରିବେ ନାହିଁ । ତିନିଭାଇ ମିଶି ବ୍ୟାଙ୍କକୁ ଯାଇ ଟଙ୍କା ଉଠେଇ ବଜାରକୁ ଚାଲିଗଲେ । ସହରର ନାମୀ-ଦାମୀ ହୋଟେଲ ବୁକିଂ ହେଇଗଲା । ଅତିକମରେ ମେନୁରେ ତିରିଶ ପ୍ରକାର ଖାଦ୍ୟ ରହିବ ବୋଲି କୁହାଗଲା । ଅଗ୍ରିମ ଦଶଲକ୍ଷ ଟଙ୍କା ହୋଟେଲକୁ ଦିଆ ହେଇଗଲା । ଟ୍ରକ ଭର୍ତ୍ତି ସଉଦା ପତ୍ର ମାଛ, ମାଂସ, ଛେନା, ଘିଅ ବୁହାହେଇ ହୋଟେଲରେ ପଶିଲା ।

ଏଣେ ମହେଶ୍ୱର ବାବୁଙ୍କ ତରଫରୁ ପଠାଣି ବାବୁ ମାଛ ଭୋଜିର ଆୟୋଜନ କରି ସାରିଥା'ନ୍ତି । ଏକା ସମୟରେ ପୁଣି ଏକାଜାଗାରେ ଦୁଇ-ଦୁଇଟା ଭୋଜି, ଜଣଙ୍କ ଉଦ୍ଦେଶ୍ୟରେ ହେଉଥିବା ଖବର ସେ ଅଞ୍ଚଳରେ କୌତୁହଳ ସୃଷ୍ଟିକଲା । ଶେଷରେ ଠିକ ହେଲା ଯାହାର ଇଚ୍ଛା ଯେଉଁଠି ସେ ସେଇଠିକି ଖାଇବାକୁ ଯାଉ ।

ହୋଟେଲ ବୁକିଂ କରି ସାରି ତିନି ପୁଅ ଘରଘର ବୁଲି ହୋଟେଲ ଭୋଜିକୁ ଆସିବାକୁ ନିମନ୍ତ୍ରଣ କରିବାକୁ ବାହାରି ପଡ଼ିଲେ । ଅନେକ ଲୋକ ତ ତାଙ୍କୁ ଚିହ୍ନିପାରୁ ନ ଥିଲେ । ନିଜର ପରିଚୟ ଦେଇ କେତେକ ଲୋକଙ୍କଠାରୁ ସେମାନେ ମୃଦୁ ଭର୍ତ୍ସନା ବି ଶୁଣିବାକୁ ପାଇଲେ ।

କେତେକ କହିଲେ- "ହଇରେ ବାପା ! ମଲାବେଳକୁ ତମେ ମାନେ ଆସି ବାପାଙ୍କ ପାଟିରେ ଟିକେ ପାଣି ଦେଇପାରିଲ ନାହିଁ । କାନ୍ଧରେ ତାଙ୍କ ଶବକୁ ନେଇପାରିଲ ନାହିଁ । ହତଭାଗା ଗୁଡ଼ାକ ମୁଖାଗ୍ନି ଦେବା କଥା ତ ଛାଡ଼ ପ୍ରେତକର୍ମ ବି କଲନାହିଁ । ବାପା-ମାଆମାନେ କାହିଁକି ପୁଅଟିଏ ଖୋଜନ୍ତି ? ଶେଷ ବେଳେ ଟିକେ ତ ଆସିଲ ନାହିଁ କି ଦେଖିଲ ନାହିଁ । କେତେ ଭଲଲୋକ ଥିଲେ, ତମର ବାପା । ତାଙ୍କୁ ସବୁଲୋକ ଝୁରି ହେଉଛନ୍ତି । ଏବେ ଭୋଜିଦେଇ କ'ଣ ତମେ ପିତୃ ଋଣରୁ ମୁକ୍ତ ହେବାକୁ ଆସିଛ ?"

କେତେ ପ୍ରକାର କଟୁକଥା, ଏତେ ପ୍ରକାର ପ୍ରଶ୍ନ ପୁଣି ସେ ଉପହାସ ପୁଅମାନଙ୍କୁ ଅସହ୍ୟ ହେଉଥିଲା । ଯଦି ହୋଟେଲରେ ଅଗ୍ରିମ ଦିଆହେଇ ନ ଥା'ନ୍ତା ତେବେ ସେମାନେ ନିଶ୍ଚୟ ନିଜନିଜ ଜାଗାକୁ ଫେରି ଯାଇଥା'ନ୍ତେ । ସେମାନେ କୁହାକୁହି ହେଲେ-"ଓହୋ-ବଡ଼ ଅଡୁଆରେ ପଡ଼ିଗଲେ ଆମେମାନେ । ଯାହା ଯେମିତି ହେଉ ଆଜି ସେ ଭୋଜିଟାକୁ ସାରିଦେଇ ଏଇଠୁ ଶୀଘ୍ର ପଳାଇଗଲେ ମୁକ୍ତି ।" 

ତିନିଭାଇ ନିଜନିଜ ପସନ୍ଦର ନୂଆ ଦାମୀ ପୋଷାକ ପିନ୍ଧି ସଞ୍ଜବେଳକୁ ହୋଟେଲ ପାଖରେ ଠିଆହୋଇ ଅତିଥିମାନଙ୍କୁ ଅପେକ୍ଷା କରି ରହିଥା'ନ୍ତି । 

-"ନିଜ ବନ୍ଧୁ ବାନ୍ଧବ, ସାହି ପଡ଼ିଶା କ'ଣ କେହି ଜଣେ ବି ଆସୁ ନାହାନ୍ତି କଥା କ'ଣ ? ରାତି ନଅଟା ବେଳ ପର୍ଯ୍ୟନ୍ତ ଅପେକ୍ଷା କରିକରି ସେମାନେ ତାଙ୍କ ଘରକୁ ମୁହେଁଇଲେ । ସେମାନଙ୍କୁ କେହି ଅଟକାଇ ରଖି ଦେଇଛି ନା' କ'ଣ ?"ବଡ଼ପୁଅ କହିଲା ।

ସେମାନେ ଯାଇ ଦେଖିଲେ-ସେତେବେଳକୁ ସବୁଯାକ ଶୁଭେଚ୍ଛୁ, ବନ୍ଧୁବାନ୍ଧବ ବାପାଙ୍କର ସାଙ୍ଗ-ସାଥି ଯାଇ ମହେଶ୍ୱର ମଉସାଙ୍କ ଭୋଜିରେ ବସି ଯାଇଛନ୍ତି ।

ବଡ଼ପୁଅ କାନ୍ଦକାନ୍ଦ ହେଇ ମହେଶ୍ଵର ବାବୁଙ୍କୁ କହିଲା-"ମଉସା ! ଏମିତି କ'ଣ କେମିତି ହେଇଗଲା ? ଆମକୁ କ୍ଷମା କରିଦିଅ । ଆମେ ମାନେ ଅତ୍ୟନ୍ତ ସ୍ୱାର୍ଥପର ହେଇ ନିଜନିଜ ପିଲାଙ୍କ ସେବାରେ ଲାଗିରହି ବାପାଙ୍କ ପ୍ରତି ବହୁତ ଅବହେଳା କରିଛୁ । ତାଙ୍କ ସହିତ ଆମର ଯୋଗାଯୋଗ ନ ଥିଲା । ଧନ-ମାନ ଗର୍ବରେ ଆମେ ଅହଙ୍କାରୀ ହେଇଯାଇଥିଲୁ । ବିଦେଶରେ ରହି ଏ' ମାଟିର ମୋହକୁ ତୁଟେଇ ଦେଇ ସେଇଠି ନିଜ ସୁଖରେ ମାତିଥିଲୁ । ସେଥିପାଇଁ ବାପା ଆମକୁ ତ ଅଭିଶାପ ଦେଇଥିବେ । ବାପାଙ୍କ ପ୍ରତି ଆମେ ସବୁ ଅନେକ ଅନ୍ୟାୟ କରିସାରିଛୁ । ସେ ନିଶ୍ଚୟ ଆମକୁ ଗାଳି କରିଥିବେ ତମେ ବି ଶୁଣିଥିବ ମଉସା । ତମେ ତାଙ୍କ ତରଫରୁ ଆମକୁ କ୍ଷମା କରିଦିଅ ।"

-"ନାଇଁରେ ବାପା ! ତମର ବାପା ତ ମଣିଷ ନ ଥିଲେ ସେ ଥିଲେ ଜୀବନ୍ତ ଦେବତା । ତାଙ୍କୁ ତମେ ଚିହ୍ନି ପାରିଲ ନାହିଁ । ନିଜ ସ୍ୱାର୍ଥ-ସୁଖରେ ମାତି ରହି ତାଙ୍କୁ ଦିନେ ବି ପଚାରିଲ ନାହିଁ । ସିଏ ତ ଦିନେ ବି ତମଠାରୁ କିଛି ଆଶା କରୁ ନ ଥିଲେ । 

ଟିକେ ସ୍ନେହ ଆଉ ଦରକାର ହେଲେ ପୁଅର ଭରସା ଚାହାନ୍ତି- ସମସ୍ତଙ୍କର ବାପା ମାଆ । ତାଙ୍କର କ'ଣ ଧନର ଅଭାବ ଥିଲା କି ? ନାଇଁ ତାଙ୍କ ପେନସନ ପଇସା ତ ଯାହାକୁ ଯେତେ । ଛାଡ଼ ସେକଥା ମୁଁ ଆଜି ତମମାନଙ୍କୁ ଏତିକି କହି ଦେଉଛି ଶୁଣ, ତାଙ୍କର ଜୀବନର ଶେଷଇଚ୍ଛାକୁ ମୁଁ ପୂରଣ କରୁଛି । ପ୍ରତିବର୍ଷ ତାଙ୍କର ଶ୍ରାଦ୍ଧ ବି କରିବି । ସେ ହେଉଛନ୍ତି ମୋ ଜୀବନର ଆଦର୍ଶ । ଦୁଃଖବେଳର ବନ୍ଧୁ ସୁଖର ସାଥି । ତମେ ତିନିଜଣ ଜାଣି ରଖ, ତମର ବାପା ତାଙ୍କର ସବୁଯାକ ବଳକା ଟଙ୍କାକୁ ମୋ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇ ଯାଇଛନ୍ତି । ଦରକାର ହେଲେ, ମୋତେ ଜଣାଇବ, ମୁଁ ତମ ତିନିଜଣଙ୍କୁ ସେ ଟଙ୍କାକୁ ବାଣ୍ଟି ଦେଇଦେବି । ପିଲାଟିବେଳୁ ତମେ ମୋତେ ଦେଖି ଆସିଛ । ମୁଁ ତମକୁ ଆଉ ତମ ବାପା-ମାଆଙ୍କୁ ଭଲ ଭାବରେ ଜାଣିଛି । ମୋ ଜାଣିବାରେ ତମ ବାପା-ମାଆ କେବେ ତମର ନିନ୍ଦା କରିନାହାନ୍ତି । ଆଗରୁ କେବଳ ତମମାନଙ୍କର ଏତେ ପ୍ରଶଂସା ତ କରିସାରିଥିଲେ, ସେହି ତୁଣ୍ଡରେ ତମର ଅପକର୍ମକୁ ନିନ୍ଦା କରିବେ କେମିତି ? ସେ କେବେ କାହାରିକୁ ତମ ବିଷୟରେ କିଛି ବି କହୁ ନ ଥିଲେ । କେବଳ ସେ ଆଖିରୁ ଲୁହ ଝରାଉଥିଲେ । ଅନେକ ଅକୁହା ବେଦନା ତାଙ୍କ ହୃଦୟ ଭିତରେ ଜମି ରହିଥିଲା । ଆମେ କେତେଜଣ ସେଇକଥାକୁ ବୁଝି ପାରୁଥିଲୁ କିନ୍ତୁ ଆମ ହାତରେ କିଛି ନ ଥିଲା । ତମେ ତିନିଜଣ ତ ଧନଗର୍ବରେ ମତୁଆଲା ହେଇ ବୃଦ୍ଧପିତାଙ୍କୁ ପୂରା ଭୁଲିଗଲ । ବିଦେଶରେ ରହି ରୋଜଗାରରେ ମାତିଲ, କେବଳ ସ୍ତ୍ରୀ ପିଲାଙ୍କ ପଛରେ ଲାଗି ରହିଲ । ପ୍ରାଚୁର୍ଯ୍ୟକୁ ସବୁକିଛି ମନେ କରିଦେଲ । ତମେ କେମିତି ବୁଝିବ ଅନ୍ୟ କାହାର ମନକଥା ? ଯାହାକି କଣ୍ଡୁରୀର ମୃତ୍ୟୁର କାରଣ ହେଲା । ସେ ଯଦି ମନଖୋଲି ମୋତେ କିଛି କହି ପାରିଥା'ନ୍ତା ତାହେଲେ ଏମିତି ହେଇ ନ ଥା'ନ୍ତା । ଛାଡ଼ ସେକଥା । ତମେ ଏବେ ଯେଉଁଠୁ ଆସିଥିଲ ସେଇଠିକି ଚାଲିଯାଅ । ତମର ସମୟ ଆସିଲେ ତମର ପୁଅମାନେ ନିଶ୍ଚୟ ଉପଯୁକ୍ତ ଋଣ ପରିଶୋଧ କରିଦେବେ ।"

ମହେଶ୍ୱର ବାବୁଙ୍କ କଥା ଶେଷହେବା ପୂର୍ବରୁ ସାନପୁଅ ଦି'ଜଣ ସେଠାରୁ ଖସି ଚାଲିଯାଇଥିଲେ । ଏଥର ମଥା ତଳକୁ କରି ବଡ଼ପୁଅ ସିଧା ଚାଲିଗଲା ଗାଡ଼ିପାଖକୁ । 



Rate this content
Log in

Similar oriya story from Tragedy