ମଉଳା ଗୋଲାପ
ମଉଳା ଗୋଲାପ
ବେଳେବେଳେ ଆମେ ଅଚିହ୍ନା ଅଜଣା ହେଲେ ବି କାହା କାହା ପ୍ରତି ଆକର୍ଷିତ ହେଇଯାଉ, ସେମାନେ ଆମ ହୃଦୟରେ ଅଦୃଶ୍ୟ ଏକ ସ୍ଥାନ କରି ନିଅନ୍ତି....
କଥାଟି ଥିଲା ଏହିପରି.. ମୋତେ ଫୁଲ ବହୁତ ପସନ୍ଦ, ନାନା କିସମର ଫୁଲ ସମ୍ଭାର ଥିଲେ ମୋ ମନ ପ୍ରାଣରେ ଅଫୁରନ୍ତି ଆଶା ଚହଟି ଉଠେ. ଆତ୍ମା କୁ ଏକ ପରମ ତୃପ୍ତି ମିଳେ.ଆଉ ଯେତେବେଳେ ନିଜର ଚିନ୍ତା ଚେତନା ସହ ଖାପ ଖୁଆଉଥିବା ମଣିଷ ମିଳିଯାନ୍ତି ସେତେବେଳେ ଲାଗେ ସତେ ଅବା ଆମକୁ ସ୍ୱର୍ଗ ର ପାରିଜାତ ମିଳିଯାଇଛି.
ମୁଁ ସାନ୍ଧ୍ୟ ଭ୍ରମଣ ପାଇଁ ନିକଟସ୍ଥ ଏକ ପାର୍କ କୁ ଯାଏ, ଶରୀର କୁ ସୁସ୍ଥ ସବଳ ରଖିବା ସହ ସେ ପାର୍କ ଟିର ବିଶେଷ୍ୟତ୍ୱ ହେଲା ଏହା ଫୁଲ ମାନଙ୍କର ଏକ ଗନ୍ତାଘର.ସ୍ୱଚ୍ଛ ବାତାବରଣ ତଥା ନିଶ୍ୱାସ ମୋ ପାଇଁ ସୁସ୍ଥତା କୁ ଦ୍ବିଗୁଣିତ କରି ଦେଉଥାଏ.
ମୁଁ ପ୍ରାୟ ଲକ୍ଷ୍ୟ କରୁଥାଏ ଜଣେ ପ୍ରାପ୍ତ ବୟସ୍କା ବୃଦ୍ଧା ସେହି ପାର୍କ କୁ ଏକ ଛୋଟ ଶିଶୁ ଙ୍କୁ ଖେଳେଇବାକୁ ନେଇ ଆସୁଥିଲେ. ବୋଧହୁଏ ତାଙ୍କୁ ବି ମୋ ପରି ଫୁଲ ବହୁତ ପସନ୍ଦ, ଛୋଟ ଶିଶୁ ସହ ବାର୍ତ୍ତାଳାପ ରୁ ଯାହା ଜାଣିଲି ସେମାନେ ସମ୍ପର୍କ ରେ ଜେଜେମା ଓ ନାତି.
କିନ୍ତୁ ମୁଁ ସବୁକିଛି ଲକ୍ଷ୍ୟ କଲେ ହେଁ କେବେ ତାଙ୍କ ସହ କଥା ହେଇନାହିଁ. ଗୌର ବର୍ଣ୍ଣ ଶରୀର ପାଚିଲା ବାଳ ସହ ବାର୍ଦ୍ଧକ୍ୟ ର ଚି଼ହ୍ନ ମାନ ତାଙ୍କ ଠିଁ ପ୍ରତୀୟ ହେଉଥିଲା ଯେପରି ବୟସ ସତୁରି ପାଖା ପାଖି.
ଦିନେ ମୁଁ ଦେଖିଲି ସେ ଗୋଟେ ଛୋଟ ଗୋଲାପ ଗଛ ଟେ ଆଣି ସେ ପାର୍କ ରେ ଜଣେ ଲୋକ ଙ୍କ ସହାୟତା ରେ ଲଗେଇଲେ.ପରେ ଦେଖିଲି ଯେ ପାର୍କ ରେ ବିଭିନ୍ନ କିସମର ଫୁଲ ମାନଙ୍କ ଭିତରେ ଗୋଲାପ ଟି ନଥିଲା.
ୟା ପରେ ତାଙ୍କର ନାତିକୁ ଖେଳେଇବା ସହ ଅନ୍ୟ ଏକ କାମ ଯୋଡିଗଲା ସେ ଗଛ ଟିକୁ ନିଜ ସନ୍ତାନ ପରି ପାଣି ଦେଇ ସ୍ନେହ ଦେଉଥାନ୍ତି, ଘଣ୍ଟା ଟେ ଧରି ତାକୁ ହିଁ ଚାହିଁ ରୁହନ୍ତି. ଶେଷରେ ଯୋଉ ଦିନ କଢି ଟେ ଆସିଲା ମୁଁ ନିଜେ ଲକ୍ଷ୍ୟ କରିଛି ତାଙ୍କ ମୁଖମଣ୍ଡଳ ରେ ଅପୂର୍ବ ଏକ ଆଭା ଆସିଯାଇଥିଲା.
କିନ୍ତୁ ତା ପର ଠୁ ପ୍ରାୟ ଦଶ ବାର ଦିନ ଆଉ ତାଙ୍କୁ ଦେଖିବାକୁ ପାଇଲିନି. ତାଙ୍କର ସେଇ ଅନୁପସ୍ଥିତି ରେ ମୁଁ ବରାବର ସେ ଗଛ କୁ ପାଣି ଦେଉଥାଏ, ଧଳା ଓ ହାଲକା ଗୋଲାପୀ ରଙ୍ଗ ର ଫୁଲ ଟେ ସେ କଢି ରୁ ଧିରେ ଧିରେ ଫୁଟିଲା. କ୍ରମେ ବଡ଼ ହେଲା କିନ୍ତୁ ମୋ ମନ ଖୋଜୁଥିଲା ସେଇ ବୃଦ୍ଧା ଙ୍କୁ..
ଦଶ ବାର ଦିନ ପରେ ପିଲା ଟି ଆସିଲା କିନ୍ତୁ ଅନ୍ୟ ଏକ ମହିଳା ଙ୍କ ସହ, ଜାଣିଲି ସେ ହେଉଛନ୍ତି ପିଲାର ଗର୍ଭଧାରିଣୀ.
ଏଥର କିନ୍ତୁ ସାହସ କରି ସେ ମହିଳା ଙ୍କୁ ସେ ବୃଦ୍ଧା ଙ୍କ ବିଷୟରେ ପଚାରିଲି.
"ସେ ଆଉ ଏ ଦୁନିଆରେ ନାହାନ୍ତି,ହାର୍ଟ ଆଟାକ ରେ ତାଙ୍କ ନିଧନ ହେଇଗଲା", କୋହ ଭରା କଣ୍ଠ ରେ ମହିଳା ଜଣଙ୍କ କହିଲେ.
ଶୁଣିସାରିବା ପରେ ମୋ ହୃଦୟ ପୁରା ବିଷାଦମୟ ହେଇଗଲା... ମୁଁ ଲକ୍ଷ୍ୟ କରୁଥିଲି ସେଇ ଗୋଲାପ ଟିକୁ ଯାହା ଧିରେ ଧିରେ ମଉଳି ଯାଉଥିଲା ଆଉ ପାଖୁଡା ଗୁଡା ଗୋଟି ଗୋଟି ଖସି ପଡୁଥିଲେ.