STORYMIRROR

Lokanath Rath

Inspirational

3  

Lokanath Rath

Inspirational

ମୁକ୍ତ ବିହଙ୍ଗ (ଦଶମ ଭାଗ )

ମୁକ୍ତ ବିହଙ୍ଗ (ଦଶମ ଭାଗ )

6 mins
362

ରାତ୍ରି ଖାଇବା ସରିବା ପରେ ସଙ୍ଗୀତା, ସମୀର ବାବୁ ଓ ଶରତ ତାଙ୍କ ଘରକୁ ବାହାରିଲେ | ନୂତନ ସଂସ୍ଥାର ସବୁ କାଗଜ ପତ୍ର ତିଆରି କରିବାର ଦାୟିତ୍ୱ ଅବିନାଶ ବାବୁଙ୍କୁ ଦିଆଗଲା | ସେମାନେ ଯାଇ ସାରିଲା ପରେ ବିକାଶ ବାବୁ ଶୋଇବାକୁ ଯିବା ଆଗରୁ ଅବିନାଶ ଓ ମମତାକୁ କହିଲେ ଯେ ଆଗାମୀ କାଲି ସେ ଗାଆଁକୁ ଯିବେ, କାରଣ ସେଠିକାର ସବୁ ବନ୍ଦୋବସ୍ତ କରି ସେ ସୁଜାତାଙ୍କୁ ନେଇ ସହର ଆସିବେ |ସେ ଅବିନାଶଙ୍କୁ କହିଲେ, "ମୁଁ ଗାଆଁରେ ସବୁ ଜମିକୁ ଭାଗ ଲଗାଇ ଦେବି ଓ ଆମ ଅନାଥଆଶ୍ରମର ବିନୟ ବାବୁ କିମ୍ବା ମୁଁ ଯାଇ ବର୍ଷକୁ ଦୁଇଥର ଯାହା ଧାନ ମିଳିବ ହିସାବ କରି ନେଇ ଆସିବୁ | ଆଉ ଆମ ବାଡ଼ିରେ ଯେଉଁ ପନିପରିବା ଚାଷ ହେବ ତାକୁ ମୁଁ ଆମ ଗାଆଁର ଜଣଙ୍କୁ ଠିକାରେ ଦେଇଦେବି ଓ ସେହି ଆମଦନୀର ଟଙ୍କା ଅନାଥ ଆଶ୍ରମକୁ ଦିଆଯିବ | ସୁଜାତା ସହର ଆସିଲା ପରେ ଆମେ ଦୁଇଜଣ ସେହି ଅନାଥ ଆଶ୍ରମରେ ରହିବୁ | ସୁଜାତା ପିଲାମାନଙ୍କୁ ସେଠାରେ ପଢ଼ାଇବା ସହିତ ଅନ୍ୟ କାମ ଶିଖାଇବ ଓ ମୁଁ ବିନୟକୁ ସାହାଯ୍ୟ କରିବି | ସେଥିରେ ତୁମେ ଦୁଇଜଣ ମୋତେ ଦୁଃଖ କରିବାର ନାହିଁ |ଆମେ ସବୁବେଳେ ତୁମ ପାଖକୁ ଆସୁଥିବୁ | ଆମ ଦୁଇଜଣଙ୍କ ଇଚ୍ଛା ଜୀବନର ଶେଷ ଯାଏ ଏହି ଅନାଥ ଆଶ୍ରମର ପିଲାମାନଙ୍କୁ ସ୍ନେହ ଓ ଆଦର ଦେଇ ଚାଲିଥିବୁ |ମୁଁ ଭାବୁଛି ତୁମେ ଦୁଇଜଣ ଆମ ମନ କଥା ବୁଝି ପାରୁଥିବ |" ଏତିକି କହି ବିକାଶ ବାବୁ ଶୋଇବାକୁ ଯାଉଥିଲେ ଦେଖିଲେ ତାଙ୍କ ଝିଅ ମମତାର ଆଖିରେ ଲୁହ |ସେ ମମତା ପାଖକୁ ଯାଇ କହିଲେ, "ଆରେ ମାଆ, ଆମେ ତ ଏହି ସହରରେ ରହିବୁ |ତୁ କାହିଁକି ମନ ଦୁଃଖ କରୁଛୁ ? ଆମେ ଦୁଇଜଣ ସେଠାରେ ରହିଲେ ଦୁଇଟି କାମ ସୁବିଧା ହେବ |ପ୍ରଥମଟି ହେଲା ଯେ ଆମେ ସବୁବେଳେ ସେହି ପିଲାମାନଙ୍କ ସାଙ୍ଗରେ ରହି ତାଙ୍କୁ କିଛି ସାହାଯ୍ୟ କରିବୁ |ଆଉ ଦ୍ଵିତୀୟଟି ହେଲା ଆମେ ରହିଲେ ଆଗ ପରି କେହି ସେଠାରେ ସହଜରେ ପଶି ଗଣ୍ଡଗୋଳ କରିବାକୁ ସାହସ କରିବେ ନାହିଁ |ଯଦି କେହି କିଛି କରେ ତେବେ ତୁରନ୍ତ ତୁମକୁ ଆମେ ଖବର ଦେଇ ଦେବୁ |ମୋତେ ଖାଲି ଚିନ୍ତା ତୋ ଭାଇ ମାନସକୁ ନେଇ |ସେ ଏବେ ସେହି ଗୁଣ୍ଡା ବିକ୍ରମ ସହିତ ତାର ରାଜନୈତିକ ଦଳରେ ମିଶି ରାଜନୀତି କରୁଛି, ତେଣୁ ମାନସ ଜରିଆରେ ବି ସେ କିଛି ଖେଳ ଖେଳିପାରେ | ଏବେ ଆମକୁ ସବୁ ବହୁତ ଭାବିଚିନ୍ତି କାମ କରିବାକୁ ହେବ |ତୁ ମୋଟେ ମନ ଦୁଃଖ କରନାହିଁ |"ବିକାଶଙ୍କ ଏହି କଥା ଶୁଣି ଅବିନାଶ ବି କହିଲେ, "ହଁ ମମତା, ବାପା ଠିକ କହୁଛନ୍ତି |ଆମକୁ ନିଶ୍ଚୟ ଖରାପ ଲାଗିବ ଯେ ସେ ଓ ମାଆ ଆଶ୍ରମରେ ରହିଲେ, ହେଲେ ସେମାନଙ୍କ ସେବା କରିବାକୁ ଆମେ ବି ଅନାଥ ଆଶ୍ରମକୁ ସବୁବେଳେ ଯିବା |ତା ଛଡା ତୁମ ସବୁ ସଂସ୍ଥାର କାମରେ ବି ତ ବାପା ଓ ମାଆ ତୁମ ସାଙ୍ଗରେ ରହିବେ |" ମମତା ନିଜକୁ ବୁଝାଇ ନେଲା ଓ ଲୁହ ପୋଛି ନିଜ କାମ କରିବାକୁ ଗଲା |ବିକାଶ ବାବୁ ଶୋଇବାକୁ ଗଲେ | ଅବିନାଶ ନିଜ ପଢା ଟେବୁଲ ପାଖରେ ବସି ଲେଖା ଲେଖି କାମରେ ଲାଗିଗଲେ |ନିଜର କାମ ସାରି ମମତା ଆସି ଖଟରେ ଶୋଇ ପଡିଲା |ତାର କିଛି ସମୟ ପରେ ଅବିନାଶ ଆସି ଶୋଇ ପଡିଲେ |


ସକାଳୁ ଉଠି ବିକାଶ ବାବୁ ସବୁ କାମ ସାରିଲା ବେଳକୁ ମମତା ଜଳଖିଆ ପ୍ରସ୍ତୁତ କରି ସାରିଥାଏ | ଅବିନାଶ ବି ପ୍ରସ୍ତୁତ ହୋଇ ସାରିଥାନ୍ତି | ବିକାଶ ବାବୁ ଓ ଅବିନାଶ ଏକା ସାଙ୍ଗରେ ଖାଇ ସାରିବା ପରେ ଅବିନାଶ ବିକାଶ ବାବୁଙ୍କୁ ଛାଡିବାକୁ ରେଳ ଷ୍ଟେସନ ଗଲେ | ମମତା, ଆକାଶ ଓ ଆରତୀ ବିକାଶ ବାବୁଙ୍କୁ ପ୍ରଣାମ କରି ବିଦାୟ ଦେଲେ | ବିକାଶ ବାବୁଙ୍କୁ ରେଳ ଷ୍ଟେସନରେ ଛାଡିଲା ବେଳେ ଅବିନାଶ କହିଲେ, "ଆପଣଙ୍କୁ ଯଦି କିଛି ଅସୁବିଧା ହୁଏ, ତେବେ ମୋଟେ ଫୋନ କରିଦେବେ |"ବିକାଶ ହଁ ବୋଲି କହି ବାହାରି ଗଲେ |


ବିକାଶ ବାବୁଙ୍କୁ ଛାଡିବା ପରେ ଅବିନାଶ ତାଙ୍କର ବନ୍ଧୁ ଆଇନଜୀବୀ ଅସିତ ପାଖକୁ ଗଲେ |ସେଠାରେ ସେ ସଙ୍ଗୀତା ଓ ମମତାଙ୍କ ନୂତନ ସଂସ୍ଥା "ପରିଚୟ"ର ପଞ୍ଜୀକରଣ ପାଇଁ ସମସ୍ତ କଥା ହୋଇ ଯାହା ଜରୁରୀ କାଗଜ ଦରକାର ଥିଲା ଦେଇଦେଲେ |ଅସିତ କହିଲେ, "ଯାହାହେଉ ଅବିନାଶ ତୋର ପତ୍ନୀ ମମତା ବହୁତ ପ୍ରତିଭାର ଅଧିକାରିଣୀ | ଆଉ ଯାହା ତୁ ଓ ତୋ ପତ୍ନୀ କରିବାକୁ ଯାଉଛ, ସେଥିରେ ସମାଜର ବହୁତ ଲାଭ ହେବ | ହଁ, ତୋର ସେହି ଅନାଥ ଆଶ୍ରମର ଘର ବଢାଇବା ସହିତ ଆଉ ଯେଉଁ ସବୁ ଉନ୍ନତି ମୂଳକ କାମ ପାଇଁ ଆମେ ଆବେଦନ କରିଥିଲେ, ତାହାର ମଞ୍ଜୁରୀ ମିଳି ଯାଇଛି | ମୁଁ ଭାବୁଛି ଏବେ ସେହି ଅନାଥ ଆଶ୍ରମର ଗୋଟିଏ ନୂଆ ଟ୍ରଷ୍ଟି ଯଦି କରନ୍ତୁ ଭଲ ହୁଅନ୍ତା |ସେଥିରେ କିଛି ଭଲ ଲୋକଙ୍କୁ ରଖିଲେ, ଏହି ଅସାମାଜିକ ଓ ରାଜନୈତିକ ଲୋକଙ୍କ ଟିକେ ଭୟ ରହିବ ତା ଉପରେ ନଜର ପକାଇବାକୁ |ସେଥିପାଇଁ ମୁଁ ଏହି ଦରଖାସ୍ତ ଫର୍ମ ଦେଉଛି, ତୁ ଯଦି ଠିକ ଭାବିବୁ ସବୁ ସଭ୍ୟଙ୍କ ଠାରୁ ପୂରଣ କରି ଆଣି ଦେଲେ ଆମେ ଆବେଦନ କରିଦେବା |" ଅବିନାଶ ଟିକେ ଚିନ୍ତା କରି କହିଲା, "ହଁ, ତୁ ଠିକ କହୁଛୁ | ମୁଁ ମଧ୍ୟ ବହୁତ ଦିନରୁ ଭାବୁଥିଲି | ମୁଁ ଭାବୁଛି ଏଥିରେ ସଭ୍ୟ ଭାବରେ ମୁଁ, ମମତା ଓ ମୋ ଶ୍ୱଶୁର ବିକାଶ ବାବୁ ଅଛନ୍ତି, ଏବେ ସାମ୍ବାଦିକ ସମୀର ଭାଇ, ଶାଶୁ ସୁଜାତା ଦେବି ଓ ଆଇନଜୀବୀ ଅସିତ ଯଦି ଯୋଡି ହେଇ ଯିବେ ନିଶ୍ଚୟ ଭଲ ହେବ |" ଅବିନାଶ ଠାରୁ ଏତକ ଶୁଣି ଅସିତ କହିଲା, "ଆରେ ମୁଁ ଟ୍ରଷ୍ଟର ସଭ୍ୟ ହୁଏ ବା ନହୁଏ, କିନ୍ତୁ ସେହି ଅନାଥ ଆଶ୍ରମ ପାଇଁ ଯାହା ଯେତେବେଳେ ଆଇନ ହିସାବରେ କରିବାକୁ ହେବ ମୁଁ ସବୁବେଳେ କରୁଥିବି |ଏଇଟା ମୋର ଗୋଟିଏ ଜୀବନର ସ୍ୱପ୍ନ | ଆଉ ମଉସା (ଅବିନାଶର ପିତା ) ଥିଲା ବେଳେ ତାଙ୍କ ସହିତ ମିଶି ସେହି ଆଶ୍ରମ ପାଇଁ କାମ କରିବାରେ ବହୁତ ଆନନ୍ଦ ମିଳୁଥିଲା | ଆଜି ତୁ ମୋତେ ଏହାର ଟ୍ରଷ୍ଟର ସଭ୍ୟ ହେବାକୁ କହି ମୋତେ ସ୍ୱାଧୀନ ଭାବରେ ଖୋଲା ଖୋଲି ବହୁତ କାମ କରିବାର ସୁଯୋଗ ଦେଉଛୁ |ମୋତେ ମୋର ଏହି ସ୍ୱପ୍ନକୁ ପୁରା କରାଇ ଗୋଟିଏ ମୁକ୍ତ ବିହଙ୍ଗ ପରି ଉଡିବାର ସୁଯୋଗ ଦେଉଛୁ 'ସେଥିପାଇଁ ତୋତେ ବହୁତ ଧନ୍ୟବାଦ |ଆଉ ସମୀର ଭାଇ ବି ବହୁତ ଉପଯୁକ୍ତ ହେବେ |ତେବେ ତୁ ଏହି ଫର୍ମଗୁଡିକ ପୂରଣ କରି ଆଣି ମୋତେ ଦେଇଦେଲେ ମୁଁ ଆବେଦନ କରିବି | ଆଉ ନୂତନ ସଂସ୍ଥା ପରିଚୟର ସବୁ କାମ ମୁଁ ଆରମ୍ଭ କରି ଦେଉଛି |ତୋତେ ଆଜି ସନ୍ଧ୍ୟାରେ କହିଦେବି କେଉଁଦିନ ମମତା ଓ ସଙ୍ଗୀତା ଆସି ରେଜିଷ୍ଟ୍ରେସନ କରିବେ |" ଅସିତ ପାଖରୁ ସବୁ ଫର୍ମ ନେଇ ଅବିନାଶ ନିଜ ଅଫିସକୁ ବାହାରି ଗଲେ |ଅସିତ ବି କଚେରୀକୁ ବାହାରିଗଲେ |


ଅବିନାଶ ଅଫିସରେ ପହଞ୍ଚି ନିଜ କାମ କରିବାରେ ଲାଗିଲେ | ସେତିକିବେଳେ ତାଙ୍କ ପାଖକୁ ଫୋନ ଆସିଲା ଯେ ତାଙ୍କର ପଦୋନ୍ନତି ହେଇ ଯାଇଛି |ଏବେ ସେ ଜିଲ୍ଲାପାଳ ରୁ ଆଞ୍ଚଳିକ କମିଶନର ହୋଇ ଯାଇଛନ୍ତି | ଏବେ ତାଙ୍କ ପରିସରରେ ମମତାଙ୍କ ଗାଆଁ ବି ରହିବ |ଯେଉଁ ତିନୋଟି ଜିଲ୍ଲା ରହିବ, ତା ଭିତରେ ମମତାଙ୍କ ଜିଲ୍ଲା ବି ଅନ୍ତର୍ଭୁକ୍ତ |ସେ ବହୁତ ଖୁସି ହେଇଗଲେ |ଆସନ୍ତା କାଲି ନୂତନ ଜିଲ୍ଲାପାଳଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରି ସେ ନିଜର ନୂତନ ଦାୟିତ୍ୱ ବହନ କରିବେ |


ଅଫିସର କାମ ଶେଷ କରି ଘରକୁ ଯିବା ଆଗରୁ ଅବିନାଶ ଫୋନ କରି ମମତାକୁ କହିଲେ, "ତୁମେ ପ୍ରସ୍ତୁତ ହେଇ ରହିଥାଅ, ମୁଁ ଆସିଲେ ଆମେ ମନ୍ଦିର ଯିବା |ଗୋଟିଏ ଖୁସିର ଖବର ମୁଁ ଆସି ତୁମକୁ ଘରେ କହିବି |ମୁଁ ଏବେ ବାହାରୁଛି |"ମମତା କିଛି ପଚାରିବା ଆଗରୁ ଅବିନାଶ ଫୋନ ରଖିଦେଲେ |ମମତା କିଛି ବୁଝି ପାରିଲା ନାହିଁ ଯେ କୋଉ ଖୁସି ଖବର |ଏମିତି ତ ଏବେ ସବୁ କିଛି ଭଲ ହେବାରେ ଲାଗିଛି |ଧୀରେ ଧୀରେ ସମସ୍ତଙ୍କ ସୁପ୍ତ ହୋଉ ରହିଥିବା ଅକୁହା ଇଚ୍ଛା ପୂରଣ ହେବାରେ ଲାଗିଛି |ଡେରିରେ ହେଲେ ବି ଏବେ ସିଏ, ସଙ୍ଗୀତା, ତା ବାପା ବିକାଶ ବାବୁ, ମାଆ ସୁଜାତା, ଅରୁଣ ଓ ଅନିତା ସମସ୍ତେ ମୁକ୍ତ ବିହଙ୍ଗ ପରି କେହି ଉଡିବାରେ ଲାଗିଛନ୍ତି ତ କେହି ପୁଣି ଉଡିବାର ବାଟ ପାଇ ଯାଇଛନ୍ତି | ତଥାପି ଅବିନାଶ ନିଶ୍ଚୟ କିଛି ନୂଆ କଥା କହିବେ |ମମତା ଗାଧୋଇ ପ୍ରସ୍ତୁତ ହେଇଗଲା, ଆକାଶ ଓ ଆରତୀଙ୍କୁ କହିଲା ଘରେ ବସି ପଢା ପଢି କରିବାକୁ କାରଣ ସେ ଆଉ ଅବିନାଶ ମନ୍ଦିର ଯାଇ ଆସିବେ |ସେତିକିବେଳେ ଅବିନାଶ ଆସି ପହଞ୍ଚି ଗଲେ |ତର ତର ହୋଉ ସେ ଧୁଆ ଧୋଇ ହେଇ ପ୍ରସ୍ତୁତ ହେଲେ ଓ ଦେଖିଲେ ପାଖରେ ମମତା ବଡ଼ ଉତ୍କଣ୍ଠା ସହିତ ତାଙ୍କୁ ଚାହିଁ ରହିଛି |ସେ ମମତାକୁ ପାଖକୁ ଟାଣି ନେଇ କହିଲେ, "ମୋର ପଦୋନ୍ନତି ହେଇ ଯାଇଛି |ଏବେ ମୁଁ ତିନୋଟି ଜିଲ୍ଲାର ଆଞ୍ଚଳିକ ଜମିଶନର |ତା ଭିତରେ ତୁମ ଜିଲ୍ଲା ବି ଅଛି |କାଲି ଠାରୁ ନୂତନ ଦାଇତ୍ୱ ନେବି |"ଏତକ ଶୁଣି ମମତା ଖୁସିରେ ଅବିନାଶଙ୍କୁ କୁଣ୍ଢାଇ ଧରି କହିଲା, "ସତରେ ମୁଁ ଆଜି ବହୁତ ଖୁସି |" ଏତକ ଶୁଣି ଅବିନାଶ କହିଲେ, "ଆଜି ମୋ ବାପାଙ୍କର ଆଉ ଗୋଟିଏ ସ୍ୱପ୍ନ ପୂରଣ କରିବାର ମୌକା ମିଳିଲା |ମୁଁ ଏବେ ନିଜକୁ ଟିକେ ଚିନ୍ତା ମୁକ୍ତ କାଲି |ମନ ମୋର ମୁକ୍ତ ବିହଙ୍ଗ ହୋଇ ଉଡିବାକୁ କହୁଛି |ଚାଲ ପିଲାମାନଙ୍କୁ ଜଣାଇ ମନ୍ଦିର ଯିବା ଓ ସେଠାରୁ ଫେରି ବାପା ମାଙ୍କୁ ଜଣାଇ ଦେବା |


ଅବିନାଶ ଓ ମମତା ଆସି ଆକାଶ ଏବଂ ଆରତୀକୁ ଏହି ପଦୋନ୍ନତି କଥା କହିଲେ |ସେମାନେ ଖୁସିରେ ଆସି ଅବିନାଶଙ୍କୁ କୁଣ୍ଢାଇ ପକାଇଲେ |ଏବେ ଅବିନାଶ ଓ ମମତା ମନ୍ଦିର ଯାଇ ପୂଜା କରି ଘରକୁ ଫେରିଲେ | ଘରେ ପହଞ୍ଚି ଆଣିଥିବା ଭୋଗ ଓ ମିଠା ପିଲାଙ୍କୁ ଦେଲେ |ସେତିକି ବେଳେ ଅସିତର ଫୋନ ଆସିଲା ଓ ସେ ଜଣାଇଲା କି ପରିଚୟର ରେଜିଷ୍ଟ୍ରସନ ତିନି ଦିନ ପରେ ହେବ | ଅବିନାଶ ତାଙ୍କୁ ନିଜର ପଦୋନ୍ନତି କଥା କହିଲେ ଓ ସେ ବି ବହୁତ ଖୁସି ହେଇଗଲା |


ଅବିନାଶ ଫୋନ କରି ବିକାଶ ବାବୁଙ୍କୁ ନିଜର ପଦୋନ୍ନତି କଥା କହିଲେ |ପାଖରେ ସୁଜାତା ଥିଲେ, ସେ ଶୁଣି ଖୁସି ହେଇ ଗଲେ |ବିକାଶ ବାବୁ କହିଲେ, "ଅବିନାଶ ତୁମର ପଦୋନ୍ନତି କଥା ଶୁଣି ସୁଜାତା ମୁକ୍ତ ବିହଙ୍ଗ ପରି ନାଚିବାରେ ଲାଗିଲାଣି, ଆଉ ମୁଁ ବି ସେମିତି କିଛି ଅନୁଭବ କରୁଛି | ଏବେ ଆମର ସବୁ କିଛି କାମ ଭଲରେ ହେଇଯିବ |ତୁମେ ଓ ମମତା ନିଜର ଯତ୍ନ ନେଉଥିବ |"ଏତିକି କଥା ପରେ ଫୋନର କଥା ବାର୍ତ୍ତା ଶେଷ ହେଇଗଲା | ଅବିନାଶ ସୋଫା ଉପରେ ବସି ଆଖି ବନ୍ଦ କରି ଅନୁଭବ କରିବାକୁ ଲାଗିଲେ, ସତେ ଯେମିତି ସେ ଏହି ବର୍ତ୍ତମାନ କଳୁଷିତ ସମାଜର କବଳରୁ ମୁକ୍ତ ହୋଇ ମୁକ୍ତ ବିହଙ୍ଗ ପରି ଉଡି ଉଡି ତାକୁ ଠିକ କରିବାର ରାସ୍ତା ଖୋଜିବେ |



Rate this content
Log in

Similar oriya story from Inspirational