ମୁଖା ପିନ୍ଧା ମଣିଷ
ମୁଖା ପିନ୍ଧା ମଣିଷ
ଲୋମ ଟାଙ୍କୁରି ଉଠୁଥାଏ ସେଇ ଗୋଟିଏ ଘଟଣା ଯେତେବେଳେ ସ୍ମୃତିପଟ୍ଟରେ ଖେଳିଯାଏ । ସେତେବେଳେ ଏବଂ ଆଜି ଭିତରେ ଅନେକ ପାର୍ଥକ୍ୟ ତଥାପି ସେଇ ଘଟଣା ସେ ଦିନଠୁ ମୋତେ ବହୁତ ବଡ କରିଦେଇଥାଏ । ବୟସ ରୀତିମତ୍ତ ବଢୁଥିଲେ ମଧ୍ୟ ଭୟ ଏବଂ ଘୃଣା ବେଶ ଅଧିକ ମୋ ଭିତରେ ଭିତରେ ଭରି ଭରି ଚାଲେ ।
ଦି ପହର ସମୟ । ଖାଇବା ସାରି ଗଡିଥାଉ ସମସ୍ତେ । ବାପାଙ୍କ ଫୋନ୍ ବାଜିଉଠେ । ମୁଁ ସବା ସାନ ଥିବାରୁ ଦୌଡି ଧରି ଅଣେ । ମାମୁଁଙ୍କ ହଠାତ୍ ଫୋନ ଦେଖି ମା ଟିକେ ଛାନିଆ ହେବାକୁ ଲାଗେ । ମା ମନରେ ଉଠିଥିବା ଭୟ ସତ ହୁଏ । ଆଈଙ୍କ ଅବସ୍ମାନ ବିୟୋଗ ଖବର ମା କୁ ଲୁଚେଇ ବାପା ଏକା ଏକା ଜାଣିଥାନ୍ତି । କେବଳ ଦେହ ଖରାପ କଥା କହି ଆମ ଦି ଭଉଣୀଙ୍କୁ ଛାଡି ପାଖ ଘର ଦାୟିତ୍ବରେ ଛାଡି ଦେଇଥାଆନ୍ତି ।
ପଡୋଶୀ ଘର ସହ ଆମ ସଂପର୍କ ଭାରି ନିବିଡ଼ । ସକାଳୁ ରାତି ଯାଏଁ ଆମେ ସେଠି ରହିଗଲେ ମଧ୍ୟ ମା କିମ୍ବା ବାପାଙ୍କ ଚିନ୍ତା କିଛି ନଥାଏ । ସଂଧ୍ୟା ଯାଇ ରାତି ହେବାକୁ ଆସେ । ମାଙ୍କୁ ଛାଡି ଆସିବା ସମ୍ଭବ ନହେବାରୁ ବାପାଙ୍କୁ ମଧ୍ୟ ସେଠି ରହିବାକୁ ହୁଏ । ଘରେ ଆମେ ଦି ଭଉଣୀ । ଭୟ ତ ଲାଗୁନଥାଏ କାରଣ ଆମ ସହ ସେମାନଙ୍କ ଘରର ଯିଏ ହେଲେ ରହିଥାନ୍ତି ।
ଦି ପହରରେ ଶୋଇନଥାଏ ବୋଲି ମୁଁ ଟିଭି ଦେଖୁ ଦେଖୁ ଶୋଇଯାଇଥାଏ । କିଛି ସମୟ ପରେ ହଠାତ୍ ଯେବେ ନାନୀର କାନ୍ଦ ଶୁଣି ନିଦ ଭାଙ୍ଗି ଗଲା ପରେ ଦେଖେ ନାନୀକୁ ଜାବୁଡି ଧରିଛନ୍ତି ବିମଳ ଭାଇ । ବିମଳ ଭାଇ ପାଖ ଘରର ପୁଅ । ରାକ୍ଷୀର ଡୋରିରେ ଆମେ ତାଙ୍କୁ ବାନ୍ଧି ଭାଇ ଡାକୁ । ଭାଇ ନଥିବାର ଦୁଃଖ କେବେ ହେଲେ କଷ୍ଟ ଦେଇନି ବିମଳ ଭାଇଙ୍କ ଯୋଗୁଁ । ହେଲେ ସେ ଆଜି ସଇତାନ ପାଲଟି ଯାଇଛନ୍ତି । ଭାଇ ହେବା ନାଁରେ ମିଛ କଳଙ୍କରେ ସରା ଦିନ ପାଇଁ ଲଜ୍ଜାରେ ନିଜକୁ ତଥା ସଭିଙ୍କୁ ପୋତି ଦେଇଛନ୍ତି । ଦିଦି ଭାରି ଛଟପଟ ହୋଇ ଗୁହାରୀ କରୁଥାଏ ଛାଡିବାକୁ ହେଲେ ସେ ଏମିତି ଜାବୁଡି ଧରି ତା ଦେହ ସହ ମିଶିଯାଇଛି ଯେ ସେ ଅସଫଳ ଥାଏ ଛଡାଇଦେବାକୁ ।
ନାନୀକୁ ଏଭଳି ଅବସ୍ଥାରେ ଦେଖି ମୁଁ କିଛି ସ୍ଥିର କରିପାରୁ ନଥାଏ କେମିତି କଣ କରାଯିବ ବୋଲି । ହେଲେ ଯେମିତି ହେଲେ ନାନୀକୁ ବଂଚେଇବାକୁ ହିଁ ପଡିବ । ମୋତେ ଆଉ କିଛି ବୁଦ୍ଧି ନ ପଶୁଥାଏ । ହେଲେ ଠିକ୍ ମୂହୁର୍ତ୍ତରେ ସିନେମାରେ ଏଭଳି ପରିସ୍ଥିତିରେ କେମିତି ଖଳନାୟକଙ୍କୁ ମାଡ ଦିଆଯାଏ ସେ ସବୁ ମନେ ପଡିଯାଏ । ମୁଁ ଦୌଡ଼ି ଯାଇ କବାଟରେ ଲାଗିଥିବା ଠେଙ୍ଗାଟି ଆଣି ବସାଇ ଦିଏ ବିମଳ ଭାଇଙ୍କ ପିଠି ଏବଂ ମୁଣ୍ଡରେ । ଦିଦି ବଂଚିଯାଏ ହେଲେ ବିମଳ ଭାଇଙ୍କ ମୁଣ୍ଡ ଫାଟିଯାଏ ।
ସେ ଘଟଣା ପରଠୁ ଆଉ କେବେ ବିମଳ ଭାଇଙ୍କ ସହ ଆମର ସଂପର୍କ ରହିନାହିଁ । ହେଲେ ତାଙ୍କ ପରି ଦୁନିଆରେ ଅନେକ ମୁଖା ପିନ୍ଧା ମଣିଷ ଭରିଛନ୍ତି । ଯାହାଙ୍କୁ ଚିହ୍ନିବା ଭାରି ବିପଦ । ହେଲେ ସେ ଘଟଣା ଭାରି ଶିକ୍ଷା ଦେଇ ଦେଇଛି । ଏଇ ମିଥ୍ୟା ଦୁନିଆରେ କେହି ନୁହେଁ କାହାର । ଆପେ ବଂଚିବା ହିଁ ଏଠି ଶ୍ରେୟସ୍କର ।
