ମତେ ଯେତେ ମାଠିବୁ ମାଠ
ମତେ ଯେତେ ମାଠିବୁ ମାଠ
ଟିକେ ଆସୁ ଆସୁ ଡେରି ହୋଇଗଲା ବାବୁ, କହି ତରତର ହୋଇ ବାସନ୍ତୀ କାମରେ ଲାଗିଗଲା.ହାତ ପିଠି ଘୋଡେଇ ରଖି କାମ କରୁ କରୁ, ରୋଗଶଯ୍ୟା ଉପରେ ଶୋଇଥିବା ମିନତିଙ୍କ ଆଖିରୁ ବାଦ ପଡ଼ିନଥିଲା ତାର କ୍ଷତାକ୍ତ ଶରୀର. ମରଦଟା ପେଟେ ପିଇ ଦେଇ ହାତ ଚୁଡ଼ି ଭାଙ୍ଗି ଲହୁଲୁହାଣ କରିଦେଇଥିଲା ବାସନ୍ତୀକୁ. ସହିପାରିଲେନି ମିନତି,ସ୍ୱାମୀ ନିଶିକାନ୍ତ ଓକିଲ, ତାଙ୍କୁ ସବୁକଥା କହି ବାସନ୍ତୀ ପାଇଁ ସାମାଜିକ ନ୍ୟାୟ ମାଗୁଥିଲେ ମିନତି . ନିଶିକାନ୍ତ ମଧ୍ୟ ଅନେକ ଥର ଏକଥା କହିଲେଣି ବାସନ୍ତୀକୁ, ହେଲେ ସେ କଣ ରାଜି ହେଉଛି?ସାମୀ ତାର ଦେବତା କହି କଥା ଟାଳି ଦେଉଛି.
ଜ୍ୱର ରୋଗଶଯ୍ୟାରେ ପଡି ରହି ରହି ମିନତି ଭାବନ୍ତି ବାସନ୍ତୀ ନଥିଲେ, ଏତେବେଳକୁ ସେ ମାଟିରେ ମିଶି ସାରନ୍ତେଣି. ନିଶିକାନ୍ତ ବି କେତେ କରିବେ! ମରଦ ପୁଅ ଘର ଓ ବାହାର କାମ କରି କରି ନୟାନ୍ତ ସେଥିରେ ମହକିଲମାନେ ପିଛା ଛାଡ଼ୁନାଁହାନ୍ତି. ଘରେ ବାହାରେ ଖଟି ଖଟି ଆସିଲା ବେଳକୁ ମିନତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଚଳିତ କରେ ତାଙ୍କୁ. ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଅନେଇଥାନ୍ତି ବାସନ୍ତୀକୁ. ନିଶିକାନ୍ତ ଚାହିଁ ଦେଖନ୍ତି ବାସନ୍ତୀକୁ. ନିଟୋଳ ସାବନା ରଙ୍ଗର ସ୍ତ୍ରୀ ଲୋକଟା ସ୍ୱାମୀ ଠାରୁ ଏତେ ଅତ୍ୟାଚାରିତ ହେଲେ ମଧ୍ୟ ପାଟି ଖୋଲୁନାହିଁ କାହିଁକି? କୋଉ ଭାରସାରେ ମଦ୍ୟପ ସ୍ୱାମୀ ପାଖରେ ପଡି ରହିଛି କେଜାଣି ସ୍ତ୍ରୀ ଲୋକଟା.ମିନତି ସୁସ୍ଥ ଥିଲା ବେଳେ ଯେତେ ସବୁ ନିଶିକାନ୍ତଙ୍କ ପାଇଁ ନକରିଛନ୍ତି, ବାସନ୍ତୀ ଏବେ ତାଙ୍କଠାରୁ ଅଧିକା ବୁଝେ ନିଶିକାନ୍ତଙ୍କ କଥା, ସ୍ତ୍ରୀ ଦୀର୍ଘଦିନ ହେଲାଣି ଅସୁସ୍ଥ. ବାସନ୍ତୀ ଯୋଗୁଁ ତାଙ୍କ ସଂସାର ନାବ ଗଡିଚାଲିଛି ସତ ହେଲେ ଏଣିକି କାହିଁକି କେଜାଣି, ସେହି ଅଜଣା ମଦ୍ୟପ ଲୋକଟିର କବଳରୁ ବାସନ୍ତୀକୁ ରକ୍ଷା କରିବା ନିଶା ମିନତିଙ୍କ ଠାରୁ ବେଶୀ ନିଶିକାନ୍ତଙ୍କ ମୁଣ୍ଡରେ ପଶିଛି.ବାସନ୍ତୀ କିନ୍ତୁ କହୁଥାଏ ମୋ ସାମୀ ମୋ ଦେବତା ବାବୁ.
ସେପଟେ ସବୁ କାମ ସାରି ଗୋରୁ ବାଲ୍ଟି ତଳକୁ ନେଇ ଗାଇ କୁଣ୍ଡରେ ଢ଼ାଳୁଥିଲା ବାସନ୍ତୀ ତ ଦେଖିଥିଲା ସିଝା ଆଳୁ ଫାଳ ସବୁ. ତାର ମନେପଡ଼ିଗଲା କାଲି ତରତର ହୋଇ ରୋଷେଇ ସାରି ଘରକୁ ଯିବାକୁ ବସିବାରୁ ବାବୁ କହିଥିଲେ ହଉ ଆଳୁ ସିଝେଇଦେ, ମୁଁ ଆଜି ଆଳୁଚକଟି ଖାଇନେବି. ସେପଟେ ଘରେ, ବାସନ୍ତୀ ତା ସ୍ୱାମୀ ପାଇଁ ଆଳୁ ସିଝେଇ,ଡାଲି ଭାତ କରି, ଝିଅ ଘରକୁ ସାବିତ୍ରୀ ବୋଝ ନେଇ ଯାଇ ଦେଇ ଆସିଲା ପରେ ଆଳୁ ସିଝା ଲଗେଇ ଭାତ କେମିତି ଖାଇଥାନ୍ତି କହି ବହେ ପିଟିଲା ସ୍ୱାମୀ. ସେଇ କ୍ଷତକୁ ଯେତେ ଘୋଡ଼େଇଲେ ବି ମାଆ ଓ ବାବୁଙ୍କ ଦୃଷ୍ଟିରୁ ବାଦ ଯାଉନି. ଏଡ଼େ ବଡ଼ ଓକିଲ ବାବୁ ଆଳୁ ସିଝେଇ ଖାଇ ନେବେ କହିଲା ବେଳେ, ସ୍ବାମୀ ତାର ଆଳୁ ସିଝା ଲଗେଇ କେମିତି ଖାଇଥାନ୍ତି କହି ଗୋରୁଗାଈ ପରି ପିଟିଲା ତାକୁ. ଝିଅ ଘରକୁ ସାବିତ୍ରୀ ବୋଝ ନେଇ ଯିବ କଣ ବାପା ହିସାବରେ ସେତକ ମାଆ ହିସାବରେ ବାସନ୍ତୀର କରିନେବା ଫଳ ଓଲଟା ମହାଭାରତ ହେଲା ବାସନ୍ତୀ ପାଇଁ. ବାବୁ କଣ ଭାବିଲେ କେଜାଣି ତା ହାତରେ ଆଳୁ ସିଝା ଦେଖି କହୁଥିଲେ ଆରେ କାଲି ସିଝେଇଥିବା ଆଳୁରୁ ମୋ ଭାଗ ମୁଁ ଖାଇନେଇଛି, ମିନତିଙ୍କ ଭାଗ ଗୋରୁ ବାଲ୍ଟିକୁ ଯାଇଛି. ଅସୁସ୍ଥ ପାଟିକୁ ଆଳୁ ସିଝା ଭଲ ଲାଗିବନି ବୋଲି ଅଣ୍ଡା ଭାଜି ଦେଇ ଥିଲି ମିନତିଙ୍କ ପାଇଁ . ବାସନ୍ତୀ ନିଜ ଅଜଣାତରେ ନିଜ ଲୁହ ଲୁଚେଇ ଲୁଚେଇ ପୋଛି ନେଲେ ମଧ୍ୟ ବାବୁ ନିଶିକାନ୍ତ କହୁଥିଲେ, ଆଜି ମିନତିଙ୍କ ପାଇଁ କିଛି ଅଲଗା କରିନେବୁ ବାସନ୍ତୀ. ଏତେ କଷ୍ଟରେ ବାସନ୍ତୀ ହସିଦେଇଥିଲା, ଆଉ ସେ ହସ ମହକରେ କେଜାଣି କାହିଁକି ନିଶିକାନ୍ତ ମହକି ଯାଉଥିଲେ ନିଜ ଅଜଣାତରେ.ସତରେ ବାସନ୍ତୀ ହିଁ ସାବିତ୍ରୀ ବୋଲି ଭାବୁଥିଲେ ନିଶିକାନ୍ତ ବାବୁ.
ଦୁଇ ଦିନ ହେଲାଣି ବାସନ୍ତୀର ଅନୁପସ୍ଥିତି ମିନତିଙ୍କୁ ଯେତିକି ଚିନ୍ତା ନଦେଇଛି ସେତିକି ନିଦ ହଜେଇ ଦେଇଛି ନିଶିକାନ୍ତଙ୍କର. ହାତକୁ ଡ଼ବେ ଭଙ୍ଗା ପାନ ବଢ଼େଇ ବାସନ୍ତୀ ଯେବେ କହେ ଦେଖିକି ଖାଇବେ ବାବୁ, ଗୁଣ୍ଡିପାନ ମୁଣ୍ଡ କଣ ହେବ, ଏ ଖରା ଗରମରେ ଗୁଣ୍ଡି ପାନ ନଖାଇଲେ କଣ ହୁଅନ୍ତା ନାହିଁ!ତା କଥା ଶୁଣି ନିଶିକାନ୍ତଙ୍କ ପୁରୁଷ ମନ ହଲଚଲ ହୋଇଯାଏ. ନିଜର ପରି ଆନ୍ତରିକତା ଭରା କଥା ଏ କାନ କେବେଠୁ ଶୁଣିନି ତାଙ୍କର. ସବୁଦିନ ଏମିତି ବାସନ୍ତୀ ତାଙ୍କୁ କହନ୍ତାନି!ତାଙ୍କ ଭାବନାରେ ପୂର୍ଣ୍ଣଛେଦ ପକେଇ ଝଡ଼ ପରି ପଶିଆସିଲା ବାସନ୍ତୀ. ଖୁବ ସୁନ୍ଦର ଦିଶୁଥିଲା ସେ. ନୂଆ ଫୁଲପକା ସୁତାଶାଢ଼ୀ, ଚୁଡ଼ି, ଅଳତା ସାଙ୍ଗକୁ ମଥାର ବଡ଼ ସିନ୍ଦୁର ଟୋପାରେ ତା ସୌନ୍ଦର୍ଯ୍ୟରେ ଅଭିଭୂତ ହେଲେ ନିଶିକାନ୍ତ. କାହାପାଇଁ ଏସବୁ ପିନ୍ଧିଛି ବାସନ୍ତୀ? ଯୋଉ ସ୍ୱାମୀ ତାର ମୂଲ୍ୟ ବୁଝେନା, ନିସ୍ତୁକ ପ୍ରହାର କରେ, ତା ନାରୀତ୍ୱର ଅପମାନ କରେ, ସେହି ସ୍ୱାମୀ ପାଇଁ ସାବିତ୍ରୀ କରି ନୂଆ ପିନ୍ଧିଥିବାରୁ ନିଶିକାନ୍ତଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଦିଅନ୍ତୁ ମୋ ମୁଣ୍ଡରେ ଏମିତି ସିନ୍ଦୁର ଓ ହାତରେ ଚୁଡ଼ି ଥାଇ ମୁଁ ସ୍ବର୍ଗଦ୍ୱାର ଯାଏ କହୁଥିଲା ବାସନ୍ତୀ ତ ଚମକି ପଡି କେତେକଣ ଭାବୁଥିଲେ ନିଶିକାନ୍ତ.
ସେପଟେ ମିନତିଙ୍କ ଉତ୍ତରରେ, ବାସନ୍ତୀ କହୁଥିଲା ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ପରା ଯୁଗ ଯୁଗର ମାଆ. ମଦ ଖାଇ କେତେବେଳେ କେମିତି ନିଶାରେ ମୋ ସାମୀ ମୋ ଗେରସ୍ତ ମତେ ମାରେ ସତ ହେଲେ ଭଲପାଏ ଢେର. ଅଗ୍ନିକୁ ସାକ୍ଷୀ ରଖି ଯୋଉ ଗେରସ୍ତର ହାତ ଧରିଛି ତା ପାଇଁ ତୁମ ଦୟାରୁ, ତୁମେ ଦେଇଥିବା ଟଙ୍କାରେ ସାବିତ୍ରୀ ବ୍ରତ କରିଛି. ତୁମେ ସାମୟିକ ରୋଗରେ ପଡିଛ ବୋଲି ବାବୁ କଣ ତୁମକୁ ପର କରିଛନ୍ତି ମାଆ? ମୁଁ ଆସିପାରିଲିନି ବୋଲି ତୁମ ପାଇଁ ଫଳ ମୂଳ ଖାଇ ରହିଗଲେ. ଏକପତ୍ନୀ ବ୍ରତ ଆପଣେଇ ତୁମର ଏତେ ସେବା ସୁଶ୍ରୁଷା ଓ ହେପାଜତ କରୁଛନ୍ତି.ମୁଁ ମୋ ସ୍ୱାମୀ ପାଇଁ ସାବିତ୍ରୀ ବ୍ରତ ନକଲେ ହିନ୍ଦୁ ନାରୀ ହୋଇ ମତେ ପାପ ଲାଗିବନି? ମିନତିଙ୍କର ଶେଷ କଥା ଥିଲା ତତେ ଏତେ ମାରେ ଯେ! ନାଇଁ ମାଆ ଏବେ ଆଉ ମଦ ଛୁଇଁବନି ବୋଲି ମୋ ମୁଣ୍ଡ ଛୁଇଁ ଶପଥ କରିଛି. ଦେଖିଲ ମାଆ ଏ ନାଲି ନାଲି କାଚ ଭିତରେ ମୋ ସ୍ୱାମୀର ସନ୍ତକ ବାଡ଼ିଆ ଚିହ୍ନ କେଡେ ସୁନ୍ଦର ଦିଶୁଛି. ମିନତି କହୁଥିଲେ ହଉ ମୋ ମା ସାବିତ୍ରୀ, ତୋ ଦାର୍ଶନିକ କଥା ସେତିକି ଥାଉ,ଚା ଟିକେ କରି ଆଣତ ଏଥର. ନିଶିକାନ୍ତଙ୍କ ଭାବନାରେ ପୂର୍ଣ୍ଣଛେଦ ପକେଇ ବାସନ୍ତୀ କହୁଥିଲା, ଚା ଟିକେ ପି ଦିଅନ୍ତୁ ବାବୁ, ଭଲ ଲାଗିବ. କାଲିର ପାଗରେ,କାଳବୈଶାଖି ପରେ ନିଶିକାନ୍ତଙ୍କ ମନର ଝଡ଼,ବାସନ୍ତୀ ହାତର ଗରମ ଚା ଦି ଢ଼ୋକରେ ଶାନ୍ତ ପଡ଼ିବାକୁ ଯାଉଥିଲା.ସେପଟୁ ମିନତି ଡାକୁଥିଲେ ବାସନ୍ତୀ,କପଟା ନେଇଯା ତ.
ଏ ଭିତରେ ମିନତି ସୁସ୍ଥ ହୋଇଛନ୍ତି. ନିଶିକାନ୍ତ ଭାବୁଥିଲେ,ଛଅ ଛଅଟା ଋତୁରୁ ତିନିଟା ଅନ୍ତତଃ ଅନୁଭୂତ ହେଉଥିଲା ଖରା ବର୍ଷା ଶୀତ ଯେ ଏବେ ଏଡ଼େ ବଡ଼ ଡ଼ିସେମ୍ବର ମାସରେ ମଧ୍ୟ ଶୀତର ଦେଖା ନଥିଲା. ଏଇ ବାତ୍ୟା ପ୍ରଭାବରେ ଟିକେ ଦୁଇଦିନ ହେଲା ଶୀତ ପଡିଛି ଯେ ରେଜେଇ ଘୋଡ଼ି ହୋଇ ପଡ଼ିଛ? ଯାଅ ଯାଅ ଉଷୁମ ପାଣି କରି ଆଣ ମିନତିଙ୍କୁ କହୁ କହୁ ଦୁଆରେ କେହି କଲିଂ ବେଲ ମାରୁଥିଲା ତୁହାକୁ ତୁହା ତ ଉଠିଲେ ମିନତି ରେଜେଇର ଉଷୁମ ତଳୁ. କିଏ ଏମିତି ଅପେକ୍ଷା ନକରି କଲିଂ ବେଲଟା ମାରି ଚାଲିଛି କେଜାଣି? ଏପଟୁ ସ୍ୱାମୀ କହୁଥିଲେ ହଉ ଦୁଆର ଖୋଲି ଉଷୁମ ପାଣି ଗ୍ଳାସେ ଧରି ଆସ. ଦୁଆର ଖୋଲି ମିନତି ଆଁ କରି ଅନେଇଛନ୍ତି. କଣ ରାତି ଶୋଇନୁ କି ଆଜି ବାସନ୍ତୀ? ନା ସମୁଦ୍ରରେ ନିଆଁ ଲାଗଇ ଯାଇଥିଲୁ?? କାଳେ ନାହିଁ ବେଳେ ନାହିଁ ରାତି ପାହିଲେ ଗୋଠେ ଗାଈ? ଆଜି ଏଡ଼େ ଚଞ୍ଚଳ କେମିତି ଆସିଲୁ?? ଗୁରୁବାର ସଂକ୍ରାନ୍ତିରେ ମଧ୍ୟ ବାସନ ପଡିରହୁଛି ନଅଟା ଯାଏଁ, ଆଜି ସେମାନଙ୍କର କି ଭାଗ୍ୟ. ଶୀତ ସକାଳର ପ୍ରଥମ ସ୍ପର୍ଶ ପାଇବେ ତୋ ହାତର ଗରମ ସ୍ପର୍ଶରେ. ଏତେ କଥା କଣ କହୁଛ ଯେ ମାଆ ଆଜି ପରା ଭୋଜି ଅଛି. ତୁମ ଘର ତା ଘର ଆ ଘର କାମ ସାରି ସେ ହରିଆ ପରିବା ଦୋକାନରୁ ଛେଳି ମାନଙ୍କ ପାଇଁ କୋବି ଡାଙ୍ଗ, ମୂଳା ଶାଗ ଇତ୍ୟାଦି ନେଇ ସବୁଦିନ ଘରକୁ ଗଲା ବେଳକୁ ଦୁଇଟା ବାଜେ. ଆଜି ଭୋଜିଟା. ଏତେ ଡେରି କଲେ କେମିତି ହେବ??ହଁ ଆଜି ମତେ ଆଉ ସେ ପଖାଳ ଖାଇବା କଥା କହିବ ନାହିଁ. ସେଥିରେ ସବୁଦିନ ମୋର ଢେର ସମୟ ଯାଏ. ଦବ ଯଦି ଚା ଟିକେ ଦିଅ ଆଉ ବାବୁଙ୍କୁ ଯୋଉ ସ୍ନାକ୍ସ କି କଣ ଦିଅ, ସେଇଥିରୁ ଦୁଇ ଖଣ୍ଡ ଦିଅ. ମୁଁ ଖାଇଦେଇ ପାଇଟି କରି ଯାଏ ସଅଳ. ଆଜି ମତେ ଆଉ ନଡ଼ିଆ କୋରେଇବାକୁ କି ଶିଡି ପାହାଚ ଓଳେଇବାକୁ କହିବନି. ହଉ ହଉ କହି ଚା ବସେଇ ଉଷୁମ ପାଣି ସ୍ୱାମୀଙ୍କ ହାତରେ ଦେଇସାରି ଫେରିଆସି ମିନତି ପଚାରିଲେ କି ଭୋଜି ବା ତୋର ଆଜି କୋଉଠି? ଚା ପିଉ ପିଉ ବାସନ୍ତୀ କହୁଥିଲା ସେଇ ଯୋଉ ବଡ଼ ପଡିଆଟା ନାହିଁ ମାଆ,ସେଠି ପରା ଜନତା ଦଳ ଭୋଜି କରୁଛି. ଜନତା ଦଳ କିଏ ମ? କେଜାଣି ମାଆ ସେଇ ଜନତା ଦଳ ବୋଲି ତ ମୋ ସାମୀ କହୁଥିଲା. ସେଇ ତ ଆମକୁ ଚାଉଳ ଦଉଛି.ହଉ ହଉ ନେ ଚା ପି କହି ମାଜିବାକୁ ବାସନ କାଢୁଥିଲେ ମିନତି. ସଅଳ ସଅଳ କାମ ସାରି ବାସନ୍ତୀ କହିଲା ମୁଁ ଯାଉଛି ମାଆ. ଝଅଟ ଝଅଟ ନଗଲେ ସାମୀ ପା ବକିବ ମତେ ମାଆ. ହଉ ତୁ ଯା କହି ଦୁଆର ଦେଇ ନିଜ କାମରେ ଲାଗିଗଲେ ମିନତି. ସ୍ୱାମୀ ନିଶିକାନ୍ତ କହୁଥିଲେ ଆଜି ରବିବାରରେ କଣ ବରାଦ ଲଷ୍ମୀ ଠାକୁରାଣୀଙ୍କର? ମିନତି କହିଲେ ଆଜି ମସଲା ମାଛ,ଡାଲି,ଭାତ ଓ ଶାଗ, ଆଉ କିଛି ନାହିଁ. ହଉ ଚଳେଇ ଦେବା କହି ନିଶିକାନ୍ତ ମଧ୍ୟ ଶାଗ ବଛାରେ ଲାଗିଗଲେ.ଖିଆପିଆ ସରିବା ପରେ ବଳକା ମାଛ ଓ କଣ୍ଟାରେ ପାଖାଳ ଚିପୁଡ଼ି କୁକୁରଙ୍କ ପାଇଁ ଗୋଳାଉ ଗୋଳାଉ ମିନତି କହୁଥିଲେ ବାସନ୍ତୀର ତ ଆଜି ଭୋଜି, ଏ ପାଖାଳ ଓ ବଳକା ମାଛ ସହ ମାଛକଣ୍ଟାସବୁ କୁକୁରକୁ ଦେଇ ତାର ଭୋଜି କରାଇନିଅ.ନିଶିକାନ୍ତ କହୁଥିଲେ ଯା ହେଉ ବାସନ୍ତୀ ଭଲରେ ରହୁ.
ଦିନ ସାରା ଘରର ଛୋଟ ମୋଟ କାର୍ଯ୍ୟରେ ବ୍ୟସ୍ତ ରହିବା ବେଳେ ମିନତି ଭାବୁଥିଲେ ବାସନ୍ତୀର ଜନତା ଦଳ ଭୋଜି ଖାଇବା କଥା.ତ ସ୍ୱାମୀଙ୍କୁ ପଚାରିଲେ ଜନତା ଦଳ କିଏ? ସ୍ୱାମୀ କହିଲେ ଯିଏ ହେଉ ସମସ୍ତେ ଜନତାଙ୍କ ପାଇଁ ଜନତାଙ୍କ ଦ୍ୱାରା ଓ ଜନତାଙ୍କର. ସମସ୍ତଙ୍କ ସମାନ ଇସ୍ତାହାର, ଆମେ ଜନତାର.. ଜନତା ଆମର. ନିଶିକାନ୍ତଙ୍କର ସବୁବେଳେ ଏମିତି ଉତ୍ତର. ତାଙ୍କୁ ପଚାରିବା ଯାହା ନପଚାରିବା ତାହା. ଆଣ ଆଣ ଚା ଟିକେ ଶୀତଟା ଜଣା ପଡୁଛି କହି ଡାକ ପକେଇଲେ ସ୍ୱାମୀ ମିନତିଙ୍କୁ. ଦେଖିବ ଆସ ଜନତାଦଳ ଭୋଜ ଦୃଶ୍ୟର ସିଧା ପ୍ରଶାରଣ ଟିଭିରେ. ଖାଲି ମାରପିଟି, ଠେଲାଠେଲି,ଜୋତା ଚପଲ ଫୋପଡ଼ା ଭିତରେ ମିନତିଙ୍କୁ କିଛି ଦିଶୁନଥିଲା ତ ସେ ଚଷମାଟାକୁ ଉପର ତଳ କରି ଠାଵ କରୁଥିଲେ ବାସନ୍ତୀକୁ .ପାଉ ନଥିଲେ. ଲୋକ ସବୁ ଏବେ ଶାନ୍ତି ଶୃଙ୍ଖଳା ଭୁଲି ଗଲେଣି. ଏମିତି ହେଲେ କି ଭୋଜି ଖାଇବ ବିଚରା ବାସନ୍ତୀ !ରେଡ଼ିଓ ଖୋଲି ଶୁଣିବାକୁ ବସିଲେ ସିଧା ପ୍ରଶାରଣ ଧାରା ବିବରଣୀ ଯେ ବୁଝା ପଡୁନଥିଲା କିଛି ମିନତଙ୍କୁ କୋଉ ଟପିକର ଧାରାବିବରଣୀ ଚାଲିଛି ତ ସ୍ୱାମୀ କହୁଥିଲେ ଟିଭିରେ ଦେଖେଇଦେଲା ସିଧା ପ୍ରଶାରଣ ବୋଲି କଣ ରେଡ଼ିରେ ବାଜିବ ନା କଣ!
ତା ଆରଦିନ ବାସନ୍ତୀର ଥମଥମ ମୁହଁ ଦେଖି ମିନତି କିଛି ପଚାରିବାକୁ ସାହାସ କରୁନଥିଲେ. ଦେଲ ଦେଲ ମାଆ ମୋ ପାଖାଳ କଂସା ଆଗ. ଆରେ ତୁ ତ କାଲି ଭୋଜି ଖାଇଗଲୁ ବୋଲି ମୁଁ ଅଳ୍ପ ଚାଉଳ ପକେଇଥିଲି. ତୋ ପେଟରେ ତ ଏବେ ଭୋଜି ଭାତ ଯାଉନି ବୋଲି କହୁଥିଲୁ, ତଥାପି ଖୁସିରେ ଗଲୁ, ଖାଇଥିବୁ ଯେ ଝଡି ନଥିବ ଆଉ ପାଖାଳ ମାଗୂଛୁ, ମୁଁ ତ ରଖିନି. କି ଭୋଜି ଖାଇବି ମାଆ. କି ବାଡ଼ିଆ ବାଡ଼ି, ଜୋତା ଚପଲ ଫୋପଡ଼ା ଫୋପଡ଼ି !ଶେଷକୁ ମୋ ବସ୍ତାରେ ଥିବା ଛେଳି ଖାଦ୍ୟ ସବୁ ଯଥା କୋବି ଡାଙ୍ଗ ମୂଳା ଶାଗ ଓ ଶୁଖିଲା ମୂଳା ମଧ୍ୟ ନିସ୍ତାର ନପାଇ ଗଗନେ ପବନେ ଉଡିଲା. ସେ ଦୃଶ୍ୟ ଦେଖି କିଏ କୁଆଡେ. କି ରନ୍ଧା ବଢ଼ା କରିବି ମାଆ ସାମୀଟା ପରା ଜେଲରେ.ମୁଁ ଆଉ ମୋ ଛେଳି ଉପାସ ଅଛୁ. ହଉ ହଉ ଚୁଡା ନଡ଼ିଆ ଖା. ଚୁଡା ନଡିଆ ତ ଖାଇବି ହେଲେ ମାଆ ଟଙ୍କା ହଜାରେ ଦିଅ ମୁଁ ଯାଏ ସାମୀଟା ମୋର ମଦୁଆ ହେଉ କି ଯାହା ହେଉ ତାକୁ ଜେଲରୁ ମୁକୁଳେଇବାର ବାଟ କରିବି କହି ଚାଲିଗଲା ବାସନ୍ତୀ. ମିନତି କହୁଥିଲେ ବିଚାରୀ. ସ୍ୱାମୀ କହୁଥିଲେ ସିଏ ବିଚାରୀ! ତାରି ସ୍ୱାମୀ ଓ ସେ ପରା ମୁଖ୍ୟ କାରପଟଦାର. ଆଶ୍ଚର୍ଯ୍ୟ ଆଖିରେ ମିନତି କହିଲେ କେମିତି?? ବାସନ୍ତୀ ଟିକେ ସ୍ଥିର ହେଉ ତାକୁ ପଚାରି ବୁଝିନେବ. ସନ୍ଧ୍ୟାରେ ଟିଭି ଖୋଲି ମିନତି ଶୁଣିଲେ, ହରିଜନ ବସ୍ତିର ମଦୁଆ ହରିଆ ଭୋଜି ହଣ୍ଡାରେ ମଦ ମିଶେଇ ଗଣ୍ଡଗୋଳର ସୂତ୍ରଧର ହୋଇଥିବାରୁ ତାକୁ ଜେଲ ହୋଇଯାଇଛି. ମିନତି ମନେପକେଇବାକୁ ଚେଷ୍ଟା କରୁଥିଲେ ବାସନ୍ତୀ ସ୍ୱାମୀର ନାମ.ତା ଆରଦିନ ବାସନ୍ତୀକୁ ପଚାରିଲେ ସେ କହିବ ମା ମୋ ସାମୀ ମୋ ଦେବତା ତା ନାମ ତୁଣ୍ଡରେ ଧରିବି କେମିତି??ନିଶିକାନ୍ତ ମିନତିଙ୍କ କଥା ଶୁଣି କହୁଥିଲେ ସେଇ ତ ତା ଦୋଷ. ସ୍ୱାମୀର ସବୁ ଦୋଷକୁ ଘୋଡେଇ ଘୋଡେଇ ତା ମୁହଁ ବଢ଼େଇଛି. ମିନତି କହୁଥିଲେ ବାସନ୍ତୀର ଏଥିରେ ଆଉ ଦୋଷ କଣ!
,,,,,,,,,,,,,,,,,,,,,,,
