Rekharani Sahu

Tragedy Thriller

4  

Rekharani Sahu

Tragedy Thriller

ମଶାଣୀ

ମଶାଣୀ

3 mins
202


 " ଜୀବନ ଗୋଟେ ଅସରନ୍ତି ନଈ 

 ଯାଏ ବହି ବହି ସହରରେ ମିଶିବା ପାଇଁ 

 କେବେ ସରିଯାଏ ଧାରା କେବେ ଶୁଖି ଯାଏ ସେଇ 

 କିନ୍ତୁ ନିଜକୁ ଅସ୍ଥିର ଚିତ୍ତ ନକରି ବହି ଯାଏ ସ୍ରୋତଗାମୀ ହୋଇ ।"


  ମୋ ଗାଆଁ ପ୍ରକୃତିର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ । ତା'ର ନଦୀ, ନାଳ, ଗହନ ଆମ୍ବ ତୋଟା, ବିସ୍ତୃତ ଧାନ ବିଲ ସହ ନଈ ପାଖ ପାଳ ବିଲ । ଆଃ କି ମନହର ସତେ । 

  ନଈରେ ସେ ମାଛ ଧରା, ନଈରେ ଫୋଟକା କରି ଦରଖଣ୍ଡି ନଈ ପହଁରା ମନେ ପକାଏ ସେ ପିଲା ଦିନ ଯାହା ଆଜି ହଜି ଯାଇଛି ଯୌବନରେ । କିନ୍ତୁ ସେ ନଈ ଆଜି ବି ଜୀବନ୍ତ । କୁସେଇ ନଈ ତା' ନାଁ ଯେ ବହିଯାଏ ମୋ ଗାଆଁ ବାଟ ଦେଇ । 


   କେତେ ସ୍ମୃତି ସାଉଁଟିଲି ପିଲା ବେଳେ, ଆଜି ଖୋଜିବୁଲେ ତାକୁ ମୋ ଯୌବନ କାଳେ । ଏବେ ଘରେ ଘରେ ପାଣି ଯୋଗାଣ, ଗାଧୁଆ ଘର, ନୂଆ ନୂଆ ରକମର ଯାବତୀୟ ଜିନିଷ । ଏବେ ମଣିଷ ବଡ ଘରେ ରହି ବାହାରକୁ ବାହାରୁନି । ବାହାରକୁ ଗଲେ ସେ କଳା ପଡ଼ିଯିବ, ସରିଯିବ ତା'ର ମିଛ ମାୟା ଭରା ରଙ୍ଗମଖା ରୂପ ଅଧର । ଯେ ବିନାଶ ହେଇଯାଏ କ୍ଷଣିକ ମଧ୍ୟରେ । ହଜାଇ ଦିଏ ଶାନ୍ତିର ଜୀଵନ । ମଣିଷ ନିଜକୁ ଅଣନିଃଶ୍ୱାସୀ କରି ରଖିଛି ସୁନା ରୂପାର ପଞ୍ଜୁରୀରେ । ଗାଆଁ ମୁଣ୍ଡର ସେ ଆମ୍ବ ତୋଟା ପାଖକୁ ଲାଗିରହିଛି ମଶାଣି । ସେ ଆମ୍ୱ ତୋଟା ପାଖକୁ ଲାଗି ଲୋକମାନଙ୍କ ପାଳ ବିଲ । ସମୟ ସେଥିରେ ସେ ସବୁଜିମା ହୋଇ ନାନା ପ୍ରକାର ଫଳ, ଫୁଲ ପରଶି ଦିଏ । ସେଇ ପାଳ ବିଲରେ ବସି ପଖାଳ ଖାଇବାର ମଜା ଖୁବ୍ ନିଆରା । ସେ ସୁଯୋଗ ମିଳିଥିଲା ଶୈଶବ ଅବସ୍ଥାରେ ସାଙ୍ଗ ସାଥୀଙ୍କ ମେଳରେ ଯାଇ ପାଳ ବିଲରେ ଭାତ ଖାଇ, ବଇଁଚ କୋଳି ଖାଇ ମନ ଶାନ୍ତ ହେଇ ଉଠେ । ପୁରି ଉଠେ ଜୀଵନ । ଏବେ କିନ୍ତୁ କାଇଁ ସେ ସୁଯୋଗ । 

  

   ଗାଆଁ ମୁଣ୍ଡରେ ଥିବା ସେ ଆମ୍ବ ତୋଟା ମଝିରେ ଗାଈଆଳ ପିଲା ଗାଈ ଜଗେ । ସେ ଦୃଶ୍ୟ ଖୁବ୍ ସୁନ୍ଦର । ଆମ୍ବ ତୋଟାରେ ଥିବା ସବୁ ଆମ୍ବ ଗଛ, ନଈ ବାଲିର ସେ ଓଉ ଗଛ, ଆଉ ବଡ ବଡ କେତେ ଗଛ ସେଠି ପୁରି ଥାଏ, ଯେହେତୁ ଆମ୍ବ ଗଛ ବେଶି ଥାଏ, ସେ ଆମ୍ବ ତୋଟା ବୋଲି ପରିଚିତ ହୋଇ ଯାଏ । ତା'ର ସୁଲୁସୁଲୁ ପବନ କିଣି ନିଏ ମନ ପ୍ରାଣ । ଖରା ଦିନରେ ଥିବା ଝାଞ୍ଜି ପବନ ବି ଆପଣାର ଲାଗେ, ତୋଟାରେ ଆମ୍ବ ତୋଳି ଖାଇବାର ମଜା ଅଲଗା । ଆମ୍ବ ତୋଳି କେତେ କେତେ ଘରକୁ ଆସେ ଆମ୍ବୁଲ ହେଲେ ପାଟିରୁ ଲାଳ ଗଡେ । ପଖାଳ ସାଙ୍ଗକୁ ଅମ୍ବୁଲ, ରସୁଣ, ଧନିଆ ପତ୍ର, କଞ୍ଚା ଲଙ୍କା ଆହା କି ମଜା, ଟାକରା ମାରି ସୋଡ଼ିକି ଦେବାର ସେ ସ୍ଵାଦ ଆଜିକାଲି ବିରିଆନି ରାଇତାରେ କାହିଁ ।

  କଥାରେ ନାହିଁ 

  " ହେଙ୍କିଟି ଲୋ ହେଙ୍କିଟି ତୋ ସଜ ବାଜ ଯେମିତି

  ମୋ ଖାଲି ଖାଲି ସେମିତି"। 


ଚାଲ ଫେରିବା ମୋ ନଈ ପାଖକୁ, ତାର ନଈ ବାଲି ବିସ୍ତୃତ ହୋଇ ରହିଛି । ଛୋଟ ବେଳର ସେ ନଈ ପାର ହୋଇ ଯାଇ ନଈ ଆରପଟ ବାଲିରେ ବାଲି ଘର କରି, ଚିଆର, ଟେବୁଲ୍, ଖଟ, ମିଛି ମିଛିକା ରୋଷେଇ, କଣ୍ଢେଇ ବାହାଘର, ଭାର ଦେବା ନେବା ଏ ଆଧୁନିକ ଯୁଗରେ ସେ ପ୍ଲାଷ୍ଟିକ କଣ୍ଢେଇ, କାର୍, ଉଡାଜାହାଜ, ରକେଟ୍, ରିବୋର୍ଟ ଖେଳନା ପାଖରେ କାହିଁ । ସେତେବେଳେ ପୁରି ରହିଥିଲା ସମ୍ଭିଙ୍କ ଭିତରେ ଆତ୍ମୀୟତା । ଆଉ ଏବେ ନିଜ ରକ୍ତର ସମ୍ପର୍କ ବି ପିଠିରେ ଛୁରା ଭୂଷିବାକୁ ପଛଘୁଞ୍ଚା ଦିଏନି । 

ମଣିଷର ଗର୍ବ ଅହଙ୍କାର ମଣିଷକୁ ଦାସ କରି, ନିଜ ଇଚ୍ଛାରେ ନଚାଏ । ଆଉ ହଜିଯାଏ ନିଃଶ୍ୱାସ, ପ୍ରଶ୍ୱାସ କେବେ କୋଉ ମହାମାରୀ ଅବା ଅଜଣା ରୋଗରେ । କେବେ ସେ ନିଜକୁ ହଜାଏ ତ କେବେ ସେ ହଜିଯାଏ ଅନ୍ୟର ଛଳନା ଭିତରେ । ତାର ଶେଷ ଠିକଣା ପାଲଟେ ମଶାଣି । ସେ ନିର୍ଦ୍ଵନ୍ଦ୍ୱରେ ଆପଣାଇ ନିଏ ତାରି କୋଳରେ ଦିଏ ନୂତନ ଦିଶା । ସବୁ ଛାଡି ଦେଇ ଆସିଲେ ମଶାଣି ତୁଳସୀ ଦିଏ ଛୋଟିଆ ଆଶା । ସେ ବନ୍ଧୁତା ସ୍ଥାପନ ପରି ମୁକ୍ତି ଦିଏ । ସେଇ ମୋ ଗାଆଁର ଶେଷ ମୁଣ୍ଡରେ ଥିବା ମଶାଣି ବି ଗର୍ବ ଅହଙ୍କାରକୁ ଚୁର୍ଣ୍ଣୀଭୂତ କରି ଆତ୍ମାକୁ ବଶୀଭୂତ କରେ, ଆଉ ଶରୀର ହେଇଯାଏ କେଇ କ୍ଷଣରେ ପାଉଁଶ । ହଜିଯାଏ ପ୍ରତିପତ୍ତି, ଆଭିଜାତ୍ୟର ମିଛ ପରମ୍ପରା, ଡିଣ୍ଡିମ ପିଟୁଥିବା ଏଇ ମଣିଷର ଶେଷ ହେଇଯାଏ ବୟସ ସହ ଆୟୁଷ । ଭେଟ କରାଇ ଦିଏ ଜୀବନର ଜୀବନ୍ତ ସତ୍ୟ । ଯାହା ଦେଖି, ବୁଝି, ଜାଣି ମଧ୍ୟ ମଣିଷ ହେଇ ଚାଲିଛି ଲୋଭରେ ଗ୍ରସ୍ତ । ସେଥିପାଇଁ ସେ ମଶାଣି ପାଖେ ହୁଅଇ ନିଶ୍ଵ । ଆଉ ହଜାଇ ଦିଏ ମାୟାର ବିଶ୍ଵ । କିନ୍ତୁ ପାଇ ଯାଏ ଜୀବନର ସର୍ବସ୍ବ । ଯାହା ପାଇଁ ସେ ଲୋଭାସକ୍ତ ଥିଲା ସେ ହେଇଯାଏ କିଛି ମୁଠାର ମାତ୍ର ପାଉଁଶ ।



 ବି: ଦ୍ର:- ଜୀବନର ପ୍ରକୃତ ସତ୍ୟ ଘଟଣା, ଯାହା ସଭିଙ୍କ ଜୀବନରେ ଘଟେ । ଆଉ ସଭିଏଁ ଜାଣି ମଧ୍ୟ ଅଜଣା ହେବାର ଭଲ ନାଟକ ରଙ୍ଗମଞ୍ଚରେ କରନ୍ତି । ଯାହା ଶେଷରେ ମଶାଣିରେ ବିଲୁପ୍ତ କରନ୍ତି । 





Rate this content
Log in

Similar oriya story from Tragedy