ମୃତ୍ୟୁର ଦ୍ୱାରଦେଶେ
ମୃତ୍ୟୁର ଦ୍ୱାରଦେଶେ
ଯୌବନର ପ୍ରଥମ ଛୁଆଁ ମନକୁ ଯେତେ ଉଲ୍ଲସିତ କରେ ସେସମୟର ସାଙ୍ଗସାଥୀଙ୍କ ମେଳରେ ମନ ସେତିକି ବିଭୋର ହୁଏ ।ଏମିତି ସାଙ୍ଗସାଥି ମେଳରେ କଟାଇଛି ଅନେକ ମୁହୂର୍ତ୍ତ ।ପାଇଛି ଅନେକ ଅନୁଭୂତି ।ଆଜି ଏମିତି ଏକ ହୃଦୟ ବିଦାରକ ଅନୁଭୂତି ପୁଣି
ମନେପକାଉଛି ।
ପିଲାବେଳେ ସପ୍ତମ ଶ୍ରେଣୀରେ ଲୌହ ଦାନବର ରକ୍ତ ଭୋଜି ବିଷୟଟି ଖୁବ ହୃଦୟବିଦାରକ ଥିଲା ।ମନରେ ଭୟ ଆଉ ଦୁଃଖ ଭରିଦେଇଥିଲା ।ସେମିତି ଏକ ମୁହୂର୍ତ୍ତ ମୋ ଜୀବନରେ ଆସିବ ବୋଲି କେବେ କଳ୍ପନା କରିପାରିନଥିଲି ।
ଶିକ୍ଷକ ତାଲିମ ସମୟରେ ଭେଟ ହୋଇଥିଲା ଲିପନ,ପ୍ରିୟଙ୍କା ଆଉ ସଂଗୀତା ଦିଦିଙ୍କ ସହ ।ବେଶ ଜମୁଥିଲା ଆମର ବନ୍ଧୁତ୍ୱ ।କାରଣ ଗୋଟିଏ ଅଞ୍ଚଳର ଆମେ ଥିଲୁ ।ଏକାଠି ବିଭିନ୍ନ ସ୍ଥାନକୁ ଯାଉଥିଲୁ ।ସାଙ୍ଗ ହେବାପରେ ନିଜର କାମ ପାଇଁ ଆଉ ଘରେ ବାବାଙ୍କ ଉପରେ ନିର୍ଭର କରିବାକୁ ପଡୁନଥିଲା ।ଶିକ୍ଷକତା ତାଲିମ ଶେଷ ପରେ ମଧ୍ୟ ଆମ ସଂପର୍କ ସେମିତି ଅତୁଟ ଅଛି ।ଥରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ନାମାଙ୍କନ ପାଇଁ ବାହାରିଗଲୁ ଚାରି ସାଙ୍ଗ ।ବସ ଯୋଗେ ଖୋର୍ଦ୍ଧା ରେ ପହଂଚି ଆମ କାମ ସାରିଦେଲୁ ।ଆମ ଶିକ୍ଷକ ତାଲିମ ବିଦ୍ୟାଳୟର ଏକ ଛାତ୍ର ତଥା ଆମର ବନ୍ଧୁ ବିଭୁ ଯାହାର ଘର ଗୋଳବାଇ ଅଞ୍ଚଳରେ ଆମକୁ ତାଙ୍କ ଘରକୁ ଆମନ୍ତ୍ରଣ କରିଥିଲା ।
ଟ୍ରେନ ର ସୁବିଧା ଥିବାରୁ ଆମେ ଟ୍ରେନ ଯୋଗେ ତାଙ୍କ ଗ୍ରାମରେ ପହଂଚିଲୁ ।ବିଭିନ୍ନ ପ୍ରକାର ସୁସ୍ୱାଦୁ ଭୋଜନ ସାଙ୍ଗକୁ ତାଙ୍କ ପରିବାର ଲୋକଙ୍କ ଆତ୍ମୀୟତା ଆମକୁ ଖୁବ ଆନନ୍ଦ ପ୍ରଦାନ କଲା ।ତାଙ୍କ ଘରୁ ବିଦାୟ ନେଇ ଆମେ ଷ୍ଟେସନ ଅଭିମୁଖେ ବହାରିଲୁ ।ସାଙ୍ଗରେ ବିଭୁ ମଧ୍ୟ ଆମକୁ ବିଦାୟ ଦେବା ପାଇଁ ଆସିଥାଏ ।ଆମକୁ ଅଜଣା ଥାଏ ଯେ ସେଠାରେ ମାତ୍ର ଦୁଇ minute ପାଇଁ ଟ୍ରେନ ରୁହେ ।ଷ୍ଟେସନ ରୁ ସାମାନ୍ୟ ଦୂରରେ ଅଛୁ ଟ୍ରେନ ଆସିବାର ସଂକେତ ପାଇ ଦୌଡ଼ି ଦୌଡ଼ି ପହଂଚିବା ସମୟରେ ଟ୍ରେନ ଛାଡିବା ଉପରେ ।ସଙ୍ଗୀତା ଦିଦି ଆଉ ଲିପନ ଚଢିସାରିଥାନ୍ତି ।ପ୍ରିୟଙ୍କା ଚଢ଼ିବା ସମୟରେ ଟ୍ରେନ ଛାଡିବା ଆରମ୍ଭ କରିଥାଏ ।ଶେଷକୁ ମୋ ପାଳି ।ଧୀର ଗତି ହେଲେ ମଧ୍ୟ ଚଳନ୍ତା ଟ୍ରେନ ରେ ଚଢିବାର ଦୁଃସାହସ ମୁଁ କରିବାକୁ ଚାହୁଁନଥାଏ ।କିନ୍ତୁ ବିଭୁ ମୋତେ ଠେଲି କରି ଟ୍ରେନ ରେ ଚଢିବାକୁ ବାଧ୍ୟ କରିଦେଲା କାରଣ ମୁଁ ଏକା ଯିବା ଅସମ୍ଭବ ହେବ ବୋଲି ।ମୁଁ ବାଧ୍ୟବାଧକତା ରେ ଚଢିବାକୁ ଚେଷ୍ଟା କରିବା ସମୟରେ ମୋର ପାଦରୁ ଏକ ଚପଲ ଖସିଯାଇ ରେଲଗାଡିରେ ଧରିଥିବା ରଡ଼ ରୁ ହାତ ହଟାତ ଖସିଗଲା ।ମୁଁ ମୃତ୍ୟୁକୁ ସାମ୍ନା କରୁଥିଲି ।ବୁଜି ହୋଇସାରିଥିଲା ଆଖି ।କିନ୍ତୁ ଆଖି ଖୋଲି ଦେଖିବା ବେଳକୁ ମୁଁ ଟ୍ରେନ ଭିତରେ ଥିଲି ଆଉ ମୋ ପାଖରେ ଭୟଭୀତ ହୋଇ ଚାହିଁ ରହିଥିଲେ ତିନି ସାଙ୍ଗ ।
ସେହି ବଗି ରେ ଖୁବ କମ ଲୋକ ଥିଲେ ।ଏବଂ ମୋତେ ବହୁପ୍ରକାର ଗାଳି କରିବା ଆରମ୍ଭ କରିଦେଇଥିଲେ ।ମୁଁ ପ୍ରକୃତିସ୍ଥ ହେବା ପରେ ଜାଣିବାକୁ ପାଇଲି ସେହି ବଗିର ଗେଟ ନିକଟରେ ଠିଆ ହୋଇଥିବା ଯୁବକ ଜଣକ ମୋ ହାତ ଛାଡିବା ଭିତରେ ଖୁବ ସାହସ ର ସହ ମୋତେ ଭିଡ଼ିନେଇଥିଲା ଭିତରକୁ ।ଯାହା ଫଳରେ ମୋର ଜୀବନ ବଂଚିଯାଇଥିଲା ।ନଚେତ ହୁଏତ ଆଜି ମୁଁ ମୃତ କିମ୍ବା ଦିବ୍ୟାଙ୍ଗଟିଏ ହୋଇ ବଞ୍ଚୁଥାନ୍ତି ।ସେ ଯୁବକ ଜଣଙ୍କ ପଦଟିଏ ବି ମୋତେ ଗାଳି କରିନଥିଲେ ।କାରଣ ସେ ବୁଝିପାରିଥିଲେ ମୋର ପରିସ୍ଥିତି ।ବିଭୁ ମଧ୍ୟ କେବେ କଳ୍ପନା କରିନଥିଲା ମୁ ଏମିତି ଭୟଙ୍କର ପରିସ୍ଥିତିର ସାମ୍ନା କରିବି ।ଭଗବାନଙ୍କ ଦୟାରୁ ହୁଏ ତ ମୁଁ ବଂଚିଗଲି ।ଜାଣେନି ସେ ଯୁବକ କିଏ ,ଧନ୍ୟବାଦ ଦେଇପାରିନାହିଁ ସେଦିନ ଭୟ ଆଉ ଆଶ୍ଚର୍ଯ୍ୟ ରେ ।ମୋ ପାଇଁ ସେ ଯୁବକ ସାକ୍ଷାତ ଈଶ୍ୱର ।ଯାହାଙ୍କ ପାଇଁ ମୁଁ ଆଜି ନୂଆ ଜୀବନ ପାଇଛି ।ଏହି ଅନୁଭୂତି ମୋତେ ଶିକ୍ଷା ଦେଇଛି ବିପଜ୍ଜନକ ଜାଗାରେ ସତର୍କତା ନିହାତି ଜରୁରୀ ।ଘରେ ଆଜିଯାଏଁ କେବେ ଏ ଘଟଣା କହିନାହିଁ ।ବେଳେବେଳେ ନିରୋଳାରେ ଘଟଣାକୁ ମନେ ପକାଇ ଖୁବ ଦୁଃଖିତ ହୁଏ ମୋର ଖାମଖିଆଲି ଗୁଣପାଇଁ କିନ୍ତୁ ସେଦିନ ମୋର କୌଣସି ଭୁଲ ନଥିଲା କିମ୍ବା ଇଚ୍ଛା ନଥିଲା ଏମିତି ଦୁଃସାହସିକ କାମ ପାଇଁ ।
ତାହାପରେ ଅନେକ ଥର ରେଳଯାତ୍ରା କରିଛି ।ସେସମୟର ସେଦିନର ସେଇ ଭୟଙ୍କର ଦୃଶ୍ୟ ମୋତେ ଭୀତତ୍ରସ୍ତ କରିଛି ।କିନ୍ତୁ ଯେଉଁ ଈଶ୍ୱରଙ୍କ କୃପାରୁ ମୁଁ ଏପରି ଦୁର୍ଘଟଣାରୁ ରକ୍ଷା ପାଇଛି ସେ ଜୀବନକୁ ଆଗେଇ ନେବା ପାଇଁ ଚେଷ୍ଟା କରିଚି ।ଭୟ ଦୁରେଇ ରେଳଯାତ୍ରା କରିଛି ।ଏପରି ଅନ୍ୟମାନଙ୍କ ସହ ନ ଘଟୁ ମନେ ମନେ ଈଶ୍ୱରଙ୍କୁ ଡାକୁଛି ।
