ମୃତ୍ୟୁ ଗଳିରେ ଜୀବନ
ମୃତ୍ୟୁ ଗଳିରେ ଜୀବନ


ଧୀରେ ଧୀରେ ଚେତା ଫେରିଲା ଚମ୍ପାର। ଉଠି ବସି ସେ ଆଗ ତା ପେଟକୁ ଅଣ୍ଡାଳି ଦେଲା। ତା ପରେ ଦେଖିଲା ସପନା ତାକୁ ଲାଲ ଲାଲ ଆଖିରେ ଚାହିଁଛି ଯେମିତି ଏଇନେ କଞ୍ଚା ଚୋବେଇ ଯିବ ତାକୁ। ଭୟରେ ଗୋଟେ କଣକୁ ଘୁଞ୍ଚି ଗଲା ଚମ୍ପା।
ତୋର ଏତେ ସାହସ ତୁ ମୋତେ ଆଜି ଯାଏ ଅନ୍ଧାର ଭିତରେ ରଖିଥିଲୁ ।
ଚମ୍ପା ସମ୍ପୂର୍ଣ୍ଣ ରୂପେ ନୀରବ।
ଚାଲ ଏବେ ଡାକ୍ତରଖାନା ମୋ ସହ। ଡାକ୍ତରଖାନା ଦିଦିଙ୍କୁ କହି ଯାହା କିଛି ବ୍ୟବସ୍ଥା କରିବାକୁ ପଡିବ ମୋତେ।
ନା' ନା' ସେ ପାପ କରନି ତୁମେ। ତୁମକୁ ନେହୁରା ହେଉଛି ମୁଁ।
ଚୁପ୍ ଚାପ୍ ମୋ ସହ ଡାକ୍ତରଖାନା ଚାଲ କହି ହାତ ଧରି ଘୋଷାଡିଲା ଚମ୍ପାର ସପନା।
ଚମ୍ପାର ଧୈର୍ଯ୍ୟ ଭାଙ୍ଗିଗଲା ଯେମିତି। ତାକୁ ଲାଗିଲା ଗୋଟେ ମା' ହିସାବରେ ଛୁଆକୁ ରକ୍ଷା କରିବା ଏବେ ତାର ପ୍ରଥମ କର୍ତ୍ତବ୍ୟ। ଆଉ ଏବେ ତା ଆଗରେ ତା ସ୍ବାମୀ ନୁହେଁ , ଠିଆ ହୋଇଛି ଏକ ଜହ୍ଲାଦ ତା ଛୁଆର ଶତ୍ରୁ ସାଜିକି ଯିଏକି ଏମିତି ତାର ପାଞ୍ଚଟା ଛୁଆକୁ ମାରି ସାରିଲାଣି।
ରାଗିକି ସପନାର ହାତକୁ ଛାଟିଦେଲା ଚମ୍ପା।କହିଲା,
ଛାଡ୍ ମୋତେ ତୋତେ ଭଗବାନ ସହିବେନି ରେ ପାପୀ....ତୋତେ ଧର୍ମ ସହିବନି ରେ ମଦୁଆ ....ତୁ ପୋକମାଛି ହୋଇ ମରିବୁ ରେ ରଇଜଳା ତୁ ଆର ଜନ୍ମରେ ନପୁଂସକ ହୋଇ ଜନ୍ମ ହେବୁ ରେ ଅଳପେଇସିଆ
ଚୁପ୍ କର ବଜ୍ଜାତ ମାଇକିନିଆ ... ମୋତେ ମିଛ କହି ଆହୁରି ନାଲି ଆଖି ଦେଖଉଛୁ ? ଯଦି ସେ ଡାକ୍ତରଖାନା ଦିଦି ମନା କରିଦେଲେ ଆଉ ତୋର ପୁଣି ଝିଅ ହେଲା , ତାହେଲେ ତୋ ବେଳା ଖରାପ ପଡିଲା ଜାଣେ। ସେ ତଳ ସାହି ନଟ ତା ଝିଅକୁ ଦଶ ହଜାର ଟଙ୍କାରେ ବିକିଲା ପରି ମୁଁ ତୁମ ମା' ଝିଅ ତିନିଟାଙ୍କୁ ତିରିଶ ହଜାର ଟଙ୍କାରେ ବିକିଦେବି। ଯଦି ସେଇଆ ନ କରିଛି ତାହେଲେ ତୁ କହିବୁ ମୋତେ।
ପାଖରେ କୋଉଠି ଥିଲା ଧାଇଁ ଆସିଲା ଚମ୍ପାର ବଡଝିଅ। ଚମ୍ପାକୁ କୁଣ୍ଢେଇ ଧରି ଧକେଇ ଧକେଇ କାନ୍ଦିବାକୁ ଲାଗିଲା। କହିଲା , " ତୁ ବାପା କଥା ମାନିଯାଆ ବୋଉ ...ମୁଁ ତଳ ସାହି ନାଟକକା ଝିଅ ଭଳି ବିକ୍ରି ହେବାକୁ ଚାହୁଁନି ...ମୁଁ ମରିଯିବି ବୋଉ । ମୁଁ ସବୁବେଳେ ତୋ ପାଖରେ ରହିବି ଆଉ କୁଆଡେ ବି ଯିବିନି।
ଚମ୍ପାର କ୍ରୋଧ ଉପରେ କିଏ ଯେମିତି ପାଣି ବାଲ୍ଟିଏ ଛାଟିଦେଲା। କରୁଣ ଦୃଷ୍ଟିରେ ଚାହିଁଲା ସେ ଝିଅର ନିଷ୍ପାପ ମୁଁହଟିକୁ। ଏବେ ସେ କାହାକୁ ସୁରକ୍ଷା ଦେବ ? ଜଣକୁ ସୁରକ୍ଷା ଦେବାକୁ ହେଲେ ଆଉ ଜଣକୁ ମୃତ୍ୟୁ ମୁଁହକୁ ଠେଲିବାକୁ ପଡିବ ତାକୁ। କାହାକୁ ମାରିବ ସିଏ ? ହେ ଭଗବାନ ମୁଁ ନିଜେ ମରିଯାଉନି କ'ଣ ପାଇଁ କିଛି କହିବାକୁ ନଥିଲା ଆଉ ତା ପାଖରେ। ଚୁପ୍ ଚାପ ସେ ବାହାରିଗଲା ଡାକ୍ତରଖାନା ସପନା ସହ।
" ଆଉ କିଛି ହୋଇପାରିବନି ଏବେ। ପିଲାର ଅବସ୍ଥା ଯାହା ଏବେ ହିଁ ଡେଲିଭରି କରିବାକୁ ପଡିବ", ,କହିଲେ ଡାକ୍ତରଖାନା ଦିଦି। ମୁଣ୍ଡରେ ଚଡକ ପଡିଲା ସପନାର ଆଉ ଡରିଗଲା ଚମ୍ପା। ଯଦି ସତରେ ଝିଅ ହୁଏ ଆଉ ସପନା ମୋ ଝିଅ ଦୁଇଟାଙ୍କୁ ବିକ୍ରି କରିଦିଏ ତାହେଲେ ସେମିତି ତ ଚାଲିଛି ଆମ ବସ୍ତିରେ । ବାହାଘର ନାଁ ରେ ଝିଅ ବିକ୍ରି ଚାଲିଛି। ହେ ଭଗବାନ ....
ଝିଅଟିଏ ଜନ୍ମ କରି ଡାକ୍ତରଖାନା ବେଡ଼ରେ ଶୋଇଛି ଚମ୍ପା। ଚେତା ଫେରିନି ତାର । ଡାକ୍ତରଖାନା ଦିଦି ଛୁଆଟାକୁ ସଫାସୁତୁରା କରି ଆଣି ଧରେଇ ଦେଲେ ସପନାକୁ । ସପନା ନିରିଖେଇ ଚାହିଁଲା ଛୁଆର ମୁଁହକୁ । ପୁରା ଚମ୍ପା ପରି ହୋଇଛି। ଆଖି ଦୁଇଟି ବହୁତ ନିରୀହ। କେତେ ଅବହେଳା , କେତେ ବାଧାବିଘ୍ନ ସହି ଏ ସଂସାରର ଆଲୋକ ଦେଖିବାକୁ ଆସିଛି ଏ ଛୁଆ। ତାର ଏ ସଂସାର କୁ ଆସିବା ଜିଦ ଆଗରେ ହାର ମାନିଛି ଭୀମା କବିରାଜର ଔଷଧ। ପାଞ୍ଚ ପାଞ୍ଚଟି ଛୁଆ କବିରାଜର ଔଷଧରେ ନଷ୍ଟ ହୋଇ ଯାଇଥିବା ବେଳେ ଏ ଛୁଆ କେମିତି ହଜମ କରି ପାରିଲା ସେ ଗରଳକୁ। ନିଜେ ଗରଳକୁ ହଜମ କରିଦେଇ ତା ସଂସାରକୁ ଅମୃତମୟ କରୁବାକୁ ଆସିନି ତ ଆଉ ଏ ଛୁଆ ଏ କୋଉ ଭଗବାନଙ୍କର ଅଂଶ ନୁହେଁ ତ ?
ଏମିତି ଭାବୁଭାବୁ ଚେତା ଫେରିଲା ଚମ୍ପାର। ସପନା ହାତରୁ ଛୁଆକୁ ଆଣି ଚମ୍ପା ହାତରେ ଧରେଇ ଦେଲେ ଡାକ୍ତରଖାନା ଦିଦି। ଝିଅକୁ ଦେଖି ଚମକି ପଡିଲା ଚମ୍ପା। ମନେ ପଡିଗଲା ତାର ତା ବଡ଼ ଝିଅର କରୁଣ କାନ୍ଦଣା। ବିକଳ ହୋଇ ପଚାରିଲା , " ଦିଦି , ଏ ଡାକ୍ତରଖାନାରେ କେହି ମଲା ପିଲା ଜନ୍ମ କରି ନାହାନ୍ତି ?" ଆଶ୍ଚର୍ଯ୍ୟ ହୋଇଗଲା ନର୍ସ ଜଣଙ୍କ। ପଚାରିଲା କ'ଣ ଦରକାର ତୁମର ? ଚମ୍ପା କହିଲା "ନାଇଁ ଦିଦି ,ଏ ଛୁଆ ମୋର ଦରକାର ନାହିଁ। ଯିଏ ମଲା ପିଲା ଜନ୍ମ କରିଥିବ ଏ ୱାର୍ଡରେ ଏ ଛୁଆକୁ ତାରି ପାଖରେ ଶୁଆଇଦବ । କିଛି କହିବନି ।"ଏତିକି କହି ଛୁଆଟାକୁ ନର୍ସ ହାତକୁ ବଢେଉ ଦେଉଦେଉ ହଠାତ ଛୁଆଟା କାନ୍ଦି ଉଠିଲା କୁଆଁ କୁଆଁ ହୋଇ। ସପନାକୁ ଲାଗିଲା ଛୁଆଟା ଯେମିତି କାନ୍ଦୁନି ତାକୁ ବାପା ବାପା ଡାକୁଛି। ତା ଜାଗାରୁ ଉଠିଯାଇ ଛୁଆଟାକୁ ଝାମ୍ପି ଆଣିଲା ସପନା ଚମ୍ପା ହାତରୁ। ଅତି ଯତ୍ନରେ ଧୀରେ କରି ଛାତିରେ ଚାପି ଧରିଲା ତା ରକ୍ତର ସନ୍ତାନକୁ। କାନ୍ଦ ବନ୍ଦ କରି ଚୁପ ହୋଇଗଲା ଛୁଆଟା ଆଉ ସପନା ଆଖିରୁ ଖସି ପଡ଼ିଲା ଦୁଇ ଟୋପା ଲୁହ।