STORYMIRROR

Satyabati Swain

Inspirational

4  

Satyabati Swain

Inspirational

ମୋ ସାର୍ ବୋଲି

ମୋ ସାର୍ ବୋଲି

8 mins
296

ଆପଣ ଏବେ କେଉଁଠି,କେମିତି ଅଛନ୍ତି ଜାଣେନି । କିନ୍ତୁ ଏଇ ଶର୍ମା ସାଙ୍ଗିଆ ଆଜି ଆପଣଙ୍କୁ ମନେ ପକେଇବା ପାଇଁ ବାଧ୍ୟ କଲା । କାହିଁକି ନା ସମ୍ୟକ ଶର୍ମାଙ୍କ ଧର୍ମପତ୍ନୀ ଭାବେ ମୋର ଆଜି ହାତ ଗଣ୍ଠି ପଡିଛି ।  ଆପଣ ଜାଣନ୍ତି କି ଶର୍ମା ସାର୍ ଆପଣଙ୍କ ନାଁ ରେ କଲେଜ ଥରେ କେମିତି ! ଗୁଣ୍ଡା ହୁଣ୍ଡା ବଦମାସ୍ ଙ୍କ ପାଇଁ କାଳେ ଆପଣ ଯମ ! ହଳ ହଳ ପ୍ରେମ ପକ୍ଷୀ ଦେଵଦାରୁ ଗଛ ମୂଳେ ବସି ମଜା ମସ୍ତିରେ ଭୋଳ ହେଉଥିବା ବେଳେ ଦୈବାତ ଆପଣଙ୍କ ବୁଲେଟର ଫଟ୍ ଫଟ୍ ଶବ୍ଦ ଶୁଣିଲେକେମିତି ହଗିମୁତି ଆଣ୍ଠିଏ ହେଉଥିଲେ । 

ମୋର ପ୍ଲସ୍ ଟୁ ନାମ ଲେଖାଇଲା ପରେ ସାରା କଲେଜରେ ଶର୍ମା ସାର୍ ଏକ ଚର୍ଚ୍ଚିତ ନାମ ଯାହା ବାରମ୍ବାର କୌଣସି ନା କୌଣସି କାରଣରୁ ମୋ  କାନରେ ପଡୁଥିଲା । ନ ଦେଖି ବି ଆକର୍ଷିତ ହେଉଥିଲି ସେ ନାମ ପ୍ରତି। ଭାବୁଥିଲି ଏଇ ଶର୍ମା ସାର୍ କଣ ଡନ୍ ! ଏତେ ଡରୁଛନ୍ତି ସମସ୍ତେ ? ତାପରେ ମୋ କଳ୍ପନା ଆଖିରେ ଶର୍ମା ସାରଙ୍କର ଏକ ଛବି ଆଙ୍କି ହୋଇ ଯାଉ ଥିଲା । ନିହାତି ଜଣେ ମୋଟା ସୋଟା, ଡେଙ୍ଗା , ମୋଟା ନିଶ ଦାଡ଼ି ଭର୍ତ୍ତି କ୍ରୁର ଚାହାଁଣିର ଏକ ମୁହଁ ,ଲାଲ୍ ଲାଲ୍ ଆଖି ପରି ଆହୁରି କେତେ କଣ । ମୋତେ ଟିଭିରୁ ଦେଖିଥିବା ରାବଣ, କଂସ , ଡକାୟତ କି ସନ୍ତ୍ରାସବାଦୀଙ୍କ ପରି ଆପଣଙ୍କ ଛବି ମୋତେ ଦିଶୁଥିଲା ନ ଦେଖି ବି। ଡରୁଆ ମନଟି ମୋର ଠାକୁରଙ୍କୁ ପ୍ରାର୍ଥନା କରୁଥିଲା ଶର୍ମା ସାର୍ ଯିଏ ହୁଅନ୍ତୁ ନା କାହିଁକି ତାଙ୍କ ସହ ପଢା ସରି ଯାଉ ପଛେ ଦେଖା ନ ହେଉ। ନଚେତ୍ ବଡ଼ ଠାରୁ ସାନ ଶ୍ରେଣୀ ପିଲାମାନେ ଯେମିତି ଏ ନାଁ ଟା ରେ ଡରୁଛନ୍ତି ତ ମୋ ପରି ପାଣି ହଗୁରୀ ତାଙ୍କୁ ଦେଖିଲେ ଠିଆ ଠିଆ ସି ସି କରି ଦେବା ଥୟ। ମଣିଷ ଭାବେ ଗୋଟେ କିନ୍ତୁ ଈଶ୍ୱର କରନ୍ତି ଆଉ ଗୋଟେ । ଯାହାଙ୍କୁ ମୋର ପ୍ରାଣେ ଭୟ ଅର୍ଥାତ ଆପଣଙ୍କ ସହ ମୋର ଭେଟ କେମିତି ନାଟକୀୟ ଭଙ୍ଗୀରେ ହେଲା ! ଚେହେରା ଓ ସ୍ୱାସ୍ଥ୍ୟ ଦେଖି ମୋ କ୍ଳାସର ତଥା ହଷ୍ଟେଲ ପିଲା ମୋତେ ଡାକନ୍ତି ଏ ସ୍କୁଲ ପିଲା । ଅତି ସରୁଆ ନକ ନକ ପାଞ୍ଚ ଫୁଟର ଦେହକୁ ଡବ ଡବ ଦିଟା କଥା କୁହା ଆଖି। ଦର୍ପଣରେ ଦେଖିଛି ଶରୀରକୁ ମୋ ଆଖି ଦିଟା ବିଲ୍ କୁଲ୍ ମେଳ ଖାଏ ନାହିଁ। ଯିଏ ଦେଖିବ ଭାବିବ ହୁଏତ ଡରୁଆ ନଲେ ଆକୁଳିଆଟିଏ । ସ୍ଵଭାବ ଟି ସେମିତି । ଯଦି କୌଣସି ପାଠ ବୁଝି ନ ପାରିଲି ତ କାନ୍ଦିବି ଅଥୟ ହୋଇ । କେହି କେହି ନାକ କାନ୍ଦୁରି ବୋଲି ଟିପ୍ପଣୀ ଦିଅନ୍ତି । ସ୍କୁଲ ଯାଏ ଛୁଆଟିଏ ବୋଲି ଯେନ ତେନ ଚଳିଗଲା ।କିନ୍ତୁ କଲେଜରେ ମୋ ଶରୀର ହେଉ କି ଗୁଣ ମୋତେ ଲୋକହସା କରି ହିନସ୍ତା କଲା। ସଭିଙ୍କ ଥଟ୍ଟା ପରିହାସର ପାତ୍ରୀ ହେଲି ।ପିଲାଏ ହସିଲେ ମୋର ଏପରି ଗୁଣ ଦେଖି । କଲେଜରେ ପଢିଲେ ସ୍ଵଭାବ କୁଆଡେ ଚାଲି ଯାଏ ନା କଣ ? ମୋର ଯାହା ସ୍ଵଭାବ ଯାଆନ୍ତା କେମିତି ! ଦିନେ କମର୍ସ ବ୍ଲକରୁ ପି ଏଲ ଟି ଆସୁଥାଉ ଆମେ । କମର୍ସ ପିଲା ଗୁଡା କାଳେ ସୁଦୁ ବାଳୁଙ୍ଗା ଓ ବଦମାସ୍ । ଆମ କ୍ଳାସ ପିଲା ସହ ଅନ୍ୟ ପିଲା ମାନେ ବି ଆସୁଥାନ୍ତି । ଦଳେ କମର୍ସ ପିଲା ମଜା ଦେଖିବା ପାଇଁ ପାଞ୍ଚ ଛଅଟି କାଳିଆ ଷଣ୍ଢକୁ ହୁଡେଇ ଦେଲେ ।ଷଣ୍ଢ ଗୁଡିକ ମାଲ ଗୋଦାମର ହୋଇଥିବେ। ଆମ କଲେଜରେ ଷଣ୍ଢଙ୍କ ରାଜୁତି ଯେମିତି । ଦଳବଦ୍ଧ ଭାବେ ଠିଆ ହୋଇ ମାଲ ଗୋଦାମ ପରିବା ପତ୍ର ଖାଇକି ଆସି ପାକୁଳି କରୁଥିବେ । ବେଳେ ବେଳେ ରାସ୍ତା ଅବରୋଧ କରି ଠିଆ ହୋଇଥିବେ ।ଯେତେ ହାସୁ ହାସୁ କର ଆଦୋୖ ଝୁଙ୍କିବେ ନାହିଁ । ସତେ ଯେମିତି ନିର୍ଭୟରେ ବେଖାତିରି କରି ନ ଶୁଣିଲା ପରି ହେଉଥିବେ। ବେଶୀ ପ୍ଲସ୍ ଟୁ ପିଲାଙ୍କ ପାଖରେ ସବୁ ପିଲାଙ୍କ ପରି ଏ ଷଣ୍ଢ ଗୁଡା ବି ଭାଉ ଦେଖାନ୍ତି । କେତେ ଥର କ୍ଳାସ ମିସ୍ ହୋଇଥିବ ଏଇ ଷଣ୍ଡ ରାସ୍ତା ନ ଛାଡିବାରୁ । ସେଦିନ ପି ଏଲ ଟି କୁ ଥିବା ଏକମାତ୍ର ରାସ୍ତା ଉପରକୁ ଉଠି ଯାଇଛୁ ତ ଆମ ପଛେ ପଛେ ଷଣ୍ଡ ଦ୍ରୁତ ଗତିରେ ଦୌଡ଼ିଲେ । ଆମେ ସମସ୍ତେ କିଲିବିଲି ହୋଇ ସମସ୍ତ ଶକ୍ତି ଦେଇ ଦୌଡ଼ିବାକୁ ଲାଗିଲୁ ।କାରଣ ଷଣ୍ଡ ମାଡି ଯିବ ନିଶ୍ଚେ କାହା ଉପରେ। କି କୋଦା କୋଦା ଷଣ୍ଡକୁ ତାଙ୍କର ମୁନିଆଁ ମୁନିଆଁ ଶିଙ୍ଘ ! ଯିଏ ବି ଦେଖିବ ଭୟ କରିବ । ଦୌଡ଼ି ଦୌଡ଼ି କିଏ ଗ୍ୟାଲେରୀ ଉପରକୁ ଚଢି ଗଲେ ତ କିଏ ଏଜୁକେସନ ବିଭାଗ ଆଡେ ବା କିଏ ସି ଏଲ ଟି ଆଡେ ଧାଇଁଲେ । ମୁଁ ବିଚରା ସମସ୍ତଙ୍କ ପଛରେ ଡରରେ ଛାନିଆଁ ହୋଇ କାନ୍ଦି କାନ୍ଦି ମାଆ ମାଆ କହି ଦୌଡ଼ୁ ଦୌଡ଼ୁ ପଡ଼ିଗଲି । ଆଜି ଷଣ୍ଢ ମୋ ଉପରେ ମାଡିବା ନିଶ୍ଚିତ ହୋଇ ଚିତ ହୋଇ ପଡି ଆଖି ବୁଜି ଦେଲି । କିଛି ସମୟ ପଡି ରହିବା ପରେ ଷଣ୍ଢ ମୋ ଉପରେ ମାଡି ନ ଯିବାରୁ ଆସ୍ତେ ଆସ୍ତେ ଆଖି ଖୋଲି ଯାହା ଦେଖିଲି ତ ଏକବାରେ କାବା।

ଗୋଟେ ଷଣ୍ଢର ଶିଙ୍ଗ ଦୁଇଟି ଠିକ୍ ମୋ ପାଖରେ

ଦୁଇ ହାତରେ ଜଣେ ଟେକି ଧରି ପଛକୁ ପେଲୁଛନ୍ତି। ଷଣ୍ଢଟି ବି କେଉଁ ଛାଡିବା ଜନ୍ତୁ ! ସେ ବ୍ୟକ୍ତିଙ୍କୁ ଠେଲି ତଳେ ପକେଇ ଦେବା ଚେଷ୍ଟାରେ। ବ୍ୟକ୍ତି ଜଣକ ଷଣ୍ଡ ଶିଙ୍ଘ ଧରି ଅଟକାଇ ମୋତେ କହୁଥାନ୍ତି ଉଠି ଯା ଉଠି ଯା । ପିଲା ଓ ସାର୍ ମାନେ ଜମା ହୋଇ ଗଲେଣି ସେତେବେଳେକୁ। ବଡ଼ ଦି ମାନେ ଉଠିଆ ଉଠିଆ ଚିଲଉ ଥାଆନ୍ତି। ଘୁଷୁରି ଘୁଷୁରି ଟିକେ ଷଣ୍ଢ ଓ ସେ ବ୍ୟକ୍ତିଙ୍କ ଧସ୍ତା ଧସ୍ତି ପାଖରୁ ଦୁରେଇ ଯିବାରୁ ଦି ମାନେ ମୋତେ ଟାଣି ନେଲେ । ବାହାଦୂର ମାନେ ବନ୍ଧୁକ ଦେଖାଇ ଷଣ୍ଡଟିକୁ କାବୁ କରି ନେଲେ। ବ୍ୟକ୍ତି ଜଣକ ଆଖି ରଡ଼ ପରି ଜଳୁଥାଏ। କହିଲେ "କିଏ ଷଣ୍ଡ ମାନଙ୍କୁ ହୁରୁଡେଇ ବଦମାସି କରିଛି ?

ବଡ଼ ଦି ମାନେ କହିଲେ ସାର୍ କମର୍ସ ବ୍ଳକ ପିଲା ।

ଆଚ୍ଛା କହି କମର୍ସ ବ୍ଳକ ଆଡେ ସେ ଗଲେ।

ଓଃ ଏ ତାହେଲେ କେହି ଜଣେ ସାର୍ ! ବାଃ ଖୁବ୍ ସାହସୀ ଓ ବଳୁଆ ତ ! ଭାବି ମୁଣ୍ଡ ନଇଁ ଗଲା ସେ ଅଚିହ୍ନା ସାର୍ ଙ୍କ ପାଖେ । ସେ ନ ଥିଲେ ଷଣ୍ଡ ମୋ ଅନ୍ତବିଜୁଳା ବାହାର କରିଥାନ୍ତା ଜାଣ । ମୋ କହୁଣୀ ଓ ପିଠି ଆଂଚୁଡ଼ି ହୋଇ ଖଣ୍ଡିଆ ହୋଇ ଯାଇଥାଏ । ଡିସପେନସ୍ ରୀ ନେଇ ଔଷଧ ଲଗାଇବା ସହ ଟିଟାନସ୍ ଇଂଜେକସନ ଦେଇ ବଡ଼ ଦି କେଇ ଜଣ ମୋତେ ନେଇ ହଷ୍ଟେଲରେ ଆସିଲେ। ଭୟରେ ମୁଁ ଶୋଇ ପଡ଼ିଲି । ଉଠିଲା ପରେ ମୋ ରୁମ୍ ପିଲା କହିଲେ, ତୋ ଭାଗ୍ୟ ଭଲ ମନିସ୍କା ; ଶର୍ମା ସାର୍ ଥିଲେ ବୋଲି ତୁ ବଞ୍ଚି ଗଲୁ ।

ଶର୍ମା ସାର୍ ! ମୋତେ ଯିଏ ବଞ୍ଚେଇଲେ !

ହଁ ଯିଏ ଷଣ୍ଢ ଶିଙ୍ଘ ଧରି ପେଳୁଥିଲେ ସେ ଶର୍ମା ସାରଙ୍କ ବ୍ୟତିତ ଆଉ କିଏ ହୋଇ ପାରିବେ ।ସେଇ ରାଢ ହିଁ ଏମିତି ଦୁଃସାହସିକ କାର୍ଯ୍ୟ କରି ପାରିବେ। ଯମ ତାଙ୍କୁ ମିଛରେ କୁହନ୍ତି ? କଲେଜର ଡନ୍ ଟି। କମ୍ ପରା ସେ ସାର୍ । ଯେଉଁ ଶର୍ମା ସାର୍ ଙ୍କୁ ନ ଦେଖି ଏକ ଭୟାନକ ଛବିର କଳ୍ପନା କରିଥିଲି ସେଇ ଶର୍ମା ସାର୍ ମୋ ଜୀବନ ବଞ୍ଚେଇଲେ ! ମୋ କଳ୍ପନା ଛବି ଓ ସତ ଶର୍ମା ସାର୍ ଙ୍କ ଭିତରେ ଆକାଶ ପାତାଳ ଫରକ ଥିଲା । ଶର୍ମା ସାର୍ କେତେ ସୁନ୍ଦର ଦେଖିବାକୁ। ବିଲକୁଲ ମୋଟା ନୁହଁନ୍ତି କି ତାଙ୍କର ମୋଟା ନିଶ କି ଦାଢ଼ି ନାହିଁ। ହିରୋ ପରି ଚେହେରା।ତାଳ ଗଛ ପରି ଉଚ୍ଚ । ସରୁ ନିଶ ସହ ଗଜୁରା ଗଜୁରା ଦାଢ଼ି । ସଫା ରଙ୍ଗ ଅନ୍ଧାର ଘରେ ଆଲୁଅ ପରି । ଆଃ ଶର୍ମା ସାର୍ ଏତେ ସୁନ୍ଦର ଯୁବକ ! ଠିକ୍ ମୋ ମିଠୁ କକା ପରି ।

କିନ୍ତୁ ଏ ଦି ଓ ଅନ୍ୟ ପିଲାମାନେ ଶର୍ମା ସାର୍ ଙ୍କୁ

ରାଢ ,ଯମ ,ଡନ୍ ଆଦି କହୁଛନ୍ତି କାହିଁକି ? କେତେ ଭଲ ସାର୍ । ମୋତେ ଚିଡି ମାଡ଼ିଲାଆପଣଙ୍କୁ ନେଇ ପିଲା ମାନେ କହୁଥିବା କଥା। ମୁଁ ଯେଉଁ ଭାବୁଥିଲି ଆପଣ ଜମା ସେମିତି ଭୟଙ୍କର ମୋତେ ଲାଗିଲେ ନାହିଁ। ବରଂ ଭକ୍ତି ସମ୍ମାନରେ ମୋ ମୁଣ୍ଡ ଆପଣଙ୍କ ପାଖେ ନଇଁ ଗଲା। ତଥାପି କିନ୍ତୁ ଶବ୍ଦଟିଏ ମୋ ଭିତରେ ଆପଣଙ୍କୁ କାହିଁକି ଏମିତି କୁହନ୍ତି ରୁଗୁରୁଗୁ କରି କାଟିଲା । କାରଣଟି ଜାଣିବାକୁ ମନ ବଳିଲା । ହେଲେ ମୋତେ ପୁଣି ସ୍କୁଲ ଛୁଆ କହି ଥଟ୍ଟା କରୁଥିବା ବେଳେ ଏତେ ବଡ଼ ଗୂଢ ରହସ୍ୟ କିଏ କହିବ ବା କାହିଁକି ? ସେ ଯାହା ହେଉ ଡରିବା ବଦଳରେ ଆପଣ ମୋତେ ଭଲ ଲାଗିଲେ । ଯିଏ ଆପଣଙ୍କୁ ରାଢ କି ଯମ କହିଲେ ତ ମୋତେ ବିରକ୍ତ ଲାଗିଲା । ଏପରି ଦେବତା ଭଳି ସାର୍ ଙ୍କୁ ଏମାନେ ଏମିତି କଣ ପାଇଁ କହୁଛନ୍ତି ନିହାତି ଜାଣିବା ଦରକାର ପଡିଲା । ଆପଣ ଫିଜିକିସ୍ ଲେକ୍ଚର ପୁଣି ଗୋଲଡ଼ ମେଡାଲିଷ୍ଟ୍ । ଆପଣଙ୍କ କ୍ଳାସରେ ହଲଚଲ୍ ହେବା ମନା । ଏତକ ଜାଣି ଗଲି ଆପଣଙ୍କ ବିଷୟରେ।

ମୋର ଇଚ୍ଛା ହୁଏ ସାର୍ ଆମକୁ ଫିଜିକିସ୍ ପଢ଼ାନ୍ତେ କି ? ପଢା ଅପେକ୍ଷା ମୁଁ ଆପଣଙ୍କୁ ଭଲ କରି ଦେଖନ୍ତି ଏବଂ ଖୋଜନ୍ତି କଣ ପାଇଁ ପିଲା ମାନେ ଆପଣଙ୍କୁ ଖରାପ ଭାବନ୍ତି ? ଭାବିଲେ କଣ ହେବ ଆପଣ ତ ଖାଲି ପିଜି ଓ ପିଏଚ୍ ଡ଼ି ପିଲାଙ୍କୁ ପଢ଼ାନ୍ତି । ଖୁବ୍ ଶୀଘ୍ର ପ୍ଲସ୍ ଟୁ ସରି ଯାଆନ୍ତା।ପ୍ଲସ୍ ଥ୍ରୀରେ ମୁଁ ଫିଜିକିସ୍ ଅନର୍ସ ରଖନ୍ତି। ଯେତେ ଶୀଘ୍ର ସମ୍ଭବ ପ୍ଲସ୍ ଥ୍ରୀ ଶେଷ କରି ପିଜିରେ ଏଇ କଲେଜରେ କେବଳ ଆପଣ ପଢେଇବେ ବୋଲି ପଢ଼ନ୍ତି।

ଧେତ୍ ସବୁ ଦିବା ସ୍ୱପ୍ନ। ମୋର ବା ଫିଜିକିସ୍ ଭଲ ହେଉ ନାହିଁ ।କିନ୍ତୁ ସାର୍ ଜାଣନ୍ତି ମୋତେ ଭଲ ଲାଗୁ ନଥିବା ଫିଜିକିସ୍ ଖାସ୍ ଆପଣଙ୍କ ପାଇଁ ମନ ମୁନ ଚୈତନ୍ୟ ଲଗାଇ ପଢ଼ିଲି ;ଦୁଇ ଦୁଇ ଜାଗା କୋଚିଂ ନେଇ ଅକ୍ତିଆର କଲି। ଦେଖନ୍ତୁ ତ ଆଜି ମୁଁ ନାନୋ ଫିଜିକିସ୍ ର ଲେକ୍ଚର । ଏ ସବୁ କେବଳ ଆପଣଙ୍କ ପାଇଁ ସାର୍। ନଚେତ୍ ଫିଜିକିସ୍ ରେ ଗଧୁଣି ମନିସ୍କା ପୁଣି ସବୁଠାରୁ କଷ୍ଟ ନାନୋ ଫିଜିକିସ୍ ରେ ଲେକ୍ଚର ହେବା ସମ୍ଭବ ହୋଇଥାନ୍ତା କି ?

ଅବଶ୍ୟ ପ୍ଲସ୍ ଥ୍ରୀ ନାମ ଲେଖାଇ ସାରିବା ପରେ ଆପଣ ଆଉ ଆମ କଲେଜରେ ନ ଥିଲେ ।ଅନ୍ୟ କଲେଜକୁ ବଦଳି ହୋଇ ଯାଇଥିଲା ଆପଣଙ୍କର । ମନ ତ ଶୁଣି ଭାରି ଦୁଃଖ ହେଲା ମାତ୍ର ଆପଣ ମୋ ଭିତରେ ରହି ଫିଜିକିସ୍ ପ୍ରୀତି ସୃଷ୍ଟି କଲେ। ସବୁ ବିଷୟ ଠାରୁ ମୋର ଏ ବିଷୟ ଅତି ଭଲ ହେଲା । ଆପଣ ନ ଥିଲେ ଏଣୁ ଆପଣଙ୍କ ବିଷୟରେ କେହି ଏତେ ଚର୍ଚ୍ଚା କରୁ ନ ଥିଲେ। 

ଥରେ ପ୍ରାଟିକାଲ୍ କ୍ଳାସରେ ପୁରବୀ ମାମ୍ କଥା ପ୍ରସଙ୍ଗ ରେ କହୁ କହୁ କହି ଦେଲେ ,ଶର୍ମା ସାର୍ ଥିଲେ ବୋଲି ଏ କଲେଜରେ ଶାନ୍ତି ଶୃଙ୍ଖଳା ବଜାଇ ରହୁଥିଲା । ପିଲାଏ ବଦମାସି କରିବାକୁ ଡରୁଥିଲେ। ଫିଜିକିସ୍ ପିଲାମାନେ ଖୁବ୍ ଭଲ ପଢୁଥିଲେ । ଏବେ ତ ଏ କଲେଜ ବି ଖତରା କଲେଜ ହୋଇଯିବ ।

ସାହସ ପାଇ ସେଦିନ ପଚାରିଲି ,ମାମ୍ ଶର୍ମା ସାର୍ ଙ୍କୁ ପିଲା ମାନେ ରାଢ, ଯମ ଓ ଡନ୍ କାହିଁକି କହୁଥିଲେ ?

ତାଙ୍କର ଏକମାତ୍ର ଭଉଣୀକୁ ରେଫ୍ ଆଣ୍ଡ ମର୍ଡର କରି ଦିଆ ଯାଇଥିଲା । ସେଦିନୁ ସେ ରକ୍ତ ମୁଖା। କେହି ପିଲା ଏତେ ଟିକେ ବଦମାସ୍ କଲେ ସେ ସହି ପାରନ୍ତି ନାହିଁ। ବେଶୀ ଲବ୍ କରିବା ପିଲାଙ୍କ ପାଇଁ ସେ ଯମ ।କାରଣ ତାଙ୍କ ଭଉଣୀକୁ ଭଲ ପାଇବାର ଅଭିନୟ କରି ତା ପ୍ରେମିକ ସାଙ୍ଗ ମାନଙ୍କ ସହ ମିଶି ରେଫ୍ ପରେ ହତ୍ୟା କରିଥିଲେ ତାଙ୍କ ଭଉଣୀକୁ। ଶର୍ମା ସାର୍ କୁହନ୍ତି ମୋ ଭଉଣୀ ଦଶା ଆଉ କେଉଁ ପିଲାଙ୍କର ନ ହେଉ । ଏପରି ଲବ୍ କରୁଥିବା ପିଲା ଆଖିରେ ପଡିଲେ ସେ କିଛି ନ ଭାବି ଗୋଡ଼ ହାତ ବାଡେଇ ଲାଲ୍ କରି ଦିଅନ୍ତି। ମାମ୍ ଙ୍କ ଠାରୁ ଆପଣଙ୍କ ବିଷୟ ରେ ଜାଣିଲା ପରେ ଆହୁରି ଆପଣ ମୋତେ ଭଲ ଲାଗିଲେ ।ପିଲାମାନେ ଆପଣଙ୍କୁ ଠିକ୍ ରେ ବୁଝି ନ ପାରି କେତେ କଥା କହୁଥିଲେ । ସେଇ ଉଣେଇଶି ବର୍ଷରୁ ଏକତିରିଶି ବର୍ଷ ଭିତରେ ନା ଆପଣଙ୍କ ସହ ଭେଟ ହୋଇଛି ନା ଆପଣ ମନେ ପଡ଼ିଥିଲେ । ଏଇ ଦୁଇ ମାସ ହେବ ହରିୟାନା ସେଣ୍ଟ୍ରାଲ ୟୁନିଭରସିଟିରେ ମୋର ପୋଷ୍ଟିଙ୍ଗ ହୋଇଛି। ଆଗରୁ ବାବା ଯୋଗାଡ଼ କରି ରଖିଥିଲେ ମୋ ବିବାହ। ଯାହାଙ୍କୁ ବିବାହ କରୁଛି ସେ ସମ୍ୟକ ଜାଣିଥିଲି କିନ୍ତୁ ଜାଣି ନଥିଲି ୟାଙ୍କ ସାଙ୍ଗିଆ ଶର୍ମା ବୋଲି । ଜାଣିଲା ପରେ ଆପଣ ମୋର ଖୁବ୍ ମନେ ପଡୁଛନ୍ତି ସାର୍। ଇଛା ଜୀବନ କାଳ ଭିତରେ ଥରେ ଆପଣଙ୍କ ସହ ଦେଖା ହୁଅନ୍ତା। ଆପଣଙ୍କ ପାଦ ପରେ ମଥା ରଖି ପ୍ରଣାମଟିଏ କରନ୍ତି।

ସାର୍ ଙ୍କୁ ମନେ ମନେ ପାଗଳ ପରି ଖୋଜୁଥିଲା ବେଳେ ସମ୍ୟକ ଓ ମୋର ରିସେପସନ ଦିନ ସମ୍ୟକ ମୋତେ ଜଣଙ୍କ ସହ ପରିଚିତ କରେଇ ଦେଇ କହିଲେ ଦେଖ୍ ଏ ମୋ ବାବା । ଏହାଙ୍କ ପାଇଁ ମୁଁ ଆଜି ମଣିଷ ହୋଇଛି।

କିଛି କ୍ଷଣ ଦେଖିଲା ପରେ କହିଲି,ଶର୍ମା ସାର୍ ଆପଣ କହି ପାଦ ଧୁଳି ନେବାକୁ ଯାଉଥିଲି ତ ସମ୍ୟକ କହିଲେ ,ଛୁଅନି ଏ ତୁମ ଦେଢ଼ଶୁର ହେବେ ମୋ ପିଉସୀ ପୁଅ ଭାଇ।

ଖୁଣ୍ଟ ହୋଇଗଲି ମୁଁ । ଏତେ ଖୋଜୁଥିବା ମଣିଷଙ୍କୁ ପାଖରେ ପାଇଁ ଛୁଇଁବିନି ! ଶିକ୍ଷିତ ହୋଇ ବି ଆମେ ଛୁଆଁ ଅଛୁଆଁ ମାନିବା ? ଶାଶୁ ଶଶୁର ,ନଣନ୍ଦ ,ଯାଆ ସମସ୍ତେ ହାଁ ହାଁ ଛୁଇଁବୁ ଛୁଇଁବୁ ହେଉଛନ୍ତି ତ ମୁଁ ପାଦ ଧୂଳି ନେଲି ସାର୍ ଙ୍କର।  ଟୁପ ଟାପ୍ ହେଲେ ଘର ଲୋକଙ୍କ ସହ ବାହାର ଲୋକ ଯେ ବୋହୁ ଅଧିକ ପଢ଼ିଛି ବୋଲି ନୀତି ନିୟମ ମାନୁ ନାହିଁ। କହିଲି ଠିକ୍ ସେଇଆ ନୁହେଁ। ମୋ ସାର୍ ବୋଲି ପ୍ରଣାମ ହେଉଛି । ଶର୍ମା ସାର୍ ମୋ ସାର୍ ପ୍ରଥମେ ଦେଢଶୁର ପଛରେ ।


Rate this content
Log in

Similar oriya story from Inspirational