Satyabati Swain

Inspirational

3  

Satyabati Swain

Inspirational

ମୋ ମା

ମୋ ମା

7 mins
237


 


ଶାଶୁ ନଥିବା ବୋହୂର ଅସରନ୍ତି ଦୁଃଖ।ଝିଅ କାତି ଛାଡିଥିବ କି ନାଇଁ ଶାଶୁ ଘର ସବୁ ଲୋକଙ୍କ ମା ଖୋଳପାରେ ତାକୁ ପଶେଇ ଦିଆଯିବ।ଗେଲ ବସର ଗେହଲୀ ଜୀବନକୁ ସବୁ ଦିନ ବିଦା କରି ଶାଶୁ ଘରେ ସବୁ ସଦସ୍ୟଙ୍କ ଠାରୁ ବୟସରେ ସାନ ହେଲେ ବି ମା ଭୂମିକାରେ ରୋଲ କରିବ।ସମସ୍ତଙ୍କ ଫର୍ମାଇସି ପୂରଣ କରୁ କରୁ ସାନରୁ କେତେବେଳେ ବଡ଼ ହୋଇଯିବ ଜଣା ଯିବନି।


ଏମିତି ଗୋଟେ ଜୀବନ ପାଇଥିଲା ମୋ ମା।ଶାଶୁ ନଥିବା ଶାଶୁ ଘର ତା ଭାଗ୍ୟରେ ଥିଲା।ବୋହୁ ଅଳିତା ନ ଛାଡୁଣୁ ରୋଷେଇ ଠାରୁ ଆରମ୍ଭ କରି ଘର ହାନି ଲାଭ ବୁଝିବା ଭାର ମା କାନ୍ଧରେ ନଦି ଦିଆଗଲା।ଲୁହ ଶିଙ୍ଗାଣି କାନିରେ ପୋଛି ମା ନଣନ୍ଦ, ଦିଅର, ଶଶୁର ଓ ମୋ ବାପାଙ୍କ ମା ହୋଇ ଯାଉଥିଲା ଆସ୍ତେ ଆସ୍ତେ। ବାପା ବାହାରେ ଚାକିରୀ କରିଥିଲେ।ନଣନ୍ଦ ମୀରା ନୀ ବାହା ଘର ସରିଛି। ଓ ଦିଅର ପ୍ରଭୁ ମୋ ଦାଦା କଲେଜରେ ପଢ଼ୁଥିଲେ।ଜେଜେ ଚାଷ ବାସ ବୁଝିବା ସହ ଲୁଗା ଦୋକାନ ଟିଏ କରିଥିଲେ। ଧନରେ ଅଭାବ ନଥିଲା ଆମ ଘରେ।କିନ୍ତୁ ମା କୁ ଦେହ ମୁଣ୍ଡରେ ପଡିଲେ କେହି ସାହାଯ୍ୟ କରିବାକୁ ନଥିଲେ।ସବୁ ଭଲ ଭିତରେ ମୋ ଜେଜେ ଭାରି ଆଣ୍ଠୁଆ।ଯାହା ବୁଝିଥିବେ ସେଇଆ।


ମା ଭଲରେ ରୋଷେଇ ବାସ କରି ଶିଖି ନଥିଲା।ପ୍ରଥମେ ପ୍ରଥମେ କେବେ ଲୁଣିଆ ତ କେବେ ପାଣିଆ କରିଦେଉଥିଲା ଡାଲି ତରକାରୀ।ଜେଜେ ତରକାରୀ ଶାଗ ଭଲ ହୋଇ ନଥିଲେ ଠିଆ ଠିଆ ଭାତ ଥାଳି ମା ଉପରକୁ ଫିଙ୍ଗନ୍ତି। ମୋ ପିୟୁସି ମୀରାନୀ ଭଲ ରୋଷେଇ କରେ।ବେଳେ ବେଳେ ଆସି ମା କୁ ରୋଷେଇ ଶିଖାଏ। ଜେଜେ ଙ୍କୁ ବୁଝାଏ, ଭାଉଜ ତିନି ଭାଇରେ ଗୋଟିଏ ବୋଲି ଗେହ୍ଲା ଝିଅ।ଗେଲ ବସରରେ ବଢ଼ିଛନ୍ତି।ରୋଷେଇ ବାସ ଶିଖି ନାହାନ୍ତି।ଆସ୍ତେ ଆସ୍ତେ କରୁ କରୁ ଶିଖି ଯିବେ।ଶାଶୁ ଥିଲେ ହାତ ଧରି ସବୁ ଶିଖାଇ ଥାଅନ୍ତେ। ତୁମେ ଟିକେ ଚଲେଇ ନେବ କଣ ନା ନାକ ଅଗରେ ରାଗ।ପିଲା ଲୋକ, ବୁଦ୍ଧି ହେବା ପାଇଁ ଟିକେ ତ ସମୟ ଲାଗିବ।


ଏଣୁ ମୋ ଅଜା ଆଈ ଏ ଏଥିପାଇଁ ଭାରି ମନ ଦୁଃଖ କରନ୍ତି ଯେ ଶାଶୁ ନଥିବା ଘରେ ଝିଅ ଦେଇ ସେମାନେ ଠିକ୍ କରି ନାହାନ୍ତି।ବାପା ପିତୃଭକ୍ତ ଶ୍ରୀରାମଚନ୍ଦ୍ର। ମୋ ଜେଜେ ମା କୁ ମାଇଲେ ବି ଉଁ ଚୁଁ ପାଟି ଫିଟାନ୍ତି ନାହିଁ।ସହଜେ ସେ ବରଷକେ ଆଠ ଦିନ ଘରକୁ ଆସନ୍ତି।ଏଣୁ ମା ନିଜ ଦୁଃଖ କାହାକୁ କହି ପାରେନି। ବାହାଘର ଗୋଟିଏ ବର୍ଷ ନ ପୁରୁଣୁ ମା ଶୁଖି କି ଡାଙ୍ଗ ହୋଇଗଲା।କିଛି ଦିନ ଯାଇଛି କି ନାହିଁ ମା ଗର୍ଭବତୀ ହେଲା। ରାଢ ଶଶୁର ପାଖରେ କେମିତି ଚଳିବ ଭାବି ଅଜା ଆସି ମା କୁ ନେଇ ଗଲେ।ପ୍ରଥମେ ଜେଜେ ମଙ୍ଗୁ ନଥିଲେ। ଶେଷରେ ଜନ୍ମ କରିବାଜୁ ତିନି ମାସ ଅଛି ମା ମାମୁଁ ଘର ଯାଇ ରହୁ ବୋଲି ସମ୍ମତି ପ୍ରଦାନ କଲେ।


ମାତ୍ରାଧିକ ବାନ୍ତି ଓ ଖାଇବା ପିଇବା ଅଯତ୍ନ ରୁ ମା ଜନ୍ମ କରି ପାରିବ କି ନାହିଁ ଡ଼ାକ୍ତର କହିଲେ।ଜନ୍ମ ବେଳେ ମା କୁ ବିପଦ ଶୁଣି ଆଈ ଖାଲି କାନ୍ଦିଲା।ଡାକ୍ତର କହିଲେ ଏବେ ତ ପାଖାପାଖି ତିନି ମାସ ଅଛି ଭିଟାମିନ ଔଷଧ ସହ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅ।ତେଣିକି ଦେଖିବା। ସତକୁ ସତ ମା ର ଅପେରେସନ ହୋଇ ମୋ ବୁବୁ ଭାଇ ଜନ୍ମ ହେଲା। ବୁବୁ ଭାଇ ଜନ୍ମରୁ ଅଳ୍ପ ଓଜନ ଓ ରୋଗିଣା ଥିବାରୁ ବର୍ଷକର ହେବା ଯାଏ ମା ମାମୁଁଘରେ ରହିଲା।ଏହିପରି ବୁବୁ ଭାଇ ପରେ ଟୁକୁ ଭାଇ ବି ହେଲା।ସେତେବେଳେ କୁ ମୋ ଦାଦା ବାହାଘର ସରିଥିଲା।ଟିକୁ ଭାଇ ବେଳକୁ ମା ପୁରା ମାମୁ ଘରେ ରହିଥିଲା ଓ ଟିକୁ ଭାଇ ଭଲ ହୃଷ୍ଟ ପୃଷ୍ଟ ଛୁଆଟିଏ ହୋଇ ଜନ୍ମ ନେଇଥିଲା।


ପୁଣି ମା'ର କଣ ପିଲା ପିଲି ହେବ ଜାଣି ରାଢ ଜେଜେ ବିଗିଡିଲା। ଦିଇଟା ଛୁଆ ତ ହେଲେ ଆଉ କଣ ପିଲା ହେବ। ଏଥରକ ଝିଅଟିଏ ହେଲା ପରି ଲାଗୁଛି।ଝିଅ ଛୁଆ ଜେଜେଙ୍କୁ ଭାରି ଅଡ଼ୁଆ।ଏଣୁ ମା କୁ ଡାକ୍ତରଙ୍କ ପରାମର୍ଶ କରି ପିଲା ନଷ୍ଟ କରିବାକୁ ଆଣି ଔଷଧ ଦେଲେ। ମା କିନ୍ତୁ ଝିଅଟିଏ ଚାହୁଁଥିଲା। ସେ ଔଷଧ ଖାଇବାକୁ ସଫା ମନା କରି ଦେବାରୁ ଘରେ ତୁମୁଳ କାଣ୍ଡ ହେଲା।ବାପାଙ୍କୁ ଚାକିରିରୁ ଡାକିଲେ ଜେଜେ।


ଶୁଣୁ ବିଭୁ ତୋ ସ୍ତ୍ରୀ ବହୁତ ଫାଜିଲି ହୋଇଗଲାଣି।ମୁଁ କହୁଛି ଆମର ଆଉ ପିଲା ଦରକାର ନାହିଁ।ମୁଁ ଭଲ ଭାବେ ଜାଣେ ଏଥରକ ଝିଅ ହେବ।ଆମ ପୁରୁଷ ପୁରୁଷ ଧରି ସମସ୍ତଙ୍କର ଦୁଇ ପୁଅର ଝିଅ ହୋଇ ଆସୁଛନ୍ତି।ତୋର ବି ଏଥରକ ଝିଅଟିଏ ହେବ।କାହିଁକି ଝିଅ ଜନ୍ମ କରି ଅଯଥା ଅଶାନ୍ତି କୁ ଡାକିବୁ।ଝିଅ କଣ ଗହୀର ବିଲକୁ ହଳ ନେଇ ଯିବି ନା ମୁଖୁ ଯାଇ ଦେବ।ଏଣୁ ତୋ ସ୍ତ୍ରୀକୁ ବୁଝା ସେ ପିଲାଟା ନଷ୍ଟ କରିଦେଉ।


ବିଭୁଦତ୍ତ ସ୍ବାଇଁ ମୋ ବାପା ଆଗରୁ କହିଛି ସେ ପିତୃଭକ୍ତ ଶ୍ରୀରାମଚନ୍ଦ୍ର।ଏଣୁ ତାଙ୍କ ବାପା ଯାହା କହିବେ ସେ ଅମାନ୍ୟ କରି ପାରିବେ ନାହିଁ।ଏଣୁ ସିଦ୍ଧାନ୍ତ ହେଲା ମା ହସ୍ପିଟାଲରେ ପିଲା ନଷ୍ଟ କରି ଆସିବ ଏକଥା ଯେପରି କେହି ନ ଜାଣନ୍ତି।


ବାପା ମା କୁ ନେଇ ହସ୍ପିଟାଲର ଯିବା ବାଟରେ ମା ବାପାଙ୍କୁ କହିଲା, ତୁମେ ବାପାଙ୍କ କଥାରେ ପଡି ନିଜ ଛୁଆକୁ ମାରିବାକୁ ଯାଉଛ ? ମୋର ଚାରି ମାସ ଚାଲିଲାଣି। ପିଲାଟା ଧକ୍ ଧକ୍ କଲାଣି ମୋ ପେଟ ଭିତରେ। ଆମେ ସଉକ କରିବାରୁ ସିନା ପିଲାଟା ପେଟରେ ଛାଞ୍ଚୁରଣ ହେଲା।ତାର ଦୋଷ କଣ ଯେ ସେ ଦୁନିଆଁକୁ ଆସିବା ଆଗରୁ ତାକୁ ମାରି ଦିଆଯିବ।ପିଲାଟିଏ ପାଇଁ କିଏ କେତେ ଦିଅଁ ଦେବତା ଡାକି ଆକୁଳ ହେଉଛନ୍ତି।ଆଙ୍କୁ ଈଶ୍ବର ଯାଚି ଦେଇଛନ୍ତି, ତାହା ଆମକୁ ପିତା ଲାଗୁଛି।ମୋ ସାନ କଥା ମାନ ଏଇ ପିଲାଟିକୁ ଜନ୍ମ ହେବାକୁ ଦିଅ।ତାପରେ ଫେମିଲି ପ୍ଲାନିଂ କରିଦେବା।ତେଣିକି ଝାମେଲା ନଥିବ।ମୁଁ ବି ଟିକୁ ଜନ୍ମ ହେବା ପରେ ଫାମିଲି ପ୍ଲାନିଂ ଅପେରେସନ ହେବାକୁ ଚାହୁଥିଲି।ତୁମେ ନିଜେ ମନା କଲ।ଏବେ ପିଲା । ହେଲା ବେଳକୁ କୁନ୍ଥୁ କୁନ୍ଥୁ କାହିଁକି?


ବାପା ମା କଥା ଶୁଣି ରାଗି ଗଲେ। ତୁ କଣ କହୁଛୁ ମୁଁ ମୋ ବାପା ବିରୁଦ୍ଧ ରେ ଯିବି ? ତାଙ୍କ କଥାକୁ ଅମାନ୍ୟ କରିବି ସ୍ତ୍ରୀ ଶିକ୍ଷାରେ ପଡି?


ମା ବି ରାଗି ଗଲା । ଅବାଧ୍ୟ କାହିଁକି ହେବ।ସେ ଯେମିତି ତୁମ ବାପା, ତୁମେ ସେମିତି ଏ ପିଲାର ବାପା ଟି ? ବାପା ହୋଇ କେମିତି କହୁଛ କଂସେଇ ପରି ନିଜ ହାତରେ ନିଜ ଛୁଆକୁ ମାରିବ? ସେଇ ବାପା ବାପା ହୋଇ କେବେ ସ୍ତ୍ରୀ ବୋଲି ମୋତେ ଆଦର କରିଛ? ଖଟେଇ ଖଟେଇ ମାରି ସାରିଲଣି। ସେଥିରେ ପୁଣି ଗୋଟିଏ ପରେ ଗୋଟେ ପିଲାର ମା କରିବ ମର୍ଦ୍ଦ ପଣିଆ ଦେଖାଇ । ମୁଁ ଏ ପିଲା ନଷ୍ଟ କରିବି ନାହିଁ।ତୁମ ଇଚ୍ଛା ଯାହା କରୁଛ କର।


କଣ ଏତେ ସାହସ ତୋର।ମୋ ବାପାଙ୍କ ନିଷ୍ପତ୍ତିକୁ ମାନିବୁ ନାହିଁ ? ଅନ୍ୟ ସ୍ୱାମୀ ପରି କେବେ ମାରିନି।ମାଡ଼ କଣ ତୁ ଜାଣିନୁ। ଛେଚା ଦିଟା ଖାଇଲେ ପୁରା ସିଧା ହୋଇଯିବୁ।


ମା ଖୁବ୍ କାନ୍ଦି କହିଲା, ଭାବିଥିଲି ଏକୁଟିଆ ପାଇ ବୁଝାଇଲେ ତୁମେ ଶିକ୍ଷିତ ଲୋକ ବୁଝିଯିବ।କିନ୍ତୁ ତୁମେ ବାପାଙ୍କ ଠାରୁ ବି ମୂର୍ଖ। ଏପରି ସ୍ୱାମୀ ଯେ ନିଜ ସ୍ତ୍ରୀ କୁ ବୁଝେନି, ନିଜ ଛୁଆକୁ ବାପାଙ୍କ ବୁଦ୍ଧିରେ ମାରିବାକୁ ଚାହେଁ ସେମିତି ଲୋକ ସଂଗେ ମୁଁ ରହି ପାରିବିନି।


ଶୁଣେ କଣ କରିବୁ ?


ସ୍ୱାମୀ ସ୍ତ୍ରୀକୁ ଛାଡେ।ମୁଁ ସ୍ତ୍ରୀ ହୋଇ ତୁମକୁ ଛାଡି ଦେବି।


କଣ କହିଲୁ ମୋତେ ଛାଡ଼ିଦେବୁ ,କହି ବାପା ନିଆଁ ବାଣ ହୋଇଗଲେ।ଏତେ ସାହାସ ତୋର।ଚାରି ମାସର ପେଟ ଛୁଆ ପାଇଁ ସ୍ୱାମୀକୁ ଛାଡି ଦେବୁ? ଠିକ୍ ଅଛି ଏବେଠୁ ତୋ ମୋ ରାସ୍ତା ଅଲଗା କହି ମୋ ବାପା ମା କୁ ହସ୍ପିଟାଲ ବାରଣ୍ଡାରେ ଏକା ଛାଡି ଘରକୁ ଚାଲି ଗଲେ।


ବିଚାରୀ ମା ମୋ ପାଇଁ ସବୁଦିନ ସ୍ୱାମୀ ସୁଖରୁ ବଞ୍ଚିତ ହେଲା। ପାଖରେ ଗୋଟିଏ ପଇସା ନଥିଲା ତାର।ହସ୍ପିଟାଲରୁ ଚାଲି ଚାଲି ଆସି ମାମୁଁ ଘରେ ପହଞ୍ଚିଲା।ସବୁ କଥା କାନ୍ଦି କାନ୍ଦି କହିଲା । ଅଜା ଆଈ କଣ କରିବେ କିଛି ବୁଝି ପାରିଲେ ନାହିଁ। ବାପାଙ୍କୁ ଆସି ଯେତେ ବୁଝାଇଲେ ସେ କିଛି ବୁଝିବା ଉପରେ ନଥିଲେ।ବରଂ ଅପମାନିତ କରି ଘରୁ ବାହାର କରିଦେଲେ ଅଜା ଆଈ ଙ୍କୁ।


ବୁବୁ ଓ ଟିକୁ ଭାଇ ଅଜାଙ୍କ ପାଖେ ରହିଲେ ମା କୁ ଛାଡି। ମା ରହିଲା ମାମୁଁ ଘରେ ଏକା ଅଜା ରାଗରେ ପ୍ରତିଶୋଧ ପରାୟଣ ହୋଇ ମୋ ବାପାଙ୍କୁ ଆଉ ଥରେ ବାହା କରିଦେଲେ।ସେ ସମୟରେ ଜଣେ ପୁରୁଷ ଦୁଇ ତିନିଟି ବାହା ହୋଇ ପାରୁଥିଲେ।କିଛି ନିୟମ କାନୁନୁ ନଥିଲା।


ବାପା ବାହା ଘର ଦିନ ମା ଖୁବ୍ କାନ୍ଦିଲା। କେବଳ ମୋରି ପାଇଁ ତାର ଏ ଅବସ୍ଥା ହେଲା। ସଉତୁଣୀ ମା ବୁବୁ ଓ ଟିକୁ ଭାଇଙ୍କୁ ଖୁବ୍ ମାର ଧର କଲେ।ଏଣୁ ମାମୁଁ ଯାଇ ପଚାୟତ ବସାଇ ଅଠର ବର୍ଷ ହେବା ଯାଏ ପିଲା ମା ପାଖେ ରହିବେ ବୋଲି ଲେଖା ପଢା ହେଲାରୁ ଜେଜେ ମୋ ଭାଇ ଦି ଟାଙ୍କୁ ମା ପାଖକୁ ଛାଡିଲେ।


ଜେଜେଙ୍କ କଥାକୁ ସତ କରି ମୁଁ ଝିଅଟେ ହେଲି। ମା ଖୁବ୍ ଖୁସି।ମୋ ନାଁ ରଖିଲା ଜ୍ୟୋତି। କିନ୍ତୁ ଚାରି ପ୍ରାଣୀ ମାମୁଁ ଘରେ ଚଳିବା କଷ୍ଟ ହେଲା।ଅଜା ଆଈ ମରି ଯିବା ପରେ ଆମ ଦୁଃଖ ବଢିଗଲା। ଖାଇବା ପିନ୍ଧିବା ସାଙ୍ଗକୁ ପଢା ଖର୍ଚ୍ଚ ମାମୁଁ ତୁଲେଇ ପାରିଲେ ନାହିଁ।ମାମୁଁ ବାହା ହେଲେ, ତାଙ୍କ ସଂସାର ବଢ଼ିଲା।ଏଣୁ ମାମୁଁ ମାଇଁ ମୁହଁ ନ ଖୋଲିଲେ ବି ଅସନ୍ତୁଷ୍ଟ ହେଉଥିଲେ ଏକଥା ମା ବୁଝି ଗଲା।


ମାମୁଁଘର ରାସ୍ତା କଡେ ଜମି ଖଣ୍ଡେ ଥିଲା।ଅଜା ମରିବା ଆଗରୁ ସେ ଖଣ୍ଡକ ମା ନାଁ ରେ କରି ଦେଇଥିଲେ।ମାମୁଁ ଙ୍କୁ ଦିନେ ମା କହିଲା, ମିଟୁ ତୋ ସଂସାର ବଢ଼ିଲାଣି।ଦୁଇ ତିନି ବଖୁରା ଘରେ ମୋ ପିଲା ତୋ ପିଲା ଚଳିବା କଷ୍ଟ । ତୁ ଗୋଟେ କାମ କର।ବାପା ମୋ ନାଁ ରେ ଯେଉଁ ଜମି ଖଣ୍ଡକ କରିଥିଲେ, ସେଥିରୁ ଅଧେ ତୁ ନେ ଆଉ ଅଧକରେ ମୋ ପିଲାଙ୍କ ପାଇଁ ଖଣ୍ଡେ ଘର କରି ଦେ।ତୋ ଦୁଃଖରେ ତୁ ମୋ ଦୁଃଖରେ ମୁଁ ରହିବି।


ଖାଲି ଘର କରିଦେଲେ ଚଳିବ କେମିତି? ଖାଇବ କଣ? 


ତୁ ଆଗ ଘର ଖଣ୍ଡେ ତ କରିଦେ।ତେଣିକି ଚିନ୍ତା କରିବି କଣ କରିବି।


ଦଶ ଗୁଣ୍ଠ ଜମିରୁ ମାମୁଁ ପାଞ୍ଚ ଗୁଣ୍ଠ ନେଲେ।ଆଉ ପାଞ୍ଚ ଗୁଣ୍ଠରେ ଆମ ପାଇଁ ଅଧକରେ ଘର କରିଦେଲେ।ଆଉ ଅଧକରେ ମା ବିଭିନ୍ନ ପରିବା ଚାଷ କଲା। ଗାଈ ଦିଟା ଲୋନ୍ ରେ ଆଣିଲା ସିଲେଇ ମେସିନ ପକାଇ ରଫୁ ସିଲେଇ କରି ଆମକୁ ଖାଲି ଖୁଆଇଲା ନାହିଁ ପାଠ ଦି ଅକ୍ଷର ବି ପଢ଼ାଇଲା ।


ସବୁ ଭିତରେ ବି ମା ମୁହଁଟି ସବୁବେଳେ ଉଦାସ।ଅଣ୍ଟା ରେ ଲୁଗା ଭିଡି ସେ ଆମ ତିନୋଟି ଛୁଆଙ୍କୁ ମଣିଷ କଲା ଉଭୟ ବାପା ଓ ମା ହୋଇ।ଆମ ରାଢ ଜେଜେ ବି ମରି ଗଲେଣି।ବାପାଙ୍କ ଦ୍ଵିତୀୟ ପକ୍ଷ ସ୍ତ୍ରୀ ଜେଜେଙ୍କୁ ଗଡେଇ ମାରିଛି। ତାଙ୍କର ଦୁଇଟି ଝିଅ,ସୁଦୁ ଖରାପ ଚରିତ୍ରହିଁନ ପିଲା । ମା ଝିଅ ତିନିହେଁ ମିଶି ବାପାଙ୍କୁ ବହୁ ହଇରାଣ କରିବା ମା ଶୁଣେ ଓ କାନ୍ଦେ।


ଦିନେ ବାପାଙ୍କର ଗାଧୁଆ ଘରେ ପଡି ଗୋଡ଼ ଭାଙ୍ଗିଗଲା । ତାଙ୍କ ଦ୍ଵିତୀୟ ପକ୍ଷ ସ୍ତ୍ରୀ କି ଦୁଇ ଝିଅ କେହି ଟିକେ ସେବା ନେବା କଲେନି । ବାପା ବେଡ଼ରେ ପଡି ପଡି ଦେହ ସାରା ଘା ହୋଇଗଲା।ମୋ ଦୁଇ ଭାଇ ବାଙ୍ଗାଲୋର ରେ ଯାଇ ଚାକିରୀ କରିଛନ୍ତି।ମୁଁ ଏନ ଏ ମା ନର୍ସ ହୋଇଛି ମାମୁଁ ଘର ପଂଚାୟତ ରେ।


ବାପାଙ୍କ ହଇରାଣ କଥା ଶୁଣି ମା ଦିନେ କହିଲା, ଜ୍ୟୋତି ଲୋ ଯାହା ହେଲେ ବି ସେ ତୁମ ବାପା।ତାଙ୍କ ପାଇଁ ମୋ ଶଙ୍ଖା ସିନ୍ଦୁର। ତୁ ଯା ମା ବାପାଙ୍କୁ ଆମ ପାଖକୁ ନେଇ ଆ।ସେବା ଯତ୍ନ ପାଇଲେ ସେ ଭଲ ହୋଇଯିବେ ।


ମୁଁ ଟିକେ ମା କୁ ଚାହିଁଲି। କେତେ ଦୁଃଖ ବାପା ଦେଲେ, ତଥାପି ବାପା ପାଇଁ ମା ହୃଦୟରେ ଏବେ ବି ଭଲ ପାଇବା ଶେଷ ହୋଇ ନାହିଁ?


ଏମିତି କୋଟିଏରେ ଗୋଟିଏ ମୋ ମା।


ବାପା ଏବେ ମା ଓ ମୋ ପାଖେ।ଗୋଡ଼ ଅପେରେସନ ହେଲା ପରେ ବାପା ଆଶା ବାଡ଼ି ଧରି ଗୋଟେ ଗୋଟେ ଚାଲିଲେଣି।


ମାଆ ବାପାର ସବୁ କରେ କିନ୍ତୁ କଥା ହୁଏନି। ବିସ୍ମୟ ହୁଏ ମା ତୁ କଣ ? କେମିତି ଏତେ ଭଲ ତୁ ମା !


ବାପା ଦିନେ କହିଲେ ଜ୍ୟୋତି ତୋ ମା କୁ କହ ମୋତେ କ୍ଷମା କରିଦେଵ।ତୁ ବି ମୋତେ କ୍ଷମା କରିଦେ।ଯାହାକୁ ମାରି ଦେବି ବୋଲି ଚାହୁଁ ଥିଲି ସେଇ ତୁ । ତୋରି ଯୋଗୁଁ ଆଜି ମୁଁ ବଞ୍ଚି ପାରିଛି ।ପାରିବ ଯଦି ମୋତେ କ୍ଷମା କରିଦିଅ ଦୁହେଁ।ତୁମ ସଭିଙ୍କର ଅପରାଧୀ ମୁଁ 


ଦୀର୍ଘଶ୍ଵାସ ଟିଏ ମା ପିଞ୍ଜରା ଥରାଇ ବାହାରି ଆସିଲା।

ସେ ଲୁହ ଟଳମଳ ଆଖିରେ କହିଲା, ଫେରେଇ ଦିଅ ମୋ ଜୀବନର ଦୀର୍ଘ ବାଇଶି ବର୍ଷ ତେବେ ଯାଇ ତୁମକୁ କ୍ଷମା କରିଦେବି।


ବାପା ମା କୁ ଧରି ଭୋ ଭୋ ହୋଇ କହୁଥିଲେ,ଯେତିକି ଦିନ ବଂଛିବି କେବଳ ତୁମର ହୋଇ ବଞ୍ଚିବି ଲଗ୍ନା, ଶପଥ କରୁଛି ।


ମା ବାପା ଛାତିରେ ମୁଣ୍ଡ ଗୁଞ୍ଜି କଇଁ ଉଠେଇ କାନ୍ଦୁଥିଲା କେବଳ।


ଏଇ ଲଗ୍ନା ମୋ ମା ସତରେ ଗୋଟେ ଦେବୀ।



Rate this content
Log in

Similar oriya story from Inspirational