The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gangadhar Nanda

Abstract Drama Tragedy inspirational

3  

Gangadhar Nanda

Abstract Drama Tragedy inspirational

ମୋ ଡାଡିଙ୍କୁ ଅପେକ୍ଷା କରିଛି

ମୋ ଡାଡିଙ୍କୁ ଅପେକ୍ଷା କରିଛି

3 mins
21



        ମୋବାଇଲର ଆଲାର୍ମ ଶବ୍ଦରେ ପ୍ରଦୀପଙ୍କର ନିଦ ଭାଙ୍ଗିଗଲା । ଅଳସ ଭଙ୍ଗୀରେ ଫୋନଟା ଟାଣି ଆଣି ସମୟ ଦେଖିଲେ ; ଭୋର ଚାରିଟା ବାଜି ତିରିଶ ମିନିଟ । ତର ତର ହୋଇ ଉଠି ବସି ପତ୍ନୀ ମିତାଙ୍କୁ ଟିକେ ହଲାଇ ଦେଇ ବାଥରୁମ ଭିତରକୁ ପଶିଗଲେ । ଆଖି ଦୁଇଟା ଭୀଷଣ ପୋଡୁଛି । ଭଲକରି ଦୁଇ ଚାରି ଆଞ୍ଜୁଳା ପାଣି ଛାଟିବା ପରେ ଟିକିଏ ଆରାମ ଲାଗିଲା । ରାତି ଦୁଇଟାରେ ଶୋଇବା ପରେ ଭୋର ସାଢେ ଚାରିଟାରେ ଉଠିବା କଣ କମ କଥା ? ସେଥିରେ ପୁଣି ଦିନଯାକର ଅକ୍ଳାନ୍ତ ପରିଶ୍ରମ । ଜଣେ ଡାକ୍ତର ଭାବରେ ସାରା ଦିନ ରୋଗୀସେବା କଲାପରେ ମଧ୍ୟ ନିସ୍ତାର ନାହିଁ । ରାତିରେ ଓଭରଡ୍ୟୁଟି କରିବାକୁ ପଡୁଛି ।

       ସାରା ବିଶ୍ଵ ବର୍ତ୍ତମାନ କରୋନା ଭୟରେ ଆତଙ୍କିତ । ଭାରତରେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି । କୋଭିଡ଼_୧୯ ବିରୁଦ୍ଧରେ ଲଢେଇ ଚାଲିଛି । ଜିତିବା ଅପେକ୍ଷା ହାରିବାର ସମ୍ଭାବନା ଅଧିକ ଦେଖାଯାଉଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିରୋଧକ ଔଷଧର ଆବିଷ୍କାର ହୋଇପାରିନାହିଁ ।

     ପ୍ରଦୀପ ବାଥରୁମରୁ ବାହାରି ଆସିଲେ । ପୋଷାକ ପିନ୍ଧି ସାରିବା ପରେ ଜଳଖିଆ ଖାଇଦେଇ ମେଡିକାଲକୁ ବାହାରିଲେ । ଅଂଶୁମାନ ଚିକିଏ ଦୂରରେ ବସି ତା' ଖେଳନା ସାଙ୍ଗରେ ଖେଳୁଥିଲା । ଯିବା ପୂର୍ବରୁ ପୁଅକୁ ଟିକେ ଚାହିଁ ଦେଇ ଘରୁ ବାହାରି ଚାଲି ଗଲେ । ଅଂଶୁମାନ ସାଙ୍ଗରେ ଟିକିଏ କଥା ହେବା ପାଇଁ ସମୟ ନାହିଁ । ସଂଧ୍ୟାବେଳକୁ ଫେରିଲେ ତା'ସଙ୍ଗେ ହସଖୁସି ହେବେ । ଏବେ ରୋଗୀମାନେ ଅପେକ୍ଷା କରିଥିବେ ।. . . ଅଂଶୁମାନକୁ ଚାରିବର୍ଷ ଚାଲିଛି । ଆସନ୍ତା ମାସରେ ତା' ଜନ୍ମଦିନ । ସେତେବେଳକୁ ବୋଧହୁଏ ଲକଡାଉନ ଚାଲିଥିବ । ଅଳ୍ପକିଛି ଲୋକଙ୍କୁ ଡାକି ଜନ୍ମଦିନଟା ପାଳନ କରିବାକୁ ହେବ । ଗାଁ'ରୁ ବାପା ଓ ବୋଉ ଆସିବେ । ବହୁତ ଦିନ ହେଲା ବାପା କି ବୋଉ , କେହି ଆସି ନାହାନ୍ତି । ନାତିର ଜନ୍ମଦିନକୁ ଆସିବେ ବୋଲି କଥା ଦେଇଛନ୍ତି । ପ୍ରଦୀପ ବାପା ମା'ଙ୍କର ଏକମାତ୍ର ସନ୍ତାନ । ବାପା ପରିବା ଦୋକାନ କରିଥିଲେ । ବିଲବାଡି ବେଶି କିଛି ନଥିଲା । ଯାହା ଗୁଣ୍ଠେ ଦେଢ ଗୁଣ୍ଠ ଥିଲା , ବାପା ସେ ସବୁ ବିକା ବିକି କରି ପ୍ରଦୀପଙ୍କର ଡାକ୍ତରୀ ପାଠ ପଢ଼ାରେ ଖର୍ଚ୍ଚ କରିଦେଇଥିଲେ । ଉଦ୍ଦେଶ୍ୟ ଥିଲା ପୁଅ ମଣିଷ ହୋଇଗଲେ , ପୁଣି ବିଲବାଡି କିଣା ହେବ । 

         ପ୍ରଦୀପ ଚାକିରୀ କରିବା ପରେ କରଜ ଯାହାଥିଲା ସବୁ ଶୁଝା ସରିଥିଲା । ଗାଁ'ରେ ବାପା ଓ ବୋଉ ଚଳିବା ଲାଗି ଚାଳଘର ଭଙ୍ଗା ହୋଇ ଦିବଖରା ଛାତଘର ତୋଳା ସରିଛି । ବାପା ଆଉ ପରିବା ବିକୁନାହାଁନ୍ତି । ପ୍ରଦୀପ ନିୟମିତ ଟଙ୍କା ପଠାନ୍ତି । ବୁଢାବୁଢୀଙ୍କର ଚଳିବାରେ କିଛି ଅସୁବିଧା ହୁଏନି । ଦି'ଟା ପେଟ ପାଇଁ କେତେ ଏମିତି ଖର୍ଚ୍ଚ ହୋଇଯିବ କି ? 

     ଡ୍ୟୁଟି ଆରମ୍ଭ ହୋଇସାରିଥିଲା । ଚେକଅପ କରିବା ଓ ମେଡିସିନ ଲେଖିବା କାମ ଧାରାବାହିକ ଭାବେ ଚାଲିଲା । ପୂର୍ବଦିନ ଅପେକ୍ଷା ଆଜି ଅଧିକ ପଜିଟିଭ ବାହାରୁଛନ୍ତି । . . . ନିଜ ଦେହ ବି ଭଲ ଲାଗୁନି । ଏତେ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ହୁଏତ ଇନ୍ଫେକ୍ସନ ହୋଇଥାଇପାରେ । ପ୍ରଦୀପ ନିଜର ଟେଷ୍ଟ କରାଇଲେ । ରିପୋର୍ଟ ଆସିଗଲା । ଟେଷ୍ଟ ପଜିଟିଭ ବାହାରିଲା । 

     ପ୍ରଦୀପ ଏବେ ଟ୍ରିଟମେଣ୍ଟରେ ଅଛନ୍ତି । ପତ୍ନୀ ମିତା ଓ ପୁଅ ଅଂଶୁମାନକୁ କ୍ଵାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଗଲା । ପ୍ରତିଦିନ ସଂଧ୍ୟାବେଳେ ଅଂଶୁମାନ ବାହାରକୁ ଆସି ବାରଣ୍ଡାରେ ଠିଆ ହୋଇ ରହୁଛି । କାହାର ଆସିବା ବାଟକୁ ଚାହିଁ ରହୁଛି । ମିତା ବୁଝିପାରୁଛନ୍ତି କି ଅଂଶୁମାନ ତା' ଡାଡିଙ୍କ ଫେରିବାକୁ ଅପେକ୍ଷା କରୁଛି । ' ଡାଡ଼ି କାଲି ଆସିବେ ', ଏହି ପ୍ରତିଶୁତି ଦେଇ ମିତା ଅଂଶୁମାନକୁ ନେଇ ଭିତରକୁ ଯା'ନ୍ତି । *****

      ପ୍ରଦୀପ ଆଉ ଘରକୁ ଫେରି ପାରିଲେନି । ' କରୋନା ସାଙ୍ଗରେ ଲଢିବା ଭିତରେ କରୋନା ଯୋଦ୍ଧାଙ୍କର ମୃତ୍ୟୁ ' ଶୀର୍ଷକ ଖବର ଭିତରେ ପ୍ରଦୀପଙ୍କର ଛୋଟିଆ ସଂସାରଟିର ସର୍ବନାଶ ହୋଇଗଲା । ସରକାରଙ୍କ ତତ୍ତ୍ଵାବଧାନରେ ଦାହ ସଂସ୍କାର ଇତ୍ୟାଦି ହୋଇଗଲା ।---

    କ୍ଵାରେଣ୍ଟାଇନରୁ ଫେରି ମିତା ଏବେ କ୍ଵାଟରରେ ଅଛନ୍ତି । ସରକାରୀ କ୍ଵାଟର ଛାଡ଼ିବା ପାଇଁ ପ୍ରସ୍ତୁତି ଚାଲିଛି । ସେଦିନ ସଂଧ୍ୟାବେଳେ ଅଟୋରିକ୍ସାଟିଏ ଆସି ଡାକ୍ତରଖାନା ଗେଟ ପାଖରେ ଠିଆ ହେଲା । ବୁଢା ବୁଢୀ ଦୁଇ ଜଣ ଅଟୋରୁ ଓହ୍ଲାଇ ପ୍ରଦୀପଙ୍କ କ୍ଵାଟର ଆଡକୁ ଚାଲି ଚାଲି ଗଲେ । ପୁଅ ଚାଲିଗଲା ପରେ ବୋହୁ ଓ ନାତିକୁ ଗାଁ'କୁ ନେଇଯିବା ଲାଗି ବାପା ବୋଉ ଗାଁ'ରୁ ଆସିଛନ୍ତି । ବାରଣ୍ଡାରେ ଠିଆ ହୋଇ ଅଂଶୁମାନ ଉତ୍ସୁକ ଆଖିରେ ଏମାନଙ୍କୁ ଦେଖୁଛି । ବୁଢୀ ଦୌଡି ଆସି ନାତିକୁ କୋଳକୁ ନେଇ ତା' ମୁଣ୍ଡ ଆଉଁସି ପକେଇଲେ । ' ଏଠି ଏକୁଟିଆ କାଇଁ ଠିଆ ହୋଇଛୁ କି ଧନ ' ? ଅଂଶୁମାନର କପାଳ ଉପରୁ ଅଡୁଆ ବାଳ ଦି କେରା କାନ ପାଖକୁ ଆଡେଇ ଦଉ ଦଉ ବୁଢୀ ପଚାରିଲେ ।

" ମୋ ଡାଡିଙ୍କୁ ଅପେକ୍ଷା କରିଛି " । ଅଂଶୁମାନ ଉତ୍ତର ଦେଲା । 


    


Rate this content
Log in

Similar oriya story from Abstract