STORYMIRROR

Subhalaxmi Nayak

Inspirational

4  

Subhalaxmi Nayak

Inspirational

ମୋ ବଗିଚା

ମୋ ବଗିଚା

4 mins
314

ନୂଆ ନୂଆ ଫୁଲ ଗଛ ଲଗାଇବାରେ ଯେଉଁ ପରମ ତୃପ୍ତି ଆଉ ସେଇ ଗଛରେ ଯେତେବେଳେ ଭରପୂର ଫୁଲ ଫୁଟିଥାଏ, ସେ ଦୃଶ୍ୟ ଦେଖି ଦେଲେ ମୋ ପେଟ ପୁରି ଯାଏ। ଆତ୍ମା ଶାନ୍ତି କରି ବସି ସୁଖଦୁଃଖ ହୁଏ ମୁଁ ସେଇ ଫୁଲେଇ ଫୁଲ ମାନଙ୍କ ସହିତ। ସତେ ଯେମିତି ସବୁ ବୁଝି ପକାନ୍ତି ମୋ କଥା ଶୁଣି, ଖାଲି ଖିଲି ଖିଲି ହସି ଦିଅନ୍ତି। ମୁଁ ବି ହସି ଦିଏ।


ଥରେ ନୂଆ ଗଛ କିଣିବାକୁ ଯାଇଥାଏ। ନର୍ସରୀ ଭିତରେ ଗୋଟିଏ କୋଣରେ ଛୋଟିଆ କୁଣ୍ଡ ଭିତରେ ମାଟି ଖୁସା ହୋଇ ଥୁଆ ହୋଇ ଥିବାର ଦେଖିଲି। ନର୍ସରୀରେ କାମ କରୁଥିବା ଲୋକଟି ମୋତେ ଭଲ ଭାବରେ ଚିହ୍ନି ସାରିଥିଲା।ସେ ଜାଣିଛି ଦିଦି ଆସିବେ ମାନେ ଆଗ ନୂଆ ଗଛ କ'ଣ ଅଛି ଦେଖାଇବାକୁ କହିବେ। ମୁଁ କିଛି ପଚାରିବା ଆଗରୁ ସେ କୁଣ୍ଡ ବିଷୟରେ, ସିଏ ତା ମନକୁ ମନ ନିଜ ଆଡ଼ୁ କହିବା ଆରମ୍ଭ କଲା, ଯେମିତି ମୋ ମନରେ ଥିବା ପ୍ରଶ୍ନଟି ମୋ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା। ସେ କହିଲା, "ବୁଝିଲେ ଦିଦି! ଏ ବର୍ଷ ବି କରୋନା କଟକଣା ଯୋଗୁଁ ଅନେକ ଗଛ କଲିକତାରୁ ଆସି ପାରିଲାନି। ମୁଁ ଏଥର ପୁରୁଣା ଗଛକୁ କାଟି ନୂଆ ଚାରା ନିଜ ହାତରେ ରୋପଣ କରି ଯତ୍ନ ନେଉଛି।ଦେଖା ଯାଉ କ'ଣ ହେଉଛି। ହଁ, ଆପଣଙ୍କ ପାଇଁ ଗୋଟିଏ ନୂଆ ଗଛଟିଏ ରଖିଛି, ମାନେ ଗୋଟିଏ କୁଣ୍ଡରେ ମଞ୍ଜି ବୁଣି ସେଇ କୋଣରେ ରଖି ଦେଇଛି। ଯେମିତି ସେଥିରେ ବେଶୀ ଖରା ବାଜିବନି, ଶୀଘ୍ର ଶୀଘ୍ର ଛୋଟ ଛୋଟ ଗଛ ଉଠି ଯିବ। ତାପରେ ଆପଣ ନେଇ ଯିବେ।"


ମୁଁ ଏମିତି ଗଛ ଲୋଭୀ ଯେ, ନୂଆ ଫୁଲ ଗଛ ଶୁଣିବା ମାତ୍ରେ ଆଉ କି ଛାଡ଼େ। କାଳେ ଆଉ କିଏ ନେଇଯିବେ ଗଛ ହେଲା ମାତ୍ରକେ, ମନରେ ଚିନ୍ତା କରି ତାକୁ କହିଲି,"ନା ନା ଭାଇ ମୁଁ ଆସିଛି ତ ନେଇ ଯିବି ସାଙ୍ଗରେ ଘରକୁ।ଖାଲି ମୋତେ ଏତିକି କହି ଦିଅ, ଯତ୍ନ କେମିତି ନିଆ ଯିବ ଏଇ ପ୍ରକାରର ଗଛର ଆଉ ଫୁଲ କେମିତିଆ କ'ଣ ସବୁ ବୁଝେଇ ଦିଅ।" ସେ ଲୋକ ମୋତେ ଫୁଲ ଗଛଟି ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନା କରି ଉଚିତ୍ ଅର୍ଥ ରଖି ଦେବାକୁ ବାଧ୍ୟ ହେଲା, କାଇଁ ନା ସିଏ ବି ଜାଣିଛି ମୁଁ ତ ନଛୋଡ଼ବନ୍ଧା ମଣିଷ। କହି ଦେଇଛି ସବୁ ବୁଝି ଠିକ୍ ଠିକ୍ ଯତ୍ନରେ ରଖିବି ମାନେ ଆଉ ଖାଲି ହାତରେ ଫେରିବି ନାହିଁ।


କିଣାକିଣି ପର୍ବ ସରିଲା। ମୋର ତ ଖୁସି କହିଲେ ନ ସରେ। ଏତେ ଦିନ ପରେ ଗୋଟିଏ ଖାଲି ମଞ୍ଜି ବୁଣା ହୋଇଥିବା କୁଣ୍ଡ ନେଇକି ଯାଉଛି, ମନରେ ଯେ କେତେ କ'ଣ ଚାଲିଥାଏ ମୋର। ଗୋଟିଏ କ୍ୟାମେରା ଲାଗିବ ସେଇ କୁଣ୍ଡ ପାଖରେ, ଭିଡ଼ିଓ ହେବ, କେମିତି ମଞ୍ଜିରୁ ଚାରା, ଚାରା ରୁ ଗଛ, ଗଛରେ ଫୁଲ ଫୁଟିବାର ସବୁ କିଛି ସେଇ କ୍ୟାମେରାରେ ଭିଡ଼ିଓ ମାଧ୍ୟମରେ କଏଦ ହୋଇ ରହିବ। ସବୁ ବ୍ୟବସ୍ଥା ହୋଇଗଲା। ଏଥର କିନ୍ତୁ ସମୟ ଅଧିକ ଲାଗିବ ବୋଲି ମୋତେ ଆଗରୁ ସେ ନର୍ସରୀ ଲୋକ କହିଥାନ୍ତି। ତେଣୁ ସେ ଯେମିତି ବତେଇଥିଲେ, ମୁଁ ଠିକ୍ ସେଇମିତି ଯତ୍ନରେ ରଖିଥାଏ କୁଣ୍ଡଟିକୁ। କିଛି ଦିନ ଅତିକ୍ରାନ୍ତେ ଛୋଟିଆ ଛୋଟିଆ ଗଛ ଅଙ୍କୁରିତ ହୋଇଥିବାର ଦେଖିଲି। ଏକାବେଳେ ପଚାଶଟି ପାଖାପାଖି। ସେ ଲୋକ କହିଥିଲା, ଟିକିଏ ଟିକିଏ ବଡ଼ ହୋଇଗଲା ମାତ୍ରେ ମାନେ ପାଞ୍ଚ ଛଅ ପତ୍ର ବାହାରିବା ମାତ୍ରେ ସବୁ ଗଛକୁ ଅଲଗା ଅଲଗା କରି ଦେବେ। ମୁଁ ବି ସେଇ ଅନୁସାରେ ପାଖାପାଖି ଦଶଟି ବଡ଼ ବଡ଼ କୁଣ୍ଡ କିଣି ଆଣିଥିଲି। ଆଉ ଗଛ ସବୁ ଟିକିଏ ଟିକିଏ ବଡ଼ ହେଉ ହେଉ ଗୋଟିଏ ଗୋଟିଏ କୁଣ୍ଡରେ ପାଞ୍ଚ ପାଞ୍ଚଟି ଲେଖାଏଁ ଅଲଗା ଅଲଗା କରି ଲଗାଇ ଦେଲି। ଏବେ ଅପେକ୍ଷା କଢ଼ି ଆସିବାକୁ, କାରଣ ସେ ଲୋକ କହିବା ଅନୁସାରେ ଏଇଟି ତୃତୀୟ ସୋପାନ ଥିଲା ଯାହା ଅତ୍ୟନ୍ତ ଯତ୍ନ ସହକାରେ ସୁଚାରୁ ରୂପେ ସମ୍ପାଦନା ଶେଷ ହୋଇଗଲା।


ରୀତିମତ ଭାବରେ ଦେଖାଶୁଣା ଚାଲିଥାଏ ଆଉ ମୋର ପୁରୁଣା ଅଭ୍ୟାସ ଭଲ ଭଲ କଥା ସେଇ ସବୁ କୁଣ୍ଡ ପାଖରେ ବସି ଗଛ ମାନଙ୍କ ସହିତ ଗପ ଚାଲିଥାଏ। ଚାରି ପାଞ୍ଚ ଦିନ ପରେ ଦେଖିଲା ବେଳକୁ ଗୋଟିଏ ନୁହେଁ, ଏକାବେଳେ ପାଞ୍ଚଟି କୁଣ୍ଡରୁ ଗଛ ସବୁକୁ ଗୁଣ୍ଡୁଚିମୂଷା ଓଟାରି ଖିନଭିନ୍ କରି ଦେଇଛି। ମୋ ଆଖିରେ ଲୁହ ଆସିଗଲା ଦେଖିକି। ଯେହେତୁ କ୍ୟାମେରା ଲାଗିଛି, ସନ୍ଦେହ ସାଙ୍ଗେ ସାଙ୍ଗେ ଉନ୍ମୋଚିତ ହୋଇଗଲା ଯେ ଗୁଣ୍ଡୁଚିମୂଷା ଦୁଇଟି ଝଗଡ଼ା ଲାଗି ଏଇଭଳି କାଣ୍ଡ ଭିଆଇଛନ୍ତି। ମନରେ ବିଷାଦର ଛାୟା। ଏବେ ବାକି ଛଅଟି କୁଣ୍ଡକୁ ହେପାଜତରେ ରଖିବାକୁ ପଡ଼ିବ କାହିଁକି ନା, କଢ଼ି ଆସିଗଲାଣି ପ୍ରାୟ ସବୁ ଗଛରେ। ଛୋଟ ଛୋଟ ଗୋଲାକାର ଆକୃତିର ମିଶା ମିଶି ରଙ୍ଗର ଦେଖା ଯାଉଛି। ନର୍ସରୀ ଲୋକ ଜଣକ ଗଛର ଯତ୍ନ ବିଷୟରେ ଖାଲି କହିଥିଲେ, ଫୁଲର ନାଁ କହିଲେ ନାହିଁ। ମୁଁ ବି ପଚାରିଲି ନାହିଁ।ମୋ ମନରେ ବି ଆସିଲା, ଆଗରୁ ସବୁ ଜିନିଷ ଜାଣିଗଲେ, ଫୁଲକୁ ଦେଖି ଖୁସି ହେବାର ସେ ମଜା ରହିବନି। ଦୁଇ ଦିନ ପରେ ଯାଇ ଦେଖିଲା ବେଳକୁ ଛୋଟ ଛୋଟ ତାରା ପରି ଫୁଲ ଫୁଟିଛି। ହଳଦୀ, କମଳା, ଧଳା, ନାଲି, ଗୋଲାପୀ ଆଉ ଗୋଟିଏ ନୀଳ ଧଳା ମିଶା ଛାପଛାପ ପଡ଼ିଥିବା ଫୁଲ ଫୁଟିଛନ୍ତି। ଛୋଟ ଛୋଟ ହୋଇଥିବାରୁ ଏକାବେଳେ ଏତେ ସାରା ମିଶି କରି ଫୁଟିଛନ୍ତି ଯେ, ଅଲଗା ଅଲଗା ରଙ୍ଗର ପୁଣି, ଦେଖି ଦେଇ ମୋ ମନ କୁଣ୍ଢେମୋଟ।କି ସୁନ୍ଦର ଦେଖାଯାଉଥାଏ ଛାତର ସେଇ କୋଣଟି ଭାଷାରେ ପରିପ୍ରକାଶ କରିବା ଅସମ୍ଭବ। ସତେ ଯେମିତି ଟିକି ଟିକି ତାରା ଖସି ସେଇ ଫୁଲ ଗଛରେ ଲାଖି ରହିଛନ୍ତି। ଖାଲି କୁଣ୍ଡରୁ ଫୁଲଗଛ ଆଉ ତାପରେ ରଙ୍ଗ ବେରଙ୍ଗର ଫୁଲ ଭର୍ତ୍ତି କୁଣ୍ଡ ଦେଖି ମୁଁ ଭୋକ ଶୋଷ ସବୁ ଭୁଲି ସାରିଥାଏ। ତାଙ୍କର ନାମକରଣ ବି ମୋ ଖୁସିରେ ମୁଁ କରି ପକେଇଲି "ତାରା ଫୁଲ".... ଆଉ ପଚାରି ଦେଲି ସେଇ ଗଛମାନଙ୍କୁ, ତାଙ୍କର କିଛି ଆପତ୍ତି ନାହିଁ ତ ଏଇ ନାଁ ରେ?


ବସନ୍ତ ମଳୟର ସୁଲୁସୁଲୁ ବାଆରେ ଗଛଗୁଡ଼ିକ ଝୁଲି ଝୁଲି ମୋ କଥାରେ ସମ୍ମତି ଦେଲା ଭଳି ଲାଗୁଥିଲା।ମନରେ ଗୋଟିଏ କଥା ଆସିଲା, ସତରେ ଯେତେବେଳେ ଆଶାର ରଙ୍ଗ ଯଦି ସବୁ ମଣିଷଙ୍କ ପାଇଁ ଛୋଟ ଛୋଟ ଖୁସି ଆଉ ପ୍ରକୃତି ସହିତ ଜଡ଼ିତ ହୋଇ ରୁହନ୍ତା, ତେବେ କେତେ ସୁନ୍ଦର ଦିଶନ୍ତା ଏଇ ଦୁନିଆ ଆମର! ସେଇ ଛୋଟ ଛୋଟ ତାରା ଫୁଲଙ୍କ ପରିକା ସମସ୍ତଙ୍କ ମୁହଁରେ ହସ ଫୁଟି ଉଠନ୍ତା। ଭୟଙ୍କର ପ୍ରାକୃତିକ ବିପତ୍ତି ସବୁ ଆମ ପାଖକୁ ଆସିବାକୁ ଡ଼ରନ୍ତେ। ମୋତେ ତ ମୋର ଆଶାର ରଙ୍ଗ ଇନ୍ଦ୍ରଧନୁର ରଙ୍ଗ ଠାରୁ ମଧ୍ୟ ନିଆରା ଲାଗୁଥିଲା, କାରଣ ଟିକେ ଡ଼ର, ଟିକେ ଆଶଙ୍କା ଆଉ ବହୁତ ସାରା ଯତ୍ନ ପରେ ହିଁ ଆମ ଘର ଛାତରେ ଫୁଟି ଉଠିଥିଲା ଏବଂ ବଗିଚାଟିଏ ଗଢ଼ି ଉଠିଥିଲା।


Rate this content
Log in

Similar oriya story from Inspirational