STORYMIRROR

Minakshi Samal

Drama

3  

Minakshi Samal

Drama

ମନର ଇଛା

ମନର ଇଛା

2 mins
423

କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ବରେ ବ୍ୟାପିଛି।ସମସ୍ତେ ଲକଡାଉନ ଯୋଗୁଁ ସଙ୍ଗରୋଧ କରି ଗୃହବନ୍ଦୀ ଭାବେ ଜୀବନ କଟଉଛନ୍ତି।ତୃତୀୟ ଥର ପାଇଁ ଲକଡାଉନର ଅବଧି ବଢାଇ ଦିଆ ହେଲା।ଯେଉଁଦିନ ଏକଥା ଶୁଣିବାକୁ ପାଇଲା ମନଟା ମଉଳିଗଲା ସୀମାର।


ମନେମନେ କେତେ ଯୋଜନା କରିଥିଲା ସେ।ଆଠ ନ' ମାସ ହୋଇଗଲାଣି ତା'ର ବଦଳି ହୋଇ ପୁରୀ ଆସିବାର।ସାଙ୍ଗମାନେ ତା'ର ବଦଳି ଖବର ପାଇ ଖୁବ ଖୁସି।ଫୋନ ପରେ ଫୋନ କରି ତା'ର ଭଲମନ୍ଦ ପଚାରି ବୁଝୁଥିଲେ ସେମାନେ।କେବେକେବେ ସେ ଅତିଷ୍ଠ ହୋଇଉଠୁଥିଲା ଫୋନ ଉଠାଇ ଉଠାଇ।ମେଟ୍ରୋ ସିଟିରୁ ବଦଳି ହୋଇ ଛୋଟ ସହର ପୁରୀରେ ପିଲାଙ୍କର ମନ ଲାଗୁନଥିଲା।ପୁଅର ପରୀକ୍ଷା ମାର୍ଚ୍ଚ ମାସ ୧୮ ତାରିଖରେ ଶେଷ ହେବା ପର୍ଯ୍ୟନ୍ତ ନିଜକୁ ଖୁବ ନିୟନ୍ତ୍ରଣରେ ରଖିଥିଲା ସୀମା।କୌଣସି ବନ୍ଧୁମିଳନ ଅଥବା ସାଙ୍ଗମାନଙ୍କ ସଙ୍ଗେ ଦେଖା କରିବାର ଇଛାକୁ ସମ୍ପୂର୍ଣ୍ଣ ଭାବେ ଦମନ କରି ରଖିଥିଲା ସେ।


ମାର୍ଚ୍ଚ ମାସ ଆରମ୍ଭ ବେଳକୁ ଓଡ଼ିଶାରେ କୋଭିଡ ୧୯ ବିଷୟରେ ଚର୍ଚ୍ଚା ବ୍ୟାପକ ହେବାକୁ ଆରମ୍ଭ ହୋଇ ଯାଇଥିଲା।ସମସ୍ତ ସମ୍ବାଦପତ୍ର ଓ ନିଉଜ ଚ୍ୟାନେଲ ଗୁଡିକ ଉହାନ ରେ ବ୍ୟାପିଥିବା କରୋନା ଭୂତାଣୁର ବିଭୀଷିକା ବିଷୟରେ ବିସ୍ତୃତ ବିବରଣୀ ଦେଉଥିଲେ। ସମସ୍ତଙ୍କ ମନରେ ଭୟ ବସା ବାନ୍ଧିବାକୁ ଆରମ୍ଭ କରିସାରିଥାଏ।ଅଭିଭାବକ ମାନେ ପ୍ରମାଦ ଗଣୁଥାନ୍ତି କେମିତି ଭଲରେ ଭଲରେ ବୋର୍ଡପରୀକ୍ଷା ଶେଷ ହେଇଯାଉ ବୋଲି।ମୁଖ୍ୟ ପାଞ୍ଚଟି ବିଷୟ ମାର୍ଚ୍ଚ ୧୮ ତାରିଖରେ ଶେଷ ହେଲା।ଗୋଟିଏ ଦିନ ହେଇଛି କି ନାହିଁ ଚାରିଆଡେ ସରକାରୀ ଗାଡିଗୁଡିକ ସମସ୍ତଙ୍କୁ ଘରଭିତରେ ରହିବାକୁ ଓ ବାହାରକୁ ନବାହାରିବାକୁ ଘନଘନ ଘୋଷଣା କରିବାକୁ ଲାଗିଲେ।ସତେ ଯେମିତି ସବୁଆଡେ କୋକୁଆଭୟ ସୃଷ୍ଟିହୋଇଗଲା।


୨୦ତାରିଖରେ ସୀମାର ଅଫିସର ନୋଟିସ ଅନୁସାରେ ସମସ୍ତ ଶିକ୍ଷକ/ଶିକ୍ଷିକାଙ୍କୁ ବିଦ୍ୟାଳୟ ନଆସି ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା।ସର୍ବଦା ମୋବାଇଲ ଡାଟା ଅନ୍ ରଖି କାର୍ଯ୍ୟାଳୟରୁ ଆସୁଥିବା ସମସ୍ତ ନିର୍ଦ୍ଦେଶକୁ ମାନି କାର୍ଯ୍ୟ କରିବାର ଆଦେଶ ଥିଲା।ଜୀବନରେ ଏହା ଏକ ଅଦ୍ଭୁତ ଅନୁଭବ ଥିଲା।


ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇଯିବା ଯୋଗୁଁ ଝିଅ ଆଇଜର୍ ବରହମପୁରରୁ ଆସିଯାଇଥାଏ।ସ୍ବାମୀ ମଧ୍ଯ ହଳଦିଆରୁ ଆସିଯାଇଥାନ୍ତି।ଏହାମଧ୍ୟ ଆଉ ଏକ ଅନନ୍ୟ ଅନୁଭବ।ଦୀର୍ଘଦିନ ପରେ ଚାରିଜଣ ଏକାଠି ରହିବା ଭଗବାନଙ୍କ ପରୋକ୍ଷ ଆଶୀର୍ବାଦ ଭଳି ମନେ ହେଉଥିଲା।କରୋନାର ଅନେକ ନକାରାତ୍ମକ ଦିଗ ଥିଲେ ମଧ୍ୟ ଏହାର ଅନେକ କିଛି ସକାରାତ୍ମକ ଦିଗ ଆମ ସମସ୍ତଙ୍କୁ ଗୋଚର ଅଛି।

ସମସ୍ତଙ୍କ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଏଥର ସୀମା ସାଙ୍ଗମାନଙ୍କୁ ଦେଖା କରିବାକୁ ମନ ବଳେଇଲା।କିନ୍ତୁ ଯିବ କେମିତି ଏଇଟା ଥିଲା ବଡ ସମସ୍ୟା।ଶେଷରେ ତୃତୀୟ ଥର ପାଇଁ ଲକଡାଉନ ର ଅବଧି ମେ' ସତର ପର୍ଯ୍ୟନ୍ତ ବଢିବା ପରେ ଓ ପୁରୀକୁ ଗ୍ରୀନ ଜୋନ ଘୋଷଣା କରାଯିବା ପରେ ସେ ସୁରକ୍ଷାର ସମସ୍ତ ଦାୟିତ୍ୱ ନେଇ ଓ ମାସ୍କ ପିନ୍ଧି ମଝି ମଝିରେ ଜଣେ ଜଣେ ସାଙ୍ଗଙ୍କୁ ଦେଖା କରିବାର ନିଷ୍ପତ୍ତି ନେଲା। 


ଲକଡାଉନରେ ଘରେ ଥିବା ସମୟରେ ସମସ୍ତଙ୍କ ସହିତ ମିଶି ନିଜ ଘରେ ତିଆରି କରିଥିବା ମାସ୍କ ଗୁଡିକ ନେଇ ଘରପାଖରେ ଥିବା ଅନାଥ ଆଶ୍ରମ ଆଡକୁ ମୁହାଁଇଲା ସେ।ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଉଦ୍ଦେଶ୍ୟରେ।ଗୋଟିଏ ସମାଜସେବା ଓ ଅନ୍ୟଟି ଅନାଥାଶ୍ରମର ପରିଚାଳିକା ତଥା ନିଜର ବାଲ୍ୟକାଳର ବାନ୍ଧବୀ ସୁଲୋଚନା ସହ ସାକ୍ଷାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama