ମଣିଷର ଭିତର ବାହାର
ମଣିଷର ଭିତର ବାହାର


ସକାଳୁଆ ଫ୍ଲାଇଟ୍। ବାଙ୍ଗାଲୋର ର ହ୍ଵାଇଟଫିଲ୍ଡ୍ ରୁ ଏୟାରପୋର୍ଟର ଦୂରତା ପାଖାପାଖି ୪୦ କିଲୋମିଟର। ଟାକ୍ସିରେ ଘଣ୍ଟେ ଲାଗେ। ଭୋର ଭୋର ଫ୍ଲାଇଟ୍ ଥାଏ। ଏଆରପୋର୍ଟରେ ଲାଉଞ୍ଜ ସୁବିଧା ଅଛି। ପିଲାମାନଙ୍କୁ ଅକାରଣରେ ହଇରାଣ ନ କରି ବାହାରି ଆସିଲି ସଅଳ ସଅଳ। ରାସ୍ତା ଖାଲି ଥିଲା। ଏୟାରପୋର୍ଟ ପହଞ୍ଚି ଗଲି। ବେଶ କିଛି ସମୟ ହାତରେ ଥାଏ। ପ୍ଲାଜା ଲାଉଞ୍ଜ ରେ କଣ ଟିକିଏ ମୁହଁରେ ଦେଇ ମୋବାଇଲରେ ସକାଳ ସକାଳ ଗୁଡ୍ ମର୍ଣ୍ଣିଙ୍ଗ୍ ମେସେଜ୍ ସବୁ ପଢି ରୁଟିନ୍ ହିସାବରେ ଉତ୍ତର ଦେଇ ସାରିଲା ବେଳକୁ ଫ୍ଲାଇଟ୍ ରେ ବୋର୍ଡିଙ୍ଗ୍ ପାଇଁ ଆନାଉନ୍ସମେଣ୍ଟ୍ ହେଲା। ଅଗତ୍ୟା ଲାଇନରେ ଛିଡା ହୋଇ ବୋର୍ଡିଙ୍ଗ୍ ପାଇଁ ଅପେକ୍ଷା କରିବାକୁ ପଡ଼ିଲା।
ଫ୍ଲାଇଟ୍ ଟି ଭାଇଜାଗ୍ ହୋଇ ଭୁବନେଶ୍ୱର ଆସିବାର ଥିଲା। ମୁଁ ମୋର ହାଣ୍ଡ ବ୍ୟାଗେଜଟିକୁ ନେଇ ଓଵରହେଡ୍ ଲଗେଜ୍ ସ୍ପେଶ୍ ରେ ଜାକିଟାଣି ଭରି ଝରକା ପାଖ ସିଟରେ ବସି ପଡ଼ି ମୁହଁରୁ ଝାଳ ପୋଛି ହେଉଛି, ଦୁଇ ଜଣ ବେଶ ହୃଷ୍ଟ ପୃଷ୍ଟ ଯୁବକ ମୋ ଆଡ଼କୁ ମାଡ଼ି ଆସିଲେ। ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ବା ଓଜନ କୋଉ ଦିଗରୁ ବି ଭଗବାନ ତାଙ୍କ ଉପରେ କାର୍ପଣ୍ୟ କରିନାହାଁନ୍ତି। ମୋତେ ମୋ ସ୍ଥାନ ଛାଡି ତିନି ଚାରି ଧାଡ଼ି ଆଗରେ ଥିବା ଗୋଟିଏ ମଝିକିଆ ସିଟ୍ କୁ ଉଠିଯିବା ପାଇଁ ଅନୁରୋଧ କଲେ ସେମାନେ। ସାଙ୍ଗରେ ଆସିଛନ୍ତି, ଆଉ ସାଙ୍ଗରେ ଫ୍ଲାଇଟ୍ ର ମଜା ନେବାପାଇଁ ଇଚ୍ଛୁକ ବୋଲି ଜଣେଇଦେଲେ ସେମାନେ। ମୋ ପାଇଁ କିନ୍ତୁ ଉଇଣ୍ଡୋ ସିଟ୍ ଟି ଅନେକ ଆଗରୁ ମୋ ପୁଅ ଓ୍ଵେଵ୍ ଚେକ-ଇନ୍ ସମୟରେ ବୁକ୍ କରି ଦେଇଥାଏ। ତଥାପିଆଗରୁ ଆହୁରି ଅନେକ ସମୟରେ ମୋତେ ମୋ ସିଟ୍ ପରିତ୍ୟାଗ କରିବାକୁ ପଡ଼ିଥାଏ। କୌଣସି ରୋଗୀ, ବୃଦ୍ଧ ବ୍ୟକ୍ତି, ଛୋଟ ପିଲା, ମହିଳା ବା ଦମ୍ପତି , ଏମାନଙ୍କ ସୁବିଧା ପାଇଁ ମୁଁ ସ୍ଵେଚ୍ଛାରେ ଅନେକ ଥର ସ୍ଥାନ ପରିବର୍ତ୍ତନ କରିଛି ଏବଂ ଆଗକୁ କରିବି ମଧ୍ୟ। ଯଦିଓ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ ଯେ ସେମାନେ ଏତେ ଲୋକଙ୍କ ଭିଡ଼ ଭିତରୁ ମୋତେ ଇ କେମିତି ଖୋଜି ବାହାର କରିଥାନ୍ତି ତାଙ୍କର ସେବା କରିବାର ସୁଯୋଗ ଦେବା ପାଇଁ!
ସେ ଯାହା ହେଉ ଏମାନେ ଉପରୋକ୍ତ କୌଣସି ଶ୍ରେଣୀ ଭୁକ୍ତ ହେବାର ଯୋଗ୍ୟ ନୁହନ୍ତି ଓ ମୁଁ ମୋ ସିଟରେ ବସି ଆନ୍ତର୍ଜାତିକ ଖ୍ୟାତିସମ୍ପର୍ଣ୍ଣ ଶିବ୍ ଖେଡା ରଚିତ, " You Can Win"(ତୁମେ ବି ଜିତିପାରିବ) ବହିଟିର ପଚ୍ଛଦପଟ ରେ ଦୃଷ୍ଟି ନିବଦ୍ଧ କରିବା ଆରମ୍ଭ କରିବା ପରେ ଯୁବ ଯୁଗଳ ଙ୍କ ଅନୁରୋଧ ମୋ ପାଇଁ ବିଶେଷ ମୂଲ୍ୟ ବହନ କରୁ ନଥିଲା। ତାଛଡା ଓଵରହେଡ୍ ଲଗେଜ୍ ସ୍ପେଶ୍ ରେ ବ୍ୟାଙ୍କ ତରଫରୁ ପ୍ରଦତ୍ତ କିଛି ଉପଢୌକନ ବାହାରକୁ ବାହାରି ଆସିବା ପାଇଁ ଅନବରତ ପ୍ରଚେଷ୍ଟା କରୁଥିବାରୁ ସେମାନଙ୍କୁ ଛାଡି ଅନ୍ୟ ଆଡ଼କୁ ପ୍ରତ୍ୟାଗମନ କରିବା ମୋ ପାଇଁ ଅନୁଚିତ ମନେ ହେଉଥିଲା। ବାଧ୍ୟ ହୋଇ ସେମାନଙ୍କ ଅନୁରୋଧ ପ୍ରତି କର୍ଣ୍ଣପାତ ନକରିବା ଉଦ୍ଦେଶ୍ୟରେ ବହି ଆଡ଼କୁ ଦୃଷ୍ଟି ନିକ୍ଷେପ କଲି। କିନ୍ତୁ ସେ ଦୁଇ ଜଣ ପୂରାପୂରି ନଛୋଡ଼ବନ୍ଦା। ଯେମିତି ବଳ ପ୍ରୟୋଗ କରିବା ପାଇଁ ବି ପଛେଇବେ ନାହିଁ ସେଭଳି ଅବସ୍ଥା। ଆଖପାଖର ଯାତ୍ରୀ ମାନଙ୍କ ମଧ୍ୟରେ ମୃଦୁ ଗୁଞରଣ। କିଛି ଗୋଟିଏ ହୋଇ ଯିବାର ସମ୍ଭାବନାକୁ କେହି ଏଡ଼ାଇ ଦେଇ ପାରୁ ନଥାନ୍ତି। ବାଧ୍ୟ ହୋଇ କ୍ୟାବିନ୍ କୃ ମାନଙ୍କ ଧ୍ୟାନ ଆକର୍ଷକ ବଟନ୍ ଟିକୁ ଦବେଇଲି। ଆଖି ପିଛୁଳାକେ ଦୁଇ ଜଣ ପୁରୁଷ କୃ ମେମ୍ବର ଆସିଗଲେ ଓ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଗରୁ ମୋ ଧାଡ଼ିର ତୃତୀୟ ଯାତ୍ରୀ ଜଣଙ୍କ ତାଙ୍କ ସ୍ଥାନଟିକୁ ସେମାନଙ୍କ ସହ ପ୍ରତି ବଦଳ କରି ଆଗକୁ ଉଠି ଗଲେ। ଘଟଣାଟି ସେଇଠି ସରି ଯାଇଥାନ୍ତା ଯଦି ସେ ଦୁଇ ବନ୍ଧୁ ସିଟରେ ବସିବା ମାତ୍ରେ ନିଘୋଡ଼ ନିଦରେ ଶୋଇ ସଜୋରେ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଇ ନଥାନ୍ତେ। ଏଇଥି ପାଇଁ ଏତେ ଅସ୍ତ ବ୍ୟସ୍ତ କରି ପକେଇଥିଲେ ସେମାନେ ଯେ କେବଳ ପାଖାପାଖି ଶୋଇ ଗଗନ ପବନ ପ୍ରକମ୍ପିତ କରିବା ପାଇଁ। ଠିକ୍ ଅଛି। ସେ ପର୍ଯ୍ୟନ୍ତ ବି ଠିକ୍ ଥିଲା।
ମୁଁ ଓ୍ଵାସ୍ ରୁମ୍ ଯାଇଥାଏ। ଭାଇଜାଗ୍ ରେ ଫ୍ଲାଇଟ୍ ଲ୍ଯାଣ୍ଡ କଲା। ମୁଁ ଫେରି ଆସି ଦେଖେ ତ ସେ ଦୁଇ ଘନିଷ୍ଠ ବନ୍ଧୁଙ୍କ ସହିତ ମୋ ବହିଟି ବି ଗାୟବ୍। ବହିଟିର ବିଶେଷତ୍ୱ ଥିଲା ଯେ ସେଇଟି ଆମ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କ ଦ୍ଵାରା ସ୍ଵହସ୍ତାଙ୍କିତ ହୋଇଥିଲା ଏବଂ ସେ ନିଜେ ସ୍ଵହସ୍ତରେ ମୋ ହାତକୁ ବଢେଇଦେଇଥିଲେ କର୍ପୋରେଟ୍ ମିଟିଙ୍ଗ୍ ର ବିଦାୟ ବେଳାରେ। କେରଳର ମୁନ୍ନାର ପାର୍ବତ୍ୟାଞ୍ଚଳ ଯେଉଁଠି ସେ ମିଟିଙ୍ଗ୍ ହୋଇଥିଲା, ତାର ଭୁରୁ ଭୁରୁ ସୁଗନ୍ଧ ଭରି ହୋଇ ରହିଥିଲା ବହିଟିର ପ୍ରତିଟି ପୃଷ୍ଠାରେ।
ଆଉ ସମ୍ଭାଳି ପାରିଲିନି। ବିମାନର କ୍ଯାପଟେନ୍ ଙ୍କ ପାଖକୁ ପରିଚାରିକା ମାନଙ୍କ ଜରିଆରେ ଖବର ପଠେଇଲି ଓ ଅବିଳମ୍ବେ ସେ ମଧ୍ୟ ପାଖକୁ ଆସି ପହଞ୍ଚି ଗଲେ। ବହିଟି ମୋ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ସେ କଥା ଜାଣିବା ପରେ ସେ ଜରୁରୀ କାର୍ଯ୍ୟକ୍ରମ ଆରମ୍ଭ କରିଦେଲେ। ବିମାନ ଭିତରେ ବହିଟିର ନିରୁଦ୍ଦିଷ୍ଟ ହେବା କଥା ଘୋଷଣା କରିବା ସଙ୍ଗେ ସଙ୍ଗେ ବିମାନବନ୍ଦର ଭିତରେ ମଧ୍ୟ ଖୋଜଖବର ନେବା ପାଇଁ ଆଧିକାରିକ ସୂଚନା ଜାରି କରାହୋଇଗଲା।
ଏହା ପରେ ବିମାନ ଭିତରେ ସମସ୍ତ ଯାତ୍ରୀମାନଙ୍କୁ ଦୁଃଖର ସହିତ ଏକ ବ୍ୟକ୍ତିଗତ ଛାନବିନ୍ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିବା ପାଇଁ ଅନୁରୋଧ କରାହେଲା। ବହିଟି ମିଳୁ ବା ନ ମିଳୁ ଏଆର ଲାଇନ୍ ତରଫରୁ ଉଠାଯାଇଥିବା ପଦକ୍ଷେପ ପାଇଁ ସେମାନଙ୍କ ପ୍ରତି ମନ ଭିତରେ ଶ୍ରଦ୍ଧା ଓ ସମ୍ମାନର ଏକ ମୃଦୁ ତରଙ୍ଗ ମୋ ମାନସ ସାଗରରେ ଖେଳି ଯାଉଥିଲା ଅତି ଶାନ୍ତ ଏକ ବାତାବରଣ ଭିତରେ।
ଏତିକି ବେଳେ ହଠାତ ମୋ ପଛ ପଟ ଲାଇନ୍ ରୁ ଜଣେ ଶିକ୍ଷିତା ତଥା ସୁଦୃଶ୍ୟା ରମଣୀଙ୍କର କହିବାର ଶୁଣାଗଲା ଯେ ପରିତ୍ୟକ୍ତ ଅବସ୍ଥାରେ ସିଟ୍ ତଳେ ପଡ଼ିଥିବା ଉପରୋକ୍ତ ପୁସ୍ତକଟିକୁ ସେ ସଯତ୍ନରେ ସମ୍ଭାଳି ରଖିଛନ୍ତି ଓ ବହିର ମାଲିକଙ୍କୁ ହସ୍ତାନ୍ତର କରି ସେ ନିଜକୁ ଧନ୍ୟ ମନେ କରିବେ।
ସେ ଯାହାହେଉ ସେ ମହାର୍ଘ ପୁସ୍ତକ ଟି ମୋ ହାତକୁ ଆସି ଆଉ ଥରେ ପ୍ରମାଣ କରିଦେଲା ଯେ ତୁମେ ବି ଜିତିପାର।(You Can Win)।
ମୋ ଗପଟି ସରିଲା, ଫୁଲ ଗଛଟି ମରିଲା।