Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Achyutananda Das

Tragedy


3.8  

Achyutananda Das

Tragedy


ଘର ମୋର ସ୍ଵର୍ଗ

ଘର ମୋର ସ୍ଵର୍ଗ

9 mins 482 9 mins 482

ଶମିନା ଭୁଲିଯାଇଥିଲେ ଏମିତି ଦିନ ଆସିବ ଯେଉଁ ଦିନ ତାଙ୍କୁ ନିଜ ପାଇଁ ନିଜେ ଭାବିବାକୁ ପଡ଼ିବ। ଝରକା ଦେଇ ବାହାରକୁ ଅନେଇଲେ। ପାଚେରୀ ଉପରେ ଝୁଲି ରହିଥିବା କାଗଜ ଫୁଲ ସବୁ ପତ୍ର ମାନଙ୍କୁ ଢାଙ୍କି ପକେଇଲେଣି। ଲନ୍ ର ଘାସ ସବୁ ବଢିଗଲେଣି ଚାରିଆଡ଼େ।ଅରକ୍ଷିତ ଚାଇନିଜ୍ ପାମ୍ ମାନଙ୍କର ଶୁଖିଲା ଡାଳ ସବୁ ଗଛରୁ ଝୁଲିରହିଚନ୍ତି ବିକ୍ରମର ବେକରୁ ବେତାଳ ଝୁଲିଲା ଭଳି। ପଟେଡ୍ ପ୍ଲାଣ୍ଟ୍ ସବୁ ଯେଉଁ ମାନେ ହସି ଉଠୁଥିଲେ ବାସୁ ଥିବା ବେଳେ ସେମାନେ ବି ଏବେ ଶ୍ରୀହୀନ ହୋଇ ଯାଇଚନ୍ତି।


ବାସୁ କଥା ମନେ ପଡ଼ିଗଲା ମାତ୍ରେ ଅଜାଣତରେ ଶମିନା ଙ୍କ ଦୁଇ ଆଖିରୁ ଦୁଇ ଧାର ଲୁହ ବୋହିଗଲା। ବାସୁ ଅସମୟରେ ଏକା ଛାଡ଼ି ଚାଲିଯିବା ଶମିନାଙ୍କୁ ଯେମିତିକା ସ୍ତବ୍ଧ କରିଦେଇଥିଲା।ସମସ୍ତେ କାନ୍ଦୁଥିଲା ବେଳେ ଶମିନା ଙ୍କ ଆଖିରୁ ଲୁହ ଟୋପାଏ ବି ଝରିନଥିଲା। କୋହର ତୋଫାନ ଏକା ଝଟକାରେ ତାଙ୍କର ଲୁହ ସବୁଙ୍କୁ ଉଡେଇ ନେଇଥିଲା। କେହି ବୁଝି ପାରିନଥିଲେ ତାଙ୍କର ଏମିତି ନିର୍ବିକାର ପଣକୁ। କେହିକେହି ତ କହିବାକୁ ପଛେଇ ନଥିଲେ ଯେ ବାସୁ ଏତେ ବେଶି ଧନସମ୍ପତ୍ତି ଛାଡ଼ି ଯାଇଛି ଯେ ଶମିନା ସେ ସବୁର ତାଲିକା ଦେଖି ଖୁସିରେ ପାଗଳ ହେଇଯାଇଚି। ସବୁ ସମ୍ଫତ୍ତିର ମାଲିକାଣୀ ହୋଇ ଶମିନା ଏବେ ନିଜ ଜୀବନକୁ ଉପଭୋଗ କରିବାର ଏକ ସୁଖ ସ୍ଵପ୍ନରେ ମସଗୁଲ। ସେ ବୁଢାଟା ତ ଆଜି ହଉ କାଲି ହଉ ଯାଇଥାନ୍ତା ନା!


 ସବୁ କିଛି ଠିକ୍ ଠାକ୍ ଚାଲିଥିଲା। ଅନେକ ବର୍ଷ ବାହାରେ ଚାକିରୀ କଲାପରେ ବାସୁ କିଛି ଦିନ ତଳେ ଚାକିରୀରୁ ଇଚ୍ଛାଧୀନ ସେବାନିବୃତ୍ତି ନେଇ ଘରକୁ ଫେରି ଆସିଥିଲେ। ଘର ଆଉଥରେ ହସି ଉଠିଥିଲା।ସମୟ ଅସମୟରେ ରୋଷେଇ ଘର ଭିତରକୁ ପଶି ଆସି ପଛଆଡୁ ଶମିନାଙ୍କ ଆଖି ବୁଜି ଧରି ଅବାକ୍ କରି ଦେଉଥିଲେ ବାସୁ। ଅନେକ ନୂଆ ନୂଆ ଡିସ୍ ତିଆରି କରି ଖୁଆଉ ଥିଲେ ଶମିନାଙ୍କୁ। ବାହାରେ ଅନେକ ଦିନ ଧରି ଏକୁଟିଆ ରହିବା ଭିତରେ ନିଜ ହାତରେ ରନ୍ଧା ବଢା କରୁ କରୁ ଶିଖିନେଇଥିଲେ ରନ୍ଧନର ଅନେକ ସୁନ୍ଦର କଳା।


ଶମିନାଙ୍କ ମନ ଫେରି ଯାଉଥିଲା ବିବାହ ର କେଇ ବର୍ଷ ପର ର ଘଟଣାବଳୀ ଆଡ଼କୁ। ବାସୁଙ୍କର ସର୍ବ ଭାରତୀୟ ଚାକିରୀ ରେ ନିୟମିତ ବଦଳି ଭିତରେ ଶମିନା ବୁଝି ପାରିଥିଲେ ଯେ ନିଜର ପିଲାଙ୍କୁ ବାପାଙ୍କ ସାଥିରେ ନେଇ ସାରା ଭାରତ ବୁଲିବାର ଅର୍ଥ ସେମାନଙ୍କ ପାଠପଢାରେ ନିୟମିତ ଭାବରେ ବ୍ୟାଘାତ ସୃଷ୍ଟି କରିବା। ସେଥିପାଇଁ ନିଜର ଶିକ୍ଷୟିତ୍ରୀ ଚାକିରୀରୁ ଅବ୍ୟାହତି ନେଇ ପିଲାମାନଙ୍କ ସାଥିରେ ଭୁବନେଶ୍ୱରରେ ରହିଗଲେ ସେ। ଭାଗ୍ଯକୁ ଚାକିରୀ ଜୀବନର ପ୍ରଥମ ଭାଗରେ ହିଁ ଭୁବନେଶ୍ୱରରେ ଘର ଖଣ୍ଡେ କରି ନେଇଥିଲେ ବାସୁ।


ଝର ଝର ବର୍ଷାପାଣି ଛାତରୁ ଡ୍ରେନ୍ ପାଇପ୍ ଦେଇ ବୋହିଗଲା ବେଳେ ସେଇ ଭିଜାଭିଜା ରାତିରେ ଯେତେବେଳେ ବାସୁଙ୍କ କଥା ମନେ ପଡୁଥିଲା ,ତକିଆ ଭିଜି ଯାଉଥିଲା ଶମିନାଙ୍କ ଅମାନିଆଁ ଲୁହ ମାନଙ୍କର ଟିକି ଟିକି ଝରଣାର ସୁଅରେ। ଶମିନାଙ୍କ ନିଦ ଭାଙ୍ଗି ଯାଉଥିଲା ଚଟ୍ କିନା। ଉଠି ପଡ଼ି ବସି ଯାଉଥିଲେ ବିଛଣା କଡ଼ରେ।ଏକା ଏକା ବସି ବସି ନଷ୍ଟ ଯୌବନର ଶବଯାତ୍ରାର ଆଗ ଧାଡ଼ିରେ ନିଜକୁ ଆବିଷ୍କାର କରୁଥିଲେ ସେ। ଏମିତିରେ ଅନେକ ବେଶି ଭାବପ୍ରବଣତା ଆଉ ଝଲମଲିଆ, ଆଖି ଟାଣି ନେଲା ଭଳି ସୌନ୍ଦର୍ଯ୍ୟର ଫେଣ୍ଟାଫେଣ୍ଟି ଏକ ଦୁର୍ଲ୍ଲଭ ଉପାଦାନରେ ଗଢା ମୂର୍ତ୍ତିଟିଏ ଥିଲେ ଶମିନା। ଡ୍ରଇଂରୁମରେ ସଜେଇ ରଖିଲା ଭଳି ଟ୍ରଫିଟିଏ। ବିବାହ ପରବର୍ତ୍ତୀ ସମୟରେ ବାସୁ ଅନେକ ସମୟରେ କହିବାର ଶୁଣାଯାଉଥିଲା ଯେ ଗୋଟିଏ ନାରୀ ହିଁ ସୁନ୍ଦର କରି ତୋଳେ ପୂରା ଘରଟିକୁ। ନା ଦାମୀ ଗହଣା, ନା ବିଦେଶୀ କାର୍,ଆସବାବପତ୍ର ଅଥବା ଅମାପମାପ ବ୍ୟାଙ୍କ ବାଲାନ୍ସ କୌଣସି ପୁରୁଷକୁ ସେତିକି ଖୁସି ଦେଇ ନ ଥାଏ ଯେତିକି ଖୁସି ଗୋଟିଏ ସୁନ୍ଦରୀ ନାରୀର ଚେନାଏ ଅମଳିନ ହସର ଲହରୀରେ ଭାସି ଆସେ ଘର ଭିତରକୁ କବାଟ, ଝରକା ଆଉ କାନ୍ଥ ବାଡ଼ର ସରୁ ଫାଙ୍କ ଦେଇ। ଅନେକ ସୁଖ ଦେଇଥିଲେ ବାସୁ। ଅନେକ ଦର୍ଶନୀୟ ସ୍ଥାନ ବୁଲେଇ ଥିଲେ, କୋଳରେ ଦେଇଥିଲେ ପୁଅଟିଏ ଆଉ ଝିଅଟିଏ। ସମ୍ପୂର୍ଣ୍ଣ ହୋଇ ଉଠିଥିଲା ଶମିନାଙ୍କର ମନ ଆଉ ହୃଦୟ, ଘର ଆଉ ବାହାର।


ଏମିତି ଅପେକ୍ଷା ଆଉ ପ୍ରତୀକ୍ଷା ଭିତରେ ଆଗେଇ ଚାଲିଥିଲା ଶମିନାଙ୍କ ସୁନାର ସଂସାର। ଆଖି ଆଗରେ ବଡ଼ ହୋଇ ଗଲେ ପିଲା ମାନେ। ପୁଅ ଇଞ୍ଜିନିୟରିଂ ଓ ବିଜନେସ ମ୍ୟାନେଜମେଣ୍ଟରେ ଉଚ୍ଚତର ଡିଗ୍ରୀ ହାସଲ କଲାପରେ ଗୋଟିଏ ବହୁଦ୍ଦେଶୀୟ କମ୍ପାନୀରେ ଉଚ୍ଚ ପଦବୀ ରେ ଅବସ୍ଥାପିତ ଗାର୍ଡେନସିଟି ବେଙ୍ଗାଲୁରୁରେ। ସଂଯୋଗବଶତଃ, ଝିଅ ଓ ଜ୍ଵାଇଁ ମଧ୍ୟ ଦୁବାଇରେ କେତେ ବର୍ଷ କାର୍ଯ୍ୟ କଲାପରେ ଭାରତ ଫେରି ଆସିଲେଣି। ଏବେ ବେଙ୍ଗାଲୁରୁରେ ଇଞ୍ଜିନିୟର ହିସାବରେ କାର୍ଯ୍ୟରତ ସେ ଦୁହେଁ। ଭଗବାନଙ୍କ ଅପାର କରୁଣା ପାଇଁ ଧନ୍ୟବାଦ ଜଣାଉଥିଲେ ଶମିନା। 


ଶମିନାଙ୍କ ନିର୍ଜନ ଜୀବନରେ ଫଲ୍ଗୁ ଖେଳେଇବା ପାଇଁ ଚାକିରୀରୁ ସ୍ଵୈଚ୍ଛିକ ଅବସର ନେଇ ଫେରି ଆସିଥିଲେ ବାସୁ।ତାଙ୍କର ପ୍ରତ୍ୟାବର୍ତ୍ତନ ଭରି ଦେଇଥିଲା ଶମିନାଙ୍କ ହୃଦୟର ଶୂନ୍ୟତା ଏବଂ ଆନନ୍ଦ ଉଲ୍ଲାସର ବାତାବରଣ ଭିତରେ ବାସୁ ଓ ଶମିନା ପୁନର୍ବାର ଆବିଷ୍କାର କରୁଥିଲେ ପରସ୍ପରକୁ ଅନେକ ନିକଟରୁ। ଦେଶ ବିଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିବାର ଏକ ଖସଡ଼ା ତିଆରି କରି ପକେଇଲେ ସ୍ଵାମୀ ସ୍ତ୍ରୀ ଦୁହେଁ। ଚାକିରୀ ଜୀବନ ଭିତରେ ପାସପୋର୍ଟ ଟିଏ କରି ପାରି ନଥିଲେ ବାସୁ । ଏବେ ହାତରେ ପ୍ରଚୁର ସମୟ। ଅନଲାଇନ ମାଧ୍ୟମରେ ପାସପୋର୍ଟ ପାଇଁ ଦରଖାସ୍ତ କରାହେଲା ଓ ପାସପୋର୍ଟ ଅଫିସରେ ନିର୍ଦ୍ଧାରିତ ତାରିଖରେ ହାଜର ହେଲା ପରେ ପୁଲିସ ଵେରିଫିକେସନ୍ ପରେ ପାସପୋର୍ଟ ଦୁଇଟି ଆସି ଯାଇଥିଲା ଘର ଠିକଣାରେ।


ବାସୁ ସବୁବେଳେ କହନ୍ତି ସୁଖୀ ଜୀବନର ଗୋଟିଏ ରହସ୍ୟ ହେଲା ପିଲା ମାନଙ୍କ ଉପରେ କେବେ ବି ପାରାସାଇଟ ଭଳି ନିର୍ଭରଶୀଳ ନହେବା। ସେମାନଙ୍କ ଜୀବନ ନିଜର ଇଚ୍ଛା ଅନୁସାରେ ଜୀଇଁବାର ସମ୍ପୂର୍ଣ୍ଣ ସ୍ଵାଧୀନତା ସେମାନଙ୍କୁ ମିଳିବା ଉଚିତ। ମଝିରେ ମଝିରେ କୁଣିଆ ଭଳି ସେମାନଙ୍କ ପାଖକୁ ଯିବାରେ କୌଣସି ମନା ନାହିଁ। କିନ୍ତୁ ସେମାନଙ୍କ ସାଥିରେ ସାରା ଜୀବନ କାଟିବା ଦ୍ଵାରା ସମ୍ପର୍କରେ ଅସମୟରେ ଭଟ୍ଟା ପଡ଼ିଯିବାର ଆଶଙ୍କା ଅନେକ ବେଶି।ସେ ତ ଏମିତି ବି କହୁଥିଲେ ଯେ ନାତି ନାତୁଣୀଙ୍କୁ ସ୍ନେହ ଆଦରରେ ପୋତି ପକାଅ, କିନ୍ତୁ ସେମାନଙ୍କ ଭବିଷ୍ୟତ ଜୀବନର ଗତିପଥ ନିର୍ଦ୍ଧାରଣ ପାଇଁ ନିଜର ଇଚ୍ଛା ଅନିଚ୍ଛାକୁ ପିଲାଙ୍କ ଉପରେ ଲଦି ଦେବା ଆଦୌ ସ୍ପୃହଣୀୟ ନୁହେଁ। ବାସୁ ଏ କଥା ବି କହୁଥିଲେ ଯେ ସାରା ଜୀବନର ସଞ୍ଚିତ ଧନ ଏକମୁସ୍ତରେ ପିଲା ମାନଙ୍କ ହାତରେ ସମର୍ପଣ ନ କରି ନିଜର ସୁଖ ସ୍ଵାଚ୍ଛନ୍ଦ ପାଇଁ ବ୍ୟୟ କରିବା ଉଚିତ। ଗରୀବ, ଦୀନଦୁଃଖୀଙ୍କୁ କିଛିଟା ଦାନ ଦେବା ଦ୍ଵାରା ହୃଦୟକୁ ନିର୍ମଳ ଆନନ୍ଦ ମିଳେ। ପିଲାମାନଙ୍କୁ ମଣିଷ ପରି ମଣିଷ କରି ଗଢ଼ି ତୋଳିବା ପରେ ସେମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ଶେଷ। ଆମେ ଆମର ବାପା ମାଆଙ୍କ ପାଖରୁ କଣ ବା ଆଣିଚୁ ଯେ ଆମ ପିଲା ମାନଙ୍କ ପାଇଁ ଆମର କଷ୍ଟାର୍ଜିତ ଧନର ଭଣ୍ଡାର ଛାଡ଼ି ଯିବା! ପିତା ମାତା ଆମ ମାନଙ୍କୁ ସ୍ଵାବଲମ୍ବୀ କରେଇଥିଲେ, ତେଣୁ ଆମେ ସେମାନଙ୍କ ପାଖରେ ଋଣୀ। ଠିକ୍ ସେମିତି ଆମେ ମଧ୍ୟ ପିଲାଙ୍କୁ ଉପାର୍ଜନକ୍ଷମ କରିଛୁ। ଏହାପରେ ଆମର ଦାୟିତ୍ୱ ଶେଷ।

ଏତେ ଦାର୍ଶନିକ ତତ୍ତ୍ୱ ଶମିନା ର ଦର୍ଶନଶାସ୍ତ୍ର ରେ ପୋଷ୍ଟ୍ ଗ୍ରାଜୁଏଟ୍ କରି ଥିବା ମସ୍ତିଷ୍କ କୁ ବେଳେବେଳେ କୋରି ପକାଏ। ପିଲାଙ୍କ ସାଥିରେ ଏତେ ଦୂରତ୍ୱ ରକ୍ଷା କରିବା ର କୌଣସି ଯଥାର୍ଥତା ଶମିନାଙ୍କ ସରଳିଆ ମା' ମୁଣ୍ଡରେ ପଶୁ ନଥିଲା।


କିନ୍ତୁ ଏ କଣ ହେଲା? ଆହୁରି ଅନେକ ସ୍ଵପ୍ନ ବାକି ରହିଗଲା। ସେ ଦୁହେଁ ସାଙ୍ଗ ହୋଇ ଆହୁରି କେତେ ହ୍ରଦ, ଉପହ୍ରଦ, ପାହାଡ଼, ପର୍ବତ, ନଦୀ ସାଙ୍ଗରେ ସମୁଦ୍ରର ଅପୂର୍ବ ମିଳନର ଦୃଶ୍ୟ ଦେଖିବାରୁ ବଞ୍ଚିତ ହୋଇ ରହିଗଲେ। ଅନେକ ମହାଦେଶ, ମହାସାଗର , ଦ୍ଵୀପ, ଉପଦ୍ଵୀପ ,ମାଳ ,ସମତଳ ଏମିତି କି ଜଣେ ଆଉ ଜଣଙ୍କ ବିଷୟରେ ଜାଣିବା ଶୁଣିବା ପାଇଁ ଅନେକ ବେଶି ବାକି ରହିଗଲା।ସବୁ କିଛି ହଜିଗଲା ଶମିନା ଙ୍କ ଆଖି ସାମନାରେ।ସେଦିନ ସ୍ଵାସ୍ଥ୍ୟ ପରୀକ୍ଷା କରି ଫେରିବା ପରେ ସନ୍ଧ୍ୟା ବେଳକୁ ଛାତିରେ ପ୍ରବଳ କଷ୍ଟ ଅନୁଭବ କଲେ ବାସୁ। ଇସିଜୀ ରିପୋର୍ଟ ରେ ସାମାନ୍ୟ ବ୍ୟତିକ୍ରମ ବାହାରି ଥିବାରୁ ପରଦିନ ଆଉ ଥରେ ସମ୍ପୂର୍ଣ୍ଣ ପରୀକ୍ଷଣ ପାଇଁ ହସପିଟାଲରୁ ଆପଏଣ୍ଟମେଣ୍ଟ ନେଇ ଆସିଥିଲେ ସେମାନେ। କିନ୍ତୁ ତାହା ଆଉ ଦରକାର ପଡ଼ିଲା ନାହିଁ। ହସପିଟାଲକୁ ଆମ୍ବଲାନ୍ସରେ ନେବା ରାସ୍ତାରେ ହିଁ ଶମିନା ଙ୍କ କୋଳରେ ଟଳି ପଡ଼ିଥିଲା ବାସୁଙ୍କର ଜୀବନହୀନ ଶରୀର। ବାସୁଙ୍କ ମୁଣ୍ଡକୁ କୋଳରେ ଜାବୁଡ଼ି ଧରି ଵେହୋସ ହୋଇ ପଡ଼ିଥିଲେ ଶମିନା। ହସପିଟାଲରେ ତ୍ଵରିତ ଚିକିତ୍ସା ପରେ ଉଠି ବସିଲେ ସେ। କିନ୍ତୁ ଆଖିରେ ନଥିଲା ଟୋପାଏ ଲୁହ। ଶୂନ୍ୟତାର ବଳୟ ଭିତରକୁ ଟାଣିହୋଇ ଯାଇଥିଲେ ସେ। ତାଙ୍କ ସଂସାର ଧ୍ଵସ୍ତବିଧ୍ଵସ୍ତ ହୋଇ ଯାଇଥିଲା ମୁହୂର୍ତ୍ତ କେଇଟା ଭିତରେ।

ଘରକୁ କେମିତି ଫେରିଚନ୍ତି, ପିଲାମାନେ କେମିତି ଆସିଚନ୍ତି, ବାସୁଙ୍କ ଶେଷ କୃତ୍ୟ କେମିତି ସମ୍ପର୍ଣ୍ଣ ହେଲା ଶମିନାଙ୍କର କିଛି ବି ମନେ ପଡୁନି।


‌କିନ୍ତୁ ବାସୁ ସବୁବେଳେ କହୁଥିଲେ ସେ ଯଦି ଆଗ ଚାଲି ଯାଆନ୍ତି ଶମିନା କେବେହେଲେ ବୈଧବ୍ୟ ର କୌଣସି ପ୍ରତୀକ ଧାରଣ କରିବେନି। ରଙ୍ଗ ହୀନା ହେବେନି ଶମିନା । ଯେମିତି ଯାହା ପିନ୍ଧୁଥିଲେ, ସେମିତି ପିନ୍ଧିବେ। ତାଙ୍କର ଜୀବନ ଚର୍ଯ୍ୟାରେ ହେବନାହିଁ କୌଣସି ପରିବର୍ତ୍ତନ। ଆଉ ଯଦି ଶମିନା ତାଙ୍କ ଅବର୍ତ୍ତମାନରେ ବିଧବା ବେଶକୁ ଆଦରି ନିଅନ୍ତି ତାଙ୍କ ଆତ୍ମା ଦୂର ଆକାଶରେ ଥାଇ ବି ଭୋଗିବ ଅହେତୁକ ହୃଦୟ ଯନ୍ତ୍ରଣା।ଏକଥା ତାଙ୍କ ପିଲାଙ୍କ ସାମନାରେ ବି କେତେଥର କହିଥିବେ ସେ,ଯଦିଓ ଏ କଥା ପଡ଼ିଲେ କୃତ୍ରିମ କ୍ରୋଧ ପ୍ରଦର୍ଶନ କରି ଆଡ଼େଇ ଯାଉଥିଲେ ଶମିନା। ତାଙ୍କ ଘୁଣାକ୍ଷରେ ସୁଦ୍ଧା ଭାବି ପାରୁନଥିଲେ ଯେ ବାସୁଙ୍କ ତୁଣ୍ଡରେ କାଳ ହିଁ ତା' କଥା କହିଯାଉଥିଲା!

‌ତେଣୁ ସେମିତି ଇ ହେଲା। ସମାଜର ଧ୍ଵଜାଧାରୀ ମାନେ ଜିଦ୍ ଧରି ବସିଲେ ମଧ୍ୟ ଶମିନା ତାଙ୍କ ଦିବଙ୍ଗତ ସ୍ଵାମୀଙ୍କ ସ୍ମୃତିକୁ ସମ୍ମାନ ଜଣେଇ ସଧବାର ଯୋଡ଼ା ରେ ସୁସଜ୍ଜିତ ହେଲେ ଯଦିଓ ତାଙ୍କ ମନଟା ପୋଡ଼ି ଜଳି ଛାରଖାର ହୋଇ ଯାଇଥିଲା। କିଛି ଧର୍ମାନ୍ଧ ଲୋକ ବାସୁଙ୍କ ଶେଷ କୃତ୍ୟରେ ଯୋଗଦାନ ନ କରି ଫେରିଗଲେ। ଘରକୁ ଅମଙ୍ଗଳ ମାଡ଼ି ଆସିବାର ଅଭିଶାପ ଦେବାକୁ ପଛେଇ ନଥିଲେ ସେମାନେ। କିନ୍ତୁ ଶମିନା ଓ ପିଲାମାନେ ବାସୁଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଦୃଢ଼ତାର ସହିତ ସାମନା କଲେ ସାମାଜିକ ବାଛନ୍ଦକୁ। ଏମିତି ରେ ବି ସହରୀ ଜୀବନରେ କିଏ ବା ଆଉ କାହା ଉପରେ ନିର୍ଭରଶୀଳ! ପଡୋଶୀ ପଡୋଶୀକୁ ଚିହ୍ନିବା ଏଠି କାଠିକର ପାଠ।


‌ପିଲାମାନେ ଯିବା ପୂର୍ବରୁ ନିଜ ନିଜ ଭିତରେ ବିଚାର ବିମର୍ଷ କରି ମା' ଙ୍କୁ ସାଙ୍ଗରେ ନେଇଯିବା ପାଇଁ ଆକୁଳ ଅନୁରୋଧ କଲେ। ଏଠି ରହି ସେ କରିବେ କଣ? କେମିତି କାଟିବେ ଅସରନ୍ତି ସମୟ! ସମୟ ଅସମୟରେ ସହାୟତାର ହାତ ବଢେଇବ କିଏ? ନାରୀ ଟିଏ ଜୀବନ ସାରା ଅନ୍ୟର ହୋଇ ଜୀଇଁ ଥାଏ। ପିଲା ଦିନେ ବାପାଙ୍କ ପିଠିରେ ଘୋଡ଼ା ଚଢିବା ଠାରୁ ବିବାହ ପରେ ବାପା ଭାଇଙ୍କ କାନ୍ଧକୁ ଲୁହ ଆଉ କୋହର ସାଗରରେ ଭିଜେଇବା ପରେ ସ୍ଵାମୀଙ୍କ ହାତ ଧରି ଅନ୍ୟ ଏକ ଦୁନିଆରେ ପାଦ ଥାପିଥାଏ ସେ। ଜୀବନ ସାଥୀର ଘରର ଏରୁଣ୍ଡି ଡେଇଁ ଶେଷରେ ତା'ର ମର ଶରୀର ଇ କୋକେଇରେ ବୁହା ହୋଇ ଯିବ, ଏମିତି ଏକ ଇଚ୍ଛାକୁ ପାଳି ପୋଷି ବଡ଼ କରୁଥାଏ ସେ ସାରାଟା ଜୀବନ।


‌କିନ୍ତୁ ଭୁବନେଶ୍ୱରରେ ଏକୁଟିଆ ରହିବା ମା'ଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି ନିଷ୍ପତ୍ତି ନେଲେ ଭାଇ ଓ ଭଉଣୀ। ସେଥିପାଇଁ ଶମିନାଙ୍କ ଇଚ୍ଛା ଅନିଚ୍ଛାକୁ ଆଡେଇ ପିଲାଏ ଠିକ୍ କଲେ ସେମାନଙ୍କ ସାଥିରେ ମା' ବି ଯିବେ। ଶମିନା କିନ୍ତୁ ମୁହଁ ଖୋଲି କହି ପାରୁନଥିଲେ ଯେ ଏ ଘର ସହ ଜଡ଼ିତ ବାସୁଙ୍କ ସ୍ମୃତିକୁ ପଛରେ ପକେଇ କେବେବି ଅନ୍ୟ କେଉଁଠି ସୁଖୀ ହୋଇ ପାରିବେ ନାହିଁ ସେ।

‌ସେମାନେ ବେଙ୍ଗାଲୁରୁରେ ନିଜ ନିଜ ନାମରେ ସବୁ ପ୍ରକାର ର ସୁବିଧା ସୁଯୋଗ ଥିବା ଫ୍ଲାଟ ବ୍ୟାଙ୍କ ଋଣ ସୂତ୍ରରେ ନେଇଥିଲେ। ମା' ସେମାନଙ୍କ ସାଥିରେ ରହିବେ ଓ କିଛି ଦିନ ପରେ ଭୁବନେଶ୍ୱର ସ୍ଥିତ ଘର ଟିକୁ ବିକ୍ରି କରି ଦିଆଯିବ। ଜଣେ ପ୍ରୋପର୍ଟି ଡିଲର୍ ଙ୍କ ଜରିଆରେ ବିକ୍ରି ର ବନ୍ଦୋବସ୍ତ ମଧ୍ୟ କରିଦିଆ ଗଲା। ସେଦିନ ରାତି ଟା ସାରା ଶମିନା ଙ୍କ ଆଖିକୁ ନିଦ ନାହିଁ। କଡ଼ ଲେଉଟଉ ଲେଉଟଉ କେତେବେଳେ ସୂର୍ଯ୍ୟ ତାଙ୍କ ଝରକା ଦେଇ ଶମିନାଙ୍କ ମୁହଁ ଉପରେ ମୁଠାଏ କିରଣ ବିଞ୍ଚି ଦେଇ ଗଲେଣି ଏକଥା ଶମିନାଙ୍କୁ ଜଣାପଡିନି।


‌ଝିଅ ହାତରେ ଚା ଦୁଇ କପ୍ ନେଇ ଆସି ମମ୍ମି ଙ୍କ କପାଳରେ ହାତ ବୁଲେଇ ସ୍ନେହ ଭରା କଣ୍ଠରେ 'ମମ୍ମୀ ମମ୍ମୀ ' ଡାକି ବିଛଣାରେ ତାଙ୍କ ପାଖକୁ ଲାଗି କେତେବେଳେ ବସିଗଲାଣି ଶମିନାଙ୍କୁ ସେକଥା ବି ଜଣାପଡ଼ିନି। ଏଥର ଧୀରେ ଧୀରେ ଆଖି ଖୋଲି ଶମିନା ଝରକା ବାହାର କୁ ଅନେଇଲେ। ଶୁଖିଆସିଥିବା କ୍ରୋଟନ୍ ପ୍ଲାଣ୍ଟ୍, ପଟ୍ ରେ ଥିବା ଝାଉଁଳା ଫୁଲ ଗଛ, ତୁଳସୀ ଗଛର ଝଡାପତ୍ର, ଚାଇନିଜ୍ ପାମ୍ ର ଅବ୍ୟବସ୍ଥିତ ଚେହେରା ଶମିନା ଙ୍କ ମନ ଭିତର ର ମା' ଟିକୁ ଯେମିତି ଧିକ୍କାର କରୁଥିଲେ। ଚଟାପଟ୍ ଉଠି ପଡ଼ିଲେ ସେ। ହାତ ବଢ଼େଇ ଝିଅ ସୁଜୀ ପାଖରୁ ଚା କପ୍ ଟି ଉଠେଇ ନେଲେ। ବେଡ଼ ରୁମ୍ ରୁ ଡ୍ରଇଂରୁମ ଦେଇ ଲନ୍ କୁ ଯିବା ଭିତରେ ଆକ୍ଵାରିୟମ୍ ଉପରେ ଦୃଷ୍ଟି ଅଟକି ଗଲା। ରଙ୍ଗ ବେରଙ୍ଗ ମାଛ ମାନେ ଯେମିତି ବାସୁଙ୍କ ଅନୁପସ୍ଥିତି ରେ ମ୍ରିୟମାଣ ହୋଇ ପଡ଼ିଚନ୍ତି। କେତେ ଜଣ ତ ଭାସୁଥିଲେ ଆକ୍ଵାରିୟମ୍ ର ପାଣିର ଉପରି ଭାଗରେ। ଅନ୍ୟ ମାନେ ବି ଯେମିତି ଖୁବ ଶୀଘ୍ର ଛାଡ଼ି ଚାଲିଯିବେ ଏ ରଙ୍ଗୀନ ଦୁନିଆ କୁ। ଶମିନା ଙ୍କ ଆଖିରେ ଆଖିଏ ଲୁହ। ବାସୁଙ୍କ ପ୍ରିୟ ରଙ୍ଗୀନ ମାଛ ସବୁଙ୍କ ଦୁରବସ୍ଥା ଉଦବେଳିତ କରିପକଉଥାଏ ତାଙ୍କର କୋମଳ ହୃଦୟ ଟିକୁ। ଜରୁରୀ ହିସାବରେ ଝିଅ କୁ ମାଛ ମାନଙ୍କ ଯତ୍ନ ନେବା କୁ ବତେଇଲା ପରେ ସେ ବାହାର କୁ ବାହାରି ଗଲେ। ଏଇ କେତେ ଦିନ ହେଲା ଘରୁ ବାହାରି ନ ଥିଲେ ସେ।ବାହାରେ ଛୋଟ, ବଡ଼ ଗଛ ମାନଙ୍କର ଫୁଲ ଦେହରେ, ପତ୍ର ଗୁଡିକ ଉପରେ କେତେ ଆଦରରେ ଛୁଇଁ ଛୁଇଁ ଯାଉଥିଲେ। ହୃଦୟରୁ କୋହ ଉଠୁଥିଲା, ଆଖିରୁ ଧାରା ଶିରାବଣର ଧାରା ଛୁଟୁଥିଲା। ଏ ଘର ତ ଜନଶୂନ୍ୟ ହୋଇଯିବ। ଏ ଗଛବୃଛ ମାନଙ୍କ ଯତ୍ନ କିଏ ବା ଆଉ ନେବ? ଏମାନେ ଆଉ କିଛି ଦିନ ଭିତରେ ଶେଷ ନିଶ୍ଵାସ ତ୍ୟାଗ କରିବେ!

ଘର ସାମନାର ଫାଟକ ଖୋଲି ଟିକିଏ ବାହାର ଆଡ଼େ ବୁଲି ଆସିବାକୁ ବାହାରିଲେ। ଆଜି ଠାରୁ ଭୁବନେଶ୍ୱର ହୋଇ ଯିବ ତାଙ୍କ ପାଇଁ ସାତ ପର। ହୁଏତ ଏ ଜୀବନରେ ଆଉ ଏ ମାଟିରେ ପାଦ ଥାପିବା ତାଙ୍କ ପାଇଁ ହୋଇଯିବ ଏକ ଦୂର ରାଇଜର ସ୍ଵପ୍ନ।


‌ବାହାରେ ପାଦ ଥାପିଚନ୍ତି କି ନାହିଁ କୋଉଠି ଥିଲେ କେଜାଣି ଚାରି ପାଞ୍ଚଟି କୁନି କୁନି କୁକୁର ଛୁଆ ଦୌଡ଼ି ଆସି ତାଙ୍କ ଚାରିପଟେ ଘେରି ଗଲେ। ସେମାନଙ୍କ ପାଇଁ ସବୁ ଦିନ ଶମିନା ସକାଳୁ ସକାଳୁ କିଛି କିଛି ଖାଇବା ପାଇଁ ଦିଅନ୍ତି।ଡଗ୍ ବିସ୍କିଟ୍ ସାଙ୍ଗରେ ବେଳେ ବେଳେ ମାଛ, ମାଂସ ର ବଳକା ଭାଗ ତକ ସେମାନଙ୍କୁ ଦିଅନ୍ତି ସେ। ଆଉ ଯେଉଁ ଦିନ ଘରେ ଅଣ୍ଡା ତରକାରୀ ହୁଏ, ଯେହେତୁ ବାସୁ ବା ଶମିନା କେହି ହେଲେ କୋଲେଷ୍ଟରଲ୍ ଡରରେ ଅଣ୍ଡା ର କେଶର ଖାଉ ନଥିଲେ କୁକୁର ଛୁଆଙ୍କର ତ ସେ ଦିନ କଚେପୁଅ ବାର। 


‌କୁକୁର ଛୁଆଙ୍କର ଆକୁଳ ବିକଳଭରା କ୍ୟାଉଁ କ୍ୟାଉଁ ଶବ୍ଦ ଶମିନାଙ୍କ ଭିତରେ ଶୋଇପଡିଥିବା ମା' ଟିକୁ ଜଗେଇ ଦେଲା। ଆଗକୁ ନଯାଇ ଘର ଭିତରକୁ ଫେରି ଆସିଲେ ସେ। କୁକୁର ଛୁଆ ମାନେ ଗେଟ୍ ଭିତରକୁ ପଶି ଆସିଲେ।ସେମାନଙ୍କୁ ଈଶାରା ରେ ସେଇଠାରେ ରହିବାକୁ କହି ଘର ଭିତରକୁ ପଶି ଗଲେ ଓ କିଛି କ୍ଷଣ ଭିତରେ ସେମାନଙ୍କ ପାଇଁ ଡଗ୍ ବିସ୍କିଟ୍ ର ଟିଣ ଟିଏ ଧରି ବାହାରି ଆସିଲେ । ଢାଳିଦେଇଗଲେ ସେମାନଙ୍କ ପାଇଁ ଖାଦ୍ୟର ଭଣ୍ଡାର। ସେମାନଙ୍କ ଖାଇବା ର ସାଧାରଣ ଦୃଶ୍ୟକୁ ଅସାଧାରଣ ଦୃଷ୍ଟିରେ ଦେଖୁଥିଲା ଗୋଟିଏ ମା' ର ଭୋକିଲା ଆଖି।ହୃଦୟ ଭିତରେ ରୋକିଯାଇଥିବା ଲୁହର ପ୍ଳାବନ କୋହ ସବୁକୁ ଧୋଇ ନେଇ ଦୁଇ ଆଖିରୁ ବୋହି ଯାଉଥିଲେ କୂଳ କିନାରା ନ ମାନି। ଶମିନାଙ୍କ ଦୁଇ ଲୁହଭିଜା ଗାଲ ଚକ୍ ଚକ୍ କରୁଥିଲା ସକାଳ ର ପ୍ରଥମ କିରଣରେ।


‌ସୁଜି ଘର ଭିତରୁ ସାନଭାଇ ବିଭୋରକୁ ଡାକିଆଣିଥିଲା ସେତେବେଳକୁ। ଭାଇ ଭଉଣୀ ଚୁପଚାପ ପିଇ ଯାଉଥିଲେ ମା' ଙ୍କର ଲୁକ୍କାୟିତ ବାତ୍ସଲ୍ୟ ପ୍ରେମକୁ। ଆଖିରେ ଆଖିରେ ମା' ଙ୍କୁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ନେବାର ଯୋଜନାକୁ ସମାଧିସ୍ଥ କରୁଥିଲେ ସେମାନେ।


କେତେ ସମୟ ପରେ ଶମିନା କୁକୁର ଛୁଆଙ୍କ ପାଖରୁ ଚିର ବିଦାୟ ନେଇ ଘର ଭିତରକୁ ଫେରି ଆସିଲେ। ସୋଫାରେ ବସିଚନ୍ତି କି ନାହିଁ ପୁଅ ଝିଅ ଲୋଟିପଡିଲେ ତାଙ୍କ କୋଳରେ। ଝିଅ ଟେଲିଫୋନ ରେ ଟ୍ରାଵେଲ୍ ଏଜେଣ୍ଟ ଙ୍କୁ ମା' ଙ୍କର ଏୟାର ଟିକେଟ କ୍ୟାନସେଲ୍ କଥା କହୁଥିଲା ବେଳେ ଆଉ ଏକ ଲୁହର ଝରଣା ବୋଲ ନମାନି ଝରି ଯାଉଥିଲା ଶମିନା ଙ୍କ ଆଖିରୁ। ଆଜି ସେ ବାସୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇ ଅନେକ ସମୟ କାନ୍ଦିବେ।


Rate this content
Log in

More oriya story from Achyutananda Das

Similar oriya story from Tragedy