Achyutananda Das

Tragedy Drama

3  

Achyutananda Das

Tragedy Drama

ଧୂଳିର ପୃଥିବୀ

ଧୂଳିର ପୃଥିବୀ

10 mins
600



ଘର ଆଗରେ ହଳଦିଆ କନିଅଁର ଗଛରେ ବର୍ଷ ସାରା ଫୁଲ ଫୁଟି ଚହଟୁଥିଲା । ମନ୍ଦାର ଗଛଟେ ବି ଥିଲା। ନାଲି ନାଲି ଫୁଲରେ ଗଛ ଟା ହସି ଉଠୁଥିଲା।କିନ୍ତୁ ମା' କାହିଁକି କେଜାଣି କନିଅଁର ଫୁଲ ସବୁଙ୍କୁ ବଡ଼ ଯତ୍ନରେ ତୋଳି ଆଣି ରାଧା ମାଧବଙ୍କ ପୂଜା ଅର୍ଚ୍ଚନାରେ ଲଗଉଥିଲା। ଏଡ଼େ ସୁନ୍ଦର ମନ୍ଦାର ଫୁଲ ସବୁ ଗଛରେ ଥାଇ ଥାଇ ମଉଳି ଯାଉଥିଲେ ,ଶୁଖିଯାଇ ଖସି ପଡୁଥିଲେ। ଠିକ୍ ଆମ ଘରେ ଆଶ୍ରୟ ନେଇ ଧୀରେ ଧୀରେ ଶୁଖି ଶୁଖି ବୁଢ଼ୀ ହୋଇ ଯାଉଥିବା ବାଲ୍ୟ ବିଧବା ପିଉସୀ ଅପାଟି ପରି। ତା'ପାଇଁ ବାପା, ବଡ଼ ବାପା ଙ୍କ ଭିତରେ ମନ ଫଟାଫଟି ପାଟି ତୁଣ୍ଡ ଦଶ ବର୍ଷ ବୟସରେ ବାହାହେଲା। ସ୍ଵାମୀ ସୁଖ କଣ ଜାଣିବା ଆଗରୁ ପତି ବିଚରା ବେମାର ପଡ଼ିଲା। ସେ ଯୁଗରେ ଗୁଣୀ ଗାରେଡୀ ,ଚେରମୂଳୀ ଚିକିତ୍ସାରେ ଭଲ ହେଲେ ହେଲା, ନହେଲେ ତା' ଭାଗ୍ୟ। ବାହାଘରର ଦିନ କେଇଟା ନ ଯାଉଣୁ ବିଧବା ହୋଇଗଲା ପିଉସୀ ଅପା ଆମର। ବାପା, ମାଆ ଅପା ଡାକୁଥିଲେ, ଘରର ପିଲେ ବି ସେଇ ଅପା ଡାକକୁ ଆପଣେଇ ନେଲେ। ଅଲକ୍ଷଣୀ, ଘଇତାଖାଇକୁ ତା' ସ୍ବାମୀ ଘରେ ସ୍ତ୍ରୀ ର ମାନ୍ୟତା ମିଳିଲାନି କି ଶ୍ଵଶୁର ଘରର ଏରୁଣ୍ଡି ବନ୍ଧ ଡେଇଁ ଭିତରକୁ ଯିବାର ସୌଭାଗ୍ୟ ଜୁଟିଲା ନାହିଁ। ଜେଜେ ,ଜେଜୀମା' ଏକ ମାତ୍ର ଝିଅକୁ ବହୁତ ଭଲ ପାଉଥିଲେ ।ତା' ଦୁଃଖରେ ସେମାନଙ୍କ ଆଖିରୁ ଲୁହ ସରିଲାନି। କେଇଟା ବର୍ଷ ଭିତରେ ଆଗ ପଛ ହୋଇ ଚାଲିଗଲେ। ସେତେବେଳକୁ ପୁଅ ମାନେ ବାହାଚୁଡା ହୋଇ ଘର ସଂସାରକଲେଣି। ରାମ ଲକ୍ଷ୍ମଣ ପରି ଦୁଇ ଭାଇଙ୍କ ଭିତରେ ଫାଟ ପଡ଼ିଆସିବା ଆରମ୍ଭ ହୋଇ ଯାଇଥିଲା। ଜୁଇ ଜଳିବା ଆଗରୁ ଜେଜେ ଦୁଇ ପୁଅଙ୍କୁ ପାଖକୁ ଡାକି ଜମିବାଡି,ଘର ଦ୍ଵାର, ଆମ୍ଵ ତୋଟା, ବାଡ଼ି ଭିତରର ଚଉହଦୀ ପୋଖରୀ , ନନ୍ଦ କୂଅ ଏମିତି କି ଧାନ, ଚାଉଳ, ମୁଗ, ବିରି,ହଳଦୀ ସବୁଥିରେ ଭାଗ ବସେଇ ଦେଲେ। ବେସାହାରା ଝିଅ ଟା ପାଇଁ ଗାଁ ମୁଣ୍ଡ ପୋଖରୀ ତଳର ଦି' କିଆରୀ ବିଲ ଅଲଗା କରି ଲେଖି ଦେଇଗଲେ। ବିଆଳୀ ଧାନ ଫଳୁଥିଲା ସେଥିରେ। ସାର,ଗୋବର ଦିଅ କି ନ ଦିଅ, ପାଣି ମଡାଅ ନ ମଡାଅ ସେ ଦି କିଆରୀରେ ସୁନା ଫଳୁଥିଲା।ଗୋଟିଏ ବୋଲି ପେଟ, ପୁଣି ଝିଅ ଟା ଘର କାମରେ ମୁହଁ ତଳକୁ କରି ଲାଗି ପଡ଼ିଥାଏ ଯେ ଖାଇବା ପିଇବା ଆଡ଼କୁ ନଜର ନଥିବ। ମାଆ ସାଙ୍ଗରେ ସେ ପିଉସୀ ଅପାଙ୍କର ଭଲ ଜମୁଥିଲା। ତେଣୁ ଭାଗବଣ୍ଟା ପରେ ସେ ଆମ ପଟକୁ ଆସିଲା । ତା ସାଙ୍ଗରେ ତା ଭାଗର ବିଲ ଦି' କିଆରୀ ବି ।


ଗାଁ ମୁଣ୍ଡ ପୋଖରୀ ତୁଠରେ ମିଠା ତେନ୍ତୁଳି ଗଛଟିଏ ବି ବାହୁ ମେଲେଇ ଠିଆ ହୋଇ ଥାଏ କେଉଁ କାଳରୁ। ପୋଖରୀ ହୁଡାରେ ମୂଳଟା ଥିଲେ ବି ତା'ର ଲମ୍ବା ଲମ୍ବା ଡାଳ ମେଲେଇ ହୋଇ ରହିଥିଲା ଖଣ୍ଡ ମଣ୍ଡଳରେ। କଞ୍ଚା କଇଁଆ ଠାରୁ ଆରମ୍ଭ କରି ପାଚିଲା ପରେ ତେନ୍ତୁଳି ସାଇ ସାରା ଲୋକଙ୍କୁ ଯୋଗାଇ ଦେଉଥିଲା ଗଛ ବିଚରା। ଖରାଦିନେ ତା ଛାଇତଳେ ବାଟୋଇ ଘଡ଼ିଏ ଅଧେ ବସି ଗଲେ ଥଣ୍ଡା ଥଣ୍ଡା ପବନ ଦେବାରେ ଗଛଟା କେବେବି ଭେଦଭାବ କରୁନଥିଲା । ଚାଷୀ ପୁଅ ତା ଛାଇରେ ଲଙ୍ଗଳ, ଜୁଆଳୀ ଡେରି ଦେଇ ଦକ୍ଷିଣିଆ ପବନର ସୁ ସୁ ଗୀତ ଶୁଣୁ ଶୁଣୁ କେତେବେଳେ ଯେ ଆଖିପତା ମାଡ଼ି ଆସେ ସେ ନିଜେ ବି ବୁଝି ପାରେନା । ଆମ ସାଇର ପିଲା ମାନଙ୍କ ପାଇଁ ଗଛଚଢ଼ାର ତାଲିମ କେନ୍ଦ୍ର ଥିଲା ଏ ଲମ୍ବା ଚଉଡ଼ା ଗଛଟା। ଡାଳମାଙ୍କୁଡି ଖେଳା ପାଇଁ ବି ଗଛ ପାଖରେ ଜମା ହେଇଯାଉଥିଲେ ପିଲା ମାନେ । ଆଉ ଖରାଦିନ ଦିପହର ବେଳା ତା ଡାଳରେ ଝୁଲୁଥିବା ବାଦୁଡି ମାନଙ୍କୁ ଟେକା ମାରି ଉଡେଇ ଦେଇ ତାଳି ମାରି ମଜା ନେବା ରେ କେହି କାହାଠାରୁ ପଛରେ ରହୁନଥିଲେ। ତେନ୍ତୁଳି ଗଛ କୁ ଲାଗି କଳାଘୁମର ପାଣିଭରା ବେଲପୋଖରୀ ଥିଲା ଆମ ସମସ୍ତଙ୍କର ପହଁରା ଶିଖିବାର ଏକ ଉତ୍କୃଷ୍ଟ କେନ୍ଦ୍ର। ରାନିରଙ୍ଗର ପଦ୍ମ ଫୁଲ ଥିରିଥିରି ପବନରେ ମୁଣ୍ଡ ହଲେଇ ହଲେଇ ଖେଳୁଥିଲେ ସେ ପୋଖରୀରେ ।


ବାଡିରେ ପନି ପରିବା ଚାଷ। ଶାଗ ପଟାଳୀ ସାଙ୍ଗରେ ପାଖକୁ ଲାଗି କଣ୍ଟା ବାଇଗଣ, ଭେଣ୍ଡି, ଭାଡା ଉପରେ ଜହ୍ନି, କୁନ୍ଦୁରୀ ଆଦି ଲତା ମାଡ଼ି ଚାଲିଥିଲେ। ସେପଟେ ବାଉଁଶ ବଣକୁ ଲାଗି ପଟାଳି ପଟାଳି ହଳଦୀ, ଅଦା,ଆମ୍ଵ ଅଦା,ସାରୁର କିଆରୀ।ଗୁହାଳରେ ବଳଦ,ଗାଈ ବାଛୁରୀ ଭର୍ତ୍ତି। ବାପା ଗାଈଙ୍କ ପାଖରୁ କ୍ଷୀର ଦୁହିଁ ଆଣନ୍ତି । ପିଉସୀ ଅପା ଘର ବାହାରର ସବୁ କାମ, ଗୋରୁଗାଈଙ୍କୁ ଘାସ ଖୁଆଇବା ଠାରୁ କୁଣ୍ଡାପାଣି ଦେବା, ପିଲାମାନଙ୍କୁ ତେଲ ଲଗେଇବା ଠାରୁ ମୁଣ୍ଡ କୁଣ୍ଡେଇ ସ୍କୁଲକୁ ପଠେଇବା ପର୍ଯ୍ୟନ୍ତ ସବୁ କାମ ପାଇଁ ହାମୁଡେଇ ପଡ଼ିଥାଏ। ଆମ ମାନଙ୍କ ମୁଣ୍ଡରେ ଏତେ ତେଲ ଲଗେଇ ଦେଇଥାଏ ଯେ କଲି ଦେଇ ଦୁଇ ଧାର ତେଲ ଗାଲ ପର୍ଯ୍ୟନ୍ତ ବୋହିଯାଉଥାଏ । ଦେଖିଲା ଲୋକ କହିବ ବଡ଼ଘରର ପିଲା।


ମା' ରୋଷେଇ ବାସ ଠାରୁ ଘର ଭିତରର ଯାବତୀୟ କାମରେ ବ୍ୟସ୍ତ। ନାକ ପୋଛି ବାକୁ ବି ତର ନଥାଏ। ନଣନ୍ଦ ଭାଉଜଙ୍କ ଭିତରେ ଭଲ ସମ୍ପର୍କ ଭିତରେ ବି ବେଳେ ବେଳେ ଯେ ଟିକିଏ କଳିଗୋଳ ନ ହୁଏ ତା ନୁହେଁ। ପିଉସୀ ଅପା ଦିନ ଯାକ ମାଆଙ୍କର ଭୁଲ୍ ତୃଟିର ଲମ୍ବା ଚଉଡ଼ା ସୂଚୀ ଟିଏ ତିଆରି କରିରଖିଯାଏ। ବାପା ବାହାର କାମରେ ଥକି ହାରି ଫେରିବା ବେଳକୁ ପିଉସୀ ଅପା ତା ଫେରାଦର ଫର୍ଦ୍ଦ ଧରି ହାଜର। ମର୍ଦ୍ଦ ପୁଅ! ପୁଣି ବିଧବା ବଡ଼ ଭଉଣୀକୁ ବଡ଼ ମାନନ୍ତି,ଭଲ ବି ପାଆନ୍ତି। ଅଗତ୍ୟା, ଏକ ପାଖିଆ ବିଚାରରେ ଦୋଷୀ ବିଚାରୀ ମା' ଉପରେ ହୋଇଯାଏ ଗାଳି ବର୍ଷଣ। ମାଆର ଆଖି ଛଳ ଛଳ। ସୁଧାର ଗାଈ ଟି ପରି ଚୁପଚାପ ସବୁ ସହିଯାଏ । ମୁହଁ ଖୋଲି ଜବାବ ଦେବା ଆମେ କେବେ ଶୁଣିନୁ। ସେଥିପାଇଁ ତା ଉପରେ ଆମର ବଡ଼ ଦୟା। ଆଉ ପିଉସୀ ଅପା ଉପରେ ବଡ଼ ରାଗ। ଟିକିଏ ବଡ଼ ହେଲା ପରେ ପିଉସୀ ଅପା ଆମକୁ ରାମାୟଣର ମନ୍ଥରା ଚରିତ୍ର କଥା ମନେ ପକେଇ ଦେଉଥିଲେ। ସେ କିନ୍ତୁ ଆମ ମାନଙ୍କୁ ବହୁତ ଭଲ ପାଉଥିଲେ।


ମୁଁ ଭାଇ ଭଉଣୀ ମାନଙ୍କ ଭିତରେ ଭଲ ପଢୁଥିଲି। ଶ୍ରେଣୀରେ ପ୍ରଥମ ହେଉଥିଲି। କିନ୍ତୁ ଥରୁଟିଏ ବି ବାପା ମୋ ପିଠି ଥାପୁଡେଇ ସାବାସୀ ଦେଇ ଥିବା କଥା ମନେ ନାହିଁ। ଅନ୍ୟ ସାଙ୍ଗ ମାନେ ମୋ ଠାରୁ କେତେ କମ୍ ନମ୍ବର ରଖି ମଧ୍ୟ ସେମାନଙ୍କ ବାପାଙ୍କ ଠାରୁ କେମିତି ଗେହ୍ଲ, ଆଦର ପାଉଥିଲେ; ମୋତେ ସେଥିପାଇଁ ବଡ଼ ବାଧୁଥିଲା। ଥରେ ତ ମୋତେ ସନ୍ଦେହ ହେଲା ଯେ ସେ ମୋତେ ଆଦୌ ଭଲ ପାଆନ୍ତି ନାହିଁ। ଘରୁ ବାହାରି ପଳେଇ ଯିବା ପାଇଁ ମନ ସ୍ଥିର କରି ନେଇଥିଲି। ଖରା ଦିନ। ଦିନ ଦି'ପହର ଖରା ବେଳେ ବାପା ଖାଇସାରି ବାଡ଼ି ପଟେ ଆମ୍ବତୋଟାରେ ଖଟ ଉପରେ ବିଶ୍ରାମ ନେଉଥାଆନ୍ତି। ମା' ପାଖରେ ବସି ତାଳପତ୍ର ପଙ୍ଖା ଟିଏରେ ତାଙ୍କ ମୁଣ୍ଡକୁ ବିଞ୍ଚି ଦେଉଥାନ୍ତି। ପବନଟା ସେଦିନ କାହିଁକି ଦାଉ ସାଧିଲା ଭଳି ପୂରାପୁରି ବନ୍ଦ ହୋଇ ଯାଇଥାଏ। ଆମ୍ବ ଗଛର ପତ୍ରଟିଏ ବି ହଲୁ ନଥାଏ। ମୁଁ ଗଛର ଆର ପାଖରେ ବସିଥାଏ। ପାଚିଲା ଆମ୍ବଟିଏ କୁଆ,କୋଇଲି ମାନେ ଖସେଇ ପକେଇଲେ ଧରି ଦୌଡିବି।


ଏତିକି ବେଳେ ମା' ଆରମ୍ଭ କଲା।


" ଛୁଆଟା ପରୀକ୍ଷାରେ ଏତେ ଭଲ କଲା। ବୃତ୍ତି ପାଇଲା। ତମେ ତା ନମ୍ବର ଦେଖି ଖୁସି ତ ହେଲ ନାହିଁ । ଓଲଟା କହିଲ, ଶହେରୁ ସତୁରୀ ନମ୍ବର ରଖିଲୁ। ଆହୁରି ତିରିଶ ନମ୍ବର ପ୍ରଶ୍ନର ଉତ୍ତର ତୁ ଦେଇ ପାରିଲୁନି। ଆହୁରି ଅଧିକ ପଢ୍। ଚେଷ୍ଟା କର୍ ସେଇ ତିରିଶ ନମ୍ବର କେମିତି ପାଇବୁ। ଅନ୍ୟ ପିଲାଙ୍କ ଠାରୁ ସବୁବେଳେ ଆଗରେ ରହୁଛି। ଟିକିଏ ଖୁସିରେ ପଦେ କହିଦେଇଥିଲେ କଣ ମହାଭାରତ ଅଶୁଦ୍ଧ ହୋଇ ଯାଇଥାନ୍ତା ନା କଣ? ପିଲାଟା ସବୁବେଳେ ଦୁଃଖ କରୁଛି ଯେ ଅନ୍ୟ ପିଲାମାନେ ଖାଲି ପାସ୍ ହେଲେ ବି ତାଙ୍କ ବାପା ମାନେ କେତେ ଖୁସି ହେଉଛନ୍ତି ଆଉ ତମେ ତାକୁ ଥରୁଟିଏ ମଧ୍ୟ ଟିକିଏ ବି ପ୍ରଶଂସା କରୁନ।"


ବାପାଙ୍କ ଆଖି ମାଡ଼ି ଆସୁଥିଲା। ହଠାତ୍ ଖୋଲି ଗଲା। ମୁଁ ଟିକିଏ ଦୂରରେ ଥାଇ ସବୁ ଶୁଣୁଥିଲି। ଡରି ଗଲି , ବୋଧହୁଏ ଆଜି ମା'ଙ୍କ ଉପରେ ଜୋର ସୋର ଗାଳି ପଡ଼ିଲା।

ବାପା କହିବାର ଶୁଣିଲି," ତୁ ବୁଝି ପାରିବୁନି ମୁଁ ଛୁଆ ଟା ପାଇଁ କେତେ ଖୁସି। ତା ପାଇଁ ମୋର ଗାଁ ଭିତରେ ନାମ ଡାକ। କିନ୍ତୁ ମୁଁ ଯଦି ଅନ୍ୟ ବାପା ମାନଙ୍କ ପରି ତା ପିଠି ଥାପୁଡେଇ ତା' ର ପ୍ରଶଂସା କରେ ପିଲାଟାର ମଗଜ ଭାରି ହୋଇଯିବ। ଆଉ ଭଲ ପଢିବାରେ ମନ ଦେବ ନାହିଁ।ତେଣୁ ମୁଁ ମୋ ଇଚ୍ଛାକୁ ଦବେଇରଖେ। ତାକୁ ଟିକିଏ ଖୁସି ହୋଇ ଦି' ପଦ ପ୍ରଶଂସା କଲେ ମୁଁ ନିଜେ କେତେ ଖୁସି ହୁଅନ୍ତି। କିନ୍ତୁ ନା, ସେମିତି କରି ମୁଁ ପିଲା ଟାକୁ ବିଗାଡି ଦେବାକୁ ଚାହେଁନା।"


ଗଛ ଏପଟେ ମୋ ଆଖିରୁ ଦୁଇ ଧାର ପାଣି ବୋହି ଯାଉଥିଲେ। ସେମାନଙ୍କ ଉପରେ ମୋର କୌଣସି ଆୟତ୍ତ ନଥିଲା। ଘର ଛାଡ଼ି ପଳେଇ ଯିବା କଥା ଭାବି ଥିବାରୁ ବହୁତ ପସ୍ତେଇ ହେଲି।


ସମୟ ତା ବାଟରେ ଆଗେଇ ଯାଉଥାଏ। ସବୁ କିଛି ଠିକ୍ ଠାକ ଚାଲିଥିଲା।ଦଇବକୁ ବୋଧହୁଏ ଆମର ଏତେ ଖୁସି ବରଦାସ୍ତ ହେଲା ନାହିଁ।

ବିଲରେ ଧାନ ଗଛ ଆଣ୍ଠୁଏ ସରିକି ହେବେଣି। ଶ୍ରାବଣ ସରି ଭାଦ୍ରବ ପଶିବ। ବର୍ଷାର ନାଁ ଗନ୍ଧ ନାହିଁ। ଲୋକେ ତଥାପି ଆଶା ରଖିଥିଲେ କିଛି ବର୍ଷା ହୋଇ ଗଲେ ଭୋଦୁଅ ପାଣି ପାଇ ଧାନଗଛ ମାନେ ହସି ଉଠିବେ। ଖତ ସାର ତ ବିଞ୍ଚା ସରିଛି। ପାଣି ଟିକିଏ ଲାଗିଲେ ଗଛ ସବୁ ଖେଳି ଉଠିବେନି! ନା, ସେମିତି କିଛି ହେଲାନି। ଆକାଶରୁ ଖାଲି ନିଆଁ ଝରୁଥାଏ। ପୋଖରୀ ଗାଡ଼ିଆରେ ଯେତେ ଯାହା ପାଣି ଥିଲା ସବୁ ନାଳ କାଟି କ୍ଷେତବାଡିରେ ମଡେଇ ଦିଆହେଲା। କିନ୍ତୁ ସେଥିରେ ବା କଣ ହୁଅନ୍ତା । ସମୁଦ୍ରକୁ ଶଙ୍ଖେ ପାଣି।!


ବିଲରେ ଧାନଗଛ ସବୁ ଶୁଖି ଗଲେ। ଶେଷରେ ନିରାଶ ହୋଇ ଲୋକେ ଗୋରୁଗାଈ ଛାଡ଼ି ଦେଲେ କ୍ଷେତ ଖମାରରେ ଚରିବା ପାଇଁ। ଦୁର୍ଭିକ୍ଷର ପଦଧ୍ଵନି ସ୍ପଷ୍ଟ ଶୁଭି ଯାଉଥିଲା। ତା ସହିତ ରହି ରହି ଶୁଭି ଯାଉଥିଲା ଅସହାୟ ଚାଷୀ କୂଳର ଆର୍ତ୍ତନାଦ। ସେ ଗୋଟିଏ ବର୍ଷର ଦୁର୍ଭିକ୍ଷକୁ ଅଧାପେଟରେ ଚାଷୀ ପରିବାର ତଥାପି ସମ୍ଭାଳି ନେଇଥାନ୍ତା। କିନ୍ତୁ ପର ପର ଦୁଇ ବର୍ଷର ଅନାବୃଷ୍ଟି ଅନ୍ୟ ଅନେକଙ୍କ ଭଳି ଆମ ଘରର ଅଣ୍ଟା ଭାଙ୍ଗି ଦେଲା। ଘରେ ଘରେ ଅନାହାର। ମଧ୍ୟବିତ୍ତ ଚାଷୀ ଚାଷ ଛାଡ଼ି ଦେଲେ। ବାପାଙ୍କ କାନ୍ଧରେ ପ୍ରଥମ ଥର ଲୁଗାର ଭାର ଦେଖି ମା'ର ଆଖି ସ୍ତବ୍ଧ ହୋଇ ଗଲା । ଲୁହ ନଥିଲା ସେଥିରେ। ଖାଲି ଥିଲା କୋହ।


କିନ୍ତୁ କିଛି ତ କରିବାକୁ ପଡ଼ିବ।ନ କଲେ ନୁହେଁ। ବାପା ସାଜିଲେ ଲୁଗା ବେପାରୀ। ଏ ହାଟରୁ ସେ ହାଟକୁ କାନ୍ଧରେ ବୋହି ବିକ୍ରି କରି ଯାହା ଦି' ପଇସା ରୋଜଗାର କରୁଥିଲେ ସେଇଥିରେ ହିଁ ଚଳୁଥିଲା ଘର ସଂସାର। ଭାତ ଜାଗାରେ ଖାଇବା ଥାଳିରେ ଆବିର୍ଭୁତ ହେଲା ରୁଟି। ସେ ପୁଣି ମାର୍କୀନ୍ ଯୁକ୍ତରାଷ୍ଟ୍ରର ବଦାନ୍ଯତା ରେ।ସାରା ଦେଶରେ ଖାଦ୍ୟ ସାମଗ୍ରୀର ଘୋର ଅଭାବ ପଡ଼ିଯାଇଥିଲା।

ବାପାଙ୍କ ଲମ୍ବା ସାର୍ଟ ପକେଟରେ ଗୋଟିଏ କନାର ମୁଣି ଥାଏ। ସେଥିରେ ସେ ରଖୁଥିଲେ ତାଙ୍କ ରୋଜଗାରର ଫଳ। କଣା ତମ୍ବା ପଇସା ଠାରୁ ଆରମ୍ଭ କରି ଏକ ପଇସା, ଦୁଇ ପଇସା,ଚାରେଣି,ଆଠେଣି। ଟଙ୍କିକିଆ ଉପରକୁ ହେଲେ ନୋଟ । ବାପା ହାଟରୁ ଫେରିଲେ ସାର୍ଟ ଖୋଲି ଟାଙ୍ଗିଦିଅନ୍ତି କାନ୍ଥରେ ପିଟାହୋଇଥିବା ଗୋଟିଏ ନିର୍ଦ୍ଦିଷ୍ଟ କଣ୍ଟାରେ। କେତେବେଳେ କେମିତି ମା' , ବାପାଙ୍କ ପକେଟ୍ ରୁ ଚାରେଣି ଟିଏ କି ବଡ଼ ହେଲେ ଆଠେଣି ଟିଏ ଆଣି ମୋତେ ଦେଇ ଗାଁ ଦୋକାନରୁ ସଉଦା ଆଣିବାକୁ ପଠାଏ। ଆମ ସାଙ୍ଗ ମାନେ କେତେବେଳେ କେମିତି ତାଙ୍କ ଘରୁ ପାଞ୍ଚ ଦଶ ପଇସା ଆଣି ଶନିଆ ମନୋହାରୀ ଦୋକାନୀ ପାଖରୁ ଲେବେନଚୁଷ୍ କି ଚେନାଚୁର ଆଣି ଦେଖେଇ ଦେଖେଇ ଖାଆନ୍ତି। ମୋର ବି ମନେ ହେଉଥାଏ ମୁଁ ବି ସେମିତି ଖାଆନ୍ତି ସେ ସୁଆଦିଆ କମଳା ଲେବେନଚୁଷ୍ , ଚେନାଚୁର କି ବିସ୍କୁଟ୍। ଧୀରେ ଧୀରେ ସାହସ ଜୁଟେଇଲି। ପଇସେ, ଦି' ପଇସା ପାଞ୍ଚ ପଇସା ରୁ ଦଶ ପଇସା। ସବୁବେଳେ ଲକ୍ଷ୍ୟ କରି ଦେଖୁଥାଏ ବାପା ଜାଣି ପାରୁଛନ୍ତି କି ନାହିଁ। ସାହସ ବଢ଼ିବାରେ ଲାଗିଥାଏ। ବାଘ ରକ୍ତ ଚାଖିଲା ପରେ ନିଜକୁ ସମ୍ଭାଳେ ବା କେତେକେ?


ଦିନେ ବାପା ବଡ଼ ହାଟକୁ ଯାଇଥିଲେ। ବାରିକପୁର ହାଟ। ଦି'ଦିନ ପରେ ଫେରିଥାନ୍ତି ତୃତୀୟ ଦିନ। ଚାଲି ଚାଲି ପାଦରେ ବିଣ୍ଡି ପଡ଼ି ଯାଇଥାଏ। ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଥାନ୍ତି ସେ। ଧୀରେ ଧୀରେ ଗଲି ସାର୍ଟଟା ଟିକିଏ ଉଚ୍ଚା ଜାଗାରେ ଟାଙ୍ଗି ଦେଇଥାନ୍ତି। ପାଖରେ ଥିବା କାଠର ବାକ୍ସଟିକୁ ଆଣି ତା ଉପରକୁ ଅତି ସାବଧାନ ହୋଇ ଚଢିଗଲି। ପକେଟ୍ ଭିତରକୁ ହାତ ପୁରେଇ ଦେଖିଲି ବେଶ ଫୁଲା ଫୁଲା ଲାଗିଲା ଟଙ୍କା ଥଳୀ ଟା। ତା' ନାଡ଼ ଫିଟେଇ ଭିତରେ ହାତ ଭର୍ତ୍ତି କଲି। ଛାତି ଧଡ଼ ଧଡ଼ କରୁଥାଏ। ଯାହା ପାଇଲି ମୁଠାରେ ମୁଠେଇ ଏକା ନିଶ୍ଵାସ କେ ଦେ ଚମ୍ପଟ।


ଶନିଆ ଦୋକାନରେ ଦିପହରେ ଫାଙ୍କା ଥିଲା। ଶନିଆ ଗୋଟିଏ ବଡ଼ ତେଲ ଡବାରୁ ଛୋଟ ଡବାକୁ ତେଲ ଢାଳୁଥିଲା। ମୋତେ ଦେଖି ହସି ଦେଲା। ତା କାମ ସାରି ମୋ ଆଡ଼କୁ ଆସିଲା। ସବୁଯାକ ପଇସା ତା' ହାତରେ ଧରେଇ ଦେଲି। ସେ ମୋ ଆଡ଼େ ଥରେ ଦେଖୁଥାଏ ତ ପଇସା ଆଡ଼କୁ ଥରେ। କିନ୍ତୁ ପଇସା ଉପରେ ଆଖି ଦୁଇଟି ଯେମିତି ଜମି ଯାଇଛି! ଶୀଘ୍ର ଶୀଘ୍ର ଗଣି ପକେଇଲା।

" କଣ ନବୁ କହ।" ମୋ ଆଡ଼କୁ ଅନେଇ ପଚାରିଲା ସେ।

" ଲେବେନଚୁଷ୍, ଚେନାଚୁର୍, ମୋ ସାନ ଭଉଣୀ ପାଇଁ ରିବନ, ପିଇସୀ ଅପା ପାଇଁ ଶିଙ୍ଗ ଫାନିଆ ଆଉ ମା' ପାଇଁ ଛୁଞ୍ଚି ସୁତା। "

" ଆଉ ତୋ ଭାଇ ମାନଙ୍କ ପାଇଁ କିଛି ନବୁନି? ବାପା ଙ୍କ ପାଇଁ କିଛି ନ ନେଲୁ ନାହିଁ।" ଦୋକାନୀ ହସି ହସି ପଚାରିଲା।

" ନା, ନା ସେମାନେ ମୋତେ ପିଟନ୍ତି। ଯାତରା ଯାଆନ୍ତି, ମୋତେ ନିଅନ୍ତିନି। ସେମାନଙ୍କ ପାଇଁ କିଛି ଦିଅନା।"

ଗୋଟିଏ ବଡ଼ କାଗଜ ଠୁଙ୍ଗାରେ ମୋର ବରାଦ କଲା ଜିନିଷ ସବୁ ଭରି ଦେଇ ମୋ ହାତକୁ ବଢେଇଦେଲା ଶନିଆ। ଛାତି ତଥାପି ଧଡ଼ପଡ଼ ହେଉଥିଲା। ଧୀରେ ଧୀରେ ଘରର ପଛ ପଟ କବାଟ ଖୋଲି ଘର ଭିତରକୁ ପଶିଲି। ଆମ ଘରେ ସେତେବେଳେ କବାଟରେ ଏମିତି ବି ଭିତର ପଟୁ ଛିଟିକିଣି ଦିଆଯାଉନଥିଲା।


ଘର ଭିତରେ ଠୁଙ୍ଗାଟିକୁ ବଡ଼ ଯତ୍ନରେ ମୋ ସ୍କୁଲ ବସ୍ତାନୀ ପାଖରେ ଅନ୍ଧାରୁଆ ଜାଗା ଦେଖି ଲୁଚେଇଦେଲି। ପାଦ ଚିପି ଚିପି ଘରୁ ବାହାରି ଆସି ମା' ଶୋଇଥିବା ମସିଣାରେ ଆଖି ବନ୍ଦ କରି ଶୋଇରହିଲି। ନିଦ ବା ଆସୁଛି କୋଉଠି?


ସନ୍ଧ୍ୟା ହୋଇ ଆସୁଥାଏ। ଗାଁ ଦାଣ୍ଡରେ ଧୁଳି ଉଡେଇ ଉଡେଇ ଗୋରୁଗାଈଙ୍କୁ ଧରି ଗାଇଆଳ ପିଲା ପୁରୁଣା ଗୀତ ଟିଏ ଗାଇ ଗାଇ ମନ ଖୁସିରେ ଫେରୁଛି। ଗାଁ ର ଝିଅ ବୋହୂ ମାନେ ପୋଖରୀ ଆଡ଼କୁ କଥା କହି କହି ଯାଉଥାନ୍ତି। କାହା ଭାରିଜାର ଖଡୁ ମାଡରେ ଗିରସ୍ତ ଘର ଛାଡ଼ି ପଳେଇଛି ,କାହା ମାଇପକୁ ଯାତ୍ରା ପାର୍ଟି ର ରାଜୁ ରଖିଛି, ଏମିତି କେତେ କଣ ଚର୍ଚ୍ଚା ଚାଲିଛି ମାଇପି ପଲରେ। ସେସବୁର ଅର୍ଥ ବୁଝି ପାରିବାର ବୟସ ହୋଇ ଥିଲା ମୋର ନା ଇଚ୍ଛା ଥିଲା ସେ ସବୁକଥାକୁ ବୁଝିବା ପାଇଁ। ମୋ ମନ ଥିଲା ଅସ୍ଥିର। କୋଉ ଥିରେ ହେଲେ ମନ ଲାଗୁ ନ ଥିଲା।


"ରାମ ଭାଇ,ଘରେ ଅଛ ତ?" କହୁ କହୁ ଘର ଭିତରକୁ ପଶିଆସିଲେ ପାଖ ସହରର ସେଇ ମାରୁଆଡୀ ଜଣକ, ଯିଏ ମଝିରେ ମଝିରେ ଆସି ବାପାଙ୍କ ପାଖରେ ମଝି ବାହାର ପିଣ୍ଡାରେ ବସି କଣ ହିସାବ ପତ୍ର କରନ୍ତି। ପଇସା ପତ୍ର ଲେଣ ଦେଣ ହୁଏ। କେତେ ବେଳେ କେମିତି ସେ ଲୁଗାପଟା ବି ଦେଇଯାଆନ୍ତି।

ପିଇସୀ ଅପା ଆସି ମସିଣା ପାରିଦେଇ ଗଲା। କଂସା ଗିଲାସରେ ଦୁଇ ଗିଲାସ ପାଣି ବି ଦେଇଗଲା। ରାମ ପ୍ରସାଦ ନାମ୍ନୀ ଭଦ୍ର ଲୋକ ଜଣଙ୍କ ମସିଣାରେ ବସି କାନ୍ଥକୁ ଆଉଜି ବସିଲେ। ବାପା ହାତ ମୁହଁ ତାଙ୍କର ପାଚିଲା ଗାମୁଛାରେ ପୋଛୁ ପୋଛୁ ଆସିବା ଭିତରେ ଦୁଇ ଜଣ ପରସ୍ପରକୁ ହାତ ଯୋଡ଼ି ରାମ ରାମ କହି ଅଭିବାଦନ କରି ସାରିଲେଣି।


କେଇ ପଦ ଭଲ ମନ୍ଦ,ବାପାଙ୍କର ବାରିକପୁର ହାଟ କେମିତି ଗଲା, ବୟସ ବଢୁଛି, ଏଣିକି ଆଖପାଖ ହାଟରେ ଇ ଯାହା ପାରୁଛ ବେଉସା କର ଇତ୍ୟାଦି କଥୋପକଥନ ଭିତରେ ରାମ ପ୍ରସାଦ ନାମକ ବ୍ଯକ୍ତି ଜଣଙ୍କ ବାପାଙ୍କ ଉପରେ ଅନେକ ଟଙ୍କା ବାକି ପଡ଼ିଗଲାଣି, ତଥାପି ତାଙ୍କ ପାଖରେ ରହିବା ଯାହା ରାମ ପ୍ରସାଦଙ୍କ ଘରେ ରହିବା ବି ସେଇ ଏକା କଥା କହିସାରି ସିଧା ତାଙ୍କ ଆସିବାର ଅଭିପ୍ରାୟ ଆଡ଼କୁ ଚାଲି ଆସିଲେ।


" କଣ କହିବି ରାମଭାଇ, ତମ ଭଳି ଲୋକ ଆଉ ଦୁନିଆରେ ନାହାନ୍ତି। କାଲି କାଲି କହି ସମୟ ଗଡେଇ ଚାଲିଛନ୍ତି। ବାକି ପଇସା ଶୁଝିବାର ନାଁ ନାହିଁ। ଆହୁରି ଅଧିକ ଅଧିକ ବାକି ମାଗୁଛନ୍ତି। ନ ଦେଲେ ପୁରୁଣା ବାକି ଟଙ୍କା ତକ ବୁଡ଼ିଲା ଜାଣ।


ହଁ, ମୁଁ କଣ କହୁଥିଲି କି ଭାଇ, ଆଗାମୀ ମଙ୍ଗଳା ହାଟ ପାଇଁ ଆମେ କଲିକତା ଯାଉଛୁ। କିଛି ନୂଆ ଡିଜାଇନର ପୋଷାକ ପତ୍ର ନ ଆଣିଲେ ନୁହେଁ। ଯେତେ ଅଧିକ ମାଲ୍ ନଗଦ ଟଙ୍କାରେ କିଣିବ ସେତେ ଶସ୍ତାରେ ମିଳିବ। ତେଣୁ ପୁରୁଣା ହିସାବ ଟା ତୁଟେଇଦେଲେ ତମକୁ ବି ଶସ୍ତାରେ ମାଲ୍ ଦବା କଥା ଭାବୁଥିଲି। " ଏ ଭିତରେ ପିଇସୀ ଅପା ଦୁଇ କପ୍ ଚାହା ଆଣି ଦେଇଗଲାଣି।


ବାପା ଘର ଭିତରକୁ ଉଠିଗଲେ ଓ ତାଙ୍କର ଟଙ୍କା ଥଳୀଟି ଧରି ଫେରି ଆସିଲେ। ଖୁଚୁରା ପଇସାକୁ ଅଲଗା କରି ଆଗ ନୋଟ ସବୁ ଗଣିଗଲେ। ଖୁଚୁରା ପଇସା ସବୁ ପାଞ୍ଚ ପଇସା, ଦଶ ପଇସା ଏମିତି ହିସାବରେ ଥାକ ଥାକ କରି ଗଣିଲା ପରେ ଥମ୍ କରି ବସି ଗଲେ।


ଟିକିଏ ଦୂରରେ ନଇଁଆସୁଥିବା ସନ୍ଧ୍ୟାର ଅନ୍ଧକାର ଭିତରେ ଥାଇ ମୋ କଲିଜା ଭିତର ଟା ଯେମିତି କୋରି ହୋଇ ଯାଉଥାଏ।ଛାତିଟା ଖାଲି ଉଠୁଥାଏ ,ପଡୁଥାଏ। ମୁଁ ଗାଁ ମୁଣ୍ଡରେ ଥିବା ଦେବୀ ମା'ଙ୍କୁ ଆକୁଳ ବିକଳ ହୋଇ ଡାକୁଥାଏ ," ମା' ଲୋ, କଣ ହେବ? ଏଥର ବଞ୍ଚେଇଦେ। ଆଉ କେଭେ ବି ଇମିତି କାମ କରିବି ନାହିଁ। "


ରାମ ପ୍ରସାଦ କହୁଥାନ୍ତି," ରାମ ଭାଇ, କଣ ହେଲା? ତମ ପାଖକୁ ବଡ଼ ଆଶା ନେଇ କି ଆସିଥିଲି। ତମେ ବି ଆଉ ପାଞ୍ଚ ଜଣଙ୍କ ପରି ବାହାନା କରି ଟଙ୍କା ଦେବାରେ ଟାଳଟୁଳ କରିବ ଏକଥା ମୁଁ ଭାବି ବି ନଥିଲି। "


ବାପାଙ୍କ ଆଖି ଜକେଇ ଆସିଥିଲା। ତାଙ୍କ ଭଳି ଏତେ ଦମ୍ଭିଲା ଲୋକ ବି ଏମିତି ଦୁର୍ବଳ ହୋଇ ପାରନ୍ତି ଏ କଥା ଯେମିତି ଭାବିବା ବି ସମ୍ଭବ ନ ଥିଲା ମୋ ପକ୍ଷରେ।


ସେ ଯୁଗରେ ମୁଁ ଚୋରି କରିଥିବା ଟଙ୍କାର ପରିମାଣ ଥିଲା ପନ୍ଦର ଟଙ୍କା। ଆଉ ବାପା ସେଦିନ ରାମ ପ୍ରସାଦଙ୍କ ଆଗରେ ମୁହଁ ତଳକୁ କରି ବସି ରହିଥିଲେ କଥା ଦେଇ କଥା ରଖିନପାରିଥିବା ଜଣେ ମିଥ୍ୟା ବାଦୀର ଅପବାଦ ମୁଣ୍ଡରେ ମୁଣ୍ଡେଇ। ଯାହା ଦେବା କଥା ଥିଲା ତାଠାରୁ ପନ୍ଦର ଟଙ୍କା କମ୍ ନେଇ ରାମ ପ୍ରସାଦ ଘରୁ ବାହାରି ଗଲେ।


ବାପାଙ୍କ ମୁଣ୍ଡକୁ ଯେମିତି ପିତ୍ତ ଚଢି ଯାଇଥିଲା। ପାଞ୍ଚଣ ବାଡ଼ି ଟିଏ ପଡ଼ିଥିଲା ଯେଉଁ ଥିରେ ବଳଦ ମାନଙ୍କୁ ହଳ ଜୋଚିଲା ବେଳେ ପାହାରେ ଦି ପାହାର ଦେଲେ ଦିନ ଯାକ ଆଉ ପିଟିବାକୁ ପଡ଼ିନଥାଏ। ସେଦିନ ସେ ବାଡ଼ିରେ ପ୍ରଥମ ଥର ପାଇଁ ପିଟିଲେ ମୋ ବଡ଼ ଭାଇଙ୍କୁ ଅତି ନିର୍ଦ୍ଦୟ ଭାବରେ। ତାଙ୍କର ସବୁବେଳେ ଟିକିଏ ଭଲ ଖାଇବା, ଆଉ ଭଲ ପିନ୍ଧିବା ଆଦି ଆଡ଼କୁ ଥାଏ ଗୋଟିଏ ଅହେତୁକ ଆଗ୍ରହ। ଆଉ ସେଥିପାଇଁ ସେ ହିଁ ଟଙ୍କା ତକ ଚୋରି କରିଥିବା ଯେମିତି ଥିଲା ବାପାଙ୍କ ପାଇଁ ଦିବାଲୋକ ଭଳି ସତ୍ୟ। ମା' ଦଉଡ଼ି ଆସି ଭାଇକୁ ବାପାଙ୍କ ହାତରୁ ଛଡେଇ ନେବା ଭିତରେ ମୁଁ ଯାଇ ବାପାଙ୍କ ଗୋଡ଼ ଧରି, ମୁଁ ହିଁ ସେ ଟଙ୍କା ଚୋରି କରିଥିବା କଥା ମାନିଗଲି। ବାପାଙ୍କ ମନରେ ଅବିଶ୍ଵାସର ଝଞା। ହୃଦୟ ଖଣ୍ଡ ବିଖଣ୍ଡିତ ହୋଇପଡୁଛି ।ତାଙ୍କର ପ୍ରିୟ ପୁତ୍ରଟି ଯେ ଏମିତି କରି ପାରିବ ଏହା ତାଙ୍କ ଚିନ୍ତାର ବାହାରେ। ମୁଁ ହାତ ଟେକି ଅପେକ୍ଷା କରିଥାଏ ତାଙ୍କର ସେଇ ପାଞ୍ଚଣ ବାଡ଼ିର ପ୍ରହାରକୁ। କିନ୍ତୁ ଏ କଣ ହେଲା? ପାଷାଣ ଟି ତରଳି ଗଲା। ସେଇ ପଥରରେ ତିଆରି ମଣିଷଟିର ଆଖିରୁ ଅମାନିଆ ଲୁହ ସବୁ ଝରି ଯାଉଥିଲେ ବାଡ଼ ବନ୍ଧ ନ ମାନି।


ସେଇ ଦିନ ଠାରୁ ମୁଁ ବି ପରିବର୍ତ୍ତିତ ହୋଇ ଯାଇଥିଲି ଦସ୍ୟୁ ରତ୍ନାକରରୁ ବାଲ୍ମୀକିରେ।



Rate this content
Log in

Similar oriya story from Tragedy