ମଣିଷ ପଣିଆ
ମଣିଷ ପଣିଆ
ଟ୍ରାଫିକ୍ ଜାମ୍....
ଏ ବୁଢ଼ା ମଉସା! ବାଜିବ ,ରହ ରହ ;ଆରେ ଅଟକି ଯାଅ ବାଡେଇ ହୋଇଯିବ ।
ଓଃ ...କଣ କହିବ ଏ ବୁଢା ଲୋକଗୁଡାଙ୍କୁ । ଯା...ସଇଲା.. ।
ଯେତିକ ବୁଢା ହଡା ମୁଖ୍ୟ ରାସ୍ତାକୁ ବଡ଼ ଲୋକଙ୍କ ଗାଡି ତଳେ ମରିବାକୁ ଚାଲି ଆସୁଛନ୍ତି । ଏ ଶୁଭୁଛି ନା ନାହିଁ; ଭିଡ଼ ରାସ୍ତାଟାରେ କାହିଁକି ଏପଟ ସେପଟ ହେଉଛ । ମରିବାକୁ ବସିଲଣି ରାସ୍ତାର ବାଁ କଡେ ଚାଲନ୍ତି ଜାଣିଲନି,ଗୁଡ୍ ବକ୍,କାହାଁକା । କାର୍ ଡୋର ପଟେ ମୁହଁ ଗଳେଇ ଚିତ୍କାର କରୁଥିଲେ ଡ୍ରାଇଭର୍ । ରୀତି ମତ ବେଉସା ହୋଇଗଲାଣି ଏ ବୁଢା ଗୁଡାଙ୍କର । ଜାଣି ଜାଣି ଗାଡ଼ିରେ ବାଡେଇ ହୋଇ ପଡିଯିବେ । "ୟାଙ୍କ ଲୋକ ଆସି ହାଂକିବେ ଦେ ମାଲ୍ ବାହାର କର । ଭାରି ସଉକ୍ ଲାଗୁଛି ଗାଡି ଚଢ଼ିବାକୁ । ହଇଓ ବାବୁ ଗାଡି ଠିକ୍ ରେ ଶିଖିନ ଯଦି ରାଜରାସ୍ତାକୁ କାହିଁକି ଚାଲି ଆସୁଛ?କାଡ଼ କାଡ଼ ପାଞ୍ଚ ହଜାର;ନଲେ ଚାଲ ପୋଲିସ୍ ଷ୍ଟେସନ । "
ଏମିତି ଧମକାଇ ଲୁଟୁଛନ୍ତି ଆଜିକା ଛୋଟ ଲୋକେ ବଡ଼ ଲୋକଙ୍କୁ । କାହିଁକି କେଜାଣି ଏ ଛୋଟ ଲୋକ ଗୁଡା ଦେଖି ସହି ପାରନ୍ତି ନାହିଁ ବଡ଼ ଲୋକ ଗୁଡାଙ୍କୁ?ମନେ ମନେ ବିରକ୍ତ ହେଲେ ଡ୍ରାଇଭର ଓରଫ ରାହୁଲ ମାର୍ଥା । ଆରେ ଉଠ୍ ବୁଢା ମଉସା ସେଇଠି ନେପଟେଇ କାଇଁ ପଡିଛ?କଣ ଅପେକ୍ଷା କରିଛ ତୁମ ଗ୍ୟାଙ୍ଗ ଲୋକଙ୍କୁ? । ଆସିବେ ପଇସା ଝଡେଇବେ । ଆରେ ଉଠ୍ ନା ବୁଢା ମଉସା । କିଏ କହୁଥିଲା ଏତେ ଭିଡରେ ଆସିବାକୁ?
ବୁଢ଼ା ହଡା ଗୁଡା ଏମିତି ଘରେ ଥିଲେ ବୋଲି ଲକ୍ ଡାଉନ୍ ଖୋଲୁ ଖୋଲୁ ରାସ୍ତାକୁ ବୁଲି ଆଇଲେ,ପିଲା ଟୋକାଙ୍କୁ କଣ ବାରଣ କରିବ । ବୁଦ୍ଧିଶୁଦ୍ଧି ପୋଡି ଖାଇଲେଣି ୟାପ୍ ।
ରାଜଧାନୀ ରାସ୍ତା ,କିଏ କାହା କଥା ଶୁଣୁଛି ।
ସମସ୍ତେ ସମସ୍ତଙ୍କୁ ଟପି ଯିବା ଇପ୍ସା ଘଟାଉଛି ଅଘଟଣ,ଦୁଃର୍ଘଟଣା ।
ହର୍ଣ୍ଣ ପରେ ହର୍ଣ୍ଣ ଦେଇ ଦେଇ ଚାଲିଗଲା ଗାଡିଟି । ଥର ଥର ଦେହଟାକୁ ଉଠାଇ ଅବନୀ ବାବୁ ଆଗ ଅଣ୍ଡାଳିଲେ ବ୍ୟାଗ୍ । ବ୍ୟାଗ୍?? ବ୍ୟାଗ୍ କାଇଁ??ସତେକି ହୀରା ଜେବେରାତ ଭର୍ତ୍ତୀ ବ୍ୟାଗ୍ ଟା ହେବ । ଛିଟିକି କିଛି ଦୂର୍ ରେ ପଡିଛି ବ୍ୟାଗ୍ । ଘୁଷୁରି ଘୁଷୁରି ବ୍ୟାଗ୍ ପାଖକୁ ଉଦାସ ମୁହଁରେ ଅନେଇଁଲେ ଅବନୀ ବାବୁ ।
ଭାଗ୍ୟକୁ ବ୍ୟାଗ୍ ଦେହରେ କାର୍ ଟି ଘଷି ହୋଇଗଲା
;ବ୍ୟାଗ୍ ଟି ହାତରୁ ଗଳି ପଡିଲା । ସେଇ ଦୋହଲା ଯଥେଷ୍ଟ ଥିଲା,ତାଙ୍କୁ ତଳେ ପକାଇ ଦେବା ପାଇଁ ।
ମୋଟା ଚଷମା ଫାଙ୍କରୁ ପଢି ହୋଇ ଯାଉଥିଲା ଅସହାୟତାର ଗୋଟେ ମାଟିଆ ଚିରା ଧୋତରା ଜୀବନ ବହି ପୃଷ୍ଠାକୁ ।
ଅମୂଲ୍ୟ ନିଧି ପାଇଲା ପରି ବ୍ୟାଗ୍ ଟିକୁ ଆଣି ଛାତିରେ ଜଡାଇ ଧରିଲେ ଅବନୀ ବାବୁ । ପାଜି,ବଦ୍ ମାସ ମୋତେ ଏକା କରି କୁଆଡେ ଯାଉଥିଲୁ ରେ ବ୍ୟାଗ୍ । ତୁ ବା ମୋ ନିତିଦିନିଆ ସାଙ୍ଗ । ତୋର ମୋର ଅଭେଦ ପ୍ରୀତି । ହଇରେ ତୋ ଦାୟିତ୍ୱରେ ପରିବା ଦେଇଥିଲି କଣ କଲୁ ରାସ୍ତା କଡ଼କୁ ଠିଆ ହୋଇ ମଣିଷଙ୍କୁ ତିଆରି କହିଲା ପରି ପଚାରୁଥିଲେ ଅବନୀ ବାବୁ ।
ପରିବା !! କହି ହାଉଳି ଖାଇ ଗଲେ ଅବନୀ ବାବୁ । ନିଷ୍ଠୁର ବୟସ କେଉଁଠି ଠିଆ କରାଇଛି ଆଜି ତାଙ୍କୁ!!
ବ୍ୟାଗରୁ ପରିବା ରାସ୍ତା ଯାକ ଗଡୁଥିଲା । ନିଜ ଦେହରେ କେଉଁଠି ମାଡ଼ ହୋଇଛି ସେ କଥା ଦେଖିବାକୁ ତର ନ ଥିଲା ଅବନୀ ବାବୁକୁ । ସେ ଥର ଥର ହାତରେ ଗୋଡ଼ାଇ ପକାଉଥିଲେ ପରିବାତକ । ପରିବା ରାସ୍ତା ମଝିରେ ଦାନ୍ତ ନିକୁଟି ଚକଟି ହୋଇ ଯାଉଛନ୍ତି ଶହ ଶହ ଗାଡି ଚଢ଼ାରେ । ଟିକେ ଥରି ଥରି ସେଇ ଲାଲ୍ ଟମାଟୋ ଟାକୁ ଉଠାଇ ଆଣିବାକୁ ହାତ ଗଲା ବେଳକୁ ଏପଟୁ ସେ ପଟୁ ଶୁଭୁଛି ହାଁ ହାଁ ବୁଢା ମଉସା ରହିଯାଅ,ଗାଡି ମାଡି ଯିବ ।
ଗାଜର ଶେଷ ନିଃଶ୍ୱାସ ଛାଡ଼ୁଛି ତା ଅସ୍ତିତ୍ୱ ହଜାଇ ରାସ୍ତା ପରେ । କ୍ୟାପିସିକମ୍ ଭିତରୁ ଟିକି ମଞ୍ଜି କେଇଟା ସୁକୁ ସୁକୁ ହେଉଛନ୍ତି । ଭଣ୍ଡା ମୁଣ୍ଡରୁ ଦହି ବାହାରି ପଡିଛି । ବାଇଗଲ ସ୍ଵର୍ଗାରୋହଣ କଲେଣି କେତେବେଳୁ । ହରଲିକିସ୍ ଡବାଟାକୁ ଭୋକିଲା ରାସ୍ତାଟି ଚାଟୁଛି ଜିଭକୁ ଓଠରେ ବୁଲାଇ ମହାନନ୍ଦେ । ଭେଣ୍ଡି,ପୋଟଳ ଅନ୍ତବୁଜୁ ଳା ବାହାରି ଢ଼ିମା ଢ଼ିମା ଆଖି ତରାଟି ପଡିଛନ୍ତି ଅନାଥ ଛୁଆ ରାସ୍ତା କଡେ ପଡିଲା ପରି ।
ହଂସା ଉଡ଼ିଗଲା ଅବନୀ ବାବୁଙ୍କ । କଣ କରିବେ ଏବେ?ଘରକୁ ଯାଉ ଯାଉ ବୋହୁ ଖିଙ୍କାରୀ ଗର୍ଜି ଉଠି କହିବ"ଗୋଟିଏ କାମ ବି ଠିକ୍ ସେ ହେଉ ନାହିଁ ତୁମ ଦେଇ? ପ୍ରତିଦିନ କିଛି ନା କିଛି ଅଘଟଣ ଘଟାଉଛ । ଖାଲି ବସି ବସି ଗେମ୍ଫା ମାରିବ?ଗୋଟିଏ ଲୋକ ରୋଜଗାରକୁ କେମିତି ପାଇବ? ଆଁ ?ବୁଝିଲେ ସିନା ହେବ । ଯହୁଁ ଯହୁଁ ବୁଢା ହେଉଛନ୍ତି ତହୁଁ ତହୁଁ ବୁଦ୍ଧିପସନ୍ଦ ପୋଡି ଖାଉଛନ୍ତି । କଣ କୁହନ୍ତି ତୁମକୁ । ଆଜି ଆସନ୍ତୁ ଆଦିତ୍ୟ;ଗୋଟେ କିଛି ଫଇସଲା କରିବାକୁ ପଡିବ । "
ଏପରି ଟାଇଁ ଟାଇଁ କଥା ଶୁଣି ଅବନୀ ବାବୁ ତଳକୁ ମୁହଁ ପୋତି ଦିଅନ୍ତି । ଆଖି ବାମ୍ଫେଇ ଆସେ । ଯେତେ ହୁସି
ଆରୀ ହୋଇ ବୋହୁ ଖୁସି ହେବା ପାଇଁ ଚେଷ୍ଟା କଲେ ବି ଟିନା ପଦିଏ ଭଲ କଥା ଶୁଣେଇଁବାରେ ଅତି କାର୍ପଣ୍ୟ କରେ । ଖାଲି ବିରି ଚାଉଳ ଚୋବାଏ ତାଙ୍କ ଉପରକୁ । ପରିବା ଦେଖି କୁହେ ବାଇଗଣଟି ପୋକା;ପଚା
ଟମାଟେ ,କ୍ୟାପିସିକମ୍ ଶୁଖିଲା,ବୁଢା ପୋଟଳ ଓ ଭେଣ୍ଡି । ଲଙ୍କା ଗୁଡ଼ାକର ଟିକେ ବି ରାଗ ନାହିଁ । ଟିକେ ଦେଖିକି ,ବାଛି ପରିବା ଆଣିଲେ ହୁଅନ୍ତା ନାହିଁ । ପରିବା ଦର ଯେଉଁ ଆକାଶ ଛୁଆଁ;ହାଡ଼େ ହାଡ଼େ ପଇସା ନେଉଛନ୍ତି ଦେଖି ଚାହିଁ ପରିବା ଆଣିବ ନା । ଏ ଶୁଖିଲା,ପଚା ପୋକା ପରିବା କାଇଁ ଆଣୁଛ?
ବୋହୁ ପୁଅକିଛି କହିବେ ନାହିଁ ବୋଲି ସେ ପରିବା ଏତେ ଘଣ୍ଟା ଘଣ୍ଟି କରନ୍ତି ଯେ ବେପାରିଏ କୁହନ୍ତି କଣ ମଉସା ଚବିଶି କ୍ୟାରେଡ୍ ସୁନା ବାଛୁଛନ୍ତି ନା କଣ?
ଶୁଖିଲା ହସ ଟିଏ ମୁହଁରେ ଖେଳାଇ ମନେ ମନେ କୁହନ୍ତି ତୁମେ କାହିଁ ପାଇଁ ବୁଝିବ । ପୁଅ ବୋହୁଙ୍କୁ ଖୁସି କରି ସାବାସି ପାଇବା ପାଇଁ କେତେ କସରତ କରୁଛି ଏ ଥରିଲା ହାତ ଓ ଥକିଲା ମଥା । କିନ୍ତୁ ଦିନ ଥିଲା ମୋ ପରିବା କିଣାକୁ ପ୍ରଶଂସା ରେ ପୋତି ପକାଉଥିଲା ସଖୀ ।
ବିନୀତା ମୋ ସ୍ତ୍ରୀ ,ମୋ ପୁଅ ଆଦିତ୍ୟର ମା, ମୋ ଘରଣୀ ଏମିତି ପରିଚୟରେ ମୁଁ ତାକୁ ପରିଚିତ କରି ନ ଥିଲି । ମୁଁ ତାକୁ ଡାକୁଥିଲି "ସଖୀ" ସେ ମୋତେ ଡାକୁଥିଲା "ମନୁଆ" । ମନୁଆ ଏଇଥିପାଇଁ ଯେ ମୁଁ କୁଆଡେ ମନ ମାନିଥିବ ଯଦି ଝାଡା ସଫା କରିଦିଏ ଯେ କେହିର । କିନ୍ତୁ ମନ ମାନି ନ ଥିଲେ ଯେତେ ଚନ୍ଦନ ବୋଲିଲେ ବି ଆଡ଼ ଆଖିରେ ଅନାଏଁ ନାହିଁ ।
କିନ୍ତୁ ସଖୀ ଦେଖିବୁ ଆ ତୋ ମନୁଆର ଆଉ ମନ ନାହିଁ ସତୁରୀ ଟପିଲା ପରେ । ତୁ ତ ଭାରି ସ୍ୱାର୍ଥପର ଲୋ ସଖୀ । କହୁଥିଲୁ ପରା ମୋତେ ଛାଡି କୁଆଡେ ଯିବୁନି । କେମିତି ଚାଲି ଗଲୁ ତୋ ମନୁଆକୁ ଛାଡି? ତୋ ବିନା ମୋ ପୃଥିବୀରେ ବହଳ ଅନ୍ଧାର । ଦେଖୁନୁ ଚାରି ଆଡେ କେତେ ଆଲୁଅ;ହେଲେ ମୁଁ ଅନ୍ଧାର ଭିତରେ ଚାଲୁଛି ବାଡ଼ି ମାରି ମାରି । କେତେ ଘୋ ଘୋ । ମୁଁ କିନ୍ତୁ ଭିଡ଼ ଭିତରେ ଥାଇ ବି ପୁରା ଏକା । ଆଦିତ୍ୟ ହାତକୁ ଦି ହାତ ନ ହେବା ଯାଏ ମିଞ୍ଜି ମିଞ୍ଜି ଆଲୁଅ ଟିକେ ଜଳୁଥିଲା ମୋ ଭିତରେ । ଏବେ ସେ ତା ସଂ ସାରରେ ବ୍ୟସ୍ତ ଲୋ ସଖୀ । ମୋର ଯେଉଁ ଅନ୍ଧାରକୁ ସେଇ ଅନ୍ଧାର ।
ତୁ କଣ କହୁ ମୁଁ ପରିବା କିଣି ବାରେ ଓସ୍ତାତ୍ । ମୋର କଲର୍ ଚ ଏ ଏସ୍ ବି କୁଆଡେ ଫା ଣ୍ଟାଷ୍ଟିକ୍ । ଶାଢ଼ୀ ଠାରୁ ଆରମ୍ଭ କରି ଚୁଡ଼ି ପର୍ଯ୍ୟନ୍ତ । ହେଲେ ବୋହୂର ମୋ ପରିବା, ଚଳଣି କି ରଙ୍ଗ ଢଙ୍ଗ କିଛି ପସନ୍ଦ ନୁହେଁ ।
ମୁଁ କୁଆଡେ ଓଲଡ଼ ମଡେଲ ଗାଡି । ଇଂଜିନି ଟ୍ରବୁଲ ହେଉଛି ବାରମ୍ବାର । ତୁ କହିଲୁ ସଖୀ ସତୁରି ବର୍ଷ କାଳ ଦିନେ ଖରାପ ହୋଇ ନଥିବା ଇଞ୍ଜିନ କଣ ସେମିତି ଚାଲୁଥିବ! ଇଞ୍ଜିନ ଏକ୍ସପାରୀ ଡେଟ୍ ନାହିଁ! ପିଲାଏ ଏ କଥା କାହିଁକି ବୁଝନ୍ତିନି!
କେମିତି ଖାଲି ବ୍ୟାଗ୍ ନେଇ ଘରକୁ ଯିବି ଭାବୁ ଭାବୁ ସତ ସତିକା ଧକ୍କା ହୋଇଗଲା ଆଉ ଗୋଟେ ଗାଡି ସଙ୍ଗେ । ଅବନୀ ବାବୁଙ୍କୁ ଶହେ ଆଠ ଛଅ ନମ୍ବର ହସ୍ପିଟାଲ୍ ନେଇଗଲା ।
ବହୁ ବିଳମ୍ବରେ ପୁଅ ବୋହୂ ଆସି ପାଖରେ ପହଞ୍ଚିଲେ । କଥା କହି ପାରୁ ନଥାନ୍ତି ଅବନୀ ବାବୁ । ଜୁଳୁ ଜୁଳୁ କରି ଅନେଇଁ ଥାନ୍ତି । ଆହା କହିବା ପରିବର୍ତ୍ତେ ଖୁବ୍ ବିଗିଡିଲେ ସେମାନେ । ବୋହୁ କହିଲା ଯେତେ ବୟସ୍କ ସେତେ ଛୁଆ ହୋଇ ଯାଉଛନ୍ତି ବାପା । ରାସ୍ତାରେ ଗାଡ଼ି ମଟର ଦେଖି ଚାହିଁ ଯାଆନ୍ତି ନା ନାହିଁ ?ଏବେ କଣ ହେବ? ନିତ୍ୟ କର୍ମ କିଏ କରିବ ତୁମର?
ଆଦିତ୍ୟ ଗୁମ୍ ହୋଇ ବସିଥାନ୍ତି । ବୋହୂର ବକର ବକର ହେବା ଦେଖି କଣ ହେଲା କେଜାଣି ଆଦିତ୍ୟର ଫାଏଁ କରି ଉଠିଲା । ତୁମକୁ ଚଳିବାରେ ଅସୁବିଧା ହେଲେ ଯୁଆଡେ ଇଚ୍ଛା ଚାଲିଯିବ । ଜଣେ ଲୋକ ମରଣ ମୁହଁରେ ପଡିଛନ୍ତି ୟାଙ୍କର ଚିନ୍ତା କିଏ ସେବା କରିବ । କାଇଁ ତୁମେ କଣ କରିବ କି? ଏଇ ଯେଉଁ ଲୋକ ପ୍ରତି ଏତେ ଅନାଦର ତାରି ପୁଅ ପାଇଁ ତୁମ ସୌଖୀନ ଜୀବନ । ଏଇ ବୁଢ଼ାଟା ରକ୍ତ ପାଣି କରି ବଢ଼େଇ, ପଢେଇ ଗଢି ଥିବାରୁ ମୁଁ ଅଫିସର୍ ଆଉ ତୁମର ଏତେ ଚାତର ।
କିଏ କହୁଥିଲା ବାପାଙ୍କୁ ମାର୍କେଟ ପଠାଇବାକୁ? ଯାହା ତ ଆଣିଲେ ତୁମ ମନ ମାନେନା ପୁଣି ପଠାଆ କାହିଁକି? କେବଳ ଆମରି ଭୟରେ ମୋ ବାପାଙ୍କ ଏ ଅବସ୍ଥା । ଗାଡି ବାଜି ପରିବା ଗୁଡିକ ଗାଡି ତଳେ ମାଡିଗଲା । ଘରକୁ ଖାଲି ହାତରେ କେମିତି ଫେରିବେ ଭାବି ଭାବି ଗାଡି ବାଡେଇ ଦେଲା ବାପାଙ୍କୁ । ସେଠିକାର ଟ୍ରାଫିକ ପୋଲିସ ମୋତେ ଏ କଥା କହୁଥିଲେ ।
ମୋ ବାପାଙ୍କ ସେବା ମୁଁ କରିବି । ତୁମେ ସଜବାଜ ହୋଇ ଯେତେ ବୁଲୁଛ ବୁଲ । କିନ୍ତୁ ଆଜିଠାରୁ ମୋ ବାପାଙ୍କୁ ଯଦି କିଛି କହିଛ ତୁମ ସ୍ତ୍ରୀ ପଣିଆଁ ଛଡେଇ ଦେବି ।
ଏତେ ହୃଦୟ ହିଁନ କେମିତି ତୁମେ ! ଅତ୍ୟଧିକ ରକ୍ତ ବୋହି ବାପା କଥା କହିବା ଶକ୍ତି ହରେଇ
ଛନ୍ତି,ବଂଚିବେ କି ମରିବେ ଡ଼ାକ୍ତର ସନ୍ଧିହାନ । ଏ ବେଳେ ଶତ୍ରୁ ବି ଆହା କରେ । ଯାଅ ଖାଇ ପିଇ ଛୁଆପିଲା ଘରେ ଶାନ୍ତିରେ ଶୋଇବ, ମୁଁ ଏଇଠି ବାପାଙ୍କ ପାଖେ ଅଛି । ମୋ ବାପାଙ୍କ କଥା ମୁଁ ବୁଝିବି ।
ବୋହୁ ଆଖିରୁ ଗଳି ପଡ଼ିଲା ଲୁହ ଟୋପା । ତୁମ ବାପା ! ଆଉ ମୋର!! ମୋର ଏ କେହି ନୁହଁନ୍ତି!!ନିଜ କାମ ନିଜେ କରିବା ଆଉ ସେଇ କାମ ପାଇଁ ଅନ୍ୟକୁ ଅପେକ୍ଷା ରଖିବା କେତେ କଷ୍ଟ ଜାଣିଛ!! ବାପା କେତେ ସ୍ୱାଭିମାନି । ବଜାର ଘାଟ ବୁଲିଲେ, ଲୋକଙ୍କ ସଂଗେ ମିଶିଲେ,କଥା ହେଲେ ତାଙ୍କ ଦେହ, ମନ ସୁସ୍ଥ ରହିବ ଭାବି ସିନା ପଠାଏ । ମାଙ୍କ ଗଲା ପରେ ବାପା ପ୍ରତିକ୍ରିୟା ଶୂନ୍ୟ ହୋଇଯାଇ
ଥିଲେ । ସେ ମୋ ପରିବା ବାରିବା କଥା ଶୁଣନ୍ତୁ ଓ ପ୍ରତିକ୍ରିୟା ପ୍ରକାଶ କରନ୍ତୁ,ଏହାହିଁ ମୋର ଲକ୍ଷ୍ୟ ଥିଲା । କିନ୍ତୁ..
ମୁଁ ସିନା କଥା କହିବା ଶକ୍ତି ହରେଇ ଥିଲି,କିନ୍ତୁ ଶୁଣିବା କି ବୁଝିବା ଶକ୍ତି ହରାଇ ନଥିଲି । ମୋ ପୁଅବୋହୁଙ୍କ ଭିତରେ "ମଣିଷ ପଣିଆ" ଟିକକ ଏବେ ବି ବଞ୍ଚିଛି ଅନୁଭବ କରି ଖୁସି ଲାଗିଲା । ବୋହୁ ମୋର କେତେ ବୁଦ୍ଧିଆ । ବିଷାଦଗ୍ରସ୍ତ ଜୀବନରୁ ମୋତେ ବାହାର କରିବା ପାଇଁ ଏମିତି କରୁଥିଲା, ଅଥଚ !ବାପା ହିସାବରେ ମୋ ପାଇଁ ମୋ ପୁଅ ବୋହୁଙ୍କ ଭିତରେ କେବେ ମନ ମାଳିନ୍ୟ ନ ହେଉ ପ୍ରଭୁ । କୋଟି ପରମାୟୁ ଦେଇ ଥାଅ ତାଙ୍କୁ ।
ଖୁବ୍ ଅଣନିଃଶ୍ଵାସୀ ଲାଗିଲା । ନିଃଶ୍ଵାସ ନେଇ ହେଲା ନାହିଁ । ବୋହୁଟି ମୋ ବେଡ୍ ଧାରରେ ଘୁମେଇଁ ପଡିଛି । ପୁଅ ଚେୟାର ଉପରେ । ମୋ ହାତ ଗୋଡ଼ ଚାରିଆଡ଼େ ଯନ୍ତ୍ର ଖଞ୍ଜା ହୋଇଛି । ଇଚ୍ଛା ହେଉଥିଲା ବୋହୁ ମୁଣ୍ଡ ଟିକେ ଆଉଁସି ଦେବାକୁ । କଫ ଓ କୋହ ରୁନଦ୍ଧି ଦେଉଥିଲା ମୋତେ । ମନେ ମନେ କହୁଥିଲି ଖୁସିରେ ରୁହ ତୁମେ ମାନେ ।
ମୋ ଆଖିରୁ ଗଲି ପଡିଲା ଦୁଇଧାର ଲୁହ । ଶିଥିଳ ଓ ଅବଶ ପଡିଯାଉଥିଲା ଅଙ୍ଗ ପ୍ରତ୍ୟେଙ୍ଗ । କେବଳ ଅନ୍ଧାର ମୋ ଚାରିପାଖ । ସେଇ ଅନ୍ଧାର ଭିତରେ ମୁଁ ଚାଲୁଥିଲି କୁଆଡେ ଜାଣି ପାରୁ ନଥିଲି ।
ନର୍ସ ଧଳା ଚାଦରଟିଏ ଘୋଡେଇ ଦେଉଥିଲେ ଅବନୀ ବାବୁଙ୍କ ମୁହଁ ଢାଙ୍କି ।
