ମଣିଷ ପଣିଆ
ମଣିଷ ପଣିଆ
ଆଜି ବନି ପାଇଁ ତାଙ୍କ ସାହିର ସବୁ ଦୋକାନ ବଜାର ବନ୍ଦ । ସମସ୍ତଙ୍କ ଆଖିରେ ଅଶ୍ରୁର ବନ୍ୟା । କାହାରି ପାଟିକୁ ଦାନାଟିକେ ବି ଯାଇନାହିଁ ।
ଆଜିକୁ ତିନିଦିନ ହେବ କାହାଘରେ ଚୁଲି ଜଳୁନାହିଁ ।
ରମା ଚାଲି ଯାଉଯାଉ ଦେଖିଲା ରାଧୁମଉସା ଗାମୁଛାରେ ତାଙ୍କ ଅସରନ୍ତି ଲୁହକୁ ପୋଛି ଚାଲିଛନ୍ତି । ରାଧୁମଉସା ସେମିତି କିଛି ଜଣେ ବିରାଟ ବ୍ୟକ୍ତତ୍ୱ ନୁହନ୍ତି । ବନି ଯେଉଁ ଦୋକାନକୁ କମ୍ପ୍ୟୁଟର କାମ କରିବାକୁ ଯାଏ ସେଠାରେ ସେ ସଫାସଫି କାମ କରନ୍ତି । ମାତ୍ର ତାଙ୍କ ମଣିଷପଣିଆରେ ସମସ୍ତେ ବାନ୍ଧି ହୋଇ ରହିଥାନ୍ତି । ପିଲାଠାରୁ ବଡ ସମସ୍ତେ ତାଙ୍କୁ ଭଲ ପାଆନ୍ତି ।
ରମା ନ ଅଟକି ରହିପାରିଲା ନାହିଁ । ରାଧୁ ମଉସା ରମାକୁ ଦେଖି ଭୋ ଭୋ କାନ୍ଦି ଉଠିଲେ । ତାଙ୍କୁ ସ୍ଥିର କରାଇ ବନିର ଏପରି କାହିଁକି ହେଲା ପଚାରିଲା । କାହିଁକି ନା ବନି ତାର ସର୍ବାଧିକ ସମୟ ସେହି ଦୋକାନରେ ଅତିବାହିତ କରୁଥିଲା କିଛି ଦିନ ହେବ ।
ରମା ଓ ବନି ଘନିଷ୍ଠ ବନ୍ଧୁ । ରମା ସହରକୁ ପାଠ ପଢିବାକୁ ଗଲା । ଅର୍ଥ ଅଭାବରୁ ବନି ବିଶେଷ ପାଠ ପଢି ପାରିଲା ନାହିଁ । ସାହିତ୍ୟ ରେ ସ୍ନାତକ ପରେ ଘରେ ରହି ଛୋଟ ଛୋଟ ପିଲାଙ୍କୁ ପାଠ ପଢଉଥିଲା । ବାକି ସମୟ ରେ ଘର କାମ କରେ । ଘରେ ରୋଗିଣା ବାପା ମାଆ ଓ ସାନ ଭାଇ । ତାଙ୍କ ଦାୟିତ୍ୱ ମଧ୍ୟ ସେ ନେଉଥିଲା । ବପାଙ୍କ ଚାକିରି ଓ ତା ଟିଉସନରୁ ଯେଉଁ ଅର୍ଥ ଆସେ ସେମାନେ ଖୁସିରେ ଚଳନ୍ତି ।
ରାଧୁ ମଉସା ତାଙ୍କ ରୋଧ କଣ୍ଠରେ ଆରମ୍ଭ କଲେ , କିଛି ମାସ ହେବ କୌଣସି ଜଣେ ଅଜଣା ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ତାର ସାହିତ୍ୟରେ ଯେତିକି ଜ୍ଞାନ ଅଛି ତାକୁ ସବୁ ପ୍ରୟୋଗ କରି ବହୁତ ସୁନ୍ଦର ଶବ୍ଦର ସଂଯୋଜନା କରି ଅନେକ କ୍ଷୁଦ୍ର ଗଳ୍ପର ରଚନା କରୁଥିଲା । ବହୁତ ଖୁସି ହୋଇ ଏଠାକୁ ଆସେ । ପଚିରିଲେ କୁହେ ମଉସା ମୁଁ ଅନଲାଇନରେ ଏକ ସାହିତ୍ୟ ଓ ଗଳ୍ପ ମଞ୍ଚରେ ଗଳ୍ପ ଲେଖୁଛି ଓ ମୋ ଗଳ୍ପ ବହୁତ ଆଦୃତ ହେଉଛି । ମୋର ଜଣେ ବନ୍ଧୁ ମତେ ବହୁତ ସାହାଯ୍ୟ ମଧ୍ୟ କରୁଛନ୍ତି । ସେ ବନ୍ଧୁ ଙ୍କ କଥା ପଚାରିଲେ କୁହେ ,ତାଙ୍କ ସହ କେବଳ ଫୋନ ମାଧ୍ୟମରେ ଯୋଗାଯୋଗ ହୋଇପାରେ । ଅନଲାଇନ ପାଇଁ କଣ ଫୋନରେ ପଇସା ପକେଇବାକୁ ହୁଏ ମାତ୍ର ଅର୍ଥ ଅଭାବରୁ ସେ ବହୁ ସମୟ ଏଠାକୁ ଆସି କେମିତି କେଜାଣି କୁହେ ମଉସା ମୋ ଫୋନ ନେଟ ଆସିଗଲା । ମୁଁ ତ ମାଆ ମୁର୍ଖ ଲୋକ । କଣ ବୁଝେ । ତା ଖୁସି ଦେଖି ଖୁସି ହୁଏ । ଏ ସାହି ର ସମସ୍ତେ ଖୁସି ଯେ ସେ ବହୁତ ଗଲ୍ପ ଲେଖି ସେହି ଅନଲାଇନରେ ବହୁତ ଆଦୃତ ହୋଇପାରିଛି । ବେଳେବେଳେ ଆଣି ଆମକୁ ଦେଖାଏ ଯେ ସେ ଏକ ନମ୍ବର,ଦୁଇ,ତିନି ନମ୍ବରରେ ଅଛି । ଖୁସିରେ ଆତ୍ମହରା ହୋଇ ମୋଠୁ ଚା ଛଡେଇ ନେଇ ଦୋକାନ ଓ ପାଖ ଦୋକାନରେ ନିଜେ ବାଣ୍ଟିଚାଲେ । ତା ଖୁସି ଦେଖି ସମସ୍ତେ ଖୁସିହୁଅନ୍ତି । ସୁବିଧା ଅସୁବିଧା ଭଲ ମନ୍ଦରେ ସମସ୍ତଙ୍କୁ ସାହାଯ୍ୟ କରେ । କିଛି ଦିନ ହେବ ତାର ଏକ ପୁସ୍ତକ ମଧ୍ୟ ବାହାରିବ ବୋଲି କହିକି ସେଦିନ ସମସ୍ତଙ୍କୁ ଲେମ୍ବୁ ସରବତ ବାଣ୍ଟିଥିଲା । ଫୋନରେ ସେ ବହିର ଫଟୋ ମଧ୍ୟ ସମସ୍ତଙ୍କୁ ଦେଖେଇ ବହୁ ଖୁସି ଥିଲା ସେ । ସମସ୍ତଙ୍କୁ ସେ ବହି କିଣିବା ପାଇଁ ମଧ୍ୟ କହିଥିଲା । ଇମ ସାହିର ସମସ୍ତ ଦୋକାନୀ ମାନେ କଣ ସେଇ ଅନଲାଇନରେ ବହି ପାଇଁ ପଇସା ଦେଇଛନ୍ତି ।
ମୁଁ ତ ବୁଝିପାରେନି ,କେବଳ ଶୁଣେ । ମତେ କହିଥିଲା ବହି ଆସିଲେ ମତେ ଆଗ ଦେଖେଇବ । ତା ଫଟୋ ମଧ୍ୟ ସେଥିରେ ଅଛି ।
ଏଇ ଗଲା ରବିବାର ଦିନ କହିଲା ବୁଝିଲ ମଉସା ମୋର ଏକ ଗଳ୍ପ ପୁରସ୍କୃତ ହେବ । ତାର ଏକ ରଙ୍ଗୀନ କାଗଜ ଏଇ ଦୋକାନରୁ କେମିତି କାଢି ସମସ୍ତ ଙ୍କୁ ଦେଖାଇଥିଲା । ଏଇ ଦୋକାନରେ ମଧ୍ୟ ତାର ଏକ ନକଲ କାନ୍ଥରେ ଲାଗିଛି । ଦେଖେ ମାଆ । ।
ସତରେ କାନ୍ଥ ରେ ଏକ ମାନପତ୍ର ଲାଗିଛି ଓ ସେଥିରେ ତାର ସେହି ହସହସ ମୁହଁ ର ଫଟୋଟି । ସତେ ଯେମିତି ମତେ କହୁଛି ,ଦେଖେ ମୁଁ ଗାଁ ରେ ରହି କେମିତି ପୁରସ୍କୃତ ହେଲି । ଦୁଇଧାର ଲୁହ ବହିଗଲା ରମା ଆଖିରୁ ।
ପୁଣି ପ୍ରକୁତିସ୍ଥ ହୋଇ ପଚାରିଲା ମଉସା ତି ପରେ କଣ ହେଲା । ସେ ତ ଏତେ ଖୁସି ଥିଲା । ଏପରି କିପରି?????
ରାଧୁମଉସା ପୁଣି ଲୁହକୁ ପୋଛି କହିଲେ ,ମାତ୍ର କିଛି ଦିନ ହେବ ସେ ବହୁତ ମନ ଦୁଃଖରେ ଥିଲା । ଯେମିତି ଲାଗୁଥିଲା ସେ ଭିତରେ ଛଟପଟ ହେଉଛି । ମୁଁ ପଚାରିଥିଲି,କହିଲା ,
କହିଲା ମଉସା ମୁଁ ଯେଉଁ ଅନଲାଇନରେ ଗଳ୍ପ ଲେଖୁଛି ସେଠାରେ କେହିଜଣେ ତାର ସମସ୍ତ ଲେଖାକୁ ଉଦ୍ଦେଶ୍ୟ ମୂଳକଭାବେ କଣ କମ ରେଟ କରୁଛି । ତାକୁ ମାନସିକଭାବେ ନିର୍ଯ୍ୟାତନା ଦେବା ଉଦ୍ଧେଶ୍ୟରେ । ଏହା ଶୁଣି ମୁଁ ଓ ଆମ ସାହିର କିଛି ଦୋକାନୀ ମାନେ ତାକୁ କହିଥିଲୁ ,ତୁ ଆମ ସାହିର ଝିଅବୋଲି ତୋ ଗଳ୍ପ କୁ ଆମେ ସମସ୍ତେ ପସନ୍ଦ କରୁଛୁ । ମାତ୍ର ତୁ ଯେଉଁ ଅନଲାଇନ କଥା କହୁଛୁ ଓ କହୁଛୁ ସେଠାରେ ଲକ୍ଷାଧିକ ଲେଖକ ଓ ପାଠକ ଅଛନ୍ତି ସମସ୍ତେ ତୋର ଲେଖାକୁ ପ୍ରୋତ୍ସାହିତ କରିବେ ସେଥିରେ କିଛି ସ୍ଥାୟିତ୍ୱ ନାହିଁ । ଠିକ ସେହି ସମୟରେ ଉକ୍ତ ଦୋକାନର ମାଲିକ ରାମଭାଇ ଆସି ପହଞ୍ଚି ଗଲେ । ସେ ମଧ୍ୟ ସେହି କଥା କହିଲେ । କେହି ଜଣେ ବ୍ୟକ୍ତି ଉଦ୍ଦେଶ୍ୟ ମୂଳକ ଭାବେ ତା ଲେଖାକୁ କମ ରେଟ କରୁଥିଲେ ଯଦ୍ୱାରା ସେ ବହୁତ ମାନସିକ ଅଶାନ୍ତି ଭିତରେ ଥିଲା । ଆମେ ତାକୁ ବହୁତ ବୁଝେଇଥିଲୁ ସେସବୁରେ ତୁ ଧ୍ୟାନ ନଦେଇ ତୋ ଲେଖନୀକୁ ଦୃଢ କର । ହଁ ମଧ୍ୟ କହିଥିଲା ଏବଂ ନିଜ ଲେଖାକୁ ଆହୁରି ଦୃଢିଭୂତ କରିବ ବୋଲି ନିଜର ମତକୁ ପରିବର୍ତ୍ତନ କରିଥିଲା । ଏମିତିକି ସେ ଆଉ ଲେଖିବନାହିଁ ବୋଲି ମଧ୍ୟ କହୁଥିଲା । ଏଇ ଦୁଇଦିନ ତଳେ ଆସି କହିଲା ମୋର ସବୁ ଗଳ୍ପ କୁ ଏକ ବହି ଭାବରେ ସଂକଳନ କରି ନିଜସ୍ୱ ଏକ ପୁସ୍ତକ ପ୍ରକାଶ କରିବି । ଆମେ ମଧ୍ୟ ତାକୁ ସମସ୍ତ ସହଯୋଗ କରିବୁ ବୋଲି କହିଥିଲୁ ।
ମାତ୍ର ବିଧିର ବିଧାନ ବିଚିତ୍ର । ସେ ଏପରି ଆତ୍ମହତ୍ୟା କରିବ ବୋଲି କିଏ ଜାଣିଥିଲା । ଏହାଶୁଣି ରମା କାନ୍ଦିବା ସହ ସମାଜର ଏହି ଦୁସ୍ଥ ମାନସିକ ଧାରି ଲୋକଙ୍କ ଚିନ୍ତଧାରା ପାଇଁ ବହୁ ଦୁଃଖ ପ୍ରକାଶ କଲା ।
ଠିକ ସେହିସମୟରେ ଡାକବାଲା ଆସି ପହଞ୍ଚି ବନିର ନାଁ ପଚାରିଲା । ଏହାଶୁଣି ସମସ୍ତେ ତା ଆଡକୁ ବୁଲିପଡିଲେ । ରାଧୁ ମଉସା ପଚାରିବାରେ କହିଲାତାଙ୍କର ଏକ ପାର୍ସଲ ଆସିଛି । ରମା ତରତର ହୋଇ ତାକୁ ଖୋଲିବାରେ ଦେଖିଲା ସେହି ବହି ଯାହା କଥା । ସେ କହୁଥିଲା । ପୃଷ୍ଠାଗୁଡିକୁ ଓଲଟେଇ ଦେଖେତ ତାର ଲିଖିତ ଗଳ୍ପଟି । ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରୁ ଧାର ଧାର ଅଶ୍ରୁ ବହିବାରେ ଲାଗିଲା । ସେଦିନ ସଂଧ୍ୟାରେ ତାଙ୍କ ସାହିରେ ସେ ବହିର ଉନ୍ମୋଚନ କରି ବନିକୁ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ।
