ମଣିଷ ଖାଉଥିବା ଗଛ
ମଣିଷ ଖାଉଥିବା ଗଛ
ସଞ୍ଜ ନଇଁ ଆସିଲେ ମୋ ରୂପଟା କୁଆଡେ ଅତି ଭୟଙ୍କର ହୋଇ ଯାଏ I ପକ୍ଷୀ ମାନଙ୍କର କଳରବ ସରିବା ସହିତ ଆଉ ସେମାନଙ୍କର କ୍ଳାନ୍ତ ଡେଣା ଗୁଡିକ ହଜିବା ସହିତ ମୋ ଦେହରେ ଥିବା ବସା ଗୁଡିକରେ, ମୁଁ ପାଲଟେ ଏକ ଅବାଂଛିତ ଚରିତ୍ର I ଗାଆଁର ଆଈ ବୁଢ଼ୀ ମାନଙ୍କୁ ମୋ ଦେହରେ ଦିଶିବାକୁ ଲାଗନ୍ତି ଡାଆଣି, ଚିରୁଗୁଣୀ, ଭୁତ, ପ୍ରେତ, ପିଶାଚ ଆଉ ଅଝଟ ହେଇଥିବା ପିଲାଙ୍କୁ ଶୁଣାଯାଏ ଅଶରୀରୀ ମାନଙ୍କର ଚିତ୍କାର ଯାହା ଫଳରେ ସେମାନେ ଜାବୁଡି ଧରି ଶୋଇ ପଡନ୍ତି ନିଜର ଜେଜେମାଙ୍କୁ ଶୀତ ରାତିଟିରେ ! ଦିନରେ ସବୁଜ, ସୁନ୍ଦର, ଜୀବନ୍ତ ଦିଶୁଥିବା ମୋର ଅବୟବ ରାତିରେ ପାଲଟିଯାଏ ମୃତ୍ୟୁର ରୂପରେଖ !
ହଁ ଗାଁ ମୁଣ୍ଡରେ ଥିବା ମୋର ଏତିକି ହିଁ ପରିଚୟ ସମସ୍ତଙ୍କର ଆଗରେ ମୁଁ ଅଶ୍ଵସ୍ତ ( ଓସ୍ତ ) ଗଛଟିଏ ହୋଇଥିଲେ ମଧ୍ୟ I ଆଜିଯାଏଁ କୁରାଢ଼ିର ଆଘାତରୁ ବର୍ତ୍ତିଥିବାର ଏକ ମାତ୍ର କାରଣ ହେଲା ଦୂର ଦୂର ଯାଏଁ ଆଉ କୌଣସି ଗଛ ନାହିଁ ଯେଉଁଠାରେ ଖରା ବେଳାଟାରେ ଗାଈ ଚରାଉଥିବା ଟୋକା ଟିକେ ବିଶ୍ରାମ ନେବ କିମ୍ବା ଦିପହରର ଖରାରୁ ବଞ୍ଚିବା ଲାଗି ଚାଷୀଟିଏ ବସି ଯିବ ଦୁଇ ଘଡି I
କିନ୍ତୁ ଆଜି ମୋର ପରିଚୟଟି ପୁନଃ ସ୍ଥାପିତ ହୋଇଛି ମୃତ୍ୟର ସୋପାନ ଭାବରେ I ଏଥର ଓହଳି ଯାଇନି ଜଣେ ଚାଷୀ, ନିଜର ବୃତ୍ତିରେ ହତାଶ ହୋଇ, ମୋର ବାହୁର ସାହାରା ନେଇ I ଆଜି ଝୁଲି ଯାଇନି ମୋ ଶାଖାରୁ ବିବାହିତ ମହିଳାଟିଏ, ନିଜର ମଦ୍ୟପ ସ୍ଵାମୀର ସରକାରୀ ନିତି ଯୋଗୁଁ, ମଦର ପ୍ରବାହରେ ନିଜର ପରିବାରର ଅର୍ଥ ନୀତିକୁ ସର୍ବସ୍ୱାନ୍ତ କରିଥିବାରୁ I ମୋ ଭାଇ ବନ୍ଧୁ ମାନେ ମଧ୍ୟ କମ ବଦନାମ ନୁହନ୍ତି ଏହି ଇଲାକାରେ I ସମସ୍ତେ କେବେ ନା କେବେ କାହାକୁ ନ ହେଲେ କାହାକୁ ସାହାରା ଦେଇଛନ୍ତି ଜୀବନର ଯନ୍ତାରୁ ବାହାରି ସବୁ ଦିନ ପାଇଁ ମୁକ୍ତି ପାଇବାକୁ ମୃତ୍ୟୁର ଆଶ୍ରୟ ନେଇ I କିନ୍ତୁ ମୁଁ ଅନ୍ୟ ମାନଙ୍କଠାରୁ ଆଜି ଭିନ୍ନ ହୋଇଯିବି, ମୋର ଛାଇ ତଳେ ଆଜି ପୋତା ହୋଇଛି ସଦ୍ୟ ନିର୍ଗତ ମଣିଷ ଭୃଣଟିଏ, କାରଣ ତାହାର ମାଆ କାମ କରି ଅଧିକ କିଛି ଅର୍ଥ ଅର୍ଜନ କରିବା ପାଇଁ ଇଛୁକ I ନିଜର ଭାଇର ମନ୍ଦ ବୁଦ୍ଧିରେ ପ୍ରଭାବିତ ହୋଇ, ସିଏ ନିଷ୍ପତି ନେଇଛି ତାହାର ଦ୍ଵିତୀୟ ସନ୍ତାନକୁ ବଂଚିତ କରିବାକୁ ଏକ ମଣିଷ ହେବାରୁ I ମହିଳାଙ୍କ ଭାଇର ଯୁକ୍ତି ହେଲା, ଗରିବ ସ୍ଵାମୀଟିକୁ ବାହା ହେଇଚୁ, ଏତେ କଷ୍ଟରେ ଚଳୁଛୁ ଆଉ ଦ୍ଵିତୀୟ ସନ୍ତାନଟିଏ କଣ ପାଇଁ ଦରକାର ? ଭାଇର କିନ୍ତୁ ନିଜର ଦୁଇଟି ସନ୍ତାନ ସତରେ କେତେ ଅଜବ ଏହି ମଣିଷମାଙ୍କର ଭାବ ଧାରା, ନିଜେ ଯାହା କରିବେନି ତାହା ଅନ୍ୟ ମାନଙ୍କୁ ଉପଦେଶ ଦେବେ ଭବିଷ୍ୟତ ବିଷୟର ସମ୍ପୂର୍ଣ୍ଣ ଅଭିଜ୍ଞ ନାରୀଟିଏ ମଧ୍ୟ, ଯିଏ ନିଜର ପରିବାର କୁ ଚିହ୍ନି ପାରିନି ଆଉ ଭାବେ ତାହାର ଭାଇ ହିଁ ତାହାର ସବୁ କିଛି ବାହା ହେଲା ପରେ ମଧ୍ୟ ଅଗ୍ନିକୁ ସାକ୍ଷୀ କରି I ଏହି ପରି ଏକ ସମାଜରେ ଯେଉଁଠି ବିବାହିତା ସ୍ତ୍ରୀଟିଏ ନିଜର ପ୍ରକୃତ ପରିବାରକୁ ଚିହ୍ନି ପାରେନି ଆଉ ଭାବେ ତାହାର ମା ବାପା ଭାଇ ନିଜର ଏବଂ ଶ୍ଵଶୁର ଆଉ ପତି ପର, ମୋର ପରିଚୟ ବିକୃତ ହେଲେ ମୁଁ ଅବା ଦୁଃଖ କରିବି କାହିଁକି ?
ତଥାପି ଆଜି ବଦଳିଯିବ ମୋର ପରିଚୟ ଏହି ଗାଆଁରେ I ଆଉ ଅଳ୍ପ ସମୟ ପରେ ଏ ପଟେ ହରିଆ ଆଉ ତାହାର ସାଙ୍ଗ ଯିବେ, ଦୂରରୁ ସେମାନଙ୍କୁ ଦେଖି ପାରୁଛି ମୁଁ I ମୋ ଛାଇ ତଳେ ପଡ଼ିଛି ମୃତ ଭୃଣର ଶରୀରଟି, କ୍ଷତ ବିକ୍ଷତ ହୋଇ ଯାହାକୁ କୁକୁରଟିଏ ଟାଣି ଦେଇଛି ତାହାର ଅସ୍ଥାୟୀ କବରରୁ I ଆଜି କହିବ ହରିଆ ସମସ୍ତ ଗାଁକୁ, "ମଣିଷ ଖିଆ ଗଛଟି ଏଥର ପିଲାଙ୍କୁ ମଧ୍ୟ ଖାଇବାକୁ ଲାଗିଲାଣି !" ଆଜି ଠାରୁ ମୁଁ ହୋଇଯିବି "ପିଲା ଖାଉଥିବା ଗଛ I" ବଦଳିଯିବ ମୋର ଚରିତ୍ର ଗାଆଁର ଆଈ ମାନଙ୍କ କାହାଣୀରେ !
କିନ୍ତୁ ମୁଁ ଆଜି ସାଜିବି ସେହି ଭ୍ରୁଣ ପାଇଁ ନିର୍ବାଣର ମାର୍ଗ, ଏହି ମିଛ ମାୟାର ସଂସାରୁ ଦେଇଥିବାରୁ ତାକୁ ମୁକ୍ତି, ତାହାର ରୂପାନ୍ତର ହେବା ପୂର୍ବରୁ ଏକ ଅସହାୟ ମଣିଷ ରୂପରେ I ମୁଁ ତଥାପି ସାଜିଥିବି ଜୀବନର ମାର୍ଗ, ମୋର ଚିର ପରିଚିତ ପକ୍ଷୀ ମାନଙ୍କ ପାଇଁ ଯେଉଁ ଦିନ ଯାଏଁ କୁରାଢ଼ୀର ଆଘାତରେ ମୁଁ ନିଜେ ନ ପାଇଛି ନିର୍ବାଣ !